Prasanta kumar Hota

Romance

4.3  

Prasanta kumar Hota

Romance

କୁମାର ପୂର୍ଣିମାର ସେହି ଅଭୁଲା ଦିନ

କୁମାର ପୂର୍ଣିମାର ସେହି ଅଭୁଲା ଦିନ

9 mins
293


 

ପ୍ରାୟ ଦଶ ବର୍ଷ ପରେ ମୁଁ ଯାଉଥିଲି ଆଠଗଡ। ଚାଲି ଚାଲି ଯାଉଥାଏ। ମୋ ଶଶୁର ଘର ଆଠଗଡ ଟାଉନରୁ ପାଞ୍ଚ କିଲୋମିଟର। ଆଜି କୁମାର ପୂର୍ଣ୍ଣମୀ ଓ ମୋର ଏକ ସ୍ମରଣୀୟ ଦିନ ବୋଲି ମୋ ମନରେ ଘରେ ପହଞ୍ଚିବାର ବ୍ୟାକୁଳତା ବହୁତ ଥାଏ। ଆଜି ଦିନଟି ବିବାହ ବାର୍ଷିକୀ ନହେଲେ ବି ତାଠାରୁ ଅଧିକ ସ୍ମରଣୀୟ ମୋ ପାଇଁ। ମୁଁ ଏହି ଦିନଟିକୁ ବିବାହର ସ୍ମୃତି ହିସାବରେ ଆଜି ପର୍ଯ୍ୟନ୍ତ ମନେ ରଖିଛି। ପତ୍ନୀ ଙ୍କ ଠାରୁ ଦୁଇ ତିନି ଥର ଫୋନ୍ ଆସି ସାରିଲାଣି। ମୁଁ କିନ୍ତୁ କାହାକୁ ପଠେଇବା ପାଇଁ ମନା କରି ଦେଇଥିଲି। 

ବହୁତ ଦିନ ପରେ ଆଠଗଡ ସହରଟା କେମିତି ଅଲଗା ଅଲଗା ଲାଗୁଥାଏ କିନ୍ତୁ ସ୍ମୃତି ର ତାଜା ମହକ ଏବେ ବି ମନର ଅନ୍ତଃକରଣରେ ପଶି ଆସୁଥାଏ। ଆଠଗଡ କଲେଜରେ ପଢେଇଲା ବେଳର କଥା ଜୀବନ୍ତ ହୋଇ ମନେ ପଡି ଯାଉଥିଲା l ମୁଁ ଚାକିରୀ ପାଇବାର କିଛି ଦିନ ପରେ ବଦଳି ହୋଇ ଆଠଗଡ କଲେଜ ଆସିଥାଏ। ପ୍ରଥମ ଦିନ କଲେଜ ଭିତରେ ପଶୁ ପଶୁ ଦିଟା ବେଣୀ ଝୁଲେଇ ରୀତା ମୋ ଆଗରେ ଚାଲୁଥାଏ। ଆଜିକାଲିକା ଯୁଗରେ ବେଣୀ ଝୁଲାଇ ଚାଲିବା ଝିଅ ଦେଖି ମନ ଭିତରେ କୌତୁହଳ ଆସିଲା। ପାଖକୁ ଯାଇ ଟିକେ ଦେଖିବାକୁ ଇଛା ହେଲା। ମୁଁ ମୋର ଚାଲିବାର ଗତି ବଢେଇ ଦେଲି। ରୀତା ର ପାଖ ହେବା କ୍ଷଣି କୌତୁହଳରେ ମୁହଁ ବୁଲାଇ ଦେଖିଲି ତାର ସୁନ୍ଦର ମୁଖମଣ୍ଡଳ। ତା ଭିତରର କିଶୋରୀ ମୁହଁଟା ମୋ ହୃଦୟ ଭିତରେ ପଶିଗଲା। ସେ ମୋ ସାଥୀରେ ଚାଲୁଥିଲା ଆଉ ମନେ ପକେଇ ଦଉଥିଲା ସିନେମା ଦେଖି ସ୍ଵପ୍ନ ରେ ବିଭୋର ହୋଇ ହଜି ଯାଇଥିବା ଅନେକ ମୁହୂର୍ତ୍ତ l ମୁଁ ସତେ ଅବା ଚାଲିଥିଲି ପ୍ରେମିକଟିଏ ପରି । ମୋ ପାଟିରୁ କଥା ବାହାରୁ ନଥାଏ। ମୁଁ ମାତ୍ର ଆଉଥରେ ସେ ମୁହଁ କୁ ଚାହିଁବାକୁ ଚେଷ୍ଟା କରିଛି, ହଠାତ ମୋତେ ଆଶ୍ଚର୍ଯ୍ୟ କରି ରୀତା ଅଭଦ୍ର ଅସଭ୍ୟ ଠୁ ଆରମ୍ଭ କରି ଆହୁରି କେତେ କଣ ମୋତେ ଗାଳି ଦେବାକୁ ଲାଗିଲା। ସାଙ୍ଗେ ସାଙ୍ଗେ କଲେଜର ଅନ୍ୟ ଛାତ୍ର ମାନେ ପାଖରେ ଗଦା ହୋଇଗଲେ। ମୁଁ ଯେହେତୁ କଲେଜ ପରିସରରେ ସମ୍ପୂର୍ଣ୍ଣ ନୂଆ ମୋତେ କେହି ଚିହ୍ନି ନଥିଲେ। ଯିଏ ଯାହା ପାରିଲେ କହିବାକୁ ଲାଗିଲେ। ମୋର ଭାଗ୍ୟ ଥିଲା ବୋଲି ବୋଧେ କେହି ହାତ ଉଠାଇ ନଥିଲେ। ବଡ ଦିଶୁଥିଲି ବୋଲି କି କଣ ସେତିକି ଭଦ୍ର ଆଚରଣ ସେମାନେ ରଖି ମୋର ବଞ୍ଚି ଯାଇଥିବା ଈଜ୍ଜତ କୁ ପୁରା ସୁରକ୍ଷା ଦେଇଥିଲେ। ତଥାପି ସମ୍ପୂର୍ଣ୍ଣ ଲଜ୍ଜାରେ ମୁଁ ଝାଉଁଳି ପଡିଥିଲି। ନିଜକୁ ଜଣେ ଅଧ୍ୟାପକ ବୋଲି କହିବା ପାଇଁ ସାହାସ ପାଉ ନଥିଲା। ମନର କଥା ମନରେ ରଖି ଝିଅ ଟାକୁ ଅନେଇବାର ଯେଉଁ ପାପ କରିଥିଲି ତାର ପ୍ରାୟଶ୍ଚିତ କରୁଥିଲି। ଇତି ମଧ୍ୟରେ ଗୋଟିଏ ଝିଅ ନିଜ ସାହାସର ପରିଚୟ ଦେଇ ଚପଲ ଉଠାଇ କହିଲା - ଏମିତି ଲୋକଙ୍କୁ ଚପଲରେ ମାଡ ହେଲେ ବୁଦ୍ଧି ଶିଖିବେ। ମନେ ମନେ ଭାବିଲି ସବୁଠି ସବୁ ଯାଗାରେ ନିର୍ବଳ ଉପରେ ଅତ୍ୟାଚାର। ନହେଲେ ବଳତ୍କାରୀ ର ବାଳ ବଙ୍କା କରି ପାରୁ ନାହାନ୍ତି, ଅଥଚ ମୁଁ କିଛି କହୁନି ବୋଲି ମୋ ଉପରେ ସବାର ହେଇ ଚାଲିଛନ୍ତି । ମୋର କେବଳ ଦେଖିବାର ଉତ୍କଣ୍ଠା ପାଇଁ ନାରୀର ଯେ ଏତେବଡ ସମ୍ମାନ ହାନୀ ହେବ ମୁଁ କଳ୍ପନା କରି ପାରୁ ନଥିଲି। ତେବେ ମୋର ବିଶ୍ୱାସ ହେଇ ସାରିଥିଲା ଯେ ଆଚରଣ ଯଦି କାରଣ ହୁଏ ପୁରୁଷ ପ୍ରତି ନାରୀର ମାନସିକତା ମଧ୍ୟ ଦାରୁଣ ହେଇଯାଏ। ସେମାନଙ୍କ କଟୁ ମନ୍ତବ୍ୟରୁ ମୋର ଦଣ୍ଡର ସୀମା ବଢି ବଢି ଚାଲିଛି ବୋଲି ମୁଁ ଭାବୁଥାଏ । ଚପଲ ଟା ଯାହା ହେଉ ଝିଅଟିର ହାତରୁ ଉଠୁ ଉଠୁ ଅଟକି ଗଲା। ପିଲାମାନେ କିନ୍ତୁ ଉତ୍ସାହିତ କରି ସେ ଝିଅ ର ନାଁ ଧରି କହୁଥିଲେ ଏ ମୁନମୁନ୍ ଦେ ଧୁନଧୁନ୍। ଅନ୍ୟମାନେ ବି ମଜାରେ ତାଳ ଧରୁଥିଲେ। ମୋର ମନେ ପଡିଗଲା ମୋତେ ଆମ ଘର ଜ୍ୟୋତିଷ କହିଥିଲେ ନାରୀ ଅପମାନ ଜନିତ ପୀଡା ସହିବାକୁ ପଡିବ। ସେଥିପାଇଁ ତ ମାଆ ବି ପ୍ରତିକାର କରିଥିଲା। ପୁଣି ଏସବୁ କଣ, ତାମାନେ ପ୍ରତିକାର ସବୁ ବୃଥା ହେଇଗଲା । ଯାହା ହେଉ ସବୁ ଭାବନାକୁ ପୂର୍ଣଛେଦ ଦେଇ ପ୍ରିନ୍ସିପାଲ ମହୋଦୟ କଣ ପାଟିତୁଣ୍ଡ ହୋଉଛି ବୋଲି ପାଖକୁ ଚାଲି ଆସିଲେ। ସେ ବି ମୋତେ ଚିହ୍ନି ନାହାନ୍ତି, ମୋର ବଢିଲା ବୟସ ଦେଖି ଫାଇନାଲ ଇୟର ଛାତ୍ର ମନେକରି ବହେ ଗାଳି ଦେଲେ। ସତର୍କ ବି କରେଇ ଦେଇ କହିଲେ ଆଉ ଯଦି ଏମିତି ଶୁଣିବାକୁ ମିଳେ ସିଧା କଲେଜରୁ ରଷ୍ଟିକେଟ। 

କିଛି ଫାଇନାଲ ଇୟର ଛାତ୍ର ବୋଧେ ପାଖରେ ଥିଲେ କହିଲେ ସାର୍ ଇୟେ ଆମ କଲେଜ ପିଲା ନୁହେଁ। ପ୍ରିନ୍ସିପାଲ ପ୍ରଥମେ ଚମକି ପଡ଼ିଲେ । ତାପରେ ନିଜକୁ ସମ୍ଭାଳି ମୋତେ ଗେଟ୍ ଆଉଟ କହିଲେ। ମୁଁ କିନ୍ତୁ କହି ପାରୁ ନଥାଏ କି ଯାଇ ପାରୁ ନ ଥାଏ। ମୋ ଅବସ୍ଥା ଦେଖି ଜଣେ ଅଧେ ପ୍ରିନ୍ସିପାଲ ଙ୍କୁ ପୋଲିସ ଡାକିବା ପାଇଁ ପରାମର୍ଶ ଦେଲେ। ପ୍ରିନ୍ସିପାଲ କିନ୍ତୁ ସ୍ପଷ୍ଟ ମନାକଲେ ଓ ମୋତେ କଲେଜ କାମ୍ପସରୁ ବାହାରି ଯିବା ପାଇଁ କହିଲେ। ସେତିକିବେଳେ ପ୍ରିନ୍ସିପାଲ କଣ ଭାବି ମୋତେ ପଚାରିଲେ ତମ ଘର କୋଉଠି, ଏଠିକି କଣ ପାଇଁ ଆସିଛ? 

ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ଟିକେ ଆଶ୍ବସ୍ତି ଲାଗିଲା। ମୁଁ ତୁରନ୍ତ ପକେଟରୁ ଟ୍ରାନ୍ସଫର ଅର୍ଡର ଚିଠିଟା କାଢି ଧରେଇ ଦେଲି। ପ୍ରିନ୍ସିପାଲ ଖୋଲି ପଢି ସାରିଲା ବେଳକୁ ତାଙ୍କ ମନ ଭିତରର ଚାପି ହେଇ ରହିଥିବା ହସ ମୁଁ ଦେଖି ପାରୁଥାଏ। ବୋଧହୁଏ ମୋ ଅବସ୍ଥା ସେ ବୁଝି ପାରିଲେ। ପିଲା ମାନଙ୍କୁ ତତକ୍ଷଣାତ୍ ସେଠୁ ଚାଲିଯିବା ପାଇଁ କହି ମୋତେ ଭିତରକୁ ଡାକିନେଲେ।

ପ୍ରିନ୍ସିପାଲ ଙ୍କ ଅଫିସ ଭିତରେ ସବୁ ଘଟଣା ମୁଁ ଖୋଲି କହିଦେଲି। ପ୍ରିନ୍ସିପାଲ ଶ୍ରୀ ଅରବିନ୍ଦ ଦାସ ମନ ଖୋଲି ଆଗ ବହେ ହସି ପକେଇଲେ ଓ କହିଲେ ଏଇଟା ତ କୌଣସି ଫିଲ୍ମ ଷ୍ଟୋରି ର କାହାଣୀ ପରି ଲାଗୁଛି। ମୋତେ ଲାଜ ଲାଜ ଲାଗୁଥାଏ। ମୋର କାକୁସ୍ଥ ପଣ ଦେଖି ସେ ମୋତେ ଗୋଟିଏ ସପ୍ତାହ ଛୁଟି ନେଇ ଆସିବା ପାଇଁ କହିଲେ। ସେତେବେଳକୁ ଘଟଣା ଶାନ୍ତ ପଡି ଯାଇଥିବ ଓ ତମେ କ୍ଲାସରେ ପିଲାମାନଙ୍କୁ ପଢେଇଲା ବେଳେ କିଛି ଅସ୍ୱାଭାବିକ ଲାଗିବ ନାହିଁ। ମୁଁ ଖୁସି ରେ ଚେୟାରରୁ ଉଠି ବାହାରିବା ପାଇଁ ଉଦ୍ୟତ ହେଉଥାଏ ରୀତା ସ଼ହ କଲେଜ ୟୁନିଅନ ପ୍ରେସିଡେଣ୍ଟ ରାଘବ ଭିତରକୁ ପଶି ଆସିଲେ। ମୋତେ ପ୍ରିନ୍ସିପାଲ ପୁଣି ବସିବା ପାଇଁ କହିଲେ। ଘଟଣା ତାର ମୋଡ ବଦଳାଉଥିବା ଦେଖି ମୁଁ ପ୍ରଥମେ ଡରି ଗଲି। ପ୍ରିନ୍ସିପାଲ ମୋର ପରିଚୟ ଦେଇ ସମସ୍ତ ଙ୍କୁ ଶାନ୍ତ କରାଇଲେ କିନ୍ତୁ ପ୍ରେସିଡେଣ୍ଟ ଜିଦ୍ ଧରି ବସିଲେ ମୋର ଏଠୁ ତୁରନ୍ତ ବଦଳି କରେଇବା ପାଇଁ। ମୁଁ ରୀତାକୁ ଦେଖିଲି। ସେ ମୋତେ ଘୃଣା ରେ ଦେଖୁଥାଏ, ଵୁଝି ପାରିଲି। ପ୍ରିନ୍ସିପାଲ କିନ୍ତୁ କହିଲେ ଏଇଟା ତ ଗୋଟେ ସାମାନ୍ୟ ଘଟଣା ତେଣୁ ଭୁଲିଯିବା ଉଚିତ୍ । ରାଘବ ର ଜିଦ୍ ମୁଁ ସମସ୍ତଙ୍କ ପାଖରେ କ୍ଷମା ମାଗିବି। 

ମୁଁ କହିଲି ଠିକ୍ ଅଛି। ମୁଁ କେବଳ ଝିଅ ଟି କିଏ ବୋଲି ପାଖକୁ ଯାଇ ଦେଖିଲି ଏତିକି ମୋର ଭୁଲ୍ ତେଣୁ ମୁଁ ସେୟା କହି ଭୁଲ ମାଗି ନେବି। 

ପ୍ରିନ୍ସିପାଲ କିନ୍ତୁ କହିଲେ ଏହା ଦ୍ଵାରା ଶିକ୍ଷକ ଓ ଛାତ୍ର ର ସମ୍ପର୍କରେ ହାନି ହେବ। ତମୁକୁ ଶିକ୍ଷକ ବୋଲି କେହି ସମ୍ମାନ କରିବେ ନାହିଁ। 

ମୁଁ ଅସମ୍ମାନ ଓ ଅପମାନର ବୋଝ ନେବାକୁ ପ୍ରସ୍ତୁତ ଅଛି । ପିଲାମାନଙ୍କ ଚରିତ୍ର ଯଦି ଏଠି ଏତେ ଉଚ୍ଚ ମାନର। କାହାକୁ ପାଖକୁ ଯାଇ ଦେଖି ଦେଲେ ଯଦି କାହାର ଚରିତ୍ର ସଂହାର ହେଇ ଯାଉଛି। ସେମିତି ଉନ୍ନତ ମାନର ଚରିତ୍ରବାନ ପିଲାଙ୍କୁ ପଢେଇବା ପାଇଁ ମୁଁ ନିଶ୍ଚୟ ଭାଗ୍ୟବାନ ମନେ କରିବି। 

ରାଘବକୁ କଥାଟା ବୋଧେ ଥଟା କଲା ପରି ଲାଗିଲା। ସେ ପଚାରିଲା - ଆପଣ କଣ ଆମକୁ ବିଦ୍ରୁପ କରୁଛନ୍ତି। 


- ବିଲକୁଲ ବିଦ୍ରୁପ ନୁହେଁ। ଯାହା ସତ୍ୟ ତାହା ପ୍ରକାଶ କରିବାରେ ମୋର କିଛି ଆପତ୍ତି ନାହିଁ। ମୁଁ ଯଥେଷ୍ଟ ଲଜ୍ଜା ପାଇ ସାରିଲିଣି। ଯଦି ମୋ କଥା ଗ୍ରହଣ କରିବ, ମୁଁ କହିବି 

ତମେମାନେ ମୋତେ ମାସେ ଏଠି ପଢେଇବା ପାଇଁ ସୁଯୋଗ ଦିଅ। ତାପରେ ଯଦି କୌଣସି ଆପତ୍ତି ଆସେ ମୁଁ ନିଜେ ଚେଷ୍ଟା କରି ଏଠୁ ବଦଳି ହେଇ ପଳେଇବି। 

ରାଘବ କହିଲା - ଠିକ୍ ଅଛି ସାର୍। ଏବେ ତ କିଛି ଦିନ ପରେ ପ୍ଲସ ଥ୍ରୀ ଫାଇନାଲ ପରୀକ୍ଷା ଆରମ୍ଭ ହେଇଯିବ। ଆମେ ଆପଣଙ୍କ କଥାରେ ରାଜି। 

କିନ୍ତୁ ରୀତା ଘଟଣା ଏଠି ଆଜି ଯାହା ହେଲା ସବୁ ଆଡେ ବ୍ୟାପି ସାରିବଣି। ତାଙ୍କ ଘର ଲୋକ ଆସି ଯଦି କମ୍ପ୍ଲେନ କରିବେ, କଥାର ଗୁରୁତ୍ବ ବଢିଯିବ। 

 

ମୋତେ ବଡ ଅଡୁଆ ଲାଗୁଥାଏ। ମୁଁ ବିରକ୍ତ ରେ କହିଲି, ମୋତେ ପୋଲିସରେ ଦେଇଦେବେ ନହେଲେ ମୋ ବିରୁଦ୍ଧରେ ଯାହା କରିବାର କଥା କରିବେ। 

- ନାଇଁ ନାଇଁ ଆମର ସେମିତି ଉଦ୍ଦେଶ୍ୟ ନୁହେଁ। ତାର ବାହାଘର ଠିକ୍ ହେଇ ଯାଇଛି ତ। ସେଥିପାଇଁ ପଚାରୁ ଥିଲି କାଳେ କିଛି ଅସୁବିଧା ହେବ। ରାଘବ ସାମାନ୍ୟ ନମ୍ର ହୋଇ କହିଲା। 

- ମୋର ବି ବାହାଘର ଏ ସହରରେ ଠିକ୍ ହେଇଛି। ମୁଁ ଏଠି ଆସି ଏମିତି କାମ କରିବି ବୋଲି କେମିତି ଭାବି ପାରୁଛନ୍ତି।

 

ପ୍ରିନ୍ସିପାଲ ମୋ କଥା ଶୁଣି ଉତ୍ସାହିତ ପଚାରିଲେ, କୋଉଠି ଠିକ୍ ହେଇଛି । 

- ମୋର ଠିକ ରେ ମନେ ନାହିଁ। ଏଇ ପାଖରେ କୋଉ ଗାଁ ରସଦେଇପୁର ନାଁ। ଝିଅର ବାପାଙ୍କ ନାଁ ବାସୁଦେବ ଦାସ। ମୁଁ ଏତିକି କହୁ କହୁ ରୀତା ଅଫିସରୁ ପଳେଇ ଗଲା ଓ ତା ପଛେ ପଛେ ରାଘବ ବି ପଳେଇଲା। ପ୍ରିନ୍ସିପାଲ ପଛରୁ ଡାକୁଥିଲେ କିନ୍ତୁ କେହି ଶୁଣିଲେ ନାହିଁ। ମୁଁ ଆଶ୍ଚର୍ଯ୍ୟ ହେଲି। 

ପ୍ରିନ୍ସିପାଲ ମୋତେ ଆଶ୍ଵାସନା ଦେଲେ, କହିଲେ ଚିନ୍ତା କରନି, ସବୁ ଠିକ୍ ହେଇଯିବ। ତାଙ୍କର ବୋଧେ ତମର ସଚ୍ଚୋଟତା ହୃଦବୋଧ ହେଲା ସେଥିପାଇଁ ସେମାନେ କିଛି ନକହି ପଳେଇଲେ ।

ପରୀକ୍ଷା ପାଇଁ ମୋତେ ଅଧିକରୁ ଅଧିକ କ୍ଲାସ ନେବାକୁ ପଡୁଥାଏ। ଦଶ ପନ୍ଦର ଦିନରେ ପିଲାମାନେ ବି ମୋର ଘନିଷ୍ଠ ହେଇ ଯାଇଥିଲେ। ମୁଁ ସମସ୍ତଙ୍କ ମୋବାଇଲ କୁ ହ୍ଵାଟ୍ସ୍ଆପରେ ନୋଟ ପଠାଉଥିଲି। ପନ୍ଦର କୋଡ଼ିଏ ଦିନ ବିତିଗଲା କିନ୍ତୁ ସେହି ଦିନଠାରୁ ରୀତାକୁ କେବେ ଆଉ ଦେଖିବାକୁ ପାଇଲି ନାହିଁ। ମୋର ଯେହେତୁ ଇକୋନୋମିକ୍ସ ବିଷୟ ତେଣୁ ଭାବିଥିଲି ସେ ବୋଧେ ମୋ କ୍ଲାସର ଝିଅ ନୁହେଁ। ପ୍ରଥମେ ପ୍ରଥମେ ତାକୁ କେମିତି ସାମନା କରିବି ବୋଲି ଡରୁଥିଲି। ମୋ କ୍ଲାସର ନୁହେଁ ଭାବି ମୋର ଆତ୍ମବିଶ୍ୱାସ ବି ବଢି ଯାଇଥିଲା ଓ ପିଲାଙ୍କୁ ପରୀକ୍ଷା ପାଇଁ ପୁରା ପ୍ରସ୍ତୁତି ଚଲେଇ ଥିଲି। ଘଟଣାର ସାକ୍ଷୀଥିବା ପିଲାମାନେ ବେଳେ ବେଳେ ମୋତେ ଏକାନ୍ତରେ କହନ୍ତି - ସାର୍ ଆପଣ ଆସୁ ଆସୁ ଆମ କଲେଜରେ ବଡ ଅପମାନ ସହିବାକୁ ପଡିଲା। 

ମୁଁ କିନ୍ତୁ ତାଙ୍କୁ ହସିଦେଇ କହେ - ହୋଉ କଣ ହେଲା, ଗଲା ବେଳକୁ ତ ସମ୍ମାନ ନେଇକି ଯିବି। 

ପିଲାମାନେ ବି ମୋତେ ସମର୍ଥନ କରି କହିଲେ - ସାର୍ ଆମେ ଯୋଉଠି ଥିଲେ ବି ଆପଣଙ୍କୁ ଏମିତି ସମ୍ମାନ ଦେବୁ ଯେ ଆପଣ ଏଠି ପାଇଥିବା ଅପମାନ ଭୁଲିଯିବେ। 

ମୁଁ ହସିଦିଏ। ନିଜ କାର୍ଯ୍ୟ ରେ ସଫଳତା ପାଉଛି ବୋଲି ଭାବି ମନେ ମନେ ଖୁସି ହୁଏ। 

ଘରୁ ଦିନେ ଖବର ଆସିଲା ଯେ ସମସ୍ତେ ଝିଅ ଦେଖିବାକୁ ଆସୁଛନ୍ତି ଫାଇନାଲ କରି ଯିବେ। ମୁଁ ବି ନିଜକୁ ପ୍ରସ୍ତୁତ କଲି। ଆମେ ସମସ୍ତେ ରସଦେଇପୁର ଝିଅ ଘରେ ପହଞ୍ଚିଲୁ। ଆଦର ଅଭ୍ୟର୍ଥନା ପରେ ଯେତେବେଳେ ଝିଅ ପାଖକୁ ଆସିଲା ମୁଁ ଚମକି ଗଲି କାରଣ ସେ ରୀତା ଥିଲା। ମୋତେ ଡର ଲାଗୁଥିଲା ମୋ କଥା କାଳେ ପ୍ରଘଟ ହେଇଯିବ। କିନ୍ତୁ ସେମିତି କିଛି ହେଲା ନାହିଁ। ସମସ୍ତେ ପରସ୍ପର ବେଶ ଖୁସିରେ କଥା ହେଉଥାନ୍ତି ଯେମିତି ମୋ ବାପା ସମୁଦୀ ହେଇ ସାରିଲେଣି। ମୁଁ କେବଳ ଚୁପ୍ ଚାପ୍ ଥାଏ। ରୀତା ମୋ ସାମନାରେ ବସିଥାଏ। ଆମେ କେହି ପରସ୍ପର କଥା ନହେବା ଦେଖି ମୋ ଖୁଡୀ ପାଖକୁ ଲାଗି ଆସି କହିଲେ - ତୁ କିଛି କଥା ହେଉନୁ। 

ମୁଁ ଚୁପକିନି କାନ ପାଖରେ କହିଲି - ଖୁଡୀ ମୁଁ ଏଠି ବାହା ହେବିନି। ଖୁଡୀ ଆଶ୍ଚର୍ଯ୍ୟ ହୋଇ ମୋତେ ଦେଖିଲେ। କଥା ବାପାଙ୍କ କାନକୁ ଗଲା। ବାପା ମୋତେ ବାହାରକୁ ଡାକି ନେଇ କାରଣ ପଚାରିଲେ। ମୁଁ କିନ୍ତୁ ଚୁପ୍ ରହିଲି। ବାପା କହିଲେ ଜାତକ ଭଲ ମିଶିଛି। ଝିଅର ଫଟୋ ବି ତୁ ଆଗରୁ ଦେଖିଥିଲୁ। ତାପରେ ସେ ତୋ ଇକୋନୋମିକ୍ସ କ୍ଲାସରେ ପଢୁଛି ଯେତେବେଳେ ତୁ ନିଶ୍ଚୟ ତାକୁ ଜାଣି ଥିବୁ। ପ୍ରଥମରୁ ହେଲେ ମନା କରି ଦେଇଥାନ୍ତୁ। ମୁଁ କିନ୍ତୁ ଭୁଲି ଯାଇଥିଲି ବାପା ଏସବୁ କହିଥିଲେ ବୋଲି। ଯଦି ସେ ଇକୋନୋମିକ୍ସ ନେଇଛି ତାହେଲେ କ୍ଲାସ କାହିଁକି ଆସୁ ନଥିଲା। ପ୍ରଶ୍ନ ପରେ ପ୍ରଶ୍ନ ନିଜକୁ ପଚାରି ଚାଲିଥିଲି। ବାପା କହିଲେ ଠିକ୍ ଅଛି! ତୋର ଯଦି କିଛି ବ୍ୟକ୍ତିଗତ କାରଣ ଅଛି ମୁଁ ତୋତେ ବାଧ୍ୟ କରିବିନି। 

ମୋ ମୁଣ୍ଡରୁ ବୋଝ ଚାଲିଗଲା ପରି ଲାଗିଲା। ମୁଁ ଟିକେ ଆରାମରେ ନିଃଶ୍ବାସ ମାରିଲି। ବାପା ଭିତରକୁ ପଶୁ ପଶୁ ବାସୁଦେବ ବାବୁ କହିଲେ ମୁଁ ସବୁ ଶୁଣିଛି ଯଦି ପୁଅର ଇଛା ନାହିଁ ଠିକ୍ ଅଛି! ଯାହାର ଭାଗ୍ୟ ଯୋଉଠି ଥିବ। ତା ବୋଲି ଆମ ବନ୍ଧୁତା ଯେମିତି ନଷ୍ଟ ନହୁଏ। ବାପା କୁଣ୍ଢାଇ ପକେଇଲେ ବାସୁଦେବ ବାବୁଙ୍କୁ। କହିଲେ ଅଳ୍ପ ପରିଚୟରେ ତମେ ମୋର ବହୁତ ନିଜର ପରି ଲାଗୁଛ। ମୁଁ ବି ତମକୁ ହରାଇବା ପାଇଁ ଚାହୁଁନି। ମୋତେ ଏସବୁ ପୁଣି ଭାବ ପ୍ରବଣତା କରି ଦେଲା। ନିଜକୁ ଦୋଷୀ ଲାଗିଲେ ବି ମୋ ପାଖରେ ଆଉ କିଛି ରାସ୍ତା ନଥିଲା। ପୁଣି ଥରେ ମତ ବଦଳାଇ ନିଜର ସମ୍ମତି ଦେବା ପାଇଁ ଇଛା ହେଉ ନଥିଲା । ବାପା ଯିବାକୁ ବାହାରୁ ଥିଲେ ମୋ ପାଖକୁ ଆସି କହିଲେ ଝିଅ ତୋ ସଙ୍ଗେ ଦୁଇ ମିନିଟ୍ କଥା ହେବା ପାଇଁ ଚାହୁଁଛି। ତୁ ଯଦି ହଁ କହିବୁ ମୁଁ କହିଦେବି। ମୁଁ ବଡ ଦ୍ଵନ୍ଦ୍ଵରେ ପଡିଗଲି। ଗୋଟିଏ ଅସୁବିଧାରୁ ମୁକୁଳିକି ଆସିଛି ପୁଣି ଥରେ କୌଣସି ଅଭାବନୀୟ ଘଟଣା ଘଟିବନି ତ! 

ବାପା ପୁଣି ଥରେ କହିଲେ - ମୁଁ ହଁ କହି ଦେଉଛି । ତୁ ଯା କଥା ହେଇ ଆସିବୁ। 

ମୁଁ ଚୁପ୍ ଚାପ୍ ଭିତରକୁ ଗଲି। ସମସ୍ତେ ମୋତେ ବାଟ ଛାଡ଼ି ଦେଲେ। ରୀତା ସୋଫା ଉପରେ ବସିଥିଲା, ଉଠି ଆସି ମୋତେ ମୁଣ୍ଡିଆ ମାରିଲା। ମୁଁ ଡରିଯାଇ ଦୁଇ ପାଦ ପଛକୁ ହଟି ଆସିଲି। କହିଲା, ସାର୍ ଯଦି ଏତେ ଡର, ସେଦିନ କେମିତି ମୋ ପାଖକୁ ଆସି ମୋ ମୁହଁକୁ ଦେଖୁଥିଲେ। 

ମୁଁ ଲାଜେଇ ଗଲେ ବି ସ୍ପଷ୍ଟତା ଦେବା ପାଇଁ ସୁଯୋଗ ମିଳିଥିବାରୁ କହିଲି - ଆଜି କାଲିକା ଯୁଗରେ ତମର ଦୁଇପଟେ ବେଣୀ ଦେଖି ଇଛା ହେଇଥିଲା ଆଉ କିଛି ନୁହେଁ। 

- ମୋର ବିଶ୍ୱାସ ସେୟା ହିଁ ହେଇଥିବ। 

ରୀତାର ବ୍ୟବହାରରେ ଶାଳିନତା ଓ ମାର୍ଜିତ ଚାହାଣୀ ମୋତେ ଖୁବ୍ ପ୍ରଭାବିତ କରିଥିଲା। 

ରୀତା ମୋ ଆଡକୁ ଚାହିଁ କହିଲା - ସାର୍, ମୋର ସେଦିନର ବ୍ୟବହାର ଯଦି ଆପଣଙ୍କୁ ଦୁଃଖୀତ କରିଛି ତାହେଲେ ମୋତେ କ୍ଷମା କରି ଦେଇ ଯାଆନ୍ତୁ। ମୁଁ ଆପଣଙ୍କୁ ଭଲ ପାଇ ସାରିଲିଣି। ମୋତେ ଏମିତି ପ୍ରତ୍ୟାଖ୍ୟାନ କରି ଗଲେ ମୋର ବ୍ୟବହାର ମୋତେ ଜୀବନସାରା କଷ୍ଟ ଦେବ। ମୁଁ ଜାଣିଛି ଆପଣ ସେଦିନର କଥା ପାଇଁ ମୋତେ ଗ୍ରହଣ କରୁ ନାହାନ୍ତି। କିନ୍ତୁ ନାରୀ ଥରେ ସମର୍ପଣ କରି ସାରିଲେ ସହଜରେ ଆଉ କାହାର ହେଇପାରେ ନାହିଁ। 

ମୋର ଚିନ୍ତା କରିବାର ସମସ୍ତ ଶକ୍ତି ଲୋପ ପାଇ ଯାଉଥିଲା। ମୁଁ କଣ କରିବି ଜାଣି ପାରୁ ନଥିଲି। ହଠାତ୍ ପଚାରିଲି, ତାହେଲେ ତମେ କ୍ଲାସ କାହିଁକି ଆସୁ ନଥିଲ। 

ରୀତା ନିର୍ବିକାର ଚିତ୍ତରେ ଉତ୍ତର ଦେଲା ଯାହାକୁ ହୃଦୟ ଦେଇ ସାରିଲିଣି ତାଙ୍କ କ୍ଲାସରେ ଆଉ ପାଠ କଣ ମନେ ରହିବ। ଆପଣ ଦେଉଥିବା ହ୍ଵାଟ୍ସ୍ଆପ ନୋଟ ସବୁ ରଖିଛି। 

ମୋ ମୁହଁରୁ ହସ ଟିକେ ବାହାରି ପଡ଼ିଲା। 

ରୀତା ପଚାରିଲା - ମୋ ବିନା ଆପଣ ଶାନ୍ତିରେ ଆଉ କାହାକୁ ଗ୍ରହଣ କରି ପାରିବେ ତ! 

ମୁଁ ବି ହୃଦୟର ଆବେଗରେ ବଶୀଭୂତ ହେଇ କହିଲି -ନା !

ରୀତା ହସି ପକେଇଲା । ମୁଁ ବି ହସି ଦେଲି, କହିଲି ଆଜି ପବିତ୍ର କୁମାର ପୂର୍ଣ୍ଣମୀ। ମୋର ଏ ଦିନଟା ଜୀବନ ସାରା ମନେ ରହିବ। 

ଅଟୋ ଆସି ଘର ପାଖରେ ରହି ସାରିଥାଏ। ମୁଁ ଓହ୍ଲାଇ ପଡି ଟଙ୍କା ଟା ବଢାଇ ଦେଇ କିଛି ସମୟ ସେଠୀ ଠିଆ ହେଲି। 

ରୀତା ପଛପଟୁ ଥାଇ କହିଲା - କଣ ଭାବୁଛ। କୋଡିଏ ବର୍ଷ ପରେ ଆଠଗଡ କେମିତି ଦିଶୁଛି! 

- ନା! ଭାବୁଛି କେତେ ଭାଗ୍ୟ କରିଥିଲି ଯେ ଏଠିକି ମୁଁ ଆସି ତମୁକୁ ପାଇଲି। ବିବାହ ଦିନ ବିବାହ ବାର୍ଷିକୀ କଲେ ବି କୁମାର ପୂର୍ଣ୍ଣିମା ଦିନ କୁ ମୁଁ କେବେ ଭୁଲି ପାରିବିନି। ସେଦିନ ହିଁ ତ ଆମର ପ୍ରକୃତ ବିବାହ ହେଇଥିଲା। ବେଦି କେବଳ ଏକ ବିଧି ରକ୍ଷା ପାଇଁ ଥିଲା। 

ରୀତା ଆହୁରି ପାଖକୁ ଲାଗି ଆସି କହିଲା - ମୁଁ କିନ୍ତୁ ସେଇ ଦିନକୁ ମନେ ରଖିଛି ଯୋଉଦିନ ତମେ ମୋ ପାଇଁ ଅପମାନ ପାଇଥିଲ। ତମଠୁ ଏତେ ଭଲ ପାଇବା ନହେଲେ କେମିତି ପାଇ ଥାଆନ୍ତି।

ମୁଁ ହସି ହସି ଭାବୁଥିଲି ପ୍ରେମରେ ଦୁନିଆ ସତରେ କେତେ ସୁନ୍ଦର ଦିଶେ। 



Rate this content
Log in

Similar oriya story from Romance