Nityananda Nandi

Crime Inspirational

4  

Nityananda Nandi

Crime Inspirational

ମୀରା ମାଉସୀ

ମୀରା ମାଉସୀ

5 mins
244



ବୋଉ ମୋତେ କେବେ ବି ଶିଖେଇ ନ ଥିଲା ତା ବିନା କେମିତି ଜିଁବାକୁ ହୁଏ। ଆଉ ସବୁ କଥା କିନ୍ତୁ ଶିଖିଥିଲି ମୋ ବୋଉ ପାଖରୁ। ଜୀବନର ସବୁ ମୋଡ ଯେତିକି ନୂଆ ସେତିକି ଅନିଶ୍ଚିତ। ରାସ୍ତା କେତେବେଳେ ସମତଳ ତ ଆଉ କେତେବେଳେ ଉଚା ନିଚା ଢିପ ଖାଲ ସବୁ ରାସ୍ତା ଉପରେ । 

ମୋ ଜୀବନଟା ବି ଠିକ୍ ସେମିତି। ବହୁତ ଖୁସି ଥିଲି। କାହିଁକି କେଜାଣି ଅଚାନକ ଅନ୍ଧକାର ମାଡି ଆସିଲା ମୋ ଜୀବନରେ। ବାପା ବୋଉକୁ ଛିଣ୍ଡି ନେଇଗଲା ମୋ ପାଖରୁ।


ଅନେକ କଥା ମନେ ମନେ ଭାବିଥିଲି ଛୋଟବେଳେ। ବଡ ହେବି। ବାହାଘର ହେବ। ବାପା ବୋଉ ମୋ ବେଦୀ ପାଖରେ ବସି କାନ୍ଦିବେ। ମୋତେ ବିଦାୟ ଦେବେ ସେମାନେ ତାଙ୍କ ଘର ଅଗଣାରୁ। ଗାଡି ଭିତରୁ ଅନେଇଥିବି ପଛକୁ, ବାପା ବାରଣ୍ଡାରେ ବସି ଭୋ ଭୋ କରି କାନ୍ଦୁଥିବେ। ବୋଉ ରାହା ଧରି କାନ୍ଦୁଥିବ, ଦଉଡି ଆସିବ ଗେଟ ପର୍ଯ୍ୟନ୍ତ ମୋ ପଛେ ପଛେ। ପଡୋଶୀ ଘର ଭାଉଜ ଟାଣି ଧରିବ ମୋ ବୋଉକୁ, ଗାଡି କିନ୍ତୁ ଚାଲିବ ଆଗକୁ ଦୃତ ଗତିରେ। ଧୀରେ ଧୀରେ ଅଦୃଶ୍ୟ ହୋଇଯିବ ମୋ ବୋଉ, ଆମ ଫାଟକ, ଆଉ ଆମ ଗାଆଁ ବଟ ଗଛ ସବୁ କିଛି। ଗାଆଁ ଟା ବି ଝାପସା ଝାପସା ଲାଗିବ, ମୋ ଆଖିକୁ। ତା ପରେ ରାସ୍ତାରେ ଅଚାନକ ମୋଡ଼ଟିଏ ଆସିବ, ଗାଆଁ ଆଉ ଦେଖା ଯିବନି। ସବୁ ସ୍ମୃତି ପାଲଟି ଯିବ।


ସବୁ କିନ୍ତୁ ସ୍ବପ୍ନ ଥିଲା। କେତେ ଖୁସିହୁଏ ସମୁଦ୍ରଟା ପାଣି ବାଷ୍ପ ହୋଇ ଉପରକୁ ଉଠିଲେ। ପାଣି ଶୁଖିଲେ ନିଜ ଆଖିରେ ମାପିବ ସେ ତା ଗଭୀରତାକୁ। କିନ୍ତୁ ପଛେ ପଛେ ବର୍ଷା ହୋଇ ସେତିକି ପାଣି ଭରିଯାଏ। ସତରେ ସ୍ବପ୍ନ ଯେତିକି ମିଛ, ସେତିକି ବିଶ୍ୱାସଘାତକ। 


ବାପା ବୋଉ ବିଦାୟ ନେଲେ ମୋ ପାଖରୁ। ମୋତେ ବିଦାୟ ଦେବାକୁ ଆମ ଘରେ ଆଉ କେହି ନ ଥିଲେ। ବି ଏ ପାସ କରି ସାରିଥିଲି ସେତେ ବେଳକୁ। ହଠାତ୍ ଖବର ଆସିଲା ଚଳନ୍ତା ବସରେ ନିଆଁ ଲାଗିଗଲା। ଅନ୍ୟ ଲୋକଙ୍କ ସହିତ ବାପା ବୋଉ ଜଳି ଗଲେ ସେଇ ମର୍ମାନ୍ତୁଦ ଦୁର୍ଘଟଣାରେ। ସେଇ ଦୁଃଖଦ ମୁହୂର୍ତ୍ତରେ ମୋ ଆଗରେ ପଥର ପରି ଛିଡା ହୋଇଥିଲା ମୋ ମୀରା ମାଉସୀ। ଜାବୁଡି ଧରି ପଚାରିଲି ମାଉସୀ ! ମୁଁ କଣ ଏକା ରହି ପାରିବି ?

ମୋ ପିଠି ଉପରେ ଆଶ୍ୱାସନାର ଉଷ୍ମତାକୁ ଅନୁଭବ କଲି, ମୀରା ମାଉସୀର ପାଞ୍ଚ ଆଙ୍ଗୁଳି ଆଉଁସି ହେଉଥିଲା ମୋ ମଥା ଉପରେ। ବାଷ୍ପରୁଦ୍ଧ ହୋଇ ମୀରା ମାଉସୀ କହିଲା ମୁଁ ରହିବି ଲୋ ତୋ ପାଖେ ପାଖେ ଆପାତତଃ ତୋ ବାହାଘର ପର୍ଯ୍ୟନ୍ତ।


ତା ପରେ ମୋ ଜୀବନର ସମୀକରଣ ଆରମ୍ଭ ହେଲା ମୀରା ମାଉସୀ ସହିତ। ମୋ ଛୋଟ ବେଳୁ ମୁଁ ଦେଖି ଆସିଛି ଆମ ଘରେ ବୋଉକୁ କାମରେ ସାହାଯ୍ୟ କରେ। 

ଆରମ୍ଭ ହେଲା ତା ଜୀବନର ଦ୍ୱିତୀୟ ଅଧ୍ୟାୟ, ଛାଇ ପରି ମୋ ପାଖେ ପାଖେ ରହିଲା ମୋ ମୀରା ମାଉସୀ। ତା ବରକୁ ବୁଝେଇ ଶୁଝେଇ ରାଜି କରେଇଛି। 

ରାତିରେ ମୀରା ମାଉସୀ ମୋ କୋଠରୀରେ ଶୋଏ, ମୋ ପାଖରେ। କାହାକୁ ଆଉ ଭୟ ନାହିଁ 

କାହିଁକି କେଜାଣି ଆଜେ ବାଜେ ସ୍ମୃତି ସବୁ ବସା ବାନ୍ଧୁଥିଲା ମନ ଭିତରେ ଷ୍ଟୁଲଟିଏ ନେଇ ବସିଲି ଯାଇ ଘର ଆଗ ଫୁଲ ବଗିଚାରେ। କଅଁଳିଆ ଖରା ବିଛେଇ ହୋଇ ପଡ଼ିଥାଏ। ମାଘ ସପ୍ତମୀ,ଅଳ୍ପ ଅଳ୍ପ ଥଣ୍ଡା, ହଜି ଯାଉଥିଲା କଅଁଳିଆ ଖରାର ଉଷ୍ମ ସ୍ପର୍ଶରେ। ଦଶ ହାତ ଦୂରରେ ବାପା ବୋଉଙ୍କ ସମାଧି। ଅନେଇଲି ସମାଧି ଆଡେ, ଦୁଇ ଟୋପା ଲୁହ ଗାଲ ଦେଇ ବୋହି ଯାଇଥିଲା ଜାଣି ପାରିନି। ମୀରା ମାଉସୀଙ୍କ ବାବଦରେ ସବୁ କଥା କହିବାକୁ ଇଛା ହେଲା ବାପା ବୋଉକୁ.. ମନେ ମନେ ଗପିଲି ବାପାଙ୍କ ସହିତ... 


ବାପା

ତମେ ଦୁହେଁ ଯିବା ପୂର୍ବରୁ ବୋଉକୁ କାମରେ ସାହାଯ୍ୟ କରୁଥିଲା ମୀରା ମାଉସୀ। ଦଶ ବର୍ଷ ପରେ ବି ହେଇ ଦେଖ, ଆଜି ବି ବାସନ ମାଜୁଛି। ତମେ ଯିବା ପରେ ସେଇ ଦଶ ଦିନ ଆମ ଘରେ ବେଶ୍ ଭିଡ ଥିଲା। ମାମୁଁ, ମଉସା, ମାଉସୀ ସମସ୍ତେ ବୁଝା ବୁଝି କଲେ କ୍ରିୟା କର୍ମ କଥା। ତା ପରେ ପ୍ରାୟ କେହି ଆସନ୍ତି ନାହିଁ।  

କିଛି ସମ୍ପର୍କ କିନ୍ତୁ ବେଳାଭୂଇଁ ଆଉ ସମୁଦ୍ର ପରି। ଅନ୍ତରଙ୍ଗ କିଛି ପାଦ ଚିହ୍ନକୁ ଜାବୁଡ଼ି ଧରେ ସିନା ବେଳାଭୂଇଁ କିଛି ମୁହୂର୍ତ୍ତ ପାଇଁ। ତା ପରେ କିନ୍ତୁ ବିରହ ଯନ୍ତ୍ରଣାରେ ଛଟ ପଟ ହୁଏ ବେଳାଭୂଇଁଟା। ପାଦ ଚିହ୍ନକୁ ଖୋଜୁଥାଏ ସକାଳୁ ସଂଜ ଯାଏ, ସଂଜରୁ ସକାଳ ଯାଏ। କିଛି ପାଏନି ସେ, ଭାଙ୍ଗି ପଡେ। ସମୁଦ୍ରଟା କାହିଁକି କେଜାଣି କାହା ଦୁଃଖ ଦେଖି ପାରେନି, ଘଣ୍ଟା ଘଣ୍ଟା ଗପେ ତା ସହିତ। ବେଳାଭୂଇଁର ଅସଜଡ଼ା ମନକୁ ସଜେଇ ଦିଏ ଆଉଥରେ ସାଗରଟା। ମୀରା ମାଉସୀ ଠିକ୍ ସେମିତି ମୋ ହାତ ଧରି ଚାଲିଛି, ମୋର ଆଉ ଭୟ ନାହିଁ ବାପା। 


ବିଚାରୀ ମୋ ବାହାଘର ପାଇଁ ଗୋଟାଏ ପରେ ଗୋଟାଏ ପ୍ରସ୍ତାବ ନେଇ ଆସେ, କିନ୍ତୁ ସଫଳ ହୁଏନି। ବାପା ମା ଛେଉଣ୍ଡ ଝିଅକୁ କେହି ରାଜି ହେଉ ନାହାନ୍ତି ବୋହୂ କରି ଘରକୁ ନେବା ପାଇଁ। କୁଆଡେ ମୁଁ ଅଶୁଭ ବୋଲି ସମସ୍ତେ କହନ୍ତି। ଛାଡ ସେ କଥା, ଯେତେବେଳେ ଯାହା ଥିବ ତାହା ହିଁ ହେବ।

ସାଥିରେ ଯାଇଥିଲ ମାନେ ହିଁ ବୋଉ ତମ ପାଖେ ପାଖେ ଥିବ, ତାକୁ କହିବ ଘର ଆଗରେ ଯୋଉ କନିଆରୀ ଗଛ ଲଗେଇଥିଲା ଫୁଲ ଫୁଟିବା ଆରମ୍ଭ କଲାଣି। ବୋଉକୁ କହିବ ଛାତ ଉପରେ ନିସ୍ତବ୍ଧତା ପଛେ ପଛେ ଗୋଡେଇ ହୁଏ, ଜୀବନରେ ଏକୁଟିଆ ହୋଇ ଯିବାର ଅନୁଭବ ଭିତରେ ମୁଁ ଘାଣ୍ଟି ହୁଏ ଆମ ଛାତ ଉପରେ। ଭାରି ଭୟ ଲାଗେ ଏତେ ନିର୍ଜନତାକୁ ଆଖି ଆଗରେ ଦେଖିବା ପାଇଁ। ବହୁତ ମନେ ପଡୁଛି ବୋଉ କଥା ବାପା ।


ହଁ ଭୁଲି ଯାଇଥିଲି ଗୋଟାଏ କଥା କହିବା ପାଇଁ । ତମେ ରଖିଥିବା ପାଇସା ପ୍ରାୟ ସରି ଆସିଲାଣି। ଘରେ ଚାଟଶାଳୀ ଖୋଲି ଗାଆଁ ଛୁଆଙ୍କୁ ପଢ଼ାଉଛି। ମୀରା ମାଉସୀର ନାତୁଣୀ କଣ୍ଢେଇ ପଢୁଛି ମୋ ପାଖରେ। ସତରେ ବାପା, ଦେଖିବାକୁ ଠିକ୍ କଣ୍ଢେଇ ପରି। ଭାରି ଆଦର କରେ ମୁଁ ତାକୁ। ଗୁରୁ ମା କହି ଭଙ୍ଗା ସ୍ଲେଟ ଧରି ଯେତେବେଳେ ମୋ ପାଖକୁ ଆସି ଯାଏ ନା.. ମୁଁ ତାକୁ କୋଳକୁ ଉଠେଇ ନିଏ। ମନେ ଅଛି ନା ବାପା ମୁଁ ଛୋଟ ଥିବା ବେଳେ ତମେ ମୋ ପାଇଁ ଗୋଲାପି ରଙ୍ଗର ଜୋତା କିଣିଥିଲ। ହୁଇସିଲ ପରିକା ଶବ୍ଦ ଆସୁଥିଲା ତା ଭିତରୁ। କାରଣ କଣ ମୋର ମନେ ନାହିଁ, ବୋଉର ଭାତ ହାଣ୍ଡି ମୁଁ ଭାଙ୍ଗି ଦେଇଥିଲି, ସେ ଭୀଷଣ ରାଗିଯାଇ ମୋ ନୂଆ ଜୋତାକୁ କୋଉଠି ଲୁଚେଇ ଦେଇ ଭୁଲି ଯାଇଥିଲା ତା ପରେ ଖୋଜି ଖୋଜି ପାଉ ନ ଥିଲା ସେ ଜୋତାଟିକୁ। ତମେ ଦୁହେଁ ଯିବା ପରେ ହଠାତ୍ ଦିନେ ଓଳି ପଛରେ ଥିବା ଭଙ୍ଗା ମାଟିହାଣ୍ଡି ଭିତରୁ ପାଇଥିଲି। ସେତେବେଳକୁ ମୁଁ ଆଉ କଣ ଛୋଟ ଥିଲି ଯେ ପିନ୍ଧି ପାରନ୍ତି। ଜୋତାଟିକୁ କଣ୍ଢେଇକୁ ଦେଇଛି ପିନ୍ଧିବା ପାଇଁ। ଭାରି ଖୁସି ଥିଲା ଜୋତା ପାଇକି। ଗାଆଁରେ ଗୋଟେ ଇଂରାଜୀ ମିଡିୟମ୍ ସ୍କୁଲ ଖୋଲିଛି। କଣ୍ଢେଇ ସେଇଠି ପଢ଼େ। ହଠାତ୍ ଦିନେ ଜାଣିଲି ମୀରା ମାଉସୀ ଫିସ ଜମା କରି ପାରୁନି ବୋଲି କଣ୍ଢେଇ ଆଉ ସ୍କୁଲ୍  ଯାଉ ନାହିଁ। ମୁଁ ଯାଇ ତା ପାଇଁ ବର୍ଷକର ଫିସ ବାନ୍ଧି ଆସିଛି। କଣ୍ଢେଇର ମା ଭାରି ଗରିବ ବୋଲି ଶୁଣିଛି। ଦୁଇ ଝିଅର ଜଞ୍ଜାଳ, ମୀରା ମାଉସୀ ହିଁ ସେମାନଙ୍କ କଥା ବୁଝା ବୁଝି କରେ। କହୁ କହୁ ଥରେ କହିଦେଲି ମୀରା ମାଉସୀ ! ମୁଁ ବାହା ଯାଇଥିଲେ ମୋର ବି କଣ୍ଢେଇ ପରି ଝିଅଟିଏ ଥାଆନ୍ତା ନା ...। ଯନ୍ତ୍ରଣା ଭିତରେ ଖାସ୍ ସେମିତି ଶବ୍ଦ ନ ଥାଏ ବୋଧେ। କିଛି ଲୋକ ବୁଝି ପାରନ୍ତି ବେଦନାରେ ଜଳୁଥିବା ମଣିଷର ଉତ୍ତାପକୁ। ସମସ୍ତେ କଣ ବୁଝନ୍ତି ??? ମୀରା ମାଉସୀ ଜାଣି ପାରିଲା ଧୀରେ ଧୀରେ କଣ୍ଢେଇ ପ୍ରତି ମୋର ଦୁର୍ବଳତା ଅଛି ବୋଲି.. 


ତମେ ତ ଜାଣିଛ ବାପା ! କାଲି ମୋ ର ଜନ୍ମ ଦିନ ଥିଲା। ତମ ଦୁହିଁଙ୍କ ଅନୁପସ୍ଥିତିରେ ଜନ୍ମଦିନ ଆଉ କଣ ! ଏମିତି ଖାଲି ସ୍ମୃତିକୁ ସାଉଁଟିବା କଥା। ବୟସରେ ଗୋଟିଏ ବର୍ଷ ଖାଲି ଯୋଡ଼ି ଯାଏ ସିନା ଆସନ୍ତା କାଲି କିନ୍ତୁ ଜଳି ପୋଡ଼ି ଅଙ୍ଗାର ହୋଇ ଯିବାର ଭୟ ମୋତେ ହଇରାଣ କରେ ପ୍ରତି ମୁହୂର୍ତ୍ତରେ। କଣ ହେଲା ଜାଣିଛ ! କାଲି ମୋ ଜନ୍ମ ଦିନରେ...ମୀରା ମାଉସୀ କଣ୍ଢେଇକୁ ନେଇ ଆମ ଘରକୁ ଆସିଲା। ମୋ ହାତରେ କଣ୍ଢେଇକୁ ଧରେଇ ଦେଇ କହିଲା ଗାୟତ୍ରୀ ! ଆଜିଠୁ କଣ୍ଢେଇ ତମ ଝିଅ। ତା ମାଆ ଆଉ ସମ୍ଭାଳି ପାରୁନି ଦୁଇ ଝିଅଙ୍କୁ। ଭାରି ଗରିବ ସେମାନେ। ମୁଁ ଆଉ କେତେ ଦିନ ବଞ୍ଚିବି। କଣ୍ଢେଇ ବଡ ହେବ, ତୋ କଥା ବୁଝିବ। ଦୁଇ ଟୋପା ଲୁହ ବୋହି ଆସିଲା ମୀରା ମାଉସୀର ଆଖିରୁ। ଅବାକ୍ ହୋଇଗଲି, ତାତିଲା ମରୁଭୂମିଟି ରାତିରେ କିନ୍ତୁ ଥଣ୍ଡା। ସମୟ ଏବେ ବି ହାତ ଧରି ଚାଲିଛି ବୋଧେ ମୋ ସାଥିରେ। ସବୁ ହଜିଯାଇଥିବାର ଭୟ ଭିତରେ ଅଚାନକ ସମ୍ଭାବନାର ମହକ ଦେହ ସାରା ବୋଳି ହୋଇଗଲା ଯେମିତି।

ମୁଁ ବି କାହିଁକି କେଜାଣି କାନ୍ଦି ପକେଇଲି, କୋଳେଇ ନେଲି ମୀରା ମାଉସୀକୁ...


ବାପା ! ମୁଁ ଆଜି କଣ୍ଢେଇର ମା..ବାହା ନ ହେଲି ନାହିଁ ସେଥିରେ କଣ ଅଛି। ଏମିତି ଅଚାନକ ଗୋଟେ ମାତୃତ୍ୱ, ଜନ୍ମଦିନରେ ଏହା ଠାରୁ ବଡ ଉପହାର କଣ ହେଇପାରେ ମୋ ମୀରା ମାଉସୀଙ୍କ ପାଖରୁ।

ଆଉ ସବୁ କଥା ପରେ କହିବି ବାପା ! କଣ୍ଢେଇ ଉଠିଲାଣି। ତା କଥା ବୁଝିବାକୁ ହେବ...ସ୍କୁଲ ଯିବ ସେ...।


  


Rate this content
Log in

Similar oriya story from Crime