Sambit Srikumar

Romance Classics Inspirational

4.5  

Sambit Srikumar

Romance Classics Inspirational

କୁନି ପ୍ରେମିକର ଅନ୍ତର୍ଦାହ

କୁନି ପ୍ରେମିକର ଅନ୍ତର୍ଦାହ

10 mins
305


ସେ ସବୁ କିଛି ଖାଏ। ଯାହା ସାଧାରଣ ଲୋକ ଚିନ୍ତା ବି ସୁଦ୍ଧା କରି ପାରିବେ ନାହିଁ। ସେଥିପାଇଁ ନାଁ ତାର ସବାଖିଆ। ସରବା ସବାଖିଆ! ମୋ ଜାଣିବାରେ କେବଳ ମଣିଷକୁ ଛାଡି ଆଉ ସବୁ ଜୀବଜନ୍ତୁଙ୍କ ମାଂସ ଖାଏ ସେ। ମଣିଷ ମାଂସ ଦୁଷ୍ପ୍ରାପ୍ୟ ବୋଲି ଖାଏ ନାହିଁ ବୋଧହୁଏ। ସାପ, ବେଙ୍ଗ, ଗେଣ୍ଡା, ଗୋଧି, ନେଉଳ ଆଦି ତାର ଜଳଖିଆ! ତଥାପି ତାର ପେଟ ପୁରେନି। ସେଇଥିପାଇଁ ଘର ଘର ବୁଲି ବୁଲି ମାଗି ଖାଉଥାଏ ସେ। ଏଥିରେ ତାର ଗୋଟେ ନିଆରା ଆନନ୍ଦ! ହେଲେ ତାକୁ ମାଗିଖିଆ ବୋଲି କେହି ବି କହନ୍ତି ନାହିଁ। କହିବା ପାଇଁ କାହାର ବି ସାହସ ମଧ୍ୟ ନାହିଁ। ସେ ଗଲାପରେ ତା' ପଛରେ ସବାଖିଆ ବୋଲି ଯାହା କହନ୍ତି।

ଦେଖିବାକୁ ବଡ଼ ଭୟଙ୍କର ଲୋକଟେ, ଛଅ ଫୁଟରୁ ଅଧିକ ଉଚ୍ଚତାର କଳା ମଚ୍ ମଚ୍ ମୋଟା ମଣିଷଟିଏ ସରବା। ଥନ୍ତଲା ପେଟଟି ତାର ଗୋଟେ ଛୋଟିଆ ଧାନ ଉଁସୁଆଁ ହାଣ୍ଡି ପରି ଓହଳି ପଡିଥିବ। ଦେହରେ ପିନ୍ଧିଥିବ କେବଳ ଗୋଟିଏ ଚିକ୍କଣ କଳା ଗାମୁଛା, ଅଣ୍ଟାରେ ଦଉଡିଟେ ବନ୍ଧା ହୋଇଥିବ। ସେଥିରେ ଝୁଲୁଥିବ ନାନା ରକମର ମାଳି ଓ କଉଡି, ଛୋଟିଆ ଛୁରୀଟେ ବି ଥିବ ସେଥିରେ। ହାତରେ ମୋଟା ରସ କଢ଼ା, ମୁହଁରେ ଯତନରେ ବଢ଼ିଥିବା ଦାଢ଼ି ଆଉ ଅସୁରଙ୍କ ପରି ନିଶ, ରଡ଼ ନିଆଁ ପରି ଜଳୁଥିବା ଲାଲ୍ ଲାଲ୍ ଆଖି ଯୋଡ଼ିକ, ଯେକେହି ବି ଦେଖିଲେ ଡରିବା ଥୟ।

ପ୍ରତିଦିନ ସକାଳୁ ସକାଳୁ ସରବା ବାହାରି ଯାଏ ଭିକ୍ଷା କରିବାକୁ ଆଖପାଖରେ ଥିବା ଗାଁ ଗଣ୍ଡାକୁ ହାତରେ ରସ କଂସାଟିଏ ଧରି। ସବୁଦିନ ସେଇ ଏକା ଗାଁକୁ ଯାଏନି ସେ। ପାଳି କରି ଭିନ୍ନ ଭିନ୍ନ ଗାଁକୁ ଯାଏ ବାର ଅନୁଯାୟୀ। ମାସଟା ଯାକରେ ପୁରା ଖଣ୍ଡ ମଣ୍ଡଳର ଗାଁ ସବୁକୁ ଖେଦି ଦିଏ ପାଦରେ ଚାଲି ଚାଲି। ବାଟରେ ଗଲା ବେଳେ ଗୋଟେ ଅଲଗା ଅଲଗା ନଜରରେ ସମସ୍ତଙ୍କୁ ସେ ଚାହେଁ। ତାର ଏଭଳି ଭୟଙ୍କର ରୂପ ଆଉ ଚାହାଣୀକୁ ଦେଖି ଲୋକେ ଡରରେ ତାଟି କବାଟ କିଳି ଲୁଚନ୍ତି। ସେ କିନ୍ତୁ ବିକଟାଳ ରଡି ଛାଡି ଛାଡି ଗାଁ ଦାଣ୍ଡରେ ଚାଲିଯାଏ... "ବାବୁ କିଛି ଖାଇବାକୁ ଦିଅ, ମାଆ କିଛି ଖାଇବାକୁ ଦିଅ"...

ସବୁ ଲୋକ ତ ଆଉ ଏକାପରି ନୁହଁନ୍ତି। କିଛି ଲୋକେ ତା'ର ଡାକ ଶୁଣି ଦୟା ପରବଶ ହୋଇ ଖାଇବାକୁ ଦିଅନ୍ତି। ଦାଣ୍ଡରେ ହିଁ ସେ ଖାଏ ମଞ୍ଜ କଦଳୀ ପତ୍ରଟେ ପାରିଦେଇ ମାଟି ଉପରେ। ଗାଁଉ ଗାଉଁ କରି ଗଉଣୀଏ ଚାଉଳର ଭାତ ଖାଇଦିଏ ଦି' ଚାରି ମିନିଟରେ, ରସ କଂସାରେ କଂସାଏ ପାଣି ପିଇବ ତାପରେ । ଖାଇ ସାରି ଛାଇରେ ଘଡିଏ ଶୁଏ, ମୋଟା ଚାକୁଣ୍ଡା ଗଛର ଗଣ୍ଡି ପରି ଦିଶେ ସେ ଶୋଇବା ବେଳେ। ଘର୍ ଘର୍ ଘୁଙ୍ଗୁଡ଼ିରେ ତା'ର ଛୋଟ ଗାଁଟା ଆମର କମ୍ପି ଉଠେ। ଛାଇ ଓଳି ପଡ଼ିଲେ ତା' ବସାକୁ ଲେଉଟି ଯାଏ। ଏମିତି ତାର ଦୈନନ୍ଦିନ ଜୀବନ ଚର୍ଯ୍ୟା। ଫୁଲାଫାଙ୍କିଆ, ଖାଇ କରି ଶୋଇବା କଥା, କାମ ତ କିଛି କରିବାର ହିଁ ନାହିଁ।

ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଲୋକେ ସରବାକୁ ଦେଖି ଡରୁଥିଲେ ବି ଛୋଟ ପିଲାଙ୍କୁ ନଜର ନଲାଗିବା ପାଇଁ ଡେଉଁରିଆ ରଖନ୍ତି ତା ଠାରୁ ପଇସା ଦେଇ।ହୁଏତଃ ସରବା ଡରରେ ଆଉ ସବୁ ଭୁତ ପ୍ରେତ ପିଶାଚ ପିଶାଚୁଣୀ ଡାହାଣୀ ଚିରୁଗୁଣୀ ଡରି କରି ସେଇ ଜାଗା ଛାଡି ପଳାଉଥିବେ ବୋଲି ଆମେ ଆମର ଚପଳ ମନରେ ଭାବୁ! କିନ୍ତୁ ମନ ଭିତରେ ଗୋଟେ ଆଲଗା ପ୍ରକାରର ଭୟ ଘର କରି ରହିଥିଲା ସରବା ପାଇଁ। କେବେ କେବେ ହଠାତ୍ ତା ବିଷୟରେ ଭାବିବା ମାତ୍ରେ ଛାତି ଥରି ଉଠେ, ତଣ୍ଟି ଶୁଖିଯାଏ। ଦେହ ହାତ ଝିମ୍ ଝିମ୍ ହୋଇଯାଏ। ମୁଣ୍ଡ ଚକ୍ରି କାଟେ, ଦୁନିଆରେ ଅଛୁ କି ନାହିଁ, କିଛି ବୋଲି କିଛି ଜଣା ପଡ଼େ ନାହିଁ।

ସେତେବେଳେ ମୁଁ ଅଷ୍ଟମ କି ନବମ ଶ୍ରେଣୀରେ ପଢୁଥାଏ ମୋର ଠିକ୍ ଭାବେ ମନେ ନାହିଁ। ଖରାଛୁଟିରେ ଦିନେ ଉପରଓଳି ମୁଁ ଯାଇଥାଏ ଗାଁ ପାଖ ସୋମନାଥ ହାଟକୁ ଘର ପାଇଁ ସଉଦା ଆଣିବା ପାଇଁ। ଫେରିବା ବେଳକୁ ଖଣ୍ଡେ ବାଟ ଆସିଛି କି ନାହିଁ କାହିଁ କେଉଁ ଆଡୁ ଘୋଟି ଆସିଲା ଘନ ଅନ୍ଧକାର ସହ କଳା ହାଣ୍ଡିଆ ମେଘ। ଘଡ଼ଘଡ଼ି ସହ ତୀବ୍ର ଗତିରେ ପବନ, ଧୂଳି ମଳି ସବୁ ଏକାକାର ହୋଇ ଉଡୁଥିଲେ ଆକାଶକୁ ଖଣ୍ଡିଆ ଭୂତ ପରି। ରାସ୍ତାଘାଟ କିଛି ବି ଦିଶୁନଥିଲା ଅନ୍ଧାର ଘୋଟି। ଅଚାନକ ମୂଷଳ ଧାରାରେ ବର୍ଷିବା ଆରମ୍ଭ ହୋଇଗଲା। ଆଖପାଖରେ ଆଶ୍ରୟ ନେବା ପାଇଁ କିଛି ବୋଲି କିଛି ବି ନଥିଲା। ବାଧ୍ୟ ହୋଇ ମୁଁ ସାଇକେଲଟା ଗଡେଇ ଗଡେଇ ରାସ୍ତାକଡରେ ଥିବା ଗୋଟେ ଘରର ହତା ଭିତରକୁ ପଶିଗଲି ବିନା ବିଚାରରେ, ବିନା କାହାର ଅନୁମତିରେ।

ଶରୀରଟା ମୋର ପୁରା ଭିଜି ଯାଇଥାଏ ବର୍ଷାରେ। ଯାହା ଯେମିତି ହୋଇ ଟିକେ ପୋଛା ପୋଛି ହେଲି। ବାରଣ୍ଡାକୁ ଆଉଜି ଠିଆ ହେଇଥାଏ ମୁଁ। ଅଜଣା ଘର ଅଗଣାରେ ପଶିଥିବାରୁ ଶଙ୍କା ବି ଥାଏ ମନରେ। ବାହାରେ ମେଘ ବର୍ଷୁଥିଲା ବାଦଲଫଟା, ବିଜୁଳି ବି ମାରୁଥାଏ। ମୋର ଆଖି ହାଲୁକା ବନ୍ଦ ଥାଏ କ୍ଳାନ୍ତ ହୋଇ ପଡ଼ିଥିବାରୁ। ନିଦ ଲାଗୁଥିଲା କିନ୍ତୁ ଶୋଇବାର ମୌକା ନଥିଲା। ସହସା ଅନୁଭବ କଲି କେଉଁ ଏକ ଅଜଣା ହାତର ସ୍ପର୍ଶ! ଯୁଗପତ୍ ଭୟ ଓ କୌତୁହଳରେ ବୁଲି ପଡି ପଛକୁ ଚାହିଁଲି ମୁଁ। ଆଉ ଯାହା ଦେଖିବାକୁ ପାଇଲି ମୋ ହୋଶ୍ ଉଡିଗଲା। ଆଖିରୁ ନିଦ ଉଭେଇ ଗଲା କ୍ଷଣିକରେ।

ଘର ଭିତରେ ଠିଆ ହୋଇ ସରବା ସବାଖିଆ ମୁଣ୍ଡ ଟୁଙ୍ଗାରି ଡାକୁଛି ଭିତରକୁ ଆସିବା ପାଇଁ, ଯେମିତି ଭୟଙ୍କର ଅସୁରଟାଏ ନିଷ୍ପାପ କଅଁଳା ଶିଶୁଟିକୁ ତାର ଭୋଜନ କରିବା ପାଇଁ ଟାକି ବସିଛି। ସରବା ସବାଖିଆକୁ ସାମ୍ନାରେ ଦେଖି ମୁଁ ବରଡା ପତର ପରି ଥରିବାକୁ ଲାଗିଲି ଡରରେ। ଲାଗିଲା ସତରେ ଆଜି ସେ ମୋତେ ମାରି ମୋ' ମାଂସ କଞ୍ଚା ଖାଇଯିବ ଲୁଣ ଲଙ୍କା ମଡେଇ! ଯେବେ ସେ ଆମ ଗାଁକୁ ଆସେ ଆମ ଦାଣ୍ଡରେ ଖାଏ, ଥରେ ଅଧେ ଦେଖିଛି ମୋତେ। ଖାଇଲା ବେଳେ ମୋତେ ଅଜବ ନଜରରେ ଦେଖେ। ମୋତେ ଡର ମାଡେ ତାକୁ ଦେଖି କରି , ମୁଁ ଘର ଭିତରକୁ ପଳାଏ ତା କୋପରୁ ରକ୍ଷା ପାଇବା ପାଇଁ।

"ଆରେ ବାବା, ଏତେ ଭାବୁଛ କଣ? ଭିତରକୁ ଆସ।" କର୍କଶ କଣ୍ଠରେ କହିଲା ସରବା। ତା'ର ସ୍ବର ହିଁ ଏମିତି। ବାହାରେ ବଢୁଥିଲା ଧୂମାଳର ଗତି, ବାଦଲଫଟା ବର୍ଷୁଥିଲା। ନିରୂପାୟ ହୋଇ ଡରି ମରି ମୁଁ ଘର ଭିତରେ ପାଦ ରଖିଲି ଥରି ଥରି। ମୋ ଦେହରୁ ରକ୍ତ ଶୁଖି ଗଲା ପରି ଲାଗୁଥିଲା। ଘର ତ ନୁହେଁ ସେ ଥିଲା ଯେମିତି ଗୋଟେ ପୁରୁଣା ଜମିଦାରୀ କୋଠି। ସୌଖୀନ ଆସବାବପତ୍ରର ସାଜସଜ୍ଜା ଦେଖି ଆଖି ମୋର ଖୋସି ହୋଇଗଲା। ଆଁ କରି ଚାହିଁ ରହିଥାଏ ମୁଁ। ମୋତେ ଏମିତି ବ୍ଯତିବ୍ଯସ୍ତ ହେବାର ଦେଖି ସରବା ସହଜିଆ ଭାବରେ କହିଲା,"ବସ, ବାବୁ ଏଇଠି!"

ଯନ୍ତ୍ରବତ୍ ମୁଁ ବସି ପଡିଲି ଗୋଟିଏ କାଠ ଚୌକିରେ, ବେଶ୍ କମକୁଟ କାମ ହୋଇଥିଲା ସେଥିରେ। ସରବା ପଚାରିଲା ମୋତେ, "କଣ ଖାଇବ ବାବୁ?" ଏକଥା ଶୁଣି ମୁଁ ବଡ ଦ୍ବିଧାରେ ପଡିଗଲି। ଯାହାର ପେଟ ପୁରୁନି ବୋଲି ଯିଏ ଦୁନିଆ ଯାକ ବୁଲି ବୁଲି ଖାଏ, ସେ ପୁଣି ମୋତେ ଖାଇବାକୁ ଯାଚୁଛି! ଅକଲ ଗୁଡୁମ ହୋଇଗଲା ମୋର। ଯଦି ଖାଇବାରେ କଣ ମିଶେଇ କରି ଦେଇ ଦେବ ଆଉ ମୁଁ ଖାଇ କରି ଶୋଇଯିବି ଆଉ ମୁଁ ଶୋଇଗଲା ପରେ ଏମିତି ଭାବୁ ଭାବୁ ମୋ ମୁଣ୍ଡ ବୁଲାଇ ଦେଲା, ଦେହ ହାତ ଝିମ୍ ଝିମ୍ ହୋଇ ଯାଉଥାଏ। ଗଳା ଶୁଖି ଯାଉଥାଏ କଥା ପଦଟିଏ ବି ବାହାରୁ ନଥାଏ। ମହା ବିପଦରେ ପଡି ମନେ ମନେ ଠାକୁରଙ୍କୁ ଡାକୁଥାଏ, ଏ ସରବା ସବାଖିଆ ଠାରୁ ଆଜି ବଞ୍ଚିଲେ ଶହେ ଆଠ ନଡିଆ ଚଢେଇବି, କାଳୀ ଗାଈ କ୍ଷୀରରେ ଅଭିଷେକ କରାଇବି ଇତ୍ଯାଦି ଇତ୍ୟାଦି।

ମୁଁ କିଛି କହିବା ଆଗରୁ ସରବାର ଝିଅ ଗୋଟିଏ ଥାଳିଆରେ କିଛି ଶୁଷ୍କ ଖାଦ୍ୟ ଖାଇବାକୁ ଧରି ଆସିଲା ଓ ମୋ ଆଗରେ ପଡିଥିବା ଟେବୁଲ ଉପରେ ରଖି କରି ଭିତରକୁ ଚାଲିଗଲା। ଭାରି ସୁନ୍ଦରିଆ ଝିଅଟିଏ ସିଏ! ବୟସ କେତେ ହେବ? ସେ ଅନୁମାନ ମୋତେ ଜଣା ନାହିଁ। କିଶୋରୀରେ ପରିଗଣନା କରାଯାଇପାରେ। ସୂର୍ଯ୍ୟମୁଖୀ ଫୁଲ ପରି ହସହସ ମୁହଁ, ହରିଣୀ ପରି ଆଖି, ପାଚିଲା କଇଁଚି କାକୁଡି ପରି ଓଠ! ଅପଲକ ନୟନରେ ଚାହିଁ ରହିଥିଲି ମୁଁ ତାର ମୁଖମଣ୍ଡଳକୁ। ଏବେ ମନରେ ମୋର ଭୟ ପ୍ରତିବଦଳରେ ଜିଜ୍ଞାସା। ପରୀ ରାଇଜ କାହାଣୀ ପରି ଲାଗୁଥାଏ ମୋତେ। ଏମିତିଆ କୋଚଟ କାଳିଆ ଲୋକ ଠାରୁ ଏତେ ଅନିନ୍ଦ୍ୟା ସୁନ୍ଦରୀ କନ୍ୟା କେମିତି ଜନ୍ମ ହୋଇପାରେ? ଏଇ ତାର ଝିଅ ନା କୋଉଠୁ ଚୋରିକରି ଆଣିଛି? ଯେମିତି ଆଈମା କାହାଣୀରେ ବିକଟାଳ ରୂପ ଥିବା ରାକ୍ଷସ ରାଜକୁମାରୀକୁ ହରଣ କରି ପାଖରେ ନିଜ ଝିଅ ପରି ପାଳିଥାଏ! କିନ୍ତୁ ପଚାରିବି ବା କାହାକୁ? କିଏ ବା କାହିଁକି ଦେବ ମୋ ଅସମାହିତ ପ୍ରଶ୍ନ ସବୁର ଉତ୍ତର?

ଘରେ କେବଳ ବାପ ଆଉ ଝିଅ ଥିବାର ମୁଁ ଅନୁମାନ କରୁଥିଲି। ଏଣୁ ସରବାର କୋଠାଟି ମୋତେ ରହସ୍ୟମୟ ମନେ ହେଉଥିଲା ଓ ଏସବୁ ଆଈମା କାହାଣୀର ବିଷୟବସ୍ତୁ ପରି ଲାଗୁଥିଲା। ତା'ର ରୂପ ଭେକ ଚେହେରା ହାବଭାବକୁ ଦେଖି ମୋର ଆଶଙ୍କା ଅମୂଳକ ବି ନଥିଲା। କିନ୍ତୁ ତା'ର ସେଇ ଚାନ୍ଦମୁଖୀ ଝିଅଟି ବିଷୟରେ ଭାବି ଭାବି ସବୁ କଥା ଭୁଲିଗଲି। ବାହାରେ ସେମିତି ମେଘ ବର୍ଷୁଥିଲା, ଥମିବାର ନାଁ ଧରୁନଥିଲା। ହୁଏତଃ ପ୍ରକୃତି ମଧ୍ଯ ମୋ ଭାବନାର ଅନୁକୂଳରେ ତା'ର ଲୀଳାଖେଳା ଜାରି ରଖିଥିଲା।

ମୋର ଆନମନା ଭାବଭଙ୍ଗୀ ଦେଖି ସରବା କହିଲା, "କଣ ଭାବୁଛ ବାବୁ? ଜଲଦି ଖାଇଦିଅ। ଚାହା କରି ଆଣୁଚି ଝିଅ। ଆରାମରେ ବସ। ଧୂମାଳ ଛାଡିଲେ ଘରକୁ ଯିବ।" ମୁଁ ତା'ର କଥାରେ ନୁହେଁ ବରଂ ତା ଝିଅକୁ ଦେଖି ସବୁ କିଛି ଖାଇ ଦେଲି ଆଖି ବୁଜି। ସୁଆଦିଆ ମିଠା ବିସ୍କୁଟ୍ ଥିଲା ଖାଇବା ପାଇଁ। ଯାହା ହବ ତ ହବ ପରେ ଦେଖିବା ଭାବି। ଯଦି କିଛି ହେଲା ଆଉ ମୋତେ ଏଠି ବନ୍ଦୀ ହୋଇ ରହିବାକୁ ପଡିଲା ବି ଏଇ ଦିବ୍ୟ ସୁନ୍ଦରୀ ଝିଅଟିର ସାନିଧ୍ୟ ତ ମିଳିବ ନା? ଝିଅ ହୁଏତଃ ତା ବାପା ଠାରୁ ମୋର ଜୀବନ ରକ୍ଷା କରିବା ପାଇଁ ନେହୁରା ହେବ ଆଉ ମୋ ସାଥିରେ ରହିବ ଚିରଦିନ! ଆମେ ଦୁହେଁ ପକ୍ଷୀରାଜ ଘୋଡ଼ା ଚଢି ବୁଲିବୁ ଆକାଶରେ। ଏପରି ରୋମାଞ୍ଚିତ ଭାବନାରେ ଡୁବିଗଲି ମୁଁ।

ଏଇ ଭିତରେ ଚାହା ଆସି ଯାଇଥିଲା। ଏପରି ସୁଆଦିଆ ଚାହା ଆଗରୁ କେବେ ପିଇ ନଥିଲି ମୁଁ। ସରବା ସବାଖିଆର ଆତିଥ୍ଯରେ କୃତ୍ଯ କୃତ୍ଯ ମନେ କରୁଥିଲି। ଆଜି କାହିଁକି କେଜାଣି ସରବାଟା ଭାରି ଦରଦୀ ହୃଦୟର ମଣିଷ ପରି ଲାଗୁଥିଲା ମୋତେ। ଇଛା ହେଉଥିଲା ସେଇ ଅପରୂପା ଝିଅଟି ସହ ଦୁଇ ଚାରି ପଦ କଥାଭାଷା ହେବାକୁ ମନ ଖୋଲି। କହି ଦେବା ପାଇଁ ମୋ ମନ ଭିତରେ କଣ କଣ ଚାଲିଛି ବୋଲି। ହେଲେ ତା' ବାପାର ଡରରେ ଇଛାକୁ ହତ୍ଯା କରିବାକୁ ହେଲା। କୁହୁକିନୀ ପରି ଯଦି ମୋ ମନକୁ ପଢି ଜାଣି ପାରିବ ତେବେ ଏଇଠି ହିଁ କାହାଣୀ ଶେଷ! ମୋର ଏମିତି ଅବାନ୍ତର ଭାବିବା ଭିତରେ ଧୁମାଳ ବି କମି ଯାଇଥିଲା।

ମୁଁ ବାହାରି ପଡିଲି ସହଳ ଘର ଅଭିମୁଖେ। ବାଟସାରା ଭାବୁଥିଲି ଖାଲି ସରବାର ଝିଅ କଥା ଯାହା। ତ୍ରିଶଙ୍କୁ ସ୍ବର୍ଗରେ ଥିବା ପରି ଅନୁଭବ କରୁଥିଲି। ନା କାହା ଆଗରେ କହି ପାରୁଥିଲି ଯେ ସବାଖିଆ ଘରେ ଖାଇଛି ବୋଲି ନା ତା ଝିଅକୁ ମନେ ମନେ ଭଲପାଉଛି ବୋଲି। ମନର ଫରୁଆ ଭିତରେ ମୋର ଏଇ ପ୍ରେମ ରହିଗଲା। ନା କାହାକୁ କହିପାରିଲି ନା ସରବା ସବାଖିଆର ଝିଅକୁ ଆଉ ଭେଟି ପାରିଲି।

ଅଚାନକ ଆମ ଘର ଲୋକେ ନିଷ୍ପତ୍ତି ନେଲେ ଯେ, ମୁଁ କଟକରେ ଛାତ୍ରାବାସରେ ରହି ପଢିବି। ମୋର ସାହାସ ନଥିଲା ଘରଲୋକଙ୍କ ନିଷ୍ପତ୍ତିର ବିରୋଧ କରିବା ପାଇଁ। ଯେହେତୁ ମୋର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସେମାନଙ୍କର ଏହି ପଦକ୍ଷେପ କେମିତି ବା ମୁଁ କହି ପାରି ଥାଆନ୍ତି ଯେ, ସରବା ସବାଖିଆର ଝିଅ ପାଇଁ ମୁଁ କଟକ ଯିବି ନାହିଁ? ଅଗତ୍ୟା ମୋ ପ୍ରେମ କାହାଣୀରେ ଗୋଟିଏ ବିରାମ ଚିହ୍ନ ଲାଗିଗଲା। ମାତ୍ର ଏଇ ବିରାମ ଚିହ୍ନ ସାମୟିକ ଅଥବା ପୂର୍ଣ୍ଣକାଳୀନ ତାହା ନିୟତି ଭିନ୍ନ ଆଉ କାହାରିକୁ ବି ଜଣା ନଥିଲା। ମୋ ଭିତରର କୁନି ପ୍ରେମିକଟି ବ୍ରହ୍ମଚାରୀ ଦୀକ୍ଷା ନେଇ ଅନୁଶାସିତ ଭାବେ ମନକୁ ମାରି କଟକ ଚାଲିଆସି ସେଠାରେ ପାଠ ପଢିବାକୁ ଲାଗିଲା।

ଏହା ମଧ୍ୟରେ ଦେବୀ ନଦୀରେ ଅନେକ ମଧୁର ଜଳ ବହିଯାଇଛି ଲବଣାକ୍ତ କଳିଙ୍ଗ ସାଗରକୁ। ଅନେକ ବର୍ଷ ବିତିଯାଇଛି ମୋର ଅନାସକ୍ତ ଜୀବନରେ। ସ୍କୁଲ ପାଠ ସରିବା ପରେ ଏବେ କଲେଜରେ ପଢୁଛି। ବିଏ ଶେଷ ବର୍ଷର ଛାତ୍ର। ଅର୍ଥନୀତିରେ ସମ୍ମାନ ରଖି ପଢୁଥାଏ ରେଭେନ୍ସା କଲେଜରେ। ମୁଁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛି ସରବା ସବାଖିଆର ଝିଅ ବିଷୟରେ। ଏମିତି କହିବାକୁ ଗଲେ ଗାଁ ଛାଡ଼ିବା ପର ଠାରୁ ମୁଁ ଆଉ ଏ ବିଷୟରେ କେବେ ବି ଅଧିକ ଚିନ୍ତା କରିନାହିଁ। ହୁଏତଃ କଟକ ମହାନଗରୀର ମାୟା ମୋତେ ଭୁଲାଇ ଦେଇଛି ସବୁକିଛି।

ଏମିତି ଦିନେ ମୁଁ' ଗାଁକୁ ଯାଇଥିବା ବେଳେ ହଠାତ୍ କାହିଁକି ପୁରୁଣା କଥା ସବୁ ମନ ଭିତରକୁ ଧସେଇ ପଶିଲା। ବଡ଼ ପ୍ରଭାବଶାଳୀ ଥିଲା ଏହି କଥାସବୁ। ଯେତେ ଚେଷ୍ଟା କଲେବି ମୁଁ ସେଇ ଚିନ୍ତନରୁ ନିଜକୁ ଦୂରେଇ ରଖି ପାରିଲି ନାହିଁ। ବଡ଼ ଅଣନିଃଶ୍ବାସୀ ଅନୁଭବ ହେଉଥିଲା। ଅନ୍ତତଃପକ୍ଷେ ଥରୁଟିଏ ଯାଇ ସରବା ସବାଖିଆର ଝିଅକୁ ଦେଖି ଆସିବାକୁ ମନ ମୋର ବାରମ୍ଵାର କହୁଥିଲା ମୋତେ। ଆଜି ବି ମୋର ସ୍ଥିତି ସେଇ ସ୍କୁଲରେ ପଢିବା ବେଳର। ସଦାସର୍ବଦା ଅନ୍ତର୍ମୁଖୀ! ନା ନିଜର କଷ୍ଟ କାହାକୁ ମନ ଖୋଲି କହି ପାରେ ନା କିଛି ବି ସାହାସ ବାନ୍ଧି କରି ପାରେ। "ଡ଼ରୁଆଙ୍କ ଅଭିଧାନରେ ପ୍ରେମ ଶବ୍ଦ ନାହିଁ!" ଅର୍ଥାତ୍ ପ୍ରେମ କରିବା ଲାଗି ସାହାସୀ ହେବା ନିତାନ୍ତ ଜରୁରୀ।

ମସ୍ତିଷ୍କ ମୋର ଯେତେ ଯାହା ଯୁକ୍ତି ବାଢିଲେ ମଧ୍ୟ ସେଦିନ ମନ ପାଖରେ ହାର୍ ମାନିଲା। ଉଦୁଉଦିଆ ଖରାବେଳଟାରେ ସାଇକେଲ୍ ଧରି ମୁଁ ବାହାରିଲି ଜଗତସିଂହପୁର। ଗାଁରୁ ପ୍ରାୟ ଆଠ ଦଶ କିଲୋମିଟର ଦୂର। ଘରେ କହିକି ଗଲି ଯେ, ଜଣେ ସାଙ୍ଗକୁ ଭେଟିବା ପାଇଁ ଯାଉଛି ବୋଲି କଲେଜ ପ୍ରୋଜେକ୍ଟ ପାଇଁ ଜରୁରୀ କାମରେ। ଅସଲ କାରଣ ତ କହି ହେବ ନାହିଁ କାହାକୁ। ସାଇକେଲ୍ ପେଡାଲକୁ ଖୁବ୍ ଜୋରରେ ମାରି ମୁଁ ବାହାରିଲି ସରବା ସବାଖିଆର ଝିଅର ହାନିଲାଭ ବୁଝିବାକୁ। ମୋର ଦୁର୍ଭାଗ୍ୟକୁ ସାଇକେଲ ଚେନ୍ ଛିଣ୍ଡିଗଲା ଅଧା ବାଟରେ। ଦୂର ଦୂର ଯାଏ ଜନବସତିର ଚିହ୍ନ ବର୍ଣ୍ଣ ନାହିଁ। ଉପରେ ସୂର୍ଯ୍ୟ ନାରାୟଣଙ୍କ ପ୍ରଖର କିରଣ। ତଣ୍ଟି ଶୁଖି ଯାଉଥାଏ ଶୋଷରେ। ପାଣି ଟୋପାଏ ମିଳିବା କାଠିକର ବ୍ଯାପାର। ଯାହା ବି ହେଉ ଅଦମ୍ୟ ଇଚ୍ଛାଶକ୍ତି ବଳରେ ଧିରେ ଧିରେ ସାଇକେଲ ଗଡ଼ାଇ ଗଡ଼ାଇ ମୁଁ ଆଗକୁ ଚାଲିବାକୁ ଲାଗିଲି। ସତରେ ମଣିଷକୁ ଏଇ ପ୍ରେମ କଣ କଣ ନକରାଏ!

ଖଣ୍ଡେ ଦୂର ଯିବା ପରେ ଗାଁଟିଏ ପଡିଲା। ସାଇକେଲ ମରାମତି କରିବା ପାଇଁ ଦୋକାନୀ ଘର ଖୋଜିଖୋଜି ଯାଇ ତାକୁ ନିଦରୁ ଉଠାଇ ହାତ ଯୋଡ଼ି ନେହୁରା ହେଲି। ରବିବାର ଖରାବେଳେ ପଖାଳ ଆଉ ନଦୀ ମାଛ ଭଜା ଖାଇ ଆରାମରେ ଶୋଇଥିବା ଲୋକଟିକୁ ନିଦରୁ ଉଠାଇବା ଥିଲା ଅସାଧ୍ୟ ବ୍ଯାପାର। ବହୁ କଷ୍ଟରେ ସେ ରାଜି ହେଲା କିନ୍ତୁ ଦିଗୁଣା ପଇସା ଦାବି କଲା। ପଚାଶ ଟଙ୍କା ଖର୍ଚ୍ଚ କରି ସାଇକେଲ ସଜାଡ଼ିବା ପରେ ମୁଁ ପୁନର୍ବାର ଯାତ୍ରା ଆରମ୍ଭ କଲି ସରବା ସବାଖିଆ ଘର ଅଭିମୁଖେ। ଏମିତି ଦିନେ ଦୁର୍ବାର ପ୍ରେମ ଭାବନାର ବଶବର୍ତ୍ତୀ ହୋଇ ଗୋସ୍ଵାମୀ ତୁଳସୀ ଦାସ ଗଙ୍ଗାନଦୀ ସନ୍ତରଣ କରିଥିଲେ!

ଯଦିଓ ବହୁଦିନ ଧରି ଜଗତସିଂହପୁର ମୁଁ ଯାଇ ନଥାଏ, ତଥାପି ରାସ୍ତା ସବୁ ଗୋଟି ଗୋଟି କରି ମନେ ପଡି ଯାଉଥାଏ। ପରିଶେଷରେ ମୁଁ ଯାଇକରି ପହଞ୍ଚିଲି ସରବା ସବାଖିଆର କୋଠି ପାଖରେ। କିଛିଟା ମରାମତି କାର୍ଯ୍ୟ କରାଯାଇ ଚୂନ ଧଉଳିଆ କରାଯାଇଛି କୋଠିଟିକୁ। ସମସ୍ତ ସାହାସ ମନରେ ଧରି ପାଦ ଚିପି ଚିପି ଅତି ସନ୍ତର୍ପଣରେ ମୁଁ କୋଠି ପରିସରକୁ ପ୍ରବେଶ କଲି। ସାଇକେଲର ଷ୍ଟାଣ୍ଡ ମାରି ରଖିଦେଲି ପାଚେରୀ କଡ଼ରେ। ପାହାଚ ଅତିକ୍ରମ କରି ସଦର ଦୁଆରର କବାଟରେ କରାଘାତ କଲି। ଶବ୍ଦ ଶୁଣି କେହି ଜଣେ କବାଟ ଖୋଲିବା କ୍ଷଣି ମୋର ଆଶ୍ଚର୍ଯ୍ଯର ସୀମା ରହିଲା ନାହିଁ। ମୋ ସାମ୍ନାରେ ଠିଆ ହୋଇଥିଲା ଶୁକୁଟା ସବାଖିଆର ଅନିନ୍ଦ୍ୟ ସୁନ୍ଦରୀ କନ୍ୟା। ଯାହା ପାଇଁ ଏତେ ବାଟରୁ ଧାଇଁ ଆସିଥିଲି ଯୋଗକୁ ସିଏ ହିଁ କବାଟ ଖୋଲିଲା। ଆଃ! ସାର୍ଥକ ହୋଇଗଲା ମୋର ଜୀବନ! ଧନ୍ଯ ହୋଇଗଲା ଜନ୍ମ! ମୁଁ କୃତ୍ଯ କୃତ୍ଯ ମନେ କରି ଖୁସିରେ କୁରୁଳି ଉଠିଲି! ଅନିର୍ବଚନୀୟ ଆନନ୍ଦ! ଅବର୍ଣ୍ଣନୀୟ ଅନୁଭୂତି!

ମୋ ତୁଣ୍ଡରୁ ପଦୁଟିଏ କଥା ସ୍ଫୁରଣ ହେଉନଥିଲା। କିଂକର୍ତ୍ତବ୍ଯବିମୁଢ ଅବସ୍ଥା ମୋର ସେତେବେଳେ। କଣ କହିବି କିଛି ବୋଲି କିଛି ଚିନ୍ତା କରି ପାରୁନଥିଲି। ମନ କିନ୍ତୁ ମୋର ଅନେକ କଥା ଭାବି ଚାଲିଥାଏ। ଆଗତ ଭବିଷ୍ଯତର କଥା। ମଧୁର ମୂହୁର୍ତ୍ତର କଥା। ଅପଲକ ନୟନରେ ତାହାର ପଦ୍ମପତ୍ର ସମ ମୁଖମଣ୍ଡଳକୁ ଚାହିଁ ରହିଥିଲି। ମୁଁ ଆଉ ମୁଁ ହୋଇ ନଥିଲି। ଭୂବନମୋହିନୀଙ୍କ ସୌନ୍ଦର୍ଯ୍ୟ ଅବଲୋକନ ଉପରାନ୍ତେ ଦେବର୍ଷି ନାରଦଙ୍କ ଅବସ୍ଥା ପରି ମୋର ଅବସ୍ଥା। ଚିନ୍ତା ଚୈତନ୍ୟ ଜାଗତିକ ସତ୍ତା କେହି ବି ମୋର ନିୟନ୍ତ୍ରଣରେ ନଥିଲେ। ମୁଁ ଦୁନିଆର ସମସ୍ତ ସୁଖ ହାତମୁଠାରେ ପାଇଥିବା ଭଳି ଅନୁଭବ କରୁଥିଲି।

ଅଚାନକ ମୋ ଭାବନାରେ ଅନ୍ତ ଘଟାଇ ସରବା ସବାଖିଆର ଝିଅ ପଚାରିଲା, "କାହାକୁ ଖୋଜୁଛନ୍ତି?"

: ତୁମକୁ

: ଏଁ କଣ ହେଲା?

: ନାଇଁ, ନାଇଁ ମଉସାଙ୍କ ପାଖକୁ ଆସିଥିଲି ଡେଉଁରିଆ ପାଇଁ।

: ଏଇଠି ରୁହ। ଡାକୁଛି ବାପାଙ୍କୁ।

କିଛି କ୍ଷଣର ଅପେକ୍ଷା ପରେ ସରବା ଦି' ହାତରେ ଦିଇଟା ଛୋଟ ଛୁଆଙ୍କୁ ଧରି ଆସି ପହଞ୍ଚିଲା ଦୁଆର ମୁହଁରେ। କିଛି ବି ପରିବର୍ତ୍ତନ ହୋଇନଥିଲା ତା'ର ଏତେଦିନରେ। ଦୁଇ ହାତରେ ଥିବା ବେଶ୍ ଗୁଲୁଗାଲିଆ ସୁନ୍ଦର ଶିଶୁଦୁଇଟି, ଦେବଦୂତ ପରି ମନେ ହେଉଥାନ୍ତି। ଏମିତି ପିଲାଙ୍କ ପିତାମାତା ହେବାକୁ ସଭିଏଁ ଇଚ୍ଛା କରନ୍ତି। ମୁଁ ବା ଏଥିରୁ ବାଦ୍ ପଡିଥାନ୍ତି କେମିତି ? ମୋତେ ଦେଖି ଏକାଥରକେ ଚିହ୍ନି ପାରି ସେ କହିଲା, "ତମେ ଅମୁକ ଗାଁର ସମୁକ ଘରର ପୁଅ ତ ଆସ ବାବୁ ଭିତରକୁ ଆସ!"

ଘର ଭିତରକୁ ଯାଇ ସେ କିଛି ପଚାରିବା ପୂର୍ବରୁ ମୁଁ ପଚାରିଲି, "ଆଛା ମଉସା! ଏଇ ପିଲା ଦିଇଟା କିଏ?"

: ମୋର ନାତି। ଏଇ ଯେଉଁ ଝିଅକୁ ଦେଖିଲ, ତା'ର ଜାଆଁଳା ପୁଅ। ମୋର ତ ଗୋଟିଏ ବୋଲି ଝିଅ। ଜଲଦି ବାହାଘର କରିଦେଲି ଯୋଗ୍ୟ ପାତ୍ର ଖୋଜି। ବାହାଘର ପରେ ଘରଜୋଇଁଆ କରି ରଖିଛି ଏଇଠି।

ମୁଁ, ମୋର ସବୁ ପ୍ରଶ୍ନର ଉତ୍ତର ପାଇ ସାରିଥିଲି। କାନମୁଣ୍ଡା ଝାଇଁ ଝାଇଁ କରୁଥିଲା ସରବାର କଥା ଶୁଣି। କିଛି ସମୟ ପରେ ତା'ର ଝିଅ ଆସିଲା ପାଣି ଗ୍ଲାସ୍ ହାତରେ ଧରି। ତାଳୁରୁ ତଳିପା ମୁଁ ଦେଖୁଥିଲି ବିସ୍ମିତ ହୋଇ। ମୋର କୁନି ପ୍ରେମିକାଟି ଆଉ କାହାର ବଧୂ ହୋଇ ସାରିଲାଣି ଅନେକ ଦିନରୁ। ଏବେ ଏବେ ତ ମାତୃତ୍ୱ ଗୌରବର ଅଧିକାରିଣୀ। ଏ ଜନ୍ମ ତ ଏ ଜନ୍ମ ଆହୁରି ସାତ ଜନ୍ମ ପାଇଁ ମଧ୍ଯ ସେ ମୋ ଠୁଁ ଦୂରେଇ ଯାଇଛି। କେବଳ ମୋର ଭୁଲ୍ ପାଇଁ। ଭଗ୍ନ ମନୋରଥରେ ଫେରି ଆସୁଥିବା ବେଳେ ମୋ କାନରେ ଗୁଞ୍ଜରିତ ହେଉଥିଲା ସେଇ କଥା ପଦଟି

"ଡ଼ରୁଆଙ୍କ ଅଭିଧାନରେ ପ୍ରେମ ଶବ୍ଦ ନାହିଁ ।


Rate this content
Log in

Similar oriya story from Romance