The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jyotiranjan Sahu

Romance Inspirational

5.0  

Jyotiranjan Sahu

Romance Inspirational

ଲଭ୍ ଷ୍ଟୋରୀ ୦୧( ଟିକିଏ ନିଆରା )

ଲଭ୍ ଷ୍ଟୋରୀ ୦୧( ଟିକିଏ ନିଆରା )

6 mins
511



ହାଡଭଙ୍ଗା ଶୀତୁଆ ସକାଳ ଟାରେ ପୁରୁଣା କୋଟ ଟିଏ ପିନ୍ଧିଦେଇ ନିଧିଜେଜେ ତରତର ହୋଇ ମାଡିଯାଉଥାନ୍ତି ଗେଡୁ ଫୁଲବାଲା ଦୋକାନକୁ। ସେହି ବାଟରେ ପଡେ ଆମ ସକାଳିଆ ଚା ଖଟିଟା। ମଧୁ ଚା ଖଟି ନାଁ ରେ ଭାରି ଫେମସ୍। ମୁଁ ମଧ୍ୟ ଜଣେ ମେମ୍ବର ସେ ଖଟିର। ହଠାତ୍ ଖଟିର ଜଣେ ଡାକ ମାରିଲା"ହୋ ଜେଜେ ! ଏତେ ସକାଳୁ କେଉଁଆଡେ?" ଜେଜେ ମୁରୁକି ହସଟେ ଦେଇ ଗେଡୁ ଦୋକାନ ପଟକୁ ଆଙ୍ଗୁଠି ଦେଖାଇଦେଲେ। ସଂଗେସଂଗେ ବାବି ପଚାରି ବସିଲା" କଣ ଜେଜେ ବୁଢାକାଳେ ପ୍ରେମ ଫ୍ରେମ କରିପକାଇଲ ନା କଣ? ହସହସ ମୁହଁରେ ନିଧିଜେଜେ କହିଲେ"ଆସୁଛି ଆସୁଛି ଫୁଲ ନେଇକି। ମୋ ପାଇଁ ଗୋଟିଏ ଗରମାଗରମ ମଲେଇ ମାର୍କା ଚା ଟେ ମଗାଇଥାଅ"। ଏହା ଭିତରେ ଆମ ଭିତରୁ କେହିଜଣେ ଥଟ୍ଟାରେ କହିଦେଲା" କଣା ଜେଜେର ପ୍ରେମ ଲୀଳା"। ଜେଜେ ନଶୁଣିଲା ପରି ଚାଲିଗଲେ। କିଛି ସମୟ ପରେ ହାତରେ ଦୁଇଟି ରକ୍ତ ଗୋଲାପ ଧରି ଜେଜେ ଖଟିରେ ହାଜର। ଆମେ ବି ଜେଜେଙ୍କ ରୋମାଣ୍ଟିକ୍ ମୁଡ୍ କୁ ଆଉଟିକେ ରୋମାଣ୍ଟିକ୍ କରିବାକୁ ମଲେଇ ମାର୍କା ଚା ଟା ହାତକୁ ବଢାଇଦେଲୁ। ମୁଁ ମଜାରେ ପଚାରିଲି"ଜେଜେ ପାର୍ଟିଟା କିଏ ଟିକେ କୁହ। ଯାହା ପାଇଁ ସକାଳୁ ସକାଳୁ ଏତେ କଷ୍ଟ କରୁଛ"। ଜେଜେ କହିଲେ"ଆରେ ନାତିଆ! ଆଜି ଆମ ବୁଢା ବୁଢୀଙ୍କ ବିବାହ ବାର୍ଷିକି। ସେଇଥି ପାଇଁ ଫୁଲ ଯୋଡାଏ ନେଉଛି"। ମୁଁ ବସି ଭାବୁଥାଏ ଏ ବୟସରେ ପତ୍ନୀଙ୍କ ପ୍ରତି ତାଙ୍କର ଭଲପାଇବାଟା କେତେ ଗଭୀର। ଏତିକି ବେଳେ ବାବି ପୁଣି ପଚାରିଲା "ଜେଜେ ବାହାଘର କେତେ ବର୍ଷ ହେଲାଣି? "୩୫ ବର୍ଷ ହେଲାଣିରେ ବାପ। ତମେ ସବୁ ମୋ ଆଗରେ ଲଂଗଳା ହୋଇ ବୁଲୁଥିଲ। ଏବେ ବାବୁ ହୋଇଗଲଣି"। ବାବି ଚିଡାଇବାକୁ ଯାଇ କହିଲା"ଜେଜେ ତୁମେ ତ କଣା ସେଥିରେ ପୁଣି ଏତେ ପ୍ରେମ!"। ହାଃ ହାଃ କରି ହସିବାକୁ ଲାଗିଲେ ନିଧିଜେଜେ। କହିଲେ"ଆରେ ! ଏ ବୁଢାବୁଢୀ ଦି ଟାଙ୍କ ପ୍ରେମକୁ କଣ ଆଜି କାଲି ର ସ୍ନୋ ପାଉଡର ଦିଆ ପ୍ରେମ ବୋଲି ଭାବିଲ କିରେ ନାତିଆ ମାନେ। ଆମ ପ୍ରେମଟା ପୁରା ଫେବିକଲ"। ଏହା ଶୁଣି ମୁଁ କହିଲି " ଜେଜେ ତୁମର ସେ ଫେବିକଲ ମାର୍କା ଲଭ ଷ୍ଟୋରୀଟା ଟିକେ କହୁନ ! ଆମ ସମସ୍ତଙ୍କର ସକାଳଟା ପୁରା ଫ୍ରେସ୍ ହୋଇଯିବ"। ବାସ୍ ଆଉକି ଜେଜେଙ୍କୁ ସମ୍ଭାଳି ହୁଏ। ବସିଗଲେ ନିଜ ଲଭ୍ ଷ୍ଟୋରୀ ଗପିବାକୁ।


              ଜେଜେଙ୍କ ଷ୍ଟୋରୀଟା ଥିଲା ଏହିପରି: ' ଆମ ଜେଜେ ସେତେବେଳେ ଦିଲ୍ଲୀରେ ଚାକେରୀ କରୁଥିଲେ। ଚେହେରାଟା ବି ଥିଲା ପୁରା ରାଜକୁମାର ପରିକା। ବାହାହେବା ବୟସ ଆସିଯାଇଥିଲା। ତେଣୁ ଘରେ ଯୋରଦାର ଝିଅ ଖୋଜିବା ଆରମ୍ଭ କରିଦେଲେ। ଏହା ଭିତରେ ଝିଅ ଠିକ୍ ମଧ୍ୟ ହୋଇଗଲା। ଚିଠି ଲେଖି ଘର ଲୋକ ଜଣାଇଦେଲେ ଝିଅ ସେମାନେ ଠିକ୍ କରି ସାରିଛନ୍ତି। ବାହାଘର ଦିନ ଆଉ ମୁହୂର୍ତ୍ତ ବି ଠିକ୍ ହୋଇସାରିଛି। ବାସ୍ ! ଏହାଜାଣି ନିଧିଜେଜେଙ୍କୁ ଆଉ ସମ୍ଭାଳେ କିଏ? ଖୁସିରେ ଆତ୍ମହରା ହୋଇ ପଡିଲେ। ବାହା ହେବା ଟା କିଛି କମ୍ ବଡ କଥା ନୁହେଁ ସେ ସମୟରେ ଯେଉଁ ସମୟରେ ଝିଅ ଟିଏ ପୁଅ ଟିକୁ ଚାହିଁବା ପୂର୍ବରୁ ଦଶଥର ଚାରିଆଡେ ନଜର ଫେରାଏ ଆଉ ପୁଅ ଝିଅକୁ ସ୍ପର୍ଶ କରିବା ପୂର୍ବରୁ ଗୋଟାପଣେ କମ୍ପମାନ ହେଉଥାଏ। ତେଣୁ ସେ ସମୟରେ ବାହାଘର ଅନୁଭୁତିଟା ଥିଲା ସମ୍ପୂର୍ଣ୍ଣ ନିଆରା। ସେ କୁଆଁରୀ କନ୍ୟାର ସ୍ପର୍ଶ ଆଖିରେ ଆଖିର ମିଳନ ଆଉ ଆଖିର ଅକୁହା କଥା ସବୁ ନେଇଯାଉଥିଲା ଦୁଇ ଅଜଣା ପ୍ରେମ ପକ୍ଷୀକୁ ଭିନ୍ନ ଏକ ଦୁନିଆଁକୁ। ଏବେର ପ୍ରେମ ଆଉ ସେ ସମୟର ପ୍ରେମରେ ମୁଖ୍ୟ ପାର୍ଥକ୍ୟ ହେଲା ସେ ସମୟର ପ୍ରେମଟା ଯଦି ମାଟି ହାଣ୍ଡି ମାଂସ ହୁଏ ଏବେର ପ୍ରେମଟା ହେଉଛି ରୋଡ ସାଇଡ୍ ଫାଷ୍ଟ ଫୁଡ୍। ତେଣୁ ଜେଜେଙ୍କର ତ ଆଉ ଫାଷ୍ଟ ଫୁଡର ପ୍ରଶ୍ନ ନାହିଁ। ଅତଏବ ମନ ତାଙ୍କର ଉଡି ବୁଲୁଥିଲା ଅନେକ ସ୍ବପ୍ନ ନେଇ। ଧୀରେଧୀରେ ବାହାଘର ଦିନଟା ବି ପାଖେଇ ଆସୁଥିଲା। ଜଣେ ଅଦେଖା ଅଚିହ୍ନା ଅପରିଚିତା ସହ ଜୀବନର ବାକିତକ ରାସ୍ତା କିପରି ପାରି କରିବେ ସେ ଚିନ୍ତା ନଥିଲା ତାଙ୍କର ଯାହା କି ଆଜି କାଲିର ଯୁବପିଢୀ ପାଇଁ ଏକ ବାହାନା ମୂଳକ ପ୍ରଶ୍ନଟିଏ। ତେବେ ତାଙ୍କର ମୁଖ୍ୟ ଚିନ୍ତା ଥିଲା ପ୍ରଥମ ସାକ୍ଷାତର ପ୍ରଥମ ବାକ୍ୟରେ କଣ କହି ପ୍ରେମ ନିବେଦନ କରିବେ ଯେଉଁଟା କି ହେବ ତାଙ୍କ ଜୀବନର ପ୍ରଥମ ଆଉ ଅନ୍ତିମ ପ୍ରେମ ନିବେଦନ । ଏହିପରି ଅନେକ ସ୍ବପ୍ନର ସୁନେଲୀ ରାଜ୍ୟରେ ବିଚରଣ କରୁଥାନ୍ତି ନିଧିଜେଜେ। ଏହା ଭିତରେ ବିବାହର ସମସ୍ତ ପୂର୍ବ ପ୍ରସ୍ତୁତି ଅନ୍ତିମ ସୋପାନରେ ପହଞ୍ଚି ଯାଇଥାଏ। ନିଧି ଜେଜେ ମଧ୍ୟ ଟ୍ରେନ ଧରି ଘର ମୁହାଁ ହୋଇଥାନ୍ତି।


            ଉକ୍ତ ଟ୍ରେନର ଯେଉଁ ବଗିରେ ନିଧିଜେଜେ ଯାତ୍ରା କରୁଥିଲେ ସେହି ବଗିରେ ଯାତ୍ରା କରୁଥିଲେ ଆଉ ଗୋଟିଏ ଅଣଓଡିଆ ପରିବାର। ଓଡିଶା ଆସୁଥିଲେ ଜଗନ୍ନାଥ ଦର୍ଶନ ପାଇଁ। ସେହି ପରିବାରରେ ଥିଲେ ବାପା ମା ଆଉ ତାଙ୍କର ଗୋଟିଏ କୋଡିଏ / ବାଇଶ ବର୍ଷର ଝିଅ । ଖୁବ୍ ମେଳାପି ପରିବାରଟା। ଝିଅଟି ତାଙ୍କର ଭାରି ପାରିବାର। ବାପା ମା ର ପ୍ରତିଟି ଆବଶ୍ୟକତାକୁ ଉପଲବ୍ଧିକରି ସେ ତାକୁ ଅବିଳମ୍ବେ ପୂରଣ କରୁଥିଲା। ଝିଅଟିର ପ୍ରତିଟି କାର୍ଯ୍ୟ ଉପରେ ନଜର ଥିଲା ଉପର ସ୍ଲିପରରେ ଚକା ଆସନ ମାରି ବସିଥିବା ନିଧିଜେଜେଙ୍କର। କଥାବାର୍ତ୍ତାରୁ ଜାଣିଲେ ଝିଅଟିର ନା ଲୀନା ବୋଲି। କାହିଁକି କେଜାଣି ସେହି ଝିଅଟିର ବ୍ୟବହାର ତାଙ୍କୁ ଏତେ ଭଲ ଲାଗୁଥିଲା ଯେ ସେ କଳ୍ପନା କରିବସିଲେ ତାଙ୍କର ଭାବି ପତ୍ନୀ ବୋଧହୁଏ ଠିକ୍ ସେହି ଝିଅଟି ପରି ହୋଇଥିବ; ସେହିପରି ସୁନ୍ଦର ଯତ୍ନବାନ ଆଉ ମେଳାପି। କିଛି ସମୟର ଅନ୍ତରାଳ ଭିତରେ ନିଧି ଜେଜେଙ୍କର ଉକ୍ତ ପରିବାର ସହ ଘନିଷ୍ଠତା ବଢିଯାଇଥିଲା। ଲୀନା ଆଉ ନିଧିଜେଜେ ବେଶ କିଛି ସମୟ ପରସ୍ପର ଆଳାପରେ କାଟିଦେଲେ। କଥାରେ କଥାରେ ନିଧିଜେଜେ ନିଜବାହାଘର ପ୍ରସଙ୍ଗଟି ମଧ୍ୟ ପକାଇଦେଲେ। ଲୀନା ବାହାଘରର ଅଗ୍ରୀମ ଶୁଭେଚ୍ଛା ନିଧି ଜେଜେଙ୍କୁ ଜଣାଇଦେଲା। ତା ବାପା ମା ମଧ୍ୟ କହିଲେ ଯେ ସେମାନେ ବି ଲୀନା ବାହାଘର ପାଇଁ ବରପାତ୍ର ଖୋଜାଖଜି କରୁଛନ୍ତି। ତେବେ ଲୀନାର ପସନ୍ଦକୁ ପ୍ରଥମେ ପ୍ରାଥମିକତା ଦେବେ। ବାହାର ବ୍ୟକ୍ତି ଆଗରେ ବାହାଘର ପ୍ରସଂଗ ପଡିଯିବାରୁ ଲୀନା ନିଜକୁ ଟିକିଏ ଅସହଜ ମନେକଲା। ତା ବ୍ୟବହାରରୁ ତା ଅସହଜ ହେବାଟା ନିଧିଜେଜେ ବାରିନେଲେ। ତେଣୁ ଆଉ କିଛି ନକହି ପୁରୀର ଅନେକ ମହାତ୍ମ୍ୟ କଥା ସବୁ କହିଗଲେ। ଏହା ଭିତରେ ଟ୍ରେନ ଦିଲ୍ଲୀରୁ ଅନେକ ବାଟ ଚାଲିଆସିଥାଏ। ରାତିରେ ସମସ୍ତେ ଖାଇସାରି ଯେଯାହା ସିଟ୍ ରେ ଯାଇ ଶୋଇପଡିଲେ।


    ହଠାତ୍ କାହାର ଏକ କ୍ରନ୍ଦନ ସ୍ବର ଶୁଣି ଆଖି ଖୋଲିବାକୁ ଚେଷ୍ଟାକଲେ ନିଧିଜେଜେ। କିନ୍ତୁ ଏ କଣ! କିଛି ଗୋଟିଏ ଦୃଷ୍ଟି ପଥକୁ ଅବରୋଧ କରୁଥିଲା। ଚାରିଆଡେ ଅନ୍ଧାର ସାଂଗକୁ ଶରୀରରେ ଅସହ୍ୟ ପୀଡା। ଚିତ୍କାର କରି ଉଠିଲେ ନିଧିଜେଜେ। ପଚାରିଲେ'ଏ ସବୁ କଣ?ମୁଁ ବର୍ତ୍ତମାନ କେଉଁଠି? ପାଖରେ ବସି କାନ୍ଦୁଥିବା ସାନ ଭାଇ ପ୍ରସନ୍ନ ଦୌଡି ଆସି ଭିଡିଧରିଲା ନିଧିଜେଜେଙ୍କ ହାତଟିକୁ। କାନ୍ଦକାନ୍ଦ ସ୍ବରରେ କହିଲା"ଭଗବାନଙ୍କ କୃପାରୁ ତୋତେ ଆମେ ଫେରି ପାଇଲୁ। ପୁରା ପରିବାର ଭଗବାନଙ୍କ ପାଖରେ ୠଣୀ। ତୁ ବର୍ତ୍ତମାନ ସଂମ୍ପୂର୍ଣ୍ଣ ବିପଦ ମୁକ୍ତ"। ନିଧି ଜେଜେ ପ୍ରଶ୍ନ କଲେ " କଣ ହୋଇଛି ମୋର?" । ଏହାର ଉତ୍ତରରେ ପ୍ରସନ୍ନ କହିଥିଲା"ତୁ ବର୍ତ୍ତମାନ ପାଟଣା ହସ୍ପିଟାଲରେ ।ଦୁଇ ଦିନ ହେବ ତୁ ଏ ବେଡ୍ ରେ ଚେତାଶୂନ୍ୟ ହୋଇ ପଡିଥିଲୁ। ତୋ ଟ୍ରେନ ଟା ପାଟନା ପରେ ପରେ ଲାଇନ୍ ଚ୍ୟୁତ ହୋଇଯାଇଥିଲା। ସେଥିରେ ତୋର ଗୋଟିଏ ଗୋଡ ଗୋଟିଏ ହାତ ଭାଂଗିଯାଇଛି ଆଉ ତୋର ବାମ ଆଖିଟା ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ସେ ଆଖିରେ ଦୃଷ୍ଟି ଆଉ କେବେ ନଫେରିପାରେ "। ଏହା ଶୁଣି ନିଧିଜେଜେଙ୍କ ମୁଣ୍ଡରେ ବଜ୍ରପାତ ହେବା ପରିଲାଗିଲା। କଣ କରିବେ ସିଏ କିଛି ବୁଝିପାରୁନଥାନ୍ତି। ସେତିକିବେଳେ ଡାକ୍ତର ଆସି ଚେକ୍ଅପ୍ କଲେ। ଜେଜେଙ୍କ ଏ ଅବସ୍ଥା ପାଇଁ ସେ ସମବେଦନା ଜଣାଇଲେ। ଏପଟେ ନିଧିଜେଜେଙ୍କ ବାପା ମା ପୁଅର ଏତାଦୃଶ ଅବସ୍ଥାରେ ଅତ୍ୟନ୍ତ ବ୍ୟଥିତ ହୋଇପଡିଲେ। ଚିନ୍ତାରେ ଭାଙ୍ଗି ପଡିଲେ ସେମାନେ ଯେ କିପରି କହିବେ ପ୍ରସ୍ତାବିତ ବିବାହଟା କନ୍ୟାଘର ପକ୍ଷରୁ ପ୍ରତ୍ୟାକ୍ଷାନ କରାଯାଇଛି। ସିଧା ଅର୍ଥରେ କହିବାକୁ ଗଲେ କନ୍ୟାଟି ନିଧି ଜେଜେଙ୍କ ବିକଳାଙ୍ଗତା ହେବାଟା ସହଜରେ ଗ୍ରହଣ କରିନପାରି ବିବାହ କରିବାକୁ ମନାକରିଦେଲା। ବହୁକଷ୍ଟରେ ବାପା ମା ଦୁଇଜଣ ଏହି କଟୁ ସତ୍ୟକୁ ନିଧିଜେଜେ ପାଖରେ ଉପସ୍ଥାପନ କଲେ। ଦୁଃଖର କଳାବାଦଲ କିଛି କମ୍ ନଥିଲା ଯେ ଏହି ସତ୍ୟକୁ ଜେଜେ ସାମ୍ନା କରିନପାରିବେ। ଇନ୍ଦ୍ରଧନୁର ସାତରଙ୍ଗ ଟା ଯେମିତି ହଠାତ୍ ଫିକା ପଡିଯାଇଥିଲା ନିଧିଜେଜେଙ୍କ ପାଇଁ। ଜୀବନଟା ଭାରୀ ଦୁର୍ବିସହ ହୋଇପଡିଥିଲା। ଏହିପରି ଦୀର୍ଘ ଏକ ମାସ ପାଟନା ହସ୍ପିଟାଲରେ ଚିକିତ୍ସିତ ହେବାପରେ ନିଜର ଦୁଇ ଗୋଡରେ ଛିଡା ହେଲେ ନିଧି ଜେଜେ। ଜୀବନ ରକ୍ଷା ପାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଇ ହସ୍ପିଟାଲରୁ ଯିବାକୁ ବାହାରିଲେ ସମସ୍ତ ପରିବାର। ନିଧି ଜେଜେଙ୍କ ମନରେ କିନ୍ତୁ କେଉଁଠି ଟିକିଏ ଦୁଃଖ ଲୁଚିରହିଥିଲା ନିଜର ବିକଳାଙ୍ଗତା ପାଇଁ। 


     ହସ୍ପିଟାଲ ଛାଡିବା ସମୟରେ ଗୋଟିଏ ସ୍ବର ଜଣାଶୁଣା ପରି ଲାଗିଲା। ନିଧିଜେଜେ ସେହି ସ୍ବରକୁ ଅନୁସରଣ କରି ପହଞ୍ଚିଲେ ହସ୍ପିଟାଲର ଗୋଟିଏ କେବିନ ପାଖରେ। ଝରକା ପାଖରେ ଛିଡାହୋଇ ଦେଖିଲେ ଡାକ୍ତର ଚେକ କରୁଥାନ୍ତି ଲୀନାର ସ୍ବାସ୍ଥ୍ୟ ଅବସ୍ଥା। ଡାକ୍ତର ରୁମ୍ ରୁ ଆସିଲାପରେ ନିଧିଜେଜେ ପଚାରିବସିଲେ ଲୀନାର ସ୍ବାସ୍ଥ୍ୟ ଅବସ୍ଥା। ଡାକ୍ତର କହିଲେ ସେ ଦିନର ସେହି ମର୍ମନ୍ତୁତ ଦୁର୍ଘଟଣା ପରେ ଝିଅ ଟି ତା ବାପା ମା’କୁ ହରେଇଛି। ଦୁଃଖ ତାର ଏତିକିରେ ସରିଲାନି ଯେ ଦୁର୍ଘଟଣାରେ ବିଚାରୀ ଗୋଟିଏ ଗୋଡବି ହରାଇ ସାରିଛି। ଡାକ୍ତରଙ୍କ ଠାରୁ ଏପରି ଶୁଣି ନିଧିଜେଜେ ପକେଟରୁ କଳା ଚଷମାଟା କାଢି ପିନ୍ଧିଲେ ଆଉ ସିଧା ଯାଇ ପହଞ୍ଚିଗଲେ ଲୀନା ପାଖରେ। ହଠାତ୍ ନିଜ ଆଗରେ ଗୋଟିଏ ପରିଚିତ ଚେହେରାଟି ଦେଖି ଆନନ୍ଦ ଆଉ ଆଶ୍ଚର୍ଯ୍ୟର ଭାବ ଫୁଟିଉଠିଲା ଲୀନା ମୁହଁରେ। ସେ କହିଉଠିଲା" ଆରେ ଆପ ଠିକ୍ ହେଁ ନା? ମେଁ ଆପକେ ବାରେମେଁ ଶୋଚରହିଥି। ଶୁକର ହେ ଭଗବାନକା କି ଆପ ଠିକ୍ ହେଁ "। ତାର ହସହସ ମୁହଁରୁ ତା ଅନ୍ତରର ବେଦନାଟା ଆଦୌ ଜଣାପଡିନଥିଲା। ନିଧି ଜେଜେ ତାକୁ ପଚାରିଲେ 'ଆପ କୈସି ହେଁ?"। ଲୀନା କହିଲା 'ଠିକ୍ ହୁଁ । ଔର ଆପକାତୋ ଶାଦି ହୋନେବାଲାଥା ନା'। ନିଧିଜେଜେ କହିଲେ 'ନହିଁ ଲଡକି ନେ ମନାକରଦିଆ'। କିଛି ସମୟ ଉଭୟେ ଚୁପ୍ ରହିଲେ। ହଠାତ୍ ନିଧିଜେଜେ ପଚାରିବସିଲେ"ଆପ ମୁଝସେ ଶାଦି କରେଂଗି"? ଏପରି ଏକ ପ୍ରଶ୍ନରେ ଅପ୍ରସ୍ତୁତ ହୋଇପଡିଲା ଲୀନା। କିଛି ସମୟ ପରେ କହିଲା "ନେହିଁ ମେଁ ଆପ କେ ଲାୟକ ନେହିଁ ହୁଁ"। ଏତିକି କହି ନିଜର କଟାଯାଇଥିବା ଗୋଡଟି ଦେଖାଇଦେଲା ଲୀନା। ଏହା ଦେଖି ନିଧିଜେଜେ କହିଲେ"ଅଗର ଶାଦି କେ ବାଦ ମେରା ଐସା କୁଛ ହୋତା ତ କ୍ଯା ମେ ତୁମ୍ହାରେ ଲାୟକ ନେହିଁ ରହତା?।" ନିଧି ଜେଜେଙ୍କ ମୁହଁରୁ ଏ କଥା ପଦକ ଶୁଣି ଲୀନା ମନରେ ଜମାଟ ବାନ୍ଧିଥିବା ଲୁହ ଗୁଡାକ ଧାରଧାର ହୋଇ ବୋହିବାକୁ ଲାଗିଲା। ଏହାଭିତରେ ନିଧିଜେଜେ ମଧ୍ୟ ତାଙ୍କ କଳା ଚଷମାଟି ଖୋଲିସାରିଥିଲେ। ଦୁଇ ପ୍ରେମ ପକ୍ଷୀ ପ୍ରେମର ଏକ ନୂତନ ପରିଭାଷା ନେଇ ପରସ୍ପରକୁ ଆଲିଙ୍ଗନ କଲେ। ଦୁହିଁଙ୍କ ଆଖିରୁ ଝରି ଯାଉଥିଲା ଧାରଧାର ଅଶ୍ରୂ। ସେତେବେଳକୁ ନିଧିଜେଜେଙ୍କ ଘର ଲୋକ ପହଞ୍ଚିଯାଇଥିଲେ ଏହି ପ୍ରେମୀ ଯୁଗଳଙ୍କ ପାଖରେ। ଆଉ ସଭିଁଙ୍କ ସ୍ବୀକୃତିରେ ଅନୁଷ୍ଠିତ ହେଇଥିଲା ନିଧିଜେଜେଙ୍କ ବାହାଘରଟା ସେହି ଝିଅ ଲୀନା ସହିତ।


         ଏପରି ଏକ ଲଭ୍ ଷ୍ଟୋରୀ ଶୁଣି ଆମ ଖଟିଟା ପୁରା ତାଜା ହୋଇଉଠିଲା। ଆଉ ଏପଟେ ନିଧିଜେଜେ ବି ଯିବାକୁ ତରତର। ଏଇଠି ସମାପ୍ତ ହେଲା ଆମର ସକାଳ ବେଳା ଖଟିଟା। ବାଟରେ ଆସୁ ଆସୁ ମୁଁ ଭାବୁଥିଲି ସତେତ ଦୁଇଟି ଅପୂର୍ଣ୍ଣ ମଣିଷ ପାଖରେ ପ୍ରେମ ତାର ପୂର୍ଣ୍ଣତା ପାଉଥିବା ବେଳେ ଆଜି ସମ୍ପୂର୍ଣ୍ଣତା ଭିତରେ ପ୍ରେମର ପରିଭାଷାଟା କାହିଁକି କେଜାଣି ଖାଲିଖାଲି ଲାଗୁଛି! ସବୁଥାଇବି ଲାଗୁଛି ଯେମିତି ଜୀବନର ଶବ୍ଦକୋଷରେ ପ୍ରେମ ବୋଲି ଶବ୍ଦଟା ଆଉ ନାହିଁ। ତେଣୁ ମନ ଆଜି ଅହରହ ଖୋଜିଚାଲିଛି ପ୍ରେମକୁ । ଆଉ ପ୍ରେମ ଖେଳି ଚାଲିଛି ଲୁଚକାଳି। କେତେବେଳେ ଅତୃପ୍ତ ବାସନାର ପଛପଟେ ଲୁଚିଯାଉଛି ତ କେତେବେଳେ ଆଧୁନିକତାର ମୂଖା ପିନ୍ଧି ପକାଉଛି,ପୁଣି କେବେ ପାଲଟି ଯାଉଛି କାମିନୀର ମାୟା ମରିଚିକା ॥

(ସମାପ୍ତ )


Rate this content
Log in

Similar oriya story from Romance