STORYMIRROR

Sudeshna Misra

Romance Classics Fantasy

3  

Sudeshna Misra

Romance Classics Fantasy

ନୀଳକାମ୍ବେରୁ ର କଥା

ନୀଳକାମ୍ବେରୁ ର କଥା

3 mins
398

  ନାଁ ଟା ଯେମିତି ସୁନ୍ଦର, ଚେହେରା ସେପରି ଆକର୍ଷଣୀୟ। ସୁଦର୍ଶନ, ସୌମ୍ୟ। ଚିର ହରିତ୍। ଶୀତୁଆ ସକାଳେ ସୂର୍ଯ୍ୟଙ୍କର କଅଁଳିଆ ଖରା କୁ ଯେମିତି ଉପଭୋଗ କରେ, ସେମିତି ମଧ୍ୟାହ୍ନର ରୌଦ ତାପ କୁ ସହିପାରେ ସେ। ଆଉ ହାଡ଼ଭଙ୍ଗା ଶୀତକୁ ବି ଆପଣେଇ ନିଏ। ଝଡି , ବଢି କିଛିବି କରିପାରନ୍ତିନି ତାର। ମଳୟ ଯେପରି ତାର ଚିର ସହଚର।

ବଡ଼ ବଡ଼ ଶାଳ, ପିଆଶାଳ, ଶାଗୁଆନ ଗଛଠୁ ଆରମ୍ଭ କରି ଆମ୍ବ, କେନ୍ଦୁ କୁସୁମ, ମହୁଲ ଆଉ ବାଉଁଶ ଗଛ ପର୍ଯ୍ୟନ୍ତ ସବୁ ଭରା ତା ଦେହରେ । ପୁଣି ବୁଦୁବୁଦିଆ ଭଇଁଚ, ବେତକୋଳି, ଗିଲିରି ଗଛ ସାଙ୍ଗକୁ ମାଟି ତଳେ ନାନା ଜାତିର କନ୍ଦା। ଓଲୁଅ, ପିତା କନ୍ଦା, ଦେଶୀ କନ୍ଦା ପ୍ରଭୃତିର ଗନ୍ତାଘର ସେ ଅଚଳ ଅଥଳ ମେରୁ, 'ନୀଳକାମ୍ବେରୁ'

ବସନ୍ତର ଆଗମନ ପୂର୍ବରୁ ପଳାଶଫୁଲଟା ରୂପ ଚହଟାଏ, ନୀଳ ମେରୁର ବକ୍ଷରେ , ପତ୍ରହୀନ ବୃକ୍ଷରେ କଳାଡେମ୍ଫରେ ଇଷତ୍ ନାଲିଆସିଆ ପେନ୍ଥା ପେନ୍ଥା କମଳା ପଳାଶ ଫୁଲ ସବୁ ହାତଠାରି ଡାକନ୍ତି ଯେପରି। ଅନ୍ଯଋତୁ ଗୁଡିକରେ ବାଇଗେଣୀ, ନାଲି, ଧଳା ବଣୁଆଫୁଲ ସବୁ ଶାଗୁଆ ଗଛ ଭିତରେ ଛିଟକନା ପରି ଦିଶେ। ସତକଥା କହିବାକୁ ଗଲେ ବହୁ ସମ୍ପଦରେ ଭରା ଏଇ ପାହାଡଟି । 

ଦୂରରୁ କଳାମେଘ ଦେଖି ନୀଳକାମ୍ବେରୁ ର ଶରୀରରେ ରୋମାଞ୍ଚ ଜାତ ହେବା ଆରମ୍ଭ ହୁଏ। ବାରିଦର ଗତି ଓ ସ୍ଥିତି ଟାକୁ ଲକ୍ଷକରେ ସେ। 

ଏଇ ଆସିଲାକି ? ନା ତ କାହିଁ ଆସିନି। ହଁ ଏବେ ଆସିଯିବ, ଶୁଭିବ ତାର ନୂପୁର ର ନିକ୍ବଣ। 

ଓଦା ମାଟିର ବାସ୍ନା ମହକି ଉଠିବ। ଦାରୁଣ ନିଦାଘ ପରେ ଶୀତଳତାର ସ୍ପର୍ଶ। ମନ ଓ ପ୍ରାଣରେ ସଞ୍ଚରି ଯିବ କୋମଳତାର ଭାବ। ଶୁଭୁଥିବ ଝିପ୍ ଝିପ୍ ପାଣି ପଡିବାର ଶବ୍ଦ। ବରଷାରାଣୀର ପାଉଁଜିଟା ରୁମ୍ ଝୁମ୍ ଶବ୍ଦ କରିବ। ଆଗରୁ ମନ୍ଦ ମନ୍ଦ ବହୁଥିବା ପବନର ଗତି ଟିକେ ଅଧିକ ହେବ। ଗଛର ପତ୍ର ଗୁଡ଼ିକ ହାତ ହଲେଇ ସ୍ବାଗତ କରିବେ। ବିଭିନ୍ନ ରଙ୍ଗର ସବୁଜପତ୍ର ସବୁ ଦିଶିବ ଆହୁରି ସତେଜ । ଓଃ କି ସୁନ୍ଦର ଦୃଶ୍ଯ । ପବନର ଗତି ସହ ତା ହୃଦୟର ସ୍ପନ୍ଦନ ମଧ୍ୟ ବଢିଚାଲେ ।


ଏଥର ନୀଳକାମ୍ବେରୁ ଦୃଢ଼, ଯେମିତି ହେଉ ସେ କହିବ ତା ମନରେ କଥା ବର୍ଷାକୁ। ମନଭିତରେ ଖୁବ୍ ସାହାସ ଜୁଟୋଉଥିଲା ସେ। ଆସୁ ଆସୁ ଟିକେ ଡେରି ହେଲା ବର୍ଷାର ,ଥାପିଲା ତା ପ୍ରଥମ ପାଦ ପୃଥିବୀରେ। ସବୁଦିନ ବର୍ଷାର ସେ ପ୍ରଥମ ଛୁଆଁ ଖୁବ୍ ଭଲ ଲାଗେ ତାକୁ । ଶୁଖିଲା ଧୂଳିସବୁ ପୋଛିଦେଲା ତା କାନିରେ । ନୀଳ ଭୂଲି ଗଲା ତା'ର ସବୁ କ୍ଳେଶ। ଭିଜାମାଟିର ବାସ୍ନା କୁ ଆଘ୍ରାଣ କରୁକରୁ ବର୍ଷା କହିବସିଲା ତାର ଅନୁଭୂତି ସବୁ କଳକଳ କଣ୍ଠରେ। ପୃଥିବୀର ସବୁଆଡେ ତାର ଗତି। ସେ କାହାଣୀ ଅସରନ୍ତି ଗପୁ ଗପୁ ଦିନ କେମିତି ସରିଗଲା । ସୁଖର ଦିନ ଜଣାପଡେନି ଆଉ ଦୁଃଖର ଦିନ ସରେନି। 

ନୀଳକାମ୍ବେରୁ ଗଳାଝାଡି କହିଲା , "ମୋର ତୁମକୁ କିଛି କହିବାକୁ ଅଛି " । ବର୍ଷା ଟିକେ ଆଶ୍ଚର୍ଯ୍ୟ ହେଇ ତା'ର ଓଦା ଆଖିପତା ଉଠେଇ ଚାହିଁଲା। ଭାବିଲା, ନୀଳତ ଖୁବ୍ କମ୍ କଥା କୁହେ, ଗୁରୁ ଗମ୍ଭୀର । ସେ ପୁଣି କଣ କହିବ ଯେ । 

"ହଉ କଣ କହୁଛ କୁହ" କହିଲା ବର୍ଷା ।

ନୀଳ ସଲ୍ଲଜ ଓ ଧୀର ସ୍ବରରେ କହିଲା," ତୁମେ ନଥିଲା ବେଳେ ତୁମ କଥା ମୋର ସବୁବେଳେ ମନେପଡେ ବର୍ଷା। ମୁଁ ସେତେବେଳେ ନିଜକୁ ଭାରି ଏକୁଟିଆ ମନେକରେ। ତୁମେ ମୋର ନିଃସଙ୍ଗତାର ସାଥୀ ଭାବେ ଏଇଠି ମୋ ପାଖରେ ସବୁଦିନ ରୁହନ୍ତନି ? " ସେତେବେଳେ ନୀଳକାମ୍ବେରୁ ର କୁଞ୍ଚୁକୁଞ୍ଚିଆ ଓଦାବାଳ ଗୁଡ଼ିକ ତା କପାଳ ଉପରେ ପଡ଼ି ଖୁବ୍ ସୁନ୍ଦର ଦିଶୁଥିଲା।

ବର୍ଷା ଚାହଁ ଥିଲା ନୀଳର ମୁହଁ କୁ। ଅପେକ୍ଷା କରିଛି ସେ ବର୍ଷାର ଉତ୍ତରକୁ। କିଛି ସମୟ ଚୁପ୍ ରହିଲା ସେ। ହଠାତ୍ କଣ କହିବ, ସେ ତ ନିରୁପାୟ। ନୀଳର ମନରେ ଦଃଖ ଦେବାକୁ ସେ ଚାହୁଁନଥିଲା। ଦୁଃଖ ମିଶା ଭାରିଗଳାରେ କହିଲା ," ମୁଁ ତ ବାଗଦତ୍ତା ନୀଳ। ପ୍ରକୃତିକୁ କଥା ଦେଇଛି, ସବୁଆଡକୁ ଯାଇ ସମଗ୍ର ଧରାପୃଷ୍ଠକୁ ଆର୍ଦ୍ର ଓ ଶୀତଳ କରିବି। ତମେ ତ ଜାଣ ମେଘଠୁ ଜଳ ଆଣି ସମସ୍ତଙ୍କୁ ଯୋଗେଇ ଦେବା ମୋ କାମ। ମୋ କର୍ତ୍ତବ୍ୟରେ ଅବହେଳା କରିପାରିବିନି, କଥା ଦେଇ କଥା ଭାଙ୍ଗିପାରିବିନି ନୀଳ। । ଏଇଠି ରହିଲେ ଧରାପୃଷ୍ଠ ର ଅନ୍ଯଅଂଶ ଶୁଷ୍କ ମରୁଭୂମି ପାଲଟିଯିବ। ଆଉ ଜୀବଜଗତ ଧ୍ବଂସ ପାଇଯିବ। ତେଣୁ ମୁଁ ହେଇପାରିବିନି ଜଣଙ୍କର। ଏଇଠୁ ମୋତେ କାଲି ଯିବାକୁ ପଡିବ, ପୁଣି ଆସିବି ଆରବର୍ଷକୁ। ମତେ ବିଦାୟ ଦିଅ।"


'ନୀଳକାମ୍ବେରୁକୁ ଲାଗିଲା ତାର ହୃଦୟ ଭାଙ୍ଗିଗଲା ଖଣ୍ଡ ଖଣ୍ଡ ହେଇ। ବହୁକଷ୍ଟରେ ନିଜକୁ ସମ୍ଭାଳିନେଲା। ଏଥର ବର୍ଷା ଗଲାବେଳେ ବହୁ ଦୁଃଖରେ ବିଦାୟଦେଲା ଲୁହ ଛଳ ଛଳ ଆଖିରେ ନୀଳ। ଆଖିରୁ ଦୁଇଟୋପା ଲୁହ ଟପ୍ ଟପ୍ ପଡ଼ି ବର୍ଷା ସହିତ ମିଶିଗଲା।ତାକୁ କେହି ଦେଖିପାରିଲେ କି ନା କେଜାଣି। ବାଟେଇ ଦେବାକୁ ଆସି ଚାହିଁ ରହିଥିଲା ଦୂର ଦିଗବଳୟକୁ ସେ, ଯେଉଁଠି ଆକାଶରେ ମିଶିଗଲା ବର୍ଷା ।

"ବାପା କ'ଣ ଏତେ ଭାବୁଛ ଓ ଦେଖୁଛ ସେ ଆକାଶଟାକୁ" ହଠାତ୍ କାହାର କୁଳୁ କୁଳୁ ଡାକରେ ସମ୍ବିତ୍ ଫେରିପାଇଲା ସେ। ଦେଖିଲା ଝିଅ ତଟିନୀ ଡାକୁଛି ଆଉ କହୁଛି "ମନଦୁଃଖ କରୁଛ କି ବାପା? ଆମେ ପରା ଅଛୁ ତୁମ ସାଥିରେ। ଭାଇ ପାଦପ ବି ଅଛି, ମୋ ସହିତ। ତୁମ କଥା ବୁଝିବୁ। ତୁମ ସହିତ ଗପିବୁ, ଏମିତି ଦିନଗୁଡିକ କଟିଯିବ ଯେ। ଆଉ ବର୍ଷା ମାଉସୀତ ପୁଣି ଆସୁଥିବେ ମଝିରେ ମଝିରେ"।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance