Nityananda Nandi

Romance

0.2  

Nityananda Nandi

Romance

ମାଛ କଣ୍ଟା

ମାଛ କଣ୍ଟା

5 mins
379


ଶୂନ୍ୟତାକୁ ଛାଡ଼ିଦେଲେ କଣ ଆଉ ଥାଏ ଆକାଶ ଭିତରେ !

ତଥାପି ନିର୍ଜଳାର ମନ ବୁଝୁନି। ଅନେଇ ବସିଛନ୍ତି ଆକାଶ ଆଡ଼କୁ। ବଡ଼ ଭଉଣୀ ଅର୍ପିତାର ପ୍ରତିଛବି ଟିଏ ଦେଖିବା ପାଇଁ ଆକାଶର ପ୍ରତିଟି ପୃଷ୍ଠାକୁ ଘାଣ୍ଟିବାରେ ବ୍ୟସ୍ତ । ହାତ ପା'ନ୍ତା ଆକାଶରେ  ପାପୁଲି ଏ ବାସ୍ନା ସାଉଁଟୁ ଥିଲେ ବଡ଼ ଭଉଣୀ ର। ବିଶ୍ୱାସ ଘାତକ ଆକାଶ। କେଉଁଠି ଲୁଚି ରଖିଛି ଅର୍ପିତାଙ୍କୁ ବାର ବାର ଆଖି ପୋଛୁ ଥିଲେ ନିର୍ଜଳା। ଥରେ ପୋଛି ଦେଲେ ଆଖି କଣ ଶୁଖୁଛି ପୁଣି ଥରେ ଭରି ଆସୁଛି । କେତେ ଆଉ ପୋଛିବ


ଦେବାଶିଷ ବାବୁ ଦୁଇ କପ୍ ଚା ନେଇ ପଶି ଆସିଲେ ବାରଣ୍ଡାକୁ, କହିଲେ, ଆଉ କାନ୍ଦନି ନିର୍ଜଳା। କୋଡ଼ିଏ ବର୍ଷରୁ ଅଧିକ ହେବ, ଦିଦି ଦୁନିଆ ଛାଡ଼ି ଗଲେଣି, ତଥାପି ଛୋଟ ପିଲାଙ୍କ ପରି ତମେ କାନ୍ଦୁଛ। ନିର୍ଜଳା ହସି ଦେଲେ, ସବୁ ଭୁଲି ଯିବା ପାଇଁ ଚେଷ୍ଟା କଲେ କିଛି କ୍ଷଣ ପାଇଁ। 


-ଯେଉଁ କାରଣ ପାଇଁ ଅର୍ପିତା ଦିଦି ସାରା ଜୀବନ ଅବିବାହିତ ରହିଲେ , ତାହା କଣ ସତ ଥିଲା। ଦେବାଶିଷ ବାବୁ ପଚାରିଲେ ନିର୍ଜଳା ଙ୍କୁ।

-ନା

-ତେବେ ମୋତେ କହିନ କାହିଁକି

-ମୋତେ ସେ ଯାହା କହିଥିଲା ମୁଁ ବିଶ୍ୱାସ କରିଥିଲି। ତାହା ହିଁ ମୁଁ କହିଥିଲି ତମକୁ । ଏପରିକି ମରିବାର ଦଶ ବର୍ଷ ପରେ ବି ସେଇ ବିଶ୍ୱାସ ରେ ମୁଁ ଥିଲି। ସେ ଜୀବନରେ କେବେ ମା ହେବନି ବୋଲି ମୋତେ କହିଥିଲା। କହିଲା ଶାଶୁ, ଶଶୁର ଓ ସାମାଜିକ ଯାତନା ବହୁତ କଷ୍ଟ ଦାୟକ। ସେଥିପାଇଁ ସେ ବାହା ହେବନି। 

କାରଣ କିନ୍ତୁ ଅଲଗା ଥିଲା

ଦିନେ ମୋ ବାକ୍ସରୁ ଦିଦିର ପୁରୁଣା ଡାଏରୀ ଟିଏ ପାଇଲି, ସେ ମରିବାର ଅନେକ ଦିନ ପରେ। ଡାଏରୀ ପଢୁ ପଢୁ ଚିଠିଟି ଏ ପାଇଥିଲି ତା ଭିତରୁ, ବେଡ଼ ରୁମ୍ ଭିତର କୁ ଯାଇ ଚିଠି ଟିକୁ ନେଇ ଆସି ଧରେଇ ଦେଲେ ଦେବାଶିଷ ବାବୁଙ୍କୁ। ମୁଁ ଲୁଚି ଲୁଚି ଅନେକ ଥର ପଢିଛି, ଆଜି କିନ୍ତୁ ପଢ଼ିବା ପାଇଁ ଆଉ ସାହାସ ନାହିଁ। ତମେ ପଢ଼। ପଚାରି ନ ଥିଲେ ଏ ଚିଠିଟି କେବେ ବି ତମକୁ ଦେଖେଇ ନ ଥାଆନ୍ତି। ଦେବାଶିଷ ବାବୁ ଚିଠି ପଢ଼ିଲେ ରହସ୍ୟ ଟିକୁ ଜାଣିବା ପାଇଁ। 


ନିର୍ଜଳା ମନେ ଥିବ, ଗ୍ରାଜୁଏସନ ପରୀକ୍ଷା ସରିଲା। ତୁ ମୋତେ ଦେବାଶିଷ ଘରକୁ ନେଇ ଯାଇଥିଲୁ । କହିଲୁ, ଦିଦି ! ଦେବାଶିଷ ସାମ୍ନାରେ କିଛି କହିବୁନି ମୋ ପସନ୍ଦ ଠିକ୍ ଅଛି କି ନାହିଁ ! 

ତମ ଦୁଇଜଣଙ୍କ କେମିଷ୍ଟ୍ରି ଜବରଦସ୍ତ ଥିଲା ନିର୍ଜଳା। ମୁଁ କିନ୍ତୁ ସେଦିନ କିଛି କହି ନ ଥିଲି, ଭାବି ନେ... ଇର୍ଷାରେ।


ସେଦିନ ସମସ୍ତେ ବସି ମଧ୍ୟାହ୍ନ ଭୋଜନ କରୁଥିଲୁ, ଦେବାଶିଷ ଙ୍କ ଘରେ। ବଡ଼ ମାଛ ର କଣ୍ଟା ଫସି ଯାଇଥିଲା ମୋ ଗଳାରେ, ଅଧା ଘଣ୍ଟା ଯାଏ କଷ୍ଟ ପାଇଲି, କଣ୍ଟାଟି ଭିତରକୁ ଯାଉଥିଲା, ନା ବାହାରକୁ ଦେବାଶିଷ ଡାକ୍ତର ଥିଲେ, ଫୋରସେଫ୍ ନେଇ ଆସି ମୋ ଗଳାରେ ଫସିଥିବା କଣ୍ଟାକୁ ବାହାର କଲେ। ତୁ ଏତେ ଡର କୋଳା ଥିଲୁ ଯେ ଲୁଚି ଗଲୁ ରୁମ ଭିତରେ। ମାଛ କଣ୍ଟା ଟନସିଲ ପାଖରେ ଫସିଥିଲା। କଣ୍ଟା ଟିକୁ ବାହାର କରିବା ପାଇଁ ଦଶ ମିନିଟ ଲାଗିଥିଲା ଦେବାଶିଷ ବାବୁଙ୍କୁ।

 

କଣ୍ଟା ବାହାରି ଯିବା ପରେ ମୋ ଗଳାରେ ଆଉଁସି ଦେଲେ ସେ, ଶିହରଣ ରେ ମରି ଯାଉଥିଲି ମୁଁ ନିର୍ଜଳା। ଅଜଣା ଯୁବକର ସ୍ପର୍ଶ ମୋତେ ମତୁଆଲା କରିଦେଲା କିଛି ମୁହୂର୍ତ୍ତ ପାଇଁ। ଫଗୁଣ ର ଦହନୀୟ ଗନ୍ଧହୀନ ଶେଫାଳୀ ବି ମହକୁ ଥିଲା ମୋ ଭିତରେ। ଫଗୁଣ ଫଗୁ ପରି ଶୀତଳ ଥିଲା ସେ ସ୍ପର୍ଶ। ହାତ ପା'ନ୍ତା ରେ ସ୍ବର୍ଗ ପରି ଗୋଟେ ଅଦ୍ଭୁତ ଅସ୍ତିତ୍ବ, ମୋତେ ପାଗଳ କରି ଦେଲା ନିର୍ଜଳା।

ତୁ ମାଉସୀଙ୍କ ସଙ୍ଗେ ଗପୁଥିଲୁ, ଦେବାଶିଷ ପଶିଆସିଲେ ମୁଁ ଶୋଇଥିବା ରୁମ୍ ଭିତରକୁ।

କହିଲେ ତମ ନାଁ ଅର୍ପିତା ! ହଁ କେତେ ଥର ନିର୍ଜଳା ପାଖରୁ ଶୁଣିଛି ତମ କଥା। ବହୁତ କଷ୍ଟ ପାଇଲ ନା ଆଜି। ନିଅ, ନାଇସ ଟାବ ଲେଟ୍ ଟି ଖାଇ ଦିଅ। ଯନ୍ତ୍ରଣା କମିଯିବ କହି ବାହାରିଗଲେ ରୁମ ଭିତରୁ। ଭାରି ଲାଜକୁଳା ଥିଲେ ସେ।

ମୋ ହୃଦୟ ଦୁର୍ବଳ ଥିଲା ନିର୍ଜଳା। ମନ ପ୍ରାଣ ଦେଇ ବସିଲି ଦେବାଶିଷ ବାବୁଙ୍କୁ। ସୋ କେଆରିଂ... ପ୍ରଶାନ୍ତ ମହାସାଗର ଠୁ ବି ଅଧିକ ପ୍ରଶସ୍ତ ହୋଇଗଲା ମୋ ହୃଦୟର ସୀମା ରେଖା ତାଙ୍କ ପାଇଁ। ଗୋଟେ ଅଦିନିଆ ସାମୁଦ୍ରିକ ଝଡ ମୋ ମନକୁ କାବୁ କରିବା ଆଗରୁ ମୁଁ ବୁଝିଗଲି ସମୁଦ୍ର ର ଉଚ୍ଛୃଙ୍ଖଳ ଲହଡ଼ି ର ଅନ୍ୟ ନାମ ପ୍ରେମ ହିଁ ପ୍ରେମ। ପ୍ରତି ମୁହୂର୍ତ୍ତରେ ବେଳା ଭୂଇଁକୁ ଆନମନା କରେ। ବେଳାଭୂଇଁ କୁ କ୍ଷତ ବିକ୍ଷତ କରି ଫେରିଯାଏ ଦୂର ଦିଗବଳୟ ପର୍ଯ୍ୟନ୍ତ। ମୋ ଅବସ୍ଥା ଠିକ୍ ସେମିତି, ମୁଁ କ୍ଷତ ବିକ୍ଷତ ହୋଇଗଲି।


ଖାଲି ସେତିକି ନୁହଁ, ତୁ କଲେଜ ଯାଇ ଥାଉ। ଅଚାନକ ଫୋନ୍ ଆସେ। ଥରେ ନୁହଁ, କେତେ ଥର। ବୋଉ ଫୋନ ଉଠାଏ। କିଛି ବୁଝି ପାରେନି। ମୁଁ ଦୌଡ଼ି ଯାଏ ଫୋନ ଧରେ, ପଚାରନ୍ତି ଗଳାରେ ଆଉ ଦରଦ ନାହିଁ ତ ! ମୁଁ ଲାଜେଇ ଯାଇ କହେ, so kind of you. 

ମୁଁ ତୁମକୁ ଭଲ ପାଏ ବୋଲି କହିବା ସମ୍ଭବ ହେଲାନି ନିର୍ଜଳା, କାରଣ ତତେ ମୋର ଭାରି ଭୟ ଥିଲା। ତୁ ବି ମାେ ଠାରୁ ଅଧିକ ଭଲ ପାଉ ଦେବାଶିଷ ବାବୁଙ୍କୁ। ଦେବାଶିଷ ବାବୁଙ୍କ ଉପରେ ତ ଅଧିକାର ମୋ ଠାରୁ ବେଶୀ...

ଗୋଟାଏ କଥା କହିବି , ରାଗିବୁନି। ତୋ କେମିଷ୍ଟ୍ରି ଠାରୁ ମୋ କେମିଷ୍ଟ୍ରି ବେଶୀ ଫିଟ୍ ଥିଲା ଦେବାଶିଷ ବାବୁଙ୍କ ସହିତ।

ଥରେ ସେ ତୋତେ ଫୋନରେ ଖୋଜୁଥିଲେ, ବୋଉ ଉଠାଇଲା ଫୋନ୍। କହିଲା ନିର୍ଜଳା ଘରେ ନାହିଁ, ବୁଝି ପାରିଲି ଦେବାଶିଷ ବାବୁଙ୍କ ଫୋନ ବୋଲି। ବୋଉ ପାଖରୁ ଫୋନ ଛଡେଇ ପଚାରିଲି କିଏ ! ସେ ଖାଲି ଏତିକି କହିଲେ ଅର୍ପିତା ! ତମେ ବି ନିର୍ଜଳା ପରି ଗୋଟାଏ ଚାଉଳରେ ଗଢା କଣ୍ଢେଇ ଟିଏ !

ଫୋନ୍ ଖସି ଗଲା ମୋ ହାତରୁ। ପୃଥିବୀ ମୋ ପାଦ ତଳୁ ଯାଇ ସାରିଥିଲା ଅନେକ ତଳକୁ। ବହୁତ୍ କଷ୍ଟ କରି ଫେରି ପାଇଲି ମୋ ନିତିଦିନିଆ ପୃଥିବୀକୁ। ସେଇ ଦିନଟି ଥିଲା ମାେ ଜୀବନର ସର୍ବଶ୍ରେଷ୍ଠ ଦିନ। କାହିଁକି କେଜାଣି ଗୋଛାଏ ରଜନୀଗନ୍ଧା ନେଇ ବେଣୀରେ ବାନ୍ଧିଲି। ମନ କଣ ଆଉ ପୃଥିବୀରେ ଥିଲା, ପରୀ ରାଇଜ ରେ ଯାଇ ବୁଲୁଥିଲା ଅମାନିଆ ପ୍ରଜାପତି ଟିଏ ହୋଇ। ନାଲି ନାଲି କୃଷ୍ଣଚୂଡ଼ା ଲଦି ହୋଇଗଲେ ଧରା ପୃଷ୍ଠରେ। ସମୟ ବେହୋସ୍ ହୋଇ ଉଠିଲା କିଛି ମୁହୂର୍ତ୍ତ ପାଇଁ।

ଆକାଶ ଲାଜେଇ ଯାଇ ଲୋଟି ଯାଉଥିଲା ପୃଥିବୀ ର ଉଷ୍ମ କୋଳରେ। ଆଉ ନିୟନ୍ତ୍ରଣ କରିବା ସମ୍ଭବ ହେଲାନି। ମୁଁ ଭଲ ପାଇ ବସିଲି ତୋ ଦେବାଶିଷ ବାବୁଙ୍କୁ..


ମନେ ଥିବ, ଥରେ ତୋ ରୁମ ଭିତରକୁ ପଶି ଆସି କହିଲି ନିର୍ଜଳା ! ଗୋଟେ କଥା କହିବି, ମୋ ମୁହଁରୁ ତୁ କଥା ଛଡି ନେଇ କହିଲୁ ଦିଦି ନିଶ୍ଚୟ ଶୁଣିବି, ପ୍ରଥମେ ମୋ କଥା ଶୁଣ ! ଦେଖ ଏ ନାକ ଫୁଲ କୁ। ଦେବାଶିଷ ଦେଇଛନ୍ତି। ବହୁତ ଭଲ ହୋଇଛି କହି ତୋ ମନ ରଖିଲି। ତା ପରେ ମୋ ପାଖରେ କଣ ବଞ୍ଚିଥିଲା ଯେ ଆଉ କହିବାକୁ...ତକିଆରେ ମୁହଁ ଜାକି ସାରା ରାତି ଅନେକ କାନ୍ଦିଲି।

ତା ପରଦିନ, ଆମ ଡାଇନିଂ ଟେବୁଲ ଉପରେ ନିର୍ଜଳା Weds ଦେବାଶିଷ କାର୍ଡ ଦେଖିବା ପରେ ମୁଁ ମୋ ସହିତ ସାଲିସ କରି ନେଲି କିଛି ଅଘଟଣ ଘଟିବା ଆଗରୁ, ଯେତେ ଯାହା ହେଲେବି ତୁ ମୋ ସାନ ଭଉଣୀ, ତୋ ଆଗରେ ବାଧା ସୃଷ୍ଟି କରିବା ପାଇଁ ଜମାରୁ ଇଚ୍ଛା ହେଲାନି। ଆଉ ଏମିତି ଦେବାଶିଷ କଣ ଗୋଟାଏ ହାଟ କିଣା କୋମୋଡିଟି ଯେ ଅଧା ଅଧା ଭାଗ ହୋଇ ପାରିଥାଆନ୍ତା।

ଭାବିଲି ସାରା ଜୀବନ......."


ଚିଠି ଅସମ୍ପୂର୍ଣ୍ଣ ଥିଲା, ନିର୍ଜଳା କୁ କେବେ ଦେବା ପାଇଁ ସାହାସ କରି ନ ଥିଲେ ଅର୍ପିତା, ଭୁଲି ବି ଯାଇଥିଲେ ଚିଠି ଟିକୁ ନଷ୍ଟ କରି ଦେବା ପାଇଁ ବୋଧହୁଏ।

ମନ କଥା ମନରେ ହିଁ ମରିଯାଏ। ସ୍ୱାଭିମାନ କୁ ମନର ପରିସୀମାରେ ଆବଦ୍ଧ କରି ରଖିହୁଏ। ଠିକ ତାହା ହିଁ ହେଲା। କ୍ଷତ ଵିକ୍ଷତ ହୋଇ ବି ନିଜକୁ ସମ୍ଭାଳି ରଖିଥିଲେ । ସାନ ଭଉଣୀର ଜୀବନରେ ଝଡଟିଏ ନ ଆସୁ। ମାନସିକ ତାଡ଼ନାରେ ଜର୍ଜରିତ ନ ହେଉ ସେ। ଡରି ଯାଇ ବୋଧ ହୁଏ ଅଧାରୁ ଲେଖା ବନ୍ଦ କରି ଦେଇଥିଲେ ଅର୍ପିତା।


ଏ ପରିଣତ ବୟସରେ ଏ ସବୁ ହଜମ କରିବା ସମ୍ଭବ ନୁହେଁ । କିଏ ଜାଣିଛି, ସମୟର ଆଢୁଆଳରେ କେତେ କଣ ଛୁପିଥାଏ ! ଦେବାଶିଷ ବାବୁ ବିବ୍ରତ ହୋଇ ପଡିଲେ, ତାଙ୍କ ଅଜାଣତରେ କିଏ ତାଙ୍କୁ ମନ ଦେଇ ବସିଥିଲା, ସଡାଶବ୍ଦ ବି ପାଇଲେନି। ମାଛ କଣ୍ଟା ଘଟଣାଟି ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ ସେ। ମନେ ମନେ ଭାବୁଥିଲେ, ଝିଅ ମାନଙ୍କ ହୃଦୟ କଣ ଏତେ ଦୁର୍ବଳ, ଛୋଟ ଛୋଟ କଥାରେ ତରଳି ଯାଆନ୍ତି।


-ହଁ, ଏବେ ବୁଝିଲ ତ ଦିଦି କାହିଁକି ସାରା ଜୀବନ ଅବିବାହିତ ଥିଲା !! ନିର୍ଜଳା କହିଲେ।

ଦୁଇ ଟୋପା ଲୁହ ଖସି ଆସିଲା ଦେବାଶିଷ ବାବୁଙ୍କ ଆଖିରୁ । ନିର୍ଜଳା ଓ ଦେବାଶିଷ ବାବୁ ଅନ୍ୟ ମନସ୍କ ହୋଇ କିଛି ଖୋଜୁଥିଲେ ଶୂନ୍ୟ ଆକାଶ ଭିତରେ..


Rate this content
Log in

Similar oriya story from Romance