ମଉଳା ଗୋଲାପ
ମଉଳା ଗୋଲାପ
ସେଦିନ ଶେଷ ଥର ପାଇଁ ରାଉରକେଲା ରେ ଆହୁତି ସହିତ ଦେଖା ହୋଇ ଥିଲା | ଆଉ ସେହି ଦିନ ବି ତା ହାତରେ ଦୁଇଟି ଗୋଲାପ ଥିଲା l ସେଦିନ ବି ସବୁଦିନ ପରି ପଚାରି ଥିଲି ତୁ ସଵୁଵେଳେ ଦୁଇଟି ଗୋଲାପ କାହିଁକି ଆଣୁଛୁ। ଆଉ ସେ ହସିଦେଇ କହିଥିଲା, କାଲି ଵାତ୍ୟା ରେ ସବୁ ଗୋଲାପ ଗଛ ଭାଙ୍ଗି ଯାଇଛି। ଗୋଲାପ ବଗିଚା ଟି ନଷ୍ଟ ହୋଇ ଯାଇଛି। ଆଗକୁ ଆଉ ଗୋଲାପ ଦେଵି ନାହିଁ। ଶେଷ ଥର ପାଇଁ ରଖିଦେ।
ମୁଁ ଅଧିକା କିଛି ନ ଭାଵି ଗୋଲାପ ଦୁଇଟି କୁ ନେଇ ଆସିଲି। ଆଉ ମୋ ଫୁଲଦାନୀ ରେ ଲଗାଇ ଦେଲି। ଆଉ ଫୁଲଦାନୀ କୁ କହିଲି, କାଲିଠାରୁ ଆଉ ଗୋଲାପ ଫୁଲ ର ଆଶା କରିବୁ ନାହିଁ। ମୋ ଵାନ୍ଧଵୀ ମନା କରିଛି ଆଉ ଫୁଲ ଦେବ ନାହିଁ। ସେତେବେଳେ ରାକେଶ ଭାଇ ପଚାରିଲା କାହିଁକି ତୋ ସାଙ୍ଗ କଣ କାଲି ଚାଲି ଯିବ କି? ମୁଁ ଭାଇ ଆଡକୁ ଚାହିଁ କହିଲି କୁଆଡେ ଯିବ ସେ? ରାକେଶ ଭାଇ କହିଲା ସେଦିନ ଘଟଣା ଵିଷୟ ରେ ସେ ତତେ କଣ କିଛି କହିନି। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି କେଉଁ କଥା? ମୁଁ ତ କିଛି ଜାଣି ନାହିଁ। ଠିକ୍ ସେତିକିବେଳେ ଵଡଵୋଉ ମାନେ ରାକେଶ ଭାଇ ର ଵୋଉ ଆସିଗଲେ। ଆଉ ଭାଇ ରାଗ ତମ ତମ ହୋଇ ଚାଲିଗଲା ତା ରୁମ କୁ।
ଵଡଵୋଉ ମତେ ତାଗିଦ୍ କରି କହିଲେ ସେ ଆହୁତି ସହିତ କୌଣସି ସମ୍ପର୍କ ରଖିବା ଦରକାର ନାହିଁ। ବାଜେ ଝିଅ ଟା। ଵାମନ ହୋଇ ଚାନ୍ଦ କୁ ହାତ ଵଢାଉଥିଲା, ତା ପୂର୍ବରୁ ତା ହାତ ମୁଁ କାଟି ଦେଇଛି। ଏବେ କେଉଁ ବଡ ଘର ର ପୁଅ ଉପରେ ନଜର ପକାଇବାକୁ ହେଲେ ତାକୁ ଦଶ ଥର ଭାବିବାକୁ ହେଵ। ମୁଁ ଵଡଵୋଉ କୁ ପ୍ରଶ୍ନ କରୁଥାଏ କଣ ହୋଇଛି ମତେ ଖୋଲିକି କୁହନ୍ତୁ। ସେତିକି ଵେଳେ ନିତା ଅପା ମୋ ହାତ ଟାଣି ନେଇଗଲା। ନିତା ଅପା ମୋ ବଡ ଭଉଣୀ। ସେ ମତେ ସବୁକଥା କହିଲା।
ଆହୁତି କୁଆଡ଼େ ରାକେଶ ଭାଇ କୁ ଭଲ ପାଉଥିଲା। ଖାସ୍ ସେଇଥିପାଇଁ ସେ ସବୁଦିନ ଦୁଇଟି ଗୋଲାପ ପଠାଉଥିଲା। ଦିନେ ଆହୁତି ର ଗୋଟିଏ ଚିଠି ରାକେଶ ଭାଇ ରୁମ ରୁ ଵଡଵୋଉ ପାଇଲେ। ସଙ୍ଗେ ସଙ୍ଗେ ଆହୁତି ସହିତ ତା ଵାପା ମା ଙ୍କୁ ଡକାଇଲେ। ଆହୁତି ଵଡବାପା ଙ୍କ ଡ୍ରାଇଭର ଜଗା କାକା ଙ୍କ ଏକମାତ୍ର ଝିଅ। ମେଧାବୀ ଛାତ୍ରୀ। ଯେତେବେଳେ ଵଡଵୋଉ ସେ ଚିଠି ଵିଷୟ ରେ ଆହୁତି କୁ ପ୍ରଶ୍ନ କଲେ, ଆହୁତି କହିଲା ଏଇଟା ଏକତରଫା ପ୍ରେମ ନୁହଁ ,ରାକେଶ ମଧ୍ୟ ତାକୁ ଭଲପାଏ। ଵଡଵୋଉ ଯେତେବେଳେ ଗର୍ଜନ କରି ରାକେଶ ଭାଇ କୁ ପ୍ରଶ୍ନ କଲେ, ରାକେଶ ଭାଇ ଵଡଵୋଉ ଙ୍କ ସାମ୍ନାରେ ସତ କହି ପାରିଲା ନାହିଁ। ଆଉ ଵଡଵୋଉ ତାକୁ ବହୁତ କଥା ଶୁଣାଇଲେ। ଜଗା କାକା ଙ୍କୁ ଚାକିରି ରୁ କାଢି ଦେଲେ।
ଆହୁତି କାନ୍ଦି କାନ୍ଦି ଚାଲିଗଲା ତା ଵାପା ମା ଙ୍କ ସହ। ଆଜି ରାତି ଟ୍ରେନ ରେ ସେମାନେ ସହର ଛାଡି ଚାଲି ଯାଉଛନ୍ତି। ସବୁ ଶୁଣିଲା ପରେ ବହୁତ ଖରାପ ଲାଗିଲା, ତଥାପି ତା ସମ୍ମୁଖରେ ଯିବାକୁ ସାହାସ ହେଲା ନାହିଁ। କେଉଁ ମୁହଁରେ ଵା ଯାଇଥାନ୍ତି । ନିଜ ପରିବାର ପାଇଁ ଭାରି ଅପରାଧୀ ଲାଗୁଥିଲା।
ଆହୁତି ଗଲା ପରେ ଵଡଵୋଉ ରାକେଶ ଭାଇ ର ବାହାଘର ଠିକ କରିଦେଲେ ।ଆଉ ରାକେଶ ଭାଇ ମଧ୍ୟ ବଡଵୋଉ ଙ୍କ କଥାକୁ ଅମାନ୍ୟ ନକରି ରାଜି ହୋଇଗଲା। କିନ୍ତୁ ଵିଵାହ ର ପୂର୍ବଦିନ ନିଜ ରୁମ ଭିତରେ ଆତ୍ମହତ୍ୟା କରିଦେଲା। ଆଉ ରୁମ ସାରା ପଡିଥିଲା ଆହୁତି ଦେଇଥିବା ମଉଳା ଗୋଲାପ ର ପାଖୁଡା କିଛି।
ରାକେଶ ଭାଇ ଗଲାପରେ ପ୍ରତିବର୍ଷ ତା ଜନ୍ମ ଦିବସ ରେ କେହି ଗୋଲାପ ଫୁଲ ଛାଡ଼ି ଚାଲିଯାଏ। କିନ୍ତୁ ମତେ ଵୁଝିଵାକୁ ଡେରି ଲାଗେନି ସେ ଗୋଲାପ ଆହୁତି ର ଵୋଲି। ଗୋଲାପ ର ମହକ ଭାରି ଚିହ୍ନା ଚିହ୍ନା ଲାଗେ। କିନ୍ତୁ କେଵେ ଆହୁତି ଆମ ଘରକୁ ଆସେ ନାହିଁ। କେବଳ ଗୋଲାପ ର ମହକ ରୁ ଆମେ ଜାଣୁ ସେ ଜୀବିତ ଵୋଲି।
ରାକେଶ ଭାଇ ଯିବାର ୧୫ ବର୍ଷ ପରେ, ତା ସମାଧି ପାଖରେ ଆହୁତି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା। ସେଦିନ ବି ତା ହାତରେ ଗୋଲାପ ଫୁଲ ଟିଏ ଥିଲା। ଵୋଧହୁଏ କେଵେଠାରୁ ଏମିତି ଏକ ମୃତ୍ୟୁ ଖୋଜୁଥିଲା ସେ। କିନ୍ତୁ ଝିଅ ହେବାର କର୍ତ୍ତବ୍ୟ କରୁଥିଲା ସେ ଵିଵାହ ନକରି। କିଛି ଦିନ ପୂର୍ବରୁ ତା ଵାପା ମା ମୃତ୍ୟୁ ବରଣ କରିଥିଲେ। ଆଉ ଶେଷରେ କର୍ତ୍ତବ୍ୟ ବୋଝ ରୁ ନିଜକୁ ମୁକ୍ତ କରି ସବୁଦିନ ପାଇଁ ଶୋଇ ପଡିଥିଲା ନିଜ ଅଧୁରା ପ୍ରେମ କାହାଣୀ କୁ ସ୍ୱର୍ଗ ରେ ପୂର୍ଣ୍ଣତା ଦେଵା ଉଦ୍ଧେଶ୍ୟରେ ।

