Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Ranjit Sahu

Romance Tragedy Inspirational

3  

Ranjit Sahu

Romance Tragedy Inspirational

ମୃତା ନଦୀର ଆର୍ତ୍ତନାଦ

ମୃତା ନଦୀର ଆର୍ତ୍ତନାଦ

5 mins
12K


"ପଦ୍ମ ପୋଖରୀରେ ଆଉ ପଦ୍ମ  ନାହିଁ କି କଇଁ ଫୁଲଟିଏ ମଧ୍ୟ ନାହିଁ ! ପୋଖରୀଟି କୌଣସି ବିଶାଳ ପାଣି କୁଣ୍ଡଟିଏ ଭଳି ଦେଖାଯାଉଛି ! ପାଣି ଗୋଳିଆ ଦେଖାଯାଉଛି I ମୋର ପାଣିକି ଯିବା ଲାଗି ମନ ହେଲାନି, ଫେରି ଆସିଲି I ଆଜି କାଲି କୁଆଡେ ମାଛ ଚାଷ ହେଉଛି ଖାଲି ପୋଖରୀରେ ସେଥି  ପାଇଁ ଏହି ଦଶା! କେମିତି ଲୋକ ମାନେ ଏବେ ମଧ୍ୟ ଗାଧୁଆ ପାଧୁଆ ହେଉଛନ୍ତି କେଜାଣି ? ଆପଣ ଟିକେ ପାଣି ଗରମ କରିଦିଅନ୍ତୁ, ଟ୍ୟୁବ ୱଏଲ ପାଣି ତ ମୋତେ ନିହାତି ଥଣ୍ଡା ଲାଗେ,"   ଘରେ ଗାଧେଇବା ଲାଗି ଭାଉଜଙ୍କୁ କହୁ କହୁ ଭାବିବାକୁ ଲାଗିଲି ମୋ ଗାଆଁର ପରିବର୍ତ୍ତନ ବିଷୟରେ I 

ଦଶ ବର୍ଷ ପରେ ଫେରିଛି ଗାଆଁକୁ, ନିଜର ତେଲି ଘଣାର ଜୀବନରୁ ମୁକୁଳି I ଏହା ପୂର୍ବରୁ କେବଳ ଦୁଇ ଦିନ ଲାଗି  ଆସିଥିଲି ବଡ ଭଉଣୀର ବାହାଘର ଲାଗି ପାଞ୍ଚ ବର୍ଷ ପୂର୍ବରୁ ଆଉ ସେଥିରେ ଗାଆଁ ବୁଲା ଜମା ହୋଇ ପାରି ନଥିଲା I ଏତେ ସମୟ ବିତିଯାଇଛି ସହରରେ ଗୋଟିଏ ବଖରା ଘର, ଅଫିସ ଆଉ ଅତିଥି ସତ୍କାର ନିମନ୍ତେ ଉଦ୍ଧିଷ୍ଟ ରୁମଟିରେ ! କାଳ କୋଠରୀରୁ ମାସରେ ଥରେ ମୁକ୍ତି ମିଳେ, ସଉଦା ଲାଗି ଆଉ ସହରର ପ୍ରଦୂଷଣ ଭରା ଧୂଆଁରେ ଆଉ ବାର ଆଉ ରେସ୍ତୋରାଁର ରଙ୍ଗୀନ ଆଲୋକରେ ନିଜର ଦେହ, ମନ ଆଉ ପୋଷାକକୁ କଳଙ୍କିତ କରିବା ଲାଗି I ରବିବାରଟା ଯାହା ଟିକେ ସୁବିଧା ମିଳେ ଜିମ ପାଇଁ ଘଡ଼ିଏ ସମୟ ଲେଖାଏଁ I କିନ୍ତୁ ବେକାରୀ ବଢୁଥିବା ଦୁନିୟାଆଁରେ ଚାକିରିଟିଏ ଥିବା କମ କଥା ନୁହଁ ! ମଣିଷ ବଂଚିବ କେମିତି ନଚେତ? ନିୟମିତ ଘରକୁ ପଇସା ପଠେଇ ଦେଇ ନିଜର ଜୀବନକୁ ସରଳ କରିବାର ପ୍ରଣାଳୀଟି ଆଉ କାମ ଦେବନି ଏଣିକି ! ପାରମ୍ପରିକ ଚିନ୍ତା ଧାରାର ପରିବାରର ଚାହିଦା କେବଳ ମୌଳିକ ଆବଶ୍ୟକତା ପୂର୍ଣ୍ଣ କରିବାରେ ସୀମିତ ନଥାଏ, ତାହା ଠାରୁ ଅଧିକ ଆଗକୁ ଯାଇଥାଏ, ଭବିଷ୍ୟତକୁ ନିର୍ମାଣ କରିବାରେ  I ସେହି ଭବିଷ୍ୟତକୁ ଗଢିବାର ପ୍ରଣାଳୀରେ ଅନ୍ତର୍ଭୁକ୍ତ ହୋଇଥାଏ ବିବାହ ଯୋଗ୍ୟ ପୁରୁଷ ଆଉ କନ୍ୟାଙ୍କର ବିଷୟ ନେଇ ପରିବାରର ଚିନ୍ତା ଏବଂ ସେମାନଙ୍କର ଭବିଷ୍ୟତର ଯୋଜନା I କାହା ସହିତ କାହାର ବାହାଘର କରିଦେଲେ  ସେମାନେ ସୁଖରେ ରହିବେ ! ସତେ ଯେମିତି ସମସ୍ତଙ୍କର ଭବିଷ୍ୟତ ଉପରେ ସମ୍ପୂର୍ଣ ନିୟନ୍ତ୍ରଣ ଥାଏ ! କିନ୍ତୁ ତିନିଟି କନ୍ୟା ମଧ୍ୟରେ ଏକ ମାତ୍ର ପୁତ୍ର ହେବାର ମହତ୍ଵ ଯେତିକି ଦାୟିତ୍ଵ  ସେତିକି ମୋ ମୁଣ୍ଡରେ I ବଡବାପାଙ୍କର ପୁଅ ଗାଆଁରେ ରହେ  ନିଜ ପରିବାର ସହ ଆଉ ଆମ ପରିବାର ଏଯାଏଁ ଅଲଗା ହୋଇ ନାହାନ୍ତି, ତେଣୁ ସମସ୍ତ ଦାୟିତ୍ଵ  ଏକ ପ୍ରକାର ସିଏ ହିଁ ନେଇଛନ୍ତି ଏ ଯାଏଁ ପ୍ରତ୍ୟେକ୍ଷ ରୂପରେ I ଏଥର କିନ୍ତୁ ଆଉ କେହି ନଛାଡ଼ I ଦୁଇ ବର୍ଷ ହେଲାଣି କୌଣସି ପ୍ରକାର ଏଡେଇ ଆସୁଥିଲି ବାହାଘର ଵିଷୟ ବସ୍ତୁଟିକୁ କିନ୍ତୁ ଏଥର ଆଉ ଉପାୟ ନାହିଁ I ଘର ତିଆରି ମଧ୍ୟ ସରିଲାଣି ଆଉ ଦ୍ଵିତୀୟ ଭଉଣୀର ବାହାଘର ମଧ୍ୟ ସ୍ଥିର ହୋଇ ସାରିଛି I ତେଣୁ ଏଥର ବାଧ୍ୟ କରା ଯାଇଛି ଗାଆଁକୁ ଆସି ନିଜର ପାରିବାରିକ ଦାୟିତ୍ଵ ବିଷୟରେ ସବୁ ଜାଣିବା ଲାଗି, ଯେଉଁଥିରେ ବାହାଘର ମଧ୍ୟ ଅନ୍ତର୍ଭୁକ୍ତ !

ଘରେ ପାଦ ଦେଉ ଦେଉ ବାପାଙ୍କର ନାଲିସ, " ଗୁଟୁ ଆଉ କେତେ ଦିନ ଆମ ପରିବାରର ଦାୟିତ୍ଵ ନେବ? କଣ ଖାଲି ଟଙ୍କା ପଠେଇଦେଲେ ତୋର କାମ ସରିଗଲା କି? ସିଏ କେତେ କଷ୍ଟ ପଡୁଛି ତୁ କଣ ଜାଣିବୁ ? ସହରରେ ସେ ବିନ୍ଦାସ ଜୀବନ ନାହିଁ ଏଠି  I ତାହାର ନିଜର ଦୁଇଟା ଛୁଆ ହେଲେଣି I ସିଏ କେତେ ଦିନ ଆମ କଥା ବୁଝିବ? ନନା ମଧ୍ୟ କହୁଥିଲା କୁନିର ବାହାଘର ପରେ ସବୁ ଭାଗ ବଣ୍ଟା ହେଇଯିଵା  ଭଲ I ଏବେ ଜଣେ ବୋହୁ ଅଛି ଚଳି ଯାଉଛି I ଦ୍ଵିତୀୟ  ବୋହୁ ଆସିଲା ପରେ କିଛି ନା  କିଛି ତା ମନ ମନ୍ତବ୍ୟ ରହିବ ! ଟିକେ ଅଲଗା ହୋଇଗଲେ ଭଲ ହେବ I ଆଉ ତୋ ପାଇଁ ମଧ୍ୟ ବଖରାଟିଏ ତିଆରି ହୋଇ ସାରିଛି I ଦୁଇ ତିନି ବର୍ଷ ପରେ  ସାନର ବାହାଘର ହୋଇଗଲା ପରେ ସବୁ ତ ତୋହର I ଆଉ କିଏ ସମ୍ଭାଳିବ?ଦାୟିତ୍ଵ ଜ୍ଞାନ କେବେ ହେବ ତୋହର? ବତିଶି ପୁରିଲାଣି ପରା ! ନନା କହୁଛି  କୁନିର ବାହାଘର ସହ ତୋର ମଧ୍ୟ ବାହାଘର କରିଦେଲେ ଏକା  ଥରକରେ ଦୁଇଟି କାମ ସାରି ଯାଆନ୍ତା I ବାକି କଥା ତୋର ବୋଉ ବୁଝେଇବ I "

ବୋଉ କୁ ପ୍ରଣାମ କରି ବାହାରି ଯାଇଥିଲି ଗାମୁଛା ଧରି ଗାଆଁର ପୋଖରୀ କୂଳକୁ I ମୋ ସ୍ମୃତିରେ ପୋଖରୀ  କୂଳଠାରୁ ଅଧିକ ଶାନ୍ତ ଆଉ ମନୋରମ ପରିବେଶ କେଉଁଠାରେ ନଥାଏ I ସନ୍ଧ୍ୟା ସମୟରେ ସ୍କୁଲରୁ ଫେରି ଏହିଠାରେ ମୋର ଆସର, କେବେ ପାଣିରେ ଟେକା ମାରି ବେଙ୍ଗ ସୃଷ୍ଟି କରିବା ଆଉ କେବେ ପଦ୍ମ ଫୁଲ ତୋଳି ସନ୍ଧ୍ୟା ଆଳତି  ସମୟରେ ପୂଜାରୀ ନନାଙ୍କୁ ଦେବା I କେବେ କଙ୍କି ଧରି ମାଆଠାରୁ ଗାଳି ଶୁଣିବା ଆଉ କେବେ ପକ୍ଷୀ  ମାନଙ୍କର ନୂଆ ଶାବକର ଆବିର୍ଭାବକୁ ଅପେକ୍ଷା କରିବା I କେବେ ପୁଣି ପୋଖରୀର ଚିଙ୍ଗୁଡିଆ ଦଳରୁ ଶିଙ୍ଘଡା ଅଣି  ମୋ ତିନି ଭଉଣୀଙ୍କୁ ବାଣ୍ଟିବା I ମହାବିଦ୍ୟାଳୟରେ ଦାଖିଲ ହେବା ଠାରୁ ଗାଆଁ ରହିଯାଇଛି ଅତୀତ ହୋଇ ଆଉ ସହର ପାଲଟିଛି ବର୍ତ୍ତମାନ ଆଉ ଭବିଷ୍ୟତ !

କିନ୍ତୁ ଆଜି ବାପାଙ୍କ କଥା ଶୁଣି ପୁଣି ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତ ଗୋଳେଇ ଘାଣ୍ଟି  ହେବାକୁ ଲାଗିଛି I ଅଥୟ ହୋଇକି ଦୌଡ଼ି ଯାଇଥିଲି କିଛିଟା ଆଶ୍ବସ୍ତି ପାଇଁ ମୋର ଚିର ପରିଚିତ ପୁଷ୍କରିଣୀ ପାଖକୁ କିନ୍ତୁ ଫେରିଥିଲି ନିରାଶ ହୋଇ I 

"ତୁମକୁ ତ ମୂଳରୁ ମନା କରିଥିଲି ପୋଖରୀକି ଯିବା ଲାଗି I ଏତେ ଦିନରେ ଆସିଛ, ଗାଁ ତୁମର ହେଲେ ମଧ୍ୟ ଦେହ ପାଇଁ ସବୁ ନୂଆ I ନ ଶୁଣିକି ଦଉଡି ଯାଇଥିଲ, ଓଲଟା ମୋତେ ଶୁଣେଇକି କି ମୁଁ ବୁଝି ପାରିବିନି ଗାଆଁ ପାଣିରେ ଗାଧେଇବା ମଜା I  ମୁଁ କଣ ଆଉ ଗାଆଁରେ ରହିନି ନା ସହରରେ ପାଠ ପଢିନି ?  ଗାଆଁ ପାଣି ହେଲାଣି ତୁମ ପାଇଁ ନୂଆ ପାଣି  I ସକାଳେ ନଈରେ ଯାଇ ଗାଧେଇ ଆସ ଏତେ ଗାଆଁ ପାଣି ଶୌକ ଲାଗିଛି ଯଦି I କେତେ ପାଣି ଅଛି ମୁଁ ଜାଣିନି କିନ୍ତୁ ସ୍ଥିର ପାଣି ନୁହଁ ତେଣୁ ଭଲ I ଟୁକୁନାକୁ ସାଥିରେ ନେଇ ଯାଅ I ନଈ ପାଖତଡ ସବୁ ବଦଳିଗଲାଣି I ଲୋକ ଘର କରି ରହି ସାରିଲେଣି I ଗାଧୁଆ ଘାଟ ମଧ୍ୟ ଅଲଗା ଏବେI ପାଣି ଗରମ ହେଲାଣି ଆଉ ରନ୍ଧା ମଧ୍ୟ ସରିଲାଣି ,"ଭାଉଜଙ୍କର ଡାକ  ଶୁଣି ଚାଲିଗଲି ନିଜର କାମ ସାରି ରାତ୍ରି ଭୋଜନ କରିବାକୁ I"


ରାତି ସାରା ଆଖିରେ ନିଦ ନାହିଁ ଗାଆଁ ନଈ କଥା ଭାବିକି I ସେହି ନଦୀ ତ ଏକ ମାତ୍ର କାରଣ ଥିଲା ମୋର ଦୂର ସହରକୁ ପାଠ ପଢିବାକୁ ଯିବା ଲାଗି ! ନଚେତ ପାଖ ଟାଉନରେ କଲେଜରେ ମଧ୍ୟ ସିଟ ମିଲିଥିଲା ଏବଂ ଖର୍ଚ୍ଚ ମଧ୍ୟ କମ ହୋଇଥାଆନ୍ତା I କିନ୍ତୁ ଯମୁନାର ସ୍ମୃତିଠୁ ଦୁରେଇ ଯିବା ଲାଗି ଟାଉନ କଲେଜ ଯଥେଷ୍ଟ ନଥିଲା ସେ ସମୟରେ I ଯଥେଷ୍ଠ ନଥିଲା ଏକ ମାର୍ମିକ ଘଟଣାକୁ କଳା ସିଲଟର ଲେଖା ଭଳି ଅକ୍ଲେଶରେ  ପୋଛିଦେବାକୁ, ଯାହା ସାରା ଗାଆଁ ମିଶି କରି ପାରିଥିଲା I ସେମାନଙ୍କ ଆଉ ମୋ ଭିତରେ ଏତିକି  ଫରକ ନିଶ୍ଚୟ ଥିଲା: ସିଏ ଥିଲା କାହାର ଭଉଣୀ, କିମ୍ବା ଝିଅ କିମ୍ବା ରୋଜଗାରର ପନ୍ଥା କିମ୍ବା ଗାଆଁର ପିଲାଙ୍କର ପ୍ରିୟ ଦିଦି ଅଥବା ଦରକାର ପଡୁଥିଲେ ସୁବିଧା ଅସୁବିଧାରେ ହାତ ବଢାଉଥିବା ଆଦର୍ଶ ମାନବିଟିଏ ସ୍ଵେଚ୍ଛାସେବୀ ସଙ୍ଗଠନର ଗାଆଁ ମହିଳାଙ୍କ ପାଇଁ I କିନ୍ତୁ ମୋ ଲାଗି ଥିଲା ସବୁ କିଛି, ମୋର ଭବିଷ୍ୟତର ସଂସାରର ମୂଳଦୁଆ, ମୋର ସ୍ଵପ୍ନର ଅଳକା ପୁରୀର ମହକ, ଗାଁ ଟୋକା ସିନା ମୋତେ ତାହାର ପ୍ରେମିକ ବୋଲି ଚିଡ଼ାଉଥିଲେ !

ହଁ ଯମୁନା ଥିଲା ମୋର ଘନିଷ୍ଠ ସଙ୍ଗିନୀ, ସବୁ କିଛି ଶୁଣିଥିଲା ମୋର ମନର ଆଉ ସବୁ ଜାଣିଥିଲା I ତାହାର ସ୍ଵପ୍ନ ଥିଲା ଗାଆଁ ରେ ରହି ନିଜର ଛୋଟ ସଂସାର ସୁଖରେ ଦୁଃଖରେ ରହିବାର ଆଉ ମୋତେ ମଧ୍ୟ ସେହି ସ୍ବପ୍ନଟିରେ ସାମିଲ କରିଲା ଭଳି ଲାଗୁଥିଲା ସେ ଦିନ ଯାଏଁ ଯେଉଁ ଦିନ ଯାଏଁ ତାହାର ରକ୍ତାକ୍ତ ଶବଟି ଉଦ୍ଧାର ହୋଇନଥିଲା, ନଦୀ ଶଯ୍ୟାର ଉତ୍ତପ୍ତ ବାଲୁକାରୁ I ଅଦିନରେ ମଉଳି  ଯାଇଥିଲା ଫୁଲଟିଏ ଆଉ ସରିଯାଇଥିଲା ଛୋଟ ନଈଟିର ଅସ୍ତିତ୍ବ ସେ ବର୍ଷର ବୈଶାଖରେ I ପରିବାର ଲୋକ ସମାଜର ବଦନାମ ଭୟରେ ଧର୍ଷଣଟିକୁ ଘୋଡାଇ ଦେଇଥିଲେ ଦୁର୍ଘଟଣାର ନାମ ଦେଇ, ପୁଲିସକୁ ଆଉ ଡାକ୍ତରଙ୍କୁ ନିଜର ହାତର କରି ଆଉ ଘରେ ଥିବା ଅନ୍ୟ ଝିଅଙ୍କର ଦ୍ଵାହି ଦେଇ I ମୁଁ ଜାଣିବା  ଯାଏଁ ଆସାମୀ ଧାରା ପଡି ନଥିଲା I ସେହି ଦିନରୁ ମୋର ଆଉ କେବେ ନଦୀରେ ଗାଧେଇବାକୁ ମନ ହୋଇନି I 

କିନ୍ତୁ ଆଜି ଭାଉଜଙ୍କ କଥା ଶୁଣି ପୁଣି ମନ ହେଲା ନଈରେ ଯାଇକି ଗାଧେଇବା ଲାଗି I ହୁଏତ ନୂତନ ସ୍ମୃତିର ସୃଷ୍ଟିରେ ପୁରାତନ ବିସ୍ମୃତିଟି ଲିଭିଯିବ?


"ପୁରୁନି ନଈ  କୂଳକୁ ଯିବା?" ଚକିତ କଣ୍ଠରେ ଟୁକୁନା ପଚାରିଲା, " ସେଠାକୁ କେହି ଯାଆନ୍ତି ନାହିଁ ଆଉ  ! ଆଜି କାଲି ସମସ୍ତ ବଡ  ନଈ କୁ ହିଁ ଯାଉଛନ୍ତି ଗାଧେଇବା ଲାଗି ନଚେତ ଯେଉଁଠି ପୁରୁନି ନଈ ବଡ ନଈ ସାଥିରେ ମିଶିଛି, ସେଠାକୁ I ପୁରୁନି ନଈରେ ବହୁତ କମ ପାଣି ଆଜି କାଲି ରହୁଛି I"

"ଚଳିବ ଯେତେ ପାଣି ଥିଲେ I ସେହି ଜାଗାକୁ ଯିବା ଯେଉଁଠାରେ ପାହାଡ ତଳେ ଛୋଟ ଛୋଟ ପଥର ମଧ୍ୟରେ ପୁରୁନି ନଈ  ବହି ଯାଇଛି ଆଉ ଯେଉଁଠି ବେଶୀ ପାଣି ନାହିଁ  I ମୋତେ ସେ ଜାଗାଟି ଭଲ ଲାଗେ I ମୋତେ ସେଇଠିକି ନେଇ ଚାଲେ I ଜାଣିଛୁ କି ସେହି ରାସ୍ତା ? ମୋତେ ତ ସବୁ ନୂଆ ନୂଆ ଲାଗୁଛି," ମୁଁ କହିଲି I 

କିଛି ସମୟ ପରେ ଟୁକୁନା ସହିତ ଠିଆ ହେଇଥିଲି ମୋର ଇପ୍ସିତ ସ୍ଥଳରେ ଚକିତ ହୋଇ I ଅଦୃଶ୍ୟ ହୋଇ ସାରିଛି ପୁରୁନି ନଈର ସେ ଶାଖା ଆଉ ଦୃଶ୍ୟମାନ କେବଳ ପ୍ଲାଷ୍ଟିକ ଆଉ ଗାଆଁର ସବୁ ଅଳିଆ ଆବର୍ଜନା ! କେଜାଣି କେମିତି  ଗାଆଁ ଲୋକ ଭୁଲିଗଲେ ପୁରୁନି ନଦୀକୁ ଆଉ ପରିବର୍ତ୍ତନ କରିଦେଲେ ତାହାକୁ ଏକ ଅଳିଆ ଗଦାରେ ଯେଉଁଠାକୁ ଆଉ କେହି ଯିବାକୁ ମନସ୍ଥ କରୁ ନଥିଲେ I ଯମୁନାର ଅସ୍ତିତ୍ଵ ପୋଲିସ ଥାନାର କାଗଜ଼ ଭିତରେ ପୋତି ହେଲା ଭଳି ପୋତି ହେଇ ଯାଇଥିଲା ପୁରୁନି ନଦୀ ଅନେକ ପରସ୍ତ ପ୍ଲାଷ୍ଟିକ ତଳେ !

"ଗାଧେଇବା କି, ଯିବାକି? ଡେରି ହେଲାଣି, ବୋଉ ବ୍ୟସ୍ତ ହେବ," ଟୁକୁନା  କହିଲା I 

ନିଜ ଭାବନା ରାଜ୍ୟରୁ ବାହାରି ଚାଲିଗଲି ଟୁକୁନା  ସହିତ I ଗାଧୋଇ ସାରି ଫେରି ଗଲି ନିଜର ଭାବନରେ ମଗ୍ନ ନିଜ ରୁମକୁ I 

 ପୁଣି ଭାଉଜଙ୍କ ସହ ଆରମ୍ଭ ହେଲା ମୋର ବାର୍ତ୍ତାଳାପ ଖାଇବା ପାଖରେ I 

"ପଖାଳ ଆଉ ଶାଗ ପସନ୍ଦ ହେଲାନି  କି? ବୋଉ ତ କହୁଥିଲେ ତୁମର ବହୁତ ପସନ୍ଦ ବୋଲି? ଏମିତି ମୁଁହ   କାହିଁକି ମାନ୍ଦା ଦୁଶୁଛି? କଣ ଭାବୁଛ? ନିର୍ଲିପ୍ତ ଭଲ ଝିଅଟିଏ," ଭାଉଜ କହିଲେ I 

"ପୁରୁନି ନଦୀଟା  ବଦଳି ଯାଇଛି ଭାଉଜ I ପୋତି ହେଇଗଲାଣି ଏକ ପ୍ରକାର I ସେହି କଥା ଭାବୁଛି," ମୁଁ ଉତ୍ତର ଦେଲି  ଆଉ ବିବରଣୀ ଦେଲି ପ୍ରୂରୁନି ନଈର ପ୍ରଦୂଷଣ ବିଷୟରେ I 

"ଯୋଉ ସ୍ଥାନରେ  ଦରକାର ହେଇଛି, ସେହି ସ୍ଥାନରେ ତ ଲୋକ ତାକୁ ବ୍ୟବହାର କରୁଛନ୍ତି, ଅଦରକାରୀ ସ୍ଥାନକୁ କିଏ କାହିଁକି ଯିବ କି? ତୁମେ କାହିଁକି ସେ ଆଡକୁ ଯାଇଥିଲ କି?" ଓଲଟା ଭାଉଜ ପ୍ରଶ୍ନ କଲେ  I 

"ଗୋଟିଏ  କଥା ପଚାରିବି?" ମୁଁ କହିଲି,  "ତୁମେ ବାହା ହୋଇ ଆସିବା  ବର୍ଷ ଏ ଗାଁରେ ଗୋଟିଏ ଦୁର୍ଘଟଣା ଘଟିଥିଲା, ଗୋଟିଏ ଝିଅର ମୃତ ଦେହ ମିଳିଥିଲା.." 

"ଓଃ ଯମୁନାର କଥା? ତାକୁ ତ ସମସ୍ତେ ଭୁଲି ଗଲେଣି I ମୋର ମନ ରହିବାର ଏକ ମାତ୍ର କାରଣ ହେଲା ସେଦିନ ନଦୀରୁ କୋଇଲି ପାଣି ଆଣିବାକୁ ଯାଇଥିବା ମହିଳା ମାନେ ଅନେକ ସମୟରେ କଥା ବାର୍ତ୍ତା  ହେଉଥିଲେ I ସେହି ଦିନ ପରା ମୁଁ ତୁମ ଘରକୁ ଆସିଥିଲି ବୋହୁ ହେଇକି, ତୁମେ ଭୁଲି ଗଲା କି ?" ଭାଉଜ ପଚାରିଲେ I 

" ନା ମୁଁ ଭୁଲିନି  କିନ୍ତୁ ହୁଏତ ଭୁଲିଯିବି ମୁଁ ମଧ୍ୟ କେଉଁ ଦିନ ଯେମିତି ପୁରୁନି ନଦୀକୁ ଭୁଲିବାକୁ ଆଜି ବାଧ୍ୟ ହେଉଛି I ତୁମ କଥା ଶୁଣିବାର ଥିଲା, ଘରେ ହିଁ ଗାଧୋଈବାର ଥିଲା  I  ଘରେ ହିଁ ଏଥର ଗାଧେଇବି ," ମୋ ପାଟିରୁ  ବାହାରି ଗଲା, ମୁଁ ହାତ ଧୋଇବାକୁ ଉଠୁ ଉଠୁ I 

"ହଉ ମୁଁ କହିଦେବି ତୁମେ ହଁ କହିଛ ପ୍ରସ୍ତାବକୁ," ମୁରୁକି ହସୁଥିଲେ  ଭାଉଜ  I 


Rate this content
Log in

More oriya story from Ranjit Sahu

Similar oriya story from Romance