Nityananda Nandi

Romance Classics

3  

Nityananda Nandi

Romance Classics

ଫାଲଗୁନୀ

ଫାଲଗୁନୀ

6 mins
33



କେତେବେଳେ କୃଷ୍ଣଚୂଡ଼ା ଗଛର ଭିଡ ଭିତରେ ରାସ୍ତା କାଟି କାଟି ଆଗକୁ ଯିବାକୁ ପଡୁଥାଏ ତ କେତେବେଳେ ଆକାଶିଆ ଜଙ୍ଗଲ ଭିତରେ ରାଜପଥ ର କଡେ କଡେ ।

ଭୂଇଁ ଭୀଷଣ ଗରମ । ଇଚ୍ଛା ହେଉଥିଲା ପାଦ ଚଲା ଦୁବ ଘାସ ଉପରେ ପାଦ ରଖି ଧିରେ ଧିରେ ଚାଲିବାକୁ। ହଠାତ ରାସ୍ତା କଡ କୃଷ୍ଣଚୂଡ଼ା ଗଛର ଗଣ୍ଡି ଉପରକୁ ଡେରି ପଡ଼ି ବେହୋସ ହୋଇ ଯାଉଥିବା ଜଣେ ମହିଳାଙ୍କୁ ଦେଖି ମହେଶ ଅଟକି ଗଲା। ପାଣି ବୋତଲଟିଏ ବଢେଇ ଦେଲା ଅନ୍ୟ ମନସ୍କ ହୋଇ। ଭଦ୍ର ମହିଳା ଘଟ ଘଟ କରି ଅଧା ବୋତଲ ପାଣି ପିଇ ଟିକିଏ ଆଶ୍ୱସ୍ତ ଅନୁଭବ କଲେ। ଅଳ୍ପ ହସି ଦେଇ ବୋତଲ ବଢେଇ ଦେଲେ ମହେଶକୁ। ମହେଶ ଛିଡ଼ା ହୋଇ ରହିଲା ସେଇ ଗଛ ମୂଳରେ।

 

ମନରେ ମେଳ ଓ ବିଶ୍ୱାସ ଥିଲେ ଦୁଃଖ ଆପେ ଆପେ ବାଣ୍ଟି ହୋଇଯାଏ । ଦୁଃଖର ଲାଘବ ହୁଏ। ଶହ ଶହ ଲୋକ ଦିଲ୍ଲୀ ରୁ ବାହାରିଛନ୍ତି ନିଜ ନିଜ ଗାଁ ଅଭିମୁଖେ କରୋନା ରୋଗ ଭୟରେ। ଗଛ ମୂଳରେ ମହିଳାଙ୍କୁ ବେହୋସ ହୋଇ ଯାଉଥିବାର ବି ଦେଖିଛନ୍ତି ଅନେକ ଲୋକ। ବୁଡି ଯାଉଥିବା ଲୋକକୁ ସାହାରା ଦେଲେ କୁଆଡେ ବୁଡି ଯିବାକୁ ହୁଏ ବୋଲି ଦେଖି ନ ଦେଖିଲା ପରି ଲୋକମାନେ ଅତିକ୍ରମ କରି ଯାଆନ୍ତି ଘଟଣା ଦୁର୍ଘଟଣାକୁ। ମହେଶ କିନ୍ତୁ ଟିକିଏ ଅଲଗା ଥିଲା ସମସ୍ତଙ୍କ ଠୁ। ରାସ୍ତା ଉପରେ ଅଟକିଗଲା ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଆଶ୍ବସ୍ତ ଅନୁଭବ କରିବା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଲା ତା ପାଖରେ।

ତମ ଗାଆଁ ଆଉ କେତେ ଦୂର !

କେତେ ଦୂର ଜାଣିନି, କାଲି ସକାଳ ହେଲେ ଆମ ଗାଆଁ ଆସିବ।

ତମ ସାଥିରେ କେହି ନାହାନ୍ତି ?

ଆମ ଗାଁର ଗୋଟାଏ ଫେମିଲି ସାଥିରେ ମୁଁ ଆସିଥିଲି । ରାସ୍ତାରେ ଚାଲୁ ଚାଲୁ ଗୋଟାଏ ଟ୍ରକ୍ ଉପରକୁ ଉଠିଗଲେ ସେମାନେ। ମୁଁ ଗର୍ଭବତୀ, ଉଠି ପାରିଲିନି। ସେଇଠୁ ଏକା ଏକା ଚାଲିଛି।

ତମ ନାଁ !!!

ଫାଲଗୁନୀ

ମୋବାଇଲ ରଖିନ !

ଦିଲ୍ଲୀରେ ଗୋଟାଏ ମୋବାଇଲ ଅଛି ତାଙ୍କ ପାଖରେ। ନମ୍ୱର ଲେଖି ଆଣିଥିଲି ପାଉ ନାହିଁ କୋଉଠି ରଖିଦେଲି।

ମହେଶ ଚୁପ୍ ରହିଲା। ଚାଲିଲା ଫାଲଗୁନୀର ପଛେ ପଛେ। ସମୟ ଚକ୍ରରେ ଚାଲୁ ଚାଲୁ ସବୁ କଥା ଧିରେ ଧୀରେ ବୁଝି ହୁଏ। ଯାହା ବୁଝି ହୁଏନି ତାହା ହିଁ ଜୀବନ ବୋଧ ହୁଏ। ଜୀବନର ରାସ୍ତା ଅଙ୍କା ବଙ୍କା ନୁହେଁ, ମନ କିନ୍ତୁ ବଙ୍କା କରି ଆଖି ଆଗରେ ପରଶି ଦିଏ ରାସ୍ତାଟିକୁ। ମହେଶ ଭାବୁଥିଲା, ବନ୍ଦ ପଡ଼ିଥିବା ଘଡି ବି ଦିନକୁ ଦୁଇଥର ସଠିକ୍ ସମୟ ବତେଇ ସାହାଯ୍ୟ କରିଥାଏ। ମଣିଷ କିନ୍ତୁ ମଣିଷକୁ ସାହାଯ୍ୟ କରେନି !! ଗୋଟାଏ ଗର୍ଭବତୀ ମହିଳାକୁ ରାସ୍ତା ଉପରେ ଛାଡ଼ିଦେଇ ସେମାନେ ଟ୍ରକ୍ ଉପରକୁ ଉଠିଗଲେ କେମିତି !! କେତେ ସ୍ୱାର୍ଥପର ସେମାନେ ! କେତେ ଭରସା କରି ତା ସ୍ବାମୀ ଛାଡି ଥିବେ ଫାଲଗୁନୀକୁ ସେମାନଙ୍କ ସହିତ!


ହେଣ୍ଡ୍ ପମ୍ପ ପାଖରେ ଅଟକି ଗଲା ଫାଲଗୁନୀ, ସନ୍ଦେହ ହେଲା ପଛରେ ଆସୁଥିବା ଟୋକା ଉପରେ। ମନ ଭିତରେ ଖରାପ ଭାବନା ଭରି ରହିଛି ! ନଚେତ ମୋ ପିଛା ଛାଡୁନି କାହିଁକି ? ଭାବିଲା ସେ ଆଗେଇ ଯାଉ। ପଛେ ପଛେ ମୁଁ ଚାଲିବି। 

ସୂର୍ଯ୍ୟ ପଶ୍ଚିମ ଆକାଶରେ ଅସ୍ତମିତ ପ୍ରାୟ। ଫାଲଗୁନୀ ଦୁବ ଘାସ ଉପରେ ବସି ପଡ଼ି ପ୍ଲାଷ୍ଟିକ ପାନିଆରେ ମୁଣ୍ଡ କୁଣ୍ଡେଇଲା। କିଓ କର୍ପିନ ବାସ୍ନା ତେଲରେ ମହକି ଯାଉଥିଲା ରାଜପଥର ଫୁଟପାଥ। ଶହ ଶହ ଲୋକ ଚାଲିଛନ୍ତି ଭୟ ନ ଥିଲା ଫାଲଗୁନୀକୁ। ଖାଲି ସନ୍ଦେହ ଥିଲା ଏଇ ଟୋକା ଉପରେ। ମହେଶ ଅଳ୍ପ ଦୂର ଆଗକୁ ଯାଇ ତଳକୁ ମୁହଁ କରି ବସି ରହିଲା ରାସ୍ତା ଉପରେ, ଅପେକ୍ଷା କଲା ଫାଲଗୁନୀ ପାଇଁ। ଫାଲଗୁନୀର କେତେ ଆଉ ବୟସ ହେବ ! ବାଇଶ ଭିତରେ। ଦୁଇ କାନ୍ଧରେ ବେଗ ଝୁଲେଇ ଚାଲିଲା ଆଗକୁ ଶହ ଶହ ଲୋକଙ୍କ ଭିଡ ଭିତରେ। ଆଖି ଲାଗିଯାଇଥିଲା,ମହେଶ ଉଠି ଦେଖିଲା ବେଳକୁ ଫାଲଗୁନୀ ନାହିଁ। ଚାଲିଲା ଦୃତ ଗତିରେ ଆଗକୁ। ମହେଶ ପହଞ୍ଚିଲା ଫାଲଗୁନୀ ପାଖରେ ଠିକ୍ ସଂଜ ପୂର୍ବରୁ।

ଡାକିଲନି କାହିଁକି ? ମୋ ଆଖି ଲାଗି ଯାଇଥିଲା। ଫାଲଗୁନୀ ହସି ଦେଲା ମହେଶକୁ ଦେଖି। ଚାଲିଲେ ଆଗକୁ। ପ୍ରାୟ ଘଣ୍ଟାଏ ପରେ ମହେଶ ପଚାରିଲା

ପାଖରେ ରୋଟି ଅଛି !

ନା, ଆଜି ରାସ୍ତା ଉପରେ ପୋଲିସ ବ୍ରେଡ୍ ବାଣ୍ଟୁ ଥିଲେ ଗୋଟାଏ ବ୍ରେଡ୍ ଖାଇଛି। ପାଖରେ ରୋଟି ନାହିଁ।

ରାତି ସାଢ଼େ ଆଠ, ଚାଲ, ଢାବାରେ ବସି କିଛି ଖାଇବା। ରାତିର ଏ ଅନ୍ଧାର ଭିତରେ ଭୟ ମାଡି ପଡୁଥିଲା ଫାଲଗୁନୀ ଭିତରେ, କାଁ ଭାଁ ଷ୍ଟ୍ରିଟ୍ ଲାଇଟ୍। ମହେଶକୁ ଭରସା କଲା ଫାଲଗୁନୀ। ଚୁକ୍ତିନାମାରେ ଦସ୍ତଖତ ହେଲେ ଖାଲି ପ୍ରେମ ହୁଏନା । ପ୍ରେମ ଗୋଟାଏ ଶାଶ୍ଵତ, ସ୍ୱର୍ଗୀୟ ଅନୁଭବ, ଆପେ ଆପେ ଜନ୍ମ ନିଏ, ଦୁଇଟି ନିଷ୍ପେସିତ ହୃଦୟ ଭିତରେ...ପ୍ରେମର ମହକ ନିଆରା। ସେମିତି କିଛି ଘଟିଲା ଦୁଇ ଜଣଙ୍କ ଭିତରେ। ଢାବା ଆଗରୁ ବନ୍ଦ ଥିଲା ଲୋକ ମାନେ ପଛ ଦେଇ ପଶୁ ଥିଲେ ଢାବା ଭିତରକୁ, ମହେଶ ଓ ଫାଲଗୁନୀ ଭିତରକୁ ଯାଇ ମନ ଭରି ରାତ୍ରି ଭୋଜନ କଲେ।


ଅଶୀ ଟଙ୍କା ବିଲ, ଚାଳିଶ ଦେବାକୁ ହେବ ଫାଲଗୁନୀକୁ। ବେଗ ଭିତରେ ଖୋଜି ଖୋଜି ମାତ୍ର ବାଇଶ ଟଙ୍କା ପାଇଲା ଫାଲଗୁନୀ।

କଣ କରିବି ପାଖରେ ବାଇଶ୍ ଟଙ୍କା ଅଛି !

ମହେଶ ଅଶୀଟଙ୍କା ବଢେଇ ଦେଲା ଢାବା ମାଲିକଙ୍କୁ।

ଅଡ଼ୁଆରେ ପଡ଼ିଲା ଫାଲଗୁନୀ ।

ଠିକ୍ ଅଛି କହି ମହେଶ ଫାଲଗୁନୀକୁ ସାନ୍ତ୍ଵନା ଦେଲା ।

ଚାଲିଲେ ଆଗକୁ.... 

ରାତି ବାର ଟା ତିରିଶ। ରାଜ ପଥ ଉପରେ ବହୁତ୍ ବଡ଼ ପେଟ୍ରୋଲ ବଂକ୍। ଆଲୋକିତ ପରିବେଶ ଆଉ ଜନ ଗହଳି। ଟିକିଏ ଜାଗା ପାଇ ଆଶ୍ବସ୍ତ ହେଲେ ମହେଶ ଓ ଫାଲଗୁନୀ । ଇଲେକଟ୍ରିକ୍ ଖୁମ୍ବକୁ ଡେରି ପଡ଼ି ବସିଲା ଫାଲଗୁନୀ, ଶୋଇଗଲା ନିର୍ବୋଧ ଶିଶୁଟିଏ ପରି। ଗାଢ଼ ବିଶ୍ୱାସ ମଣିଷକୁ ଆତ୍ମତୃପ୍ତି ଦିଏ ମନ ଭିତରେ ସାହସ ଭରିଦିଏ। ଆଶ୍ଵସ୍ତିର ଶୀତଳ ହିମବାହ ପରି ଶୁଷ୍କ ମନଟା ଗତିଶୀଳ ହୋଇଉଠେ। ସେତିକି ଭରସା କରି ଶୋଇଗଲା ଫାଲଗୁନୀ।

ବହୁତ ବଡ଼ ଦାୟିତ୍ୱ ମହେଶ ଉପରେ। ଜଗି ରହିଲା ଫାଲଗୁନୀକୁ। ସାଥି ଦେଇଛି ଯେତେବେଳେ ରକ୍ଷଣା ବେକ୍ଷଣ କରିବାକୁ ହିଁ ହେବ !

କିଓକାର୍ପିନ ତେଲର ବାସ୍ନା ଦଳି ଚକଟି ଦେଲା ମହେଶ ର ମନ ଆଉ ହୃଦୟକୁ। ବିମୋହିତ ହୋଇ ଉଠୁଥିଲା ମହେଶ। ମଥା ଚୁଟିରେ ଚମ୍ପା ଫୁଲ, ଫାଲଗୁନୀର ଶୋଭା ବର୍ଦ୍ଧନ କରୁଥିଲା , ଯେମିତି ଇନ୍ଦ୍ରଧନୁ, ରଙ୍ଗ ବେରଙ୍ଗ ଝୁଟି ଆଙ୍କିଛି ଆକାଶରେ । ହେନା ଫୁଲ ପରି ମହକୁ ଥିଲା ଫାଲଗୁନୀ। ମହେଶର ମନ ଯାଇ ବାର ବାର ଧକ୍କା ଖାଇ ଫେରି ଆସୁଥିଲା ଫାଲଗୁନୀର ଓଠ ଉପର ତିଳ ଚିହ୍ନ ଉପରୁ । ଧିରେ ଧିରେ ଆଦିମତାର ଲହଡ଼ି ସୂତା ଖିଅ ପରି ଜନ୍ମ ନେଉଥିଲା ମହେଶର ଉଚ୍ଛୃଙ୍ଖଳ ମନ ଭିତରେ। ବିଷାକ୍ତ ରକ୍ତ ପ୍ରବାହିତ ହେଲା ଧମନିରେ। ସ୍ପର୍ଶ ବାହାନାରେ ଫାଲଗୁନୀର ପାପୁଲି ଉପରେ ଆସ୍ତେ ଆସ୍ତେ କରି ହାତ ରଖିଲା। ବିବେକର ଅଚାନକ ଭତ୍ସନାରେ ଶିଥିଳ ହୋଇଗଲା ମହେଶର ମାଂସପେଶୀ। "ଅନ୍ୟକୁ ସାହାଯ୍ୟ କରିବାର ଇଚ୍ଛାଶକ୍ତି ଭିତରେ କଣ ଛଳନା ଲୁଚି ରହିଥାଏ, ଧୋକାବାଜ୍" ! ହୃଦୟ ଭିତରେ ବାର ବାର ପ୍ରତିଧ୍ଵନିତ ହେଲା କଥାଟି। ଝଟ୍ କରି ହାତ ଉଠେଇ ଆଣିଲା। ଫାଲଗୁନୀକୁ ପଛ କରି ବସିଲା ସେ ରାତି ସାରା।

ରାତି ତିନ,

ଉଠିବ !

ମହେଶ ଆନେଇଲା ଫାଲଗୁନୀକୁ। ନିଜ ପାପକୁ ପ୍ରାୟଶ୍ଚିତ କରୁଥିଲା ମନେ ମନେ। ଏତେ ପବିତ୍ର ସମ୍ପର୍କ ଭିତରେ ସେ ଫାଲଗୁନୀକୁ ଛୁଇଁବାକୁ ସାହସ କଲା କେମିତି !

ଫାଲଗୁନୀ ବେଗ ଧରି ଉଠିବା ଦେଖି ମହେଶ ବି ଚାଲିବାକୁ ଆରମ୍ଭ କଲା ତା ସହିତ। 

ଭରସାରୁ ବିଶ୍ୱାସ ଜନ୍ମ ନେଇ ଆହୁରି ବଳବତ୍ତର କରିଦିଏ ସମ୍ପର୍କକୁ। ଅଳ୍ପ ସମୟ ହେଉ ପଛେ କାହାକୁ ବି ହୃଦୟ ଦେଇ ହୁଏ ! ଘର ଟିଏ ବନେଇ ହୁଏ ଅଜଣା ଅପରିଚିତର ମନ ଭିତରେ । ବିଶ୍ଵାସର ଏକ ବିସ୍ତୃତ ବଳୟ ଭିତରେ ପ୍ରତାରଣା ଜନ୍ମ ନେଇ ପାରେନି ଯେତେ ଚେଷ୍ଟା କଲେ ବି। ପ୍ରେମ ରୂପ ନିଏ ଅମର ପ୍ରେମର। ଫାଲଗୁନୀର ଆଉ ଭୟ ନାହିଁ । ଯେମିତି ହୃଦୟଟିଏ ଦେଇ ବସିଛି ମହେଶକୁ।


ହସି ଦେଇ କହିଲା, ଏଇ ଯୋଉ ପାହାଡ ଦେଖୁଛ ତାରି ପଛରେ ଆମ ଗାଆଁ। ମହେଶ ହସି ଦେଲା । ସିନ୍ଦୂରା ଫାଟିଲା ରକ୍ତିମ ପୂର୍ବାକାଶ। ବାଳ ସୂର୍ଯ୍ୟର ଜନ୍ମ ପାଇଁ ଅପେକ୍ଷାରତ ସାରା ପୃଥିବୀ। ଫାଲଗୁନୀର ଗାଆଁକୁ ଯାଇଥିବା ରାସ୍ତା ପାଖ ଢାବାରେ ଦୁହେଁ ବସି ଚା ପିଇଲେ। ଶାଶୁଙ୍କ ପହଞ୍ଚିବା ଦେଖି ଖୁସି ହୋଇଗଲା ଫାଲଗୁନୀ।

ପଚାରିଲା ତମର ଆଉ କେତେ ଦୂର ?

ଆଉ ଦୁଇ ରାତି ଲାଗିବ, ଗୋରଖପୁର।

ଆଶ୍ଚର୍ଯ୍ୟ ହୋଇ ଅନେ଼ଇଲା ମହେଶକୁ। ଢାବା ଭିତରକୁ ପଶିଗଲା ଫାଲଗୁନୀ। ଦୁଇ ମିନିଟ ଭିତରେ ବାହାରି ଆସି ଆସ୍ତେ କରି ପ୍ଲାଷ୍ଟିକ ଡବାଟିଏ ଧରେଇ ଦେଲା , ଯେମିତି କି ଶାଶୁ ଜାଣି ପାରିବେନି।

ମହେଶକୁ ଟା ଟା କରି ଶାଶୁ ମାଙ୍କ ସାଥିରେ ଚାଲିଲା ଫାଲଗୁନୀ।

ମହେଶ ଚାଲିଲା ତା ରାସ୍ତାରେ ଜାତୀୟ ରାଜପଥ ଉପରେ। ପଛକୁ ଅନେ଼ଇଲା ଫାଲଗୁନୀ ଅନେଇଥିଲା ତା ଆଡେ ଲାଜେଇ ଗଲା। ତା ପରେ କେହି କାହାକୁ ଆଉ ଚାହିଁ ନାହାନ୍ତି !

ସକାଳ ସାଢେ଼ ନଅ ଭୋକ ଲାଗିଲା ଫାଲଗୁନୀ ଦେଇଥିବା ଡବାଟିକୁ ଖୋଲି ଦେଖିଲା, କଣ ଅଛି ତା ଭିତରେ ।

ଛୋଟ ତେଲ ଶିଶି ସେଇ ଢ଼ାବା ର ଫୁଡ- ବିଲ କାଗଜ ଟିଏ। ବିଲ୍ ପଛ ପଟେ ଲେଖା ଥିଲା,

"ତମେ ବହୁତ ଭଲ ! ଆଗରୁ ତମ ନାଁ ପଚାରିବାର ଆବଶ୍ୟକତା ନ ଥିଲା । ଯେତେବେଳେ ଆବଶ୍ୟକତା ଅଛି ଜାଣିଲି ଶାଶୁ ଆଗରେ ଥିଲେ। ତାଙ୍କ ଆଗରେ ତମ ନାଁ ପଚାରି ପାରିଲିନି ସନ୍ଦେହ କରିଥାଆନ୍ତେ। ଆହୁରି ଦୁଇ ରାତି ଚାଲିବ ଶୁଣି କଷ୍ଟ ହେଲା। ବୋତଲ ଭିତରେ ସୋରିଷ ତେଲ ଅଛି। ରାସ୍ତାରେ ଲଗେଇବି ବୋଲି ମୁଁ ଦିଲ୍ଲୀରୁ ଆଣିଥିଲି। ପାଦରେ, ଦୁଇ ତିନି ଥର ମାଲିସ୍ କରିବ। ଥକ୍କା ମେଣ୍ଟି ଯିବ। ଦିଲ୍ଲୀ ଆସିଲେ ଆମ ଘରକୁ ଆସିବ ଚାଳିଶ ଟଙ୍କା ଫେରେଇବି !! ହଁ, ଡବା ଓ ତେଲ ବୋତଲ ଭୁଲିବନି"..ଫାଲଗୁନୀ।


କାଗଜ ଟିକୁ ପକେଟ୍ ରେ ପୂରେ଼ଇ ମହେଶ ଅନେଇଲା ପଛକୁ। ଝାପସା ଝାପସା ଦେଖା ଯାଉଥିଲା ଫାଲଗୁନୀ ଗାଆଁର ପାହାଡ। ହୃଦୟରେ ଫାଲଗୁନୀର ମିଠା ମିଠା ସ୍ପର୍ଶ । କାହିଁକି କେଜାଣି ମନଟା ଅଜାଣତରେ ଭିଜିଗଲା। 

ସାମ୍ନା ରେ ଆକାଶକୁ ଅନେଇଲା ସେ, " ସାରା ଆକାଶଟି ମୋର। ଆଉ ଭୟ ନାହିଁ ରାସ୍ତାକୁ । ସୋରିଷ ତେଲ ଲଗେଇଲେ ତ କ୍ଳାନ୍ତି ମେଣ୍ଟି ଯିବ। ସମ୍ଭବ ନୁହେଁ ଜୀବନରେ ଆଉ ଥରେ ମିଶିବି ଫାଲଗୁନୀ ସହିତ। ତେଲ ସାଥିରେ ହୃଦୟ ବି ଦେଇଛି, ତାକୁ ସାଇତି ରଖିବି ! ରାସ୍ତାରେ ବେଶି ଗପିବାକୁ ସୁଯୋଗ ପାଇ ନ ଥିଲି ଦିଲ୍ଲୀ ଠିକଣା ପଚାରି ପାରିଲିନି। ଲୋକେ କହନ୍ତି ଠିକଣା ତା ପାଖରୁ ନିଆଯାଏ ଯାହା ସହିତ କିଛି ସମ୍ପର୍କ ଥାଏ ! ସମ୍ପର୍କ ତ ନ ଥିଲା । ଏବେ ଲାଗୁଛି ଅତି ଆପଣାର ଜଣକୁ ପଛରେ ଛାଡି ଆସିଲି, ଯାହାର ଠିକଣା ମୁଁ ଜାଣିନି"। 


ଆଖିରୁ ଅମାନିଆ ଦୁଇଟୋପା ଲୁହ ବୋହି ଆସିଲା ଗାଲ ଉପର ଦେଇ। ଭାବୁଥିଲା, ପାଗଳୀ ! ବିନା ଠିକଣାରେ ଦିଲ୍ଲୀରେ କଣ କାହାକୁ ଖୋଜି ହୁଏ ।



రచనకు రేటింగ్ ఇవ్వండి
లాగిన్

Similar oriya story from Romance