ମୁଁ ବି ପଢିବି

ମୁଁ ବି ପଢିବି

4 mins
491


ପ୍ରଶାନ୍ତ ବାବୁ ଭାରି ଉଦ୍ ବିଘ୍ନ ହୋଇ ସାଙ୍ଗ ଶରତ ବାବୁଙ୍କୁ କହୁଥିଲେ, 'ଦେଖିଲ, କି କଳିକାଳ ହେଲା। ବାହା ବେଦୀରୁ ଝିଅ ତା ମଉସା ସାଙ୍ଗରେ ଫେରାର ହେଇଯାଇଛି। ଏଇଆକୁ କହନ୍ତି ଘୋର କଳିକାଳ।' ଶରତ ବାବୁ ପଚାରିଲେ, 'କୋଉଠୁ ଜାଣିଲ ମ, ଏଗୁଡା ସବୁ ବାଜେ ଖବର। ନିହାତି ଉଡା ଖବର। i ପଢୁନ କି?'

-- ହଁ ମ, ଛାଡ ସେ କଥା। ତୁମ ଜିପିଏଫ୍ ଲୋନ୍ କଥା କ'ଣ ହେଲା। ନିଜ ଘରକଥା ସମ୍ଭାଳୁ ସମ୍ଭାଳୁ ତର ଅଣ୍ଟୁନି। କିଏ କାହା ସାଙ୍ଗରେ ପଳେଇଲା, ସେକଥା ତର୍ଜମା କରିବାକୁ ବେଳ କାହିଁ। ଯିଏ ଯେମିତି କରିବ ସେମିତି ଫଳ ପାଇବ। ମାଳିକା ବଚନ କ'ଣ ମିଛ ହେଇଯିବ?'


ପାର୍କରେ ଅଳ୍ପ ଦୂରରେ ଆଉଗୋଟେ ଚେୟାରରେ ବସିଥିବା ବିମଳ ସବୁକଥା ଶୁଣୁଥିଲେ। ଖବରକାଗଜରେ ବାହାରିଥିବା କଥା ସେ ଆଜି ସକାଳେ ପଢି ସାରିଥିଲେ। ମନେ ମନେ ଚିନ୍ତା କରୁଥିଲେ ତା'ହେଲେ ନାବାଳିକା ଝିଆରୀ ମିନୁକୁ ନିଜ ସାଙ୍ଗରେ ଘରକୁ ଆଣିବା କ'ଣ ତାଙ୍କର ଭୁଲ୍? ଏଡେ ବକଟେ ଛୁଆ, ଘରସଂସାର ବିଷୟରେ କ'ଣ ବା ଜାଣେ। ଖାଲି ଭଲ ପାତ୍ର ମିଳିଛି ବୋଲି କ'ଣ ହାତକୁ ଦି'ହାତ କରି ଦେଇ ଦେଲା ନାରୀ ହେଲା ପାରି ସୂତ୍ରରେ ମୁକ୍ତି ପାଇଯିବ? ତା'ଛଡା ଝିଅଟା ଭଲ ପଢୁଛି। ଆଉ ପନ୍ଦର ଦିନରେ ତା'ର ପ୍ଲସ୍ ଟୁ ଫାଇନାଲ ପରୀକ୍ଷା। ସଢୁଙ୍କୁ ବୁଝେଇଲେ, ଦେଢଶାଶୁଙ୍କୁ ବୁଝେଇଲେ, କିଛି ଫଳ ହେଲାନି। ସବୁ ଏଇ ଅରୁଣାଙ୍କର ଦୋଷ। ସେଇ ଏସବୁ ନାଟର ଅସଲ ଗୋବର୍ଦ୍ଧନ। ସେଇଥିପାଇଁ ବିମଳ ବାବୁ ଏମିତି ଗୋଟେ ପଦକ୍ଷେପ ନେଲେ। ଶେଷରେ ଲୋକମାନେ ତାଙ୍କ ବିଷୟରେ ଏପରି ଧାରଣା ରଖୁଛନ୍ତି ଜାଣି ଭାରି ମନ ଦୁଃଖ ହେଲା। ଆଉ ଏ ସମ୍ବନ୍ଧୀୟ କୌଣସି ଆଲୋଚନା ସମାଲୋଚନା ଶୁଣିବାର ନା ତାଙ୍କର ଧୈର୍ଯ୍ୟ ଥିଲା ନା ଥିଲା ମାନସିକ ଅବସ୍ଥା। ବିମଳ ବାବୁ ଉଠି ଚାଲିଗଲେ। ସିଧା ଯାଇ ପହଞ୍ଚିଲେ ନିଜ କ୍ବାଟରରେ। ମିନୁ ସେତେବେଳକୁ ନିଜର ସୀମିତ ରୋଷେଇ ଜ୍ଞାନର ପ୍ରୟୋଗରେ ଯାହା ଯେମିତି ରୋଷେଇ ସାରି ଦେଇ ଚାହିଁ ବସିଥାଏ ମଉସାଙ୍କର ଆସିବା ବାଟକୁ। କବାଟ ଖୋଲି ମଉସାଙ୍କୁ ଦେଖି ବିକଳରେ ପଚାରିଲା, 'ମଉସା, ମୁଁ ପୁଣି ପଢିବି ତ?' 'ହଁ ରେ ମା, ସେଇଥିପାଇଁ ତ ତତେ ମୁଁ ଏଠିକି ନେଇ ଆସିଲି।'


ବିମଳ ବାବୁଙ୍କର ଏଇ ଗଲା କିଛି ଦିନର କଥା ମନେ ପଡ଼ିଲା। ସ୍ତ୍ରୀ ଅରୁଣାଙ୍କୁ କେତେ ବୁଝେଇଛନ୍ତି। ମିନୁର ବୟସ ଏବେ କେତେ ଯେ? ଏଇ ଷୋହଳ ପୁରି ସତର ପଶିଛି। ମେଧାବୀ ଛାତ୍ରୀ। ବିଜ୍ଞାନ ଦ୍ବିତୀୟ ବର୍ଷରେ ପଢେ। ବାହାଘର, ଘର ସଂସାର କଥା କ'ଣ ଜାଣେ ସିଏ। ତା ବାହାଘର ପାଇଁ ଏତେ ତତ୍ପରତା କାହିଁକି? ଆଗ ସିଏ ପଢାପଢି ସାରି ନିଜ ଗୋଡରେ ଠିଆ ହେଉ। ତା'ପରେ ତା ହାତ ଧରିବା ପାଇଁ ଯୋଗ୍ୟ ପିଲାଙ୍କର ଧାଡି ଲାଗିଯିବ। ଆଜିଠୁଁ ଏତେ ବ୍ୟସ୍ତ କାହିଁକି?'


ବିମଳ ବାବୁ ମିନୁକୁ ଭାରି ସୁଖ ପାଆନ୍ତି। ତା ସହ ସାଙ୍ଗ ପରି କଥା ହୁଅନ୍ତି। ମିନୁ ବି ମଉସା ବୋଲି ସମ୍ମାନ ଆଳରେ କୌଣସି କଥା ବିମଳ ବାବୁଙ୍କ ପାଖରେ ଲୁଚାଏ ନାହିଁ। ଏମିତିକି ତା ବାପା ମାଆଙ୍କୁ ଯେଉଁ କଥା କହି ନପାରେ ସେକଥା ମଉସାଙ୍କ ମାଧ୍ୟମରେ ଜଣାଏ। ଅରୁ ମାଉସୀଙ୍କ ଦ୍ବାରା ଆଗତ ବିବାହ ପ୍ରସ୍ତାବରେ ତା ବାପା ମାଆ ରାଜି ହେବା ପରେ ମିନୁର ଚିନ୍ତା ବଢିଯାଇଥିଲା। ବହୁତ ଅନୁନୟ ବିନୟ କରି କହିଥିଲା, 'ମୁଁ ପଢିବି ମା। ମୋତେ ପଢିବାକୁ ଦିଅ। ମୋ ନିଜ ଗୋଡରେ ଠିଆ ହେଲାପରେ ତୁମେ ଯାହା କହିବ ମୁଁ ପ୍ରସ୍ତୁତ।' କିନ୍ତୁ ତାର ସମସ୍ତ ଅନୁନୟ ବିନୟ କୌଣସି ସକାରାତ୍ମକ ଫଳ ଆଣି ନଥିଲା। ତାର ଅନିଚ୍ଛା ସତ୍ତ୍ବେ ବାହାଘର ଠିକ ହୋଇ ଯାଇଥିଲା। ଏ କ୍ଷେତ୍ରରେ ତାର ସମସ୍ତ ଭରସା କେନ୍ଦ୍ରୀଭୂତ ହେଇଥିଲା ମଉସାଙ୍କ ଉପରେ। ସବୁ ଖୋଲି କହିଥିଲା ମଉସାଙ୍କ ପାଖରେ। ଅନ୍ତତଃ ଏଇ ପ୍ଲସ୍ ଟୁ ପରୀକ୍ଷା ସରିଯାଉ।


ବିମଳ ବାବୁ ଅରୁଣାଙ୍କୁ ବହୁତ ବୁଝେଇଥିଲେ। କିନ୍ତୁ ଅରୁଣା ବୁଝିବାକୁ ନାରାଜ। 'ଝିଅ ଘିଅ। ଆଜିକାଲିର ଦୁନିଆଁ ଦେଖୁଛ ତ, କେତେବେଳେ କୋଉ କଥା। ପିଲାଲୋକ, ଯଦି କିଛି ଏପଟ ସେପଟ କରିବସେ, ସେତେବେଳେ ମୁଣ୍ଡ ଟେକି ହେବନି। ସେତେବେଳେ, ମୋ ଭାଇନା ତ ନିଦାବିଷ୍ଣୁ, ଖାଲି ମୋ ଅପାଟା ହନ୍ତସନ୍ତ ହେବ। ତୁମେ ଏଥିରେ ମୁଣ୍ଡ ଖେଳାଅନି। ଦେଲା ନାରୀ, ହେଲା ପାରି। ହାତକୁ ଦି ହାତ କରି ଉଠେଇ ଦେଲେ କାମ ସରେ। ତା'ପରେ ଏତେ ସୁନ୍ଦର ପ୍ରସ୍ତାବ, ହାତଛଡା କରିବା ବୋକାମୀ ହେବ।'


ଅଗତ୍ୟା ବିମଳ ବାବୁଙ୍କର ଆଉ କିଛି ଚାରା ନଥିଲା। ତଥାପି ଶେଷ ଆଶା ସ୍ବରୂପ ମୋହନ ବାବୁଙ୍କ ସହ ଏ ବିଷୟରେ ଆଲୋଚନା କରିବା ଉଚିତ ବୋଲି ସ୍ଥିର କରି ସଢୁଙ୍କ ପାଖକୁ ଗଲେ। ସେଠୁ ମଧ୍ୟ ସେଇ ନିରାଶାଜନକ କଥା ଶୁଣିଲେ। ମୋହନ ବାବୁ କହିଲେ, 'ଶୁଣନ୍ତୁ ବିମଳ ବାବୁ, ଏ ସବୁ ବ୍ୟାପାରରେ ମୁଁ ମୁଣ୍ଡ ଖେଳାଏନା। ସବୁ ତା ମାଆ ସ୍ଥିର କରୁଛି। ମୁଁ ଖାଲି ପଇସା ଗଣ୍ଡାକ ଧରେଇ ଦିଏ। ମୋ ବେପାର ପାଇଁ ମତେ ସମୟ ନାହିଁ, ଏ ତୁଚ୍ଛା କଥାରେ ମୁଣ୍ଡ ଖେଳେଇବ କିଏ?'


ନିରାଶ ହେଇ ସେଦିନ ବିମଳ ବାବୁ ଫେରି ଆସିଥିଲେ।


ଆଜି ବାହାଘର ପାଇଁ ଅରୁଣା ତା ଅପା ଘରେ ଅଛି। ମଉସା ଝିଆରୀ ଖିଆପିଆ ସାରି ଶୋଇପଡିଲେ। ବିମଳ ବାବୁ ମନେ ମନେ ସ୍ଥିର କରିଥିଲେ, ସକାଳୁ ଯାଇ ଥାନାରେ ସବୁକଥା ଜଣେଇବେ।


ବିଳମ୍ବିତ ରାତିରେ କବାଟରେ ଠକ୍ ଠକ୍ ଶବ୍ଦ ଶୁଣି ବିମଳ ବାବୁ କବାଟ କି ହୋଲରେ ପୋଲିସକୁ ଦେଖି ଚମକି ପଡିଲେ। ସମୟ ପ୍ରାୟ ଚାରିଟା କି ସାଢେ ଚାରିଟା ହେବ। ମନରେ କେତେ ଆଶଙ୍କା ଉଙ୍କି ମାରିଲା। ପାଖ ପଡୋଶୀ ଗୋଟେ ଅସହ୍ୟ କରିପକାଉଥିବା ଦୃଷ୍ଟିରେ ଦେଖିବେ। କାଲି ଖବରକାଗଜରେ ଛପା ହେଇଯିବ, 'ନାବାଳିକା ଅପହରଣକାରୀ ମଉସା ଗିରଫ ଓ ଝିଆରୀକୁ ଉଦ୍ଧାର କରି ଡାକ୍ତରୀମାଇନା ପାଇଁ ପୋଲିସ ପଠାଇଲା'। ଏ ଖବରକାଗଜ ବାଲା ନୋହିଲା କଥାକୁ ହୋଇଲା କରି କେତେ ରଙ୍ଗ ପୁଟ ଦେଇ ଖବରକାଗଜର ଟିଆରପି ବଢେଇବା ପାଇଁ କଥାଟାକୁ ବିକୃତ କରି ଛାପିବେ। ଏ ସବୁ ଆଶଙ୍କା କରି ବନ୍ଧୁ ସମ୍ବିତ ବାବୁଙ୍କ ପାଖକୁ ଫୋନ କରିଦେଲେ। ଦଶ ମିନିଟ ମଧ୍ୟରେ ପହଞ୍ଚିବାର ପ୍ରତିଶ୍ରୁତି ପାଇବା ପରେ ମନ ଟିକେ ଆଶ୍ବସ୍ଥ ହେଲା। ବିମଳ ବାବୁ କବାଟ ଖୋଲିଲେ।


ବହୁତ ଭାବିଚିନ୍ତି ଅରୁଣ ବାବୁ ସ୍ଥିର କଲେ ପୋଲିସକୁ ସବୁକଥା ଖୋଲି କହିଦେବାଟା ହିଁ ଉଚିତ ହେବ। ସାମାନ୍ୟ ଔପଚାରିକ ପ୍ରଶ୍ନ ପରେ ପୋଲିସ ଘର ଭିତରକୁ ସର୍ଚ୍ଚ କରିବା ପାଇଁ ପଶିଲା ବେଳକୁ ସମ୍ବିତ ବାବୁ ପହଞ୍ଚିଗଲେ।


ସମ୍ବିତ ବାବୁ ଏକାଧାରରେ ଜଣେ ସାମ୍ବାଦିକ, ସମାଜସେବୀ ଓ ନାଁ କରା ଓକିଲ। କାଇଦା କାନୁନ ସବୁ ଜଣା। ତା'ଛଡା ପୋଲିସ ଡିପାର୍ଟମେଣ୍ଟର ବଡ଼ ବଡ଼ ଅଫିସରଙ୍କ ସହ ଭଲ ଜଣାଶୁଣା ଅଛି।


ସବୁକିଛି ଶୁଣିବା ପରେ ସମ୍ବିତ ବାବୁ ଏସ୍.ପିଙ୍କୁ ସବୁକଥା ଜଣେଇ ଦେଲେ। ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ସର୍ଚ୍ଚ କରିବା ପାଇଁ ଆସିଥିବା ଅଫିସର ଜଣକ ମିନୁକୁ ଡାକି ତାର ଷ୍ଟେଟମେଣ୍ଟ ନେଲେ ଓ ତଦନୁସାରେ ବର୍ତ୍ତମାନ ନାବାଳିକା ବିବାହ ନିରୋଧ ଆଇନ ଅନୁଯାୟୀ ପାଲଟା ଅଭିଯୋଗରେ ମିନୁର ବାପା-ମାଙ୍କ ବିରୁଦ୍ଧରେ ଅଦାଲତରେ କେସ୍ ଚାଲିଲା।


Rate this content
Log in

Similar oriya story from Crime