Siddhartha Tripathy

Romance Tragedy Inspirational

4.7  

Siddhartha Tripathy

Romance Tragedy Inspirational

ନିଃଶବ୍ଦ ପ୍ରହାର

ନିଃଶବ୍ଦ ପ୍ରହାର

4 mins
245



ଏ ରଶ୍ମି ! ତମ ମଲ୍ଲିଫୁଲିଆ ଅଧର ଭାରି ଚମତ୍କାର । ତମ ଗଜଗାମିନି ଚାଲି ଭାରି ମନୋରମ। ତମ ବକ୍ଷୋଜ ଆକର୍ଷଣୀୟ। ହସି ହସି ରଶ୍ମି କହୁଥିଲା ତମେ କ'ଣ ଦ୍ଵିତୀୟ ବୈଦେହୀଶ ବିଳାସ ରଚୈତା କି ? 


ପଞ୍ଚାନନ କହୁଥିଲା, ଜାଣିଛ ରଶ୍ମି ;


ଯୌବନ କ୍ଷଣସ୍ଥାୟୀ। ଯୌବନରେ ହିଁ ପ୍ରାୟତଃ ପ୍ରେମ ହୁଏ। ପ୍ରଶାଧନ ସାମଗ୍ରୀର ପ୍ରଲେପରେ ଯୌବନକୁ ଧରି ରଖିବାର ପ୍ରଚେଷ୍ଟାରେ ଥିବା ପ୍ରେମ ବି କ୍ଷଣସ୍ଥାୟୀ। 


ତାହେଲେ.....


ମନରେ ପ୍ରେମର ପ୍ରଲେପ ଲଗେଇ ଆଗକୁ ବଢିଚାଲିଲେ ପ୍ରେମ ଅଜର, ଅମର ନିଶ୍ଚିତ। 


ସମୁଦ୍ର ପାଖରେ ଅଛି ଚିରଯୌବନ। ମଣିଷ କ'ଣ ତା ପାଇଛି ? ସମୁଦ୍ରରୁ ଅମୃତନେଇ ବଞ୍ଚିଲେ ଦେବତାମାନେ, ମଣିଷକୁ ଦେଲେ ନାହିଁ। ସମୁଦ୍ର ମରଣକୁ ସ୍ୱୀକାର କରେନାହିଁ, ମୁର୍ଦ୍ଦାରକୁ ଧରି କୂଳରେ ଆଣି ଫୋପାଡିଦିଏ। ମଣିଷ ଝିଣ୍ଟିକାପରି ବଞ୍ଚି ବଳର ପ୍ରାବଲ୍ୟରେ ଫୁଲିଉଠେ, ଦୁର୍ବଳକୁ ଗଞ୍ଜଣା ଦିଏ ।


କିନ୍ତୁ ସମୁଦ୍ର......ବଳର ଅବତାର ହୋଇ ବି ବେଳାକୁ ଲଙ୍ଘେ ନାହିଁ। ଆମେ ପ୍ରେମର ସାଗର ହୋଇ ଅମୃତ ପାନ କରିବାକୁ ହେଲେ ନଦୀ ସମୁଦ୍ର ହୋଇ ବଞ୍ଚି ରହିବା କହୁଥିଲା ପଞ୍ଚାନନ। ସେପଟୁ ହସିହସି ଉତ୍ତର ଦେଉଥିଲା ରଶ୍ମି , ବାଃ କି ସୁନ୍ଦର ଅନୁଶୀଳନ। ମୁଁ ତମ ପଥର ଯାତ୍ରୀ।



କିନ୍ତୁ ପଞ୍ଚାନନ ! ତମେ ଧନୀଘର ପୁଅ, ମୁଁ ଗରିବଘର ଝିଅ। ତମେ ବ୍ରାହ୍ମଣ ମୁଁ ତନ୍ତୀ। ତମେ ଚନ୍ଦ୍ର ମୁଁ ବାମନ। ଆମ ମିଳନ କ'ଣ ସମ୍ଭବ ? ପଞ୍ଚାନନ କହିଲେ ; ପୁରାଣ ପୃଷ୍ଠା ଗାଇଉଠେ ଅହଲ୍ୟା, ସୀତା, ଦ୍ରୌପଦୀର ସହନଶୀଳତା , ପ୍ରେମ, ଧୈର୍ଯ୍ଯର ଗାଥା। ସେଇଠି ହିଁ ସମ୍ପୁର୍ଣ୍ଣ ହୋଇନାହିଁ ନାରୀର ବୀରତା, ଧୈର୍ଯ୍ଯର ଇତିହାସ। 

କଳିଯୁଗର ଜନ୍ ଅଷ୍ଟିନ, ଆନି ଫ୍ରାଙ୍କ, ମାୟା ଆଙ୍ଗେଲଉ ଏପରି ବାରଜଣ ମହିଳା ପୃଥିବୀର ଚିନ୍ତାଧାରାର ପରିବର୍ତ୍ତନର ମୁଖ୍ୟ ଭୁମିକା ବିଭିନ୍ନ ସମୟରେ ବହନ କରିବାସହ ପୃଷ୍ଠାର ଚର୍ଚ୍ଚିତ ଚେହେରା। 


କିନ୍ତୁ.......ମହିଳା ପୁରୁଷଠାରୁ କୌଣସିଗୁଣରେ କମ୍ ନୁହନ୍ତି କିମ୍ୱା ପଛରେ ନାହାନ୍ତି ଏସବୁ ତର୍କରେ ସୁନ୍ଦର ଓ ତର୍କର ବିଷୟବସ୍ତୁ।


ରଶ୍ମି କହିଲା, ପ୍ରେମର ସାଗରରେ ଭାସିଯାଇ ସାମୟିକ ଶରୀରସୁଖ ଆପଣେଇ ବିରହ ବେଦନାରେ ଅହରହ ଜର୍ଜରିତ ହେବା ସହ ପ୍ରେମର ଅର୍ଥକୁ କଦର୍ଥ କରିବା ଝିଅ ମୁଁ ନୁହଁ। ପ୍ରେମ ଅନ୍ଧୁଣୀ ନଈ ବି ଓ ଗଙ୍ଗା ପରି ପବିତ୍ର ବି। ପହଁରି ନଜାଣି ଅନ୍ଧୁଣୀ ନଈରେ ଫସି ନଈକୁ ଦୋଷ ଦେବାର ମାନେ କିଛିନଥାଏ। ଗଙ୍ଗାରେ ବୁଡପକାଇ ପୂଣ୍ଯ କିଛି ପାଇଲିନି କହିବାର ମାନେ କିଛି ନଥାଏ। 


 ମୁଁ ସତୀ ସାଧ୍ୱି ହେବାକୁ ଚାହେଁ କିନ୍ତୁ ଅହଲ୍ୟା ପରି ପ୍ରସ୍ତର ମୂର୍ତ୍ତି ନୁହଁ। ମୁଁ ସ୍ୱାମୀ ଅନୁଗାମୀ ହେବାକୁ ଚାହେଁ କିନ୍ତୁ ସୀତାଙ୍କ ପରି ଚଉଦବର୍ଷ ବନବାସ ନୁହେଁ। ମୁଁ ପତିସହ ସୁନ୍ଦର ସଂସାର କରିବାକୁ ଚାହେଁ କିନ୍ତୁ ଦ୍ରୌପଦୀପରି ପଞ୍ଚପତି ନୁହଁ। ମୁଁ ପ୍ରେମକରିବାକୁ ଚାହେଁ କିନ୍ତୁ ସୋନିମହିୱାଲ ପରି ମୃତ୍ୟୁ ନୁହଁ ।


ମୁଁ ରଶ୍ମି, ଉଗ୍ରାଧୁନିକା ରଶ୍ମିତା ତ୍ରିପାଠୀ। ପରିବାରର ସ୍ୱପ୍ନ। ଉଚ୍ଚଶିକ୍ଷିତା। ଆଜି ଘରେ ସମସ୍ତ ବିଷୟ ଉତ୍ଥାପନ କରିବି। ତମେ ରାଜି ତ ପଞ୍ଚାନନ ?

ହଁ ଭରିଲେ ପଞ୍ଚା।


କହୁଥିଲା ରଶ୍ମି ;


ପରିବର୍ତ୍ତନ ଅସମ୍ଭବାବୀ। କିନ୍ତୁ ପୁରୁଷ, ସ୍ତ୍ରୀ ପରିପୁରକ ସୁତ୍ରରେ ଚିନ୍ତା କରିବା ସହ ନାରୀକୁ ସମ୍ମାନ ଦେଲେ ପୌରୁଷତ୍ବ କ୍ଷୁର୍ଣ୍ଣ ହେବନାହିଁ ବରଂ ଜାଜୁଲ୍ୟମାନ ତାରକା ସଦୃଶ ଦୃଶ୍ୟମାନ ହେବ। ନାରୀ ହିଁ ପୁରୁଷର ପଦସ୍ପର୍ଶ କରିବ, ଏହା ଆମ ଚିନ୍ତାଧାରା ।ମାଆ ବି ତ ନାରୀ। ଆମେ ପୁରୁଷ କଣ ପଦ ସ୍ପର୍ଶ କରୁନା ? ତାହେଲେ ? ପରିବର୍ତ୍ତନ ଦରକାର ମାନସିକତାର। ଦମନ ଦରକାର ଅହମିକାର।

ପଞ୍ଚାନନ ଖୁସିରେ ରଶ୍ମିର ଚିନ୍ତାଧାରା ଶୁଣି ନିଜକୁ ଭାଗ୍ୟବାନ ମଣୁଥିଲେ।


ଘରକୁ ଫେରିଗଲେ ଦୁହେଁ। ରଶ୍ମି ଘରେ ପଞ୍ଚାନନ ଓ ତା ପ୍ରେମ ତଥା ବାହାଘର କଥା କହିଲା। ଚିହିଁକି ଉଠିଲେ ବାପା ମାଆ। ରାଗରେ ପଞ୍ଚମ। ସେମାନେ ବଡ଼ ଘର। ବନ୍ଧୁ ସମସ୍କନ୍ଦ ଘରେ କରାଯାଏ। 


 ରଶ୍ମି ଆରମ୍ଭକଲା,

ଜାଣିଛ ବାପା, ଏ ମାଆ ଶୁଣ !


ଜୀବନ କଣ?

ଦିନେ ସମୁଦ୍ର କୂଳରେ ଛୋଟ ଶିଶୁଟିଏ ଖେଳୁଥିବା ବେଳେ ସମୁଦ୍ର ତରଙ୍ଗ ଆସି ଶିଶୁଟିର ଚପଲକୁ ସାଥିରେ ନେଇଗଲା। ଶିଶୁଟି ବାଲିରେ ଲେଖିଲା,"ସମୁଦ୍ର ହେଉଛି ଚୋର!"

ଜଣେ ଯୁବକ ସମୁଦ୍ର ଭିତରେ ବୁଡି ମୃତ୍ୟୁବରଣ କରିବା ପରେ ତାର ପତ୍ନୀ ବାଲିରେ ଲେଖିଲା," ସମୁଦ୍ର ହେଉଛି ହତ୍ୟାକାରୀ।"

ଠିକ୍ ଅନ୍ୟ ପାର୍ଶ୍ୱରେ କିଛି ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ବହୁତ ମାଛ ପଡିବାରୁ ଜାଲରେ ଜଣେ ମତ୍ସ୍ୟଜୀବୀ ବାଲିରେ ଲେଖିଲା," ସମୁଦ୍ର ହେଉଛି ମୋ ଖାଦ୍ୟ!"


ତରଙ୍ଗଟିଏ ଆସି ସମସ୍ତଙ୍କ ଲେଖାକୁ ଧୋଇ ନିଜ ସହିତ ନେଇଗଲା। କିନ୍ତୁ ଲୋକମାନଙ୍କ କଥାକୁ ଗ୍ରହଣ କରିନେଲେ ବି କ୍ରୋଧ କରିଲା ନାହିଁ। ଅତି ଶାନ୍ତ ଏବଂ ଧୀର ଭାବରେ ସମସ୍ତଙ୍କ କଥାକୁ ସହଜରେ ଗ୍ରହଣ କରି ଚାଲିଗଲା। କିଛି ଦୂରରେ ଭିକାରୀ ବୁଲୁଥିଲେ। 

ତରଙ୍ଗ ଆସି ସେମାନଙ୍କ ଆଗରେ ମୋତି ଛାଡ଼ିଗଲା। ଭିକାରୀ କହିଲେ,"ସମୁଦ୍ର ଆମ ଦାତା!"


ସମୁଦ୍ର ପରି ଉଦାର ଶାନ୍ତ ଧୀର ଏବଂ ସଭିଙ୍କ କଥାକୁ ଗ୍ରହଣ କରିବା ଶିଖିଲେ ନିଜ ଅସ୍ତିତ୍ୱ ରଖିପାରିବ। ସଭିଙ୍କକଥା ଶୁଣି ନା ଖୁସି ହେବ ନା ଦୁଃଖି। ଏହାହିଁ ଜୀବନ।


ତମେ ରାଜି ହେଲେ ପଞ୍ଚାନନ ତାଙ୍କ ଘରେ ରାଜି କରାଇବେ। ମନାକଲେ ରଶ୍ମି ପରିବାର। ଏକ ତ ଧନୀଘର ପୁଅ, ଦ୍ଵିତୀୟରେ ଜାତିଗତ ସମସ୍ୟା। ଆମେ ଏ ପ୍ରସ୍ତାବରେ ରାଜିନୁହଁ ।


ନଦୀ ପଠାରେ ମନମାରି ବସିଥିଲେ ପ୍ରେମୀଯୁଗଳ। କାରଣ ପଞ୍ଚାନନ ଘରେ ବି ସମାନ ଅବସ୍ଥା। ଅନାନ୍ୟୋପାୟ ହୋଇ ଦୁହେଁ ଘର ଛାଡ଼ି ମନ୍ଦିରରେ ବାହା ହୋଇଗଲେ। ଚାଲିଗଲେ ରାଜଧାନୀ।


ପେଟ ଚାଖଣ୍ଡକ ପାଇଁ ପଞ୍ଚାନନ ମୋଟର ଗ୍ୟାରେଜରେ କାମ କଲେ। ଛୋଟ ଝୁମ୍ପୁଡ଼ି ଘରେ ପ୍ରେମର ବାସ ଥିଲା। ନିଜର ଅଧ୍ୟବସାୟ ତଥା ବିଚକ୍ଷଣ ବୁଦ୍ଧି ବଳରେ ଭଲ ମେକାନିକ ହେବାସହ ପରିବାରକୁ ସୁନ୍ଦର ଭାବେ ସମ୍ଭାଳିନେଲେ ପଞ୍ଚାନନ। ସୁନ୍ଦର ସଂସାର, ଅନାବିଳ ପ୍ରେମ।


ଅଧିକାଂଶ କ୍ଷେତ୍ରରେ ପରିବାରରହିତ ପ୍ରେମବିବାହରେ ବାଧକ ସାଜେ ଆର୍ଥିକ ଅନାଟନ। କିନ୍ତୁ ପଞ୍ଚାନନଙ୍କ ଅଧ୍ୟବସାୟ ଓ ଦୁରଦୃଷ୍ଟି ତଥା ରଶ୍ମିର ଗୃହ ସୁପରିଚାଳନା ଯୋଗୁଁ ସେପରି ବାଧାବିଘ୍ନର ସମ୍ମୁଖୀନ ହୋଇନଥିଲେ ଦୁହେଁ।


ଗଢ଼ିଉଠିଲା ସୁନ୍ଦର ସଂସାର, କାଜଲ ଜନ୍ମପରେ ବଢ଼ି ଚାଲିଲା ସଂସାର। ସଂଧ୍ୟା ସମୟ। ପଞ୍ଚାନନ କଫିକପ ଧରୁ ଧରୁ କହିଲେ, ବୁଝିଲ ରଶ୍ମି ! ଆମ ଗେରେଜର ନକୁଳ ଚାରିତ୍ରିକ ଦୁର୍ବଳତା ସନ୍ଦେହରେ ତା ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା। ଗଲାସନ ବାହା ହୋଇଥିଲା। ମଦ ନିଶାରେ ମତାଲ ହୋଇ ସ୍ତ୍ରୀକୁ ମାରି ନିଜେ ଆତ୍ମହତ୍ୟା କଲା। ଘରର ଏକମାତ୍ର ରୋଜଗାରିଆ ପୁଅ। ଏସବୁ ଭଗବାନଙ୍କ ନିଃଶବ୍ଦ ପ୍ରହାର।

ପୂର୍ବଜନ୍ମର କୃତକର୍ମର ଫଳ।


ରଶ୍ମି କହିଲା, ଛାଡ ସେସବୁ ଭାବ ନାହିଁ। ଆପଣା କଲା କର୍ମମାନ , ବେଳହୁଁ ହୁଅ ସାବଧାନ। ଆମେ ଭାଗ୍ୟବାନ।  


ସମୟର ଚକ ଗଡି ଚାଲିଲା। 


ପଞ୍ଚାନନ ସମ୍ପତ୍ତିର ଅଧିକାରୀ ହେଲା। ଝିଅ କାଜଲ ଫାର୍ମାସିଷ୍ଟ ପଢାସାରି ଚାକିରି କଲା। ପଞ୍ଚାନନ କହୁଥିଲେ, ରଶ୍ମି ! ପ୍ରକୃତରେ ଆମେ ଭାଗ୍ୟବାନ। ସୁନ୍ଦର, ଚାକିରିଆ ଝିଅ, ଛୋଟ ସଂସାର। ଏସବୁ ଆମ ଦୁହିଁଙ୍କ ପୂର୍ବଜନ୍ମ ସୁକୃତର ଫଳ।


ହଠାତ ଦିନେ ......


ଝିଅପାଇଁ ବାହାଘର ପ୍ରସ୍ତାବ ଆଣିଲେ ପଞ୍ଚାନନ। କାଜଲର ମତାମତ ଲୋଡିଲେ। କାଜଲ କହିଲା ବାପା ! ତମେ ମୋ ଗୁରୁ। ନିଶ୍ଚୟ ମୋ ମଙ୍ଗଳ ଚିନ୍ତା କରିବ। ତମେ ଯେଉଁଠି ଠିକ୍ ଭାବିବ ମୁଁ ରାଜି। ଖୁସିରେ ଗଦଗଦ ହୋଇ ଉଠିଲେ ପଞ୍ଚାନନ।


ମନେମନେ ଭାବୁଥିଲେ, କିଏ କୁହେ ପ୍ରେମ ଓ ପ୍ରେମବିବାହ ଅସଫଳ। ମୋ ସଂସାର କେତେ ସଂସ୍କାରୀ। ବାହାଘର ଦିନ ଧାର୍ଯ୍ୟ ହେଲା। ଘରେ କୋଳାହଳ। ଖୁସିର ଆସର।


ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ।

 

ହଠାତ କାର୍ଯ୍ୟରତ ଅବସ୍ଥାରେ ହୃଦଘାତରେ ପ୍ରାଣବାୟୁ ଉଡିଗଲା କାଜଲର। ପଞ୍ଚାନନ ଓ ରଶ୍ମି ଭାଙ୍ଗି ପଡ଼ିଲେ। ସମୟ ସବୁଥିରେ ମଲମ ଲଗାଇଥାଏ। ଅସଜଡା ସଂସାର ସଜାଡି ଅଣ୍ଟା ସଳଖିଲେ ପଞ୍ଚାନନ। ସ୍ତ୍ରୀଙ୍କୁ ବୁଝାସୁଝା କଲେ।


ସାବିତ୍ରୀଅମାବାସ୍ୟା ଉପନୀତ ହେଲା। ପଞ୍ଚାନନ ରଶ୍ମିକୁ କହିଲେ, ଶୁଣ ରଶ୍ମି ! ଆସନ୍ତାକାଲି ସାବିତ୍ରୀ। ରଶ୍ମି କହିଲେ, ହେଲେ କା.. ଜ.. ଲ !


ଆମେ ସେଇଦିନ ଘରଛାଡ଼ି ମନ୍ଦିରରେ ବାହା ହୋଇଥିଲେ। ସେଦିନ କାଜଲ ନଥିଲା। ଥିଲେ ଆମେ ଦୁହେଁ। ତେଣୁ ପୁରୁଣା କଥା ଭୁଲି ଆସନ୍ତାକାଲି ପାଇଁ ପ୍ରସ୍ତୁତ ହୁଅ। ହଁ ଭରି ଶୋଇଗଲେ ସ୍ଵାମୀ ସ୍ତ୍ରୀ।


ସକାଳ ହେଲା। ସବୁଦିନ ପରି ସୂର୍ଯ୍ୟ ଉଇଁଲା। ସାଇଭାଇଙ୍କ ହୁଳହୁଳି ଶୁଭିଲା। ହେଲେ ଆଉ ଉଠିଲେନି ରଶ୍ମି। ତକିଆତଳୁ ଉପହାର ଦେବା ପାଇଁ ଲୁଚେଇ ରଖିଥିବା ମଙ୍ଗଳସୂତ୍ର ଓ ମୁଦି ବାହାର କରି କୋକେଇ ସଜାଡୁ ସଜାଡୁ ପଞ୍ଚାନନ କହୁଥିଲେ, ଭଗବାନ ! ତମ ଲୀଳା ବିଚିତ୍ର। ତମ ନିଃଶବ୍ଦ ପ୍ରହାର ନା ଭାରି ଅସହ୍ୟ।


Rate this content
Log in

Similar oriya story from Romance