Satyabati Swain

Tragedy Romance Inspirational

2  

Satyabati Swain

Tragedy Romance Inspirational

ମେଘ ଆକାଶର ସୂର୍ଯ୍ୟ

ମେଘ ଆକାଶର ସୂର୍ଯ୍ୟ

11 mins
577


ଘରେ ଅନେଶୋତ ମହାବାତ୍ୟା।ଶେଷରେ 'ସମିର' ଏମିତି କଲା!!ଛି.. ଛି ଆଉ କେହି ମିଳିଲେ ନାହିଁ ଯେ ଶେଷରେ.....ବେଶୀ ଗର୍ଜିଲେ ବାପା।"ତୁ କୁଳାଙ୍ଗାର।ତୋ ପରି ପୁଅ ମୋର ଦରକାର ନାହିଁ।ତୋ ମୁହଁ ଆଜିଠାରୁ ମୁଁ ଦେଖିବାକୁ ଚାହେଁ ନାହିଁ।ବଡ଼ ଭାଇ ପ୍ରବୀର ଆହୁରି ଘିଅ ଢ଼ାଳିଲେ ଜଳନ୍ତା କାଠ ଉପରେ।ସମୀର "ତୁ ଠିକ୍ କଲୁନି।ଭଲ ପାଇବାକୁ କିଏ ମନା କରୁଥିଲା।ଏପରି ଝିଅକୁ କେହି ବୋହୁ ବା ସ୍ତ୍ରୀ କରନ୍ତି କି??ଭାଉଜ ବି ଛାଡିଲା ନାହିଁ।ସମୀର ତୁମକୁ କେଉଁ ଝିଅ ପସନ୍ଦ ହେଲେନି ଯେ ଶେଷକୁ.....।ମା କିନ୍ତୁ ନିରବ ଥିଲା।ଘର ଏରୁଣ୍ଡି ଏ ପଟେ ମୁଁ ଜୋର କରି ଧରିଥିଲି ବିଚି ମାମ୍ ଙ୍କ ହାତକୁ।ମୋତେ ଘରେ ପୁରେଇ ଦେବନି ଜାଣିଥିଲି।କାରଣ ମୁଁ ନିଜ ଇଛାରେ ମ୍ୟାରେଜ କରି ଆସିଛି;କାହାକୁ କିଛି ନଜଣାଇ।ବିଚି ମାମ୍ଙ୍କ ହାତ ଝାଳେଇ ଗଲାଣି।ବହୁ କଷ୍ଟରେ ବୁଝାଶୁଝା କଲା ପରେ ବିଚି ମାମ୍ ରାଜି ହୋଇଥିଲେ ମ୍ୟାରେଜ କରିବାକୁ।କିନ୍ତୁ ଏଠି ଯାହା ଚାଲୁଛି ସେ ଯେଉଁ ପ୍ରକାରର ସ୍ୱାଭିମାନି ଝିଅ କଣ ନାଇଁ କଣ କରି ବସିବେ।ଅନେକ ସମୟ ଏରୁଣ୍ଡି ଏପଟେ ଠିଆ ହେଲା ପରେ ମା ବନ୍ଦାପନା ଥାଳି ଧରି ଆସିଲା।କହିଲା ବାହା ତ ହୋଇ ସାରିଲାଣି।ତା ଜୀବନ ସେ କାହାକୁ ବିବାହ କରିବ ତା ଇଚ୍ଛା।ସେ ଯଦି ଏ ଝିଅଟିକୁ ନେଇ ଖୁସି ରହି ପାରିବ ଆମର ଆପତ୍ତି କରିବାରେ କଣ ଅଛି?

    ଏଇତକ ଶୁଣି ବଡ଼ଭାଇ ପ୍ରବୀର ରାଗି ନିଆଁ ବାଣ। ଫୋପାଡ଼ି ଦେଲା ମା ଧରିଥିବା ବନ୍ଦାପନା ଥାଳି।ଥାଳିଟି ବିଚି ମୁଣ୍ଡରେ ବାଜି ଓଢଣୀ ଖସିଗଲା ବିଚି ମାମ୍ଙ୍କ।ସେ ମୋ ବଡ଼ ଭାଇଙ୍କୁ ଦେଖୁ ଦେଖୁ ହାତ ଦେଖେଇ ହଠାତ୍ ଵେହୋସ ହୋଇ ପଡି ଗଲେ।ଜମା ହୋଇ ଥିଲେ ଦେଖଣାହାରୀ।ସମସ୍ତେ ସ୍ତବ୍ଧ।ବିଚିକୁ ଘର ଭିତରକୁ ମୁଁ ଶୁନ୍ୟେ ଶୁନ୍ୟେ ଟେକି ନେଲି।ମୁହଁରେ ପାଣି ଛାଟିଲା ପରେ ସେ କେବଳ କାନ୍ଦୁଥିଲେ।ମୁଁ କହିଲି ବିଚି ମାମ୍ ସରି ବିଚି" ତୁମେ କାହାକୁ ଡର ନାହିଁ।ଆସିଥିଲି ଆଶୀର୍ବାଦ ନେବାକୁ। ସେମାନେ ଯଦି ତୁମକୁ ଗ୍ରହଣ କରୁ ନାହାନ୍ତି ଚିନ୍ତା କରନାହିଁ।ମୁଁ ତୁମକୁ ଭଲ ପାଏ,ମରିବା ଯାଏ ପାଉଥିବି।କାଲି ସକାଳେ ଆମେ ଚାଲିଯିବା।ଆମେ ଆମ କ୍ୱାଟର୍ସରେ ରହିବା।ତୁମେ କାନ୍ଦନି,ପ୍ଲିଜ଼।"

    ବିଚି ଆହୁରି ଜୋରରେ କାନ୍ଦୁଥିଲେ।ଆରେ କଣ ହୋଇଛି ତ କୁହ?ରାତି ବଢ଼ୁଥିଲା,କାନ୍ଦ ବନ୍ଦ ହେଉ ନଥିଲା ବିଚିର।କାନ୍ଦି କାନ୍ଦି ଶୋଇ ପଡିଲେ ସେ। ମୁଁ  ନିରେଖି ଦେଖୁଥିଲି ଏଇ ସବୁଥିରେ ପରିପୂର୍ଣ୍ଣ ଝିଅଟି ମୁହଁକୁ।କେଶ ଗୁଡା ପଡିଯାଇଛି ମୁହଁରେ।ସଜାଡ଼ି ଦେଲି।ଏଇ ବିଚି ,ବିଚିତ୍ରା ମାମ୍ କେମିତି ଆଶ୍ଚର୍ଯ୍ୟ ଭାବେ ମୋ ଜୀବନକୁ ଆସିଲେ ଭାବିଲି ମୁଁ***

 *********

     ବିଚିତ୍ରା ମାମ୍ ମୁଠାଏ ମିଠା ଜହ୍ନ ଆଲୁଅ।ତା ଅଫିସର ପ୍ରୋଜେକ୍ଟ ଅଫିସର।ତୋଫା ତୋଫା ସଫା ସଫା।ମିଠା ହୃଦୟର ଝିଅଟା।ଖୁବ କମ୍ ସମୟରେ କାହାକୁ ବି ନିଜର ବନ୍ଧୁ ବନେଇ ପାରନ୍ତି।ଏ ଗୋଟେ ଦୁଃର୍ଲ୍ଲଭ କଳା।ସଭିଙ୍କ ପାଖରେ ନଥାଏ।ଖୁବ ଶୀଘ୍ର ଅନ୍ୟକୁ ପଢିବା,ବୁଝିବା,ଆପଣାର କରିବା ଗୋଟିଏ ବିଧି ଦତ୍ତ ଗୁଣ।ସବୁ ଭଲ ଯେ କିନ୍ତୁ ଚୁପ୍ ଚାପ୍ ।କାହା ସଙ୍ଗେ ବେଶୀ କଥା ହୁଅନ୍ତିନି କି କ୍ୟାଣ୍ଟିନ୍ ଯାଆନ୍ତିନି।ଦିନ ତମାମ ସେଇ ହ୍ବିଲ୍ ଚେୟାରରେ ବସିଥିବେ।ଆଶ୍ଚର୍ଯ୍ୟ ଲାଗେ ତାଙ୍କ ଗୋଡ଼ ହାତ କଣ ହୋଇଯାଉନି ଗୋଟିଏ ଜାଗାରେ ଏତେ ସମୟ ବସନ୍ତି କେମିତି!!ବିଚିତ୍ରା ମାମ୍ ଙ୍କର ପ୍ୟାୟତଃ ସବୁ ଗୁଣ ବିଚିତ୍ର।ସେଇଥି ପାଇଁ ସେ ମୋତେ ଭଲ ଲାଗନ୍ତୁ।ମୁଁ ତାଙ୍କୁ ବିଚି ମାମ୍ ଡାକେ।ବିଚି ମାମଙ୍କୁ ଗୁଡ୍ ମନିଂ କି ହାଇ, ବାଏ ବାଏ କହିଲେ ସାମାନ୍ୟ ରକ୍ଷଣାଶୀଳ ହସଟିଏ ହସନ୍ତି ଯାହା।

    ଆଛା ବିଚିତ୍ରା ମାମ୍କୁ ନେଇ ଟିକେ ସ୍ୱପ୍ନ ଦୁନିଆଁରେ ବୁଲି ଆସିଲେ କେମିତି ହୁଅନ୍ତା!!।ବାହାରକୁ ସିନା ବାହାରି ହେଉନି।ଘର ଭିତରେ ଥାଇ ବି ବାହାରେ ବୁଲିହେବ।ବାଃ ଫୋନ୍ କରିବା ଅପେକ୍ଷା ଆଖି ବୁଜି ତାଙ୍କ କଥା ଭାବିଲେ ଖୁବ୍ ମଜା ଲାଗିବ।ହେଉ ପଛେ ସ୍ବପ୍ନ,ଭାବନା କିଛି କ୍ଷଣ ଖୁସି ଦେବ ତ।ଏଇ ଖୁସି ମହାରଗ ଚିଜ ମିଳିବା ମୁସ୍କିଲ ଖାସ୍ କରି ଆଜିକା ଡେ଼ଟ୍ ରେ।

     ବିଚିତ୍ରା ନାମ ଅନୁସାରେ ଝିଅଟି ବି ବିଚିତ୍ର ଜୀବ କାଙ୍ଗାରୁ ପରି।ସୁଦୁ ଫୁଲେଇ ଟା।ନା ନା ଫୁଲେଇ କାହିଁକି ହେବ ଗର୍ବୀଟା।କଞ୍ଜୁସ ଭାରି ହସିବାରେ,

ଗପିବାରେ ।ଭାରି ଦେଖେଇ ହୁଅନ୍ତି।କିନ୍ତୁ ସମସ୍ତଙ୍କୁ କିଣି ନିଅନ୍ତି କିଛି ନ କହି ବି।ପ୍ରତିଦିନ ଅଫିସ୍ ସେ ଆଗ ଆସନ୍ତି।ଆଉ ସମସ୍ତେ ଯାଇ ସାରିଲା ପରେ ଯାଆନ୍ତି।ତାଙ୍କର ଜଣେ କିଏ ଦାଦା ପୁଅ ଭାଇ ଏ ଅଫିସ୍ ଠାରୁ ସତର କିଲୋମିଟର ଦୂରରେ ଚାକିରୀ କରିଛନ୍ତି।ସେଇ ନିତି ଛାଡ଼ିଦେଇ ଯାଆନ୍ତି।ସେଇ ବି ଆସନ୍ତି ନେବାକୁ।ଦୁଇ ଜଣ ଯାକ ଗୋଟିଏ କାରରେ ଯିବା ଆସିବା କରନ୍ତି।ବିଚିତ୍ରା ମାମ୍ ଏଇ ଆଠ ଦିନ ହେବ ତାଙ୍କ ଅଫିସ୍ ରେ ଯୋଗ ଦେଇଛି।ସବୁ ପୁରୁଷ ଷ୍ଟାପ ବୁଢ଼ାଠୁ ଟୋକା ଯାଏ ସଭିଏଁ ବାଉଳା ।ବିଚିତ୍ରା ମାମଙ୍କୁ ଦେଖିଲେ କଅଣ ଟୁପ ଟାପ ହୁଅନ୍ତି।।କାମ ଥାଉ ବା ନଥାଉ ଉପରେ ପଡି କଥା ହେଉ ଥିବେ ତାଙ୍କ ସଙ୍ଗେ।ସେ କିନ୍ତୁ ଆଖି ନ ଉଠାଇ ଆବଶ୍ୟକ ହେଲେ ହଁ ନାଁ ରେ ଉତ୍ତର ଦିଅନ୍ତି।ନଚେତ୍ ସବୁ ବେଳେ ଯେମିତି ପାଟିରେ ତୁଣ୍ଡି ଦିଆ ହୋଇଛି।ଅସମ୍ଭବ ଧରଣର ସୁନ୍ଦରୀ ସେ।ଯିଏ ନାଇଁ ସିଏ ଥରେ ଦେଖିଲେ ବାର ବାର ଦେଖିବାକୁ ମନ କହିବ।ସେ ଅଫିସିର ଡିଜାଇନ୍ ପ୍ରୋଜେକ୍ଟ ଅଫିସର୍।କି ଚମତ୍କାର ଡିଜାଇନ୍ କରନ୍ତି!।ବସ୍ ତାଙ୍କ ଉପରେ ଅତି ଖୁସି। ତାଙ୍କର କାମ ପ୍ରତି ନିଷ୍ଠା ଦେଖି ବାଃ ବାଃ କରନ୍ତି।

    କେଜାଣି କାଇଁକି ମୋତେ ଏତେ ବିଚି ମାମ୍ ଭଲ ଲାଗନ୍ତି!ଏଇ ଆଠ ଦିନ ମଧ୍ୟରେ ସେ ମୋର ଅନେକ ପାଖକୁ ଆସି ଯାଇଛନ୍ତି।ଦିନେ ନ ଦେଖିଲେ ତାଙ୍କୁ ମୋତେ ଭଲ ଲାଗୁନି।ରବିବାର ଯାହାକୁ ମୁଁ ଅତି ଖୁସିର ସହ ଅନେଇଁ ବସୁଥିଲି,ସେଇ ଅପେକ୍ଷା କରୁଥିବା ଦିନଟି ନ ହେଉ ବୋଲି ଇଚ୍ଛା କରୁଛି।କାରଣ ଏ ଛୁଟି ଦିନରେ ବିଚି ମାମ୍ ଙ୍କୁ ଦେଖି ହେଉନି।ଏ ରବିବାର ଅଛି ବୋଲି ସିନା।କି ସୁନ୍ଦର ବେଶ ପରି ପାଠୀ,କି ସୁନ୍ଦର ମୁହଁ।ଆଖି କିନ୍ତୁ ସବୁବେଳେ ଉଦାସ ଉଦାସ।ସମସ୍ତେ ଅଫିସ୍ ଛାଡିଲା ପରେ ମୁଁ କାମର ବାହାନା କରି ରୁହେ;କାଳେ ମାମ୍ କିଛି କହିବେ।ସେ କିନ୍ତୁ କରିଚାଲିଥିବେ ଡିଜାଇନ ଆଉ ଡିଜାଇନ।କେଶ ଉଡ଼ି ତାଙ୍କୁ ବାଧା ଦେଉଥିବ କାମରେ।ସେ ବ୍ୟସ୍ତ ହୋଇ ଆଡେଇ ଦେଉଥିବେ ହାତରେ।କେଶ ଗୁଡା ସୁଦୁ ରଙ୍କୁଣା;ମୋ ପରି ଖାଲି ଛୁଉଁବାକୁ ହକ ହକ ହେଉଥିବେ ସୁନ୍ଦର ଚିକ୍କଣ ମୁହଁ ମାମ୍ ଙ୍କର।ହାୟରେ ଅସହାୟ ଡ଼ାହାଣା କେଶ।କେତେ ଥର ଛୁଇଁଲେ ତୋ ମନ ଶାନ୍ତି ହେବ?ତୁ ଉଡ଼ି ତାଙ୍କ ମୁହଁ ଘୋରାଉଛୁ ବୋଲି ମୁଁ ତାଙ୍କ ମୁହଁ ଦର୍ଶନରୁ ବଂଚିନ୍ତ ହେଉଛି।ପକ୍କା ମାଡୁଆଟା ତୁ ରେ କେଶ।ହେଲା ଏବେ ଥରେ ଦି ଥର ଛୁଇଁଲୁ ଖୁସି ହେଲୁ।ତା ବୋଲି ତୁ ...ଖାଲି ସବୁବେଳେ ଛୁଉଁଥିବୁ।ହେଲା ଟି;ଦେଖିଲୁ ଲୋଭର ଫଳ!। ମାମ୍ ରାଗିଗଲେ କି କଣ;ସାବାଡ଼ କରିବା ପାଇଁ ଶେଷ ଅସ୍ତ୍ର ପ୍ରୟୋଗ କରି ବାନ୍ଧି ଦିଅନ୍ତି ସବୁତକ କେଶ ଠେକା ପରି ମୁଣ୍ଡ ଉପରେ।ହଁ ଏଥର କେଶ ବଦମାସି ବନ୍ଦ ହୋଇଯାଏ।ମୋତେ ଲାଗେ କେଶ ନୁହେଁ ସେ ମୋତେ କି ଆଉ ବାନ୍ଧି ବୁନ୍ଧି ଡ଼ଷ୍ଟବିନିରେ ପକାଇ ଦିଅନ୍ତି।କେଶ ଆଉ ମୋ ଭଲି ପ୍ରେମ ବିକଳିଆଙ୍କ ଅବସ୍ଥା ଏମିତି ଯୁଗେ ଯୁଗେ ହୁଏ କାହିଁକି ଯେ!!

    କେଶ ଠେକା ହୋଇଗଲା ପରେ ମୋତେ କିନ୍ତୁ ମାମ୍ ଙ୍କୁ ଦେଖିବାରେ ସୁବିଧା ହୁଏ।ମାମ୍ ଙ୍କ ଭାଇ ଆସିବା ଡେରି କରନ୍ତି ବହୁତ ଦିନେ ଦିନେ।ମୁଁ ଯାଇ କୁହେ "ସମସ୍ତେ ତ ଗଲେଣି ,ଏତେ ଡେରି ହେଲାଣି;ଚାଲୁ ନାହାନ୍ତି ମୁଁ ଆପଣଙ୍କୁ ଘରେ ଛାଡି ଦେଇ ଆସିବି" ।ସେ ମୋ ମୁହଁକୁ ଟିକେ ଅନାନ୍ତି;ନାଇଁ ଆପଣ ଆସନ୍ତୁ ସମୀର ବାବୁ,ମୋର ଢେର କାମ ଅଛି"।ଆଉ ଅପେକ୍ଷା ନକରି ମୁଁ ଚାଲିଆସେ ଯେ ହୃଦୟଟି ରହିଯାଏ ବିଚି ମାମ୍ ଙ୍କ ପାଖେ।ବୟସ ହେଲେ ଏ ହୃଦୟଗୁଡା ଏମିତି ଆଦୌ ବୋଲ ମାନନ୍ତିନି।ତାଙ୍କର ଇଚ୍ଛା ଯାହା ତା ହିଁ ସେ କରନ୍ତି।କଲବଲ କରନ୍ତି,ଧଡ ଧଡ଼ ହୁଅନ୍ତି କଣ ଗୋଟେ ପାଇବା ପାଇଁ।ମୋର ସେଇ ଖସଡ଼ା ବାଉଳା ବୟସ ଏବେ।ମୋ ପାଖେ ଶରୀର ଟି ଥାଏ;ହେଲେ ଦୁଷ୍ଟ ହୃଦୟ ବୁଲୁଥାଏ କୁଆଡେ କୁଆଡେ।ଏଇଥରକ କିନ୍ତୁ ବିଚି ମାମ୍ ଙ୍କ ପାଖେ ଅଟକି ଯାଇଛି;ଆଉ ଚଗଲା ହୋଇ ଏଣେ ତେଣେ ଧାଉଁ ନାହିଁ।

    ଓହୋ ପେଟରେ ମୂଷା ଦଉଡିଲେଣି।କଅଁ କଅଁ ହେଲାଣି।ଏ ପେଟ ଚଣ୍ଡାଳ ଟି ବି ସେମିତି ଟିକେ ବିଚି ମାମ୍ ଙ୍କ କଥା ଭାବି ଖୁସି ମନାଇଁ ଦେଉ ନାହିଁ।ଅତି ୟାବ ଗୋଟେ ହେଉଛି।ହଉ ରହ ବାବା ତୋ ବ୍ୟବସ୍ଥା କରୁଛି।ଝର୍କା ଖୋଲି ମୁହଁ ଗଳେଇ ଟିକେ ବାହାରକୁ ଚାହିଁଲି।ପବନ ଟିକେ କମିଛି।ବର୍ଷା କିନ୍ତୁ ହେଉଛି।ବାହାରକୁ ନ ଗଲେ ନ ଚଳେ।ଏ ବ୍ୟାଚଲର ଜୀବନ୍ଟି ଏମିତି।କିଛି ସାଇତି ରଖିବି ନାହିଁ।ଘରେ କିଛି ଥିଲେ ଖାଇ ଦେଇଥାନ୍ତା।ରେନି କୋର୍ଟ ପିନ୍ଧି ବାଇକ ଧରି ହୋଟେଲ ଅଭିମୁଖେ ଚାଲିଲି ମୁଁ। ପାଖ ହୋଟେଲ ଅଧିକ ପଇସା ନିଏ ବୋଲି ତା ଦୁଆର କେବେ ମାଡ଼େନି।ଆଜି ଆଉ ଏ ପାଗରେ ଦୂର ଯାଇ ହେବନି।ପଶିଗଲି ହୋଟେଲ ଭିତରକୁ।ଏଠି ବସିବା ପାଇଁ ବି ପଇସା ଲାଗେ।ଏଠିକି ଯେଉଁ ମାନେ ଆସନ୍ତି ତାଙ୍କର ଗୋଟିଏ କ୍ଲାସ ଥାଏ ବୋଲି ଲୋକେ କୁହନ୍ତି।ମୁଁ ଦିନକ ପାଇଁ ଅଗତ୍ୟା କ୍ଲାସ ହେବାକୁ ଗଲି।

    ଆରେ... ସେ ଟେବୁଲ ପାଖେ କିଏ?? ବିବର୍ଣ୍ଣ!ଓହୋ ଅନେକ ଦିନ ପରେ ଦେଖା!ଭାଇ ତୁ ଓ ଏ ଏସ୍ ଅଫିସର ହୋଇ ହୋଇଗଲୁ ବୋଲି ଭୁଲିଗଲୁ ସମୀରକୁ!!ତୁ ମୋ କ୍ଲାସମେଟ୍ ପୁଣି ହଷ୍ଟେଲମେଟ୍ ତା ସହ ମୋ ଭଲ ପାଇବା ମେଟ୍ ଥିଲୁଟିରେ!।ବିବର୍ଣ ମୋତେ କୁଣ୍ଢାଇ ପକାଇଲା ଓ କହିଲା ହେ ଭାଇ ସାଙ୍ଗ ମୋର ଅନେକ ଦିନ ପରେ ଦେଖା।ଆ ବ.. ବ ।ଆଉ କଣ ଖବର କହ?ବାହାସାହ ହେଲୁଣି ନା ନାହିଁ??ତୋ 

 ଶିବାନୀ ଟା କୁଆଡେ ଗଲା କିରେ?? ପଚାରିଲା ବିବର୍ଣ। ହଇରେ ପୋତା ମୁହାଁ ତୁ ପରା ଷଣ୍ଢ ପୁରେଇଲୁ।ତା ସାଙ୍ଗେ ନାରେ ନାଁରେ ହେଲୁ??ତା କଥା ମୋତେ କଣ ପଚାରୁଛୁ,ତୁ ସିନା ଜାଣିଥିବୁ ମୁଁ କହିଲି ।ଦୀର୍ଘଶ୍ଵାସ ଛାଡି ବିବର୍ଣ୍ଣ କହିଲା ଛାଡ଼ ସାଙ୍ଗ କଲେଜ କଥା ଗୋଟେ ଚହଲା ପାଣିର ବୟସ।ସେଠି ବହୁତ ମୁହଁ ଦିଶେ କିନ୍ତୁ ସବୁବେଳେ ପାଇଁ ନୁହେଁ।ଟିକେ ଥଟା ମଜା କରାଯାଇ ପାରେ ସେ ବୟସରେ।କିନ୍ତୁ ଶିବାନୀ ପରି ଲକ୍ଷ ପୁଅଙ୍କ ନାୟିକାକୁ କଣ ଜୀବନ ସାଥୀ କରା ଯାଇ ପାରେ??ତା ପରି ଝିଅ ଗୁଡା ସବୁଦିନେ ଜଣଙ୍କ ପାଖେ ବନ୍ଧା ହୋଇ ରହିବାକୁ ପସନ୍ଦ କରନ୍ତିନି।ଦେଖିଲୁ ନାଇଁ ତୋତେ ଛାଡି କେମିତି ମୋ ସଙ୍ଗେ ମାତିଲା।ଯେଉଁ ପାଇଁ ତୋର ମୋର ପଡିଲା ନାହିଁ ଦିନା କେତ।ମୋତେ ଛାଡି ଅମ୍ଳାନ,ଅମ୍ଳାନକୁ ଛାଡି ବେଦ୍ ,ହୁଏତ ତାକୁ ଛାଡି ଆଉ କିଏ ଥିବେ ମୁଁ ଆଉ ସେ ହିସାବ ରଖିନି।କାହିଁକି ନା ଜାଣିଥିବୁ ମୋ ଭଉଣୀର କେମିତି ଗଣ ବଳତ୍କାର କରାଯାଇଥିଲା ସେ +2 ପଢିଲା ବେଳେ?

    ହଁ ମୁଁ ପେପରରୁ ପଡ଼ିଥିଲି।ତୋ ସଂଗେ ଯୋଗା ଯୋଗର କିଛି ସୁବିଧା ନଥିବାରୁ କିଛି ପଚାରି ପାରି ନଥିଲି।ତୋ ଭଉଣୀ ଏବେ କେମିତି ଅଛି??ଆଉ ମଉସା ମାଉସୀ ସେମାନେ କେମିତି ଅଛନ୍ତି??

    କଣ କହିବିରେ ସମୀର ଓ ଏ ଏସ୍ ପାଇଲା ପରେ ମୁଁ କଳାହାଣ୍ଡିର ଗୋଟେ ବ୍ଳକରେ ତହସିଲଦାର ଭାବେ ପୋଷ୍ଟିଂଗ ହେଲି।ମୋ ଭଉଣୀଟି ଠିକ୍ ସେଇ ବର୍ଷ +2 କୋଚିଂ କ୍ଲାସରୁ ଫେରିଲା ବେଳେ ଚାରି ପାଞ୍ଚ ଜଣ ଦୁର୍ବୁତ୍ତ ତାକୁ କ୍ଲୋରୋଫର୍ମ ଶୁନଘାଇ ତା ସାଇକେଲକୁ ଫୋପାଡ଼ି ଟେକି ନେଇ ପୋଲ ତଳେ ବଳତ୍କାର କରି ମୁର୍ମୁଷୁ ଅବସ୍ଥାରେ ଛାଡି ପଳାଇଥିଲେ।ରାତି ଦଶଟା ବେଳକୁ ପୋଲିସ ଛ ନମ୍ବର ମେଡିକାଲରୁ ବାପାଙ୍କୁ ଫୋନ୍ ଆସିଲା।ସେଠି ଭଉଣୀର ଅବସ୍ଥା ଦେଖି ବାପାଙ୍କ ହାର୍ଟ ଫେଲ ହୋଇଗଲା। ମା ଏବେ ସୁଦ୍ଧା ମୁକ।

    ଆଉ ତୋ ଭଉଣୀ.. ...ମୁଁ କହୁ କହୁ ବିଚି ମାମ୍ ଆମ ଆଡକୁ ୱାସରୁ ଆସୁଥିବାର ଦେଖିଲି।ବିବର୍ଣ୍ଣ ଟପିକ୍ ଚେଞ୍ଜ୍ କରି ହସି ହସି କହିଲା ବିଚି ଦେଖ ଏ ମୋ ସାଙ୍ଗ ସମୀର।ଆସିଥିଲା ଲଞ୍ଚ୍ କରି।ବହୁ ଦିନ ପରେ ଦେଖା ହେଲା।ଆ ଆଜି ସାଙ୍ଗ ହୋଇ ଲଞ୍ଚ୍ କରିବା।ଆଉ ସମୀର ଏ ମୋ ଏକମାତ୍ର ଗେହ୍ଲେଇ ଭଉଣୀ ବିଚି ,ବିଚିତ୍ରା ଜଣେ ସୁଦକ୍ଷ ଡିଜାଇନର।

    ମୁଁ ଆକାଶରୁ ଖସି ପଡିବିକି ଆଉ।ଏଇ ତାହେଲେ ଗଣ ବଳତ୍କାର ହୋଇଥିବା ବିବର୍ଣ୍ଣ ଭଉଣୀ ବିଚି!!ମୋ ସ୍ୱପ୍ନର ନାୟିକା।ଆମ ଅଫିସର ପ୍ରୋଜେକ୍ଟ ଡିଜାଇନର ବିଚିତ୍ରା ମାମ୍!!ମୋ ଆଶ୍ଚର୍ଯ୍ୟ ଚକିତ ମୁହଁକୁ ପଢି ବିଚି ମାମ୍ ଧୀର ଅଥଚ ମିଠା କଣ୍ଠରେ କହିଲେ "ମୁଁ ଚିହ୍ନିଛି ଭାଇ ଏ ଆମ ଅଫିସର ଆକାଉଣ୍ଟାଣ୍ଟ୍ ସମୀର ସ୍ୱାଇଁ।

      ଓହୋ!ଭଲ ହେଲା ମୁଁ ଏବେ ଟିକେ ଆଶ୍ୱସ୍ତ ହେବି।ତୁମେ ଦୁହେଁ ଗୋଟିଏ ଅଫିସରେ କାମ କରୁଛ।'କୃପାଳୁ' ଦାଦାଙ୍କ ପୁଅ ପ୍ରତିଦିନ ୟା ପାଇଁ ହଇରାଣ ହେଉଛି।ୟାକୁ ଅଫିସରେ ଛାଡି ତାର ଅନେକ ଦୂର ଅଫିସ କୁ ଯାଉଛି।ମୋର ଏବେ ବାଲେଶ୍ୱରରେ ପୋଷ୍ଟିଂ । ପ୍ରତି ଶନିବାର ଭୁବନେଶ୍ୱର ମା ଓ ବିଚି ପାଇଁ ଆସିବାକୁ ପଡେ।ତୁ ସମୀର ଏଥରକ ବିଚିକୁ ନେବା ଆଣିବା କରିବୁ,ଯଦି ଆପତ୍ତି ନଥାଏ।ଆମର ଡ୍ରାଇଭର ଅଛି ବିଚି ଓ ତୋତେ ସବୁଦିନ ଅଫିସ ନେବା ଆଣିବା କରିବ।କୃପାଳୁ ଆଉ ହଇରାଣ ହେବନି।କଣ କହୁଛୁ ଏତିକି ସାହାଯ୍ୟ କରିବୁତ,ବିବର୍ଣ୍ଣ କଣ୍ଠରେ ଆତୁର ଭାଵ।

      ମୁଁ ତ ବାକ୍ ଶୁନ୍ୟ ହୋଇଯାଇଥିଲି।ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରଦାନ କଲି।ଆଉ ତୁ ବିଚି ସମୀର ସଙ୍ଗେ ଯିବୁ ତ!।ପଚାରିଲା ବିବର୍ଣ୍ଣ।କିଛି ନ କହି ଚୁପ୍ ରହିଲେ ବିଚି ମାମ୍।ବିବର୍ଣ୍ଣ କହିଲା ଭାରି ମଜାଳିଆ ପିଲାଟା ସମୀର।ତୁ ତ ଜାଣିବୁଣି ଏ ଆଠ ଦିନ ଭିତରେ।ଏମିତି କଥା କହିବ ହସି ହସି ମୁତାଇ ଦେବ।

      ଏମିତି କଥା ବାର୍ତ୍ତା ଭିତରେ ଆମର ଲଞ୍ଚ୍ ସରିଗଲା।ବିଲ୍ ତିନି ଜଣଙ୍କ ମାତ୍ର ପାଞ୍ଚ ହଜାର ସାତ ଶହ ଟଙ୍କା ହେଲା,ଯାହାକୁ ମୋ ତରଫରରୁ ତୋତେ ଟ୍ରିଟ୍ କହି ପେମେଣ୍ଟ କଲା ବିବର୍ଣ।ମୋର ଗୋଟିଏ ମାସର ଲଞ୍ଚ୍ ଖାଇବା ବିଲ୍ ବୋଧେ ଏତେ ହୁଏ ନାହିଁ।ସେଇ ଏକା ଖାଦ୍ୟ,ଏକା ସ୍ୱାଦ କିନ୍ତୁ ବଡ଼ହୋଟେଲ ବୋଲି ଏତେ ପଇସା।ସେମାନେ ସେମାନଙ୍କ ଘରକୁ ଗଲେ ମୁଁ ବି ମୋ ବସାକୁ ଆସିଲି।ଭାବୁଥିଲି ରବିବାର ଟା ବ୍ୟର୍ଥ ଗଲା ବର୍ଷା ପାଗ ହେତୁ।କିନ୍ତୁ ମୋତେ ଆଜି ଦିନଟି ଅନେକ କିଛି ଦେଲା।

      ରାତି ସାତଟାକୁ ବିବର୍ଣ୍ଣ ଫୋନ୍ କଲା।ସମୀର ଦେଖୁଲୁ ତ ମୋ ଭଉଣୀ ବିଚିତ୍ରାକୁ।ଯମ ସଂଗେ ଲଢେଉ କରି ବର୍ଷକ ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲା।ସେବେଠୁ ଚୁପଚାପ।ସେ ବାହାରକୁ ବାହାରିବାକୁ ଡରୁଥିଲା।ମୁଁ ତାକୁ ବହୁତ ବୁଝାଇଲି।ଶେଷରେ ସେ +2 ପରୀକ୍ଷା ଦେଲା ଓ ଭଲ ନମ୍ବର ରଖି ପାସ୍ କଲା। ଆର୍ଟିଟେକ୍ରେ ଇଂଜିନିୟରିଂ କଲା ପରେ ଏବେ ତୁମ ଅଫିସ ଜଏନ୍ କରିଛି।ଭଉଣୀ ଟି ଜୀବନ ପ୍ରତି ବୀତସ୍ପୃହ। କୌଣସି ପୁରୁଷଙ୍କୁ ସେ ବିଶ୍ୱାସ କରୁନାହିଁ ।ଘରେ କି ବାହାରେ କାହା ସଂଗେ ବେଶୀ କଥା ବି ହେଉ ନାହିଁ । ମା ମୁକ।ଖାଲି ଜୁଳୁ ଜୁଳୁ ଅନାଇଁ ଥିବ।ସତେକି ହାଡ଼ ମାଂସର କଣ୍ଢେଇଟିଏ । ଏମିତି ସ୍ଥଳେ ମୁଁ କି ବାହା ସାହା ହେବିରେ! ସମୀର ତୁ ତ ହସି ହସି ବେଦମ କରୁ।ପାରିବୁ ମୋ ଭଉଣୀ ମୁହଁରେ ହସ ଟିକେ ଫୁଟାଇ!!ତାକୁ ଟିକେ ବଦଲେଇ ଦେଲୁ । ଗଣଧର୍ଷିତାଟି ତାକୁ ତ କେହି ରାଜି ହେବ ନାହିଁ ବାହା ହେବାକୁ।ଅନ୍ତତଃ ସେ ହସିବା ଶିଖୁ,ମଣିଷ ପରି ବଞ୍ଚୁ।ଆଜିକାଲି ତ ବାହା ନ ହୋଇ ଏକା ଏକା ଖୁସିରେ ବଞ୍ଚୁଛନ୍ତି।ମୋର ଇଚ୍ଛା ବିଚି ଖୁବ ଗପନ୍ତା,ମଜା କରନ୍ତା।ସବୁବେଳେ ଗୋଟେ ଗୁମ୍ ହୋଇ ରହୁଛି।ଭଲ ଲାଗୁନିରେ ସମୀର।

      ସେଦିନ ଭାରି ଛଟପଟ ଲାଗିଲା।ନିଦ ହେଲା ନାହିଁ।ବିଚି ମାମଙ୍କ ମୁହଁଟା ବାର ବାର ଦେଖା ଗଲା।ବିବର୍ଣ୍ଣର କାନ୍ଦୁରା ମୁହଁ ବି।ବିଚି ମାମ୍ ଗଣ ଧର୍ଷିତା!!!ଏ କଥା ପେପରଠୁ ଆରମ୍ଭ କରି କୋର୍ଟ କଚେରୀ ଯାଏ ପ୍ରଘଟ ହୋଇଥିଲା।ଏପରି ଝିଅକୁ କିଏ ବା କାହିଁକି ବାହା ହେବ।ଯଦିଓ ଧର୍ଷଣ ଶିକାର ହେବାରେ ଝିଅଟିର ଦୋଷ ନଥାଏ;କିନ୍ତୁ ସମାଜର ତିର୍ଯ୍ୟକ ଦୃଷ୍ଟି ବଂଚାଇଁ ଦିଏନି ଝିଅଟିକୁ।

      ଏମିତିରେ ରାତି ପାହି ସକାଳ ହେଲା।ବିଚି ମାମ୍ଙ୍କ ଗାଡି ମୋ ବସା ଆଗରେ ରହି ହର୍ଣ୍ଣ ମାରିଲା।ଭିତରେ ବିବର୍ଣ୍ଣ ବି ଥିଲା।ଆମେ ତିନିହେଁ ଅଫିସ୍ ଅଭିମୁଖେ ଚାଲିଲୁ।ବାଟରେ ବିବର୍ଣ୍ଣ କହିଲା ଆରେ ସମୀର ତୋ ପରିବାର ଗାଁ ରେ କି?ତୁ କଣ ଏକା ରହୁଛୁ?

      ଆରେ ସାଙ୍ଗ କମ୍ପିଟେଟିଭ ପରୀକ୍ଷା ଦେଇ ଦେଇ କୁଆଡୁ କିଛି ହେଉ ନଥିଲା।ବିନା ଚାକିରୀରେ ବାହା ହେବା କଣ ଠିକ୍।କିଏ ବା କାହିଁକି ବେକାରୀ ଯୁବକକୁ ଝିଅ ଦେବ?ଏଇ ବର୍ଷେ ଦି ମାସ ହେବ ଚାଟାଡ଼ ଆକାଉଣ୍ଟାଣ୍ଟ୍ ପାଇଗଲି ଓ ସଂଗେ ସଂଗେ ପୋଷ୍ଟିଂଗ ହୋଇଗଲା।ଝିଅଟିଏ ଖୋଜୁଛି।ପାଇଗଲେ ବାହା ହେବି।ନହେଲେ ତୋ ପରି ଓଥରା ହୋଇ ବୁଲିବି।

ଦୁହେଁ ହସିଉଠିଲୁ ।

         ଦୀର୍ଘ ଦୁଇ ମାସ ବିତି ଯାଇଥିଲେ ବି ବିଚି ମାମ୍ ସେତେ କିଛି ବଦଳୁ ନଥିଲେ।ଆତ୍ମାରୁ ସେ ହସିବା ଭୁଲି ଯାଉଥିଲେ ବୋଧେ।ହଠାତ ମୁଁ ଦିନେ ବିବର୍ଣ୍ଣକୁ କହିଲି' "ବିବର୍ଣ୍ଣ ତୋର ଯଦି ଆପତ୍ତି ନଥିଲେ ବିଚି ମାମ୍ ତୋ ଭଉଣୀଙ୍କୁ ମୋତେ ଚିର ଦିନ ପାଇଁ କେବଳ ଗାଡ଼ିରେ ନୁହେଁ ହୃଦୟର ସାଙ୍ଗ କରିବୁକି!

       ବିବର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ କହିଲା କଣ କହୁଛୁ ତୁ!!ସତରେ ତୁ ମୋ ଭଉଣୀକୁ ଜୀବନ ସାଥି କରିବୁ!ସତ କହ ବିଚିକୁ ଦୟା କରି ଆଉ ସେ ମୋ ଭଉଣୀ ବୋଲି ଚାହୁଁଛୁ ନା ପ୍ରକୃତରେ ତୁ ତାକୁ ଭଲ ପାଉ।

       ବିବର୍ଣ ମୁଁ ଜାଣି ନଥିଲି ସେ ତୋ ଭଉଣୀ।କି ଜାଣି ନଥିଲି ସେ ଜଣେ ଗାଁ ଧର୍ଷିତା।ସେ ଆସିଲା ଦିନୁ ମୁଁ ତାଙ୍କୁ ପସନ୍ଦ କରେ।ତାଙ୍କୁ ସ୍ବପ୍ନ ଦେଖିବାକୁ ମୋତେ ଜାଣେନା କାଇଁ ଖୁବ ଭଲ ଲାଗେ।ତୋ ଠାରୁ ସବୁ ଶୁଣିଲା ପରେ ମୋର ବିଚି ମାମ୍ ଙ୍କ ପ୍ରତି ଆହୁରି ସମ୍ମାନ ବଢି ଯାଇଛି।ଅନେକ ଭାବିଲା ପରେ ମୁଁ ସିଦ୍ଧାନ୍ତ ନେଇଛି ଯଦି ବିବାହ କରିବି; ବିଚି ମାମଙ୍କୁ ନୁହେଁ କାହିଁକି?ମୁଁ ତାଙ୍କୁ ଭଲ ପାଏ।ତାଙ୍କ ଗୁଣ କାର୍ଯ୍ୟ ଦକ୍ଷତା ମୋତେ ପ୍ରଭାବିତ କରିଛି।କିନ୍ତୁ ବିଚି ମାମ୍ ଙ୍କ ସମ୍ମତି ଥିଲେ ମୁଁ ତାଙ୍କୁ ମୋ ପତ୍ନୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ।

      ଦେଖ୍ ସମୀର! ଏ ଏମିତି ସେମିତି କଥା ନୁହେଁ।ବୁଝି ବିଚାରି ସିଦ୍ଧାନ୍ତ ନେ।ତୁ ଆହୁରି ଗୋଟେ ସତ୍ୟ ବି ଜାଣିନୁ।ବଳତ୍କାର ହେତୁ ସେ ଦୁର୍ବୃତ୍ତ ମାନେ ଏମିତି

ବର୍ବରୋଚିତ କାର୍ଯ୍ୟ କରିଥିଲେ;ଯାହା ପାଇଁ ବିଚି ର ୟୁଟ୍ରସ ବି କାଢ଼ିବାକୁ ପଡିଥିଲା।ତୋତେ ବିଚି ପିଲାଟିଏ ବି ଦେବାକୁ ସମ୍ପୂର୍ଣ୍ଣ ଅକ୍ଷମ।ତୁ ବିଚିକୁ ବିବାହ କଲେ ବାପାଟିଏ ବି ହେଇ ପାରିବୁ ନାହିଁ।ଏମିତି ସ୍ଥଳେ ତୋ ବାପା ମା,ଭଉଣୀ,ଆତ୍ମୀୟ ସ୍ୱଜନ ସ୍ୱୀକୃତି ଦେବେ କି??

ତୁ ମୋ ସାଙ୍ଗ ଜାଣି ଜାଣି ମୁଁ ତୋ ସହିତ କେମିତି ବିଚି ର ବିବାହ କରାଇ ପାରିବି।ବହୁ ସ୍ୱାର୍ଥପର ହୋଇ ଯିବିନି!!!

    ବିବର୍ଣ୍ଣ! ଭଲ ପାଇଲା ବେଳେ ମୁଁ ଏସବୁ କିଛି ଚିନ୍ତା ହିଁ କରି ନଥିଲି।କେବଳ ଭଲ ହିଁ ପାଇଁ ଥିଲି।ହଁ ବାପା ନହେବା ନିଜ ବଂଶକୁ ଆଗକୁ ନ ବଢାଇବା ଗୋଟେ କାରଣ ହୋଇ ପାରେ।ମାତ୍ର ବିଚି ମାମ୍ ବିନା ଆଉ ଯାହାକୁ ବି ବିବାହ କଲେ ତାକୁ ବିଚି ମାମ୍ ହିଁ ଭାବିବି।ଏଇଟା କଣ ଆଉ କେଉଁ ଝିଅ ପ୍ରତି ଅନ୍ୟାୟ ହେବ ନାହିଁ??ଆଉ ରହିଲା ବାପା ମା ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବି।ବିଚି ମାମ୍ ଙ୍କୁ ବଳତ୍କାର କରିଥିବା ରାକ୍ଷସ ମାନେ ତ ପୁଣି ପୁରୁଷ ଥିଲେ।ସେମିତି ମୁଁ ଜଣେ ପୁରୁଷ ;ଗଣଧର୍ଷିତାକୁ ବିବାହ କରିବି।ତୁ ଏତେ ଭାବେନି କିଛି।କେବଳ ବିଚି ମାମ୍ ମୋତେ ଜୀବନ ସାଥୀ ରୂପେ ପାଇ ଖୁସି ହେବେ କି ନାହିଁ;ତାଙ୍କ ମତ ନିହାତି ଆବଶ୍ୟକ।

   ଆରେ ସମୀର!ସାଙ୍ଗ ମୋର ତୁ କେଉଁ ଉପଦାନରେ ଗଢ଼ାରେ!ତୁ ମଣିଷ ନୁହଁ,ଦେବତା।ମୋ ନିଜ ଭଉଣୀ ଗଣଧର୍ଷିତା।କିନ୍ତୁ ମୋ କଲିଜା ଏତେ ମୋଟା ନୁହେଁ ସବୁ ଜାଣିବି ଜଣେ ଗଣ ବାଳତ୍କାରୀ ଝିଅକୁ ସ୍ତ୍ରୀ ମର୍ଯ୍ୟାଦା ଦେଇ ପାରିବି।ତୁ ମହାନ ସମୀର।ବିଚିକୁ କଣ ପଚାରିବି ତା ଆଖି କୁହେ ସେ ତୋତେ ପସନ୍ଦ କରେ।ତା ତରଫରୁ ମୁଁ ହଁ କହୁଛି।

    ବିଧିବଦ୍ଧ ବୈଦିକ ରୀତିରେ ବିଚି ଓ ସମୀର ବିବାହ ସମ୍ପନ୍ନ କରିଦେଲା ବିବର୍ଣ। ଘର ଲୋକେ ବିବାହକୁ କାଳେ ଫାଙ୍କିବେ ସେଥିପାଇଁ ମ୍ୟାରେଜ ରେଜେଷ୍ଟ୍ରି ବି କରିଦେଲା ସମୀର।କାରଣ ସେ ଜାଣିଥିଲା ତା ଘର ଲୋକେ ଏମିତି ଗୋଟିଏ ଧର୍ଷିତା ଝିଅକୁ ବୋହୁ ଭାବେ ଗ୍ରହଣ କରିବାକୁ ମଙ୍ଗିବେ ନାହିଁ।ତଥାପି ସେ ଆଶୀର୍ବାଦ ନେବା ପାଇଁ ଆସିଥିଲା ଘରକୁ।କିନ୍ତୁ .....

    ଏଇକଥା ଭାବୁ ଭାବୁ କେତେବେଳେ ଆଖି ଲାଗି ଯାଇଛି ମୋର ।ଢୁଳେଇ ପଡିଲି ବିଚି ଉପରେ।ସେ ଉଠି ପଡ଼ି ମୋତେ ଧରି ଜୋରରେ କାନ୍ଦିବାକୁ ଲାଗିଲେ।ଆଉ ଯାହା କହିଲେ ଶୁଣିକି ମୋ ହୋସ ଉଡ଼ିଗଲା।ମୋ ବଡ଼ ଭାଇ ପ୍ରବୀର ବିଚିକୁ ଧର୍ଷଣ କରିଥିବା ଯୁବକଙ୍କ ମଧ୍ୟରୁ ଜଣେ।ସେଇ ପ୍ରଥମେ ବିଚିକୁ ଅଟକାଇ କ୍ଲୋରଫର୍ମ ଶୁଂଘାଇ ଅଚେତ କରିଥିଲେ।ଏ କଥା ଶୁଣି ମୋ ପାଦ ତଳୁ ମାଟି ଖସି ଗଲା।ମୋ ଭାଇ....ବିଚିର ଏ ଅବସ୍ଥା ପାଇଁ ଦାୟୀ!!

    ଧାଉଁ ଧାଉଁ ଭାଇ ଘର କବାଟ ବାଡେଇଲି।ଭାଉଜ କବାଟ ଖୋଲି ମୋତେ ରାଗିକି କହିଲେ ଯେଉଁ କୀର୍ତ୍ତି ତ କଲ ପୁଣି ଅନ୍ୟକୁ ଶୁଆଇ ଦେଉନ କାହିଁକି?ଭାଇକୁ ଖଟରୁ ଟାଣି ଆଣିଲି।ବାପା ବୋଉ ସମସ୍ତେ ମୋ ପାଟି ଶୁଣି ଅବାକ୍। ସମୀରଟା ପାଗଳ ହୋଇ ଯାଇଛି ନା କଣ?କହିଲେ ବାପା।

    ହଁ ମୁଁ ପାଗଳ ହୋଇ ଯାଇଛି।ଯାହାକୁ ଧର୍ଷିତା କହି ଏତେ ତାଛଲ୍ୟ କରୁଥିଲ ତାର ଏ ଅବସ୍ଥା ପାଇଁ କିଏ ଦାୟୀ ଜାଣିଛ!ଏଇ ତୁମ ସୁନା ମୁଣ୍ଡା ପୁଅ ମୋ ବଡ଼ ଭାଇ ଯାହାକୁ ରାମର ଦରଜା ଦେଇଥିଲି,ପ୍ରବୀର ଭାଇ।ସେଇଥି ପାଇଁ ତାକୁ ଦେଖୁ ଦେଖୁ ବିଚି ଵେହୋସ ହୋଇ ଗଲେ।ସେ ଧର୍ଷିତା ହେଲା ଦିନୁ କହିବା କି ହସିବା ଭୁଲି ଯାଇଥିଲେ।ମୁଁ ତାଙ୍କୁ ଭଲ ପାଏ।ଗୋଟିଏ ଭୁଲ ନଥାଇ ଦଣ୍ଡ ଭୋଗୁଥିବା ଝିଅକୁ ମୁଁ ଜୀଇଁବାର ସୁଯୋଗ ଦେବାକୁ ଚାହୁଁଥିଲି।କିନ୍ତୁ ମୁଁ କଣ ଜାଣିଥିଲି ମୋ ଭାଇ ବିଚିର ଏପରି ଅବସ୍ଥା ପାଇଁ ଦାୟୀ!!!

    ମୋତେ ଖୁବ ଲାଜ ଲାଗୁଛି ମୋ ଭାଇ......

 ସମସ୍ତେ ନିରବ।ଏଇ ଟିକକ ଆଗରୁ ଗର୍ଜୁଥିବା ସବୁ ମୁହଁ ବନ୍ଦ।ପ୍ରବୀର ଭାଇ ମୁଣ୍ଡ ତଳକୁ କରି ଠିଆ ହୋଇଥାନ୍ତି।

    ବୋଉ ମୋ ମୁଣ୍ଡ ଆଉଁସି କହିଲା ଧନରେ!ତୁ ଭଲ କରିଛୁ ଏ ଝିଅଟିକୁ ବାହା ହୋଇ।

    ମୁଁ ସମସ୍ତଙ୍କ ବାରଣ ସତ୍ତ୍ୱେ ସିନ୍ଦୁରା ଫାଟିବା ପୂର୍ବରୁ ବିଚିଙ୍କୁ ଧରି ଚାଲି ଆସିଲି।ବିଚି ଆଉ ମୁ ଗୋଟିଏ ପୋଷ୍ୟ ଝିଅ ଅନାଥ ଆଶ୍ରମରୁ ଆଣିଛୁ।ଆମ ସଂସାରରେ ଏବେ ଖୁସି ଆଉ ଖୁସି।ବିଚି ସବୁବେଳେ କୁହେ ସମୀର "ତୁମେ ମୋ ମେଘ ଭର୍ତ୍ତୀ ଆକାଶର ସୂର୍ଯ୍ୟ।ତୁମ ପାଇ ଆଜି ମୋ ଜୀବନ ଆକାଶ ଖୁସିରେ ଝୁମେ"।


     

    


Rate this content
Log in

Similar oriya story from Tragedy