STORYMIRROR

Sanuja Meghamala

Tragedy

4  

Sanuja Meghamala

Tragedy

ଆତ୍ମହତ୍ୟା

ଆତ୍ମହତ୍ୟା

6 mins
405



ଅପରାହ୍ନ ଆକାଶରେ ମେଘ ଓ ଥଣ୍ଡା ପାଗ ଦେଖି କମ୍ବଳ ଭିତରେ ଜାକି ଜୁକି ହୋଇ ନିଜ ଅଳସ ଦେହକୁ ବିଛଣାରେ ଲୋଟେଇ ଦେଲା  ଅନିଶା ।ବାଲକୋନୀ ପଟୁ ଆସୁଥିବା ଥଣ୍ଡା ଥଣ୍ଡା ପବନରେ କେତେବେଳେ ଆଖିଟା ତାର ଲାଗି ଯାଇଛି ତାକୁ ଜଣା ନାହିଁ।

ଫୋନ ରିଂ  ହେବା ଶବ୍ଦ ରେ ଅନିଶାର ନିଦ ଭାଙ୍ଗିଲା।ସେଇ ନିଦ ଭରା ଆଖିକୁ ନ ଖୋଲି  ଅଣ୍ଡାଳି ଅଣ୍ଡାଳି ହାତରେ ଫୋନ ଟି ଉଠେଇ ଆଣି ସେ  ଧୀରେ ହାଲୋ କହିଲା। ସେପଟୁ ଭାରି ଶବ୍ଦଟେ ଶୁଭିଲା। ଆନିଦି ମୁଁ ବାପି କହୁଛି । ସମୟ ଅଛି କି? ମୁଁ ଟିକେ କଥା ହୋଇଥାଆନ୍ତି ତମ ସହିତ ।

ତା କଥା ଶୁଣି ଅନିଶା ର ନିଦ ଭାଙ୍ଗିଗଲା। କିଛି ନ କହିଲେ ବି ମନେ ମନେ ଭାବିଲା ଏମିତି ଏ ଅବେଳରେ ବାପି ଫୋନ କରିଛି ମାନେ କିଛି ତ ଗୋଟେ କାରଣ ଥିବ। ନିଜ ପାଇଁ ଝିଅଟେ ପସନ୍ଦ କରିଛି କି? ମାଉସୀଙ୍କୁ ବୁଝେଇ ରାଜି କରେଇବା ପାଇଁ କହିବ । କେତେ ଡ୍ରାମା କରିବ ଏଇନେ ଭାବି ନିଜକୁ ପ୍ରସ୍ତୁତ କଲା ଅନିଶା । ଆଗରୁ ଦୁଇ ତିନି ଥର ଏମିତି ଘଟଣା ହେଇ ସାରିଛି। ସବୁ ଥର ମାଉସୀ କିଛି ନା କିଛି କାରଣ ଦେଖେଇ ସେ ପ୍ରସ୍ତାବ କୁ ଖାରଜ କରୁଛନ୍ତି। ମାଉସୀ ବି କେମିତି ଲୋକ କେଜାଣି ! ବଡ଼ପିଲା ହେଲାଣି ନିଜେ ରୋଜଗାର କଲାଣି ତା ନିଜ ପସନ୍ଦ ର ଝିଅ ଟେ ବାଛି ବାହା ହେଲେ କଣ ଭାସିଯିବ କେଜାଣି.. ।ସବୁବେଳେ ଏମିତି। ବାପି ପାଇଁ ଝିଅ ସେ ପସନ୍ଦ କରିବେ।ଝିଅ ସୁନ୍ଦର ହେଇଥିବ,ଚାକିରି କରିଥିବ,ପରିବାର ର ଗୋଟେ status ବି ଥିବ.. ତା ସହିତ ଝିଅ ପୁଅ ଙ୍କର ଜାତକ ମେଳ ହେବ..। କରୁଥାଅ ବସି ପୁଅ ବାହାଘର କିଏ ମନାକଲା..।


ଅନିଶା ବାପି କୁ କହିଲା   ଆରେ ଏତେ ଔପଚାରିକତା କଣ ପାଇଁ ?  । ସିଧା ସିଧା ବିନା ଗୌର ଚନ୍ଦ୍ରିକା ରେ କହି ଦେ..। ଯାହା କହିବାର ଅଛି।

ସେ ଆରମ୍ଭ କଲା ଦିଦି ଗତକାଲି ସନ୍ଧ୍ୟାରୁ , ଟିଭି ଚ୍ୟାନେଲ ଓ ସୋସିଆଲ ମେଡିଆରୁ ତଥା ଆଜିର ଖବରକାଗଜରୁ "ସୋହିନୀ ଆତ୍ମହତ୍ୟା "ଖବର ଜାଣି ସାରିଥିବ ନିଶ୍ଚୟ। ମନରେ କେତେ ପ୍ରଶ୍ନ ଉଙ୍କି ମାରୁଥିବ ଏ ଦୁର୍ଘଟଣା କୁ ନେଇ। ପୁଣି ଇଛା ଥିବ ସେ ଘଟଣା ବିଷୟରେ କିଛି ଜାଣିବା ପାଇଁ।

ଅନିଶା କହିଲା ହଁ ଖବରଟାଜାଣିଲି ଯେ କିନ୍ତୁ ବେଶୀ ଆଗ୍ରହ ଦେଖେଇନି। ଏ ତ ନିତି ଦିନିଆ ଘଟଣା ହେଲାଣି।। ଆଜି କାଲି ପିଲାଙ୍କର ଏତେ ଟିକିଏ ଧୈର୍ଯ୍ୟ ନାହିଁ। ପରିବାର ଭିତରେ ଖାପ ଖୁଆଇ ଚଳି ଶିଖୁନାହାନ୍ତି । ନଇଁ ପଡ଼ିଲେ ଲହଡ଼ିଟେ ଯାଏ।ଟିକିଏ ନରମି ଗଲେ ହୁଅନ୍ତା ନି। ନାଇଁ ସମ୍ମାନ ପଳେଇବ। ଘର କରି ଛୋଟ ଛୋଟ କଥାରେ କେତେ ନାଟକ ବାଜି କରୁଛନ୍ତି ଆଜିର ଉଚ୍ଚଶିକ୍ଷିତ ତଥାକଥିତ ଆଧୁନିକ ଯୁବପିଢି। ଶେଷ ରେ ଜୀବନ କୁ ଖେଳଘର ଭାବି ନିଜ ଇଚ୍ଛା ରେ ବଞ୍ଚୁ ଛନ୍ତି ପୁଣି ମରୁଛନ୍ତି । ଆଛା କହିଲୁ  ଏ ପିଲାଗୁଡ଼ା ଯେଉଁ ଆତ୍ମହତ୍ୟା କରୁଛନ୍ତି ତା ଦ୍ଵାରା କଣ ସେମାନଙ୍କ ସମସ୍ୟା ର ସମାଧାନ ହେଇଯାଉଛି। ପାଠ ଶାଠ ପଢେଇ ବଡ଼ କରିଥିବା ବାପା ମା ଙ୍କ କଥା ନ ଭାବି ତାଙ୍କୁ  ଜୀଅନ୍ତା ଶବ କରି ଦେଉଛନ୍ତି। ଛି କି ବାଜେ ଚିନ୍ତାଧାରା । କଣ ନା ଆମେ ଆଧୁନିକ। ଖାଲି ଆଧୁନିକ ନୁହେଁ ପୁରା ଅତ୍ୟାଧୁନିକ।


ଅନିଶା ଆଉ କଣ କହିଥାଆନ୍ତା  ତାକୁ ଶେଷ କରିବାକୁ ନ ଦେଇ ବାପି ଆରମ୍ଭ କଲା।ତମେ ନ ଜାଣି ଏମିତି ସେମିତି କଥା କହିବନି ସୋହିନୀ ବିଷୟରେ ଦିଦି।  

ସୋହିନୀ ଅତି ଧୀର ଶାନ୍ତ ସରଳ ସ୍ୱଭାବର ଖୁବ ଭଲଝିଅ ଟେ। କେବେ କାହା ବିରୁଦ୍ଧରେ ଅଭିଯୋଗ କରେନି। ଅଳ୍ପ ରେ ସନ୍ତୁଷ୍ଟ ଝିଅ ସେ। ଶାଶୁ ଘରେ କେତେ ଯନ୍ତ୍ରଣା ସହିଛି ତାହା ଖୁବ୍ କମ୍ ଲୋକ ଜାଣନ୍ତି। ବାରମ୍ବାର ନିର୍ଯାତିତ ହୋଇ କେଉଁଠୁ ଭରସା ରେ ସହଯୋଗ ର ନପାଇ ଶେଷକୁ ଏମିତି ପଦକ୍ଷେପ ନେଲା ବିଚାରୀ। ଅତି ସରଳ ଓ ନିରୀହ ପିଲାମାନେ ଯନ୍ତ୍ରଣା ସହି ସହି ଯେତେବେଳେ ଅସହ୍ୟ ହୁଏ କେବଳ ନିଜ ଉପରେ ପ୍ରତିଶୋଧ ନିଅନ୍ତି।


ଏତେ କଥାର ଖିଅ ତୋ ପାଖରେ କେମିତି ପହଂଚିଲା କିରେ?? ତୁ ତ ଗୋଟେ ଅଭିଜ୍ଞ ପରାମର୍ଶଦାତା ପରି କଥା କହୁଚୁ ଯେ ।


  ବୁଝିଲ ଆନି ଦି ସୋହିନୀ ମୋ ସାଙ୍ଗ। ସାଙ୍ଗ ମାନେ ମୋର ବହୁତ ଭଲ ସାଙ୍ଗ। ଯୁକ୍ତ ଦୁଇ ରୁ ଇଞ୍ଜିନିୟରିଂ ଆମେ ଏକାଠି ପଢିଛୁ। ଚାକିରୀ ସିନା ଅଲଗା କମ୍ପାନୀ ରେ କରିଚୁ ହେଲେ ବନ୍ଧୁତା ର ସେ ସମ୍ପର୍କଟା ଏବେ ବି ସୁଦୃଢ଼ ଥିଲା। ଚାକିରି କଲା ପରେ ସବୁ ପିଲାଙ୍କ ପରି ସେ ବି ଚାହୁଁ ନ ଥିଲା ଏତେ ଶୀଘ୍ର ବାହା ହେବା ପାଇଁ। ଘରେ ବଡ଼ ଝିଅ ବୋଲି  ତାକୁ ବାଧ୍ୟ କରି ତା ଇଚ୍ଛା ବିରୁଦ୍ଧ ରେ ବାହା କରେଇ ଦେଲେ।


ବାହା ହେଲାନି ଯେ ତା ଜୀବନ ପାଇଁ ସର୍ବନାଶ କୁ ଡାକି ଆଣିଲା। ତା ପରି ସାଧା ସିଧା ଝିଅ ଅଫିସ ସାରି ଘରକୁ ଫେରିଲା ପରେ ପୁଣି  ଥରେ ସଜେଇ ହୋଇ ସ୍ଵାମୀ ସହିତ ପାର୍ଟି କୁ ଯାଉଥିଲା। ପାର୍ଟି ରେ ସ୍ଵାମୀ ତାର ଆକଣ୍ଠ ମଦ ପିଇ ତାକୁ ଭୂଲି ସୁନ୍ଦରୀ ତରୁଣୀ ମାନଙ୍କ ବାହୁ ବନ୍ଧନ ରେ ନିଜକୁ ହଜେଇ ଦେଉଥିଲେ।। ।ପ୍ରଥମେ ପ୍ରଥମେ ସେ ସବୁ ଚଲେଇ ନେଉଥିଲା ସୋହିନୀ ।ପରେ ପରେ ସ୍ଵାମୀ ତାର ତାକୁ ବାଧ୍ୟ କଲେ ପାର୍ଟି ପାଇଁ ସ୍ଵତନ୍ତ୍ର ଡ୍ରେସ ପିନ୍ଧିବାକୁ। ତା ପରେ ମଦ ପିଇ ତାଙ୍କ ବନ୍ଧୁ ମାନଙ୍କ ସହିତ ନାଚରେ ପାର୍ଟନର ହେବ ପାଇଁ। ନିତି ନିତି  ଏ ପାର୍ଟି ମଦ୍ୟପାନ ହୋଟେଲ ରେ ଖାଇବା ଆଦି ବ୍ୟବସ୍ଥା କୁ ସେ ସହିପାରିଲା ନାହିଁ। କେତେ ଆଉ ନିଜ ଇଚ୍ଛା ବିରୁଦ୍ଧ ରେ ଅଭିନୟ କରି ଥାଆନ୍ତା।...ସେ ଥକିଗଲା...।ଦିନକୁ ଦିନ ତାକୁ ଅସହ୍ୟ ଲାଗିଲା ଏ ଚଳଣି । ଏ ଜୀବନ ତାକୁ ସୁଖ ଶାନ୍ତି ବଦଳରେ ଯନ୍ତ୍ରଣା ଦେଲା ।।


ସୋହିନୀ ଏଥର ଦୃଢ଼ ଭାବେ ମନା କଲା  ପ୍ରତିଦିନ ରାତିରେ ଏମିତି ଅଫିସରୁ ଫେରି ବାହାରକୁ,ଯିବା ପାଇଁ। ବାସ୍ ତା ପରେ ଆରମ୍ଭ ହେଲା ତା ଉପରେ ନିର୍ଯାତନା। କେବେ ସ୍ଵାମୀ ସିଗାରେଟ ଟାଣି

ଚେଙ୍କ ଦେଉଥିଲେ ତ କେବେ ଲାଇଟର୍ ରେ ତା ଡ୍ରେସ, ମୁଣ୍ଡ ଚୁଟିକୁ ପୋଡ଼ି ଦେଉଥିଲେ। କେବେ କେବେ ବିଳମ୍ବିତ ରାତ୍ରି ରେ ଘରକୁ ଫେରି ଦେଖିଲେ ଯଦି ସୋହିନୀ ଶୋଇ ଯାଇଛି ତାହେଲେ ତାକୁ ନିଦରୁ ଉଠେଇ ଜବରଦସ୍ତ ମଦ ପିଆଇ ଦେଉଥିଲେ। ଦିନଯାକ ଅଫିସ  କାମରେ ସେ ସନ୍ତୁଷ୍ଟ ଥିଲା। ।ରାତି ହେଲେ ଘର ଭିତରେ ଅକଥନୀୟ ଅତ୍ୟାଚାର.. ।ତାକୁ ଜୀବନ ଦୁର୍ବିସହ ଲାଗିଲା। ରାତି ହେଲେ ସେ ଭୟଭୀତ ହେଲା ।ଘରକୁ ଫେରିବାକୁ ଡରିଲା। ଶାଶୁ ଶଶୁର ସବୁ ଦେଖି ନୀରବ ରହୁଥିଲେ। ସ୍ବାମୀ ଙ୍କ ର ଏ ନିର୍ଯାତନା ପଛରେ ତାଙ୍କର ସମର୍ଥନ ଥିଲା କି ନାହିଁ ସେ ଚେଷ୍ଟା କରି ଜାଣି ପାରୁ ନଥିଲା।ସେ ଶାଶୁ ଙ୍କୁ ବାରମ୍ବାର ନିଜ ଦୁଃଖ ଜଣାଇଲା.। ତାଙ୍କ ପାଖରୁ ସହାନୁଭୂତି ତ ମିଳିଲା ନାହିଁ। ପୁଅକୁ ଆକଟ ରେ ହେଉ ବା ବୁଝେଇ ଶୁଝେଇ ହେଉ ଦୁଇପଦ କଥା କହିବା  କେତେବେଳେ ସେ ଶୁଣି ପାରିଲା ନାହିଁ।

ସେଠାରେ ସୋହିନୀ ଅଣନିଶ୍ଵାସୀ ହୋଇଗଲା। ଶାନ୍ତି ରେ ବଞ୍ଚିବା ଆଶା ନେଇ ଶେଷରେ ଦିନେ ସେ ଫେରିଆସିଲା  ନିଜ ବାପା ମାଙ୍କ ପାଖକୁ।କିନ୍ତୁ ଏ କଣ ନିଜ ଘରେ ସେ ଅତିଥି ହୋଇଗଲା !ମା ଙ୍କ ର ପ୍ରଶ୍ନବାଣରେ ସେ ଅତିଷ୍ଠ ହେଲା..।ହଠାତ୍ କିଛି ନ ଜଣାଇ ଏମିତି ଏକୁଟିଆ ଆସିବାକୁ ନେଇ ମା ସନ୍ତୁଷ୍ଟ ନ ଥିଲେ। ଝିଅ ବାହା ହେଇଗଲା ପରେ ଜୋଇଁ ସାଙ୍ଗରେ ଆସିଲେ ଦାଣ୍ଡ ସୁନ୍ଦର ଦେଖାଯାଏ। ନହେଲେ ଲୋକ ମାନେ ଜିରା ରୁ ଶିରା ବାହାର କରି କେତେ କଥା କହିବେ। ସପ୍ତାହେ ରହିଲା ପରେ ସେମାନେ ତାକୁ ଶାଶୁ ଘର ଫେରିଯିବା ପାଇଁ ବାରମ୍ବାର କହିଲେ।ଏଥର ମୁଁହ ଖୋଲି ସେ ତା ନିର୍ଯାତନା ର କାହାଣୀ ବାପା ମାଙ୍କୁ ଜଣାଇଲା। ଆଉ ସେ ନର୍କ କୁ ଫେରିଯିବା ପାଇଁ ଚାହୁଁ ନାହିଁ ବୋଲି ସ୍ପଷ୍ଟ ଓ ଦୃଢ ଭାବରେ କହିଲା।। ଦୁଃଖର କଥା ସେମାନେ ତା କଷ୍ଟକୁ ବୁଝିବା ବଦଳ ରେ ତାକୁ ପୁଣି ବାଧ୍ୟ କଲେ  ଫେରିଯିବା ପାଇଁ ଶାଶୁ ଘର ନାମକ ସେହି ନର୍କକୁ। ସେ ଯଦି ଏମିତି ସ୍ୱାମୀ ଙ୍କୁ ଛାଡି ଆସି ଘରେ ରୁହେ ସମାଜରେ ସେମାନଂକର ମୁଣ୍ଡ ତଳକୁ ହୋଇଯିବ। ତାର ଅନ୍ୟ ଭଉଣୀ ମାନଙ୍କ ବାହାଘର ହୋଇ ପାରିବ ନାହିଁ। ବରଂ ଭାଗ୍ୟକୁ ଆଦରି ଶାଶୁ ଘରେ ପଡି ରହିବା ହେଉଛି ସ୍ତ୍ରୀ ଧର୍ମ। ଏମିତି କେତେଝିଅ କେତେ ନିର୍ଯାତନା ସହି ଖଟି ଖଟି ଶାଶୁ ଘରେ ପଡିଛନ୍ତି ।ବାପଘରେ ଜନ୍ମ ଓ ଶାଶୁ ଘରେ ମରଣ ଏଇ ତ ଗୋଟେ ନାରୀ ର ଭାଗ୍ୟ। ଦେଖିବୁ ଛୁଆ ବକଟେ ହେଇଗଲେ ସବୁ ଠିକ ଠାକ ହେଇଯିବ..।ନିଜ ସଂସାର କୁ ନିଜେ ସଜାଡ଼ିବା ଶିଖ।


ଏମିତି କେତେ କଣ କହି ବାପା ମା ପୁଣି ଥରେ ଛାଡ଼ିଦେଇଗଲେ ସୋହିନୀକୁ ତା ଶାଶୁ ଘରେ। ସେ ଅଫିସ ଆସୁଥିଲା ସତ କିନ୍ତୁ ସମ୍ପୂର୍ଣ ଗମ୍ଭୀର ହୋଇଗଲା ଆଗ ଭଳି କାହା ସହିତ ମିଶି ଗପିଲାନି କି କଥା ହେଲାନି।


ଦୁଇ ଦିନ ତଳେ ତାକୁ ବହୁତ ବାଧ୍ୟ କରିବାରୁ ତା ସହିତ ଯାହା ଘଟିଛି ସବୁ କଥା ମୋତେ କହିଲା..।.ତା ପରେ କହିଲା କହ ତ ଅବିନାଶ ମୁଁ ଯଦି କାହାର ହୋଇ ପାରିଲିନି ତେବେ ବଂଚିବି କଣ ପାଇଁ। ।ମୋ ଦୁଃଖ କଷ୍ଟକୁ ଯଦି ମୋ ଜନ୍ମକଲା ବାପା ମା ବୁଝି ପାରିଲେନି ତାହେଲେ ଏମିତି ବଂଚିବା ର ମାନେ କିିଛି ନାହିିଁ।

ତାକୁ ବହୁତ ବୁଝେଇଲି ।କହିଲି ତୁ ଯଦି ସେଠାରେ ଖୁସିରେ ନାହୁଁ। ଚାକିରୀ କରିଛୁ କାହା ଉପରେ ବୋଝ ନୁହଁ ଅଲଗା ଘର ଭଡା ନେଇ ଖୁସି ରେ ରହ। ଅନ୍ୟ ସିଟି କୁ ତୋର ଟ୍ରାନ୍ସଫର କରିନେ...। ଲମ୍ବା ସମୟ ପଡିଛି ପୁଣି ନୂଆ କରି ନିଜ ଜୀବନ start କରିବୁ। ସେ କହିଲା  ଯେ ପର୍ଯ୍ୟନ୍ତ ସେ କାନୁନ ଦୃଷ୍ଟି ରୁ ଅଲଗା ନ ହୋଇଛି ସେ ପର୍ଯ୍ୟନ୍ତ ତା ର ଏ ସ୍ଥିତି ବଦଳିବାର ନାହିଁ। ନିଜ ଜନ୍ମ କଲା ବାପା ମା ପରିବାର ଯଦି  ତାକୁ ସହଯୋଗ କରୁନହାନ୍ତି ତାହେଲେ ଆଉ କିଏ କାହିଁକି କରିବ ସେ ଅଲଗା ହେବ କିପରି ?। ଲୋକ ତ ବହୁତ କଥା କହିବେ ।କେହି ସ ସହାନୁଭୂତି  ଦେଖେଇବେ ତ କେହି ଦୋଷ ତ୍ରୁଟି ବାହାର କରିବେ ଅବିନାଶ। କିନ୍ତୁ ଯାହା ଉପରେ ବିତେ ସେ ହିଁ ଜାଣେ ଏ କଷ୍ଟ କଣ ? ଏଥିରୁ କିପରି ମୁକ୍ତି ପାଇବି ମୁଁ ଭାବି ପାରୁନି।


 ଏତେ ଦ୍ଵନ୍ଦ ଓ ହତାଶା ଭିତରେ ରହି ବିଚାରୀ ସହି ପାରିଲାନି ତା ସମସ୍ୟା କୁ। ଶେଷରେ ନିଜକୁ ଶେଷ କରିଦେବା ପାଇଁ ଉଚିତ ମନେ କଲା। ତାର ମୃତ୍ୟୁ ପରେ ତା ବାପା ମା ଆଜି କାନ୍ଦୁଛନ୍ତି ..।..ସେଦିନ ଯଦି ସୋହିନୀ କୁ ଟିକିଏ ବୁଝି ପାରିଥାନ୍ତେ.. ତା ସହିତ ଛିଡା ହୋଇ ତାକୁ ମାନସିକ ସ୍ତରରେ ସପୋର୍ଟ କରିଥାନ୍ତେ ତେବେ ଅକାଳରେ ସେ ଏମିତି ଦୟନୀୟ ଭାବେ ଆତ୍ମହତ୍ୟା କରି ନ ଥାନ୍ତା।


ପ୍ରକୃତ ରେ ସୋହିନୀ ବିଷୟ ରେ କିଛି ଜାଣି ନ ଥିଲି ମୁଁ ବାପି।ଏବେ ଝିଅଟି ପାଇଁ ମୋତେ ଦୁଃଖ ଲାଗୁଛି  ।ଏତେ ପାଠ ପଢି ଶିକ୍ଷିତ ହେବାର ମୂଲ୍ୟ କଣ?ଥାନା,କୋର୍ଟ, କଚେରୀ ଅଛି। ସେଠି ଅଭିଯୋଗ ନ କରି ନିଜ ଉପରେ ପ୍ରତିଶୋଧ ନେଲା। ଲାଭ କଣ ପାଇଲା।

ଆତ୍ମହତ୍ୟା ଆଦୋୖ ଗ୍ରହଣୀୟ ନୁହେଁ ।କୌଣସି ସମସ୍ୟା ର ସମାଧାନ ଆତ୍ମହତ୍ୟା ନୁହେଁ।ଏହା କେବଳ ଏକ ଦୁର୍ବଳ ମାନସିକ ଥିବା ବ୍ୟକ୍ତି ର ମାନସିକ ବିକୃତି। ଜୀବନ ଅଛି ତ ସମସ୍ୟା ରହିଛି। କିଛି ନୂଆ କଥା ନୁହେଁ।। ଜୀବନ ରେ ଥରେ ବା ଦୁଇଥର ନୁହେଁ ବାରମ୍ବାର ସମସ୍ୟା ଆସେ। ସମାଧାନର ପନ୍ଥା ଖୋଜିବା ହେଉଛି ବୁଦ୍ଧିମାନ ର କାମ...।। ଧୈର୍ଯ୍ୟ ର ସହିତ ଅପେକ୍ଷା କଲେ ସମାଧାନର ସୂତ୍ର ମିଳିଯାଏ।

 ପରିବାରର ସଦସ୍ୟ ଯଦି "ଲୋକେ କଣ କହିବେ ." ବୋଲି ଭାବି ବସିବେ ତା ହେଲେ ସୋହିନୀ ପରି ଅସମୟରେ ନିଜ ସନ୍ତାନ କୁ ହରେଇ ବସିବେ ନିଶ୍ଚୟ ।ଆଜିର ମଣିଷ ବ୍ୟସ୍ତ ବହୁଳ ଜୀବନ କାମର ଚାପ,ହତାଶା ଓ ନିରାଶା  ଭିତରେ ପେଷି ହୋଇ ଲକ୍ଷ୍ୟ ପଛରେ ଗୋଡେଇ ଗୋଡେଇ ଥକି ଗଲା ପରେ ମଧ୍ୟ ଖୁସି ହୋଇ ପାରୁନି। 


ମଣିଷ ଚାପ ସମୟରେ କିପରି ନିଜର ସନ୍ତୁଳନ ରକ୍ଷା କରି ପାରିବ ସେଥିପାଇଁ ଅଭିଜ୍ଞ ପରାମର୍ଶ ଦାତା ଙ୍କ ସହିତ ପରାମର୍ଶ କରିବା ଉଚିତ। ତା ସହିତ ପରିବାର, ପ୍ରିୟଜନ ଙ୍କର ସହଯୋଗ ନିହାତି ଆବଶ୍ୟକ। ଯଦି ସୋହିନୀ ର ପରିବାର ତାର ମାନସିକ ସ୍ଥିତି କୁ ବୁଝି ଥାଅନ୍ତେ ତେବେ ନିଶ୍ଚୟ ଏମିତି ଦୁଃ ସ୍ଥିତି ଆସି ନଥାନ୍ତା।



Rate this content
Log in

Similar oriya story from Tragedy