STORYMIRROR

Sunanda Mohanty

Romance Tragedy

2  

Sunanda Mohanty

Romance Tragedy

ମାୟା ସଂସାର

ମାୟା ସଂସାର

2 mins
92


ଜୀବନ ତମାମ ସ୍ୱାମୀଙ୍କ ହାତ ଧରି ଚାଲି ଶିଖିଥିବା ସୁମୀ ଆଜି ବି ପାଖ ଛାଡ଼ୁନାହାନ୍ତି ସ୍ୱାମୀଙ୍କର, ଏତେ ଦିନ ଧରି ରଖି ଆସିଥିବା ଆଶା ଆଜି ନିରାଶାରେ ପରିଣତ, ସ୍ୱାମୀ ବସିଥିବେ ତାଙ୍କ ହାତ ଗୋଡ଼ ଚଳୁଥିବ, ସେ ଅହ୍ୟ ଡେଙ୍ଗୁରା ପିଟି ଆଗୁଆ ଶଙ୍ଖା ସିନ୍ଦୂର ଲାଗି ଯିବେ, ଏ ଆଶା ମଉଳି ଗଲାଣି, ଯେବେ ଠାରୁ ସ୍ୱାମୀଙ୍କ ଗୋଡ଼ ଦିଟା ଅଚଳ ହୋଇ ଖଟିଆ ଲାଗି ହେଲେଣି l

 ରୋଗର କାରଣ ନିରାକରଣରେ କୌଣସି ହେଳା ନଥିଲେ ବି ରୋଗ କାମିଲାନି, ବଢିଲା, ପ୍ରଥମେ ପ୍ରଥମେ ସମସ୍ତଙ୍କର ସମ୍ବେଦନ ଆସ୍ତେ ଆସ୍ତେ ଦେହସୁହା ହେଲା, ପ୍ରୋଷ୍ଟେଟ ବଢ଼ି ପରିଶ୍ରା ଥଳି ପେଟରେ ବନ୍ଧା ହେଲା ତ ସମସ୍ତେ ମୁଁହ ବୁଲେଇ ନେଲେ, କରିବା ତ ଦୂରର କଥା, ଏ ଘରକୁ ଆଉ କେହି ମାଡୁନଥିଲେ, ସୁମୀଙ୍କ ଅଣ୍ଟା ନଇଁ ପଡିଲାଣି, ତାଙ୍କୁ ବି କମ ରୋଗ ନୁହଁ ହେଲେ ସେ ବି ଏଵେ ସ୍ୱାମୀଙ୍କ ପାଖେ ଶୋଇ ପାରୁନାହାନ୍ତି, ଯିଏ ବି ସେ ଘରକୁ ଆସୁଛି ଦୁର୍ଗନ୍ଧରେ ନାକ ଫାଟୁଛି କହି ଚାଲି ଯାଉଛି, କାମଵାଲୀଟା ବି କହୁଛି ଫିନାଇଲ ପକେଇ ସବୁ ତ ଧୁଆ ପୋଛା ସରିଛି, କିଛିତ ମଇଳା ଅସନା ନାହିଁ, କଣ କୋଉଠୁ ଏ ଦୁର୍ଗନ୍ଧ ଜାଣି ହେଉନି, ବୁଢାବାବୁଙ୍କର ତ ଝାଡ଼ା ରହିଗଲାଣି, ପରିଶ୍ରା ଥାଳିରେ ତ ଆଉ ସେମିତି ପରିଶ୍ରା ରହୁନି ଖିଆପିଆ ତ ନାହିଁ କହିଲେ ଚଳେ ତ କଣ ଏମିତି ଗନ୍ଧଉଛି କେଜାଣି l

  ସେଦିନ ହାତ ଗୋଡ଼ରେ ଅଭ୍ୟାସ ବଶତଃ ତେଲ ମାରିବାକୁ ଯାଇ ଚମକି ପଡିଲେ ସୁମୀ, ଚଦର ତଳ ଗୋଡ଼ରେ ଲାଙ୍ଗୁଡ଼ା ପୋକଗୁଡିଏ, ଆଉ ଗନ୍ଧ ପ୍ରବଳ, ମୁଣ୍ଡ ଝାଇଁ ମାରିଗଲା ତାଙ୍କର, ଆଖିକୁ ବି ଭଲ ଦିଶୁନି ଆଉ ତାଙ୍କୁ, ଚାହିଁଲେ ସ୍ୱାମୀଙ୍କୁ, ପଡିଛନ୍ତି ସେମିତି, ହୁଁ ହାଁ ଟିକେ କହୁଥିଲେ ଯେ ସେତକ ବି ବନ୍ଦ l

  ଚାରିଆଡ଼କୁ ଚାହିଁଲେ ସୁମୀ ରାତି ପାହିଲେ କଥା ପ୍ରଘଟ ହେବ କିଏ କେତେ କଥା କହିବ, ତ ଦେଖିଲେ ଟିକେ ଦୂରରେ ଫିନାଇଲ ବୋତଲଟା ଛାଡ଼ିଯାଇଛି କାମବାଲି, ତ ଘୁଷୁଡ଼ି ଘୁଷୁଡ଼ି ବୋତଲଟିକୁ ଆଣି କଷ୍ଟେ ମଷ୍ଟେ ଫିଟାଇ ଚଦର କାଢି ଢ଼ାଲିଦେଇଗଲେ ଦୁଇଗୋଡରେ, ଆଉ ବାକିତକ ଢକ ଢକ ପିଇଦେଇ ସ୍ୱାମୀଙ୍କ କାନ ପାଖରେ କଷ୍ଟେମଷ୍ଟେ କହୁଥିଲେ, ଫେରିଚାଲ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance