Rabinarayan Senapati

Romance Tragedy

4.0  

Rabinarayan Senapati

Romance Tragedy

ନିଷିଦ୍ଧ କାହାଣୀ

ନିଷିଦ୍ଧ କାହାଣୀ

6 mins
462



ମୁଁ କଳାହାଣ୍ଡି ଜିଲ୍ଲା ସଦର ମହକୁମାରେ କାମ କରୁଥାଏ, ଭେଷଜ ବିଶେଷଜ୍ଞ। ନୂଆକରି ଜଣେ ଜିଲ୍ଲାପାଳ ଯୋଗ ଦେଇଥାନ୍ତି ସୋମନାଥ ଦାସ, ପଦୋନ୍ନତି ପାଇ ଭରତୀୟ ପ୍ରଶାସନିକ ସେବାକୁ ଯିବା ପରେ ଏହା ତାଙ୍କର ପ୍ରଥମ ନିଯୁକ୍ତି। ମଧ୍ୟବୟସ୍କ ସେ। ବହୁତ ଶୀଘ୍ର ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇଥାନ୍ତି। ସବୁଦିନ କିଛିନା କିଛି ଖବର ଆସୁଥାଏ; ଜିଲ୍ଲାପାଳ ଏଇଆ କଲେ ସେଇଆ କଲେ, ସବୁ ଭଲକାମ। ଲାଗୁଥାଏ ଜିଲ୍ଲା ଅନେକ ଉନ୍ନତି କରିବ। ସବୁଆଡେ ତାଙ୍କର ଚର୍ଚ୍ଚା। ତାଙ୍କ ଲୋକପ୍ରିୟତା ଦେଖି ନେତାମାନେ ବାଧ୍ୟହୋଇ ତାଙ୍କର ପ୍ରଶଂସା କରିବାରେ ଶତମୂଖ ହୋଇଯାଇଥାନ୍ତି। 


ସୋମନାଥ ବାବୁ ଅକୃତଦାରା। ଲୋକେ କହୁଥାନ୍ତି, ପରିବାର ନାହିଁ ତ କାହିଁକି ଲୋଭ କରିବେ। ବହୁତ ଅନୁଷ୍ଠାନକୁ ବ୍ୟକ୍ତିଗତ ଭାବେ ସାହାଯ୍ୟ କରୁଥାନ୍ତି। ମନେ ହେଉଥାଏ କଳାହାଣ୍ଡି ସମସ୍ତ ଜିଲ୍ଲାକୁ ଆଗେଇ ଯିବ।


ହଠାତ୍ ଦିନେ ଆଶ୍ଚର୍ଯ୍ୟକର ଭାବେ ସେ ନିଜେ ଆସି ମୋତେ ନିମନ୍ତ୍ରଣ କଲେ ତାଙ୍କ ବାସଭବନକୁ, ଦିବାହାର ପାଇଁ ଆଗାମୀ ରବିବାରକୁ। ଜିଲ୍ଲା ଚିକିତ୍ସାଧିକାରୀଙ୍କୁ କହି ସେଦିନ ମୋ ପାଇଁ ଛୁଟି ବ୍ୟବସ୍ଥା କରିଦେଲେ। ଚିହ୍ନା ଜଣା ନାହିଁ ଏତେ ଡାକ୍ତରଙ୍କ ମଧ୍ୟରେ ମୋତେ କାହିଁକି ଡାକିଲେ! ମୁଁ ଆଶ୍ଚର୍ଯ୍ୟ ହେଲି କମ, ଉତଫୁଲିତ ହେଲି ବେଶି। ମୋ ପରିବାର ଠାରୁ ଦୂରରେ ରହୁଥାଏ , ମୁଁ ବି ଏକୁଟିଆ। ଖାଇବା ପିଇବାରେ ବଡ ଅସୁବିଧା। ଓଳିଏ ତ ରାଜାଘର ଖାନା ମିଳିବ, ବଢିଆ। ସହକର୍ମୀ, ଉପରିସ୍ଥ ଓ କନିଷ୍ଠ କର୍ମଚାରୀମାନେ ଆଲୋଚନା କଲେ, ଗୁଣ ଚିହ୍ନେ ଗୁଣିଆ। ମୁଁ କୁଆଡେ ବିବାହିତ ଠେଙ୍ଗୁଆ ଭାବେ ଦିନରାତି ଖଟୁଥିବାରୁ ଜିଲ୍ଲାପାଳ ମୋତେ ପୁରସ୍କୃତ କଲେ। ମୋ ମନଟି ମୋଟ ହୋଇଗଲା। 


ଜିଲ୍ଲାପାଳ, ମନେହେଲା ତାଙ୍କ ସେଦିନର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଛୁଟିରେ ଥାଆନ୍ତି। ଅନ୍ୟ କେହି ଅତିଥି ନଥାନ୍ତି। କେତେଜଣ ସହାୟକ ଅବଶ୍ୟ ଥାଆନ୍ତି, ଯେଉଁମାନେ ଶୀଘ୍ର ଚାଲିଗଲେ ନିଜ ନିଜର କାମ ସାରି। ରହିଲେ କେବଳ ଜଣେ। ସେ ବେଶ୍ ଚଇନି ଚିକ୍କଣ ପୋଷାକ ପିନ୍ଧିଥାନ୍ତି। ଜିଲ୍ଲାପାଳ ତାଙ୍କୁ ବସନ୍ତ ନାମରେ ଡାକିଲେ। ସେ ଆସି ଠିଆହେଲେ।


 -ଏ ମୋର ଦୀର୍ଘ ବର୍ଷର ସାଥୀ। ମୋ ଭଳି ଏକୁଟିଆ। ଏମିତି ସାଥିରେ ରହିଛୁ। ବସ ବସନ୍ତ, ଏଇଠି ବସ। 

 ବସନ୍ତ ସବୁଆଡେ ଅନାଇଲେ, କେଉଁଠି କେହି ନଥାନ୍ତି। ଜିଲ୍ଲାପାଳଙ୍କ ସୋଫାରେ ବସିପଡିଲେ। ମୁଁ ଏକକ ସୋଫାରେ ବସିଥାଏ। ତାଙ୍କ ସାଥୀ ଜାଣିବା ସତ୍ତ୍ୱେ ମୋତେ କାହିଁକି ସେ ଦୃଶ୍ୟ ଗ୍ରହଣୀୟ ହେଲା ନାହିଁ। କିଛି ସମୟ ଜିଲ୍ଲାପାଳ ମୋର ପ୍ରଶଂସା କଲେ, ମୁଁ ମାପିଚୁପିକି ତାଙ୍କର କିଛିଟା ପ୍ରଶଂସା କଲି। କହିଲି, ଆପଣ ବର୍ଷ ଚାରିଟି ଏଠାରେ ରହିଗଲେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ହୋଇଯିବ। ସେ ଆପ୍ୟାୟିତ ହେଲାଭଳି ଜଣା ପଡିଲାନି। ମନେହେଲା ସେ ସ୍ଥିତପ୍ରଜ୍ଞ। 


ସେ କହିଲେ। -କାମ କରିବା ନାହିଁ ତ କରିବା କଣ? ବହୁତ ଚେଷ୍ଟା କରିଥିଲି ଆଇଏଏସ ହେବାପାଇଁ। ସଫଳ ହୋଇପାରିଲି ନାହିଁ। ଆଜି ଓଏସରୁ ପଦୋନ୍ନତି ପାଇ ଯଦି ସୁଯୋଗ ପାଇଲି ତାହାକୁ କାମରେ ଲଗାଇବା ଉଚିତ। ନିଜ ମନରେ ଏକ ସନ୍ତୋଷ ଆସିବ, ଯଦି ଯୁବକାଳରେ ଏ ପଦବୀ ପାଇଥାନ୍ତି ଅନେକ କିଛି କରି ହୋଇଥାନ୍ତା।

ବସନ୍ତବାବୁ ବଢାବଢି ଆରମ୍ଭ କରିଦେଇଥିଲେ। ଜଣା ପଡୁଥିଲା ସେ ତହିଁରେ ଅଭ୍ୟସ୍ତ। ବଡ ଆଦରରେ ସଜେଇ ସଜେଇ ବାଢୁଥାନ୍ତି ସେ। ଆମେ ଦୁହେଁ ଖାଇବସିଲୁ ସେ ବଳେଇ ବଳେଇ ପରସିବାରେ ବ୍ୟସ୍ତ ରହିଲେ। ତାଙ୍କୁ ଏହା ସୁଖ ଦେଉଥିବା ଭଳି ମନେହେଲା।

ଆମେ ଖାଇସାରିବା ପରେ ବସନ୍ତବାବୁ ଟେବୁଲ ସଫାକଲେ ଓ ଏହାର କିଛି ସମୟ ପରେ ନିଜପାଇଁ ବଢାବଢି କଲେ।


ମୁଁ ଭାବିଲି ଏବେ ଅବ୍ୟାହତି ମିଳିବ କିନ୍ତୁ ଜିଲ୍ଲାପାଳ ଗପିଚାଲିଲେ। ଜିଲ୍ଲା ବାବଦରେ ତାଙ୍କ ଆଭିମୁଖ୍ୟ, ଏବେ ଚାଲିଥିବା କାର୍ଯ୍ୟକ୍ରମ ଓ ଆହୁରି କେତେକଣ। ବଡ ଝାମେଲାରେ ପଡିଲା ମଣିଷ। ଅମନଯୋଗୀ ହୋଇପଡୁଥାଏ। ବିରକ୍ତ ଭାବକୁ ଲୁଚାଇବା କଷ୍ଟକର ହେଉଥାଏ। ଆଜି ରବିବାର ଟଙ୍କା ରୋଜଗାରର ଗୋଟିଏ ଦିନ ମୋ ପାଇଁ। ଆନ୍ୟଦିନେ ମୁଁ ଘରୋଇ ଚିକିତ୍ସା କରୁନଥାଏ। ଗୋଟେ ଝାମେଲାରେ ପଡିଲା ମଣିଷ। 

ଶେଷରେ ମୁଁହ ଖୋଲି କହିଲି, -ସାର, ବିଭିନ୍ନ କାମ ଅଛି, ମୋତେ ଏବେ ବିଦାୟ ଦିଅନ୍ତୁ।


ଜିଲ୍ଲାପାଳ ଆଦୌ ବିରକ୍ତ ହେଲେ ନାହିଁ। କହିଲେ ଯେ ସେ ବୁଝୁଛନ୍ତି ହେଲେ କଥା ବହୁତ ଅଛି ଯାହା ସେ ଆରମ୍ଭ କରିନାହାଁନ୍ତି।

- ଡାକ୍ତରବାବୁ! ଜୀବନରେ କିଛି ଅକୁହା କଥା ଅଛି, ସେତକ ଆପଣଙ୍କୁ କହିବାକୁ ଡାକିଛି। ଜଣେ ଡାକ୍ତର ହିଁ ସେ କଥା ବୁଝି ପାରିବେ। ତା ଛଡା ମୋ ସହ ଆପଣଙ୍କ ପରିଚିତି ଅନେକ ଦିନର। ମନେ ଅଛି କେହିଜଣେ ଉପୁଲ୍ ଭାଇ ଆପଣଙ୍କର ପରିଚିତ ଥିଲେ, ସ୍କୁଲ ବେଳେ।


ମୁଁ ହଁ କିମ୍ବା ନା କହିଲି ନାହିଁ। କେମିତି ଭୁଲିବି ଉପୁଲ୍ ଭାଇଙ୍କୁ।

ସବୁ ମନେପଡିଗଲା। 

ଉପୁଲ୍ ଭାଇଙ୍କ ସହ ସମ୍ପର୍କ ହୁଏ ଏକ ବସରେ। ବାରିପଦା କଟକ ବସରେ ମୁଁ ଉଠିଲି ପାଣିକୋଇଲିରେ। ବର୍ଷା ଜୋରରେ ହେଉଥାଏ, ମୋ ଛତାଟି ଓଦା ସୁଡୁବୁଡୁ। ଦୁଇଜଣିଆ ସିଟରେ ଜଣେ ଯୁବକଙ୍କ ପାଖରେ ବସିଲି। ଛତାଟିକୁ ଲଗେଜ ଯାଗାରେ ରଖିବା ବେଳେ ତାଙ୍କ ଉପରେ ପାଣି ପଡିଗଲା। ସେ ରୁମାଲ ଖୋଲି ପୋଛିଲେ। ମୁଁ ଡରିଗଲି, ଏ ଲମ୍ବାପେଣ୍ଟ ପିନ୍ଧା କଲେଜପିଲା ମୋ ଭଳି ହାଫପେଣ୍ଟ ପିନ୍ଧା ସ୍କୁଲ ପିଲାକୁ ନିଶ୍ଚିତ ଗାଳି କରିବେ।


ଚମତ୍କାର ଯୁବକ, ଗାଳି କରିବା ବଦଳରେ ସେ ସବାସୀ ଦେଲାଭଳି କହିଲେ, -ଆଜିର ତାରିଖରେ ଛତା ଧରି ଯିବା ଆସିବା ଛାତ୍ର କମ। ଏହାକାଳେ ପୁରୁଣା କାଳିଆ ଚଳନି। 

ସେ ଛତାକୁ ନେଇ କେତେକ ଗପ କହିଲେ। ସେସବୁ ଆଉ ମନେ ନାହିଁ। ତେବେ, ଗୋଟିଏ ଗଳ୍ପ ଉଇନଷ୍ଟନ ଚର୍ଚ୍ଚିଲ ଓ ଛତାକୁ ନେଇ। ସେଇଟା ବି ଆଉ ମନେ ନାହିଁ। କଟକ ପହଞ୍ଚିଲା ପର୍ଯ୍ୟନ୍ତ ସେ ଗପ ମାଧ୍ୟମରେ ମୋତେ ସମ୍ମୋହିତ କରି ରଖିଲେ। ସେ ତାଙ୍କ ନାମଟି ଉପୁଲ୍ ବୋଲି କହିଲେ। ସେତେବେଳେ ସେ ଆଇଏଏସ ପାଇଁ ପ୍ରସ୍ତୁତି କରୁଥାନ୍ତି। ତେଣୁ ସାଧାରଣ ଜ୍ଞାନ ଓ ଅନେକ ସମସ୍ୟା ତାଙ୍କ ମୁଣ୍ଡରେ ବସା ବାନ୍ଧିଥାଏ। ଏମିତି ଜ୍ଞାନୀ ଯୁବକ କାହିଁ କେଉଁଠି ମୁଁ ଦେଖିନଥିଲି ସେପର୍ଯ୍ୟନ୍ତ। ତାଙ୍କ ଗନ୍ତବ୍ୟ ଭୁବନେଶ୍ୱର ହୋଇଥିଲେ ମଧ୍ୟ ସେ କଟକରେ ଓହ୍ଲାଇ ପଡିଲେ। ତାଙ୍କ ଭାଇ ଭାଉଜ ଉଭୟ ରେଭେନ୍ସା କଲେଜରେ ଅଧ୍ୟାପକ। ଗାଆଁରୁ ପରିବା ଆଣିଛନ୍ତି ସେଠାରେ ଦେଇକି ଯିବେ। ଆମେ ଓହ୍ଲାଇଲୁ। ମୋତେ ସେ ନିମନ୍ତ୍ରଣ ଜଣାଇଲେ ତାଙ୍କ ସହ ଯିବାକୁ। ମୁଁ ତାଙ୍କ କଥାରେ ଏତେ ପ୍ରଭାବିତ ହୋଇଯାଇଥାଏ ଯେ ମନାକରିପାରିଲି ନାହିଁ।


ତାଙ୍କ ଘରେ ପହଞ୍ଚି ନାମଫଳକ ଦେଖି ଖୁସି ହେଲି। ମୁଁ ଯଦିଓ ବୟେଜ୍ ସ୍କୁଲରେ ପଢୁଥିଲି, ତଥାପି ଜାଣିଥିଲି ତାଙ୍କ ଝିଅ ସ୍ଥାନୀୟ ଗାର୍ଲ୍ସ ସ୍କୁଲର ଏକ ନମ୍ବର ଛାତ୍ରୀ। ନାନାଦି ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ବେଳେ ଭେଟ ହୋଇଥିଲେ ମଧ୍ୟ କେବେ କଥା ହୋଇନଥିଲି। ଆଜି ତାଙ୍କରି ଘରକୁ ମୁଁ ଆସିଛି! 


ସେ ଘରେ ଥାଇ ବି ଦେଖା କଲା ନାହିଁ। ତାଙ୍କ ଭାଉଜଙ୍କ ଆତିଥେୟତା ବି ଆଦୌ ଜଣେ ଶିକ୍ଷିତା ଅଧ୍ୟାପିକାଙ୍କ ଭଳି ମନେହେଲା ନାହିଁ। ଯେମିତି ମୁଁ ଗୋଟେ ବିପଦ ହୋଇ ଆସିଛି। କଷ୍ଟେମଷ୍ଟେ ଦିବାହାର କଲି। ଉପୁଲ୍ ଭାଇ ବୋଧହୁଏ ମୋ ମନୋଭାବ ବୁଝିପାରିଲେ। ସେ ମୋତେ ରିକ୍ସାରେ ଆମ ଛାତ୍ରାବାସରେ ଛାଡିଆସିଲେ। ତାଙ୍କ ସହ ସେଦିନର ସେ ସମୟରେ ମତେ ଲାଗିଥିଲା ଉପୁଲ୍ ଭାଇ ଆଇଏଏସ ଓ ମୁଁ ବି ପରେ ତାଙ୍କ ପଥ ଅନୁସରଣ କରିବି।

ଅନେକ ଦିନପରେ ଥରେ ହଠାତ୍ ଭାବିଥିଲି ତାଙ୍କ ଭାଉଜ କର୍ମଜୀବି, ସେ ପୁରୁଣା ସମୟରେ ବଢିଲା ଝିଅର ମାଆ ଓ ମୁଁ ତାଙ୍କ ପାଇଁ ଅଜଣା, ଅଡକରା ଓ ଅତର୍ଛିଆ କିଶୋର ଅତିଥି। ଏଣୁ ମନେ ହୋଇଥିଲା ତାଙ୍କ ଭାଉଜଙ୍କ ବ୍ୟବହାର ଥିଲା ସ୍ବଭାବିକ।

ଏହାପରେ ଉପୁଲ୍ ଭାଇ ବିନାକାରଣରେ କେତେଥର ଆମ ଛାତ୍ରାବାସକୁ ଆସିଛନ୍ତି, ଆମପାଇଁ ସେବେଳେ ଅନନ୍ୟ ଲମ୍ବା ଲମ୍ବା ଚକୋଲେଟ୍ ଧରି।

ମୋର ଠିକ୍ ମନେଅଛି, ମୁଁ ବଡପିଲା ହୋଇଗଲା ପରେ ତାଙ୍କ ସହ ଦେଖାକରିବାକୁ ମୋତେ ଆଦୌ ଭଲଲାଗିଲା ନାହିଁ। ସେ ବି ଆଉ ଆସିଲେ ନାହିଁ।

ମୁଁ ଆଉଥରେ ଜିଲ୍ଲାପାଳଙ୍କ ଆଡକୁ ଅନାଇଲି। ଏ ତ ଉପୁଲ୍ ଭାଇ! ମନଟି ଖୁସି ହୋଇଗଲା।


- ବୁଝିଲେ ଡାକ୍ତରବାବୁ, ଆପଣ ମୋତେ ଖରାପ ମଣିଷଟେ ବୋଲି ଭାବିବେ ନାହିଁ। କିନ୍ତୁ ବାସ୍ତବରେ ମୁଁ ଏକ ଭିନ୍ନ ମଣିଷ। ଜୀବନରେ କେବେ କୌଣସି ଝିଅପ୍ରତି ମୋର ଆକର୍ଷଣ ଆସିନାହିଁ। ଘର ସଂସାର କରିପାରିଲି ନାହିଁ। ମୋ ମନ ହୁଏତ ଚାପଗ୍ରସ୍ତ ନରହିଥିଲେ ମୁଁ ଆଇଏଏସ ପାଇଯାଇଥାନ୍ତି। ଯୁବକ ଥିଲି, ଆପଣ ଖୁବ୍ ସୁନ୍ଦର ଦିଶୁଥିଲେ। ମୁଁ ଆପଣଙ୍କ ପ୍ରତି ଆକର୍ଷିତ ହୋଇପଡିଥିଲି। ତେବେ ବିଶ୍ୱାସ କରନ୍ତୁ ସେ ଭାବନାରେ ସେମିତି କିଛି ମାରାତ୍ମକ ଦିଗ ନଥିଲା। ମୁଁ ଯେବେ ବୁଝିଲି, ମୋ ଅନୁସାରେ ଦୁନିଆ ବଦଳିବ ନାହିଁ ଏବଂ ମୋ ପାଇଁ ଆପଣ ଅପ୍ରୀତିକର ପରିସ୍ଥିତିରେ ପଡିବେ ଆପଣଙ୍କ ସାଙ୍ଗସାଥୀ ଗହଣରେ, ମୁଁ ନିଜକୁ ଧିକ୍କାର କଲି ଓ ଦୂରେଇଗଲି।


ସ୍ଥିର କରିନେଲି ବ୍ୟକ୍ତିଗତ ଦୋଷଗୁଣ ବା ଆକର୍ଷଣ ମୋର ସାମାଜିକ ଜୀବନରେ ବ୍ୟାଘାତ ନକରୁ। ଖୁବ୍ ସତର୍କ ହୋଇ ଚଳିଲି। ନିସଙ୍ଗ କିନ୍ତୁ ଉପାଦେୟ ଜୀବନ। ସମସ୍ତଙ୍କ ଆଦର ଓ ପ୍ରଶଂସା ମୋ ମନର ହାହାକାରକୁ ଅନେକାଂଶରେ ପ୍ରଶମିତ କରୁଥାଏ।

ଦେଖନ୍ତୁ ଡାକ୍ତରବାବୁ, ମଣିଷ ମୁଖ୍ୟତଃ ଏକ ସାମାଜିକ ପ୍ରାଣୀ। ବ୍ୟକ୍ତି ଜୀବନକୁ ଜଳାଞ୍ଜଳି ଦେଲେ ମଧ୍ୟ ମଣିଷ ସୁଖରେ ରହିପାରିବ। ଚାକିରି ଜୀବନର ପ୍ରଥମ ପାଞ୍ଚବର୍ଷ ସେମିତି କାଟିଲି। ପରିବାରୀ ଲୋକଭଳି ମୋ ମନରେ ଭୟ ନଥାଏ। ଭୟ କାହିଁକି କରିବି? ଈଶ୍ବରଙ୍କ ଏକ ଅଜବ ସୃଷ୍ଟି ମୁଁ ଓ ମୋ ଭଳି କିଛି ମଣିଷ। ଯେତେବେଳେ ଅଭିଯୋଗ ଓ ଲେଣଦେଣ ସିଧାସଳଖ ଈଶ୍ବରଙ୍କ ସହ ସେତେବେଳେ ମଣିଷମାନେ ଭୟ ସୃଷ୍ଟି କରିପାରିବେ ନାହିଁ। ଏହା ହିଁ ଜଣେ ଅଧିକାରୀ ହିସାବରେ ମୋ ସଫଳତାର କାହାଣୀ।


କ୍ରମେ ମୋ ଭଳି ଲୋକ କିଛିଙ୍କ ସହ ପରିଚିତ ହେଲି। ହେଲେ, କୌଣସି ସମୟରେ ନିଜର ପଦ ମର୍ଯ୍ୟାଦାକୁ ଭୁଲି ନାହିଁ ବା ନିଜର ସାମାଜିକ ଉପାଦେୟତାରେ ବ୍ୟକ୍ତିଗତ ଜୀବନକୁ ବାଧା ଦେବାକୁ ଦେଇ ନାହିଁ।

ଏ ବସନ୍ତବାବୁ କେମିତି ମୋ ଜୀବନକୁ ଆସିଲେ ସେ ଏକ ଅନ୍ୟ କାହାଣୀ। ସୃଷ୍ଟି ବଡ ବିଚିତ୍ର, ମୋ ଭିନ୍ନତା ଓ ତାଙ୍କ ଭିନ୍ନତା ଏମିତି ଯେ ଆମେ ଦୁହେଁ ପରସ୍ପର ପରିପୁରକ ଭାବେ ଚଳୁଛୁ। ବେଶ୍ ଖୁସିରେ ଓ ଭଲପାଇବା ମଧ୍ୟରେ ଅଛୁ। ବଡ ସଜାଗ ମଧ୍ୟ ଅଛୁ ଯେମିତି ସାଧାରଣରେ ଏକଥା ଆଲୋଚିତ ନହୁଏ। ଏହା ମଧ୍ୟରେ ଅନେକ ବର୍ଷ କଟିଗଲାଣି।


ତେବେ ଡାକ୍ତରବାବୁ ମୁଁ ଜାଣିଲି ଆପଣ ଏଇଠି ରହୁଛନ୍ତି। ଆପଣଙ୍କ ପ୍ରତି ମୋ ବ୍ୟବହାର ବାବଦରେ ସାରାଜୀବନ ମୁଁ ଲଜ୍ଜିତ ଥିଲି। ଇଛା ହେଲା କ୍ଷମା ମାଗିବାକୁ, ଇଛାହେଲା ସ୍ପଷ୍ଟୀକରଣ ଦେବାକୁ। ଆପଣ ତ ବସନ୍ତବାବୁ ନୁହନ୍ତି, ଅତୟବ୍ ଆପଣଙ୍କ ପ୍ରତି ଶ୍ରଦ୍ଧା ଭାବନା, ବିଶେଷ ପ୍ରକାର ଶ୍ରଦ୍ଧା ଭାବନା ଅନୁଚିତ ଥିଲା। ଅବଶ୍ୟ ଆପଣ ସେମିତି କିଛି ଖରାପ ଭାବିବାର କାରଣ ନଥିଲା। ଆପଣଙ୍କୁ ଘରକୁ ଡାକି ଏକଥା କହିବାର ଅନ୍ୟ ଏକ କାରଣ ହେଲା, ଡାକ୍ତରମାନେ ଆମ୍ଭମାନଙ୍କ ଭଳି ଲୋକଙ୍କ ମନକଥା ନବୁଝିପାରି ବଡ କଷ୍ଟ ଦେଇଥାନ୍ତି। ଆଶାକଲି ଆପଣଙ୍କୁ ଏତିକି କହିବା ମୋର ଏକ କର୍ତ୍ତବ୍ୟ।


ଓଃ ଉପୁଲ୍ ଭାଇ, ସେ ଆଉଯାହା ହେଉନା କାହିଁକି, ଆପଣ ମୋ ମନରେ ଆଇଏଏସ ହେବାର ଏକ ଉତ୍ସାହ ତିଆରି କରିଥିଲେ କିନ୍ତୁ ମୋର ଡାକ୍ତର ହେବାର ବରାଦ ଥିଲା। କଣ ଆଉ କରିବା। ଆପଣ ଏମିତି ଜନସେବା କରୁଥାନ୍ତୁ।

ବସନ୍ତବାବୁ ନିଜେ ଗାଡି ଚଲାଇ ମୋତେ ଆଣି ଘରେ ଛାଡିଦେଲେ। ବାଟରେ କେବଳ ଜିଲ୍ଲାପାଳଙ୍କ ପ୍ରଶସ୍ତି ଗାନ କରୁଥିଲେ। 

ମୁଁ ନିଜକୁ ନିୟନ୍ତ୍ରିତ କରିନପାରି ପଚାରିଦେଲି, -ବସନ୍ତବାବୁ ଆପଣ ସତରେ ଖୁସିରେ ଅଛନ୍ତି?


ଦେଖନ୍ତୁ ଡାକ୍ତରବାବୁ, ଆମେ ଈଶ୍ବରଙ୍କ ସୃଷ୍ଟିରେ ଭିନ୍ନ ମଣିଷ। ଆମେ ଏକ ସଠିକ ଠିକଣା ପାଉନା। ଯଦି ପାଉ ଅତ୍ୟନ୍ତ ଖୁସିରେ ରହୁ। ଆମେ ଉଭୟ ଖୁବ୍ ଖୁସି। କିନ୍ତୁ ସାମାଜିକ ମୂଲ୍ୟବୋଧପ୍ରତି ଗଭୀର ଅନୁରକ୍ତି ଥିବାରୁ ଆମ ଜୀବନ ଲୁକ୍କାୟିତ।

ଏହା ମଧ୍ୟରେ ଆଉ ପନ୍ଦର ବର୍ଷ କଟିଗଲାଣି। ଥରୁଟିଏ ବି କାହାକୁ କହିନଥିବା ଏ "ନିଷିଦ୍ଧ କାହାଣୀ" ଏକାଥରେ ସମାଜ ଆଗରେ ପ୍ରଘଟ କରିଦେଲି, ସମସ୍ତ ମନୁଷ୍ୟ ଓ ସ୍ଥାନର ଛଦ୍ମନାମ ସହ।


Rate this content
Log in

Similar oriya story from Romance