Anuradha Nath

Romance Inspirational

4.3  

Anuradha Nath

Romance Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

3 mins
824



ବସ୍ ଷ୍ଟାଣ୍ଡ ପାଖରେ ବସିଛନ୍ତି ଜଣେ ମହିଳା, ବୟସ ପାଖାପାଖି ୬0, ମନ ମଉଳି ଯାଇଛି ତାଙ୍କର। ଚଷମା ଖୋଲି ଅଜାଣତରେ ବହିଯାଉଥିବା ଲୁହ କୁ ପୋଛୁଛନ୍ତି ସେ ।ତା ଭିତରେ ଖୋଜୁଛନ୍ତି ନିଜର ଶେଷ ଠିକଣା। ଅଵସର ପାଇ ସାରିବା ପରେ ଜୀବନ ର ଶେଷ ସମୟ ନିଜ ପୁଅ ଝିଅ ଙ୍କ ସହ କାଟିଵାର ସ୍ୱପ୍ନ ଦେଖିଥିଲେ ଆରାଧନା । କିନ୍ତୁ ସେ କେବେ ଭି ଵିଶ୍ୱାସ କରିନଥିଲେ ପୁଅ ଝିଅ ଙ୍କ ପାଇଁ ସେ ବୋଝ ପାଲଟି ଯିଵେ।


ପଦାର୍ଥ ବିଜ୍ଞାନ ର ଶିକ୍ଷୟିତ୍ରୀ ଭାବେ ପରିଚିତ ଥିଲେ ସେ। ସ୍କୁଲ ରେ ସମ୍ମାନିତ କରି ଵିଦାୟ ଦେଇଥିଲେ ସମସ୍ତେ ତାଙ୍କୁ। ସ୍କୁଲ ଛାଡିଵାର ଯେତିକି ଦୁଃଖ ଥିଲା ତାଙ୍କର ତାହା ଠାରୁ ଅଧିକ ଖୁସି ଥିଲା ଏଥର ପୁଅ ଝିଅ ଙ୍କ ସହିତ ବାଙ୍ଗାଲୋର ରେ ରହିଵେ। ଝିଅ ଦଶ ବର୍ଷ ତଳେ ବିବାହ କରି ବାଙ୍ଗାଲୋର ରେ ରହୁଛି। ପୁଅ ଭି ତା ପାଖାପାଖି ତା ପରିବାର ସହିତ ରହୁଛି। ଝିଅ ର ଦୁଇଟି ପୁଅ ଝିଅ। ଆଉ ପୁଅ ର ମଧ୍ୟ ଗୋଟିଏ ପୁଅ। ଭାବିଥିଲେ ଅବସର ପରେ ପୁଅ ଝିଅ ନାତି ନାତୁଣୀ ଗ୍ରହଣ ରେ ଖୁସି ରେ ରହିଵେ, କିନ୍ତୁ କାଲି ରାତି ର ଆଲୋଚନା ତାଙ୍କୁ କଷ୍ଟ ଦେଇଥିଲା।

ବାଙ୍ଗାଲୋର ଯିଵେ ଵୋଲି ଵ୍ୟାଗ୍ ସଜାଉ ଥିବା ଅବସ୍ଥାରେ ଛୁଆ ଙ୍କ ଆଲୋଚନା ଶୁଣି ଥିଲେ। ପୁଅ କହୁଥିଲା ମୋ ସ୍ତ୍ରୀ ଚାକିରୀ କରୁଛି, ଘର କାମ ଅଫିସ୍ କାମ ଭିତରେ ଛନ୍ଦି ହେଇ ଯାଇଛି, ଏଣୁ ଛୁଆ ଧନ୍ଦା ପାଇଁ ମୋ ସାଳି କୁ ରଖିଛି। ସେଥିରେ ପୁଣି ମା ଙ୍କ ଵୋଝ କେମିତି ନେବ ସେ ।


ଏପଟେ ଝିଅ କହୁଥିଲା, ଏ ଛୁଆ ଆଉ ଘର କାମ ସକାଶେ ମତେ ଚାକିରୀ ଛାଡିବାକୁ ପଡିଲା। ମୋର ତ ଭଉଣୀ ନାହିଁ ଯେ ତାକୁ ପାଖରେ ରଖିବି। ମା ଙ୍କ ଭି ବୟସ ହୋଇଗଲାଣି, ତାଙ୍କ ଠାରୁ ସାମାନ୍ୟ ସାହାଯ୍ୟ ର ଆଶା ଭି କରି ହେବ ନାହିଁ। ମୋର କଣ କମ୍ କାମ ଯେ ତାଙ୍କୁ ପାଖରେ ନେଇ ରଖିଵି। ସେ ଏଇଠି ରୁହନ୍ତୁ, ଆମେ ତାଙ୍କ ସେବା ପାଇଁ କାହାକୁ ରଖିଦେଵା। ମୋଟା ଅଙ୍କର ଟଙ୍କା ଦେଲେ କେହିଭି ଆସି ତାଙ୍କ ପାଖରେ ରହିଯିଵେ।

ଆରାଧନା ଵ୍ୟାଗ୍ ରୁ ପୋଷାକ ସବୁ କାଢି ପୁଣି ଆଲମିରା ରେ ରଖିଲେ। ରାତିସାରା ସେହି ଚିନ୍ତା ରେ ବସି ରହିଲେ। ପୁରୁଣା ଡାଏରୀ ଟି ତଳକୁ ପଡିଗଲା। ଡାଏରୀ ରେ ଜମିଥିବା ଧୂଳି ସବୁ ସଫା କରି ଖୋଲିଲା ଵେଳକୁ ଅନିମେଶ୍ ଙ୍କ ନମ୍ବର ମିଳିଲା। ଏତେ ରାତିରେ ତାଙ୍କୁ ଫୋନ୍ କରିବା କଣ ଠିକ୍ ହେବ! ଏତେ ବର୍ଷ ହୋଇଗଲାଣି, ସେ ଵୋଧହୁଏ ଆରାଧନା ଙ୍କୁ ଭୁଲି ଆଉଥରେ ଵିଵାହ କରିଥିବେ।


ସକାଳ ହେଲା ପିଲାମାନେ ସୋଇଥାନ୍ତି। ବହୁତ ଭାଵି ଅନିମେଶ୍ ଙ୍କୁ ଫୋନ୍ କଲେ। ଆଉ ଅନିମେଶ୍ ଭି ତାଙ୍କ କଣ୍ଠ ଜାଣି ପାରିଲେ। ଆଉ ଅନିମେଶ୍ ତାଙ୍କୁ କହିଲେ ତାଙ୍କ ଦେହ ଆଉ ଭଲ ରହୁନି, ଜୀବନ ରେ ଏକୁଟିଆ ଆଜି ଭି ରହିଛନ୍ତି ଆରାଧନା ଙ୍କ ଅପେକ୍ଷା ରେ। ଦେହ ଖରାପ ଖବର ଶୁଣି ଆରାଧନା ଆଉ ରହି ପାରିଲେ ନାହିଁ। ଵ୍ୟାଗ୍ ରେ ପୁଣି ପୋଷାକ ଆଉ କିଛି ଜରୁରୀ ଜିନିଷ ପତ୍ର ରଖି ଵାହାରିଲେ ରାଉରକେଲା। ଚିଠି ଟିଏ ଲେଖି ରଖିଦେଲେ ଛୁଆ ଙ୍କ ପାଇଁ। ଯେମିତି ସେମାନେ ତାଙ୍କ ପାଇଁ ବ୍ୟସ୍ତ ହେଵେ ନାହିଁ।


ବସ ରେ ବସି ଝରକା ଖୋଲି ଭାବିଲେ ତାଙ୍କ ସହ ଘଟିଥିବା କିଛି ପୁରୁଣା ସ୍ମୃତି। ୧୯୮୦ ମସିହା ର ଘଟଣା। ଅନିମେଶ୍ ଙ୍କ ସହ ଵିଵାହ କରି ଆମେରିକା ରେ ଖୁବ୍ ଖୁସି ରେ ଥିଲେ ସେ। ଜାଆଁଳା ଭଉଣୀ ଅରୁଣିମା ଆଉ ଭେଣେଇ ରତ୍ନାକର ଙ୍କ ଦେହାନ୍ତ ଖବର ପାଇ ଏକୁଟିଆ ଓଡିଶା ଚାଲି ଆସିଲେ। ତାଙ୍କ ମା ଙ୍କ ପାଖରେ ଥିଲେ ଭଉଣୀ ଅରୁଣିମା ଙ୍କ ଦୁଇଟି ଛୁଆ। ଚାରି ବର୍ଷ ର ପୁଅ ଆଉ ଦୁଇ ବର୍ଷ ର ଝିଅ। ଯେହେତୁ ଆରାଧନା ଆଉ ଅରୁଣିମା ଙ୍କ ଚେହେରା ଏକା ପରି ଥିଲା, ଏଣୁ ଛୁଆ ମାନେ ତାଙ୍କୁ ମା ମା କହି ତାଙ୍କ ପଣତ ରେ ଆଉଜି ହୋଇଗଲେ। ଆରାଧନା ଭି ନିରୁପାୟ ହୋଇ ଛୁଆ ମାନଙ୍କୁ ସ୍ନେହ ର ସହିତ ପାଛୋଟି ନେଲେ।


ସେହିଦିନ ଠାରୁ ସେ ମା ହୋଇ ସେମାନଙ୍କ ସହିତ ରହିଲେ। କିନ୍ତୁ ଯେତେବେଳେ ଅନିମେଶ୍ ଓଡିଶା ଆସିଲେ, ଛୁଆ ମାନେ ତାଙ୍କୁ ବାପା ହିସାବରେ ଗ୍ରହଣ କରି ପାରିଲେ ନାହିଁ। ସେତେବେଳେ ଅରୁଣିମା ଙ୍କୁ ପ୍ରେମ ଆଉ କର୍ତ୍ତବ୍ୟ ଭିତରୁ ଜଣକୁ ବାଛିବାର ଥିଲା। ଆଉ ଅରୁଣିମା କର୍ତ୍ତବ୍ୟ କୁ ବାଛିଥିଲେ। ଆଉ ପ୍ରେମ କୁ ଦୁରେଇ ଦେଇ ସାଜିଥିଲେ ଛୁଆ ଙ୍କ ପାଇଁ ଯଶୋଦା।


ଅନିମେଶ୍ ଭି ତାଙ୍କ ନିର୍ଣୟ ର ସମ୍ମାନ ଦେଇ ଚାଲି ଆସିଥିଲେ ତାଙ୍କ ଠାରୁ ବହୁତ ଦୂର। ଆଉ ଆଜି ସେହି ଛୁଆ ମାନେ ତାଙ୍କୁ ପର କରି ଦେଇଥିଲେ। ତଥାପି ସେ କେବେ ଭି ପ୍ରକାଶ କରି ନାହାନ୍ତି, ସେ ତାଙ୍କର ମା ନୁହେଁ ମାଉସୀ। ସେଦିନ ସେ କରିଥିଲେ ଅନିମେଶ୍ ଙ୍କ ପ୍ରତି ଅନ୍ୟାୟ। କିନ୍ତୁ ଆଜି ଏହି ଅବସ୍ଥାରେ ପ୍ରଥମ ଥର ପାଇଁ ଅନିମେଶ୍ ମାଗିଛନ୍ତି ତାଙ୍କୁ ।ସେ କେମିତି ସ୍ବାର୍ଥପର ସାଜିଥାନ୍ତେ। ଅନିମେଶ୍ ଙ୍କ ପାଖରେ ପହଞ୍ଚିବା ତାଙ୍କର କର୍ତ୍ତବ୍ୟ। ଆଉ ସେ ପହଂଚି ଥିଲେ ଅନିମେଶ୍ ଙ୍କ ପାଖରେ।


ଅନିମେଶ୍ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ।ଆଉ ଆଜିବି ତାଙ୍କ ଚେହେରା ରେ ଉଜ୍ଜଳତା ଥିଲା। ଆଉ ଅନିମେଶ୍ ସେଇଠି କଲେଜ ଟାଇମ୍ ର ଅନିମେଶ୍ ଙ୍କ ପରି ଆରାଧନା ଙ୍କ ହାତ ମାଗିଥିଲେ। ଆଉ ଆରାଧନା ଭି ହଁ ଭରିଲେ।

ଆଉ ତା ପରେ କରତାଳି ଦେଇ ପୁଅ ଵୋହୂ, ଝିଅ ଜ୍ବାଇଁ, ନାତି ନାତୁଣୀ ତାଙ୍କୁ ସମ୍ମାନିତ କରିଥିଲେ। ଆଉ ସେଇଠି ସେ ଜାଣିବାକୁ ପାଇଲେ ଅନିମେଶ୍ ଙ୍କ ସହ ଆଉଥରେ ଆରାଧନା ଙ୍କୁ ମିଶାଇଵାର ଏହି ସବୁ ପୟାସ କରାଯାଇଥିଲା। ଛୁଆ ମାନେ ବହୁ ପୂର୍ବରୁ ଯାଣିଥିଲେ ଆରାଧନା ତାଙ୍କ ମାଉସୀ। ଆଉ ସେହି ଠାରୁ ସେମାନେ ତାଙ୍କୁ ମିଶାଇଵାକୁ ଚାହୁଁଥିଲେ। ଆଉ ଆଜି ସେମାନେ ସଫଳ ହୋଇଥିଲେ।



Rate this content
Log in

Similar oriya story from Romance