ଅନୁପମା
ଅନୁପମା
ଦୀର୍ଘ ୫ ବର୍ଷ ପରେ ଆଜି ଜେଲରୁ ମୁକୁଳିଛି ଅନୁପମା। ଜେଲ ହତା ଡେଇଁ ବାହାରକୁ ଆସିଲା ବେଳେ ଆଶା ନ ଥାଇ ବି ମନ ଓ ଆଖି ଖୋଜି ପକେଇଲା ପୁଅ ଓ ସ୍ୱାମୀଙ୍କୁ। ଏତେ ଦିନ ପରେ ସେ ଯେତେବେଳେ ଜେଲ୍ ରୁ ବାହାରୁଛି ସବୁ ପଛ କଥା ଭୂଲି ତାକୁ ଘରକୁ ନେବା ପାଇଁ ସେମାନେ କାଳେ ଆସିଥିବେ ! ନିରାଶ ହେଲା ଅନୁପମା ।ନା ! ଆଜି ବି କେହି ଆସିନାହାନ୍ତି ।
ଯେଉଁ ମାନେ ସେତେ ବେଳେ ତାକୁ ହତ୍ୟା ଅପରାଧୀଟେ ବୋଲି ଘୃଣା କରିଥିଲେ ଏବଂ କେସ ଲଢ଼ିବା ତ ଦୂରର କଥା ଏତେ ବର୍ଷ ଭିତରେ ଗୋଟେ ଥର ଜେଲକୁ ଦେଖା କରିବାକୁ ଆସିନାହାନ୍ତି ।ସହାନୁଭୂତି ମଧ୍ୟ ଦେଖାଇ ନାହାନ୍ତି । ସେମାନେ ଆଜି ବା କାହିଁକି ପାଛୋଟି ନେବାକୁ ଆସି ଥାଆନ୍ତେ। ସେ ତ ସେମାନଙ୍କ ପାଇଁ ଏକ କଳଙ୍କ।
ସେଦିନର ଘଟଣା ପାଇଁ ନିଜକୁ ଥରେ ହେଲେ ଦୋଷୀ ବୋଲି ମାନି ପାରିନି ଅନୁପମା । ଦୁଃଖ କି ଅନୁଶୋଚନା କରିନାହିଁ । ନିଜେ ଅନ୍ୟାୟ କରିବା ଯେମିତି ପାପ ତାକୁ ସହିଯିବା ମଧ୍ୟ ସେମିତି ପାପ। ଭୂଲ୍ ଠିକ୍ ର ମାପକାଠିରେ ନୁହେଁ ସେହି ସମୟରେ ନିଜ ବିବେକର ଆହ୍ବାନକୁ ଗ୍ରହଣ କରି ଯାହା ନ୍ୟାୟୋଚିତ୍ ବୋଲି ଭାବିଛି ତାହା ହିଁ କରିଛି। ପରିଣାମ ପରିସ୍ଥିତିକୁ ଅଣଦେଖା କରି।
ଶାରଦୀୟ ଦୁର୍ଗାପୂଜା ।ପୂଜାପାଇଁ ସକାଳେ ପୀଠମାନଙ୍କରେ ମା 'ଙ୍କ ପୂଜାର୍ଚ୍ଚନାରେ ଯେତିକି ଭିଡ଼ ହୁଏ ଅପରାହ୍ନରୁ ଡେରି ରାତି ଯାଏଁ ମୁନ୍ମୟୀ ମୂର୍ତ୍ତିଙ୍କ ନିକଟରେ ଜନ ଗହଳି ତାର କାହିଁ କେତେ ଗୁଣା ଅଧିକ ବଢିଯାଏ । ମଣ୍ଡପର ସୁନ୍ଦର ସାଜସଜ୍ଜା ,ସହ ଆଖି ଝଲସେଇ ଦେଉଥିବା ଆଲୋକ ମାଳା, ପୁଣି ଖେଳଣା, ଘରକରଣା ସାମଗ୍ରୀ ଓ ରୁଚିକର ଖାଦ୍ୟର ମେଳା । ଏ ସବୁ ପରେ ଆଉ ଯାହା ଦର୍ଶକକୁ ବାନ୍ଧି ରଖେ ତାହା ହେଉଛି ମେଲୋଡି। ରାତି ଯେତେ ବଢିଚାଲେ ମେଲୋଡି ଦେଖିବା ପାଇଁ ଲୋକଙ୍କର ଭିଡ଼ ସେତେ ବଢିଚାଲେ।
ଅନୁପମାର ସେ କାଳ ରାତ୍ରି କଥା ପୁଣି ମନେ ପଡିଗଲା। ସେଦିନ ତିଥି ଥିଲା ଦୁର୍ଗାଷ୍ଟମୀ । ମାଆ ମହିଷା ମର୍ଦ୍ଦିନୀ ବେଶରେ ପୂଜା ପାଉଥାନ୍ତି ମଣ୍ଡପରେ। ମାଆଙ୍କ ହାତରେ ଖଡଗ, ଖର୍ପର ଗଦା ସହିତ ଏକ ବିରାଟ ତ୍ରିଶୂଳ ମଧ୍ୟ ଶୋଭା ପାଉଥିଲା। ମାଆଙ୍କ ନୟନର ତେଜରୁ ଯେପରି ଅଗ୍ନି ସ୍ଫୁରଣ ହେଉଥିଲା। ଦୁଷ୍ଟର ବିନାଶ ଓ ସତ୍ୟ ଶାନ୍ତି ଦୟା କ୍ଷମା ଆଦି ମହନୀୟ ଗୁଣର ପ୍ରତିଷ୍ଠା ପାଇଁ ମାଆ ଜଗତଜନନୀଙ୍କର ଏ ଧରାବତରଣ ।ମାଆଙ୍କ ମୂର୍ତ୍ତୀଙ୍କୁ ଦର୍ଶନ ମାତ୍ରକେ ଅନୁପମା କେମିତି ଗୋଟେ ଭାବ ବିହ୍ୱଳ ହୋଇପଡୁଥିଲା ।
ମଣ୍ଡପ ଛାଡ଼ି ଯିବାକୁ ଇଚ୍ଛା ନ ଥିଲେ ମଧ୍ୟ ସେ ଭିଡ଼ ଦୃଷ୍ଟିରୁ ଯିବାକୁ ବାହାରିଲା। ମାଇକର ବିକଟାଳ ଶବ୍ଦ ସହିତ ତାଳ ଦେଇ ତାକୁ ଗୋଟେ ନାରୀ କଣ୍ଠର ବିକଳ ଚିତ୍କାର ରହି ରହି ଶୁଣାଗଲା। ଶବ୍ଦକୁ ଅନୁସରଣ କରି ସେ ସ୍ଵାମୀଙ୍କ ହାତ ଧରି ଭିଡ଼ି ନେଲା ଷ୍ଟେଜ ପଛ ପାଖ ଟେଣ୍ଟ ଭିତରକୁ। ଯାହା ଦେଖିଲା ଆଖିକୁ ବିଶ୍ବାସ କରି ପାରିଲାନି। ପଛ ପାଖ ଅନ୍ଧାରୁଆ ସ୍ଥାନରେ କିଛି ଯୁବକ ଜଣେ ଯୁବତୀକୁ ଜାବୁଡି ଧରିଛନ୍ତି। ଆଉ ନିଶାରେ ହିତାହିତ ଜ୍ଞାନ ଭୂଲି ଥିବା ଯୁବକଟେ ଝିଅଟିକୁ ବଳାତ୍କାର କରିବା ପାଇଁ ତାର ପ୍ରୟାସ ଜାରି ରଖିଛି। ଅନୁପମା ଆଉ ସହି ପାରିଲାନି .. ନାରୀଟେ କେମିତି ସହିବ ଗୋଟେ ନାରୀର ଇଜ୍ଜତ ଲୁଣ୍ଠନର ଏ ଲଜ୍ଜିତ ସମୟକୁ।
ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ପବନ ବେଗରେ ଫେରି ଆସିଲା ସେ । କେହି କିଛି ବୁଝିବା ଓ ଜାଣିବା ପୂର୍ବରୁ ମା'ଙ୍କ ହାତରୁ ତ୍ରିଶୂଳଟିକୁ ବାହାର କରି ଧାଇଁଗଲା ସେ ଟେଣ୍ଟ୍ ଭିତରକୁ। ଉନ୍ମକ୍ତ ଯୁବକକୁ ସୁଯୋଗ ନ ଦେଇ ତା ପିଠିରେ ବାରମ୍ବାର ତ୍ରିଶୂଳରେ ଆଘାତ କରି ଚାଲିଲା ଯୁବକଟି ନିସ୍ତେଜ ହୋଇ ଭୂଇଁରେ ଲୋଟିବା ପର୍ଯ୍ୟନ୍ତ। ସେତେ ବେଳେ କେଉଁଠୁ ଆସିଲା ତାର ଏତେ ଶକ୍ତି ! ନାରୀଟିଏ ହୋଇ କେମିତି ସହିପାରିଥାନ୍ତା ନିଜ ସମ୍ମୁଖରେ ଏକ ନାରୀର ଅପମାନକୁ। ସେଦିନ କୁରୁ ସଭା ତଳେ ଦୁଃଶାସନ ଓ ଦୁର୍ଯ୍ୟୋଧନକୁ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ , ମହାରାଜ ଧୃତରାଷ୍ଟ୍ର ଦ୍ରୌପଦୀଙ୍କୁ ବିବସନା କରିବାର ପ୍ରୟାସ କୁ ଅନ୍ଧ ଭାବରେ ସମର୍ଥନ ନ କରି ଯଦି କୂଳବଧୁର ଲଜ୍ୟାକୁ ନିବାରଣ କରି ପାରିଥାନ୍ତେ ତେବେ ଏତେ ବଡ଼ ମହାସମର ହୋଇନଥାନ୍ତା । ଯୁଗେ ଯୁଗେ ଯେଉଁଠି ନାରୀକୁ ଅସମ୍ମାନ କରାଯାଇଛି ସେଇଠି ପତନ ଘଟିଛି ପୌରୁଷର।ନାରୀ ସର୍ବସଂହା ଧରିତ୍ରୀ ତ ପୁଣି ଦୁର୍ଗତି ନାଶିନୀ ଦୁର୍ଗା ! ମହାକାଳୀ ।ସକଳ ଶକ୍ତିର ଆଧାର। କିଛି କ୍ଷଣ ପୂର୍ବରୁ ସାଧାରଣ ନାରୀଟିଏ ପରି ଅନୁଭବ କରୁଥିବା ଅନୁପମା ଭିତରେ ଥିବା ମାଆ ଦୁର୍ଗାଙ୍କର ମହିଷା ମର୍ଦ୍ଦିନୀ ଶକ୍ତି ଜାଗି ଉଠିଲା।କେହି ତାକୁ ଅଟକେଇ ପାରିଲେନି କି ତା ସମ୍ମୁଖକୁ ଯାଇ ପାରିଲେନି।
ଶେଷରେ ସଶସ୍ତ୍ର ପୋଲିସମାନେ ଆସି ତାକୁ କାବୁ କରି ନେଲେ। ହାତରେ ରକ୍ତ ଯୁଡୁବୁଡୁ ତ୍ରିଶୂଳ ମୁହଁ ଯାକ ରକ୍ତର ଛିଟା ସହିତ ସାମ୍ନାରେ ପଡ଼ିଥିବା ମୃତପ୍ରାୟ ଯୁବକର ଶରୀର ଯଥେଷ୍ଟ ପ୍ରମାଣ ଦେଉ ଥିଲା ତାକୁ ଆରେଷ୍ଟ କରିବା ପାଇଁ। ସେହି ମୁହୁର୍ତ୍ତରେ ହିଁ ସେ ଖୁନୀ ସାଜିଗଲା । କାହିଁକି ଖୁନ କଲା କେହି ପ୍ରକୃତ କାରଣ ଜାଣି ପାରିଲେନି। ବଳାତ୍କାରରୁ ଅଳ୍ପକେ ବଞ୍ଚି ଯାଇଥିବା ଥିବା ସେହିଝିଅଟି ଚିତ୍କାର କରି କଣ କହୁଥିଲା। ତାର ଅର୍ଦ୍ଧ ଉଲଗ୍ନ ଶରୀର ଦେଖି ଘଟଣା ବିଷୟରେ ଲୋକମାନେ ସନ୍ଦେହ କଲେ ମଧ୍ୟ ମୁହଁ ଖୋଲି କିଛି କହିବାର ସାହାସ କାହାର ନ ଥିଲା। ସତକୁ ପ୍ରକାଶ କରିବାର ସାହସ ଓ ସହିବାର ସାମର୍ଥ୍ୟ ଯଦି ଥାଆନ୍ତା ତେବେ ଏତେ ଅନ୍ୟାୟ,ଦୁର୍ନୀତି, ବଳାତ୍କାର ଓ ଲୁଣ୍ଠନ ପରି ଘଟଣା ମାନ କଣ ଘଟୁ ଥାଆନ୍ତା..!
ସେ ପୋଲିସଙ୍କୁ ଅନୁରୋଧ କଲା ନିଜ ପାଇଁ ନୁହେଁ ବରଂ ଝିଅଟିକୁ ସୁରକ୍ଷିତ ଭାବରେ ତା ଘରେ ନେଇ ଛାଡ଼ିଦେବା ପାଇଁ। ଏବଂ ନିଜେ ଦୋଷୀ ପରି ନୁହେଁ ଗର୍ବର ସହିତ ଯାଇ ବସି ପଡିଲା ପୋଲିସ ଗାଡ଼ିରେ। ଆଶା କରିଥିଲା ସ୍ବାମୀ ତାର ପଛେ ପଛେ ଥାନାକୁ ଆସିବେ। ତା ସପକ୍ଷରେ ଦି ପଦ କଥା ରଖିବେ।ନା ସେମିତି କିଛି ହେଲା ନାହିଁ। ତା ପରଦିନ ଓକିଲ ଯୋଗାଡ କରି ତାକୁ ବେଲରେ ନେବାର ପ୍ରତିଶୃତି ମଧ୍ୟ ଦେଲେନାହି। ଖାଲି ସ୍ଵାମୀ ନୁହେଁ ବାପା ଭାଇ କେହି ଥରେ ତାକୁ ଭେଟିବା ପାଇଁ ଜେଲ୍ କୁ ଆସି ନ ଥିଲେ।ସେ ଚାରି ଦଉଡ଼ି କଟା ହୋଇଗଲା । ଗୋଟେ ମୁହୁର୍ତ୍ତର ଘଟଣା ତାକୁ ସବୁ ସମ୍ପର୍କର ବନ୍ଧନରୁ ଅଲଗା କରିଦେଲା। ଜେଲ୍ ର ସେହି କାଳ କୋଠରୀ ଭିତରେ ଆବଦ୍ଧ ହୋଇଗଲା ତାର ବର୍ତ୍ତମାନ ଓ ଭବିଷ୍ୟତ।
ଘର ଲୋକ ପର କରିଦେଲେ ବି ତା କେଶ୍ କୁ ନିଜ ହାତକୁ ନେଇ ବିନା ଫିସ୍ ରେ ଲଢ଼ିବା ପାଇଁ କିଛି ପ୍ରତିଷ୍ଠିତ ଓକିଲ ଓ ସାମାଜିକ ଅନୁଷ୍ଠାନ ମାନେ ଆଗଭର ହୋଇ ତାକୁ ସାହାଯ୍ୟ ଓ ସହଯୋଗ କଲେ। ପ୍ରଥମେ ସେ ସମସ୍ତଙ୍କୁ ମନା କରୁଥିଲା ।. ସେ ଚାହୁଁ ନଥିଲା ପରିବାର ତାର ହାତ ଛାଡିଦେଲା ପରେ ଆଉ ବଞ୍ଚିବା ପାଇଁ। କାହା ପାଇଁ ବଞ୍ଚିବ !ବରଂ ଜେଲ୍ ର କଳା କୋଠରୀ ଭିତରେ ରହି ନିଜ ପାପର ପ୍ରାୟଶ୍ଚିତ କରିବ ।
ଚାହୁଁ ନଥିଲା ମଧ୍ୟ ଝିଅଟି କାଠଗଡାରେ ଠିଆ ହୋଇ ଅନେକ ଅଶ୍ଳୀଳ ପ୍ରଶ୍ନର ଉତ୍ତର ଦେଇ ଅପମାନିତ ହେଉ ବୋଲି।। କାହିଁକି ଦେବ। ସେଥିରେ ତାର ଦୋଷ କଣ ଥିଲା ?? କଥା ତ ଏତିକି ବଳାତ୍କାରର ଶିକାର ହେଉ ହେଉ ଅଳ୍ପକେ ରକ୍ଷା ପାଇ ଯାଇଛି । ।
ମହିଳା ସ୍ବେଚ୍ଛସେବୀ ମାନେ ତାକୁ ବୁଝାଇଥିଲେ... ଗୋଟେ ଝିଅକୁ ନ୍ୟାୟ ଦେବ ପାଇଁ ତାକୁ ଲଢେଇ କରିବାକୁ ପଡ଼ିବ। ଏ କେଶ୍ ରେ ପ୍ରମାଣ ସବୁ ତା ବିରୁଦ୍ଧରେ ଥିଲା। ଏବଂ ମିଛ ନୁହେଁ ଯାହା ସତ ତାକୁ ସେ ବାରମ୍ବାର କହିଥିଲା .। ସେ ବୁଝି ଯାଇଥିଲା ମହିଳାଙ୍କ ପାଇଁ କିଛି କରିବାକୁ ହେଲେ ସେତିକି ଦୃଢ଼ ହେବାକୁ ପଡ଼ିବ କଥାରେ ନୁହେଁ କାମରେ ଦେଖେଇ ବାକୁ ପଡ଼ିବ..।ସେ କାହାକୁ ଜାଣି ଜାଣି ଈର୍ଷା ଭାବନା ନେଇ ଆକ୍ରମଣ କରିନାହିଁ। ସମୟର ଆହ୍ଵାନକୁ ଆଖିବୁଜି ଏଡେଇ ଯାଇ ପାରିନି। ସତ ଦିନେ ନ ଦିନେ ଜିତିବ।
ଦୀର୍ଘଦିନର ଆଇନି ଲଢେଇରେ ଏବେ ତାକୁ ଜାମିନି ମିଳିଛି। ତା ପାଇଁ ଦୀର୍ଘ ଦିନ ଧରି କେଶ୍ ଲଢ଼ିଥିବା ଓକିଲ ଓ ଶୁଭେଚ୍ଛୁଙ୍କ ସହିତ ଜେଲ୍ ରୁ ବାହାରି ଆଗକୁ ଚାଲିଲା ସେ ଦୂରରେ ଠିଆ ହୋଇଥିବା ପ୍ରବୀଣା ନିକଟକୁ। ପ୍ରତି ସପ୍ତାହରେ ତାକୁ ଜେଲ୍ ରେ ଭେଟିବାକୁ ଆସୁଥିଲା ପ୍ରବୀଣା। ଝିଅ ରୂପରେ ଏକ ନୂଆ ସମ୍ପର୍କଟେ ଯୋଡ଼ି ଦେଇଛି ସେ ଅନୁପମା ସହିତ । ଆଜି କିନ୍ତୁ ପ୍ରବୀଣା ଦୋଷୀଟିଏ ପରି ଭିଡ଼ ଠାରୁ ଦୂରରେ ଠିଆ ହୋଇ ଅନୁପମାକୁ ଅପେକ୍ଷା କରିଥିଲା । ଏତେ ବର୍ଷ ଭିତରେ ପ୍ରଵୀଣାର ପରିବାର ତାକୁ ନିଜ ପରିବାରର ସଦସ୍ୟ ଭାବରେ ଆପଣେଇ ନେଇଛନ୍ତି। ତାଙ୍କ ଝିଅର ଇଜ୍ଜତ ବଞ୍ଚାଇବା ପାଇଁ ଏତେ ବଡ ପଦକ୍ଷେପ ନେଇଥିବା ଏ ମହିଳା ଜଣେ ସାଧାରଣ ନାରୀ ନୁହନ୍ତି । ସେ ତ ଦେବୀ।ସେହି ଦେବୀଙ୍କୁ ଆଜି ସସମ୍ମାନେ ନିଜ ଘରକୁ ନେଇ ଯିବା ପାଇଁ ସେମାନେ ଅପେକ୍ଷା କରି ରହିଛନ୍ତି।
ଅନୁପମାକୁ ସାମ୍ବାଦିକ ମାନେ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ ତାର ଅତୀତ ଓ ବର୍ତ୍ତମାନକୁ ନେଇ। ସେ କିଛି ସମୟ ନୀରବ ରହିଲା କଣ କହିବ ପୁଣି କଣ କହିବ ନାହିଁ ଭାବି । ତଥାପି ଚୁପ୍ ରହି ପାରିଲାନି ..।ଆରମ୍ଭ କଲା ଆପଣ ମାନେ ଏହା ଭିତରେ ମୋ ବିଷୟରେ ଅନେକ କଥା ଜାଣନ୍ତି ଯାହା ମୁଁ ନିଜେ ମଧ୍ୟ ଜାଣେ ନାହିଁ।
ନିଜ ଜୀବନର ଅନୁଭୂତିରୁ ଏତିକି ବୁଝି ପାରିଛି ଯେ ନାରୀଟିଏ ପୁରୁଷ ପାଇଁ ସବୁ ସହିପାରେ..ସବୁକିଛି କରିପାରେ ! କିନ୍ତୁ ପୁରୁଷ... ଏତେ ସ୍ୱାର୍ଥପର. କେମିତି ହୁଏ??. ସବୁ ଭୂଲି ଯାଏ।ତା ସମ୍ମାନରେ ଆଞ୍ଚ ଆସିଲେ ସେ ସବୁ ସମ୍ପର୍କକୁ ନିମିଷକରେ ବଳି ଦେଇପାରେ !
ତେବେ ମୁଁ ଆଜି ଆପଣ ମାନଙ୍କୁ କିଛି ପ୍ରଶ୍ନ ପଚାରୁଛି । ଯଦି ପାରିବେ ମୋତେ ସରଳ ଓ ସହଜ ଭାବରେ ବୁଝେଇଦେବେ ।
କୁହନ୍ତୁ ତ ଥରେ ଆମ ସମାଜରେ ନାରୀର ଭୂମିକା କଣ?
ନାରୀର ସ୍ଥିତି କଣ? ଓ ତାର ସ୍ଥିତି କେଉଁଠି?
ନାରୀକୁ ନେଇ ପୁରୁଷର ମାନସିକତା କେବେ ବଦଳିବ?
ଶିକ୍ଷିତ ,ସ୍ବାବଲମ୍ବୀ, ଆତ୍ମନିର୍ଭରଶୀଳ,ହେଲା ପରେ ବି ମହିଳାଙ୍କୁ କଣ ସେତିକି ସମ୍ମାନ ପରିବାର ବା ସମାଜରେ ମିଳୁଛି ଯେତିକି ସମ୍ମାନ ସେମାନେ ପ୍ରକୃତ ପାଇବା କଥା । ପୁରୁଷ କେବେ ନିଜ ଅଧିକାର ଓ ସମ୍ମାନ ପାଇଁ ଲଢେଇ କରେ କି?ତେବେ ମହିଳାଟିଏ କେତେଦିନ ଆଉ ନିଜ ଅଧିକାର ଓ ସମ୍ମାନ ପାଇଁ ଲଢେଇ କରିବ।
ଶବ୍ଦ ଶୂନ୍ୟ ପରିବେଶ।କିଛିକ୍ଷଣ ପୂର୍ବରୁ ଯେଉଁଠି ହୋ ହାଲ୍ଲା ଚାଲିଥିଲା ସେଠାରେ ଏବେ ନୀରବତା ରାଜୁତି କରୁଥିଲା।
ପୁରୁଷ ହେଉ ବା ନାରୀ ସମସ୍ତଙ୍କ ଜୀବନରେ ସଂଘର୍ଷ ଅଛି ଓ ରହିବ। ତାକୁ ନେଇ ବିଚଳିତ ହେବାର ମାନେ କିଛି ନାହିଁ। ତେବେ ଜେଲ୍ ରେ କିଛି ବର୍ଷ ବିତିଯିବା କୁ ନେଇ ମୋ ମନରେ କିଛି ଦୁଃଖ ବା ନୈରାଶ୍ୟ ନାହିଁ। ମୁଁ ଯାହା କରିଛି ଠିକ୍ କରିଛି ବୋଲି ଆଜି ମଧ୍ୟ ଭାବୁଛି।
ଉପସ୍ଥିତ ଜନତା ଅନୁପମାର ବିଚାର ଧାରାକୁ କରତାଳି ଦ୍ଵାରା ସମ୍ମାନ ଜଣାଉଥିଲେ ।ପ୍ରବୀଣାର ହାତ ଧରି ଆଗକୁ ପାଦ ବଢ଼େଇଲା ଅନୁପମା ।