Satyabati Swain

Romance Tragedy

4  

Satyabati Swain

Romance Tragedy

ମୌସୁମୀ ର ଚିଠି

ମୌସୁମୀ ର ଚିଠି

6 mins
191



ପ୍ରିୟ ଆକା;


ତୋର ମନେ ଅଛି ମଝି ରାସ୍ତାରେ ପାଣି ସୁଅ,ସ୍କୁଲ ଛୁଟି ,ଘର ଫେରନ୍ତା ମନ ଆଉ ତୁ ଓ ମୁଁ?ମନେ ଅଛି ପାଣି ଚବ ଚଵ,ଛିଟିକାରେ ଅଣ୍ଟା ଯାଏ ଓଦା ହେବା କଥା! ମନେ ପଡୁଛି ମୁଁ ଓଦା ନ ହେବା ପାଇଁ ତୁ କିପରି ତୋ ବ୍ୟାଗ୍ ଥୋଇ ଦେଉ ମୋ ମୁଁଣ୍ଡ ଉପରେ?ତୁ ନିଜେ ଗୋଟା ପଣେ ଓଦା ହଅ ପଛେ ମୋତେ ଆଦୋୖ ଓଦା କରି ଦେଉ ନଥିଲୁ।ଆଉ ସେଦିନ କଥା ଯେଉଁ ଦିନ ତୋ ସାର୍ଟ ଖୋଲି ମୋତେ ଘୋଡେଇ ଦେଇଥିଲୁ ଓଦା ନ ହେବା ପାଇଁ।ତୋ ହାଡୁଆ ନକ୍ ନକ୍ ଖୋଲା ଦେହ ଓ ମୁଷଳ ଧାରା ବର୍ଷା।ଘଡଘଡିଟିଏ ଏମିତି ମାଇଲା ଯେ କୁଣ୍ଢାଇ ପକାଇଲି ତୋତେ ମା ଆ ଆ ଭୟରେ ରଡ଼ିଟିଏ ଛାଡି।ତୁ ମୋତେ ତୋ ହାଡୁଆ ଛାତିରେ ଜାକି କହିଲୁ ମୁଁ ଅଛି ପରା କଣ କରିବ ଏ ଘଡଘଡି?ସେଦିନ ମୋତେ ଲାଗିଲା ଘଡଘଡି ତୋତେ ଡରେ।ଆହୁରି ଲାଗିଗଲି ତୋ ଦେହରେ।ତୁ ମୋ କାନ ବନ୍ଦ କରି ଧରିଥିଲୁ।ଗୋଟେ ଭୟ ଭର୍ତ୍ତୀ ସଅଁ ସଅଁ ଛାତି ମୋର ଆଉ ଗୋଟେ ହାଡୁଆ ସ୍ନେହ ଭର୍ତ୍ତୀ ଛାତି ତୋର ଏକ ହୋଇ ଯାଇଥିଲେ।


ଆଉ ଦିନକର ଘଟଣା ସ୍କୁଲରୁ ଫେରୁ ଫେରୁ କାଚିଲା ବର୍ଷା।ଆମ ସାହିର ସମସ୍ତ ପିଲା ବର୍ଷା ସହି ନ ପାରି ପଶିଗଲେଭଙ୍ଗା କ୍ଳବ ଘର ଭିତରକୁ।କ୍ଳବ ଘର ବ୍ୟତୀତ ଆଉ କେଉଁଠି ମୁଣ୍ଡ ଗୁଞ୍ଜିବାକୁ ରାହା ନଥିଲା।ଆର ପଟେ ମଶାଣୀ ଦଣ୍ଡା।ବଡ଼ ବରଗଛ ଟିଏ।ଯେଉଁଠି ସବୁ ଡାହାଣୀ,ଚିରିଗୁଣୀ ଥାଆନ୍ତି ବୋଲି ଆମ ପିଲା ମନର ବିଶ୍ୱାସ।ଘଡଘଡି ମାରୁଛି।ବର୍ଷା କାଚୁଛି।ସାହି ଶେଷ ମୁଣ୍ଡ ଇଏ।ବର୍ଷାରେ ଯାଇ ହେଲାନି ବୋଲି ଡର ଥିଲେ ବି ସବୁ ପିଲା କ୍ଳବ ଘରେ ଅଟକିବାକୁ ବାଧ୍ୟ।ସବୁ ପିଲାଙ୍କ ଭିତରେ ମୁଁ ସାନ।ମୁଁ ଏତେ କୌତୁକିଆ ଯେ ସମସ୍ତେ ଡାକନ୍ତି ଡଲ୍।ତୁ ଡାକୁ ଗଦି।ମୋ କୋମଳ ମୁଲାୟମ ହାତ ଓ ଗାଲକୁ ଛୁଇଁ କହୁ ଇସ୍ କି ଗଦି ଗଦି ଲାଗୁଛୁ?


ପ୍ରବଳ ବର୍ଷା ଓ ପବନ ଦେଖି ମୁଁ ମା ମା କହି କାନ୍ଦିଲି।

ଅନ୍ୟ ପିଲାମାନେ ମୋ କାନ୍ଦ ଦେଖି ଛେରୁଆ ଟା କହି ହସିଲେ।ତୁ କହିଲୁ କଣ ଡର ଲାଗୁଛି?ତୁ ଜାଣିନୁ ବର୍ଷା କେତେ ମଜା ଦିଏ।ଚାଲ ପିଲେ ବର୍ଷା ଛାଡିବା ଯାଏ ଗୋଟେ ଖେଳ ଖେଳିବା।କାଗଜ ଡଙ୍ଗା କରି ଭସେଇବା।ଯାହାର ସବୁଠାରୁ ଅଧିକ ବାଟ ଯିବ ସେ ଦଇଆ ଦୋକାନରୁ ପେଟ ପୁରିବା ଯାଏ ଭୁଗୁନି ଖାଇବ।ମୁଁ ମୁହଁ ଶୁଖେଇ କହିଲି ମା ମନା କରିଛି ବାହାର ଖାଦ୍ୟ ଖାଇବୁ ନାହିଁ।ସମସ୍ତେ ମୋ ନିରୀହ ପଣିଆଁ ଦେଖି ହୋ ହୋ ହୋଇ ହସି ଉଠିଲେ।ତୁ କହିଲୁ ଠିକ୍ ଅଛି ତୁ ଆଗ ଜିତି ।ତୋ ମା ଯାହା କହିବେ ସେଇଆ ଖାଇବାକୁ ଦିଆ ଯିବ।ମୁଁ ଚଟ୍ କି କହିଲି ନୁଡୁଲସ୍। ପୁଣି ଥରେ ହସ ରୋଳା ହେଲା ମୋ କଥା ଶୁଣି।କାରଣ ସେତେବେଳେ କିଛି ପିଲା ନୁଡୁଲସ୍ ଦେଖି ନଥିଲେ।କାରଣ ସେତେବେଳେ ଏହା କେବଳ ସହରରେ ମିଳୁଥିଲା।


ମୋ ଜନ୍ମ ଦିଲ୍ଲୀରେ।ସେଇଠି ଆଠ ବର୍ଷ ଯାଏ ଥିଲି।ମୋ ବାବା ଜଣେ ଇଞ୍ଜିନିୟର।ତାଙ୍କ କମ୍ପାନୀରେ ଷ୍ଟ୍ରାଇକ ହୋଇ ବନ୍ଦ ହେବାରୁ ଦୁଇ ବର୍ଷ ହେବ ଆମେ ଗାଁ କୁ ଆସିଥିଲୁ।ନୁଡୁଲସ୍ ମୋର ଭାରି ପସନ୍ଦ।ତୁ ଟିକେ ଗମ୍ଭିର ଦେଖାଗଲୁ।ତାପରେ ପଚାରିଲୁ ତାକୁ ଖାଆନ୍ତି କି?ସେଇଟା ଦେଖିବାକୁ କେମିତି?କେମିତି ଲାଗେ?ଆଳୁ ଚକଟା,ବଡ଼ିଚୁରା,ଶାଗ ଭଜା,ଚେଙ୍ଗ ପୋଡ଼ା ନା ମୁଢି ଚୁଡା ପରି।ମୁଁ ଅନେଇଁ ଥିଲି ଜଳ ଜଳ।ଏଡ଼େ ପିଲା ଟା ନୁଡୁଲସ୍ ଜାଣିନି?ତୁ କହିଲୁ ଠିକ୍ ଅଛି ମୁଁ ପାଠ ପଢି ସହରରେ ଚାକିରୀ କଲେ ଆଣି ଦେବି ଆଉ କଣ।ହଁ ତୁ ଯଦି ଅପେକ୍ଷା କରୁ...।ଏଇ କଥା ମଝିରେ ତୁ ଏପରି କିଛି କହୁ ଯାହା ମୋ ବୁଝିବା ବାହାରେ ଥିଲା।


ତୋ କଥାରେ ତାପରେ ଚାଲିଲା ଖାତା ଚିରା ଅଭିଯାନ।ସତେଇଶି ଜଣ ପିଲାଙ୍କ ଡଙ୍ଗା ଚାଲିଲା ଆଗକୁ ଦୋହଲି ଦୋହଲି।ମୋର ଖାତା ଚିରା ସରିଲା ପଛେ ଡଙ୍ଗା ତିଆରି ସମ୍ଭବ ହେଲା ନାହିଁ।ତୁ ମୋ ଆକୁଳ ଭାବକୁ ପଢି ନେଇ ମୋତେ ଡଙ୍ଗା କରିବା ଶିଖେଇଲୁ।ଯେତେ ଶିଖେଇଲୁ ସେତେ ଅଧିକ ଭୁଲ୍ ମୁଁ କଲି।ତୁ ଚିଡି ଯାଇ କହିଲୁ ତୋ ସହରିଆ ମଗଜ କେବଳ ଇଙ୍ଗିଲିଶ ବୁଝେ,ନୁଡୁଲସ୍ ଖାଏ,ଟିକିଏ ଟିକିଏ କଥାରେ କାନ୍ଦି ଜାଣେ,କିନ୍ତୁ ଏଇ ଛୋଟ କଥାଟି ଶିଖି ପାରେ ନାହିଁ।ବୋକି କୋଉଠି କାର।ହଜାର ବାର ଶିଖେଇଲେ ବି ହେଉ ନାହିଁ।ଓଲି ଗଦି।


ମୋର ଗୋଟେ ଅଭ୍ୟାସ ଯାହା ନ ପାରିବି ଖାଲି କାନ୍ଦିବି।ତୁ ବାବା ଙ୍କ ପରି ମୋ କାନ୍ଦ ସହି ପାରିଲୁ ନାହିଁ।କହିଲୁ ,"ହେଉ ରହ ରହ ମୁଁ ତୋ ପାଇଁ ଗୋଟେ ଡଙ୍ଗା କରି ଦେଉଛି ତୁ ଭସା।ମୋର ଏକା ଜିଦ୍ ନା ମାନେ ନା।ମୁଁ ନିଜେ କଲେ ଭସାଇବି।ମୁଁ ହଜାରେ କାଗଜ ଚିରିଲି ଗଙ୍ଗା କରିବାରେ ଲାଗି ପଡିଲି।

ସତକୁ ସତ ପିଲାମାନେ ଡଙ୍ଗା ଭସାରେ ଏମିତି ମଜ୍ଜି ଗଲେ ଯେ ବର୍ଷା,ପବନ ଡର ଭୁଲି ଗଲେ।କିଏ କହୁଥାଏ ଦେଖ୍ ଦେଖ୍ ମୋ ଡଙ୍ଗା ଆଗରେ କିଏ କହୁଥାଏ ହେଇ ଦେଖ୍ ମୋ ଡଙ୍ଗା ତୋତେ ଟପିଗଲା।


 ଏହା ଭିତରେ ବର୍ଷା ଅଳ୍ପ ଅଳ୍ପ ଛାଡୁଥିଲା। ଆମ ଘର ବିନୁ ଦା ଛତା ଓ ସାଇକେଲ୍ ଆଣିଥିଲେ ମୋତେ ନେବା ପାଇଁ।ମୋତେ ଗୋଟା ସୁଦ୍ଧା ଓଦା ଦେଖି ଜିଭ କାମୁଡି ପକାଇଲେ।ସୁମି ଡଲ୍ ମା ! ଏତେ ଓଦା ହୋଇଛ।ମୋ ନାଁ ମୌସୁମୀ ଏଣୁ ବିନୁ ଦା ସୁମି ଡଲ୍ ମା ଡାକନ୍ତି।ଓଦା ହେଲେ ଦେହ ଖରାପ ହେବ।ବାବୁ ମା ମୋତେ ରାଗିବେ।ମୁଁ ବିନୁ ଦା ସଂଗେ ଘରକୁ ଫେରିଲି।


ସେଦିନ କାଗଜରେ ଡଙ୍ଗା ଶିଖିବା ନୋହିଲା। ଓଦା କିନ୍ତୁ ସତ ସତିକା ମୋତେ ଜ୍ଵରରେ ପକାଇ ଦେଲା।ବାବା ମା ଭାରି ବ୍ୟସ୍ତ ହେଲେ।ସ୍କୁଲ ଯିବା କିଛି ଦିନ ବନ୍ଦ ହୋଇଗଲା ମୋର।ତୁ ମୋ ଠାରୁ ଦୁଇଟି ଉପର ଶ୍ରେଣୀରେ ପଢୁ।ଏମିତିରେ ପାଠ ମୋ ଦେଇ ତ ଭଲ ହୁଏ ନାହିଁ।ସ୍କୁଲ ନ ଯିବାରୁ ଆହୁରି ଗଧି ହୋଇଯିବି ଭାବି ମା ତୋତେ ମୋ ସାଙ୍ଗ ମାନଙ୍କ ଠାରୁ ପଢା ପାଠ ବୁଝିକି ଆସି ମୋତେ ବୁଝାଇ ଦେବାକୁ କୁହେ।ସବୁଠାରୁ ମୋର ଓଡ଼ିଆ ଆଦୌ ହୁଏ ନାହିଁ।ତୁ ମୋତେ ପଢ଼ାଇବାକୁ ଆସୁ।ମୋତେ ଭାରି ଭଲ ଲାଗେ।କେଜାଣି ତୋତେ ଦେଖିଲେ ମନଟି କି ଗୋଟେ ଖୁସିରେ ଚମକେ।ମୋର ଇଚ୍ଛା ତୁ ମାନେ ଆକା,ଆକାଶ ଆମ ଘରେ ରୁହନ୍ତୁ କି?ଆକା ଆକା ହୁରୀ ପକାଉଥାନ୍ତି ମୁଁ ସବୁବେଳେ।ଯାହା ଅସମ୍ଭବ ଥିଲା।କାରଣ ତୁ ଥିଲୁ ଆମ ଚାକରର ପୁଅ।


ମୋର ଅଷ୍ଟମ ଶ୍ରେଣୀ ବର୍ଷ ବାବାଙ୍କ କମ୍ପାନୀ ଖୋଲିଲା।ଆମେ ପୁଣି ଦିଲ୍ଲୀ ଚାଲିଗଲୁ।କିନ୍ତୁ ମନଟି ବନ୍ଧା ପକେଇ ଆସିଲି ଗାଁରେ ତୋ ପାଖେ।ବାବା ସବୁ ବିଷୟରେ ଟିଉସନ୍ ଖଂଜିଦେଲେ।ପ୍ରଥମ ଶ୍ରେଣୀରେ ଦଶମ ପାସ୍ କଲି।।କଲେଜରେ ମୋର ଷ୍ଟାଣ୍ଡର୍ଡ ଆହୁରି ବଢିଗଲା। 3 ପରେ କମ୍ପିଟେଟିଭ୍ ଦେଇ ବ୍ୟାଙ୍କରେ ଜବ୍ କଲି।କଲେଜ ଜୀବନରେ ଅନେକ ପୁଅ ମୋ ପଛରେ ପଡିଲେ।କିନ୍ତୁ ସମସ୍ତଙ୍କ ଭିତରେ ତୋ ମୁହଁ ମୋତେ ଦିଶିଯାଏ।ସେଥିପାଇ ବୋଧେ କାହାକୁ ଭଲ ପାଇ ପାରିଲି ନାହିଁ।ଯେବେ ଯୁବତୀ ବୟସ ମୋତେ ଜଗଡି ଧଇଲା,ଆଖି ବୁଜି ଦେଲା ମାତ୍ରେ ତୁ ମନେ ପଡ଼ିଲୁ।ମୁଁ ତୋତେ ସେବେଠାରୁ ଦେଖିନି କିନ୍ତୁ କହି ଦେଇ ପାରିବି କେମିତି ହୋଇଥିବୁ।ବହୁତ ଡେଙ୍ଗା,ସରୁ କାନିଆଁ ଦେହ,ଗୋରା ତକ ତକ ହସ ହସ ମୁହଁ।ତୁ ଛଅ ଫୁଟ୍ ପାଞ୍ଚ ଇଞ୍ଚ୍ ଖଣ୍ଡେ ଉଚ୍ଚ ଓ ଷାଠିଏ କେଜି ଓଜନ ହୋଇଥିବୁ ନିଶ୍ଚେ।ଧଳା ରଙ୍ଗର ଫୁଲ ସାର୍ଟ ସାଙ୍ଗକୁ ଗୋଲଡ଼ନ୍ କଲର୍ ପ୍ୟାଣ୍ଟ୍ ପିନ୍ଧୁଥିବୁ।ତୋ ଆଖି ଟିକେ ଚିଲା।ଚିଲା ଆଖିଆ ଲୋକ ମୋର ବେଶୀ ପସନ୍ଦ।ସରୁ ନିଶଟି ତୋ ମୁହଁକୁ ଖୁବ୍ ମାନୁଥିବ।ଗୋଟେ ହିରୋ ପରି ଦେଖା ଯାଉଥିବୁ।


ଜାଣିଛୁ ଆକା ମୋ କୁଆଁରୀ ଅନୁଢା ତରୁଣୀ ପ୍ରାଣ ଯେତେବେଳେ ଜଣେ ଇପ୍ସିତ ଅଦେଖା ପୁରୁଷ ଛବି ଆଙ୍କେ ମନ ଭିତରେ ସେଠି ତୋର ମୁହଁ ବାରମ୍ବାର ଦିଶେ।ସ୍ବପ୍ନ ଦେଖେ ତୋତେ ମୁଁ।ତୁ ସ୍ୱପ୍ନରେ ଆସି ଲାଜୁଆ ଲାଜୁଆ ହସ ହସି କହୁ ଗଦି ,ଡଲ୍।ତୋତେ ଛୁଇଁବାକୁ ଚେଷ୍ଟା କରି ହାତ ବଢ଼େଇ ଆକା କହିଲା ବେଳକୁ ତୁ ନଥାଉ।କେବଳ ଥାଏ ଦୀର୍ଘଶ୍ଵାସ ଓ ମୋ ଆଖିର ଲୁଣିଆ କେଇ ବୁନ୍ଦା ପାଣି।ସତ ତୁ ବହୁତ ମନେ ପଡୁ ରେ।


ବାବା ଯେତେବେଳେ ମୋର ବିବାହ ପ୍ରସ୍ତାବ ପକାଇଲେ

ତୋତେ ମୁଁ ବହୁତ ଖୋଜିଛି।ତୁ ମୋତେ ଭଲ ପାଉ କି ନାହିଁ ଜାଣି ନ ଥିଲି କି ଯୋଗା ଯୋଗର ମାଧ୍ୟମ ଚିଠି ବ୍ୟତୀତ ଆଉ କିଛି ନଥିଲା।ଫୁକୁ ମୋ ସାଙ୍ଗ ଗାଁ ର ତାକୁ ଚିଠି ଲେଖି ତୋ କଥା ପଚାରିଥିଲି।ସେ ଉତ୍ତର ଦେଇ ଲେଖିଥିଲା ତୁ କୁଆଡେ ମୋତେ ବହୁତି ଭଲ ପାଉଥିଲୁ।ମୁଁ ଗାଁ ଛାଡି ଆସିଲା ପରେ ମତେ ଖୁ ମନେ ପକାଇ ପାଗଳ ପରି ହେଉଥିଲୁ।ଫୁକୁ ଆଗେ ତୋ ମନ କଥା କହୁଥିଲୁ।ମୁଁ କାଳେ ସରଗର ଚାନ୍ଦ।ତୁ ତୁଚ୍ଛା ଚାକର ପିଲା।ଏଡ଼େ ବଡ଼ ଘର ଝିଅ ହୋଇ ମୁଁ କୁଆଡେ ତୋତେ ପସନ୍ଦ କରି ନଥାନ୍ତି।ତୁ ବଳି ପଡିଥିବା ମୋ ଅଇଁଠା ଖାଉ।ମୁଁ କଣ ତୋତେ ଜୀବନ ସାଥି ରୂପେ ଚୟନ କରିଥାନ୍ତି!୧ତୁ ଏବେ ରେଳବାଇରେ ଜବ୍ କରୁଛୁ।ବିନୁ ଦା ଝିଅ ଶ୍ରାବଣୀ ସଂଗେ ତୋର ବିବାହ ହୋଇଯାଇଛି।ବିନୁ ଦା ତୋ ସମସ୍ତ ପଢିବା ପାଇଁ ପଇସା ଖର୍ଚ୍ଚ କରିଥିଲେ।ଏତକ ଜାଣିଲା ପରେ ମୁଁ ମୌସୁମୀ କାନୁନଗୋ ଛାଟି ପିଟି ହେଲି।ପ୍ରାଣ ମୋର ଆକାଶ,ଆକାଶ ହେଲା।


ଆଜି ତୋ କଥା ମୋର ଭାରି ମନେ ପଡୁଛି ଏଇଥି ପାଇଁ ଯେ ମୋ ଝିଅ 'ପାଶା' ବର୍ଷାକୁ ଦେଖି କହୁଛି ,"ମାମା ଗୋଟେ ପେପର୍ ବୋଟ୍ କରି ଦିଅ ତ,ଭସାଇବି।"ମନେ ମନେ ହସୁଛି ଆଉ ଚେଷ୍ଟା କରୁଛି ତୋ ପରି ପେପର୍ ବୋଟ୍ ତିଆରି କରିବାକୁ।


ମୁଁ ଜାଣିନି ତୁ ମୋର ଏ ଚିଠି ପଢିବୁ କି ନାହିଁ।କିନ୍ତୁ ମୋର ଇଚ୍ଛା ତୁ ଏ ଚିଠି ଥରେ ପଢ଼।କାଳେ ତୁ ପଢିବୁ ସେଇ ଆଶାରେ ଲେଖୁଛି।ପଢି ସାରିବା ପରେ କାବା ହେବୁନି;ଯାହା ଲେଖୁଛି ସତ ହିଁ ଲେଖୁଛି।ମୁଁ ଏଇଟା ବି ଜାଣେ ପଢି ସାରିବା ପରେ ତୁ ଟିକେ ପଛକୁ ଅନେଇଁବୁ।ତୋ ଆଖି ଟେରା ହୋଇଯିବ।ତୋ ହୃଦ ସ୍ପନ୍ଦନ ବଢି

ଯିବ।ତୁ ବାଁ ପଟ ଛାତିକୁ ଛାପି ଧରିବୁ।ତାପରେ ତୁ କାନ୍ଦିବୁ ହୃଦୟ ଫଟାଇ;କିନ୍ତୁ ନିଃଶବ୍ଦେ।କାହିଁକିନା ତୁ ଏବେ କେବଳ ତୋର ନୁହଁ।ଆଉ ଜଣେ ତୋ ଜୀବନ ସହ ଛନ୍ଦି ହୋଇ ଯାଇଛି।'ଶ୍ରାବଣୀ' ତୋ ପତ୍ନୀ ; ଜାଣିଲେ ତୋ ପ୍ରାଣ ଖାଇଯିବ।ତୋ କାନ୍ଦ କାନରେ ପଡିଲେ ତୋତେ ଦରମରା କରିଦେବ।ଏଣୁ ତୋତେ ମୋର ଅନୁରୋଧ କେବଳ ପଢିବୁ।


କାନ୍ଦିବୁନି ବୁଦ୍ଦୁ...ଭଲ ପାଇବା ପାଇଁ ଲୋକେ ଲଙ୍କା ଯାଉଛନ୍ତି ସମୁଦ୍ର ଡେଇଁ।ତୁ ଦିଲ୍ଲୀ ଆସି ଥରେ ତ କହି ଦେଖିଥାନ୍ତୁ ମୌସୁମୀ ମାନେ ତୋ ଆଦରର ଗଦି,ଡଲ୍ କେବଳ ଆଜି ତୋର ଅର୍ଥାତ ଆକାଶ ପ୍ରଧାନର ହୋଇଥାନ୍ତା।କେବେ ଦେଖା ହେଲେ ଦେଖିବୁ ମୁଁ ବି ତୋ ପରି କାଗଜ ଡଙ୍ଗା କରି ପାରୁଛି।ମୋ ଝିଅ ଯେବେ ଯେବେ କାଗଜ ଡଙ୍ଗା ଭସାଏ ମୁଁ ମାନେ ମୌସୁମୀ କିଛି କ୍ଷଣ ଆକାଶ ମୟ ହୋଇଯାଏ।ତୁ ଯେଉଁଠି ଥା ଭଲରେ ଥା।


ରହୁଛି।


ତୋତେ ସବୁଦିନେ ଭଲ ପାଉଥିବା ତୋର 'ଗଦି' ଡଲ୍


Rate this content
Log in

Similar oriya story from Romance