Madhu mita

Comedy Classics Fantasy

3  

Madhu mita

Comedy Classics Fantasy

କରୋନା କାଳେ ଲଙ୍କାକାଣ୍ଡ

କରୋନା କାଳେ ଲଙ୍କାକାଣ୍ଡ

14 mins
126



ଅଲିଅଳି ଭଉଣୀ ସୂର୍ପଣଖା ନିଜ ଖଣ୍ଡିଆ ନାକ କାନ ନେଇ ଆସି ରାବଣ ଆଗରେ କାନ୍ଦି କାନ୍ଦି ଅଥୟ ହୋଇ ପଡ଼ୁଥିଲା।ସହଜେ ସେତେବେଳେ ଡିସେମ୍ବର ମାସ ଶୀତଦିନ । ତାକୁ ସେଥିପାଇଁ ଆହୁରି ଅଧିକ ବ୍ୟଥା ହେଉଥିବାରୁ ରାବଣ ତୁରନ୍ତ ସୁଷେଣ ବୈଦ୍ୟଙ୍କୁ ଡକେଇ ପଠେଇଲେ।ସେ ପେନ୍ କିଲର ଇଞ୍ଜେକ୍ସନ ଦେଇ ତାକୁ ତା କକ୍ଷରେ ଶୁଏଇଦେଲେ ।

କିନ୍ତୁ ଏତିକିରେ ତ ସମସ୍ୟାର ସମାଧାନ ସମ୍ଭବ ନ ଥିଲା।ତେବେ କଣ କରିବେ ଲଙ୍କାପତି?? ମହାବଳୀ ରାବଣ ସେ..ଆଉ ତାଙ୍କ ଭଉଣୀର ଏ ଅବସ୍ଥା ହୋଇଛି। ଏମିତି କି ଉପାୟ ବାହାରିବ ଯାହା ଫଳରେ ସେ ନିଜ ଭଉଣୀର ଅପମାନର ପ୍ରତିଶୋଧ ନେବେ..??ଖର ଦୂଷଣ ତାଙ୍କୁ ପରାମର୍ଶ ଦେଲେ କିଛି ଏପରି ରାସ୍ତା ବାହାର କରିବାକୁ ହେବ ଯାହା ଫଳରେ ରାମ ଲକ୍ଷ୍ମଣ କଲବଲ ହୋଇ ଛଟପଟ ହେବେ।ତେଣୁ ରାବଣ ସମଗ୍ର ଅସୁର ଜାତିକୁ କିଛି ଉପାୟ ଖୋଜି ବାହାର କରିବା ଆଶାରେ ଚତୁର୍ଦ୍ଦିଗକୁ ପଠେଇଲେ।ଏପରି କିଛି ଉପାୟ ନିଶ୍ଚୟ ଖୋଜି ଆଣିବାକୁ ଯାହା ଫଳରେ ମଣିଷ ବଞ୍ଚି ରହିବାକୁ ମଧ୍ୟ ଡରି ଯାଇପାରେ ।

ମାସ ଶେଷ ଆଡକୁ ଜଣେ ଗୁପ୍ତଚର ଖବର ନେଇ ଆସିଲା ପଡୋଶୀ ଦେଶ ଚାଇନା ଏକ ଏପରି ଜୈବିକ ବିସ୍ଫୋରଣର ସନ୍ଧାନ କରି ପାରିଛି ଯାହାର ସଂକ୍ରମଣ ନିଶ୍ଚିତରୂପେ ପ୍ରାଣଘାତୀ ସିଦ୍ଧ ହୋଇଛି।ଆଉ ମନୁଷ୍ୟ ଏହି ସଂକ୍ରମଣର ପ୍ରଧାନ ଶିକାର ହୋଇ ସାରିଛି।ଏପରିକି ତାହାର ନିଜ ଦେଶର ଅଧିବାସୀ ମଧ୍ୟ ଏହି ଭୟାବହତାରୁ ନିଜକୁ ବଞ୍ଚେଇ ପାରି ନାହାଁନ୍ତି।ଏପ୍ରକାର ଏକ ଅଦ୍ଭୁତ କଥା ଶୁଣି ରାବଣ ତୁରନ୍ତ ଉକ୍ତ ସଂକ୍ରମଣକୁ ପାଛୋଟି ଆଣିବାକୁ ନିଜ ଦୂତକୁ ପଠାଇଲେ ଆଉ ଅଳ୍ପ ସମୟ ଭିତରେ କୋଭିଡ-୧୯ ସସମ୍ମାନେ ଲଙ୍କା ପ୍ରବେଶ କଲା ।

"କିଏ ଅଛ ରେ?" ପାଟି କଲେ ଲଙ୍କା ନରେଶ ।ଆଉ ସାମ୍ନାରେ ଥିବା ଦୂତକୁ ଜଣେ କୋଭିଡ଼ ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ତୁରନ୍ତ ରାମଙ୍କ ସେତେବେଳର ବାସସ୍ଥଳୀ ପଞ୍ଚବଟୀକୁ ଯାଇ ପହଞ୍ଚି ନିଜ କ୍ଷମତା ଦେଖେଇବାକୁ କଡା ନିର୍ଦ୍ଦେଶ ଦେଲେ।

ଲଙ୍କାପତିଙ୍କ ନିର୍ଦ୍ଦେଶରେ ଧୀରେ ଧୀରେ କାୟା ବିସ୍ତାର କରିବାକୁ ଆରମ୍ଭ କଲା କିଲର ଭାଇରସ ।ପଶୁପକ୍ଷୀ ଠାରୁ ଆରମ୍ଭ କରି ଜଣ ଜଣ କରି ମୁନିଋଷି ଆଉ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଆକ୍ରାନ୍ତ କରିବାକୁ ଆରମ୍ଭ କଲା।ଅଜଣା ଶତ୍ରୁ ଆଘାତରେ ସମସ୍ତେ ଆତଙ୍କିତ ହେବାକୁ ଲାଗିଲେ।ପ୍ରତି କ୍ଷଣରେ ଜୀବନ ନିଜେ ବଞ୍ଚି ରହିବା ପାଇଁ ଛଟପଟ ହେଲା।ଏସବୁ ଶୁଣି ରାବଣ ମନେ ମନେ ଟିକେ ଖୁସି ହୋଇଯାଇ ସୂର୍ପଣଖାକୁ ଏ ଶୁଭ ସମାଚାର ଦେଲେ।କିନ୍ତୁ ସୂର୍ପଣଖା ଏହା ଶୁଣି ଖୁସି ହୋଇ ପାରିଲାନି ।

"ମୋ ନାକ କାନ କାଟି ସେ ଦୁଇଭାଇ ନିଜ ବୀରତ୍ୱର ପ୍ରଦର୍ଶନ କଲେ ଆଉ ଆପଣ ଲଙ୍କାପତି ହୋଇ ଏକ ଅଦୃଶ୍ୟ ଭାଇରସଟିଏ ପଠେଇ ନିଶ୍ଚିନ୍ତ ହୋଇଗଲେ??ମୁଁ ତ ଭାବୁଥିଲି ଆପଣଙ୍କ ଭିତରେ ଥିବା ପୌରୁଷ ସେ ରାମର ଅଭିମାନକୁ..ତା ସୁନ୍ଦରୀ ପତ୍ନୀ ସୀତାକୁ ନିଜର କରିବାକୁ ଆଗେଇ ଯିବ ।କିନ୍ତୁ ଆପଣ ତ ନେପଥ୍ୟରେ ରହି କୋଳାହଳ କରିବାକୁ ପ୍ରସ୍ତୁତ ହୋଇଗଲେଣି ଭାଇ ।"ଏତିକି କହି ସୂର୍ପଣଖା ମୁହଁ ବୁଲେଇ ଦେଲା।

"ସୁନ୍ଦରୀ ସୀତା??"କହିଦେଇ ରାବଣ କିଛି ସମୟ ଚୁପ୍ ରହିବା ଦେଖି ସୂର୍ପଣଖା ପୁଣି କହିଲା.."ବହୁତ ସୁନ୍ଦରୀ ସେ ଭାଇ।ଆଉ ତା ସୁନ୍ଦରତା ହିଁ ସେ ବନବାସୀ ରାମର ଅଭିମାନ।ରାମର ନାକ କାଟିବାକୁ ଇଚ୍ଛା ଥିଲେ ସୀତାର ସୌନ୍ଦର୍ଯ୍ୟ ଉପରେ ଆଘାତ କରିବାକୁ ହେବ ।ସତ କହିଲେ ସେପରି ଏକ ଅନୁପମ ସୁନ୍ଦରୀ ଏହି ସ୍ଵର୍ଣ୍ଣ ଲଙ୍କାର ଶୋଭା ବଢେଇବା କଥା।କିନ୍ତୁ ଆପଣ ତ…!!"

ସୂର୍ପଣଖାର କଥା ଶୁଣି ବସିବା ଜାଗାରୁ ଉଠି ରାବଣ ସିଧା ଦରବାରକୁ ଚାଲିଗଲେ ଆଉ କିଛି ଚିନ୍ତା କରି ମାରୀଚ ରାକ୍ଷସକୁ ସ୍ମରଣ କଲେ..

ମାରୀଚ ନିଜ ବେଶକୁ ଇଚ୍ଛା ଅନୁସାରେ ବଦଳେଇ ଦେଇପାରେ। ରାବଣ ତାକୁ ଏକ ସ୍ଵର୍ଣ୍ଣମୃଗ ହୋଇ ପଞ୍ଚବଟୀ ଯିବାକୁ ଆଦେଶ ଦେଲେ..ତା ହେଲେ ତା ରୂପରେ ଆକୃଷ୍ଟ ହୋଇ ସୀତା ରାମଙ୍କୁ ତାକୁ ଆଣିବାକୁ କହିବେ ଆଉ ରାମ ତା ପଛରେ ଗୋଡାଇଲା ସମୟରେ ରାବଣ ଯାଇ ସୀତାହରଣ କରି ପାରିବେ । 

ମାରୀଚ ରାବଣ କଥାରେ ହଁ ଭରିଲେ ମଧ୍ୟ ନିଜ ମନକୁ ବୁଝେଇ ପାରୁନଥିଲା।କିପରି ପଞ୍ଚବଟୀକୁ ଯିବ ସେ?ଯେତେବେଳେ କି ସେ ଭଲ ଭାବେ ଜାଣିଛି ସେଇଠି କରୋନା ବ୍ୟାପିଛି??ଆଉ ଯଦି ସେ ରାବଣର ଆଦେଶ ଅମାନ୍ୟ କରେ ତେବେ ତା ପ୍ରାଣ ନିଶ୍ଚୟ ସଙ୍କଟରେ ପଡ଼ିଯିବ ।ତେଣୁ ଭାବି ଭାବି ଗୋଟିଏ ଉପାୟ ବାହାର କଲା ଆଉ ଆସନ୍ତା ଦୁଇ ଦିନ ପରେ ପଞ୍ଚବଟୀ ଯିବ ବୋଲି ରାଜାଙ୍କୁ ଜଣେଇ ଦେଲା।

ନିଜ ଜୀବନ ବଞ୍ଚେଇବା ପାଇଁ ଆଉ କରୋନା ସଂକ୍ରମଣକୁ ନିଜଠୁ ରୋକିବା ପାଇଁ ମାରୀଚ ସ୍ୱର୍ଣ୍ଣମୃଗ ସାଜି ନିଜକୁ ଏକ ମୃଗ ଆକାରର ପିପିଇ ଚମଡ଼ା ଦ୍ଵାରା ଘୋଡେଇ ଦେଲା ଆଉ ଯାଇ ରାମଙ୍କ କୁଟୀର ଆଗରେ ଚଳ ପ୍ରଚଳ ହେବାକୁ ଲାଗିଲା।

ଏପଟେ ବନ୍ୟ ଜନ୍ତୁମାନଙ୍କ ସୁରକ୍ଷା ଆଉ ଋଷୀମୁନିମାନଙ୍କ ଜୀବନ ରକ୍ଷା ପାଇଁ ରାମ,ଲକ୍ଷ୍ମଣ ଆଉ ସୀତା ଚିନ୍ତିତ ଥିଲେ।ଅଚାନକ ଆସି ଯାଇଥିବା ଭାଇରସ କବଳରୁ ନୀରିହ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସେମାନେ ସେ ନିକଟରେ ଛୋଟ ଛୋଟ ନୀଡ଼ ଆଉ ଆଶ୍ରୟସ୍ଥଳୀ ତିଆରି କରି ସମସ୍ତଙ୍କୁ କ୍ଵାରେଣ୍ଟାଇନରେ ରଖି ଓଷଧୀୟ ଚିକିତ୍ସା ଆରମ୍ଭ କରି ଦେଇଥିଲେ।ଯେଉଁମାନେ ସଂକ୍ରମିତ ହୋଇ ନ ଥିଲେ ସେମାନଙ୍କୁ ପ୍ରତିଷେଧକ ଔଷଧୀୟ ପାନ ମଧ୍ୟ ଦେଉଥିଲେ। ସକାଳୁ ସକାଳୁ ତିନିଜଣଯାକ ପିପିଇ ପୋଷାକ ପରିଧାନ କରି ଏହି କାର୍ଯ୍ୟରେ ଲାଗି ଯାଉଥିଲେ ଆଉ କୁଟୀରକୁ ଆସି ମଝିରେ ମଝିରେ ଚତୁର୍ପାର୍ଶ୍ଵ ସାନିଟାଇଜ୍ କରି ପୁଣି କର୍ତ୍ତବ୍ୟ ସମ୍ପାଦନ ପାଇଁ ଆଗେଇ ଯାଉଥିଲେ ।

ଲଙ୍କା ପତି ନିଜକୁ ପ୍ରସ୍ତୁତ କଲେ ପଞ୍ଚବଟୀ ଯିବା ପାଇଁ ।କିନ୍ତୁ ଭାଇରସ କବଳରୁ ନିଜେ ବଞ୍ଚିବା ପାଇଁ ତାଙ୍କୁ ପିପିଇ ପୋଷାକ ଆବଶ୍ୟକ ଥିଲା।ହେଲେ ତାଙ୍କ ପରି ଦଶାନନଙ୍କ ପାଇଁ ଏକ ସ୍ଵତନ୍ତ୍ର କିଟ୍ ତିଆରି ହେଲା।ଯେଉଁଥିରେ ଦଶଟି ମୁଣ୍ଡ ପାଇଁ ଦଶଟି ହେଲମେଟ ପରି ଘୋଡଣୀ ତିଆରି ହେଲା।ତାକୁ ଯତ୍ନରେ ପିନ୍ଧି ରାବଣ ବାହାରିଲେ ମିଶନ ସୀତା ହରଣରେ ।

ପଞ୍ଚବଟୀର ସୁରମ୍ୟ ଉଦ୍ୟାନ ।

ଗଛ ଉହାଡରେ ଲୁଚି ଦେଖିଲେ ଦଶାନନ ।କେହି ତ କାହିଁ ଦେଖା ଯାଉ ନାହାଁନ୍ତି।ମାରୀଚ ତା କଥା ଅନୁସାରେ ସ୍ୱର୍ଣ୍ଣମୃଗ ସାଜି ବର୍ତ୍ତମାନକୁ ନିଶ୍ଚୟ ନିଜ କରାମତି ଦେଖେଇ ସାରିଥିବ।ତେବେ ।କଥା କଣ??

ହଠାତ୍ ରାବଣ ଦେଖିଲେ ପିପିଇ ପୋଷାକ ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶୁକ ପକ୍ଷୀକୁ ଅତି ଯତ୍ନ ସହକାରେ ନେଇ କୁଡିଆ ପାଖରେ ଥିବା ଛୋଟ ନୀଡ଼ଟିଏ ଭିତରେ ରଖି ଫେରି ଆସୁଥିଲେ।ତାଙ୍କର ଆଉ ବୁଝିବାକୁ ବାକି ରହିଲାନି ଯେ ସେ ଜନକ ନନ୍ଦିନୀଙ୍କୁ ସାମ୍ନାରେ ଦେଖୁଛନ୍ତି ।ଅବଶ୍ୟ କେବଳ ତାଙ୍କ ପଶ୍ଚାତ୍ ଭାଗର ଦର୍ଶନ ହିଁ ଏଯାଏଁ ମିଳିଛି।ତଥାପି ଏ ସମୟରେ କାଳ ବିଳମ୍ବ କରିବା ଅନୁଚିତ୍।ଆଉ ସାମାଜିକ ଦୁରତ୍ଵ ମଧ୍ୟ ଅତ୍ୟାବଶ୍ୟକ।ଭାବି ଚିନ୍ତି ରାବଣ ନିଜ ମାୟା ବଳରେ କିଛି ନିଶ୍ଚେତକ ବାହାର କରି ତାଙ୍କ ଉପରେ ସିଂଚନ କରିଦେଲେ ଏବଂ ସେ ଚେତାଶୁନ୍ୟ ହୋଇଯିବା ପରେ ତାଙ୍କୁ ଏକ ଚମଡ଼ା ଘୋଡଣୀ ଘୋଡେଇ ଦେଇ ତା ପରେ ନିଜ କାନ୍ଧରେ ପକେଇ ପୁଷ୍ପକ ବିମାନ ଆଡ଼କୁ ଆଗେଇଲେ ।ଗଲା ବେଳେ କିନ୍ତୁ ଭାବୁ ଥାଆନ୍ତି ଏତେ ସୁକୁମାରୀ ହୋଇ ମଧ୍ୟ ସୀତାଙ୍କ ଓଜନ ସତରେ ମାତ୍ରାଧିକ ।ବୋଧେ ଏଇଥିପାଇଁ ଯେ ସେ ନିଜେ ଧରିତ୍ରୀ ସୂତା..ତେଣୁ ଗୁରୁ ହେବାଟା ନିହାତି ଏକ ସାଧାରଣ କଥା ।

ପୁଷ୍ପକ ବିମାନରେ ବସେଇ ନେଇଯିବା ସମୟରେ କିଛି ବି ଶବ୍ଦ ଶୁଭିଲା ନାହିଁ।କାରଣ ନିଶ୍ଚେତକ ପ୍ରଭାବରୁ ଅପହୃତା ଚେତାଶୁନ୍ୟ ଥିଲେ। ଜଟାୟୁ ଆକାଶ ମାର୍ଗରେ ବିମାନକୁ ଯାଉଥିବା ଲକ୍ଷ୍ୟ କଲେ।ଆଗରୁ ତାଙ୍କୁ ହୋଇଥିବା ଭବିଷ୍ୟବାଣୀ ଅନୁଯାୟୀ ମାତା ସୀତାଙ୍କ କରୁଣ କ୍ରନ୍ଦନ ଶୁଣି ସେ ଯାଇ ରାବଣ ସହିତ ଯୁଦ୍ଧ କରିବା କଥା।କିନ୍ତୁ ମାତାଙ୍କ ସ୍ୱର ଶୁଣି ନ ପାରି ଭାବିଲେ ବୋଧେ ସେ ଦେଖିବାରେ କିଛି ତ୍ରୁଟି ହୋଇଛି। ଦଶ ମୁଣ୍ଡ ବିଶିଷ୍ଟ ଅଦ୍ଭୁତ ପୋଷାକ ପରିହିତ ପୁରୁଷ ବୋଧେ ଦଶାନନ ରାବଣ ହୋଇ ନ ଥିବ। ସୀତା ହରଣର ସମୟ ବୋଧେ ଏ ଯାଏଁ ଉପସ୍ଥିତ ହୋଇନି।ଏକଥା ଭାବି ସେ ନିଜ କୋରଡରେ ଚୁପ୍ ହୋଇ ବସିଗଲେ।ଏଇ କିଛି ଦିନ ହେବ ଯେପରି ପଶୁପକ୍ଷୀଙ୍କ ମଧ୍ୟରେ ଏକ ଅଜଣା ରୋଗ ଦେଖାଯାଇଛି ସେଥିପାଇଁ ମଧ୍ୟ ବିଶେଷ ଆବଶ୍ୟକତା ନ ଥିଲେ କେହି ବାହାରକୁ ବାହାରୁ ନାହାଁନ୍ତି।ଅତଏବ ସେ ଅପେକ୍ଷା କରିବାକୁ ଲାଗିଲେ ସେହି ସମୟର ଯେତେବେଳେ ସେ ମାତାଙ୍କ ବିକଳ ସ୍ଵର ଶୁଣିବେ ଆଉ ତାଙ୍କୁ ସାହାଯ୍ୟ କରି ହରିକୃପା ପାଇବେ ।

ଏଣେ ରାବଣ ଲଙ୍କାରେ ପ୍ରବେଶ କରି ବହୁତ୍ ଖୁସି ଥିଲେ।କିନ୍ତୁ ଏହି କରୋନା କାଳରେ ସୀତାଙ୍କୁ କେଉଁଠି ସୁରକ୍ଷିତ ରଖିବେ ତାହା ନିହାତି ଏକ ସମସ୍ୟା ଥିଲା।ତେଣୁ ସେ ରାଜ ଭବନ ବାହାରେ ଥିବା ଅଶୋକ ବାଟିକାକୁ ନିଜ ବିମାନ ନେଇଗଲେ ଓ ଅଚେତ ସୀତାଙ୍କୁ ସେଇଠି ରଖିବା ବ୍ୟବସ୍ଥା କଲେ।ହେଲେ ତାଙ୍କ ଚେତା ଆହୁରି ଫେରି ନ ଥାଏ ।ଏପଟେ ତାଙ୍କର ପୀପିଇ ପୋଷାକ ତ ନିଶ୍ଚୟ ଖୋଲିବାକୁ ହେବ।ତେଣୁ ରାଜବୈଦ୍ୟଙ୍କୁ ସସମ୍ମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ସେଠାକୁ ଡକେଇ ପଠାଗଲା।

ଆଉ ସେ ଯେତେବେଳେ ସୀତାଙ୍କ ମୁଖାବୃତ ଢାକୁଣୀ ବାହାର କଲେ…!!!??

ଚମକି ପଡି ରାବଣ ପଛକୁ ଘୁଞ୍ଚିଗଲେ।ମୁଣ୍ଡରେ ହାତ ଦେଇ ଭୂମି ଉପରେ ବସି ପଡ଼ିଲେ ।

"ଏ କଣ ହେଲା??"କହି କଣ କରିବେ କିଛି ବୁଝି ପାରୁ ନ ଥିଲେ।ସେ ଯେ ।ସୀତା ଭାବି ସ୍ଵୟଂ ରାମଚନ୍ଦ୍ରଙ୍କୁ ଭୁଲରେ ନିଜ ସାଙ୍ଗରେ ଅପହରଣ କରି ନେଇ ଆସି ଯାଇଛନ୍ତି ।??

କଣ ହେବ ଏଥର??ଧୀରେ ଧୀରେ ରାମଙ୍କ ଚେତା ମଧ୍ୟ ଫେରି ଆସୁଥିଲା ।ବୈଦ୍ୟଙ୍କୁ ଚାଲିଯିବାକୁ କହି ରାବଣ ପାଖରେ ପଡିଥିବା ଏକ ପଥର ଉପରେ ବସି ପଡ଼ିଲେ।

"ଲଙ୍କାପତି ।"ଆଶ୍ଚର୍ଯ୍ୟ ହୋଇ ରାମଚନ୍ଦ୍ର ପ୍ରଶ୍ନ କଲେ.."ତୁମେ ଏଇଠି?ଆଉ ମୁଁ କେଉଁଠି??"

"ରାମ..!"ଗୁରୁଗମ୍ଭୀର ସ୍ଵରରେ ରାବଣ କହିଲେ.."ବୁଝି ପାରୁନି ତୁମକୁ କିପରି ବୁଝେଇବି କଣ ହେଲା?"

"ତଥାପି..ମୁଁ ଏତିକି ବୁଝି ପାରିଛି ଏହି ପ୍ରଦେଶ ମୋର ନୁହେଁ ଆଉ ମୋତେ ଏଠିକୁ ବୋଧେ ବଳ ପୂର୍ବକ ଅଣା ଯାଇଛି ??"

"ହଁ..ତୁମକୁ ଆଣିବାର ଉଦ୍ଦେଶ୍ୟ ଜମାରୁ ନ ଥିଲା।ହେଲେ ଏ ପିପିଇ ପୋଷାକ ଯୋଗୁଁ ସବୁ ଅଡ଼ୁଆ ହୋଇଯାଇଛି."

"ଯଦି ମୋତେ ନୁହେଁ ତେବେ କାହାକୁ ଆଣିଥାନ୍ତ ତୁମେ ଲଙ୍କାପତି?କାହାର ଅପହରଣ କରିଥାନ୍ତ ତୁମେ??"

କଣ ଉତ୍ତର ଦେବେ ରାବଣ?ରାମଙ୍କୁ କିପରି କହିବେ ଯେ ସେ ତାଙ୍କ ପତ୍ନୀଙ୍କୁ ହରଣ କରିବା ପାଇଁ ତାଙ୍କ କୁଟିରକୁ ଯାଇଥିଲେ??

"ଚୁପ୍ ରହିଲେ ଯେ ?କଣ ହୋଇଛି??"ରାମ ପୁଣି ପଚାରିଲେ।

"ଭାରି ଗୋଳମାଳ ହୋଇଗଲା ରାମ..ସବୁ ଗଡବଡ଼ ହୋଇଯାଇଛି।ବରଂ ତୁମେ ଚାଲ ମୁଁ ତୁମକୁ ପୁଣି ଥରେ ନେଇ ଛାଡ଼ି ଆସୁଛି ତୁମ କୂଟିରରେ..ତା ହେଲେ ହୁଏତ ।"

"ପ୍ରଥମେ କୁହ ଦଶାନନ..ତୁମେ କିଏ ଭାବି ମୋତେ ସାଙ୍ଗରେ ନେଇ ଆସିଛ??କାହାକୁ ଆଣିଥାନ୍ତ?? କିନ୍ତୁ ମୁଁ ତାଙ୍କ ଜାଗାରେ କିପରି ଆସିଗଲି??"

ରାମଙ୍କ କଥା ଶୁଣି ରାବଣ ଚିନ୍ତା କରିବାକୁ ଲାଗିଲେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବା ଉଚିତ୍।କାରଣ ସତ କହିବାକୁ ଗଲେ ରାମ ହିଁ ତାଙ୍କର ପ୍ରଧାନ ଶତ୍ରୁ..କିନ୍ତୁ ଏପରି କିଛି ଯେ ହୋଇଯିବ ତାହା ସେ କେବେ ଭାବି ନ ଥିଲେ।ବହୁତ୍ ଚିନ୍ତା କରି ରାବଣ ଭାବିଲେ ବରଂ ନିଜ ପରିବାର ଓ ସଭାସଦମାନଙ୍କ ସହ ପ୍ରଥମେ ବିଚାର କରିବା ପରେ ଏ ସମସ୍ୟାର କିଛି ସମାଧାନ ହୁଏତ ବାହାରି ଯାଇପାରେ ।

ସମସ୍ୟାର ସମାଧାନ ମଧ୍ୟ ଖୋଜି ପାଉ ନ ଥିଲେ ସ୍ଵୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ।ଏଣୁ ବିକଳ ହୋଇ ସେ ମହାଦେବଙ୍କୁ ସ୍ମରଣ କରିବା ସହ ତୁରନ୍ତ ଦେବସଭା ଡକାଇ ଥିଲେ ।

"ଏସବୁ କଣ ହୋଇଗଲା ମହାଦେବ ।"କହିଲେ ବ୍ରହ୍ମା.."ରାବଣ କରିଥିବା ଗୋଟିଏ ତ୍ରୁଟି ପାଇଁ ବର୍ତ୍ତମାନ ଶ୍ରୀବିଷ୍ଣୁଙ୍କ ଅବତାର ଗ୍ରହଣର ପ୍ରୟୋଜନ ଆଜି ପ୍ରଶ୍ନବାଚୀ ହୋଇଯାଇଛି ।??"

ମହାଦେବ ଚିନ୍ତିତ ହୋଇ କହିଲେ.."ଆପଣ ଠିକ୍ କହିଛନ୍ତି ପ୍ରଭୁ।ରାମାୟଣ ସ୍ରଷ୍ଟା ଆଦିକବି ବାଲ୍ମିକୀ..ଆପଣ କଣ କହୁଛନ୍ତି ଏ ପ୍ରସଙ୍ଗରେ?"

ସମସ୍ତେ ବାଲ୍ମିକୀଙ୍କ ଆଡ଼କୁ ଚାହିଁଲେ...

ବାଲ୍ମିକୀ କଣ ଉତ୍ତର ଦେବେ କିଛି ବୁଝିପାରୁ ନ ଥାଆନ୍ତି।କିନ୍ତୁ କିଛି ତ ବ୍ୟବସ୍ଥା ନିଶ୍ଚୟ କରିବାକୁ ହେବ।କିନ୍ତୁ କଣ??

କିଛି ସମୟ ଚିନ୍ତା କରି ସେ ଉତ୍ତର ଦେଲେ.."ପ୍ରଭୁ..ଶ୍ରୀରାମଙ୍କ ଅବତାର ରାବଣ ବଧ ପାଇଁ ହୋଇଛି। ଧରା ପୃଷ୍ଠରେ ଧର୍ମ ସ୍ଥାପନ କରିବା ପାଇଁ ପ୍ରଭୁ ମନୁଷ୍ୟ ରୂପ ନେଇଛନ୍ତି।ଅତଏବ ବର୍ତ୍ତମାନ ସେହି ମହାନ୍ କାର୍ଯ୍ୟ କିପରି ସମ୍ପାଦନ ହେବ ତାହା ହିଁ ଦେଖିବାକୁ ହେବ।"

ଇନ୍ଦ୍ରଦେବ କହିଲେ.."ଏଥିରେ ଏତେ ବିଚଳିତ ହେବାର କିଛି ନାହିଁ।ଶ୍ରୀରାମ ବର୍ତ୍ତମାନ ଲଙ୍କାରେ ହିଁ ଅଛନ୍ତି।କିଛି କରି ଯଦି ଖାଲି ରାବଣ ବଧ କରି ଦିଆଯାଏ ତେବେ କାମ ହୋଇଯିବ ।"

ମହାଦେବ ଅଳ୍ପ ରାଗି ଯାଇ କହିଲେ.."ଇନ୍ଦ୍ରଦେବ ।ରାବଣ ବଧ ହିଁ ଏକମାତ୍ର ଉଦ୍ଦେଶ୍ୟ ନୁହେଁ ଶ୍ରୀରାମ ଅବତାରଙ୍କର ।ବହୁତ୍ କିଛି ଏପଟସେପଟ ହୋଇଯିବ ଏପରି କୌଣସି ଅବିବେକୀ ନିଷ୍କର୍ଷ ଦ୍ଵାରା ।"

ମହାଦେବଙ୍କ କଥାରେ ସମସ୍ତେ ଏକମତ ହେଲେ।କାରଣ ରାମ ଅବତାର କେବଳ ରାବଣ ବଧ ପାଇଁ ହୋଇନି।ଅନେକ ଘଟଣା ଯୋଡ଼ି ହୋଇ ରହିଛି ଏଥିରେ ।କିନ୍ତୁ ଏପରି ଅଭାବନୀୟ ପରିସ୍ଥିତି ଆସିବ ବୋଲି କେହି କଳ୍ପନା ମଧ୍ୟ କରି ନ ଥିଲେ।

ଅଗ୍ନିଦେବ ପ୍ରସ୍ତାବ ଦେଲେ କିଛି କରି ରାମଙ୍କୁ ପୁନଃ ପଞ୍ଚବଟୀ ନିଆଯାଉ ଆଉ ତା ପରେ ସୀତା ହରଣ ହେଉ।କିନ୍ତୁ ତାହା ସଂପୂର୍ଣ୍ଣ ଅସମ୍ଭବ ଥିଲା।କାରଣ କାଳକୁ ପଛକୁ ନେବା ଏତେ ସହଜ ନୁହେଁ।ବରଂ ଆଗକୁ କଣ କରିହେବ ସେ ବିଷୟ ହିଁ ଭାବିବା ଉଚିତ ହେବ।

ବାଲ୍ମିକୀ ବ୍ୟସ୍ତ ହେଲେ।ତାଙ୍କ ମହାକାବ୍ୟର କିଷ୍କିନ୍ଧ୍ୟା କାଣ୍ଡ,ସୁନ୍ଦର କାଣ୍ଡ ଆଉ ଲଙ୍କା କାଣ୍ଡ ସବୁ କିପରି ସମ୍ଭବ ହେବ ।??

ଭାବି ଚିନ୍ତି ସବୁ ଦେବତା ନିଷ୍ପତ୍ତି ନେଲେ ଯେ ସେମାନେ ମାତା ସୀତାଙ୍କ ପାଖରୁ ସାହାଯ୍ୟ ନେବେ।ବର୍ତ୍ତମାନ ସେ ଚାହିଁଲେ ହୁଏତ କିଛି କରା ଯାଇପାରେ।

ପଞ୍ଚବଟୀରେ ଶୋକର ଛାୟା ।ରାମଚନ୍ଦ୍ରଙ୍କ ହଠାତ୍ ଏପରି ଉଭାନ ହୋଇଯିବା ପରେ ତାଙ୍କର କୌଣସି ବାର୍ତ୍ତା ନ ପାଇ ସୀତା ଅଧୀର ହେଉଥାନ୍ତି।ଲକ୍ଷ୍ମଣଙ୍କ ଅକଲ ଗୁଡୁମ୍ ହୋଇଯାଇଥାଏ।କଣ ବା ସେ କରିବେ?ଭାଉଜଙ୍କୁ କିପରି ସାନ୍ତ୍ଵନା ଦେବେ?? ବଣର ପଶୁପକ୍ଷୀଙ୍କ ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀ।ଏମିତିରେ ଭାଇ କିଛି ନ ଜଣେଇ କୁଆଡେ ଚାଲିଗଲେ ସେ କିପରି ଜାଣିବେ?ଭାଉଜଙ୍କୁ ଏକା ଛାଡ଼ି ତାଙ୍କୁ ଖୋଜିବାକୁ କୁଆଡେ ଯିବା ମଧ୍ୟ ସମ୍ଭବ ନୁହେଁ।

ଏତିକିବେଳେ ସ୍ଵର୍ଗର ଦେବତାମାନେ ଆସି କୁଟୀର ସାମ୍ନାରେ ପହଞ୍ଚିଗଲେ।

ସାମାଜିକ ଦୁରତ୍ଵ ରକ୍ଷା କରି ସୀତା ଆଉ ଲକ୍ଷ୍ମଣଙ୍କୁ ନିକଟରେ ଘଟିଥିବା ସବୁ ବିଷୟ କହିଲେ।

ଲକ୍ଷ୍ମଣ ଏହା ଶୁଣି ବହୁତ୍ ରାଗିଗଲେ।

"ମାତାଙ୍କ ଅପହରଣ ହୁଅନ୍ତା??ତା ମଧ୍ୟ ପାପିଷ୍ଠ ରାବଣ ହାତରେ??ଆଉ ଏବେ ଭାଇ ତା ରାଜ୍ୟରେ ଯାଇ ଅଛନ୍ତି??ମୁଁ ଏଇ ସଙ୍ଗେ ସଙ୍ଗେ ତା ବଧ କରି ଭାଇଙ୍କୁ ଏଠାକୁ ଆଣି ଦେଉଛି ।"କହି ଠିଆ ହୋଇଗଲେ ସେ।

"ଶାନ୍ତ ହୁଅନ୍ତୁ ଲକ୍ଷ୍ମଣ ।"କହିଲେ ବେଦବ୍ରହ୍ମା.."ନିୟତି ଲେଖନୀର ଅବ୍ୟବହିତ ଆଗରୁ ରାବଣ ଏକ ଅନୁଚିତ କାର୍ଯ୍ୟ କରି ପକେଇଛି।ଅବଶ୍ୟ ଦେବତାଙ୍କ ଦୃଷ୍ଟିରୁ ଏହା ସତରେ ଲୁଚି ନ ଥାଆନ୍ତା।କିନ୍ତୁ ଅଚାନକ ଏ ଅଦୃଶ୍ୟ ଭାଇରସ ଯୋଗୁଁ ଉପୁଜିଥିବା ଅସୁବିଧା ଯୋଗୁଁ ଆମ ସମସ୍ତଙ୍କ ଧ୍ୟାନ ଟିକେ ଅଲଗା ଆଡେ କେନ୍ଦ୍ରିତ ହୋଇଯାଇଥିଲା।ଆଉ ସେଥିପାଇଁ ହିଁ ଏହି ସବୁ ଅବ୍ୟବସ୍ଥା ।ଆଉ ଏହି ପରିସ୍ଥିତିରୁ କେବଳ ମାତା ହିଁ ଆମକୁ ଉଦ୍ଧାର କରି ପାରିବେ।"

ସୀତା ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ।ସେ..ସେ ବା ଏ ପରିସ୍ଥିତିରେ କଣ କରି ପାରିବେ??

ଆଦିକବି ବାଲ୍ମିକୀ ବୁଝେଇ ଦେଲେ.."ମହାପ୍ରଭୁଙ୍କ ହାତରେ ହେବାକୁ ଥିବା କିଛି କାର୍ଯ୍ୟ ଆପଣଙ୍କୁ କରିବାକୁ ପଡ଼ିବ ମା ।"

ତା ପରେ ବିଚାର ବିମର୍ଶ ଆରମ୍ଭ ହେଲା।ସୀତା କଣ କଣ କରିବେ??ସବୁଠୁ ବଡ଼ ଅସୁବିଧା ଥିଲା ମାରୀଚ ବଧ।ଯାହା ବର୍ତ୍ତମାନ ପରିସ୍ଥିତିରେ ସରିଯିବା କଥା।ଲକ୍ଷ୍ମଣ ଜଣେଇଦେଲେ ଗୋଟିଏ ସୁନା ପରି ଦିଶୁଥିବା ହରିଣ କିନ୍ତୁ ଦୁଇ ଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ସେ ଲକ୍ଷ୍ୟ କରିଛନ୍ତି ଆଉ ତାକୁ ତାରବାଡ ଭିତରେ ଆଇସୋଲେଟ୍ କରି ରଖିଛନ୍ତି।

ଆଶ୍ବସ୍ତ ହେଲେ ବାଲ୍ମିକୀ।ତା ମାନେ ମାରିଚକୁ ଯଦି ଉପଯୁକ୍ତ ଔଷଧୀ ଦିଆ ନ ଯାଏ ତେବେ ତା ପ୍ରାଣ ଚାଲିଯିବ ।??

ସୀତା କିନ୍ତୁ ଏହାର ତୀବ୍ର ବିରୋଧ କଲେ।ମାରୀଚ କିଛି ଭୁଲ୍ କରିନି।ଅତଏବ ତାକୁ ବରଂ ଏହି ଦଣ୍ଡ ଦିଆଯାଉ ଯେ ସାରା ଜୀବନ ଏମିତି ହିଁ ମୃଗ ହୋଇ ରହିଯିବ।ତା ହେଲେ ତ ଆଉ କିଛି ଅସୁବିଧା ହେବନି।କାରଣ ରାକ୍ଷସ ଯୋନୀରୁ ସେ ମୁକ୍ତ ହୋଇଯିବ।ବିଧି ସେଇୟା ଲେଖିଛି ନା?? ସମସ୍ତଙ୍କୁ ଏ ପ୍ରସ୍ତାବ ବହୁତ୍ ମନ ପାଇଲା।ଅତଏବ ସବୁ ଦେବତା ନିଷ୍ପତ୍ତି ନେଲେ ବର୍ତ୍ତମାନଠାରୁ ବାଲ୍ମିକୀ ଅଦୃଶ୍ୟ ରୂପରେ ସୀତାଙ୍କ ସହିତ ରହିବେ ଓ ରାମାୟଣର ବାକି ଘଟଣାକ୍ରମ ଯାହା ଯେପରି ହେବ ତାହା ଲିପିବଦ୍ଧ କରିବେ।ତା ପରେ ବାକି ଦେବଗଣ ସ୍ଵସ୍ଥାନଗମନ କଲେ।

ଯାହା ହେଉଛି ହେଉ... ଏ କରୋନା କାଳେ ଯାହା ଘଟିତ ହେବ ତାହା ହିଁ ଲେଖାଯାଉ ।

ବାଲ୍ମିକୀ ମୁନିଙ୍କଠାରୁ ସୀତା ଓ ଲକ୍ଷ୍ମଣ ପରବର୍ତ୍ତୀ ଘଟଣା ପଚାରି ବୁଝି କଣ ହୁଅନ୍ତା ଆଉ କଣ କରି ହେବ ତାହା ବିଚାର କରି ଆଗେଇବାକୁ ଲାଗିଲେ।ଲୋକଲଜ୍ଜାର ଭୟ ଥିଲେ ମଧ୍ୟ ଦୁନିଆର ହିତ ପାଇଁ ମାତା ନିଜ ଦିଅର ସହ ସ୍ଵାମୀଙ୍କ ଅନ୍ୱେଷଣରେ ବାହାରିଲେ।କିନ୍ତୁ ଗୋଟିଏ ସର୍ତ୍ତରେ ।ସେ ଅସ୍ତ୍ରଧାରଣ କରି ପାରିବେନି ।

ପ୍ରଥମେ ଜଟାୟୁଙ୍କ ସହ ସେମାନଙ୍କର ଭେଟ ହେଲା।ସେ ଦଶ ମୁଣ୍ଡ ବିଶିଷ୍ଟ ପ୍ରାଣୀକୁ ବିମାନରେ ଯାଇଥିବା ଦେଖିବା କଥା ଜଣେଇଲେ।କିନ୍ତୁ ଅତର୍କିତ ହୋଇଥିବା ଅସୁବିଧା ଯୋଗୁଁ ତାଙ୍କ ମୋକ୍ଷ ନେଇ ସେ ଚିନ୍ତିତ ହେବାରୁ ତାଙ୍କୁ ବିଭୁ ଧ୍ୟାନରେ ଲୀନ ହେବାକୁ ମାତା ପରାମର୍ଶ ଦେଲେ ଓ କହିଲେ ତାଙ୍କ ମୋକ୍ଷପ୍ରାପ୍ତି ନିମନ୍ତେ ସେ ନିଜେ ମହାଦେବ ଶିବସମ୍ଭୁଙ୍କୁ ଅଚିରେ ଜଣେଇବେ।କାରଣ ବିଷ୍ଣୁ ରାମ ଅବତାରରେ ଧରା ବକ୍ଷରେ ଅଛନ୍ତି।ଏଣୁ ମହାଦେବ ଜଟାୟୁ ଉଦ୍ଧାର କାର୍ଯ୍ୟ କରିପାରିବେ।

ତା ପରେ ମାତା ଆଗକୁ ବଢିଲେ।ସମସ୍ୟା ବହୁତ୍ ଥାଏ।ମାସ୍କ୍ ପିନ୍ଧି ଜଙ୍ଗଲରେ ବୁଲିବା ଏତେ ସହଜ ନ ଥିଲା।ତା ପରେ କୋମଳାଙ୍ଗି ସୀତା ଏକାକୀ ବା କେତେ ବୁଲିଥାନ୍ତେ?ଏଣୁ କିଷ୍କିନ୍ଧ୍ୟା ଯାଇ ସେଠାରେ ବିଶ୍ରାମ ନେବାକୁ ବାଲ୍ମିକୀ ତାଙ୍କୁ ପରାମର୍ଶ ଦେଲେ।

ବାଳୀ ଓ ସୁଗ୍ରୀବଙ୍କ ଶତ୍ରୁତା ଯୋଗୁଁ ସେତେବେଳକୁ ରୁଷ୍ୟମୁଖ ପର୍ବତରେ ସୁଗ୍ରୀବ ରହିଥାନ୍ତି।ନିୟମ ଅନୁସାରେ ଶ୍ରୀରାମଙ୍କ ଆଗମନ ସହ ହନୁମାନଙ୍କ ସହ ତାଙ୍କର ଭେଟ ଓ ବାଳୀବଧ ପରେ ସୁଗ୍ରୀବଙ୍କ ସହ ମିତ୍ରତା ହେବା କଥା।କିନ୍ତୁ ବର୍ତ୍ତମାନ କଥା ପୁରାପୁରି ଅଲଗା।ବାଲ୍ମିକୀ ଆଉ କିଛି ଉପାୟ ନପାଇ ସୀତା ଆଜ୍ଞାରେ ହନୁମାନଙ୍କୁ ସବୁ ସତ କଥା କହିଲେ।ସେ ଏସବୁ ଶୁଣିବା ମାତ୍ରେ ତୁରନ୍ତ ଲଙ୍କା ଯିବାକୁ ବାହାରିଗଲେ।ତାଙ୍କ ପ୍ରଭୁ ଯେ ସେଠି ଏକା ଅଛନ୍ତି…!!ସେ କେମିତି ଏଇଠି ରହିବେ??କିନ୍ତୁ.. ଲକ୍ ଡାଉନ୍ ଯୋଗୁଁ ସେ ଅନ୍ୟ ପ୍ରଦେଶକୁ ଯିବା ଏତେଟା ସହଜ ହେବନି କହି ସମସ୍ତେ ତାଙ୍କୁ ସେପରି କରିବାରୁ ବାରଣ କଲେ।

ଏପଟେ ସୁଗ୍ରୀବଙ୍କୁ ବୁଝାଇ ମାତା ସୀତା ବାଳୀଙ୍କୁ ଡ଼କେଇ ପଠେଇଲେ।ନିଜ ଭାଇ ସହିତ ହୋଇଥିବା ସମସ୍ତ ମନୋମାଳିନ୍ୟ ଅନ୍ତ କରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ବଞ୍ଚିବାକୁ ଦୁହିଁଙ୍କୁ ପରାମର୍ଶ ଦେଲେ।ଅବଶ୍ୟ କୋଭିଡ 19 ଭାଇରସ ଭୟ ସଭିଙ୍କୁ ଗ୍ରାସ କରିଥିଲା।କିଏ କେତେ ଦିନ ସୁସ୍ଥ ହୋଇ ବଞ୍ଚି ପାରିବ ସେକଥା କିଏ ବା କହି ପାରିବ?ଏଣୁ ପରଦେଶୀ ଭାଇକୁ ଘର ବାହୁଡ଼ା କରେଇ କ୍ଷମା ଦେଇ ପୁନଃ ନିଜର କରିବା ପ୍ରସ୍ତାବକୁ ବାଳୀ ମଧ୍ୟ ଗ୍ରହଣ କଲେ।ସୁଗ୍ରୀବ ମଧ୍ୟ ବଡଭାଇଙ୍କୁ କ୍ଷମା ମାଗି ତାଙ୍କ ପାଖକୁ ଆସିଗଲେ।ଦୁଇ ଭାଇଙ୍କ ମଧ୍ୟରେ ସଦଭାବ ହୋଇଯିବା ପରେ ସୁଗ୍ରୀବଙ୍କୁ ରାଜ ସିଂହାସନରେ ବସାଇ ବାଳୀ ବାନପ୍ରସ୍ଥା ଗମନ କଲେ।ସୁଗ୍ରୀବ ବାଳୀପୁତ୍ର ଅଙ୍ଗଦଙ୍କୁ କୋଳକୁ ନେଇ ନିଜ କର୍ତ୍ତବ୍ୟ ସମ୍ପାଦନ କଲେ।ଆଉ ସୀତାଙ୍କୁ ବଚନ ଦେଲେ ଯେତେବେଳେ ସେ ସ୍ମରଣ କରିବେ ସହାୟତା ପାଇଁ ସେ ଆଗେଇ ଆସିବେ।

ଏଥର ହନୁମାନଙ୍କ କର୍ତ୍ତବ୍ୟ ଆରମ୍ଭ ହେବା କଥା।କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ କେବଳ ସୀତା ଆଉ ଲକ୍ଷ୍ମଣଙ୍କ ସୁରକ୍ଷା ପାଇଁ ନିଯୁକ୍ତି ଦିଆଗଲା।ତା ସହ ବନ୍ୟପଶୁ ଆଉ ମୁନିଋଷିମାନଙ୍କର ସୁରକ୍ଷା ମଧ୍ୟ ସେ ଦେଖିଲେ।ଆଉ କିଛି ଉପାୟ ନ ଥିଲା। ପରେ ବିଚାର କରାଯିବ ଆଗକୁ ଆଉ କଣ ହୋଇପାରେ ।??

ଅଶୋକ ବାଟିକାରେ ଶ୍ରୀରାମ ଅପେକ୍ଷା କରିଥିଲେ ରାବଣଙ୍କ ଆସିବା ପାଇଁ ।କିନ୍ତୁ..ସେ କାହାକୁ ପଞ୍ଚବଟୀରୁ ଆଣିବାକୁ ଚାହିଁଥିଲେ?ଆଉ ବର୍ତ୍ତମାନ ସଙ୍ଗେ ସଙ୍ଗେ ଆସୁଛି କହି କୁଆଡେ ଚାଲିଗଲେ?ପଞ୍ଚବଟୀରେ ସୀତା ଆଉ ଲକ୍ଷ୍ମଣ ତାଙ୍କୁ ନ ପାଇ କେତେ ବ୍ୟସ୍ତ ହେଉଥିବେ??ବହୁତ୍ ପ୍ରଶ୍ନ ଥିଲା ତାଙ୍କ ମନରେ।ଆଉ ଉତ୍ତର ।??ଧ୍ୟାନମଗ୍ନ ହୋଇ ରାମ ରାବଣଙ୍କ ଆସିବା ସମୟକୁ ପ୍ରତୀକ୍ଷା କଲେ।

ଲଙ୍କାପତି ନିଜ ବାସ ଭବନରେ ପହଞ୍ଚି ସମସ୍ତଙ୍କୁ ଡକେଇ ପଠେଇଲେ।ହେଲେ ଏକଥା କହିବାକୁ ସାହସ ତାଙ୍କର ନ ଥିଲା ଯେ ସେ କଣ କରିବାକୁ ଚାହୁଁଥିଲେ ଆଉ କଣ କରି ପକେଇଲେ?କେବଳ ମନ୍ଦୋଦରୀ ଓ ସୂର୍ପଣଖା ଆଗରେ ହିଁ ସତ କହି ପାରିଲେ।

"ରାମ ଏଇଠି ଅଛି?"ଏକ ରକମ ଚିତ୍କାର କରି ସୂର୍ପଣଖା ଦୋୖଡି ବାହାରିଗଲା ଅଶୋକ ବାଟିକା ଆଡ଼କୁ।ତାକୁ ଅଟକାଇବାକୁ ମନ୍ଦୋଦରୀ ମଧ୍ୟ ତା ପଛରେ ଦୋୖଡିଲେ ।ପ୍ରେମ ଭାବନାରେ ଉବୁଟୁବୁ ହୋଇ ସୂର୍ପଣଖା ରାମଙ୍କ ପାଖକୁ ଠିକ୍ ଯିବା ବେଳେ ମନ୍ଦୋଦରୀ ତା ହାତ ଧରି ତାକୁ ରଖିଦେଲେ ଆଉ ମନ ପକେଇ ଦେଲେ କିପରି ପ୍ରେମଭିକ୍ଷା କରି ଗତଥର ସେ ଅପଦସ୍ଥ ହୋଇଛି।ଆଉ କହିଲେ ଏଥର ସେ ନିଜେ ଯାଇ ରାମଙ୍କ ସହ କଥା ହେବେ ଆଉ ତା ପରେ ସୂର୍ପଣଖା ଆସିବ। ଭାଉଜଙ୍କ କଥାରେ ରାଜି ହୋଇ ସୂର୍ପଣଖା ଗଛ ଉହାଡରେ ଲୁଚି ରହିଲା।ଆଉ ମନ୍ଦୋଦରୀ ଗଲେ ଶ୍ରୀରାମଙ୍କ ପାଖକୁ ।

ଯୋଗଧ୍ୟାନରେ ବସିଥିଲେ ପରମ ପୁରୁଷ ।ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ଆଉ ସୌମ୍ୟ ରୂପ ଦର୍ଶନ କରି ସେ କିଏ ଆଉ କାହିଁକି ସେଠାକୁ ଆସିଛନ୍ତି ଭୁଲି ଯାଇ ଚୁପ୍ ହୋଇ ବସି ପଡ଼ିଲେ ଆଉ ଏକ ଲୟରେ ରାମଙ୍କ ମୁହଁକୁ ଚାହିଁ ଯେପରି କେଉଁ ଏକ ଅଜଣା ରାଇଜରେ ହଜିଗଲେ।ଏକ ଅନନ୍ତ ବିଭୁଭାବ ତାଙ୍କ ମନ ବିବେକକୁ ଆଚ୍ଛାଦିତ କରି ରଖିଲା।

ଗଛ ପଛରୁ ଏସବୁ ଦେଖି ସୂର୍ପଣଖା ଯାଇ ଭାଇକୁ ତୁରନ୍ତ ଡାକି ଆଣିଲା ଓ ରାବଣ ଏହା ଦେଖି ପାଗଳପ୍ରାୟ ହୋଇଗଲେ।ତଥାପି ସଞ୍ଜତ ହୋଇ ମନ୍ଦୋଦରୀ ପାଖକୁ ଯାଇ ତାଙ୍କ ସମ୍ବିତ ଫେରାଇ ଆଣି ମହଲକୁ ଯିବାକୁ କହିଲେ।

ସେମାନେ ଚାଲିଯିବା ପରେ ଧ୍ୟାନମଗ୍ନ ରାମଙ୍କ ପାଖରେ ରାବଣ ବସିଲେ ଆଉ କହିଲେ.."ତୁମେ ଚାଲିଯାଅ ରାମ।ମୁଁ ସ୍ଵୟଂ ବରଂ ତୁମ ଫେରିଯିବା ବ୍ୟବସ୍ଥା କରି ଦେଉଛି।"

"ରାବଣ..କିନ୍ତୁ ବର୍ତ୍ତମାନ ଯାଏଁ କହିଲନି ତୁମେ ମୋତେ ଏଠିକି କାହିଁକି ଆଣିଲ?"

"ତୁମ ପତ୍ନୀକୁ ଆଣିବାକୁ ଯାଇଥିଲି ରାମ।ଭୁଲରେ ତୁମେ ଆସିଗଲ।କିନ୍ତୁ ଏବେ ବୁଝି ପାରୁଛି ନିଜ ପତ୍ନୀ ପର ପୁରୁଷକୁ ଭଲ ଦେଖିଲେ କିପରି ଲାଗେ।ଆଉ ପତି ଯଦି ତାହା କରେ ତେବେ ପତ୍ନୀକୁ ମଧ୍ୟ କିପରି ଲାଗିବ।ତେଣୁ ମୁଁ ସତରେ ଆନନ୍ଦିତ ଯେ ତୁମ ପତ୍ନୀ ହରଣ ପରି ଘୃଣ୍ୟ କାର୍ଯ୍ୟ ମୁଁ କରିନି ।"

ସବୁ ଶୁଣିବା ପରେ କ୍ରୋଧ ସମ୍ବରଣ କରି ରାମ ଅଳ୍ପ ହସି ରାବଣଙ୍କୁ ନ୍ୟାୟ ଅନ୍ୟାୟ ଭିତରେ ଥିବା ପ୍ରଭେଦ ବୁଝେଇ ଦେଲେ।ଆଉ ସୂର୍ପଣଖା ସହ ଯାହା କିଛି ହୋଇଥିଲା ତାହାର ପ୍ରକୃତ କାରଣ ମଧ୍ୟ କହିଲେ।ନିଜ ଭୁଲ୍ ବୁଝିପାରି ସୁଧରି ଯାଇଥିବା ରାବଣଙ୍କୁ କ୍ଷମା ଦେବା ସହ ତାଙ୍କ ଅନୁରୋଧ ରକ୍ଷା କରି ସେ ପଞ୍ଚବଟୀ ଫେରି ଯିବାକୁ ସ୍ଵୀକାର ମଧ୍ୟ କଲେ।

କିନ୍ତୁ ଏତିକିବେଳେ ଖବର ଆସିଲା..ଇନ୍ଦ୍ରଜିତ ଭୀଷଣ ଅସୁସ୍ଥ।ତା ସହ ଆହୁରି ଅନେକ ଅସୁର ବୀର ମଧ୍ୟ ଅସୁସ୍ଥ।ସେମାନେ ସମସ୍ତେ ନିକଟରେ ଏକ ପାଖ ପ୍ରଦେଶରୁ ବିଜୟ ଲାଭ କରି ଫେରିଥିଲେ।ଆଉ ଆସିବା ବେଳେ ବୋଧେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ହୋଇଥିଲେ ।

ସେମାନଙ୍କ ଏପରି ଅବସ୍ଥା ହୋଇଥିବା କଥା ଶୁଣି ରାମ ଫେରିଯିବା ଆଗରୁ ସେମାନଙ୍କୁ ଦେଖିବାକୁ ଆଗ୍ରହ ପ୍ରକାଶ କଲେ।ରାମଙ୍କ ଆଗ୍ରହ ଦେଖି ରାବଣ ତାଙ୍କୁ ନିଜ ମହଲକୁ ନେଇ ଆସିଲେ।ବୈଦ୍ୟରାଜ ରୋଗୀଙ୍କୁ ଦେଖି କହିଲେ.." ଏ ଏକ ସମ୍ପୂର୍ଣ୍ଣ ନୂଆ ରୋଗ।ତାଙ୍କୁ ଏହାର ନିରାକରଣ କଣ ମୋତେ ସେକଥା ଜଣା ନାହିଁ। "

ଏପଟେ ସୀତା ରାମଙ୍କ ବିରହରେ ଅଧୈର୍ଯ୍ୟ ହେଉଥାନ୍ତି।ତାଙ୍କ ସୁରକ୍ଷା ଚିନ୍ତା ମଧ୍ୟ ଅଧୀର କରି ଦେଉଥାଏ।ସହଜେ କରୋନାର କରାଳ ଗ୍ରାସରେ ସମସ୍ତେ ଅସ୍ତବ୍ୟସ୍ତ।ଏମିତି ସ୍ଥିତିରେ ରାମ କିପରି ଅଛନ୍ତି ସେକଥା ତାଙ୍କୁ ବିଚଳିତ କରୁଥାଏ।ମାତାଙ୍କ ଅବସ୍ଥା ଦେଖି ପବନପୁତ୍ର ଆଉ ଥୟ ଧରି ରହି ପାରିଲେନି।ତେଣୁ ବାଲ୍ମୀକିଙ୍କ ପରାମର୍ଶ ନେଇ ସମୁଦ୍ର ଡେଇଁ ଲଙ୍କା ଗଡକୁ ଯିବାକୁ ବାହାରିଲେ…ଶ୍ରୀରାମଙ୍କ ଲଙ୍କାରେ ଅବସ୍ଥାନ ଆଉ ଲଙ୍କା ନରେଶର ଏହି ଅପହରଣ ପରେ ପ୍ରଭୁଙ୍କ ପ୍ରତିକ୍ରିୟା ଜାଣିବା ପରେ ହିଁ ଯାଇ ଯେଉଁ କିଛି ନିଷ୍ପତ୍ତି ନେଇ ହେବ ।

ନିଜ ଶକ୍ତି ଭୁଲି ଯାଇଥିବା ହନୁମାନଙ୍କୁ ପୁରାତନ ଶକ୍ତି ମନ ପକେଇବା କାର୍ଯ୍ୟ ଜାମ୍ବବନ୍ତ ସୁଚାରୁ ରୂପେ ସଂପାଦନ କଲେ।ଆଉ ତା ପରେ ରାମଭକ୍ତ ସାଗର ଲଂଘନ କରିବାକୁ ଉଦ୍ୟତ ହେଲେ…!!

ବାଟ ମଝିରେ ସିଂହିକା ତାଙ୍କ ରାସ୍ତା ଅବରୋଧ କରିଥିଲେ।କିନ୍ତୁ ଏ ଭାଇରସ ଭୟ ଯୋଗୁଁ ସେ ହନୁମାନଙ୍କୁ ଭକ୍ଷଣ ନ କରି ଛାଡ଼ି ଦେଇଥିଲେ।

ଲଙ୍କାଗଡ଼ର ସୁରକ୍ଷା ଦାୟିତ୍ବରେ ଥିବା ଲଙ୍କିନୀ ହନୁମାନଙ୍କ ରାସ୍ତା ରୋକିଥିଲେ।କିନ୍ତୁ ହନୁମାନ କେବଳ ନିଜ ପ୍ରଭୁଙ୍କୁ ଚୁପଚାପ୍ ଦେଖି ଚାଲିଯିବାକୁ ଆସିଛନ୍ତି କହିବାରୁ ସେ ମଧ୍ୟ କିଛି ମନା କଲେନି।ଏମିତିରେ ଅଧା ପ୍ରଦେଶ ଲକ୍ ଡାଉନ୍ ହୋଇ ରହୁଛି।ଆଉ ଯାହା ଦେଖିବେ ଦେଖନ୍ତୁ ଭାବି ସେ ବାଟ ଛାଡ଼ିଦେଲେ।

ହନୁମାନ ଲଙ୍କାରେ ପହଞ୍ଚି ଚାରିଆଡ଼େ ନିଜ ପ୍ରଭୁଙ୍କୁ ଖୋଜିବାକୁ ଆରମ୍ଭ କଲେ ।

ଏଣେ ରାବଣର ପରିବାର ଲୋକଙ୍କୁ କରୋନା ଭାଇରସ ନିଜ କବଳକୁ ନେଇ ଚାଲିଥାଏ। ରାବଣ ମଧ୍ୟ ଏପରି ଏକ ଶତ୍ରୁକୁ ଅଭ୍ୟର୍ଥନା କରି ପଡୋଶୀ ଦେଶରୁ ଆମନ୍ତ୍ରଣ କରିଥିବାରୁ ନିଜକୁ କ୍ଷମା କରି ପାରୁ ନ ଥିଲେ।ରାମ ତାଙ୍କୁ ସାନ୍ତ୍ଵନା ଦେଉଥାନ୍ତି।ଆଉ ରାବଣର ସମ୍ପର୍କୀୟ ମାନଙ୍କୁ ଓଷଧି ଦେବାରେ ସାହାଯ୍ୟ କରୁଥାନ୍ତି।କାରଣ ପଞ୍ଚବଟୀରେ ସେ ମୁନିଋଷିମାନଙ୍କୁ ଔଷଧ ଦେଉଥିଲେ।

ଅତି ସୂକ୍ଷ୍ମ ରୂପରେ ଲଙ୍କାରେ ବୁଲି ଦେଖୁ ଦେଖୁ ହନୁମାନ ରାବଣର ମହଲରେ ପ୍ରବେଶ କରି ଦେଖିଲେ ପ୍ରଭୁ ଶ୍ରୀରାମ ରାଜ ଭବନରେ ଅନ୍ୟ ସବୁ ସଭାଗଣଙ୍କ ସହ ଆଲୋଚନାରେ ବ୍ୟସ୍ତ ଅଛନ୍ତି।ସ୍ଵୟଂ ଲଙ୍କାପତି ତାଙ୍କ ପାଖ ଆସନରେ ବସି କଥାବାର୍ତ୍ତା ହେଉଥିବାର ଦେଖି ହନୁମାନ କିଛି ବୁଝି ପାରିଲେନି।କିନ୍ତୁ ଆଶ୍ବସ୍ତ ନିଶ୍ଚୟ ହେଲେ ଯେ ପ୍ରଭୁଙ୍କର କିଛି ଅସୁବିଧା ହୋଇନି।ତେଣୁ ସେ ଚୁପଚାପ୍ ଲଙ୍କାରୁ ଆସିଯିବାକୁ ନିଷ୍ପତ୍ତି ନେଲେ।

ହନୁମାନ ଫେରି ଆସିବା ପରେ ସମସ୍ତେ ଭାରି ଚିନ୍ତାରେ ପଡ଼ିଗଲେ।ରାମଙ୍କୁ ଅପହରଣ କରି ନେଲା ପରେ ରାବଣ ତାଙ୍କୁ ଏତେ ଆଦର ଅଭ୍ୟର୍ଥନା କିପରି କରୁଛନ୍ତି?ଆଉ ପ୍ରଭୁ ମଧ୍ୟ ନିଜ ପରିବାରଠାରୁ ଅଲଗା ରହି ରାବଣ ସହ ତା ମହଲ ଭିତରେ ରହି କି ମନ୍ତ୍ରଣା କରୁଛନ୍ତି??ଉତ୍ତର ଖୋଜିବା ଦୁରୂହ ବ୍ୟାପାର ଥିଲା।

ତେଣୁ ସୀତା ମାତା ନିଷ୍ପତ୍ତି ନେଲେ ସେତୁବନ୍ଧ ନିର୍ମାଣ କରାଯିବ ଆଉ ସେ ନିଜେ ଲଙ୍କା ଯାଇ ସେଇଠି ପ୍ରଭୁଙ୍କ ସହ ସିଧା କଥା ହେବେ।ବନବାସର ଅବଧି ସରି ଆସିବା ପୂର୍ବରୁ ତାଙ୍କର ଏପରି ଆଚରଣ ସମ୍ପର୍କରେ ସବୁ କଥା ଜାଣିବା ନିହାତି ଆବଶ୍ୟକ। ନଳ ନୀଳ ଓ ଅନ୍ୟ ମର୍କଟବୀର ଏବଂ ଭଲ୍ଲୂକ ମାନଙ୍କ ସହ ଲଙ୍କାକୁ ସେତୁବନ୍ଧ ତିଆରି ହେଲା।

କୌଣସି ଉପାୟ ମିଳୁ ନ ଥିଲା କୋଭିଡ଼ ଭାଇରସକୁ ହରେଇବା ପାଇଁ। ରାବଣ ଦିନକୁ ଦିନ ପଶ୍ଚାତାପରେ ଜଳି ଯାଉଥିଲେ।କାରଣ ତାଙ୍କ ପ୍ରାଣ ପ୍ରିୟ ପୁତ୍ର ଅକ୍ଷୟ କୁମାର,ମେଘନାଦ,ଭାଇ କୁମ୍ଭକର୍ଣ୍ଣ ଆଉ ଅନେକ ଅସୁର ଯୋଦ୍ଧା ଏହି ଭାଇରସ ଯୋଗୁଁ ମୃତ୍ୟୁ ବରଣ କରି ସାରିଥିଲେ।ନୀରିହ ପ୍ରାଣୀମାନେ ମଧ୍ୟ ଏହାର ଶିକାର ହେଉଥିଲେ।ଆଗପଛ ବିଚାର ନ କରି କରି ଦେଇଥିବା କାମ ପାଇଁ ରାବଣ ଭାଙ୍ଗି ପଡୁଥିବା ଦେଖି ଲଙ୍କାରେ ଅନ୍ୟମାନେ ମଧ୍ୟ ହିମ୍ମତ ହାରି ଯାଉଥିଲେ।ଆଉ ବିକଳ ହୋଇ କିଛି ସମାଧାନ କରିବାକୁ ସମସ୍ତେ ରାମଙ୍କୁ ନିବେଦନ କଲେ।ଏହି ଘାତକ ପରିସ୍ଥିତିର ମୁକାବିଲା କରିବା ଏକ ରକମ ଅସମ୍ଭବ ଥିଲା…!!କିନ୍ତୁ ବିଶ୍ୱାସ ଥିଲା ଯେ ରାମ ହିଁ ଏହାର ବିରୋଧ କରିବାକୁ ସକ୍ଷମ ।

ଏସବୁ ଦେଖି ରାମ ଆଉ ଚୁପ୍ ରହି ପାରିଲେନି।ଏକ ଭାଇରସ ଏତେ ଶକ୍ତିଶାଳୀ ହେବ ଯେ ସେ ସମଗ୍ର ସମାଜକୁ ଧ୍ଵଂସ କରିଦେବ??କାହା ଜଣଙ୍କ ଭୁଲ୍ ଯୋଗୁଁ ସମସ୍ତେ ଦଣ୍ଡ ପାଇବା କଦାପି ନ୍ୟାୟ ସମ୍ମତ ନୁହେଁ।ତେଣୁ ପ୍ରଭୁ ଏହି ଭାଇରସର ଅନ୍ତ କରିବା ଉଦ୍ଦେଶ୍ୟରେ କୋଦଣ୍ଡ ଧାରଣ କଲେ।

ରାମବାଣ ଭାଇରସକୁ ମୂଳୋତ୍ପାଟନ କଲା…!!ଧରା ବକ୍ଷରୁ ଲୋପ ହୋଇଗଲା ଅଦୃଶ୍ୟ ବିନାଶକାରୀ କୋଭିଡ ୧୯…. !!ରାବଣ ନିଜ ପଶ୍ଚାତାପ ପୂର୍ଣ୍ଣ କରିବାକୁ ଯାଇ ବିଭୀଷଣଙ୍କୁ ରାଜ୍ୟଭାର ଦେଇ କୈଳାସ ଗମନ କରି ବାକି ଜୀବନ ମହାଦେବଙ୍କ ଆରାଧନାରେ ବିତେଇବାକୁ ନିଷ୍ପତ୍ତି ନେଲେ।ଲଙ୍କାରେ ମଧ୍ୟ ରାମରାଜ୍ୟ ପରି ଏକ ଉତ୍କୃଷ୍ଟ ସାମ୍ରାଜ୍ୟ ପରିକଳ୍ପନା ସହ ଶ୍ରୀରାମ ଲଙ୍କାରୁ ବିଦାୟ ନେବାକୁ ମନ ବଳେଇଲେ।

ଏତେବେଳକୁ ସୀତା ମାତା ସେତୁ ପାରକରି ଲଙ୍କାରେ ପାଦ ଦେଲେ..

ମାତାଙ୍କ ଆଗମନ କଥା ଜାଣିପାରି ପ୍ରଭୁ ସମୁଦ୍ର ତଟକୁ ଯାତ୍ରା କଲେ।

ଅନତିଦୂରରେ ପ୍ରଭୁ ଠିଆ ହୋଇଥାନ୍ତି।ମାତାଙ୍କ ପାଖକୁ ଆସିବାକୁ ଉଦ୍ୟତ ହେଲାବେଳେ ମାତା କିନ୍ତୁ କହିଲେ…"ଆର୍ଯ୍ୟ ।ଆପଣ ଏତେ ଦିନ ଏ ଲଙ୍କା ନଗରୀରେ ଅସୁରମାନଙ୍କ ଗହଣରେ ରହିଲେ।ଏଇଠି ପ୍ରବଳ ପରିମାଣରେ ଭାଇରସ ନିଜ ତାଣ୍ଡବ ଦେଖାଇଛି।ଅତଏବ ଆପଣଙ୍କୁ ମୁଁ ଗ୍ରହଣ କରିବା ପୂର୍ବରୁ ଆପଣଙ୍କୁ ସାନିଟାଇଜ୍ ହେବାକୁ ହେବ।ସେ ମଧ୍ୟ ଅଗ୍ନିର ଲେଲିହାନ ଶୀଖାରେ।ତେବେ ଯାଇ ସବୁ ଜୀବାଣୁ ସେଥିରେ ଜଳି ପୋଡ଼ି ପାଉଁଶ ହୋଇଯିବେ…!!"

ରାମ ସମ୍ମତି ଦେବାରୁ ଲକ୍ଷ୍ମଣ ଆୟୋଜନ କଲେ ଓ ରାମ ଅଗ୍ନିପରୀକ୍ଷା ଦେଇ ସୀତାଙ୍କ ନିକଟକୁ ଆସିଲେ।

ସମସ୍ତଙ୍କ ଶୁଭକାମନା ସହ ସୀତାରାମ ରାବଣର ପୁଷ୍ପକ ବିମାନରେ ଫେରି ଆସିବା ବେଳେ ଅନ୍ୟମାନେ ସେତୁ ଦେଇ ଆସୁଥିଲେ।

କିନ୍ତୁ ପୁଷ୍ପକ ବିମାନ ଅଧା ରାସ୍ତାରେ ଭାରସାମ୍ୟ ହରାଇ ସମୁଦ୍ରର ଅଥଳ ଜଳରେ ପଡିଗଲା…!!

"ଏତେ ନିଦ ଯେ ପାଣି ପକେଇ ଉଠେଇବାକୁ ହେଲା।କୁମ୍ଭକର୍ଣ୍ଣଟା କିରେ?ରାମାୟଣରେ ରାବଣ ବଧ ଦେଖିକି ସେମିତି ଟିଭି ଆଗରେ ଶୋଇଛୁ। ଉଠ..ମହାଭାରତ ସମୟ ହେଲାଣି…!!"କହି ମଣ୍ଟୁ ଉପରେ ବଡ଼ ଭଉଣୀ ମୀନା ଚିଲ୍ଲାଉଥିଲା ।

ଆଉ ସେତେବେଳେ ମଣ୍ଟୁ ପ୍ରକୃତିସ୍ଥ ହେଲା ଯେ ଲକ୍ ଡାଉନ୍ ଚାଲିଛି ତେଣୁ ସେ ରାମାୟଣ ସିରିଅଲ୍ ଦେଖି ଶୋଇ ପଡ଼ିଥିବାରୁ ଏହିପରି କରୋନା କାଳର ଲଙ୍କାକାଣ୍ଡଟିଏ ସ୍ବପ୍ନରେ ଦେଖିଛି…!!

ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ମନକୁ ମନ ହସି ହସି ମୁହଁ ଧୋଇବାକୁ ଗଲାବେଳେ ମଣ୍ଟୁ ଭାବୁଥିଲା.."ଏମିତି ସତରେ ହୋଇଥିଲେ କଣ ହୋଇଥାନ୍ତା ।??"

(ସବୁ ଅନ୍ତ ସମାପ୍ତ ନୁହେଁ...)



Rate this content
Log in

Similar oriya story from Comedy