ନର ପିଶାଚ
ନର ପିଶାଚ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଜଗୁ ବୁଢ଼ା ମରିବା ବର୍ଷେ ପୁରିଗଲାଣି । କିନ୍ତୁ ଗାଁ ଲୋକେ କୁହନ୍ତି ବୁଢାର ଆତ୍ମା କୁଆଡେ ବିଳମ୍ବିତ ରାତ୍ରିରେ ଗାଁ ରେ ପିଶାଚ ହୋଇ ବୁଲୁଛି । ପିଶାଚ ହାବୁଡ଼ରେ ପଡିଲେ ସେ ବେକ ମୋଡ଼ିଦେଇ ରକ୍ତ ଶୋଷିଦେଉଛି । ଆଉ ଦୂରରୁ ଦେଖିଦେଲେ ଲୋକ ଭେଟଣା ହୋଇ ମରି ଯାଉଛି । ଏମିତି କିଛି ଘଟଣା କୁଆଡେ ଗାଁ ରେ ଘଟି ସାରିଲାଣି । ନିହାତି ଦରକାର ନ ପଡିଲେ ସନ୍ଧ୍ୟା ପରେ ସମସ୍ତଙ୍କର ତାଟି କବାଟ ବନ୍ଦ ।
ସହର ଠାରୁ ବହୁତ ଦୂରରେ ପାହାଡ଼ର ତଳ ଦେଶରେ ଅବସ୍ଥିତ ଏହି ଗାଁ ର ସରଳ ଲୋକମାନେ ସହରୀ ସଭ୍ୟତାର ଚାକଚକ୍ୟ ଆଉ ଶିକ୍ଷିତ ମଣିଷଙ୍କର ଛନ୍ଦ କପଟ ଠାରୁ ବହୁତ ଉର୍ଦ୍ଧ୍ବରେ । ଏମିତି ବହୁତ ଦିନ ଚାଲିଲା ପରେ ଗାଁ ଲୋକମାନେ ବିଚାରବିମର୍ଷ କରି ଡକେଇଲେ ଏକ ତାନ୍ତ୍ରିକକୁ । ତାନ୍ତ୍ରିକ ଗାଁର ଦୁଇ ମୁଣ୍ଡରେ ପୂଜାପାଠ କରିସାରି କହିଲା ମୁଁ ଗାଁକୁ ମୋ ମନ୍ତ୍ର ଦ୍ୱାରା କିଲେଇ ଦେଇଛି । ଆଉ କିଛି ଅସୁବିଧା ନାହିଁ । ତା ପରେ ଗାଁର ମୁରବୀଙ୍କୁ ଡାକି କହିଲା ଗାଁ ମୁଣ୍ଡରେ ଥିବା ତେନ୍ତୁଳି ଗଛଟାକୁ କାଟିଦିଅ । ତେନ୍ତୁଳି ଗଛ ହେଉଛି ଅତୃପ୍ତ ଆତ୍ମା, ପିଶାଚ ଆଉ ଡାହାଣୀ ଚିରୁଗୁଣୀ ମାନଙ୍କର ବାସସ୍ଥାନ । ତା’ ପରେ ତାନ୍ତ୍ରିକ ଗାଁ ଲୋକଙ୍କ ଠାରୁ ମୋଟା ଅଙ୍କର ପାଉଣା ଧରି ବିଦାୟ ନେଲା । ତାନ୍ତ୍ରିକର କଥା ମାନି ଗାଁ ଲୋକେ କୋଉ ପୁରୁଣା ଅମଳର ବିରାଟ ତେନ୍ତୁଳି ଗଛଟାକୁ କାଟିଦେଲେ । ତଥାପି ତା ପରେ ଯାହାକୁ ସେଇଆ । ଜଗୁବୁଢ଼ାର ଆତ୍ମା କେତେବେଳେ କାହା ଖଳାବାଡିରେ ତ କେତେବେଳେ କାହା ଘର ପଛପଟେ ବୁଲୁଥିବାର ଲୋକେ ଅନୁଭବ କଲେ । ପୂର୍ବ ରାତ୍ରିରେ କିଏ କେତେବେଳେ ପିଶାଚକୁ କୋଉଠି ବୁଲୁଥିବାର ଅନୁଭବ କରିଛି ସେଇଟା ଥିଲା ଗାଁ ଲୋକଙ୍କର ସକାଳର ଚର୍ଚ୍ଚାର ବିଷୟବସ୍ତୁ ।
ଗାଁର ଶେଷ ମୁଣ୍ଡ ଆଡକୁ ଜଗୁବୁଢ଼ାର ଘର । ପୁଅ ହରିଆ ବାହାଘରର ସାତ ଦିନ ପରେ ଅଷ୍ଟମଙ୍ଗଳା ଦିନ ଜଗୁବୁଢ଼ା ମରିଗଲା । ଗାଁ ଲୋକେ କହିଲେ ପୁଅ ଜିଦ କରି ଅଲଗା ଜାତିର ଝିଅକୁ ବାହାହେଲା ବୋଲି ବୁଢା ଚିନ୍ତା ଆଉ ଅଶାନ୍ତିରେ ମରିଗଲା । ସେଥିପାଇଁ ତା ଆତ୍ମା ଅଶାନ୍ତ ହୋଇ ବୁଲୁଛି ।
ତିରିଶ ବର୍ଷର ଭେଣ୍ଡିଆ ପିଲାଟା ହରିଆ । ଏ ସବୁ କାଣ୍ଡ କାରଖାନା ଘଟିଲା ଦିନଠାରୁ ସେ ସବୁ କାମ ଧନ୍ଦା ସାରି ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସୁଛି । ତାର ଏ ସବୁରେ ବିଶ୍ୱାସ ନାହିଁ । କିନ୍ତ ତା’ ସ୍ତ୍ରୀ ରମା ବହୁତ ଡରକୁରୀ । ସନ୍ଧ୍ୟା ପରେ
ସେ ଆଉ ଘରୁ ବାରଣ୍ଡାକୁ ବି ବାହାରୁନି । ଜଲଦି ଖାଇବା ପିଇବା କାମ ସାରିଦେଇ ଶୋଇପଡନ୍ତି ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ । ହରିଆ ଦିନ ଯାକ ଖଟି ଖଟି ହାଲିଆ ହୋଇ ଶୋଇପଡେ ଜୋର ନିଦରେ । କାଉର କା’ ଡାକରେ ନିଦ ଭାଙ୍ଗେ ତାର ।
ଦିନେ ରାତି ଅଧରେ ନିଦ ଭାଙ୍ଗିଗଲା ହରିଆର । ଦେଖିଲା ବିଛଣାରେ ରମା ନାହିଁ । କୁଆଡେ ଗଲା ରମା ! ସନ୍ଧ୍ୟା ପରେ ବାରଣ୍ଡାରେ ପାଦ ରଖୁନଥିବା ରମା ରାତି ଅଧରେ କୁଆଡେ ଗଲା ? ଭୂତ ପିଶାଚରେ ବିଶ୍ୱାସ ନଥିବା ହରିଆର ମନଟା ବି ଟିକେ ଦବିଗଲା । ଡରଡର ଲାଗିଲା ତାକୁ । ଧୀରେ ଧୀରେ ଝର୍କା ଖୋଲି ବାହାରକୁ ଚାହୁଁଚାହୁଁ ଧଡ୍ କରି ଚମକି ପଡିଲା ହରିଆ । ଛାତିଟା ଦାଉଁକିନା ହେଲା ତାର । ଡରକୁରୀ ରମାର ପିଶାଚ ସହ ରାତି ଅଧରେ ବାର୍ତ୍ତାଳାପ ଦେଖି ସେ ସ୍ୱପ୍ନ ରେ ଅଛି ନା ବାସ୍ତବରେ ଅଛି ଜାଣି ପାରିଲାନି ହଠାତ । ଜଡ଼ ପାଲଟି ଗଲାଣି ତା ଦେହ । ପିଶାଚ ସହ ପୁଣି ଆଲିଙ୍ଗନ ଆଉ ଚୁମ୍ବନ..! ଆରେ ଏ ତ ଆର ସାହିର କଣ୍ଟ୍ରାକ୍ଟର ବାବୁ । ମଝିରେ ଆସନ୍ତି ତାଙ୍କ ଘରକୁ । ବୁଝିବାକୁ ଆଉ କିଛି ବାକି ରହିଲାନି ହରିଆର ।
ଘର ଭିତରୁ ପଦାକୁ ବାହାରି ଆସିଲା ହରିଆ । ହରିଆକୁ ଦେଖି ଦୌଡ଼ି ଯାଇ ଉଭାନ ହୋଇଗଲା ପିଶାଚ ରାତ୍ରିର କାଳି ମା’ ଭିତରେ । ଏବେ ରମା ସାମ୍ନାରେ ଉଭା ହୋଇଥିଲା ନର ପିଶାଚ । ହରିଆର ଏମିତି ଭୟଙ୍କର ମୂର୍ତ୍ତି ସେ ଆଗରୁ ଦେଖି ନଥିଲା କେବେ । ହରିଆର ଆଖି ଦୁଇଟା ନିଆଁ ପରି ଜଳୁଛି ଯେମିତି । ଦେହର ମାଂସପେଶୀ ଧୀରେ ଧୀରେ ଶକ୍ତ ହୋଇଯାଉଛି ତାର । ନିଃଶ୍ବାସର ଗତି ଦ୍ରୁତ ବେଗରେ ଚାଲିଛି । ନିଜର ଟାଣୁଆ ହାତରେ ସେ ଧରିଲା ରମାର ବେକକୁ । ଆଗପଛ ନଭାବି କୁକୁଡ଼ା ମୋଡ଼ିଲା ପରି ମୋଡ଼ି ଦେଲା ବେକକୁ ତାର । ବିନା ଶବ୍ଦରେ ଟଳି ପଡିଲା ରମା । ଅନ୍ଧାର ଭିତରେ କୁଆଡେ ଉଭେଇ ଗଲା ହରିଆ ଧିରେ ଧିରେ ।
ରାତି ପାହିଲା ବେଳକୁ ହରିଆର ଘର ଆଗରେ ଲୋକ ରୁଣ୍ଡ ହୋଇଗଲେ । କେହି କେହି କହୁଥିଲେ ଜଗୁବୁଢ଼ା ତା’ ବୋହୁ ଉପରେ ଅଶାନ୍ତି ଥିଲା । ଶାନ୍ତିରେ ମରିପାରି ନଥିଲା ସିଏ । ସେଥିପାଇଁ ବୋହୂର ବେକ ମୋଡି ରକ୍ତ ପିଇଗଲା । ଆଉ ଏ ଗାଁକୁ ଆସିବନି ସିଏ । ସତକୁ ସତ ସେହି ଦିନଠାରୁ ପିଶାଚକୁ ଆଉ କେହି ଗାଁ ଲୋକ ଦେଖିବାକୁ ପାଇ ନାହାନ୍ତି । ହରିଆ କୁଆଡେ ଗଲା ତାହା ଆଜି ବି ଗାଁ ଲୋକଙ୍କ ପାଖରେ ଏକ ରହସ୍ୟ ।