T.Durga Prasad Rao

Romance

1.8  

T.Durga Prasad Rao

Romance

ଲିଫ୍ଟ୍ ପ୍ଳିଜ୍

ଲିଫ୍ଟ୍ ପ୍ଳିଜ୍

3 mins
615



ତରୁଣ ଆଜି ଭାରି ଖୁସି। ଧୁଆ ପୋଛା ପରେ ବାଇକ୍.ଟି ତାର ଚିକ୍ ଚିକ୍ ଦିଶୁଛି। ନିଜେ ମଧ୍ୟ ଦାଢ଼ୀ କାଟି କଲାର୍ ବିହୀନ ଟି’ ସାର୍ଟଟିଏ ଗଳେଇଛି। ତା ସାଙ୍ଗକୁ ଜିନ୍ ପ୍ୟାଣ୍ଟ୍ ମଧ୍ୟ। ପାରୁଲ୍ ଫେରୁଛି। ତା ଆପଣାର ପାରୁଲ୍। ତା କ୍ଳାସ୍ ମେଟ୍, ତାର ଗାର୍ଲ ଫ୍ରେଣ୍ଡ୍। ଏ ଗାର୍ଲ୍ ହୁ ଇଜ୍ ଫ୍ରେଣ୍ଡ୍। ସେ ମଧ୍ୟ ବିଶ୍ୱାସ କରୁଥିଲା। ନହେଲେ ଗାର୍ଲ୍ ଫ୍ରେଣ୍ଡ୍ ଆଉ କାହାକୁ କହନ୍ତି ଯେ? ଥୋକେ ଈର୍ଷା କରୁଥିଲେ। ଥୋକେ ଥଟ୍ଟା କରୁଥିଲେ। ତରୁଣ ଆଉ ପାରୁଲ୍.ର କିନ୍ତୁ ବନ୍ଧୁତ୍ୱରେ କିଛି ପ୍ରଭାବ ପଡ଼ି ନ ଥିଲା। ତରୁଣ ଯେତେବେଳେ କ୍ଳାସ୍ ସରିଲା ପରେ ସାଇକେଲ୍ ପାଖକୁ ଆସେ, ପାରୁଲ୍ କେଉଁଠି ଥାଏ ଦୌଡ଼ି ଆସି କହେ, ଲିଫ୍ଟ୍ ପ୍ଳିଜ୍। ସ୍କୁଲ୍ ଠାରୁ ଘର ତାଙ୍କର ପ୍ରାୟ ମାଇଲିଏ ହେବ। ଗଲା ବେଳେ ପାରୁଲ୍ ତାର ଝିଅ ସାଙ୍ଗଙ୍କ ସହ ଚାଲି ଚାଲି ଯାଏ ସ୍କୁଲ୍। କିନ୍ତୁ ଫେରିବା ସମୟରେ ଘରେ ଜଲ୍.ଦି ପହଞ୍ଚିବାର ମୋହରେ ହେଉ କି ଭୋକ କାରଣରୁ ହେଉ ପ୍ରାୟ ସମୟ ତରୁଣର ସାଇକେଲ୍.ର ଆଗରେ ବସି ଘରକୁ ଫେରେ।

ଏକା ଥିଲା ବେଳେ ତରୁଣର ସାଇକେଲ୍ ପାଏଁ ପାଏଁ ଉଡ଼େ। ଘରେ ପହଞ୍ଚିବାକୁ ତାକୁ ମାତ୍ର ପାଞ୍ଚ ସାତ ମିନିଟ୍ ସମୟ ଲାଗେ। ହେଲେ ପାରୁଲ୍ ବସିଥିଲେ ସାଇକେଲ୍.ର ଚକ ଜମା ଗଡ଼େନା। ପାରୁଲ୍.ର ଅଧିକରୁ ଅଧିକ ସାନ୍ନିଧ୍ୟ ଆଶାରେ ବାଟରେ ବାରମ୍ବାର ତାର ଚେନ୍ ଖସୁଥାଏ। ସେଇ ପାରୁଲ୍ ଫେରୁଛି ଦୀର୍ଘ ବାର ବର୍ଷ ପରେ।


ପାରୁଲ୍.ର ବାପା ତାଙ୍କରି ଗାଁର ପ୍ରାଥମିକ ସ୍କୁଲ ଶିକ୍ଷକ। ପାରୁଲ୍ ଆଉ ତରୁଣର ଯେତେବେଳେ ମ୍ୟାଟ୍ରିକ୍ ସେଇ ସମୟରେ ତାଙ୍କର ଅନ୍ୟତ୍ର ବଦଳି ହୋଇଗଲା। ଯିବା ପୂର୍ବରୁ ପାରୁଲ୍ କଥା ଦେଇଥିଲା ଦୁହେଁ ଦେଖାହେବେ ଖୁବ୍ ଶୀଘ୍ର। ଆଜି ସେ ଦିନ ଆସିଛି। ପାରୁଲ୍ ଫେରୁଛି ତା ଗାଁକୁ ଲାଗି ସହରକୁ। ସେଇ ସହର ଯେଉଁଠି ସେମାନେ ଏକତ୍ର ପଢ଼ିଛନ୍ତି ହାଇସ୍କୁଲ୍। ସେଇ ସହର ଯେଉଁଠି ସେମାନଙ୍କର କୈଶୋରର ଅଧିକାଂଶ ସମୟ କଟିଛି। ସେଇ ସହର ଯାହାର କାନ୍ଥବାଡ଼, ପାଣି ପବନ ଆଜି ବି ସେମାନଙ୍କ ବନ୍ଧୁତ୍ୱର ଦ୍ୱାହି ଦେଇ ଟାଣି ନେଉଛି ପ୍ରତିଦିନ ତରୁଣକୁ।


ବାପାଙ୍କ ସ୍ୱର୍ଗବାସ ପରେ ତରୁଣର ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ପାରୁଲ୍.ର ସ୍ମୃତିର ସହରରେ ତରୁଣ ଖୋଲିଛି ମୋବାଇଲ୍ ସ୍ପେର୍ ପାର୍ଟ୍ସ୍ ଦୋକାନଟିଏ। ଚଳି ଯାଉଛି ମାଆ ପୁଅଙ୍କ ପରିବାର। ତରୁଣର ଆଶାୟୀ ମନ ଚାହିଁ ରହିଛି ପାରୁଲ୍.ର ଫେରନ୍ତା ବାଟକୁ। ଫେରିବ ତାର ପାରୁଲ୍। ନିଶ୍ଚୟ ଫେରିବ। ପ୍ରତି ଗ୍ରାହକ ମଧ୍ୟରେ ସେ ପାରୁଲ୍.କୁ ଖୋଜେ। ପ୍ରତି ମୋବାଇଲ୍.ର ଇମେଜ୍ ଫୋଲ୍ଜର୍.ରେ ପାରୁଲ୍.କୁ ଖୋଜେ। ତାର ମନେ ହୁଏ ଛାପି ଦିଅନ୍ତା କି ପ୍ରତି ମୋବାଇଲ୍.ର ବ୍ୟାକ୍ କଭରରେ ପାରୁଲ୍.ର ପ୍ରତିଛବି ନିଜ ହୃଦୟରୁ ଉତ୍ତାରି। ପ୍ରତି ମୋବାଇଲ୍.ର ୱାଲ୍.ପେପରକୁ ଭରିଦିଅନ୍ତା ପାରୁଲ୍.ର ପ୍ରତିଛବିରେ। ଫେରୁଛି ପାରୁଲ୍ ଦୀର୍ଘ ବାର ବର୍ଷ ପରେ।

ତରୁଣର ସ୍ପ୍ଳେଣ୍ଡର୍ ଗାଡ଼ିଟି ଗଡ଼ି ଚାଲିଛି ପାଏଁ ପାଏଁ ଷ୍ଟେସନ୍ ଆଡ଼କୁ। ଫେରୁଛି ପାରୁଲ୍ ପଢ଼ା ସାରି ଏକ ସରକାରୀ କର୍ମଚାରୀ ହିସାବରେ ତାରି ସହରକୁ। ପାରୁଲ୍ ଏ ସବ୍-ଡିଭିଜନ୍.ର ସବ୍ କଲେକ୍ଟର୍ ଭାବରେ ଯୋଗଦାନ କରୁଛି। ନିଜ କଥା ରଖିଛି ପାରୁଲ୍।


ଟ୍ରେନ୍ ପହଞ୍ଚିଛି ଷ୍ଟେସନ୍ ପ୍ଳାଟ୍ ଫର୍ମରେ। ଭିଡ଼ ଭିତରେ କିଛି ସୁଟ୍ ପ୍ୟାଣ୍ଟ୍ ପରିହିତ ଲୋକ ଠିଆ ହୋଇଛନ୍ତି ପାରୁଲ୍.କୁ ପାଛୋଟି ନେବାକୁ। ଲମ୍ବା ଗାଡ଼ିଟିଏ ଅପେକ୍ଷା କରି ରହିଛି ଷ୍ଟେସନ୍ ବାହାରେ। ଭିଡ଼ ଭିତରେ ତରୁଣ ଆଖିରେ ପଡ଼ୁନାହିଁ। ତା ସ୍ପ୍ଳେଣ୍ଡର୍ ଗାଡ଼ିଟି ଛୋଟ ବଡ଼ କାର୍ ଓ ଏସ୍.ୟୁ.ଭି ଆଗରେ ଅତିବ ନ୍ୟୁନ ଦିଶୁଛି। ତରୁଣର ଦୈନ୍ୟତା ତରୁଣର ଆଖିକୁ ଆଜି ସ୍ପଷ୍ଟ ଦେଖାଯାଉଛି। ପାରୁଲ୍ ଫେରୁଛି। ଷ୍ଟେସନ୍.ରୁ ବାହାରି ପାରୁଲ୍ ଚାରି ଆଡ଼କୁ ଆଖି ବୁଲେଇ ଧୀରେ ଧୀରେ ଅଗ୍ରସର ହେଉଛି ସେଇ ଲମ୍ବା କାର୍ ଆଡ଼କୁ। ତରୁଣ ହଜି ହଜି ଯାଉଛି ଭିଡ଼ ଭିତରେ, ନିଜ ଭିତରେ। ଅନ୍ୟମନସ୍କ ଭାବରେ ଗାଡ଼ି ବୁଲେଇ କିକ୍ ଷ୍ଟାର୍ଟ୍ ମାରିଲା ତରୁଣ।

- ଏକ୍ସକ୍ୟୁଉଜ୍ ମି। ଏକ ମଧୁର କଣ୍ଠର ସମ୍ମୋହନରେ ତରୁଣ ପଛକୁ ଚାହିଁଲା।

- ଲିଫ୍ଟ୍ ପ୍ଳିଜ୍? ଠିକ୍ ତା ବାଇକ୍.ର ପଛସିଟ୍.ର ଡାହାଣ ପାଖରେ ଠିଆ ହୋଇଛି ପାରୁଲ୍।

 



Rate this content
Log in

Similar oriya story from Romance