ନୀଳ କନ୍ୟା
ନୀଳ କନ୍ୟା
ଅବସର ନେବା ପରେ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ଶ୍ରୀମା ଆଶ୍ରମ ପଣ୍ଡିଚେରୀ ବୁଲି ଯାଇଥାଉ।ସେଠି ଅତି ସୁନ୍ଦର ଗୀତ ଶିକ୍ଷୟିତ୍ରୀ ରାଗିନୀ ଦେଓ ସହ ଦେଖା ହୋଇ
ଗଲା।ଅନେକ ପ୍ରଶ୍ନର ଉତ୍ତର ପାଇବା ପାଇଁ ମୁଁ ତାକୁ ପାଖ ଏକ କଫି କ୍ୟାଣ୍ଟିନ୍ କୁ ଡାକିଲି।ରାଗିନୀ ଖୁବ୍ ଭଲ ଝିଅଟିଏ।ଗୀତ ବୋଲିବାରେ ନମ୍ବର ୱାନ୍ ମୋ ଝିଅର ଗୀତ ଶିକ୍ଷିକା ବି ଥିଲା।
ଆମ ମଝିରେ କଫି ଟେବୁଲ ।ଟେବୁଲ ଉପରେ କଫି କପ୍ଟିକୁ ରାଗିନୀ ଘଷୁଥାଏ ଏ ପଟ ସେ ପଟ କରି।
କଫି ଥଣ୍ଡା ହୋଇ ଯାଉଛି,ପି ନା ରାଗିନୀ।
ଓଃ ହଁ ହଁ ଝଟ୍କା ଖାଇଲା ପରି ସେ ଚମକି ପଡି କହିଲା।
କଣ ହେଲା ଏତେ ଅନ୍ୟ ମନସ୍କ?
ନାଇଁ ମାମ୍ ଏମିତି ରେ।
ଏମିତି ରେ କିଛି ତ ହୋଇଛି ରାଗିନୀ?
ମାମ୍!!
ମୁଁ ତୁମକୁ ଜାଣେ।କଣ ହୋଇଛି କୁହ?
ମାମ୍ ଦଧିଚି.....
ହଁ ହଁ ଦଧିଚି...ସେଇ ପିଲାଟା ତ...ଯେ ତୁମ ବନ୍ଧୁ ଥିଲା।କଣ ହେଲା ତାର।ତୁମେ ଦୁହେଁ ବିବାହ କରିବ ବୋଲି କହୁଥିଲ ।ସେଇ ତୁମ ଲଭର୍ ବଏ,ଦଧିଚି ତ।
ଆଜ୍ଞା ମାମ୍।
.
ତୁମେ ଦୁହେଁ ବିବାହ କଲ ତ!କଣ କରୁଛନ୍ତି ସେ।କେଉଁଠି ରହୁଛ ତୁମେ?ପିଲା ପିଲି କେତୋଟି?କଣ ପଢୁଛନ୍ତି ସେମାନେ?ତୁମ ବାପା ବୋଉଙ୍କ ଖବର କଣ?
ଏତେ ଗୁଡ଼େ ପ୍ରଶ୍ନର ଉତ୍ତର ଖୋଜି ରାଗିନୀ କେଉଁଠୁ ଆରମ୍ଭ କରିବ ଭାବିଲା।
ତଥାପି ମୁହଁରେ ହସ ଫୁଟାଇ କହିଲା ଦ ଧି ଚି ବେଙ୍ଗାଲୁରୁରେ ଅଛନ୍ତି।ତାଙ୍କର ଦୁଇଟି ପୁଅ।
ତାଙ୍କର??ବିସ୍ମୟରେ ପଚାରିଲି ମୁଁ।
କଥା କଣ କି ମାମ୍ ଦ ଧି ଚି ଙ୍କର ଆଗରୁ ଆଉ ଜଣେ ସ୍ତ୍ରୀ ଥିଲେ।ଯେଉଁଟି ଆମେ ଜାଣି ନ ଥିଲୁ।ସେ ସବୁ ଲୁଚାଇ ମୋ ସଂଗେ ଖେଳ ଖେଳିଲେ। ଜଣକୁ ଅନ୍ଧ ଭାବେ ପ୍ରେମ କଲା ପରେ ଆଗ ପଛର ବିଚାର କରିବା ସୁବୁଦ୍ଧି ଉଭେଇ ଯାଏ।ଗୋଟେ ହୃଦୟକୁ ବିଶ୍ୱାସ କରି ନଈ ମଝିକୁ ଡିଆଁ ମାଇଲେ କଣ ହୁଅନ୍ତା!ବୁଡ଼ି ମରିବା ସାର।ମୋ ଜୀବନରେ ତାହା ହିଁ ଘଟିଛି।ଦଧିଚି ପରି ଶାନ୍ତ ସୁଧାର ମଣିଷ ଯେ ଅଭିନୟ କରିବାରେ ଓସ୍ତାତ୍ ଏ କଥା ପ୍ରେମ ପରଳ ମଡା ମୋ ପରି ଅବୋଧ ଝିଅ ମାନଙ୍କର କଣ ଚିହ୍ନିବା ଜ୍ଞାନ ଅଛି?
ଆପଣ ଅବଶ୍ୟ ବାବାଙ୍କୁ ଠିକ୍ ଠିକ୍ ବୁଝି ସୁଝି ଆଗେଇବା ପାଇଁ ପରାମର୍ଶ ଦେଇଥିଲେ।ମୋତେ ବି ବୁଝେଇ ଥିଲେ।ହେଲେ ମୁଁ କଣ ସେତେବେଳେ ଚାରାରେ ଥିଲି।ଦଧିଚି ଯାହା କହୁଛି ସତ,ଅନ୍ୟମାନେ ସମସ୍ତେ ମିଛ କହୁଛନ୍ତି ଏ ଯାଦୁ ତ ମନରେ ଲାଗି ସାରିଥିଲା।ଏଣୁ ପ୍ରେମ ନିଶା ଭୂତ ଗ୍ରାସି ଥିଲା ମାମ୍।ମୋ ଜୀବନ ମୁଁ ନିଜେ ନଷ୍ଟ କରିଛି।କେହି ଏଥିପାଇଁ ଦାୟୀ ନୁହନ୍ତି।ମୋ ପରି ବୋକି ଝିଅ ମାନେ ଏ କଥା ଡେରିରେ ବୁଝନ୍ତି।ବୁଝିଲ ବେଳକୁ ସବୁ ଶେଷ ହୋଇଯାଇଥାଏ।
କିନ୍ତୁ ତୁମେ ବିଧିବଦ୍ଧ ଆଇନି ସମ୍ମତ ବିବାହ କରିଥିଲ।ତୁମର୍ ବି ଦଧିଚିଙ୍କ ସ୍ତ୍ରୀ ହେବାର ଅଧିକାର ଅଛି।ହେଲର ତୁମେ ଏଠି ଏ ବସ୍ଥାରେ.. ମୁଁ ତ କିଛି ବୁଝି ପାରୁ ନାହିଁ। ନିଜ ଅଧିକାର ପାଇଁ ଲଢିଲ ନାହିଁ?
କେଉଁ ଅଧିକାର ମାମ୍!ହଁ କେସ୍ କରିଥିଲେ କିଛି ଭରଣ ପୋଷଣ ବାବଦକୁ ଟଙ୍କା ମିକିଥାନ୍ତା।କିନ୍ତୁ ସେଇତକ କଣ ଜୀବନର ସବୁକିଛି।ମୁଁ ଯେତେବେଳେ ମୋ ପ୍ରେମ, ମୋ ମନ ମଣିଷଙ୍କୁ ଛାଡିଦେଲି,ସେଠି କେତୁଟା ଟଙ୍କା କି ମହତ୍ତ୍ୱ ରଖେ?ଦ ଧି ଚି ସିନା ମୋ ସୁନ୍ଦର ଶରୀର ଟାକୁ ଭଲ ପାଉଥିଲେ।ବର୍ଷେ କାଳ ଭୋଗ କଲା ପରେ ମନ ଛାଡିଗଲା,ଫିଙ୍ଗି ଦେଲେ।ମୁଁ କିନ୍ତୁ ପ୍ରେମକୁ ପ୍ରେମ କରୁଥିଲି,ଦଧିଚିକୁ ପ୍ରେମ କରୁଥିଲି।ସାଙ୍ଗ ହୋଇ ସୁଖ ଦୁଃଖ ବାଣ୍ଟି ଗୋଟିଏ ସୁନ୍ଦର ପରିବାର ସ୍ୱପ୍ନ ଦେଖିଥିଲି।ଯେଉଁଠିଏ ସବୁ ନାହିଁ,ସେଠି ଟଙ୍କା ମୂଲ୍ୟ କଣ ମାମ୍।ମୁଁ ବି ତ ନିଜ ଗୋଡ଼ରେ ଠିଆ ହୋଇଥିଲି।ରହୁ ଦଧିଚି ତା ସଂସାର ନେଇ ଖୁସିରେ।ତାଙ୍କ ସ୍ତ୍ରୀ ,ପିଲାଙ୍କ କି ଦୋଷ।ମୁଁ କିଛି ନ ବୁଝି ଭୁଲ୍ କଲି ଏଣୁ ଦଣ୍ଡ ମୋର ପ୍ରାପ୍ୟ।ସମସ୍ତେ କାହିଁକି ମୋ ପାଇଁ ଦଣ୍ଡ ଭୋଗିବେ।
କେମିତି ଜାଣିଲ ଏ ସବୁ?କଷ୍ଟ ହୁଅନି ଏକା ଏକା ଚାଳିବାରେ?
ମାମ୍ ମୁଁ ବଞ୍ଚିଛି କି ମରିଛି ଜାଣି ପାରେନି।କେବଳ ନିଃଶ୍ୱାସ ତ ଚାଲୁଛି କିଛି କାମ କରୁଛି।ସକାଳ ଯାଇ ସଞ୍ଜ ଆସୁଛି।ରାତି ପୁଣି ସକାଳ ଏବଂ ସଞ୍ଜ।ଏମିତି ଏଇଠି ମା ଙ୍କୁ ଶରଣରେ ସରି ଯାଉଛି ସମୟ।ବଢୁଛି ବୟସ।ଅୟସ କଥା ମନକୁ ଆସୁନି ଆଉ।କଣ ଅଛି ଏ ମୋ ଜୀବନରେ? ଦଧିଚି ଯେଉଁ ଦିନ ମୋ ଗାଲରେ ଠାଏ କରି ଚାପୁଡାଟାଏ କଷି ଦେଲେ ସେବେଠୁ ସବୁ ଶେଷ।ମାଡ଼ ଖାଇବାର କାରଣ ଏଇଆ ଥିଲା କି ମୁଁ ଜାଣିବାକୁ ଚାହିଁଲି ଏ ସ୍ତ୍ରୀ ଲୋକଟି କିଏ?ସେ କାହିଁକି ତୁମ ପାଖକୁ ଆସିଛି।ସେ ପୁଅଟି ବି କିଏ?ତୁମକୁ ସେ ବାବା ଡାକୁଛି କାହିଁକି?
ଆଠ ଦିନ କାଳ ଏ ପୁଷ୍ପା ମୋ ସଂପର୍କୀୟ।ଚାକିରୀ ଖୋଜି ଆସିଛି।ମୋଟେ ସମସ୍ତେ ଗାଁରେ ବାବା ନାମରେ ଡାକନ୍ତି।ଏଣୁ ପିଲାଟି ବାବା ବାବା ଡାକୁଛି।ହଁ ହୋଇ
ଥିବ ଭାବି ମୁଁ ଏକାଡେମୀ ଯାଏ।ମାତ୍ର ଦିନେ ଖୁବ୍ ଶୀଘ୍ର କାମ ରୁ ଫେରି ଯାହା ଦେଖିଲି ନ କହିବା ଭଲ।ସେ ସ୍ତ୍ରୀଲୋକ ସହ ଦଧିଚି ଫୁଲ ଦମ୍ ରେ ମସ୍ତ।ପିଲାଟି ଖେଳନା ଧରି ଖେଳୁଛି।ଆଉ ସେ ଦୁଇ ଜଣ....ଛିଃ...
ମୋତେ ହଠାତ୍ ଦେଖିବେ ବୋଲି ସେମାନେ ଆଶା କରି ନଥିଲେ।ମୋତେ ଦେଖି ଦୁଇ ଜଣ ଯାକ ଚୋର ଧରା ପଡିଲା ପରି ହେଲେ।ଦଧିଚି ସଫେଇ ଦେଇ କହିଲେ ତାଙ୍କର କିଛି ଦୋଷ ନାହିଁ।ପୁଷ୍ପାର ଦେହ ଖରାପ କହି ଫୋନ୍ କରି ଡକାଇ ଏମିତି ପରିସ୍ଥିତି ସୃଷ୍ଟି କରିଛି।ସରି ରାଗିନୀ ଭେରୀ ସରି।ମୁଁ ଲକ୍ଷ୍ୟ କରିଥିଲି ପୁଷ୍ପା ଆଖିରେ ଭୁଲ୍ କରିବା ଅନୁତାପ ନ ଥିଲା।ବରଂ ସେ ହସୁଥିଲା ଗୋଟେ ରହସ୍ୟ ମୟ ହସ।ଦଧିଚି ବି ସେତେ ଦୁଃଖିତ ଲାଗୁ ନ ଥିଲେ।
ମୁଁ କହିଲି ପୁଷ୍ପା ଏ ସବୁ କଣ?ତୋତେ ଆମ ଘର ଠିକଣା କିଏ ଦେଲା।ତୁ କିପରି ଓ କାହିଁକି ଏଠିକୁ ଆସିଛୁ ସତ କହ।ସେ ଫାଏଁ କରି ଜଳି ଉଠିଲା ଯେପରି।"କିଏ ଡାକିବ କଣ;ଏଇ ତୁମ ବିଶ୍ୱସ୍ତ ପତିଦେବ ଡାକିଛନ୍ତି।ମୁଁ ଚାକିରୀ ଫାକିରି ପାଇଁ ଆସିନି ବରଂ ମୋ ଅଧିକାର ଛଡେଇ ନେବାକୁ ଆସିଛି।ଶୁଣ୍ ତୁ ମୋ ସଉତୁଣୀ।ଦଧିଚିର ମୁଁ ବିବାହିତ ପତ୍ନୀ।ଆଉ ତୁ ଦ୍ଵିତୀୟ ପକ୍ଷ।ଏଠି ତାଙ୍କୁ ମେଣ୍ଢା କରି ରଖିଛୁ।ଦେଖ୍ ଏଇ ପିଲାଟି "ବୁବୁ" ଆମ ପୁଅ।ମୋ ସ୍ୱାମୀ ସହ ମୁଁ ଯାହା କଲି ସେଥିରେ ତୋର କାହିଁକି ଆପତ୍ତି।ବର୍ଷେ ହେଲା ଜଡି,ବୁଟି କରି ରଖିଛୁ।ଘରକୁ ଛାଡୁନୁ।ମୁଁ ଆସିଛି ତାଙ୍କୁ ତୋ ଠାରୁ ଛଡେଇ ନେଇ ଯିବାକୁ।ବୁଝିଲୁ"।
ମୁଁ ଆକାଶରୁ ସତେ କି ଖସି ପଡୁଥିଲି।ମୋ ଦେହ ମନ ଖଣ୍ଢ ଖଣ୍ଡ ହୋଇ ଯାଉଥିଲା କି ଆଉ।ମୁଁ ଖୁଣ୍ଟ ପରି ଠିଆ ହୋଇଥିଲି।ଆଶା କରୁଥିଲି ଦଧିଚି ପ୍ରତିବାଦ କରିବେ।କିନ୍ତୁ ନା ସେ ଅପରାଧୀ ପରି ତଳକୁ ମୁଣ୍ଡ ଝୁଲାଇ ବସିଥିଲେ।ମୁଁ ଥରେ ମାତ୍ର ଶୁଣିବାକୁ ଚାହୁଁଥିଲି ତାଙ୍କ ମୁହଁରୁ ପୁଷ୍ପା ଯାହା କହୁଛି ସବୁ ସତ କି?
ମୋ ହାତ ଧରି ପକାଇ ଦଧିଚି କହିଲେ"ସରି ରାଗିନୀ ମୁଁ ତୁମକୁ ଏତେ ଭଲ ପାଏ ଯେ ମିଛ କହିବାକୁ ବାଧ୍ୟ ହେଲି।ମୁଁ ବିବାହିତା ପୁଣି ଗୋଟିଏ ପୁଅର ବାପା ଜାଣିଲା ପରେ ତୁମେ କଣ ମୋତେ ବାହା ହୋଇ ଥାନ୍ତ
??ସେଥିପାଇଁ......।ବିଶ୍ବାସ କର ମୁଁ ତୁମକୁ ଖୁବ୍ ଭଲ ପାଏ"।
ଭଲ.......ବିଶ୍ୱାସ....ପୁଣି ତୁମକୁ।ତୁମକୁ ନୁହେଁ ମୁଁ ନିଜକୁ ଧିକ୍କାର କରୁଛି।ଏତେ ବଡ଼ ଭୁଲ୍ କେମିତି ମୋର ହେଲା?କେମିତି ଚିହ୍ନି ପାରିଲି ନାହିଁ ତୁମ ପରି ଜଣେ ମୁଖା ପିନ୍ଧା ମଣିଷଙ୍କୁ।ତୁମେ ସମାଜର ଜଣେ ଇଞ୍ଜିନିୟର ଶିକ୍ଷିତ ବ୍ୟକ୍ତି ହୋଇ ଏପରି ଘୃଣ୍ୟ କାମ କେମିତି କରି ପାରିଲ?ଦୁଇ ଦୁଇଟି ଝିଅଙ୍କ ଜୀବନକୁ ନେଇ ଖେଳିଲ?
ତାପରେ ମୁଁ ସେମାନଙ୍କୁ ସେଇ ସଙ୍ଗେ ସଂଗେ ଆମ ଘରୁ ଚାଲିଯିବା ପାଇଁ ଅନୁରୋଧ କଲି।ଜୀବନରେ କେବେ ବି ମୋ ସମାନାକୁ ଆସିବ ନାହିଁ ବି କହିଲି।କାରଣ ମୁହାଁ ମୁହିଁ ହୋଇ ଗଲେ ହୁଏତ ମନ ବଦଳି ଯାଇ ପାରେ।ହୁଏତ ମୁଁ ବିଚାର ବୁଦ୍ଧି ହଜାଇ ପାରେ।ହୁଏତ ତୁମ ଜୀବନକୁ ଛାର ଖାର କରିଦେଇ ପାରେ।ମୁଁ ତୁମକୁ ଭଲପାଏ ଦଧିଚି।ତୁମ ପରି ଅଭିନୟ କରି ଶିଖି ନାହିଁ।ଯାଅ ତୁମକୁ ମୁଁ ମୁକ୍ତ କରିଦେଉଛି।ଚାଲିଯାଅ...
ବାସ୍!ତାପରଠାରୁ ମୁଁ ଆଉ ରାଗର ରାଗିନୀ ହୋଇ ରହିଲି ନାହିଁ।ପ୍ରତିଟି ଗୀତ ସୁରରେ,ଦଧିଚିଙ୍କ ପ୍ରତାରଣା ମୋତେ ଦେଖା ଗଲା।ଲାଗିଲା ମୁଁ ପାଗଳ ହୋଇଯିବି।ଆସ୍ତେ ଆସ୍ତେ ମୁଁ ଚୁପ୍ ଚାପ୍ ହୋଇଗଲି।ଏକାଡେମୀ ଆଉ ଗଲି ନାହିଁ।ମାମା ମରି ଯାଇ ଥିଲା କେବେଠାରୁ।ବାବା ବି ମୋ ବିବାହର ସାତ ମାସ ପରେ ହାର୍ଟ ଆଟାକ୍ ରେ ଏକା କରି ଚାଲି ଯାଇଥିଲେ।ସବୁ କିଛି ହରାଇ ଦଧିଚି ଙ୍କୁ ନେଇ ବଞ୍ଚିବା ଶିଖିଲା ବେଳେ ଅଚାନକ ପୁଷ୍ପା ଆସି ସବୁ ଓଲଟ ପାଲଟ କରି ଦେଲା।
ପ୍ରବଳ ଭିଡ଼ ସଂସାରରେ ମୁଁ ଭାରି ଏକା ହୋଇଗଲି ମାମ୍।ଶେଷରେ ସିଦ୍ଧାନ୍ତ ନେଲି ଓ ଏଇଠିକୁ ଚାଲି ଆସିଲି।ଶ୍ରୀ ମାଙ୍କ ଶରଣ ପଣ୍ଡିଚେରୀ।
ତୁମେ ଏଠିକୁ ଆସି କଣ ଭୁଲି ପାରିଛ ସବୁ?
କେହି କଣ ଭୁଲେ ମାମ୍।ଭୁଲିବାର ଚେଷ୍ଟା କରନ୍ତି ଯାହା।ହଁ ଏଇଟି ସତ ଯେ ଏଠି ହରେଇବାର ଦୁଃଖ ନାହିଁ କିମ୍ବା ପାଇବାର ଲାଳସା ନାହିଁ।ଏଠି କେବଳ ବଂଚିବା ଅଛି।ଆଉ ମୋ କଥା ଦଧିଚିଙ୍କ ପ୍ରତାରଣା ବିଷରେ କେବେଠୁ ତ ମରି ସାରିଛି।ଆପଣ ଯାହାକୁ ଦେଖୁଛନ୍ତି ଏ ସେଇ ରାଗିନୀ ନୁହେଁ ଯାହାର ଗୋଟିଏ ଗୀତ ଶୁଣି ଆପଣ ଏତେ ଭଲ ପାଇଁ ଯାଇଥିଲେ ଯେ ନିଜ ଝିଅର ଗୀତ ମାଷ୍ଟର କରି ଦେଇଥିଲେ।ଆପଣ ଯେଉଁ ରାଗିନୀକୁ ଦେଖୁଛନ୍ତି ସେ ଗୋଟିଏ ଜୀଅନ୍ତା ଶବ ଆଜ୍ଞା।ଆସୁଛି ମାମ୍ ମୋ ଡିୟୁଟି ସମୟ ହୋଇ ଗଲାଣି।
ରାଗିନୀ ମୋ ପାଦ ଛୁଇଁ ଆଶ୍ରମକୁ ଚାଲିଗଲା।ମୋତେ ଲାଗୁଥିଲା ରାଗିନୀ ଦେହ ସାରା ଦଧିଚି ପ୍ରତାରଣା ବିଷ ଚରି ଯାଇ ତାକୁ "ନୀଳ କନ୍ୟା"ଟିଏ କରିଦେଇଛି।ରାଗିନୀର ତ୍ୟାଗ ପାଖରେ ମୋ ମୁଣ୍ଡ ନଇଁ ଗଲା।ଆଉ କେତୁଟା ଝିଅଙ୍କ ପରି ଅଧିକାର ସାବ୍ୟସ୍ତ ନ କରି ଭଲ ପାଉଥିବା ଲୋକ ଭଲରେ ରହୁ ଏପରି ତ୍ୟାଗ କେତେ ଜଣ କରି ପାରନ୍ତି? ସବୁ ବିଷ ପିଉଥିବା ରାଗିନୀ ପରି ନୀଳ କନ୍ୟା ମାନେ କେବଳ ବୋଧେ।