ଲଭ୍ ଷ୍ଟୋରୀ ୦୬
ଲଭ୍ ଷ୍ଟୋରୀ ୦୬
ଚୁପଚାପ୍ ଶୋଇଛି ସିଏ । ତାର ଦୁଇ ଢଳଢଳ ହରିଣୀ ଆଖି ଏବେ ନିଦ୍ରା କବଳିତ । କାହିଁକି କେଜାଣି ଆଜି ଖୁବ୍ ସୁନ୍ଦର ଦିଶୁଛି ସିଏ ମୋ ଆଖିରେ । ବିବାହର ସାତ ବର୍ଷ ବିତିଯିବାପରେ ବି କାହିଁ କେବେହେଲେତ ମୋ ଆଖି ତାର ଏପରି ସୌନ୍ଦର୍ଯ୍ୟ କୁ ଦେଖିବାର ସୁଯୋଗ ପାଇ ପାରିନଥିଲା ! ନା ! ସୁଯୋଗ ନୁହେଁ ବୋଧହୁଏ ମୁଁ କେବେ ଦେଖିବାକୁ ଚେଷ୍ଟା କରିନଥିଲି । ଆଜି ତାର ସେହି ବନ୍ଦ ଆଖି ଯୋଡିକୁ ଚାହିଁରହିଛି ମୁଁ ଏକଲୟରେ । ଇଚ୍ଛା ହେଉଛି ଏରାତିଟା ଆଜି ଆଉ ନପାହନ୍ତା କି । କାହିଁକି ଏମିତି ଲାଗୁଛି ମୋତେ ? ମନଟା ଭାରି ଅସ୍ଥିର ଆଉ ବ୍ୟାକୁଳ ହୋଇଉଠୁଛି । ଏଇଟା ଆଉ ପ୍ରେମ ନୁହେଁତ ? ନା ! ମୋ ଦେଇତ ପ୍ରେମ ଆଦୌ ସମ୍ଭବ ନୁହେଁ ! ଲୋକେତ କୁହନ୍ତି ମୋ ହୃଦୟଟା ଗୋଟିଏ ଶୁଖିଲା କାଠ । ସେଇଥିପାଇଁ ଏପ୍ରେମ ଶବ୍ଦଟା ମୋ ପରିଧିରୁ ଅନେକଦୂରରେ । କେବେ ଶୁଖିଲା କାଠକୁ ଚିପୁଡିଲେ କଣ ପାଣି ବାହାରେ !କିନ୍ତୁ ଆଜି ଏ ଶୁଖିଲା କାଠଟା ପ୍ରେମରସରେ ଭିଜିଗଲାପରି ଲାଗୁଛି ! ଜୀବନର ପଇଁତିରିଶିଟି ବସନ୍ତ ଆଜି ଅତିକ୍ରାନ୍ତ । ଅପେକ୍ଷା ଥିଲା ପ୍ରେମବସନ୍ତକୁ । ଆଜି ଆଉ ସେହି ପ୍ରେମବସନ୍ତଟା ମୋତେ ସ୍ପର୍ଶକରୁନାହିଁତ ! କେଉଁଏକ ବସନ୍ତର ମଳୟ ସ୍ପର୍ଶରେ ଯେପରି ଚନ୍ଦନବୃକ୍ଷ ଭିତରୁ ହଠାତ୍ ଛୁଟିଆସିଥାଏ ଚନ୍ଦନର ମହମହ ବାସ୍ନା ଆଉ ଖେଳିଯାଏ ସମଗ୍ର ଅରଣ୍ୟରେ ଠିକ୍ ସେହିପରି ବୋଧହୁଏ ଆଜି ପ୍ରେମବସନ୍ତର ସ୍ପର୍ଶରେ ପରିବେଶରେ ଖେଳିଯାଉଛି ପ୍ରେମର ବାସ୍ନା । ଏପ୍ରେମରେତ ପ୍ରଣୟର ଆବେଗନାହିଁ ! ମୁଁ ଆଜି ବୋଧହୁଏ ପ୍ରେମର ଏକ ନୂତନ ସଂଜ୍ଞାକୁ ଆବିଷ୍କାର କରୁଛି । ଏକ ପ୍ରେମ ଯେଉଁଥିରେ ପ୍ରଣୟମିଳନର ଆବେଗ ନାହିଁ ; ମିଳନର ବ୍ୟାକୁଳତା ନାହିଁ କିନ୍ତୁ ହରାଇଦେବାର ଏକ ଅଜଣା ଭୀତିସଞ୍ଚାର ହେଉଛି ମନରେ । ତେବେ କଣ ଏଇ ସେଇ ପ୍ରେମ ଯାହାର ଅନୁଭବି ଥିଲେ ଗୋପୀମାନେ ! ଅଦ୍ଭୁତ ଏଅନୁଭବ । ସବୁଦିନ ରାତିରେ ମୋତେ ଚୁପଚାପ୍ ଚାହିଁରହିଥିବା ତାର ଏହି ହରିଣୀ ଆଖି ଯୋଡିକୁ ଆଜି ଅପଲକ ନୟନରେ ଚାହିଁରହିଛି ମୁଁ । ଆଜି ମୋ ଆଖିରେ ନା ଅଛି କ୍ଳାନ୍ତିର ଚିହ୍ନ ନା ଅନିଚ୍ଛାର । ଆଜି ଜୀବନରେ ପ୍ରଥମଥର ମୋ ଆଖିରେ ଖେଳିଯାଉଛି ଏକ ଅପୂର୍ବ ଚମକ । ହାତ ମୋର ବାରମ୍ବାର ଚାଲିଯାଉଛି ତାର ସରଳ ନିଷ୍କପଟ ମୁହଁକୁ ଟିକିଏ ସ୍ପର୍ଶ କରିବାକୁ , ତାର ଅସ୍ତବ୍ୟସ୍ତ କେଶରାଶି କୁ ଟିକିଏ ସାଉଁଳି ଦେବାକୁ । କିନ୍ତୁ ମୋ ଆଖି ତାକୁ ଅନୁମତି ଦେଉନାହିଁ । ସେ ଚାହୁଁଛି ଦେଖୁଥିବ ତାକୁ ସମୟର ଶେଷପ୍ରାନ୍ତ ପର୍ଯ୍ୟନ୍ତ । ବହୁଦିନ ପରେତ ଆଜି ପ୍ରଥମ ସୁଯୋଗ ମିଳିଛି ଏଅନୁଭବର । କିଏଜାଣେ ସମୟର ଲୁଚକାଳି ଖେଳକୁ । ତେଣୁ ମନ ଚାହୁଁଛି ସେ ଏମିତି ଶୋଇଥାଉ ଆଉ ମୁଁ ଏମିତି ଜଗିଥାଏ ତାକୁ ତାର ମୁଦ୍ରିତ ଆଖିଯୋଡିକ ଖୋଲିବା ପର୍ଯ୍ୟନ୍ତ । ମନରେ ଭୟଟା ରହିରହି ଆସୁଛି । କାଳେ ସେ ଉଠିପଡିବ ଆଉ ମୁଁ ହୋଇପଡିବି ଏଇ ଅଦ୍ଭୁତ ଅନୁଭବରୁ ବଞ୍ଚିତ ।
ଅନେକ ସମୟପରେ ହଠାତ୍ ମନଟା ହୋଇଉଠିଛି ବିବ୍ରତ । ମନେପଡିଗଲା ଡାକ୍ତର ବାବୁଙ୍କ କଥା । କହୁଥିଲେ ଭଗବାନଙ୍କୁ ଡାକ । କାଲି ରିପୋର୍ଟ ଟା ଯେମିତି ପେସେଣ୍ଟର ଫେବର ରେ ଆସୁ । ହୃଦୟରେ ମୋର ଖେଳିଯାଉଛି ଏକ ଅଦ୍ଭୁତ ଶୂନ୍ୟତା । ଇଚ୍ଛା ହେଉଛି କାନ୍ଦିକାନ୍ଦି ପ୍ରଭୂକୁଂ ନିଜର ଗୁହାରୀ ଜଣାଇବାକୁ । ହେଲେ ଭୟଲାଗୁଛି କାଳେ ସିଏ ଉଠିପଡିବ ଆଉ ଦେଖିନେବ ମୋର କାନ୍ଦୁରା ମୁହଁଟା । ପଚାରିବସିବ ପ୍ରଶ୍ନପରେ ପ୍ରଶ୍ନ । ଆଉ ତାର ପ୍ରତ୍ୟେକଟି ପ୍ରଶ୍ନରେ ମୁଁ ପାଲଟିଯିବି ମହାଭାରତର ପିତାମହ । ନା ମୁଁ କାନ୍ଦିପାରିବିନି । ଛାତିଟା ଆଜି ଫାଟିଗଲେବି ମୋତେ କୋହକୁ ତାଭିତରେ ସମାଧି ଦେବାକୁ ହିଁ ପଡିବ । ବୋଧହୁଏ ବିବଶତାର ଅନ୍ୟ ନାମ ଭଗବାନ । ମନକୁ ତାଙ୍କରି ଚରଣରେ ସମର୍ପିଦେବାକୁ ପଡିବ । କେମିତି ପ୍ରଭୂ ତୁମେ ଏତେ ନିଷ୍ଠୁର ହୋଇଯାଇପାର ! ଆଜିତ ତୁମେ ମୋତେ ପ୍ରେମର ପ୍ରଥମ ପଦଟା ଶିଖାଇଲ । ଆଉ ଆଜି ହିଁ କରୁଛ ପରୀକ୍ଷା ! ତୁମର ଏ ଅବୋଧ ଛାତ୍ରଟା ଆଜି ପରୀକ୍ଷା ପାଇଁ ଆଦୌ ପ୍ରସ୍ତୁତ ନୁହେଁ ପ୍ରଭୂ । ଏଭଳି ମୋର ଆଉ ପରୀକ୍ଷା ନିଅନି । ଇଚ୍ଛାହେଉଛି ଖୁବ୍ ଜୋରରେ ଚିତ୍କାର କରି କାନ୍ଦିବାପାଇଁ । ଇଚ୍ଛା ହେଉଛି ତାକୁ କୁଣ୍ଢାଇଧରି କହିବାକୁ ଯେ ମୁଁ ତୁମକୁ ବହୁତ ଭଲପାଏ । ତୁମ ବିନା ମୋର ବଞ୍ଚିବା ମୃତ୍ୟୁଠାରୁ କିଛି କମ୍ ନୁହେଁ । ତୁମ ବିନା ଯିଏ ପାଦଟେ ଚାଲିପାରୁନି ସିଏ କେମିତି ଚାଲିବ ଜୀବନର ବାଟ । ହେ ପ୍ରଭୂ ତୁମେ ହିଁ ପାଲଟିଯାଅ ତା ନିମନ୍ତେ ଆସନ୍ତା କାଲିପାଇଁ ଆଶାର ଭାସ୍କର । ନଚେତ୍ ବ୍ୟବସ୍ଥା କରିଦିଅ ଗୋଟିଏ କୋକେଇରେ ତିନୋଟି ଶବର । ଏତିକିବେଳେ ନିଦୁଆ ଆଖିରେ ତାର ଅଳସ ଭାଙ୍ଗି ସେ ପଚାରୁଛି କଣ ମୋତେ କିଛି ପଚାରୁଥିଲ? ମୋତେ ଲାଗିଲା ଯେପରି ତୁମେ ମୋତେ ଡାକି କିଛି କହିଲ । ନା ମୁଁତ କିଛି ପଚାରିନି କହିଚୁପ ରହିଗଲି ମୁଁ । ଆଉ ପୁଣି ଚାଲିଗଲା ସିଏ ନିଦରାଇଜ କୁ । ମୋ ଆଖିରେ ଥିବା ପ୍ରେମରସଟା ଯେମିତି ଜଗିରହିଥିଲା ତାର ବନ୍ଦ ଆଖିକୁ । ଅବିଳମ୍ବେ ଲମ୍ଫପ୍ରଦାନ କରି ଖସିପଡୁଥିଲା ମୋ ହାତ ଉପରେ ଥିବା ତା ହାତର ପାପୁଲି ଉପରେ । କିନ୍ତୁ ତା ପାପୁଲିକୁ ସ୍ପର୍ଶ କରିବା ପୂର୍ବରୁ ମୋ ଅଜାଣତରେ ମୋର ବାମହାତର ପାପୁଲିଟା ପଥରୋଧ କରିଦେଇଥିଲା ତାର ଆଉ ମୁଁ ପୁଣି ଖୋଜିବୁଲୁଛି ତା ମୁହଁରେ ହଜାଇଦେଇଥିବା ପ୍ରେମକୁ ॥