Rasmita Dixit

Romance

1.0  

Rasmita Dixit

Romance

ମୁଁ ତୁମକୁ .......

ମୁଁ ତୁମକୁ .......

8 mins
403


ମୁଁ ତୁମକୁ ...........

( ଭିନ୍ନ ଏକ ପ୍ରେମ କାହାଣୀ ) 

 

 -- ନାନୀ ! କଣ ଲେଖୁଚୁ ? 

 -- ଚିଠି 

 -- କାହାକୁ ? 

 --- କାହାକୁ ନୁହେଁ - - -

 -- ତାହେଲେ କାହିଁକି ଲେଖୁଚୁ ? ଚିଠି ତ କାହାକୁ ଦବୁନି ।

-- ମୋ ଇଚ୍ଛା ଯା ପଳା ଏଠୁ !! ରାଗିକି କହେ ମୋ ନାନୀ , ମୋ ସୁଲୁ ନାନୀ , ମିସ ସୁଲଗ୍ନା ଦାସ ଓରଫ  ଶ୍ରୀମତୀ ସୁଲଗ୍ନା ମହାପାତ୍ର । 


      ବଡ଼ବାପାଙ୍କର  ବଡ ଝିଅ , ମୋଠୁ ପନ୍ଦର ବର୍ଷ ଖଣ୍ଡେ ବଡ଼ ହେବ । ପାଖ ଗାଁ ସ୍କୁଲ ରେ ଚାକିରୀ କରିଛି । ବାହା ହେଇଚି ନାନୀ ହେଲେ ସିଏ କେବେ ଶାଶୁ ଘରକୁ ଯିବା ମୁଁ ଦେଖିନି । କିନ୍ତୁ ସବୁ ବେଳେ ତା ମଥାରେ ସିନ୍ଦୁର , ହାତରେ ଶଙ୍ଖା ଥାଏ । ସବୁ ସ୍ତ୍ରୀ ଲୋକଙ୍କ ପରି ସେ ମଧ୍ୟ ସବୁ ନିୟମ ପାଳନ କରେ । ସାବିତ୍ରୀ ବ୍ରତ କରେ ।  ମୁଁ ବୁଝିପାରେନି ନାନୀ ଶାଶୂଘର କୁ ନ ଯାଇ ଏଠି କାହିଁକି ରହେ । ମୋ ଛୋଟିଆ ମୁଣ୍ଡରେ ସେତେବେଳେ ଏତେକଥା ପଶିବାର ବୟସ ହେଇ ନଥାଏ ।

    

      ଖରା ଛୁଟି ରେ ଗାଁ କୁ ଆସିବା ମୋ ପାଇଁ କେଉଁ ପିକନିକ ଠୁ କମ ନଥିଲା । ଏକ ପ୍ରକାର ବନ୍ଦୀ ଜୀବନରୁ ମୁକ୍ତି ମିଳେ ଯେମିତି । ବାପା ଚାକିରିଆ ତେଣୁ ଆମେ ରହୁ ଚାକିରୀ ଜାଗାରେ । ହେଲେ ପୂଜା ପାର୍ବଣ ରେ ଗାଁ କୁ ଆସିବା ଏକପ୍ରକାର ସ୍ଥିର ନିଶ୍ଚିତ । ସେତିକି ଦିନ ସମୟ ଡେଣା ଲଗେଇ ଉଡ଼ି ଯାଏ । ବହି ପଢ଼ିବାର ସଉକ ଖୁବ ଥିଲା ମୋର ଆଉ ନାନୀ ପାଖରେ ପ୍ରଚୁର ଗପ ବହି । ଲୁଚେଇ ଲୁଚେଇ ସେଥିରୁ ଖଣ୍ଡେ ନେଇ ଧାନ ଗଦା କଡ଼ରେ କି ଅଧା ତିଆରି କାନ୍ଥ ମୂଳେ ପଢିବା ଆଉ ଯଥାରୀତି ତା ସ୍ଥାନରେ ରଖିଦେବା ଏତକ କାମ ଭାରି ସତର୍କତା ର ସହ କରିବା ମତେ କୌଣସି ରାଜ୍ୟ ଜୟ ଠାରୁ କମ ଲାଗେନି ।

       ପ୍ରଶସ୍ତ ଅଗଣାରେ ଏକାଠି ଖାଇ ବସୁ ସବୁ ଭାଇ ଭଉଣୀ ମୁଢି ନଡିଆ ସନ୍ଧ୍ୟା ବେଳେ । ସେତେବେଳେ ଆମ ଗାଁ କୁ କରେଣ୍ଟ ଆସିନଥାଏ । ଡିବି , ଲଣ୍ଠନ ଆଲୁଅ ,ରାତିର ତାରା ଭର୍ତ୍ତି ଆକାଶ ଦେଖି ଦେଖି ଭୁତ କାହାଣୀ ଶୁଣିବା , ଶୀଘ୍ର ଶୋଇପଡିବା ଖାଇ ସାରି ଏସବୁ ଭାରି ମଜାଦାର ଥିଲା । ରାତିରେ ଏକାଠି ଖାଇ ବସିଲା ବେଳେ ସୁଲୁ ନାନୀ ପାଖରେ ମୁଁ ଖାଏ । ତାର ଗୋଟିଏ କାରଣ ଥିଲା । ସବୁ ଭଲ ଜିନିଷ ନାନୀକୁ ଆଗ ଦିଆ ହୁଏ । ତେଣୁ ମୁଁ ନସର ପସର ହୁଏ ସେଇଠି । ହେଲେ ବେଳେବେଳେ ମୁଁ ଦେଖେ ସମସ୍ତଙ୍କ ଅଜାଣତରେ ବଦବୋଉର ଆଖି ଓଦା ହେଇଯାଏ । କିନ୍ତୁ ପୋକ ପଡ଼ିଗଲା କହି ଚଟ କରି ପୋଛିନିଏ ବଡ଼ବୋଉ । ସେଇ ପିଲାବେଳେ ଏସବୁ କୁ ଧ୍ୟାନ ଦେଇ ଗୁରୁତ୍ୱ ଦେବା ସମ୍ଭବ ନଥିଲା । ଛୁଟି ସରିଗଲେ ବସା ଘରକୁ ଫେରି ଆସୁ ଆମେ । ଅତଏବ ସୁଲୁ ନାନୀ କଥା ମୁଁ ଭୁଲିଯାଏ । 


        ଧୀରେ ଧୀରେ ସମୟ ଗଡ଼ିଲା । ମୁଁ କୈଶୋର ରୁ ଯୌବନ ରେ ପାଦ ଦେଲି । ମୋର ବିବାହ ମଧ୍ୟ ହେଇଗଲା । ସୁଲୁନାନୀର ରହସ୍ୟ ବିଷୟରେ କେବଳ ଏତିକି ଜାଣିପାରିଥିଲି । ନାନୀ ବିବାହର ସାତ ଦିନ ପରେ ଅଷ୍ଟମଙ୍ଗଳା ଦିନ ଆସିଥିଲା ଯେ ଆଉ ଯାଇନି । ଚୁପ୍ ଚୁପ ବୋଉ କହିଥିଲା ନାନୀ ରଙ୍ଗ କଳା ବୋଲି ନାନୀର ବର ଜାଣିପାରିନାଥଲେ । ଯଦିଓ ସେ ଦେଖିବାକୁ ଆସିଥିଲେ ହେଲେ ଡିବି ଆଲୁଅରେ ଆଉ କେଇଟି ଝିଅଙ୍କ ଭିତରେ ଜାଣିପାରିନଥିଲେ। ଦିଆ ଯାଇଥିବା ଫୋଟୋ ନାନୀର ନୁହେଁ ତା ତଳ ଭଉଣୀର ଥିଲା । ବାସ , ଆଉ କେହି କିଛି ଜାଣି ନାହାନ୍ତି । ନାନୀର ବର ଆଉ ଗୋଟିଏ ବିବାହ କରିଛନ୍ତି , ନାନୀ କୁ ବହୁବାର ଫେରେଇ ନବା ପାଇଁ ଆସି ନିରାଶ ହେଲା ପରେ ।  

 

        ଭାରି ହେଇପଡ଼େ ହୃଦୟ ମୋର । ଗୋଟିଏ ଅସ୍ୱାଭାବିକ ପୀଡା ଅନୁଭବ କରେ । ସମବେଦନାର ସ୍ରୋତ ଟିଏ ଝରିଯାଏ ଭିତରେ । ଇଚ୍ଛା ହୁଏ ସେଇ ମୁହୁର୍ତ୍ତରେ ନାନୀ କୁ ଶଙ୍ଖା , ସିନ୍ଦୁର ର ବନ୍ଧନ ରୁ ମୁକ୍ତ କରିଦେବାକୁ ।


         ଅନେକ ଦିନ ବିତି ଯାଇଥିଲା । ହଟାତ ଦିନେ ଖବର ପାଇଲି ନାନୀ ଦେହ ଭୀଷଣ ଖରାପ । ତାକୁ କ୍ୟାନ୍ସର ହୋଇ ସାରିଥିଲା । ରୋଗ ଚତୁର୍ଥ ପର୍ଯ୍ୟାୟରେ । ଶାଶୂଘରେ ଜଣାଇ ସ୍ୱାମୀଙ୍କୁ ସାଙ୍ଗରେ ନେଇ ବାହାରି ପଡିଲି ଗାଁକୁ । ପହଂଚି ଦେଖିଲି ଘରେ ବହୁତ ଲୋକ ଜମା ହେଇଥାନ୍ତି । ନାନୀ କିନ୍ତୁ ଲୋକ ଚିହ୍ନିପାରୁନଥାଏ । ଶେଜରେ ମିଶିଯାଇଥାଏ ଯେମିତି । କିନ୍ତୁ ତା ମଥାରେ ସିନ୍ଦୁର ଆଉ ହାତର ଶଙ୍ଖା ସେମିତି ଅତୁଟ ଥାଏ । ନାନୀର ପାଦ ପାଖରେ ବସଥିବା ବ୍ୟକ୍ତି ଜଣକୁ ମୁଁ ଆଗରୁ କେବେ ଦେଖିନଥିଲି । ସାଥିରେ ତାଙ୍କର ସ୍ତ୍ରୀ ଓ ପୁଅ । ପଚାରି ବୁଝିଲି ସେଇ ଜଣକ ନାନୀର ବର , ମୋ ଭାଇନା । ଅସୀମ ବିରକ୍ତି ଓ ବିଦ୍ୱେଷ ରେ ମୁହଁ ବୁଲେଇ ନେଲି ମୁଁ । ରଙ୍ଗ କଳା ବୋଲି ସ୍ତ୍ରୀକୁ ଛାଡିଦେଇଥିବା ବ୍ୟକ୍ତି ଜଣକ ମୋ ଦୃଷ୍ଟିରେ ଅମଣିଷ ଥିଲା ।


        ରହିବାର ଦୁଇ ଦିନପରେ ନାନୀ ଶେଷ ନିଶ୍ୱାସ ତ୍ୟାଗ କଲା । ମତେ ସେଇଠି ଛାଡ଼ିଦେଇ ଆସିଥିଲେ ଶୁଭେନ୍ଦୁ ( ମୋ ସ୍ୱାମୀ ) .। ଗୋଟିଏ ସାଧବା ନାରୀ ,ଅହ୍ୟ ସୁଲକ୍ଷଣି ର ସମସ୍ତ ମର୍ଯ୍ୟାଦା ଦେଇ ସୁଲୁନାନୀ ର ଶବ ସତ୍କାରକରା ଗଲା ।

ବିଧି ମୁତାବକ ଭାଇନା ଓ ତାଙ୍କ ପୁଅ  ସମସ୍ତ କାର୍ଯ୍ୟ କଲେ । 


          ଚୁନ ଧଉଳା ପାଇଁ ନାନୀ କୋଠରୀ ରୁ ସବୁ ଜିନିଷ କଢା ହେଲା । ଅମୂଲ୍ୟ ନିଧି ଥିଲା ପରି ଚାବି କୁ ସବୁବେଳେ ପାଖରେ ରଖୁଥିବା ଆଲମାରି ଖୋଲା ହେଲା , ଯାହା ସେ କାହାକୁ ଖୋଲିବାକୁ ଦେଉ ନଥିଲା । ଆଲମାରୀ ଥାକରୁ ତାର ଲୁଗାପଟା ସହ ଅନେକ ପୁରୁଣା ଜିନିଷ , ବଉଳ ପାଟ , ବାହାଘର ଶାଢ଼ି, ଗହଣା ଅତି ଯତ୍ନର ସହ ରଖା ଯାଇଥିଲା । ସେସବୁକୁ ନାନୀ ଆଉ କେବେ ବ୍ୟବହାର କରିବାର ଅବକାଶ ପାଇ ନଥିଲା । ସବୁ ଜିନିଷ ଭିତରୁ ମୁଁ ଉଠାଇ ଆଣିଲି ନାଲି ରଙ୍ଗର ଚମଡା ସୁଟ୍କେଶ ଟିକୁ । ଯାହାକୁ ସିଏ ହାତବାକ୍ସ ଭାବେ ଶାଶୁଘରକୁ ନେଇଥିଲା ବୋଲି କହୁଥିଲା ବୋଉ ।

  

    ସାମାନ୍ୟ କଳଙ୍କି ଲାଗିଯାଇଥିବା ସୁଟ୍କେଶ ର ତାଲା ଖୋଲିଗଲା ପରେ ଆମ ପାଇଁ ଅପେକ୍ଷା କରିଥିଲା ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ । ତା ଭିତରେ ଅତି ଯତ୍ନର ସହ ରଖାଯାଇଥିଲା ପଇଁଚାଳିଶି ଟି ଚିଠି , ଯାହା ମୁଁ ଗଣି ଦେଖିଲି ।       ପ୍ରାୟ ପ୍ରତିବର୍ଷ ଗୋଟିଏ ଚିଠି ଲେଖା ହୋଇଛି । ମନେ ପଡିଗଲା ପିଲାଦିନେ ମୁଁ ଦେଖିଥିବା ଦୃଶ୍ୟ .... ନାନୀର ଚିଠି ଲେଖିବା । ତେବେ କାହା ପାଇଁ ଥିଲା ସେ ଚିଠି ଖୋଲି ଦେଖିଲି ଗୋଟି ଗୋଟି । ସବୁ ଚିଠିରେ ଗୋଟିଏ ସମ୍ବୋଧନ ପ୍ରିୟତମ' ସୁ ' ........ ପଢିବାକୁ ଲାଗିଲି ଅକୁହା କାହାଣୀଟିଏ ।

  ପ୍ରିୟତମ " ସୁ" ,

          ଆଜି ଆମର ବିବାହ ବାର୍ଷିକୀ । ତୁମେ ଭୁଲି ଯାଇଥିବ ହେଲେ ମୁଁ ଭୁଲିନି । ଯେଉଁ କାମନା ଓ ଇପ୍ସିତ ଆକାଂକ୍ଷା ନେଇ ମୁଁ ଭରସାର ହାତ ଧରି ତୁମ ପଛେ ପଛେ ଚାଲି ଯାଇଥିଲି ବଧୁ ବେଶରେ  ,ଆଡେଇ ଦେଇ ଗଲାପରେ ତୁମର କଣ ଭାବାନ୍ତର ସୃଷ୍ଟି ହେଇ ନଥିଲା ? 

         ମହମହ ମହକୁ ଥିବା ରାତ୍ରୀଟିରେ ତୁମ ପଥ ଚାହିଁ ଅପେକ୍ଷା କରିଥିବା ତୁମର ପତ୍ନୀଟି କେତେବେଳେ ଘୁମେଇ ପଡ଼ିଥିଲା ତୁମେ ଆସିଲ --- ପାଦ ଛୁଇଁବା ପାଇଁ ବଢ଼ାଇଥିବା ହାତଦୁଇଟିକୁ ଉଠାଇବା ପାଇଁ ଯାଉ ଯାଉ ହଠାତ ଅଟକି ଗଲ ତୁମେ । ଝଡ଼ ପରି ବାସର କକ୍ଷ ତ୍ୟାଗ କରି ଚାଲିଗଲ । କଣ ଘଟିଲା ବୁଝିବା ପୂର୍ବରୁ ମୁଁ ଅର୍ଦ୍ଧମୂର୍ଛିତ ଭାବେ ଆଶ୍ରା ନେଲି ଖଟ ଗୋଡ଼ ପାଖରେ । ସେଇ ରାତ୍ରିର ଅଭିସାର ଆଶା ମୃତ୍ୟୁ ବରଣ କଲା ପ୍ରତ୍ୟାଖ୍ୟାନର ପୀଡ଼ାରେ । ମୁଁ ଜାଣିପାରିଲିନାହିଁ ମୋର ଭୁଲ କଣ ? 


        ଅଷ୍ଟମଙ୍ଗଳା ଦିନ ଏକା ଫେରିଆସିଲି ଆମ ଘରକୁ । ଏଠି ଖବର ପାଇଲି ତୁମେ ଫେରିଯାଇଛ କାର୍ଯ୍ୟକ୍ଷେତ୍ର କୁ । କାଳୀ ଝିଅଟି ସହ ସଂସାର କରିପାରିବନି ବୋଲି ରୋକଠୋକ ଜଣାଇ ଦେଇଥିଲ। ତୁମକୁ ଠକି ଦିଆଯାଇଥିଲା ଭୁଲ ଫୋଟୋ ଓ ଝିଅ ଦେଖାଇ ହେଲେ ସେଥିରେ ମୋର ଭୁଲ କଣ ଥିଲା

ବାପା ମାଆଙ୍କର ଅବିମୃଶ୍ୟକାରିତା ପାଇଁ ତମେ ମତେ କାହିଁକି ଦଣ୍ଡ ଦେଲ  


    ହଁ , ମୁଁ କଳା । କାଳୀ ବୋଲି ମୁଁ କଣ ଅନ୍ୟ ଝିଅଙ୍କଠୁ କମ ନା , ମୋର ଦେହ ,ମନ, ହୃଦୟ ପଥର ରେ ଗଢ଼ା ??? କାଳୀ ଝିଅର କାମନା , ବାସନା , ପ୍ରେମ ,ଅନୁରାଗ କଣ ଅନ୍ୟମାନଙ୍କଠୁ ଭିନ୍ନ ? କଳା ଦେହରେ କଣ କୋମଳତା , ଉଷ୍ମତା ନ ଥାଏ ? ସ୍ୱାମୀ ପ୍ରେମ କଣ ତାର ପ୍ରାପ୍ୟ ନୁହେଁ ? 


       ଥରଟିଏ ଯଦି ନଜର ଉଠେଇ ଦେଖିଥାନ୍ତ - - - ମୋ ଆଖିରେ ତୁମପାଇଁ ପ୍ରେମିଳ ଅଥଳ ସମୁଦ୍ର , ପ୍ରତିଶୃତି ଓ ବିଶ୍ୱାସର ବତୀଘରଟିଏ ଦେଖିପାରିଥାନ୍ତ । କିନ୍ତୁ ତୁମ ନଜର ତ ନଦୀ ଉପରେ ଥିଲା ସେଠି ମୁଁ ତୁମକୁ ରୂପାଜହ୍ନ ପରି ଲାଗିଥାନ୍ତି କେମିତି ? ଥରେ ଭାବି ଦେଖିଲ ମୋ ଜାଗାରେ ଯଦି ତୁମେ ଥାଆନ୍ତ କିନ୍ତୁ ମୁଁ ବଂଚିଛି ଏତେ ଅପମାନ ପରେ ମଧ୍ୟ ଆତ୍ମହତ୍ୟା ନକରି ତମଦିଆ ପ୍ରତ୍ୟାଖ୍ୟାନ ର ଜହର ପିଇ ପିଇ ।


   ଛାଡ଼ ସବୁ ମୋର ଭାଗ୍ୟ । ତୁମ ଅବିଚାର ପରେ ବି ମୁଁ ତୁମକୁ   

 


ପ୍ରିୟତମ "ସୁ" ,


      ଆଜି ତୁମେ ମୋର ଅନୁମତି ନେବାକୁ ଆସିଥିଲ ଆଉଥରେ ବିବାହ କରିବା ପାଇଁ କାରଣ ମୁଁ ତୁମକୁ ଛାଡପତ୍ର ଦେଇନାହିଁ । କହିଲ ଦେଖି ତମେ ମତେ କେଉଁଦିନ ପତ୍ନୀର ମର୍ଯ୍ୟାଦା ଦେଇଥିଲ ? ତୁମ ମୋ ସମ୍ପର୍କର ପରିଭାଷା କଣ ? ତୁମେ ମତେ ଛାଡି ଗଲା ଦିନୁ ମୁଁ ଜଳୁଚି ପ୍ରତ୍ୟାଖ୍ୟାନ ର ଅଗ୍ନିରେ । ତାପରେ ବି ତୁମେ ଆସିଛ ମତେ ଆହୁରି ଜଳାଇବାକୁ ନା , ଦେଖିବାକୁ ଆସିଛ ଏଇ କାଳୀ ଝିଅଟି ଜଳି ଜଳି ଅଙ୍ଗାର ପାଲଟିଛି କି ନା  

 

ପ୍ରିୟତମ 'ସୁ ' ,


         ମତେ ମୋ ଘରକୁ ନେବାପାଇଁ ଆଜି ତମେ ତମ ସ୍ତ୍ରୀ ଆଉ ପୁଅ ସହ ଆସିଥିଲ । ସମାଜର ଅପନିନ୍ଦା ଭୟରେ ନା ମୋର ଦରମା ଟଙ୍କା ତମକୁ ଏଠିକି ଟାଣି ଆଣିଥିଲା ? ପ୍ରତ୍ୟାଖ୍ୟାତା ର ମୋହର ନେଇ ସେଠୁ ଫେରିଲା ପରେ ଆଉ କେଉଁଥି ପାଇଁ ସେଠିକି ଫେରିବି ? କିନ୍ତୁ ତୁମେ ମୋ ପାଖକୁ ବାରବାର ଫେରିବ ସେ ବ୍ୟବସ୍ଥା ମୁଁ କରିଛି । ମୋ ତରଫରୁ ଏଇଟା ତୁମର ଆଜୀବନ ଶାସ୍ତି । କେବଳ ସେଇଥିପାଇଁ ମୁଁ ତୁମକୁ ଛାଡପତ୍ର ଦେଇନି । ସ୍ବେଚ୍ଛା ରେ ମୋ ଅଧିକାର ଫେରେଇ ନେଇଛି । କୁଆଁରୀ ମନର ସୁକୋମଳ ଆବେଗ ସବୁ ବ୍ୟର୍ଥ ଅଭିସାର ର ହତାଡାରେ ମୁଣ୍ଡ ପିଟୁଥିଲା ବେଳେ ହିଁ ମୁଁ ସେ ନିଷ୍ପତ୍ତି ନେଇଥିଲି । ତୁମେ ମତେ ଛାଡିଦେଲ ହେଲେ ମୁଁ ତୁମକୁ ଛାଡିନି । ବିବାହ ପ୍ରସ୍ତାଵ ପଡ଼ିଲା ଦିନୁ ତୁମେ ମୋ ହୃଦୟରେ ଘର କରିସାରିଥିଲ । ତୁମେ ମତେ ପତ୍ନୀତ୍ୱରୁ ବଂଚିତ କଲ ହେଲେ ମୁଁ ତୁମକୁ ବାନ୍ଧି ରଖିଛି ମୋ ମଥାର ସିନ୍ଦୁର ଓ ହାତର ଶଙ୍ଖା ରେ ।       ତୁମର ଫୋଟୋ ଦେଖିଲା ଦିନୁ ମୁଁ ତୁମକୁ ହୃଦୟ ବେଦୀ ରେ ବସାଇଥିଲି ମୋ ଈଶ୍ୱର କରି । ସେ ସ୍ଥାନରେ ତୁମେ ନାହଁ ତ କେହି ନାହିଁ । ମୁଁ ଚାହିଁଥିଲେ ତୁମକୁ ଛାଡପତ୍ର ଦେଇ ଆଉ ଗୋଟିଏ ସଂସାର ଗଢିପାରିଥାନ୍ତି । କାରଣ ମୁଁ ଚାକିରୀ କଳାପରେ କେହି ନା କେହି ଆଗେଇ ଆସିଥାନ୍ତେ । ସମସ୍ତେ ତ ଆଉ ତୁମପରି ହୃଦୟହୀନ ହେଇ ନଥାନ୍ତେ । କିନ୍ତୁ ମୁଁ ଆଉ କାହାକୁ ମୋ ସ୍ୱାମୀର ଆସନ ଦେଇ ପାରିବି ନାହିଁ। ସେଇଥିପାଇଁ ଦୁନିଆ ଆଖିରୁ ନିଜକୁ ବଞ୍ଚାଇ ରଖିବା ପାଇଁ ତୁମ ନାଁ ର ଶଙ୍ଖା ସିନ୍ଦୁର କୁ ସୁରକ୍ଷା କବଚ ରୂପେ ବ୍ୟବହାର କରିଛି । ଏଇ ଅଦୃଶ୍ୟ ବନ୍ଧନ ତୁମକୁ କେବେ ମଧ୍ୟ ମୁକ୍ତ କରିବନାହିଁ ମୋ ପାଖରୁ । ହଁ - , ତୁମେ ସଂସାର କଲ , ସୁନ୍ଦରୀ ସ୍ତ୍ରୀ ତୁମର । କିନ୍ତୁ ସେଇ ଏକାନ୍ତ ଘନିଷ୍ଠ ସମୟରେ ମଧ୍ୟ ଏଇ କାଳୀ ଝିଅଟି ତୁମର ମନେ ପଡିବ । ତୁମେ କରିଥିବା ଅନ୍ୟାୟ ତୁମକୁ କେବେ ମଧ୍ୟ ମତେ ଭୁଲିବାକୁ ଦେବନି । ତୁମକୁ ଛାଡିନି ବୋଲି ତ ତୁମ ଘର ର ଭଲମନ୍ଦ ରେ ଉପସ୍ଥିତ ହେବାର ଅଧିକାର ରଖିଛି । ଏତକ ଉପସ୍ଥିତି ପାଇଁ ମୁଁ ମୋ ନିଜକୁ ତୁମଠାରୁ ଅଲଗା କରିପାରିବି ନାହିଁ । 

   ହାୟ ଅବଶୋଷ ତଥାପି ମୁଁ ତୁମକୁ

 


ପ୍ରିୟତମ " ସୁ" ,


      ତୁମ ବୋଉଙ୍କର ଶୁଦ୍ଧି କ୍ରିୟାରେ ଯୋଗ ଦେଇ ଆଜି ଫେରିଛି  ମୁଁ । ଏବେ ମଧ୍ୟ ମୁଁ ତୁମର ପ୍ରଥମା ପତ୍ନୀ । ତୁମ ଆଖିରେ ଥିବା ଅପରାଧବୋଧ ମତେ ଖୁବ ଆମୋଦିତ କରିଛି ।

ପ୍ରତିଶୋଧ ନେବାର ଆକାଂକ୍ଷା ମୋର ପୁର୍ଣ୍ଣ । ତୁମ ସହ ସବୁ କାମରେ ମୁଁ ହିଁ ଠିଆ ହେଇଛି । ଏମିତିକି ତୁମ ପୁଅର  ବ୍ରତଘର କାର୍ଯ୍ୟରେ ମଧ୍ୟ । ତୁମକୁ ଛାଡ଼ିଦେଇଥିଲେ  ତୁମ ଜ୍ବଳନ , ପୀଡାକୁ ମୁଁ ଅନୁଭବ କେମିତି କରିଥାନ୍ତି ? ତୁମେ କଷ୍ଟ ପାଉଛ ଏ ବନ୍ଧନରେ ମୁଁ ଏକଥା ଜାଣି ମଧ୍ୟ ନିରୁପାୟ କାରଣ ମୁଁ  ତୁମକୁ


         ଏମିତି ଅନେକ ଚିଠି ଥିଲା ଯେଉଁଥିରେ ନାନୀ ତାର ମନର ଭାବନା , ଅନ୍ତରଦାହ କୁ ଲେଖିଥିଲା । ତା ଜୀବନର ଅବହେଳିତ ଉତ୍ତାପ ସମସ୍ତଂକୁ ଜାଳିଦେବା ପାଇଁ ଯଥେଷ୍ଟ ଥିଲା ।  


         ଶେଷ ଚିଠିରେ ନାନୀ ଲେଖିଥିଲା  ମୁଁ ଜାଣିଚି ମୋ କାହାଣୀ ଶେଷ ହେବାକୁ ଯାଉଛି । କୌଣସି ଦିନ ମୋ ଚିଠିରେ ମୁଁ ତୁମକୁ ପୁରଣ କରିନାହିଁ । ତୁମ ପାଇଁ ମୋ ମନରେ ଅସୀମ ପ୍ରେମ ଥିଲେ ମଧ୍ୟ ମୁଁ ତୁମକୁପ୍ରେମ କରେ ଏକଥା ସ୍ୱୀକାର କରିବି ନାହିଁ । କାରଣ ମୁଁ ତୁମକୁ ଘୃଣା କରେ , ପ୍ରତିଶୋଧ ନେବାକୁ ଚାହେଁ ଏଇ ଭାବନା ମତେ ଆଜିଯାଏ ବଞ୍ଚାଇ ରଖିଛି । ଏବେ ତୁମ ଆଖିର ଦୁଇଠୋପା ଅନୁତାପର ଅଶ୍ରୁ ଦେଖିଲା ପରଠୁ ତୁମକୁ ଜଳାଇବାର ସମସ୍ତ ଇଚ୍ଛା ସମାପ୍ତ ହେଇଯାଇଛି । ତୁମ ଜୀବନରେ କଳଙ୍କ କହି ଆଡେଇଦେଇଥିବା କଳାଦାଗ ଟି ଆଉ କେଇ ଦିନପରେ ଅପସରି ଯିବ କିନ୍ତୁ ତାର ଛାଇ ମୃତ୍ୟୁ ଯାଏ ତୁମକୁ ଛାଡିବ ନାହିଁ । କାହିଁକି ନା ମୁଁ ତୁମକୁ ନା ଏ ସ୍ଥାନ ଏମିତି ଅପୁରଣୀୟ ରହୁ ଘୃଣା ହେଉ କି ପ୍ରେମ , ଠିକ ମୋ ପରି । କିଛି କଥା ମୋ ସହ ଲୋପ ପାଇଯାଉ । 


     ଏ ଚିଠି ବୋଧେ ନାନୀ ଖୁବ କମ ଦିନ ତଳେ ଲେଖିଛି । ଚିଠି ସବୁ ତଳେ ପଡି ଏଣେତେଣେ ଉଡୁଥିଲେ । ମୁଁ ଦେଖୁଥିଲି ସୁଲୁ ନାନୀ ତା ପ୍ରେମର ଧ୍ବଜା ଉଡାଇ ପରାଜିତ କରି ଯାଇଛି ତାର 'ସୁ' ମାନେ ସୁଧାଂଶୁ ଭାଇନାଙ୍କୁ । ଯିଏ ତଳକୁ ମୁଣ୍ଡ ଝୁଂକାଇ ଲୁହ ଢାଳୁଥିଲେ ଆଉ ବଲବଲ କରି ଚାହିଁ ରହିଥିଲେ ତାଙ୍କ କୁଆଁରୀ ପତ୍ନୀର ଚିଠିକୁ । 


      ମୋ ଆଖିରେ ଉପରକୁ ଜିଦଖୋର , ନିଷ୍ଠୁର ,କ୍ରୋଧି ଜଣା ପଡୁଥିବା ମୋ ନାନୀ ମହିମାମଣ୍ଡିତ ପ୍ରେମମୟୀ ଦେବୀଟିଏ ପାଲଟି ଯାଇଥିଲା , ଯେ ପ୍ରତିଶୋଧ ଆଳରେ ତାର ସ୍ୱର୍ଗୀୟ ପ୍ରେମର ପରାକାଷ୍ଠା ଦେଖାଇ ଶେଷ ହୋଇଗଲା । ଭାଇନା ଜିବନରେ ସବୁ ପାଇଥବା ସତ୍ତ୍ୱେ ଗୋପନରେ ମୃତ୍ୟୁ ପର୍ଯ୍ୟନ୍ତ ଶାସ୍ତି ପାଇ ଚାଲିଥିବେ ଇଏ କଣ କମ ଦଣ୍ଡ ତାଙ୍କ ପାଇଁ ଆଉ ମୋ ନାନୀ - ପ୍ରତ୍ୟାଶା ନଥାଇ   କେହି କଣ କାହାକୁ ଏତେ ଭଲ ପାଇ ପାରେ .


Rate this content
Log in

Similar oriya story from Romance