ଲାଜକୁଳୀ ଲତା
ଲାଜକୁଳୀ ଲତା
ପ୍ରେମ । ପ୍ରେମ ଏକ ଯୁଆର । ଯାହାର ଗତିକୁ ରୋକି ହୁଏନି । ପ୍ରେମ ଏକ ଉଡନ୍ତା ପକ୍ଷୀ । ଯାହାକୁ ପଞୁରୀ ଅଟକାଇ ପାରେନି । ପ୍ରେମ ଏକ ମରିଚୀକା । ଯାହା ପଛରେ ଧାଇଁଲେ ତୃଷା ମେଂଟେନି । ପ୍ରେମ ଏକ ପାହାଡି ଝରଣା । ଯାହାର ଅନବରତ କଳକଳ ଶବ୍ଦକୁ କେହି ବନ୍ଦ କରି ପାରନ୍ତିନି । ଦୁଇଟି ମନର ମିଳନରେ ସୃଷ୍ଟି ହୁଏ ଏହି ପ୍ରେମ ।
ଭାଲେନ୍ଟାଇନ୍ ଡେ’ କଥା ମନେ ପଡିଲେ ସୁନନ୍ଦା ଦେହରେ ଖେଳିଯାଏ ପ୍ରେମର ଚମକ୍ । ପ୍ରେମର ରଙ୍ଗରେ ଭିଜି ଭିଜି ମତୁଆଲା ହେବାକୁ ଇଛା ହୁଏ ତା’ର । ହୃଦୟର କପୋତୀଟିଏ ହୋଇ କପୋତର ହୃଦୟ ଭିତରେ ନିଜକୁ ହଜାଇ ଦେବାକୁ ସ୍ୱପ୍ନ ଦେଖେ ସେ ।
ଏହା ମଧ୍ୟରେ ଷୋଳଟି ଫଗୁଣ ଅତିକ୍ରମ କରିଥିଲା ଲାଜକୁଳୀ ସୁନନ୍ଦାକୁ । ପ୍ରେମର ଅଙ୍କାବଙ୍କା ରାସ୍ତାରେ ନୂଆ ନୂଆ ବାଟ ଚାଲୁଥିଲାବେଳେ ହଠାତ୍ ଝୁଂଟି ପଡିଥିଲା ସଂବିତ୍ ଉପରେ । ଦେହର କିଛି କ୍ଷତି ଘଟିବା ପୂର୍ବରୁ ସେ ଧରି ନେଇଥିଲା ସରାଗରେ ତାକୁ । ଦୁଇଟି କୋମଳ ଶରୀରର ହାଲ୍କା ହାଲ୍କା ସ୍ପର୍ଷରେ ସୁନନ୍ଦା ଦେହରେ ଖେଳିଯାଇଥିଲା ବିଜୁଳିର ଚମକ୍ । ହଠାତ୍ ପ୍ରଥମ ଥର ପାଇଁ ସକ୍ ଲାଗିଲା ପରି ସେ ନିଜକୁ ଅନୁଭବ କଲା । ସଂବିତ୍ଠାରୁ ଟିକେ ଦୂରେଇ ଯାଇ ଲାଜକୁଳୀ ଲତା ପରି ସେ ଲାଜରେ ଦୁଇ ଆଖି ବନ୍ଦ୍ କରିଦେଇଥିଲା ସେଦିନ । ସଂବିତ୍ କିଛି ସମୟ ପାଇଁ ସ୍ଥିର ଓ ନୀରବ ରହିଯାଇଥିଲା । ତା’ର ସର୍ବାଙ୍ଗରେ ଧିରେ ଧିରେ ପ୍ରେମର ଝଡ ବହିବାରେ ଲାଗିଲା । ନଦୀ ସହ ସାଗରର ମିଳନ ପରି ସାଗର ଭିତରେ ଶାମୁକା ଓ ଶାମୁକା ଭିତରେ ମୁକ୍ତା ଥିଲାବେଳେ ସୁନନ୍ଦାର ହୃଦୟ ମଧ୍ୟରେ ପ୍ରେମର ଛୋଟ ନୀଡଟିଏ ତିଆରି କରିବାକୁ ମନ କରିଥିଲା ସେ । ଟିକେ ସମୟର ନୀରବତା ତଥା ଆଖିରେ ଆଖି ମିଶିଗଲା ପରେ ପ୍ରେମର ଚାହାଣୀରେ ସୁନନ୍ଦା ସଂବିତ୍ଠାରୁ ଲାଜରେ ବାଟ ଭାଙ୍ଗି ଚାଲିଯାଉଥିବା ସମୟରେ ପଛରୁ ଚାତକ ପରି ସଂବିତ କହିଲା –
-କିଛି କହିବନି ?
-ଡର ଲାଗୁଛି ।
-ଡର ? ପୁଣି ମୋତେ ? ତମେ ତ ମୋ କ୍ଲାସ୍ମେଟ୍ ?
-ତୁମକୁ ନୁହେଁ । କିଏ ଦେଖିଲେ ଖରାପ ଭାବିବେ । କାଲି କଲେଜ୍ରେ ଆମେ ...
କଲେଜ୍ ଟାଇମ୍ର ଯଥେଷ୍ଟ ପୂର୍ବରୁ ପହଂଚି କମନ୍ ରୁମ୍ ସାମ୍ନାରେ ଏତେ ଦିନ ପରେ ତା’ ମନର କପୋତୀକୁ ଅପେକ୍ଷା କରିଥିଲା ସଂବିତ୍ । ତରତର ହୋଇ ସୁନନ୍ଦା କଲେଜ୍ ଗେଟ୍ରେ ପାଦ ଦେଉ ଦେଉ ସେ ପ୍ରେମର ଭାବାବେଗରେ ଧାଇଁ ଯାଇଥିଲା ତା’ ପାଖକୁ । ତା’ର ନରମ ହାତକୁ ଖୁସିରେ ଧରି ଟାଣି ନେଇଥିଲା କୃଷ୍ଫଚୁଡା ଗଛର ଆଢୁଆଳକୁ । ପୁଣି ଥରେ ସଂବିତ୍ର ପ୍ରେମଭରା ହସ୍ତର ସ୍ପର୍ଷରେ ସୁନନ୍ଦାର କୋମଳ ଶରୀରରେ ଖେଳିଯାଇଥିଲା ଅପୂର୍ବ ଶ୍ରୀହରଣ । ଦେହ ଶୀତେଇ ଉଠିଥିଲା । ଲୋମମୂଳ ଠିଆହୋଇ ଯାଇଥିଲା । ତଂଟି ଶୁଖି ଆସୁଥିଲା । ଛାତି ଭିତରେ କଂପନ ସୃଷ୍ଟି ହେଉଥିଲା । କିଛି କହିବାକୁ ଚାହୁଁଥିଲେ ବି ହଠାତ୍ କହିପାରୁ ନଥିଲା ସେ ଲାଜରେ । ସଂବିତ୍ ଅତି ଖୁସିରେ ସୁନନ୍ଦାର ଲାଜୁଆ ମୁହଁକୁ ଚାହିଁ ହସି ହସି କହିଲା –
-ଭାଲେନ୍ଟାଇନ୍ ଡେ’ରେ ସମସ୍ତେ ପିକ୍ନିକ୍ ଯାଉଛନ୍ତି । ତମେ ଯିବନି ?
-ବାପାବୋଉ ଛାଡିବେନି ।
-ତା’ ହେଲେ ମୁଁ ଯିବିନି ।
-କାହିଁକି ?
-କହିବିନି ।
ସଂବିତଠାରୁ ହଠାତ୍ ଶୁଣି ଭାଲେନ୍ଟାଇନ୍ ଡେ’ କଥା ମନେ ପଡିଗଲା ସୁନନ୍ଦାର । ଆଉ ଦିନକ ପରେ କିଏ କୁଆଡେ ଖୁସି ମନାଇବା ପାଇଁ ପିକ୍ନିକ୍ରେ ଯିବେ, ଚର୍ଚ୍ଚ ଯିବେ, ମଉଜ୍ ମଜଲିସ୍ କରିବେ, ସାଙ୍ଗସାଥୀମାନେ କେକ୍, ଚକୋଲେଟ୍, ଫୁଲତୋଡା ଇତ୍ୟାଦି ଉପହାର ପରଷ୍ପର ଦିଆନିଆ ହେବେ ,ଏକଥା ଭାବି ଭାବି ମନେ ମନେ ଦୁଃଖ କରୁଥିଲା ସୁନନ୍ଦା । ଇଛା ହେଉଥିଲା ଥରୁଟିଏ ସଂବିତ୍ ସହ ଭାଲେନ୍ଟାଇନ୍ ଡେ’ ଆଟେଣ୍ଡ୍ କରିବାକୁ ।
ରାତିରେ ଶୋଇବାକୁ ଚେଷ୍ଟା କରୁଥିଲାବେଳେ ଆଖିକୁ ନିଦ ଆସୁ ନଥିଲା ତା’ର । ମନଟା ଛଟପଟ ହେଉଥିଲା । ହେଲେ ତା’ ବାପାମାଆଙ୍କ ଡରରେ ସେ ଯିବାକୁ ଚାହୁଁ ନଥିଲା । ଆଉ ତା’ରି ଯୋଗୁଁ ଶେଷରେ ସଂବିତ୍ ବି ଯିବାକୁ ମନା କରିଦେଲା । ନିଜକୁ ଦୋଷୀ ମନେକରୁଥିଲା ସେ । ସତରେ ସଂବିତ୍ ତାକୁ କେତେ ଭଲ ନପାଏ ? ତା ହୃଦୟର ଆଇନାରେ ସଂବିତ୍ର ହସ ହସ ମୁହଁ ତାକୁ ସ୍ପଷ୍ଟ ଦିଶୁଥିଲା । ଇଛା ହେଉଥିଲା ଏ ନିଶୂନ୍ ଅନ୍ଧାର ରାତିରେ ତା’ ପାଖକୁ ଧାଇଁ ଯାଇ. ବକ୍ଷରେ ବକ୍ଷ ମିଶାଇ କିଛି ସମୟ ହଜିଯିବାକୁ । ଚାହିଁଲେ ବି ଯିବାକୁ ସାହସ ପାଉ ନଥିଲା ତା’ର । ସତେ ଯେମିତି ଶିକୁଳିରେ ତା’ର ଦୁଇ ଗୋଡ ବନ୍ଧା ହୋଇଥିବାର ସେ ଅନୁଭବ କରୁଥିଲା । ସତରେ ଏ ବୟସଟା ସେମିତି । ଇଛା ହେଉଥିଲେ ବି ନିଜ ଇଛାରେ କୁଆଡେ ଯାଇ ହୁଏନି । ନ ହୋଇଥିଲେ ଘରର ଲକ୍ଷ୍ମଣରେଖା ଡେଇଁ ଯିବାରେ କିଛି ଅସୁବିଧା ନଥାନ୍ତା ।
ଟଙ୍କାର ଦୁଇ ପାଶ୍ୱର୍ ପରି ଗୋଟେ ପଟେ ସୁନନ୍ଦା ସଂବିତର ଭଲପାଇବାକୁ ନିଶାର୍ଦ୍ଧରେ ଚାରି କାନ୍ଥ ଭିତରେ ବସି ଭାବୁଥିଲାବେଳେ ଅପର ପାଶ୍ୱର୍ରେ ସଂବିତ୍ ସୁନନ୍ଦା କଥା ଭାବି ଭାବି ଆଖିର ଦୁଇ କୋଣରୁ ପ୍ରେମର ଅଶ୍ରୁ ଝରାଉଥିଲା । ମନ ପକ୍ଷୀଟିଏ ହୋଇ ପଞୁରୀର ଦ୍ୱାର ଖୋଲି ଉଡି ଉଡି ଯାଇ ସୁନନ୍ଦାର ହୃଦୟ ରୂପକ ଶାଖାରେ ବସିବାକୁ ଇଛା କରୁଥିଲା ସେ । ରାତ୍ରୀର ଶୂନ୍ଶାନ୍ ସାଙ୍ଗକୁ ମନର ଆବେଗ ବଢି ବଢି ଚାଲିଥିଲା ତାର । ଚୁପ୍ଚାପ୍ ଛାତ ଉପରକୁ ଯାଇ ମୋବାଇଲ୍ ବାହାର କଲା ।
-ହାଲୋ ...
-ତମେ ଏଯାଏ ଶୋଇନ ?
-ତମେ ବି ।
-ମୋତେ ନିଦ ହେଉନି । ତୁମ କଥା ଭାବୁଥିଲି ।
-ମୁଁ ବି ।
-ଶୁଣ, ଆମେ ପିକ୍ନିକ୍ ନଗଲେ ବି ସେଦିନଟା ମନ ଭରି ଏଣେତେଣେ ବୁଲାବୁଲି କରିବା । ବୁଝିଲ ?
-ଓକେ ।
ରାତି କେତେବେଳୁ ପାହିଲାଣି ସୁନନ୍ଦାକୁ ଜଣା ନାହିଁ । ହଠାତ୍ ନିଦରୁ ଉଠି ତରତର ହୋଇ ନିତ୍ୟକର୍ମ ଶେଷ କରି ଟ୍ୟୁସନ୍ ବାହାନାରେ ଯାଉଥିବା ସମୟରେ ପଛପଟୁ ଶରଳା ଦେବୀ କହିଲେ –
-କୁଆଡେ ଯାଉଛୁ ?
-ଟ୍ୟୁସନ୍ ।
-ଆଜି ତ ନାହିଁ । ତୋ’ର ସବୁ ସାଙ୍ଗ ପିକ୍ନିକ୍ ଯାଇଛନ୍ତି ।
-ମମି, ମୋ ପାଟିରେ ହଠାତ୍ ପଶିଗଲା । ମୁଁ ଟିକେ ରୋଜି ଘରକୁ ଯାଉଛି । ତା’ ଦେହ ଭଲ ନାହିଁ ତ ...ା
-ଯା, ଯଲ୍ଦି ଆସିବୁ । ଡେରି କଲେ ବାପା ବିରକ୍ତ ହେବେ ।
ଡରି ଡରି ପଛକୁ ଅନାଇ ଅନାଇ ଛେପ ଢୋକି ଢୋକି ଯାଉଥିଲା ସୁନନ୍ଦା । କିଛି ସମୟ ପରେ ରୋଜିଙ୍କ ଘରେ ପହଂଚିବା କ୍ଷଣି ସତେ ଯେମିତି ତା’ ଦେହରେ ଟିକେ ଜୀବନ ପଶିଲା । ସେ ତାକୁ ବାଥ୍ରୁମ୍ରୁ ଡାକି ସଂବିତ ପାଖକୁ କଲ୍ କରିବାକୁ କହିଲା । ରୋଜି ହସି ହସି କହିଲା –
-ଏମିତି ଡରିଲେ ହେବ ? ତା ହେଲେ ପ୍ରେମ କରୁଛୁ କାହିଁକି ?
-ତୁ ମୋତେ କିଛି କହନା । ବହୁତ କଷ୍ଟରେ ଘରୁ ଆସିଛି ।
-ମୁଁ ଜାଣେ । ତୁ ଆଦଂ ବ୍ୟସ୍ତ ହଅନା । କିଛି ସମୟ ପରେ ସଂବିତ୍ ଆସି ଏଠାରେ ପହଂଚି ଯିବ । ଏ ପ୍ଲାନ୍ଟା ମୁଁ ତାକୁ ଦେଇଥିଲି ।
-ଓ । ଏବେ ସବୁ ବୁଝିଗଲି ।
ଏ ଛନଛନ ବୟସରେ ପ୍ରେମ କି ମାନେ ବନ୍ଧ ବାଡ ? ପ୍ରେମ ଏକ ଅମାନିଆ ଝରଣା । ଯାହାର ଗତିକୁ ରୋକି ହୁଏନା । ପ୍ରେମ ଏକ ବୈତରଣୀ । ଯାହାର ଗଭିରତା ମାପିବା କଷ୍ଟ । ପ୍ରେମ ଏକ ବିଜୁଳି । ଯାହା ନିମିଷକ ମଧ୍ୟରେ ସାରା ଶରୀରରେ ସଂଚରି ଯାଏ । ପ୍ରେମ ଏକ ଆଇନା । ଯେଉଁଥିରେ ପ୍ରତିବିମ୍ବର ପ୍ରତିଫଳନକୁ ଦେଖି ହୁଏନା । ଏଇ କିଛି ଦିନ ଭିତରେ ସଂବିତ୍ ଓ ସୁନନ୍ଦାଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସଂପର୍କ ଧିରେ ଧିରେ ଆହୁରି ବାସ୍ତବତାର ରୂପ ନେଉଥିଲା ।
ସଂବିତ୍ ଓ ସୁନନ୍ଦା ଦୁହେଁ ବାଇକ୍ରେ ଯାଇ ଯଥାଶୀଘ୍ର ପାର୍କରେ ପହଂଚିଲେ । ପୂର୍ବରୁ ସୁନନ୍ଦା କେବେ ପାର୍କ’ର ମାଟି ମାଡି ନଥିଲା । ହଠାତ୍ ଆଜି ସେଠାରେ ପହଂଚିବା ପରେ ଶହ ଶହ ସଂଖ୍ୟାରେ ପ୍ରେମୀଯୁଗଳଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲା । ସେମାନେ ଅତି ଖୁସିରେ ପ୍ରେମର ସରାଗରେ ଉଭୟ ଉଭୟଙ୍କୁ ଚକୋଲେଟ, କେକ, ଗ୍ରୀଟିଙ୍ଗ୍ କାର୍ଡ, ଗୋଲାପ ଓ କିସ୍ ଦେଉଥିବା ଦୃଶ୍ୟ ଦେଖି ସେ ନିଜକୁ ସହି ପାରିଲାନି । ତାକୁ ଲାଜ ଲାଗିଲା । ସେ ଟିକେ ଦୂରେଇ ହୋଇ ଗୋଟେ ଯାଗାରେ ବସିଲା । ସଂବିତ୍ କିଛି ସମୟ ପରେ ପହଂଚି ଫୁଟନ୍ତା ଗୋଲାପଟିଏ ଧରି ଖୁବ୍ ପାଖରେ ବସି କହିଲା –
-କଣ ହେଲା ? ମନଦୁଃଖ କରିଛ ? ଏଇଟା ତୁମ ପାଇଁ । ଆମ ପ୍ରେମର ସଂତକ ।
-ମୋତେ ଭାରି ଲାଜ ଲାଗୁଛି । ଚାଲ ଯିବା ।
-ଭାଲେନ୍ଟାଇନ୍ ଡେ’ରେ ଏମିତି ହୁଏ । ବର୍ଷକୁ ଥରେ ଏହି ଦିନରେ ପ୍ରେମୀ ଯୁଗଳ ଉଭୟ ଉଭୟଙ୍କ ପାଇଁ ଭଗବାନ୍ଙ୍କ ପାଖରେ ମଙ୍ଗଳ କାମନା କରିବା ସହ ବିଭିନ୍ନ ସ୍ଥାନମାନଙ୍କୁ ଯାଇ ମଉଜ୍ ମଜଲିସ୍ କରିଥାନ୍ତି ।
ନିସ୍ତବ୍ଧ ରାତ୍ରୀରେ ସୁନନ୍ଦା ଶୋଇବାକୁ ଯାଉଥିବା ସମୟରେ ତା’ର ପାର୍କରେ ପ୍ରେମୀ ଯୁଗଳଙ୍କ ଦୃଶ୍ୟ ଆଖି ସାମନାରେ ଭାସି ଆସୁଥିଲାବେଳେ ସେ ନିଜକୁ ସମ୍ଭାଳି ରହିପାରୁ ନଥିଲା । ତାର ସର୍ବାଙ୍ଗରେ ପ୍ରେମର ଶ୍ରୀହରଣ ଧିରେ ଧିରେ ଖେଳିଯାଉଥିଲା । ମନରେ କାମନାର ଲହଡି ଭାଙ୍ଗୁଥିଲା । ମନ କହୁଥିଲା ଏ ନିରୋଳା ରାତିରେ ପାଖରେ ସଂବିତ୍ ଥାଆନ୍ତେ କି ? ସେ ଅନୁଭବ କରୁଥିଲା – ସତରେ ଏ ଭାଲେନଟାଇନ୍ ଡେ’ ସବୁ ପ୍ରେମୀ ଯୁଗଳଙ୍କ ପାଇଁ ଏକ ଅଭୂଲା ସ୍ମୃତି ଓ ଯୁଗ ଯୁଗ ପାଇଁ ଏହା ସ୍ମୃତି ହୋଇ ରହିଥିବ ।
ଦେହରେ ପ୍ରେମ ନିଆଁର ଜ୍ୱାଳାରେ ନିଦ ଆସୁ ନଥିଲା ସୁନନ୍ଦାକୁ । ବେଡରେ ଏପଟ ସେପଟ ହୋଇ ଡାଏରୀ ଭିତରୁ ସଂବିତର ଫଟୋ ଓ ଗ୍ରୀଟିଙ୍ଗ୍ କାର୍ଡ ଖୋଲି ଦେଖିଲା ସେ । ହଠାତ୍ ଝରକା ସେପଟେ ସଂବିତ୍ ଠିଆ ହୋଇ ତାକୁ ଡାକୁଥିବାର ଦେଖି ସେ ଚମକି ପଡିଲା । ତା ଦେହ ଭୟରେ ଥରିବାକୁ ଲାଗିଲା । ସାହସ ସଂଚୟ କରି ଡୋର୍ ଖୋଲି ଭିତରକୁ ଡାକି କହିଲା –
-ତମେ ଏତେ ରାତିରେ ? କେହି ଦେଖି ନାହାନ୍ତି ତ ?
-ନା । ତୁମ କଥା ଭାବି ଭାବି ଚାଲି ଆସିଲି ।
-ତମେ ଚାଲିଯାଅ । ବୋଉ ବାପା ଜାଣିଲେ ଖରାପ ଭାବିବେ । ପ୍ଲିଜ୍
-ଓକେ । ତମେ ବ୍ୟସ୍ତ ହୁଅନା ।
ସଂବିତ୍ ସୁନନ୍ଦାର ଖୁବ୍ ପାଖରେ ବସି ତାକୁ ବାରଂବାର ଦେଖୁଥିଲା । ତା’ର ନୀଳ ନୀଳ ଆଖି, ନାଲି ନାଲି ଓଠ, ଲମ୍ବା ଲମ୍ବା ଘନକେଶ, ସରୁ କଟି ଓ ସୁନ୍ଦର ବକ୍ଷଜ ମନରେ କାମନାର ଗୁଂଜରଣ ସୃଷ୍ଟି କରୁଥିଲା । ସେ ସୁନନ୍ଦାକୁ ତା ଛାତି ଉପରକୁ ହଠାତ୍ ଭିଡି ଆଣି ତା ନରମ ଓଠରେ ଏକ ପ୍ରେମର ଚୁମା ଆଙ୍କି ଦେଲା । ସୁନନ୍ଦାର ଫୁଲ ପରି କୋମଳ ଶରୀରରେ କାମନାର ଆଲୋଡନ ଉଙ୍କି ମାରିଲା । ଆଖି ଧିରେ ଧିରେ ବୁଜି ହୋଇ ଆସୁଥିଲା । ଦେହରୁ ଝାଳ ବାହାରୁ ଥିଲା । ସଂବିତ୍ ବାହାର ପଟୁ ଡୋର୍ ବନ୍ଦ କରି ଯିବା ସମୟରେ ହସି ହସି କହିଲା - ପୁ’ଣି ଥରେ ତୁମକୁ ହାପି ଭାଲେନ୍ଟାଇନ୍ ଡେ’ ଆଣ୍ଡ୍ ଗୁଡ୍ ନାଇଟ୍ ।