Gitanjali Pujapanda

Romance

2  

Gitanjali Pujapanda

Romance

ମନର ନିର୍ଜନତା

ମନର ନିର୍ଜନତା

6 mins
124


ମନ ନିର୍ଜନତାରେ ରହିବାକୁ ଭାରି ଭଲ ଲାଗେ !! ନିର୍ଜନତା... ପୁଣି ମନ ଭିତର ? ହଁ ଜଣେ ଦାର୍ଶନିକ ଏପରି କହିପାରେ l କିନ୍ତୁ ଅସୀମା ପରି ଜଣେ ଗୃହିଣୀ ଏହା କହିବା କିପରି ସମ୍ଭବ ? ହଁ ନୂଆ ନୂଆ ହୋଇ ଶାଶୁଘରକୁ ଆସିଥିବା ଅସୀମା କେବେ କଣ ଭାବିଥିଲା ସେ ଦିନେ ପ୍ରେମରେ  ପଡିବ ବୋଲି !! ପୁଣି ଆଉ ଥରେ !! ପ୍ରେମ ତ ଗୋଟିଏ ଥର ହୁଏ l ଦ୍ୱିତୀୟ ଥର ହେବା କଣ ସମ୍ଭବ ? ଅସୀମା ଏବେ ଏକୁଟିଆ ସମସ୍ତେଙ୍କ ଠାରୁ ଦୂରରେ  ରହିବାକୁ ପସନ୍ଦ କରୁଥିଲା ତାର ମନର ସ୍ଥିତି ଜାଣିବା ପାଇଁ ଚେଷ୍ଟା କରୁଥିଲା ସେ !!ସତେରେ  ସେ କଣ ଶ୍ୟାମଳକୁ ଭୁଲି ମନୀଷକୁ ତାର ହୃଦୟରେ  ବସାଇ ସାରିଛି ।ଶ୍ୟାମଳ ତା ପିଲାଦିନର ସାଙ୍ଗ । ଏକାଠି ତା ସହିତ ବଡ଼ ହେଇଛି ସେ। ଖାଲି ଏତିକି ତଫାତ ଶ୍ୟାମଳ ମହାନ୍ତି ଜଣେ କରଣ, ଅସୀମା ମିଶ୍ର ବ୍ରାହ୍ମଣ !!ମାତ୍ର ପ୍ରେମ କଣ ଜାତି ପାତି ଧନ ଦୌଲତ ଦେଖେ !!ସେ ତ ଖାଲି ଏକ ନିର୍ମଳ ମନଟିଏ ଦେଖେ ଯାହା ସେ ନିଜର ହୃଦୟରେ  ଦେଖିଥିଲା ପ୍ରଥମେ ଶ୍ୟାମଳକୁ !!ସବୁ କଥାରେ  ସାଙ୍ଗମାନଙ୍କର ଆଗରେ ଯେତେ ଭୁଲ ଥାଉ ସବୁବେଳେ ତା ସପକ୍ଷରେ କଥା କହିବା କିଏ ଯଦି ଗାଳି କରେ ତାକୁ ମାଡ଼ ମାରିବାକୁ ବି ପଛାଉ ନ ଥିଲା ଶ୍ୟାମଳ କାରଣ ସେ ପ୍ରେମ କରୁଥିଲା ଅସୀମାକୁ ।

ପ୍ରେମର ଭାବନା କଣ ସମସ୍ତଙ୍କ ଠାରୁ ଦୂରକୁ ନେଇଯାଇ ମନ ଖୋଜେ ଖାଲି ଟିକେ ନିର୍ଜନତା ଟିକେ ତା ବିଷୟରେ  ଭାବିବା ପାଇଁ ହଁ ଖାଲି ଭାବିବା ପାଇଁ ସମୟ ଦରକାର । ମାତ୍ର ଚବିଶ ଘଣ୍ଟା କଣ ଯଥେଷ୍ଟ ପନ୍ଦର ବର୍ଷର ପୁରୁଣା ପ୍ରେମକୁ ଭୁଲିବା ପାଇଁ ।ନା ନା ମୁଁ ଭୁଲି ପାରିବିନି ସେ ସ୍ପର୍ଶକୁ ଯାହା ମୋ ଦେହ ମନରେ  ଏକ ଅଜବ ଶିହରଣ ଖେଳେଇ ଦେଇଥିଲା । ମୁଁ ପ୍ଲସ ଟୁ ପଢିବା ସମୟର କଥା । ମୁଁ ଆଉ ଶ୍ୟାମଳ ଦୁହେଁ ଏକା ସ୍କୁଲ ସହିତ ଏକା କଲେଜରେ  ଥିଲୁ । ତାର ଖାଲି କମର୍ସ ଆଉ ମୋର ଆର୍ଟସ !!ଦେଖା ତ ହୁଏ ଇଂଲିଶ ଟିଉସନରେ । ମାତ୍ର ଗପସପ ଛାତ ଉପରେ ଆମର ଚାଲେ । ବୋଉ ଡାକ ଛାଡିଥିବ, ଆଉ ଆମ ଗପ ସରୁନଥିବ ।ଭଲ ସାଙ୍ଗ ଥିଲା । ଆଉ କେତେବେଳ ସେ ପ୍ରେମିକ ଆଉ ମୁଁ ତା ପ୍ରେମିକା ବନିଗଲି ଜଣାପଡ଼ିଲାନି ମତେ !! କିଛି ଭଲ ଲାଗେନି ଗୋଟେ ଦିନ ସେ ନ ଆସିଲେ, ସବୁ ଆଡେ ତାର ମୁହଁ । ସେ କରଣ ଆଉ ମୁଁ ବ୍ରାହ୍ମଣ । କେମିତି ପ୍ରେମ ହେଲା ମନକୁ ସବୁବେଳେ ପଚାରେ । ଆଉ ପଚାରିଲେ ଉତ୍ତର ଆସେ ନିରାଶାର ଉତ୍ତର ଆଉ ପୂର୍ଵ କୋଣ କେବେ କଣ ମିଳିପାରିବେ, ତାକୁ କହିବାରୁ ସେ କୁହେ ଚାଲ ଆମେ ଭାଗିଯିବା କୁଆଡେ ବୋଲି କୁଆଡେ । ଖାଲି ତୁ ଥିବୁ ଆଉ ମୁଁ ଥିବି । ସେଦିନ କିନ୍ତୁ ବାପାଙ୍କର ତୀକ୍ଷ୍ଣ ନଜର ମୋ ଉପରେ ଥିଲା । କାରଣ ତା ପୂର୍ବ ଦିନ ରାତିରେ  ବୋଉ ବାପାଙ୍କୁ କହୁଥିଲା ଅସୀମା ଏବେ ବଡ଼ ପିଲା ହେଲାଣି । ବିବାହର ବୟସ ବି ତାର ହେଲାଣି । ଆଉ ଏତିକିବେଳେ ସବୁବେଳେ ସେ ଭେଣ୍ଡା ଟୋକାଟିଏ ଆସୁଛି !!ହଁ ମୁଁ ମାନୁଛି ପିଲା ଦିନର ସାଙ୍ଗ ସେମାନେ । କିନ୍ତୁ ବୟସ କଣ ପିଲାବେଳ ଦେଖେ ନା ଜାତିପାତ, ନିଆଁ ପାଖରେ  ଯଦି ଘିଅ ରହିବ ତା ହେଲେ ନିଶ୍ଚିତ ଭାବରେ ତରଳିଯିବ।ତେଣୁ ଶ୍ୟାମଳକୁ କହିଦିଅ ସେ ଯେମିତି ଆମ ଘରକୁ ନ ଆସିବ ବେଶୀ ।କାଲି ଅସୀମାକୁ ପୁଅ ଘର ଦେଖିବାକୁ ଆସୁଛନ୍ତି।

ସବୁ ଶୁଣି ସାରି ମତେ କେମିତି ନିଦ ହେବ !!ରାତି ସାରା କର ଲେଉଟାଇ ସରିଗଲା । ବୋଉ ମତେ ଦେଖିଛି ସେ ରାତିରେ । ପ୍ରାପ୍ତ ବୟସ୍କ ଲୋକ ଜାଣିପାରନ୍ତି ମୁହଁର ହାବଭାବକୁ ଦେଖି । ଆଉ ବୋଉ ବି ଜାଣିସାରିଥିଲା ମୋ ଭିତରେ କଣ ଚାଲୁଛି ବୋଲି ।ସମାଜର ଦାଣ୍ଡରେ  ନିନ୍ଦା ଅପବାଦରୁ ରକ୍ଷାପାଇବା ପାଇଁ ସେ ରାତିରେ ମତେ କହିଲା, ହଁ ମୁଁ ଜାଣିପାରୁଛି ତୁ ଶ୍ୟାମଳକୁ ଭଲପାଇବସିଛୁ ଅସୀମା!! କିନ୍ତୁ ସେ ଆମ ଜାତିର ନୁହେଁ ତୁ ଯଦି ବାପାଙ୍କର ଭଲ ଆଉ ମୋର ଭଲ ଚାହୁଁଛୁ ଆଉ ଭାଇ ତୋର ମୁଣ୍ଡ ଟେକି ସମାଜ ଆଗରେ ଠିଆ ହେବ ବୋଲି ତା ହେଲେ ବାପା ଯାହାକୁ ଠିକ କରିବେ ତୋ ତାକୁ ବିବାହ କରିବୁ ।ଶୁଣୁ ଶୁଣୁ ଅସୀମାକୁ ଏକ ଝଟକା ଲାଗିବା ସହିତ ପାଦ ତଳୁ ତାର ମାଟି ଖସିଗଲା ପରି ଲାଗିଲା !! ଶ୍ୟାମଳ ତା ଜୀବନରେ  କଣ ସେ କାହାକୁ ବୁଝେଇବ ଆଉ କିଏ ତା କଥା ଶୁଣିବ !!ଝିଅ ଜୀବନ ଦୁହିତା ଦୁଇ କୁଳକୁ ହିତା ସେ କଣ ହେଇପାରିବ ଯଦି ହେବ ତାହେଲେ ବି କଣ ସେ ଖୁସିରେ  ଆଉ କାହାର ହାତ ଧରି ପାରିବ ଜୀବନ ସାରା । ସମୟର ଦୁଇ ଛକି ସେ ବର୍ତ୍ତମାନ ।ସମସ୍ତଙ୍କ ଠାରୁ ଦୂରକୁ ବହୁତ ଦୂରକୁ ଚାଲିଯିବାକୁ ଇଚ୍ଛା ହେଉଥିଲା ତାର ।ବେଳେବେଳେ ସେମିତି ଲାଗେ ନିଜର ଇଚ୍ଛା ପୂର୍ଣ୍ଣ ନ ହେଲେ ବିଷ ମଧ୍ୟ ଖାଇକି ଆତ୍ମହତ୍ୟା କରିବାକୁ ଇଚ୍ଛା ହୁଏ । ଉଚିତ କଣ ଅନୁଚିତ କଣ ଭାବିବାକୁ ଇଚ୍ଛା ହୁଏନି । ଆଉ ଶ୍ୟାମଳକୁ ଯେତେବେଳେ ସେ କହିଲା, ଶ୍ୟାମଳ କହିଲା ସବୁ ପ୍ରେମ କାହାଣୀର ଅନ୍ତ କଣ ସୁଖଦ ଆଉ ପୂର୍ଣ୍ଣ ହୁଏ କିଛି କାହାଣୀ ସେମିତି ଅଧା ରହିଯାଏ । ଅନ୍ୟକୁ ଖୁସି କରିବା ପାଇଁ ଆମକୁ ଦୂରେଇ ଯିବାକୁ ପଡିବ ଅସୀମା !ମତେ କଥା ଦିଅ ତୁମେ ସବୁବେଳେ ଖୁସିରେ  ରହିବ ସବୁବେଳେ ତୁମେ ମୋ ମନରେ  ଘର କରି ରହିଥିବ ଆଉ ମୁଁ ତୁମ ମନରେ  ରହିପାରିବି କି ନାହିଁ ସମୟ କହିବ !!ସମୟ ଉପରେ ସବୁ ଛାଡି ଦିଅ ଏତିକି କହି ଶ୍ୟାମଳ ଚାଲିଗଲା ଆଉ ପଛକୁ ଫେରିଲାନି !!

ଅସୀମାକୁ ଦେଖିବା ପାଇଁ ଆସିଥିବା ବରଘର ଅସୀମାକୁ ପସନ୍ଦ କରି ଚାଲିଗଲେ ।ପନ୍ଦର ଦିନ ମଧ୍ୟରେ  ନିର୍ବନ୍ଧ ଆଉ ବିବାହ ମଧ୍ୟ ହୋଇଗଲା ।ଆଖିରେ ଆଖିଏ ଲୁହ ଆଉ ମନରେ  ଦୁଃଖର ବିରାଟ ଘର ନେଇ ଅସୀମା ପହଞ୍ଚିଲା ଶାଶୁ ଘରେ । ଅଜଣା ଅପରିଚିତ ଘର !!ମନେ ମନେ ଭାବୁଥିଲା ବାପ ମାଆ କେତେ ନିଷ୍ପତ୍ତି ନିଅନ୍ତି ଯାହା କେବଳ ତାଙ୍କ ପିଲାମାନଙ୍କୁ ଭୋଗିବାକୁ ପଡିଥାଏ ।ବୋଉ କଥା ମନେ ପଡ଼ିଲା ବୋଉ କହୁଥିଲା ଝିଅ ବାପ ମାଆ କେବେ ଝିଅ ହେଉ କି ପୁଅ ହେଉ ତାର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ ।ତୋ ଭାଗ୍ୟ ଶ୍ୟାମଳ ନୁହେଁ ମନିଷ ସେ ତତେ ବହୁତ ଖୁସି ଦେବ ।କାରଣ ତୁମ ଦୁଇ ଜଣଙ୍କର ଜାତକ ପୁରା ମିଶିଛି !!

ଜାତକ ମିଶିଛି ଅସୀମା ମନ ତ ମିଶିନି ଆଉ କେବେ ବି ମିଶିବନି ମୁଁ ମିଶିବାକୁ ଦେବିନି କହି ଅସୀମା ମନରେ  ଶାଶୁ ଘର ପ୍ରତି ଏକ ବିରକ୍ତିଭାବ ଆସିଥିଏ ।ସିଏ ଆସିବା ପରେ ସବୁ ଜିନିଷ ତାର ଘରୁ ଆସିଯାଇଥାଏ ।ବିବାହ ସୁରୁଖୁରୁରେ ହେବା ପରେ ମଧ୍ୟ ଅସୀମା ମନୀଷର ମୁହଁକୁ ଚାହିଁନି କାରଣ ସେ ବିବାହ କରି ମଧ୍ୟ ଶ୍ୟାମଳକୁ ଭୁଲିପାରିନି ।ମନେ ମନେ ଭାବେ ସବୁ କଥା ମନୀଷକୁ କହିଦେବ ।ତା ଉପରେ ତାଙ୍କର କୌଣସି ବି ଅଧିକାର ନାହିଁ କାରଣ ଖାଲି ବିବାହ କଲେ ଯେ ଅଧିକାର ଜାହୀର କରିବ ଏକଥା ସେ ମାନେନି!!

ଚଉଠି ରାତି ଉପନୀତ । ରୁମଟି ରାଜନିଗନ୍ଧା ସହିତ ମଲ୍ଲୀ ଫୁଲର ଭଣଭଣ ବାସ୍ନାରେ ମହକୁଥାଏ । ନାଲି ଶାଢ଼ୀ ସହିତ ଗଜରା ନାଲି ବିନ୍ଦି ନାଲି ଅଳତାରେ ବଧୂ ବେଶ ସଜି ଅପେକ୍ଷା କରିବ କଣ, ନିଦକୁ ଅଲିଙ୍ଗନ କରି ଶୋଇଯାଇଥାଏ ଅସୀମା । ମନୀଷଙ୍କର ପ୍ରବେଶ ଅସୀମାକୁ ଦେଖି ସବୁ କାମନା ସହିତ ବାସନାକୁ ଜଳାଞ୍ଜଳି ଦେଇ ସେ ବି ନିଜକୁ ସୋଫା ଉପରେ ବିଛେଇ ନିଦର ଗଭୀରତାରେ ନ ପଶିପାରିଲେ ବି ଚେଷ୍ଟା କରି ବିଫଳ ହେଉଥାନ୍ତି ବାରମ୍ବାର । କାରଣ ଅସୀମାର ଘୁଙ୍ଗୁଡ଼ି ମାରୁଥାଏ ରହି ରହି !!ମନୀଷ ତାକୁ ମୋବାଇଲରେ ରେକର୍ଡ କରିଦେଇଥାନ୍ତି । ଏମିତି ପ୍ରାୟ ରାତିରେ ଚାଲେ ମନୀଷ ଆସିବା ପୂର୍ଵରୁ ଅସୀମା ଶୋଇଯାନ୍ତି।ମନୀଷ କିଛି ବୁଝିନପାରି ଦିନେ ପଚାରିଦିଏ । ତମେ କଣ ବାଧ୍ୟ ହୋଇ ମତେ ବିବାହ କରିଛ ଅସୀମା । ମୁଁ ତୁମ ସ୍ୱାମୀ । ଅସୀମା ସବୁ ଶୁଣି କୁହେ ତୁମେ କଣ ଚାହି ମୋ ଠାରୁ ମନୀଷ । ମୋର ଏ ଦେହ !! ହଁ ବଳ ପୂର୍ବକ ତୁମେ ତାକୁ ହାସଲ କରିପାର ମାତ୍ର ମୋ ମନକୁ ତୁମେ କେବେ ହେଲେ କରିପାରିବନି କାରଣ ସେଥିରେ ତୁମର କୌଣସି ବି ଅଧିକାର ନାହିଁ କହି ଅସୀମା ଅର୍ଦ୍ଧଉଲଗ୍ନ ହୋଇ ଆଖି ଦୁଇଟି ବନ୍ଦ କରି ମନୀଷ ଆଗରେ ଠିଆ ହୋଇଯାଏ। ସେ ଭାବେ ସବୁ ପୁରୁଷଙ୍କ ପରି ତା ଦେହକୁ ବି ଖିନଭିନ କରିଦେବ ମନୀଷ ମାତ୍ର ଏ କଣ ଗୋଟେ ଲୁଗା ତା ଦେହରେ  ଢାଙ୍କି ମନୀଷ କୁଆଡେ ଚାଲିଯାଇଛି !!ଅସୀମା ଆଖିର ଲୁହ ଆଉ ମନର କୋହରୁ ନିଜକୁ ନିବୃତ କରିବାର ପ୍ରୟାସରେ ସଫଳ ହୁଏ ।ସେଦିନ ଠାରୁ ମନୀଷ ପ୍ରତି ତା ସମ୍ମାନ ବଢିଯାଏ ।କାରଣ ସେ ଜଣେ ନାରୀ ଯେଉଁ ପୁରୁଷ ତା ଶରୀର ପ୍ରତି ଆକୃଷ୍ଟ ନୁହେଁ ।ତା ଆତ୍ମା ପ୍ରତି ଆକୃଷ୍ଟ ତା ପ୍ରତି ସମ୍ମାନ ବଢିବା ସ୍ୱାଭାବିକ ।ଛୋଟ ଛୋଟ ସାଧାରଣ କଥା ମନୀଷ ତା ସହିତ ସେୟାର କରିବା ସହିତ ସେ ଦିନ କଥା କେବେ ହେଲେ ମନ ପକାନ୍ତି ନାହିଁ !!ଅସୀମା ଏକୁଟିଆ ବସିଥିବା ବେଳେ କଫି ମଗଟିକୁ ତା ଆଗେ ବଢ଼େଇ ଦେବା ତା ସହିତ ତାର ଦେହ ଖରାପ ବେଳେ ତାକୁ ଯତ୍ନ କରିବା ଏମିତି ଛୋଟ ଛୋଟ କଥା ତାକୁ ପ୍ରଭାବିତ କରେ ହଠାତ ସେ ଦିନେ ଅଗଣାରେ  ଲୁଗା ତୋଳୁ ତୋଳୁ ପଡିଯାଉଥିଲା ଆଉ ପଛ ପଟୁ ମନୀଷ ଆସି ତାକୁ ଧରି ନେଲେ ।କିଛି ଦିନ ହେବ ମନୀଷଙ୍କର ମୁହଁ ତା ଆଖି ସାମ୍ନାରେ  ଘୁରି ବୁଲୁଛି କାହିଁକି !!ସେ କଣ ଦ୍ୱିତୀୟ ଥର ପ୍ରେମରେ  ପଡିଛି ।

ସମସ୍ତଙ୍କ ଠାରୁ ଦୂରରେ  ରହି ମନର ନିର୍ଜନତା ତାକୁ ଭାରି ଭଲ ଲାଗୁଛି ନିଜର ଭାବନାକୁ ପରଖୁଛି ସେ !!ପ୍ରେମ ନା ଆଉ କଣ ଶ୍ୟାମଳ କଣ ତା ଜୀବନ ଆଉ ତା ସହିତ ମନରୁ ବାହାରି ସାରିଲେଣି ସେ ତ ତାର ଅତୀତ!! ଆଉ ମନୀଷ ତାର ବର୍ତ୍ତମାନ !! ଯିଏ ଆଜିକୁ ବର୍ଷେ ପାଖାପାଖି ହେବ ତା ଦେହକୁ ଛୁଇଁବାକୁ ଚେଷ୍ଟା କରି ନାହାଁନ୍ତି ଗୋଟେ ରୁମରେ  ଶୋଇ ମଧ୍ୟ !!ସେ ଚାହିଁଥିଲେ ବଳପୂର୍ବକ ତାକୁ ନିଜର କରିପାରିଥାନ୍ତେ ମାତ୍ର ସେ ସେମିତି କଲେ ନାହିଁ କାରଣ ବଳପୂର୍ବକ ପ୍ରେମ କରାଯାଇ ପାରେନି ।ଆଜି କିନ୍ତୁ ମନର ଗହନ ବନରେ  ପ୍ରେମ ରୂପକ ପୁଷ୍କରିଣୀ ଟିରେ ପହରୁଛି ଅସୀମା ସହିତ ମନୀଷ ।

ଅଫିସରୁ ଆସିଲା ବେଳେ କିଛି ଗଜରା ନେଇ ଆସିବ । ଅସୀମା ପାଟିରୁ ଏକଥା ଶୁଣି ମନୀଷ ମୁରୁକି ହସିଥିଲା ଆଉ କହୁଥିଲା ସବୁ ଠାରୁ ଦୂରରୁ ଗଲେ ମଧ୍ୟ ମନର ନିର୍ଜନତା ସବୁବେଳେ ଭଲ ମନ୍ଦ ଓ ପ୍ରେମକୁ ବୁଝାଇଦିଏ ମଣିଷକୁ !

ଅସୀମା ନିଜକୁ ମନେ ମନେ କହୁଥିଲା ଆଜି ବୁଝିପାରିଲି ପ୍ରକୃତ ପ୍ରେମ ମାନେ ତ୍ୟାଗ ଓ ସମର୍ପଣ ଆଉ କିଛି ଅକୁହା କଥା ଯାହା କେବଳ ଆଖି ଆଉ ଗୋଟିଏ ଆଖିକୁ କୁହେ ଓଠ ନ ଖୋଲି ବି ଜଣେ ଅନ୍ୟକୁ ନିଜର କରିପାରେ !!ଖାଲି ସେହ୍ନ ଆଉ ପ୍ରେମକୁ ପରଖିବାର ଅଛି !! ଯାହା ମନର ନିର୍ଜନତାରେ ଯାହାର ସ୍ୱର ଶୁଭେ ସେ ହିଁ ଅଧିକ ନିଜର ଲାଗେ !!ଅସୀମା କେବଳ ସେଦିନ ଚଉଠି ରାତିର ପୁରୁଣା ରୂପରେ  ନୂଆ ବଧୂ ସାଜିଥିଲା କେବଳ ମନୀଷ ପାଇଁ ଯାହା ତା ଆଖି କହୁଥିଲା ଅକୁହା କଥା ହୋଇ ପ୍ରେମର ପରିଭାଷା ସମର୍ପଣର ।



Rate this content
Log in

Similar oriya story from Romance