Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Satyabati Swain

Romance


3  

Satyabati Swain

Romance


କୁହୁଳା ନିଆଁର ଧୂଆଁ

କୁହୁଳା ନିଆଁର ଧୂଆଁ

7 mins 363 7 mins 363

ଜୀବନ ଗୋଟେ ରହସ୍ୟମୟ କୁହୁକ ଉପତ୍ୟକା।ବୁଢ଼ୀ ଅସୁରୁଣୀର ଗୁମ୍ଫା।ସ୍ମୃତି,ଅନୁଭୂତିର ମିଠା ଯନ୍ତ୍ରଣା।ସମ୍ପର୍କରେ ମହକୁଥିବା ଫୁଲ ତୋଡା।ତଳ ଉପର ଭାଇ ଭଉଣୀଙ୍କ ପିଲା ଦିନର ନିଆରା ସିନ୍ଦୁକ ପେଡିର ସାଇତା ରକ୍ତ ଗୋଲାପ।ବଡ଼ ହେଲେ ଏଇ ସାନ ବେଳ ସମୟ ଖୁବ୍ ଖୁସି ବୁଣେ,ଆନମନା କରେ।ଏଇ ଯେମିତି ଆଜି ମୋତେ ଦିଶି ଯାଉଛି ସେ ଦିନ...


ଜିନାନୀ,କୁନାନୀ ଓ ବୁନାନୀ ମୋ ଜୀବନର ଗୋଟେ ଗୋଟେ ଜୀବନ୍ତ ପୃଷ୍ଠା। ମୁଁ ଜିନାନାନୀକୁ ଜିନାନୀ କୁନୁ ନାନୀକୁ କୁନାନୀ ଓ ବୁଇ ନାନୀକୁ ବୁନାନୀ ବୋଲି ।ଏମାନେ ମୋ ଜନ୍ମିତ ଭଉଣୀ।ବୁନାନୀ ଆମ ଘରକୁ ଲାଗି ରାଧା ଖୁଡିଙ୍କ ଝିଅ।ଏମାନେ ସମସ୍ତେ ମୋଠାରୁ ଢେର ବଡ଼।କିନ୍ତୁ ମୋ ସାଙ୍ଗ କହିଲେ ଏଇ ତିନି ଜଣଙ୍କୁ ବୁଝେ।ଜି ନାନୀ ଓ ବୁ ନାନୀ ସମବୟସ୍କ।କୁ ନାନୀ ଗୋଟେ ବର୍ଷ ସାନ ଏମାନଙ୍କ ଠାରୁ।କିନ୍ତୁ ଗୋଟେ ଗାମୁଛା ତିନି ଜଣଙ୍କର।ଉପର ତଳ ହୋଇ ଗୋଟିଏ ସ୍କୁଲରେ ପଢ଼ନ୍ତି।ମୁଁ ତାଙ୍କ ହାଇ ସ୍କୁଲ ଛୁଇଁଲା ବେଳକୁ ସେମାନେ କଲେଜ ପଢ଼ିବାକୁ ଗଲେଣି।ତାଙ୍କ ପରି ସାଙ୍ଗ ମୋର କେହି ସ୍କୁଲରେ ନଥିଲେ।ମୁଁ କାନ୍ଦେ...ମା ତୁ କାହିଁକି ଜିନାନୀ, କୁନାନୀ ସାଙ୍ଗରେ ମୋତେ ଜନ୍ମ କଲୁ ନାହିଁ କହି।ମା ହସେ ମୋ ନିର୍ବୋଧ ପଣିଆଁ ଦେଖି।


ଏଇ ନିର୍ବୋଧ ନିରଳସ ପିଲା ଦିନଟି କିନ୍ତୁ ଭାରି ମନେ ପଡିଲା ଦିନ ପରି ।ତିନି ନାନୀଙ୍କ ଭିତରେ ମୁଁ ଅତି ସାନ।ସେମାନେ ମୋ ନାଁ ଦେଲେ ପରୀ।ପରୀ ଭଳି ଦେଖିବାକୁ ବୋଲି।ସେ ତିନିଜଣ ଯୁଆଡେ ଯାଆନ୍ତି ଜାକି ଥିବେ ମୋତେ କାଖରେ।ଏ କାଖରୁ ସେ କାଖ ହେଉଥିବି ଦିନ ତମାମ।ଥୁକୁଲ୍ ଥାକଲ୍ ଚେହେରାକୁ ପିନ୍ ପିନ୍ ଗୋରା।ନୀଳ ନୀଳ ଆଖି।ଓଠ ପିଙ୍କ୍ ପିଙ୍କ୍।

ଆଙ୍ଗୁଠି ଦେଖିବାକୁ ଈଷତ ଗୋଲାପି।ଗୋଟେ ଶବ୍ଦରେ ସ୍ୱାଇଁ ଘର ସାନ ଝିଅ ପରୀ ସତସତିକା ଗୋଟେ ପରୀ ବୋଲି କୁହନ୍ତି ସମସ୍ତେ।ଏଇ ଚେହେରାଟି ପାଇଁ ସବୁରି ଗେହ୍ଲା।ତିନି ନାନୀଙ୍କ ଖେଳ ବେଳର କଥା କୁହା ଖେଳନା।


ଜିନାନୀ ସପ୍ତମ ପଢିଲା ବେଳକୁ ମୋତେ ପାଞ୍ଚ ପୁରିଲା।ମୁଁ ବି ସ୍କୁଲ ଗଲି।କିନ୍ତୁ ତାଙ୍କ ସ୍କୁଲ ମୋ ସ୍କୁଲ ଅଲଗା।ପଞ୍ଚମ ପାସ୍ ସରିଲେ ଯାଇ ମୁଁ ସେ ସ୍କୁଲରେ ନାଁ ଲେଖାଇବି କହିଲେ ନନା।ଯେତେବେଳେ ମୁଁ କାନ୍ଦିଲି ତିନି ନାନୀ ସ୍କୁଲ ଯିବି ବୋଲି।ସେମାନେ ମୋତେ କାଖେଇ ସ୍କୁଲ ନେଇ ଛାଡି ଦିଅନ୍ତି ଓ ଆସିଲା ବେଳେ ପୁଣି ନିଅନ୍ତି।ପାଞ୍ଚ ବର୍ଷପରେ ମୋ ଚେହେରା ଡାଙ୍ଗ ଖଣ୍ଡେ ହୋଇଗଲା।ମା କହିଲା ମୋ ଝିଅ ପାଠ ଭୟରେ ଝଡି ଗଲାଣି।କି ସୁନ୍ଦର ଚେହେରା ମୋ କଣ୍ଢେଇର ଥିଲା।କଣ ଦେଖା ଯାଉଛି।ସତ କଥା କିନ୍ତୁ ପାଠ ନୁହେଁ,ନାନୀଙ୍କୁ ଝୁରୁଥିଲି ମୁଁ।ସେମାନେ କିନ୍ତୁ ମୋତେ ସାଙ୍ଗରେ ବସାଇ ପାଠ ଶିଖାଇ ଦିଅନ୍ତି।ପାଠ କି କଷ୍ଟ କି।ମୋର ତ ଥରକେ ମନ ରହିଯାଏ।ଜିନାନୀ ପ୍ରାଣ ପଣେ ଲାଗି ମୋତେ ତୃତୀୟରେ ସ୍କଲାରଷସିପ୍ ଦେଇଦେଲା।ବସ୍ତବିକ୍ ତିନି ନାନୀ ହିଁ ମୋ ପାଠ ଗୁରୁ।

ସେମାନେ ଯାହା ପଢ଼ାନ୍ତି ମୁଁ ସହଜରେ ବୁଝିଯାଏ।


ସେଇ ନାନୀ ମାନେ କିଏ ବଡ଼ ହୋଇ ତ କିଏ ବାହା ସାହା ହୋଇ ଘର ସଂସାର ମଗ୍ନ।ମୁଁ କିନ୍ତୁ ପଢ଼ିଲି ଯେ ପଢ଼ିଲି।ଲକ୍ଷ୍ୟ ଆଇ ଏ ଏସ୍।ସେତେବେଳେକୁ ଜିନାନୀ

ବୁ ନାନୀର ବାହାଘର ସରିଯାଇଥାଏ।କୁ ନାନୀ ଜଣାଇଁଦେଲା ଚାକିରି କଲେ ବାହା ହେବ ନଲେ ନାହିଁ।କୁ ନାନୀ କଲେଜରେ ବି ଜବ୍ ପାଇଗଲା।ତିନି ନାନୀ କିନ୍ତୁ ଯିଏ ଯୁଆଡେ ରହିଲେ ବି ରଜକୁ ଆସିବା ଥୟ।ମୋତେ ବି ସାମିଲ କରନ୍ତି ତାଙ୍କ ଗାଁକୁ ଆସିବା ବେଳେ।ଜାଣେନି ସେମାନଙ୍କ ଡାକରାକୁ ମୁଁ ଚାତକ ପରି ଅନେଇଥାଏ।ସେମାନେ ଆସନ୍ତି ଆମ ଘରେ ମୋ ପଢା ରୁମରେ ରୁହନ୍ତି।ମା ରାନ୍ଧିବାଢି ପରଷେ।ଜିନାନୀ କୁନାନୀ କମ୍ପିଟେସନ୍ କରନ୍ତି ରୋଷେଇରେ।ମା ହାତରୁ କାମ ଛଡ଼ାନ୍ତି।ବୁ ନାନୀ ସମସ୍ତେ ଖାଇ ସାରିଲେ ବାସନ ମାଜେ।ମୋ କାମ ତାଙ୍କ ପାଇଁ ସବୁ ସଉକିନ୍ ଜିନିଷ ଆଣି କେମିତି ୟୁଜ୍ କରିବେ ବତାଇବା ଓ ସେମାନଙ୍କ ମଝିରେ ରହି ସେ ହେଉଥିବା କଥା ଶୁଣିବା।ଏଇ ବୟସରେ ମୋର ଆଉ ତାଙ୍କ ଠାରୁ ସାତକି ଆଠ ବର୍ଷ ସାନର ଫରକ୍ ନଥିଲା।ଜିନାନୀ କୁହେ ଭାଇନା ଟା କୁଆଡେ ଭାରି ରଙ୍କୁଣା।ଘଡ଼ିଏ ଛାଡିବେନି ପାଖରୁ ନାନୀକୁ।ବୁ ନାନୀ କୁହେ ତା ବରଟି ଭାରି ଚୁପ୍ ସୈତାନ।ମନ ହୁଙ୍କୁ ହୁଙ୍କୁ ହେଉଥିବ;କିନ୍ତୁ ଭାଇ ଭାଉଜ ବାପା ମାଙ୍କୁ ଡରି ବିଚାର ତା ହକ୍ ର୍ ସମୟ ରାତିକୁ ଅନେଇଁଥିବ।ଗୋଟା ସୁଦ୍ଧା ଗିଳିଯିବ ଲୋ ଜିନା ଯେମିତି ପାଇବ! ଭାରି ରସିକ।ଦୁହେଁ ହସି ଉଠନ୍ତି ନିଜ ନିଜ ବର କଥା ଗପି।କାନରେ କଣ ଚୁପି ଚୁପି କଥା ହୁଅନ୍ତି ଓ ହସି ହସି ଗଡି ଯାଆନ୍ତି।ଶେଷ ସିଦ୍ଧାନ୍ତ ସବୁ ପୁରୁଷ ନାରୀ ପ୍ରେମ ଲୋଭି।କୁ ନାନୀ କୁହେ ତାଙ୍କ କଲେଜରେ ଜଣେ ଜୁନିର୍ ଲେକ୍ଚର ଲାଇନ ମାରୁଛି ତାକୁ।ମୋର କିନ୍ତୁ ସେମିତି କେହି ନ ଥାଆନ୍ତି।


ମୋତେ ତିନିଜଣ ଯାକ ଟିପ ଗେଂଜି କୁହନ୍ତି "ପରୀ ତୋର କେହି ନାହାନ୍ତି?"ମୁଁ ଲାଜେଇ ଯାଇ କୁହେ ଧେତ୍।ମୋର ଏ ପ୍ରେମ ଫ୍ରେମ କରିବା ପାଠଟି ଶୁନ।ଖୁବ୍ କ୍ରୋଧି ମୁଁ।ଏ ଆଜେ ବାଜେ ଧନ୍ଦାରେ ମୁଁଣ୍ଡ ପୁରେଇବା ପାଇଁ ମୋ ପାଖେ ସମୟ ନଥାଏ।ଲକ୍ଷଟିଏ ଭୁତ ପରି ମୁଣ୍ଡରେ ସବାର ହେଲେ।ପ୍ରେମରେ ଅଯଥା ସମୟ ନଷ୍ଟ କରିବା ସମ୍ଭବ ହୁଏ ନାହିଁ ଯେଣୁ।ସେଥିପାଇଁ କଲେଜରେ ମୋ ନାଁ ଦେଇଥିଲେ "ଷ୍ଟଡି ଡେ଼କ୍ସ"।


ଥରେ ତିନିହେଁ ମିଶି ଫୋଟୋ ଆଲବମ୍ ଦେଖୁଥିଲେ।ମୋ ଫୋଟୋ ବେଶୀ।ସେତେବେଳେ ଯେତେ ମୋଟାସୋଟା ଥିଲି ଏବେ କାଣିଚାଏ ନାହିଁ କହିଲେ ତିନିହେଁ।ବାପା ମା,ଜେଜେ,ଜେଜେମା,ବୁବୁନ୍ ଭାଇର ବ୍ରତ ଘର ଓ ଜିନାନୀ ବାହାଘର ଫୋଟୋ ଭର୍ତ୍ତୀ ସେଥିରେ।ଫୋଟୋ ଦେଖୁଥାନ୍ତି ଓ ସେତିକିବେଳ କଥା ଭାବି ଖୁବ ହସୁଥାନ୍ତି।ଗୋଟିଏ ପରେ ଗୋଟିଏ ଫୋଟୋ ଖେଳେଇ ଯାଉଥିଲା ବେଳେ ଜି ନାନୀ ଚଟ୍ କରି ଗୋଟେ କଳାଧଳା ଫୋଟୋ ନେଇ ଲୁଚେଇଦେଲା।ସମସ୍ତେ ଜଗଡି ଧରିଲେ କଣ ନେଲୁ ଦେଖା।ଜି ନାନୀ ଦେଖାଉ ନଥାଏ।ଲୁଚା ଚିଜରେ ଝୁଙ୍କ୍ ଅଧିକ।


ଚାଲିଲା ସେ ଲୁଚା ଫୋଟୋ ଉପରେ ଦୌଡା ଦୌଡ଼ି।ଜିନାନୀ ଫୋଟୋ ଧରି ପଳେଇଲା ପୋଖରୀ ଆଡକୁ।ତା ପଛେ ପଛେ ଆମେ ତିନି।ଚାଲିଲା ଲୁକାଛପି ଖେଳ।ଶେଷରେ ବୁନାନୀ ଛଡେଇ ଆଣି ଦେଖେତ ଗୋଟେ ହାପ୍ ସାଇଜର ଏନର୍ଲାଜ ଫୋଟୋ।ତଳେ ଲେଖା ହୋଇଛି ତୋ ମିଛୁଆ ଭାଇ ପ୍ରତାପ।


ସମସ୍ତେ ଆବା କାବା।ଖୁଡିଙ୍କ ଭାଇ ପୁଅ ପପି ଭାଇ ଫୋଟୋ!!କି ରହସ୍ୟ କି ଜିନା....ଆଖି ନଚେଇ କହିଲା ବୁନାନୀ।କୁ ନାନୀ କହିଲା କେ ଜା ଣି।ଜିନାନୀ ରସୁଥିବ ମନେ ମନେ।ବୁନାନୀ କହିଲା ଆଲୋ ଜିନା ସତ କି!!କହୁନୁ।ତୁ ତ ଏବେ ଗୋଟା ସୁଦ୍ଧା ଶ୍ରୀତମଙ୍କ ଭାବି ପତ୍ନୀ।ଡରୁଛୁ କଣ ବା....ତୋତେ ଆଉ କଣ ଶ୍ରୀତମ ରଙ୍କୁଣା ହାବୁଡ଼ରୁ କିଏ ଛଡାଇ ନେବ!!!


ନାନୀ ଆଖିରେ ସେତେବେଳେକୁ ଲୁହ ଉବୁ ଡୁବୁ।ଜିନାନୀ ଯିଏ ଏତେ ଶାନ୍ତ,ସୁଧାର ସେ ପୁଣି ପ୍ରେମ!!କେହି ଜାଣିଲେନି....କେମିତି କଥା!!ପ୍ରେମଟି କି ଚିଜ କି!!ମୋ ମନରେ ହଜାରେ ପ୍ରଶ୍ନ।ସୁଧାର ପିଲା ବି ପଡି ଯାଆନ୍ତି ତା ଫାସରେ!!!


ଜିନାନୀ ଆଖି ଲୁହ କହୁଥିଲା ସେ କେତେ ଭଲ ପାଉଥିଲା ପପି ଭାଇଙ୍କୁ।ଲୁହ ନୁହେଁ ଜିନାନୀର କୁଆଁରୀ ଜୀବନର ଅପଢ଼ା ପୃଷ୍ଠା ଭର୍ତ୍ତୀ ପ୍ରେମ କବିତା କି ଦେଖା ଯାଉଛି ତା ଆଖିରେ!!....


********

ଜିନାନୀ କହିଲା ମନେ ଅଛି ତୋର ବୁଇ!ଯେଉଁଦିନ ତୁ କୁନୁକୁ ନେଇ ଯାଇଥିଲୁ ସ୍କୁଲ ତୋ ହଜିଯାଇଥିବା ସାର୍ଟିଫିକେଟ୍ ର ନକଲ ଆଣିବାକୁ।ନନା ଓ ମା ଯାଇଥିଲେ କକେଇଙ୍କ ଘରକୁ,ଶ୍ରାଦ୍ଧ ଥିଲା ତାଙ୍କ ଘରେ।

ମନେ ପଡୁଛି....।ହଁ କହିଲା ବୁନାନୀ।ସେଇଦିନର କଥା।ତୋ ମାମୁଁ ପୁଅ ପପି,ପ୍ରତାପ ତୋତେ ଖୋଜି ଖୋଜି ଆସିଲା।ଆମ ଘରେ କେହି ନଥିଲେ।ମୁଁ ବସି ପଢୁଥିଲି +୨ ଫାଇନାଲ୍ ପରୀକ୍ଷା ପାଇଁ।ଦାଣ୍ଡ କବାଟ ଆଉଜା ଥିଲା।ବୁଇ ବୁଇ ଡାକି ପପି ଭାଇ ଘର ଭିତରକୁ ଆସିଲା।କାହାକୁ ପାଇଲା ନାହିଁ।ମୁଁ ଘରେ ଥାଇ କହିଲି କଣ ପପି ଭାଇ ବୁଇ ସ୍କୁଲ ଯାଇଛି।


ତାପରେ ମୁଁ ଭାବିଲି ସେ ଚାଲିଗଲେ।କିନ୍ତୁ ଅପ୍ରାସ୍ଥିତ ଭାବେ କେହି ଜଣେ ପଛରୁ ମୋ ଆଖି ବୁଜିଦେଲେ ଜୋରରେ।ମୁଁ କିଏ କିଏ କହି ଦରାଣ୍ଡି ସ୍ପର୍ଶରୁ ଜାଣିଲି ଗୋଟେ ଟାଣୁଆ ହାତ।ଓଃ କିଏ କହି ବ୍ୟସ୍ତ ହେବାରୁ ସେ ହାତ ଛାଡିଦେଲେ।ଚେୟାରରୁ ଉଠିପଡି ଦେଖେତ ପିପି ଭାଇ ହସୁଛନ୍ତି ଗୋଟେ ଅଦ୍ଭୁତ ହସ।ସେ ସାଙ୍ଗେ ସାଙ୍ଗେ କିଛି ନ କହି ମୋତେ ଟାଣି ନେଇ ତାଙ୍କ ଛାତିରେ ଚାପି ଧରିଲେ।ମୋ ଅନୁଢା କଅଁଳ ଛାତି ଚାପି ହୋଇ ଅଣନିଃଶ୍ବାସୀ ଲାଗିଲା।ସେ ମୋତେ ପଛେଇ ପଛେଇ ନେଇ କାନ୍ଥରେ ଚାପି ଧରିଲେ।କାନ୍ଥ ଓ ତାଙ୍କ ଛାତି ମଝିରେ ମୋ ଦେହ ,ମୋ ଛାତି ଚାପି ହୋଇଗଲା।ତାଙ୍କ ନିଃଶ୍ବାସ ଖୁବ୍ ଗରମ ଲାଗୁଥିଲା।ଆସ୍ତେ ଆସ୍ତେ ସେ ହାତ ମୋ ଛାତିଯାଏ ଆଣିଲେ।ଓଃ କି କାଟୁଥିଲା ମୋତେ ତାଙ୍କ ହାତର ଚାଳନା!ମରିଗଲି ମୁଁ ରଡି ଛାଡ଼ିଲି।ସେ ମୋ ମୁହଁ ସାରା ଚୁମିଗଲେ।ପାଟି କରନା ଭଲ ଲାଗିବ ସେ ଚୁପ୍ କି କହିଲେ।କିନ୍ତୁ.....ତୁମେ ଏମିତି କରୁଛ କାହିଁକି?ମୁଁ ଅବୁଝା ଅଥଚ ସହଜ ଭାବରେ କହିଲି।ସେ କହିଲେ ତୋ ଦେହରେ ନିଆଁ ଲଗାଉଛି।ଏଣିକି ତୁ ମୋତେ ଓ ଏଇ ନିଆଁକୁ ଖୋଜିବୁ।ମୁଁ ତୋତେ ଭଲ ପାଏ ଲୋ ଜିନା।ତୁ କହିଲେ ଆମ ବାହା ଘର ହୋଇଯିବ।ତାପରେ ସବୁଦିନ ଏଇ ମିଠା ନିଆଁ ସହ ଆମେ ଖେଳିବା।ବୁଝିଲୁ ଓଲି।କେତେଥର ତୋତେ ସୂଚନା ଦେଲେ ବି ତୁ ହୁଣ୍ଡି ବୁଝି ପାରିଲୁ ନାହିଁ।ବାଧ୍ୟ ହେଲି ତୋତେ ଛୁଇଁବାକୁ।ତାପରେ କଣ ହେଲା ମୁଁ ଜାଣିନି।ତୁନି ହୋଇ ବସିଥିଲି ସେଇ କାନ୍ଥକୁ ଲାଗି ନନା ମା ଆସିଲା ବେଳକୁ।


ମା କହିଲା ଆଲୋ ଜିନା ସେଠି ସେମିତି କାଇଁ ବସିଛୁ!!ନେ କକେଇ ଘର ପିଣ୍ଡ ଭାତ ଡାଲମା ପଠାଇଛନ୍ତି ଖା।

ମୁଁ ଉଠିବାକୁ ଇଚ୍ଛା କରୁ ନଥିଲି।କିନ୍ତୁ କାଳେ ଜାଣିଦେବେ ଡରରେ ଉଠିଲି।ହେଲେ ଖାଇ ପାରିଲି ନାହିଁ।କଣ ଘଟିଗଲା ମୋ ସହ।ସେ ବଦମାସ ପପି କଣ କଲା କେଜାଣି ସେଇ ଦିନଠୁ ହେଉ ପଛେ କଷ୍ଟ ମୁଁ ସେଇ ନିଆଁକୁ ଖୋଜିଲି ମନେ ମନେ।ବସିଲେ ଉଠିଲେ ସେଇ ନିଆଁ ଧାସ ମୋତେ ଜଳାଇଲା।ପପି ମୁହଁ ଦିଶିଲା।କେଉଁଥିରେ ମନ ଲାଗିଲା ନାହିଁ।ପପିକୁ,ତା ଛାତି,ସ୍ପର୍ଶ ମୋତେ ପାଗଳି କରିଦେଲେ।ଓଃ ସେ ମୁହୂର୍ତ୍ତ କଥା ଭାବିଲେ ଦେହ ଭିତରେ କରେଣ୍ଟ ଚାଲିଗଲା ପରି ଲାଗିଲା।ମୁଁ ନୀରବେ ଝୁରି ହେଲି ସେଇ ଅନୁଭବକୁ।


ଆଠ ଦିନ ପରେ ପିପି ଭାଇ ପୁଣି ଆସିଲା।ଏଥର ସେ ମୂର୍କି ମୂର୍କି ହସୁଥିଲା।ମା କହିଲେ ପପିକୁ ଚା ଦେଇଆ ଜିନା।ସବୁଦିନ ଚା ନେଇଦିଏ।ଏଥର କିନ୍ତୁ ମୋର ସାହାସ ହେଲାନି।ପୁଣି କାଳେ ଧରିବ....ମୁଁ କହିଲି ପଢୁଛି ମା ତୁ ଦେଇ ଦେ।ପପି ଭାଇ ଚା ନଖାଇ ଚାଲିଗଲେ।ପୁଣି ମାସକ ପରେ ଆସିଲେ ମନେ ଅଛି ଏବେବି ସେ ଦିନ। ସିଧା ସଳଖ ମୋ ପଢା ଘରକୁ।ମୋ ବେଣୀ ଟାଣିଲେ।ମୋ ଗାଲ ଚିପିଦେଲେ।ଯଦିଓ ତାଙ୍କ ହାତ ସ୍ପର୍ଶ ମୋତେ ଉଚ୍ଚାଟ କରୁଥିଲା "ମୁଁ କିନ୍ତୁ ଚିଡିଲି କଣ... କଣ ହେଉଛି ଶୁଣେ।କିଛି ନ କହିଲାରୁ ବେଶୀ ହେଉଛନ୍ତି।କାହିଁକି ଲାଗୁଛ ମୋ ସାଙ୍ଗେ!!


ତୁ ବି ଏକା କଥା କହିଲୁ।ପପି ଭାଇ ପିଲାଦିନ ପରି ଏବେବି ଚିଡାଉଛ ଜିନାନୀକୁ!!ସେ ଏବେ ବଡ଼ ହେଲାଣି ବା।ତୁମେ ଗଲ ବାବୁନ୍ ଭାଇ ପାଖକୁ କହି ତୁ ତାଙ୍କୁ ପେଲି ପେଲି ନେଇ ଘର ବାହାରେ ଛାଡ଼ିଦେଲୁ।ମୁଁ କିନ୍ତୁ ଥରୁଥିଲି ଗୋଟା ସୁଦ୍ଧା,ତୁ କହିଲୁ ଆରେ ବାବାରେ କି ନାଲି,ରାଗ!!!ସତରେ ତୁ ବଡ଼ ହୋଇଯାଇଛୁ ଲୋ ଜିନାନୀ।ଟିକେ ଗେଲ ନକଲ ଯାଉନି ତୋ ଦେହେ।ସେ ଆମ ଭାଇଟି....ଭାଇ ନା ଫାଇ...ସୁଦୁ ମିଛୁଆ।ତୁ ଜାଣିନୁ।ତୁ କିନ୍ତୁ ଅସଲ କଥା ଜାଣି ନଥିଲୁ ନା ହସିକି କହିଲୁ ହଁ ହଁ ଠିକ୍,ପପି ଭାଇ ଏବେ ଖୁବ୍ ମିଛ କହୁଛନ୍ତି।


କେମିତି ବୁଝାଇଥାନ୍ତି ତୋତେ ତୁମ ଆଖିରେ ପଟି ବାନ୍ଧି ପପି ଭାଇ ଖରାପ ନଜର୍ ମୋ ଉପରେ ରଖିଛନ୍ତି।ଟିକେ ଟିକେ ମଉକା ହାତ ଛଡା କରୁନାହାନ୍ତି।ଭାବିଲି ମା କୁ କହିବି।ପୁଣି ଭାବିଲି କଣ କହିବି?ଯାହା କହିଲେ ବି ସମସ୍ତେ କହିବେ ଝିଅଟିର ଦୋଷ। ଏଣୁ କିଛି ନ କହି ଚୁପ୍ ରହିଲି ଓ ଯଥା ସାଧ୍ୟ ଦୁରେଇ ରହିଲି ପପି ଭାଇଠାରୁ।


କିନ୍ତୁ ପପି ଭାଇ ଠାରୁ ଦୁରେଇବାକୁ ଯାଇ ମୁଁ ଯେମିତି ତାଙ୍କ ପାଖ ହୋଇ ଯାଉଥିଲି।ଏ ଫୋଟୋଟି ତୋରି ବହି ଭିତରେ ଥିଲା।ପଢିବାକୁ ଆଣିଥିଲି ବହି।ତା ଭିତରେ ଏଇଫୋଟୋ ଟି ଥିଲା।ତା ତଳେ ଲେଖା ହୋଇଥିଲା ପ୍ରତାପ ତୋ ମିଛୁଆ ଭାଇ।ଜାଣିନି କେଉଁ ଆକର୍ଷଣ କି ମୋହରେ ଫଟୋଟି ରଖିଦେଇଥିଲି ତୋତେ ନକହି ଆମ ଅଲବମ୍ ରେ।ବେଳେବେଳେ ଇଚ୍ଛାହୁଏ ଅଲବମ୍ ଆଣି ପପି ଭାଇଙ୍କ ଫୋଟୋ ଦେଖିବାକୁ।କିଛି ଦିନି ପରେ ପପି ଭାଇ ତାଙ୍କ ବିବାହ କାର୍ଡ ନେଇ ଆସିଲେ ଓ ମୋ ହାତରେ ଗୁଞ୍ଜି ଦେଇ କହିଲେ ଭୋଜି ଖାଇବାକୁ ଯିବୁ।ଡରିଲୁ,କହିଲୁନି କାହାକୁ ନିଆଁ ଲଗେଇଲେ ବି। ତୁ ଅନାଡି ଟା।ଆଉ କିଏ ହୋଇଥିଲେକଣ ନାଇଁ କଣ କରି ଦେଇଥାନ୍ତା ଛାଡ଼....ପ୍ରେମ ଫ୍ରେମ ତୋ ଦେଇ ହେବନି ଲୋ ଜିନା।


ପ୍ରେମ!!!ଧଡ୍ କିନା ମୋ ଛାତି ପଡିଥିଲା ସେଦିନ।ଚକ୍ କରି ବିଜୁଳି ଖେଳି ଯାଇଥିଲା ମୋ ଦେହ ସାରା।ପପି ଭାଇ ବାହା ହେଉଛି ଜାଣି ଖୁସି ପରିବର୍ତ୍ତେ ବେଶୀ ଉଦାସ ଲାଗିଲା।ଏବେ ଶ୍ରୀତମଙ୍କ ବାହୁ ବନ୍ଧନରେ ଥାଇ ମନେ ପଡେ ପପି ଭାଇଙ୍କ ଜାବୁଡି ଧରିବା ମୁହୂର୍ତ୍ତ।ଚାହିଁଲେ ବି ମୋ "ମନ ସିଲଟ"ରୁ ଲିଭେଇ ପାରୁନି ସେଇ ମୁହୂର୍ତ୍ତର ଅନୁଭବ।


ଆମେ ସବୁ କା...ବା ହୋଇଗଲୁ।ହେ ଭଗବାନ!!ପପି ଭାଇ....ଜିନାନୀ ତୁ କହିଲୁ ନାହିଁ ସେତେବେଳେ ତା ଦାନ୍ତ ଭାଙ୍ଗି ଦେଇଥାନ୍ତି।କେହି ମିଳିଲେ ନାହିଁ ମୋ ଜିନାନୀକୁ ...ଛି କହିଲା ବୁନାନୀ।


ସେଇଦିନ ସେ ଫୋଟୋଟି ଚିରି ପୋଖରୀ ପାଣିରେ ବିସର୍ଜନ କରିଦେଲା ଜିନାନୀ।ତା ସହ ତା ମନ ସିଲଟରୁ ଲିଭେଇବାକୁ ଚେଷ୍ଟା କଲା ପପି ଭାଇ ଚେହେରା ଓ ନାମ।କିନ୍ତୁ ଜିନାନୀ କୁହେ ସେ ମୁହଁଟା ଲିଭିବା ପରିବର୍ତ୍ତେ ଗାଢ଼ ଦେଖା ଯାଉଥିଲା ସମୟ କ୍ରମେ।କେବଳ ଧୂଳି ଜମୁଥିଲା ଯାହା।ଯେଉଁଥି ପାଇଁ ଅସ୍ପଷ୍ଟ ଚେହେରା ଦେଖାଯାଉଥିଲା।ବେଳ ଅବେଳରେ ମନେ ପଡି କାଟୁଥିଲା କିନ୍ତୁ।


ଜିନାନୀ ବୋଧେ ଭଲ ପାଉଥିଲା ପପି ଭାଇଙ୍କୁ।ଡରରେ କହି ପାରି ନଥିଲା।ସବୁ କଥା ଶେଷ କଲାବେଳକୁ ଜିନାନୀ ଆଖି ଆକାଶରୁ ଆଷାଢ଼ ଝରୁଥିଲା ଟପ୍ ଟପ୍।ପ୍ରେମ ବୋଧେ କୁହୁଳା ନିଆଁର ଧୂଆଁ......ମୁଁ ସେଦିନ ବୁଝିଲି।


Rate this content
Log in

More oriya story from Satyabati Swain

Similar oriya story from Romance