ନାତୁଣୀ ଲୋ
ନାତୁଣୀ ଲୋ
ରେଶମ ସହର ବ୍ରହ୍ମପୁର ଓ ମନ୍ଦୀରମାଳିନୀ ଭୁବନେଶ୍ବରର ମଝିଆମଝି ଅବସ୍ଥିତ ବାଲୁଗାଁ। ମାମୁଁ ଭଣଜା ପାହାଡର ପେଟଚିରି ଜନ୍ମ ନେଇଛି ବାଲୁଗାଁ। ଗାଆଁରୁ ସହର। ଅଧୁନା ପାଖାପାଖି ପନ୍ଦରହଜାର ଜନସଂଖ୍ୟାର ସହର।
ବାଲୁଗାଁ କଲେଜର ଛାତ୍ରୀ ଅନ୍ୱେଷା। କାଲିର ଗାଆଁ ଆଜିର ସହର ହେଲେ ବି ଜାତୀୟ ରାଜପଥର ପ୍ରଦୂଷଣରୁ ମୁକ୍ତିପାଇଁ ମାମୁଁ-ଭଣଜା ପାହାଡ ପାଖକୁ ଯାଇ ସମୟ ବିତେଇବାକୁ ଭଲପାଏ ଝିଅଟି।
ଆଜିକାଲିର ପୁଅଟିଏ ଚାଲି ଶିଖୁଶିଖୁ ଖୋଜେ ପ୍ରେମିକା। ସତେ ଯେମିତି ବିନା ପ୍ରେମିକାରେ ଜୀବନ ଅଧା। ଆଗରୁ ଅଛି :----
ଜନନୀ ଜନ୍ମ ଭୁମିଶ୍ଚ ସ୍ୱର୍ଗାଦପି ଗରୀୟସି।
ଅଧୁନା:-----
ପ୍ରେମିକା, ପ୍ରେମପ୍ରଣୟଶ୍ଚ ସର୍ବୋପରି ଗରୀୟସି।
ଦିଲ୍ଲୀପ ବା ସେଥିରୁ ବାଦ୍ ପଡନ୍ତା କେମିତି ? ବାଲୁଗାଁ ପାଖ ନାଚୁଣୀରେ ଫଟୋ ଷ୍ଟୁଡିଓ। ସଂଯୋଗବଶତଃ ଫଟୋସୁଟ ପାଇଁ ମାମୁଁଭଣଜା ପାହାଡକୁ ଯାଇଥିବା ଦିଲ୍ଲୀପର ଦେଖା ଅନ୍ୱେଷା ସହ। ଦେଖୁଦେଖୁ ରୋମିଓ ମନରେ ପ୍ରେମର ଜୁଆର। ଟିକେ ଗପସପ ଭିତରେ ଦିଲ୍ଲୀପ ସବୁ ଜ୍ଞାତ ହୋଇଯାଏ ଅନ୍ୱେଷା ବିଷୟରେ। ଚୁପଚାପ ଫଟୋଦୁଇଟା ବି ନେଇଯାଏ ଦିଲ୍ଲୀପ। ଅନଭିଜ୍ଞ ଝିଅଟି ପାହାଡଉପରେ ତାର ପଢାପଢିରେ ମନୋନିବେଶ କରେ।
ଦିଲ୍ଲୀପ ତାର ସାଙ୍ଗ ଚାଟବାଲା ଚକରା, କୁଜି ସାମ୍ବାଦିକ ନରିଆକୁ ଫଟୋଦେଖାଇ ପ୍ରେମକଥା କୁହେ। ସେମାନେ କୁହନ୍ତି, ଆରେ ସେ ଝିଅକୁ ଆମେ ଜାଣିଛୁ, ଶାନ୍ତ, ସରଳ ଓ ଭଲପରିବାରର। ତୁ ଶଳା ଗଉଡ, ସେ ବ୍ରାହ୍ମଣ।
ଦିଲ୍ଲୀପ :-- ପ୍ରେମ ମାନେନାହିଁ କଣ୍ଟାଝଣ୍ଟା, ଜାତିଗୋତ୍ର। ଝିଅଟି ବି ମୋ ପ୍ରେମରେ ପାଗଳ ବେ।
ନରିଆ :-- ଆବେ ସମ୍ବାଦପତ୍ର କାହାଣୀପରି କଣ ସବୁ ଗପିଯାଉଛୁ ? ଗୋଟିଏ ଦେଖାରେ ପ୍ରେମ ? ସେଇଟା ପ୍ରେମ ନା କାମ ??
ଚିଡିଉଠି ଦିଲ୍ଲୀପ ସେ ସ୍ଥାନ ପରିତ୍ଯାଗ କରି ଚାଲିଗଲା। ପ୍ରତିଦିନ ଅନ୍ୱେଷାକୁ କୌଣସି ନା କୌଣସି ବାହାନାରେ ବାଟଓଗାଳି କଥା ହେଉଥିଲା ଦିଲ୍ଲୀପ। ଧିରେଧିରେ ଅନ୍ୱେଷା ଜାଣିପାରିଲା ଦିଲ୍ଲୀପର ଉଦ୍ଦେଶ୍ଯ। ମନେମନେ ନିଜକୁ ଗାଳିଦେଉଥିଲା ଅନ୍ୱେଷା ନିଜେ କରିଥିବା ଭୁଲ୍ ପାଇଁ। ତାକୁ ବାରମ୍ବାର ଫୋନକରି କଥାହେବାକୁ ଚେଷ୍ଟିତ ଥିଲା ଦିଲ୍ଲୀପ। ସତରେ କେଡେ ବୋକି ଓ ସରଳବିଶ୍ୱାସୀ ସେ। ଅଜଣା ଅଶୁଣା ପୁଅଟାକୁ ଫୋନ ନମ୍ବର ଦେଇ ସେ ବିରାଟ ଭୁଲ୍ କରିଛି।
ରାତି ବାରଟା ....... ବଟାନୀର ଅବୁଝାପାଠଟିକୁ ବୁଝିନପାରି ବହି ବନ୍ଦ କରିବା ସମୟରେ ମୋବାଇଲର ଟେଁ ଟେଁ ଶୁଣି ନଜର ପକେଇଲା ଅନ୍ୱେଷା। ଦିଲ୍ଲୀପର ଭିଡିଓ; ଓଡିଆ ପ୍ରେମ-ସଙ୍ଗୀତ ସମ୍ରାଟ ହ୍ୟୁମେନସାଗରଙ୍କ ସଙ୍ଗୀତର ତାଳେତାଳେ ନୃତ୍ୟ। ହସିଉଠିଲା ଅନ୍ୱେଷା। ଧନ୍ୟରେ ରୋଡସାଇଡ ରୋମିଓ, ଧନ୍ୟ ତୁମର ପ୍ରେମର ପରିଭାଷା। ଚମକି ଉଠିଲା ଅନ୍ୱେଷା ! ତାପରେ ପରେ ପାଞ୍ଚଟି ଭାଷାରେ ମୁଁ ତୁମକୁ ଭଲପାଏ ଲେଖିଛି ସେ ଶଳା ! ତା ପରଠୁଁ ପ୍ରେମିକ ପ୍ରବର ଦିଲ୍ଲୀପର ସାହସ ବଢିଗଲା। ରାସ୍ତାଘାଟରେ ପ୍ରେମ ନିବେଦନ କରିବାପାଇଁ ବି ପଛେଇଲା ନାହିଁ ସେ। ଭୟ ପାଇଗଲା ଅନ୍ୱେଷା। ପାହାଡ ଉପରକୁ ଯିବା ବନ୍ଦ କଲା। ଭୟ କରୁଥିଲା କାଳେ ଏସିଡ୍.....! ଆଜିକାଲିର ସରଳ ଓ ସହଜ ବ୍ଯର୍ଥ ପ୍ରେମର ପରବର୍ତ୍ତୀ ପର୍ଯ୍ୟାୟ ଏସିଡ୍ ନଚେତ୍ ଧର୍ଷଣ। ସେଇଥିପାଇଁ ଅନଲାଇନ ବନ୍ଦ କରିପାରୁନଥିଲା। ଯେତେ ମନା କଲେ ବି ଦିଲ୍ଲୀପ ନଛୋଡବନ୍ଧା।
ସଂସ୍କାରୀ ଝିଅଟି ଚିନ୍ତାକଲା, ନେଡିଗୁଡ କହୁଣୀକୁ ବୋହିଯିବା ଆଗରୁ ଘରେ ସମସ୍ତ ବିଷୟ ଅବଗତ କରାଇଦେବା ଉତ୍ତମ ହେବ। ଅନ୍ୱେଷା, ତିନିଭାଇ ଓ ବାପାମାଆ ସବୁ ଶୁଣିଲେ। ଅନ୍ୱେଷାକୁ ସାନ୍ତ୍ୱନା ଦେଲେ।
ଭାଇମାନେ ବୁଝେଇଲେ ଭୟ କରେନା ଝିଅ, ଏସିଡମାଡ କି ଧର୍ଷଣ ସହଜ ନୁହେଁ। ଯେଉଁ କ୍ଷେତ୍ରରେ ଏପରି ହୁଏ, ସେଇଠି ଜାଣତରେ ହେଉ ବା ଅଜାଣତରେ ହେଉ ଝିଅଟିର ସମ୍ୟକ ଭୁଲ ଥାଏ। ପାଠରେ ପଢିନାହୁଁ କି ?
"ବୁଝିବିଚାରି କାମକଲେ ପ୍ରମାଦ ନପଡଇ ଭଲେ।"
ଶାନ୍ତିରେ ହସୁଥିଲା ଅନ୍ୱେଷା। ସତରେ ସେ ବେଳହୁଁ ସାବଧାନ ହୋଇନଥିଲେ ହୁଏତ ଅଘଟଣ ଘଟିଥାଆନ୍ତା। ଆଜିକାଲି ସବୁ ଭେଜାଲ। ଶେଷରେ ପ୍ରେମ ବି ଭେଜାଲ କରିଦେଲେ ଏଇ ଯୁବକାମୁକ, ନାରୀପିପାସୁ ଦିଲ୍ଲୀପମାନେ। ଭାଗ୍ୟଭଲ, ତା ଚେହେରା, ତା ଠାଣିରେ ପ୍ରଭାବିତ ହୋଇନାହିଁ ସେ।
ଘରଲୋକ ଅନୁରୋଧକଲେ ସେ ଦିଲ୍ଲୀପକୁ ଘରକୁ ଡାକ୍। ଚମକି ଉଠିଲା ଅନ୍ୱେଷା। ଭାଇମାନେ କହିଲେ, ତାକୁ ଭଦ୍ରାମୀରେ କହିବୁ ଘରଲୋକ କଥାହେବାକୁ ଡାକିଛନ୍ତି। ହଁ ଭରିଲା ଅନ୍ୱେଷା ଓ ସେଇୟା ହିଁ କଲା।
ଦିଲ୍ଲୀପ :-- (ପତ୍ରକାର ସାଙ୍ଗ ନରିଆକୁ ) ଆବେ, ଟୋକିଟା ଫସିଗଲା ବେ। ଆଜି ଘରକୁ ଡାକିଛି। ଘରଲୋକଙ୍କୁ ହଁ ଭରିଦେବି। ଅନ୍ୱେଷା ତ ପଟିଯାଇଛି। ମାମୁଁଭଣଜା ପାହାଡ ଉପରେ ଦେଶୀ ଚିକେନ ବେ।
ନରିଆ : ଆମକୁ ଚାଖିବାକୁ ମିଳିବ ନା।
ଦିଲ୍ଲୀପ କହିଲା- ନିଶ୍ଚୟ।
ବାଲୁଗାଁ ବଜାରରୁ ଭଲଜାମା, ପ୍ରଶାଧନ ସାମଗ୍ରୀକିଣି ପ୍ରସ୍ତୁତ ହୋଇଗଲା ଦିଲ୍ଲୀପ। ଛୋଟ ସହର। ଘର ପାଇବାରେ ଅସୁବିଧା ହେଲାନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଗଲେ ନରିଆ ଓ ଦିଲ୍ଲୀପ। ଅନ୍ୱେଷା ଘର ପ୍ରସ୍ତୁତି ସରିଥିଲା। ଜଳଯୋଗ ବି ସରିଲା। ତାପରେ ଆରମ୍ଭ ହେଲା ବର୍ଷଣ। ନରିଆ ବୋଉଲୋ, ବାପାଲୋ ରଡି ଛାଡିଲା ଓ କ୍ଷମା ମାଗି ଅନ୍ୱେଷାର ଗୋଡଧରି ଭଉଣୀ କହିଲା। ତାପରେ ଦିଲ୍ଲୀପର ଚଷମା ଓହ୍ଲେଇ ମାଡ। ରକ୍ତାକ୍ତ ଶରୀର। ନିଜ ମନକଥା ମାନିଗଲା ଦିଲ୍ଲୀପ। ଅନ୍ୱେଷାଘର ଲୋକ ଡେଟଲ, ନିଉସପ୍ରିନ ଲଗାଇ ଚିକିତ୍ସା କରିଦେଲେ। ଚଷମା ଓ ସାର୍ଟ ପିନ୍ଧାଇଦେଲେ। ଦିଲ୍ଲୀପ କହିଲା, ଭାବିଥିଲି ପ୍ରେମର ବାହାନା କରି ମନେଇନେଇ ଝିଅଟିକୁ ସମ୍ଭୋଗକରିବାର ଲାଳସାରେ ହିତାହିତ ଜ୍ଞାନ ଭୁଲିଯାଇଥିଲି। ହେଲେ ଏମିତି ଭଦ୍ରମାଡ ମନୁଷ୍ଯର ଜ୍ଞାନୋଦୟ କରିଦିଏ, ତାହା ଅଙ୍ଗେ ନିଭେଇଲି। ଏତିକି ଶିଖିଲି ଅନ୍ୱେଷା ଭଉଣୀପରି ଦୃଢମନା ତଥା ପରିବାରର ବିଶ୍ବାସ, ଭରସା ଓ ସମର୍ଥନ ଥିଲେ ମୋ ପରି ପ୍ରେମିକମାନେ ଭଦ୍ରମାଡରେ ସିଧା ହୋଇଯିବେ। ଏସିଡମାଡ, ଧର୍ଷଣଠାରୁ ଭାରୀ ପଡିଯିବ ଭଦ୍ରମାଡ।
ପ୍ରେମ ଫୁସ୍ ହେଇଗଲା। ଜନ୍ମ ଜନ୍ମାନ୍ତର ସାଥି ହେବାର ପ୍ରତିଶ୍ରୁତି ପବନରେ ମିଳେଇଗଲା। କ୍ଷମା କର ଭଉଣୀ, ଆଉ କେବେ କୌଣସି ଝିଅ ସହ ଏମିତି ଖେଳ ଖେଳିବାର ସାହସ କରିବିନାହିଁ। ମୋ ଦୋକାନ ଭଲ ତ ମୁଁ ଭଲ। ଭଦ୍ରମାଡ ଶିଖେଇଦେଲା ପ୍ରେମର ପରିଭାଷା। ।

