କଫି ଆଉ ତୁମ ସ୍ମୃତି
କଫି ଆଉ ତୁମ ସ୍ମୃତି
ଇଛା ନଥିବା ସତ୍ବେ ମଧ୍ୟ ସବୁଦିନ ପରି ଆଜିବି ମୁଁ ଲନ୍ ରେ ବସିଛି।ଟେବୁଲ୍ ଉପରେ ମା ରଖି ଦେଇଗଲେ ଗରମ କଫି ଓ ଲୁଣି ବିସ୍କୁଟ।ଗରମ କଫିରୁ ବାହାରୁଥିବା ବାସ୍ନା ରେ ଅତୀତରେ ବିତିଥିବା ସମୟ ଆଖି ଆଗରେ ଜୀବନ୍ତ ହେଇ ଉଠୁଛି।ସୁଖ ଦୁଃଖ ସବୁ ଭିତରେ ବି ମୋ ମନ ଏବେବି ଆୟୁଷ୍ ଙ୍କ ଉପସ୍ଥିତି କୁ ଖୋଜେ।ସେଇ କଫି କୁ ଦେଖିଲେ ଆୟୁଷ ଙ୍କ ସାଙ୍ଗେ ଅତିବାହିତ କରିଥିବା ସମୟ ସବୁ ଆଖିରେ ଭାସିଉଠେ।କଫି ଭଲ ହେଇଥାଉ ବା ପିତା ଲାଗୁଥାଉ କଫି ପିଇବା ସାଙ୍ଗେ ସାଙ୍ଗେ ଆରମ୍ଭ ହେଇଯାଏ ତାଙ୍କର ତାରିଫ୍ କରିବା।ଲନ୍ ରେ ଆଜି ଏକା ବସି ତାଙ୍କର ସ୍ମୃତି ସହ ଅମାନିଆ ଆଖି ଲୁହରେ ଭିଜି ଚାଲିଛି ମୋ ପଣତ।ମୋ ହାତର କଫି ପିଇବା ପାଇଁ ମୋର ଆଉ ଇଛା ହିଁ ହେଉନି।କାହାର ଅନୁପସ୍ଥିତି ସତରେ ହୃଦୟକୁ ଏତେ କଷ୍ଟ ଦିଏ ଆଜି ଅନୁଭବ ହେଉଛି। ଦିନ ଥିଲା ମୋ ହାତ ର କଫି ଦିନେ ନ ପିଇଲେ ସିଏ ବାରମ୍ବାର କଲ୍ କରି କହୁଥିଲେ ଆଜି ମୋର ମୁଡ୍ ଭଲ ନାହିଁ ଭାରି ବିରକ୍ତ ଲାଗୁଛି ମୁଁ ଆଜି କାମ ବ୍ୟସ୍ତରେ ଯାଇ ପାରିଲିନି ତୁମ ହାତର କଫି ପିଇବା ପାଇଁ ।ପ୍ଲିଜ୍ ତୁମେ କାଲି ଅଫିସ୍ ଆସିଲା ବେଳେ ମୋ ପାଇଁ କଫି ଦୁଇ କପ୍ ନେଇକି ଆସିଥିବ।ବେଳେବେଳେ ମୁଁ ବହୁତ ହସେ ।ମୁଁ ଏମିତି କି କଫି ତିଆରି କରୁଛି ଯେ ଆୟୁଷ୍ ଙ୍କୁ ଏତେ ଭଲ ଲାଗୁଛି।ପୁଣି ଗୋଟାଏ କପ୍ ପିଇବା ଜାଗାରେ ଦୁଇ କପ୍ ଆଣିବା ପାଇଁ ବରାଦ୍ ଦେଉଛନ୍ତି।ପ୍ରକୃତରେ କଥାଟା ଏଇଆ ଯେ ଯାହାକୁ ଆମେ ବହୁତ ଭଲପାଉ ତା ଗାଳିବି ଆମକୁ ବହୁତ୍ ଭଲ ଲାଗେ।ଆଉ ସିଏ ଆମକୁ ସ୍ନେହରେ ଯାହାବି ଦିଏ ଆମକୁ ଅମୃତ ସମ ଲାଗେ।ଏଇଟା ମୁଁ ଅନୁଭବ କରିଛି ଆୟୁଷ ଙ୍କ ଠାରୁ।ଆୟୁଷ୍ ଓ ମୁଁ ଗୋଟିଏ କମ୍ପାନୀରେ ଚାକିରୀ କରୁ।ଅଫିସ୍ ରୁ ଫେରିଲା ପରେ ଯଦି କିଛି କାମ ନଥାଏ ତାହେଲେ ଆୟୁଷ୍ ଚାଲି ଆସନ୍ତି ଆମ ଘରକୁ ମୋ ହାତ ତିଆରି କଫି ପିଇବା ପାଇଁ।ଆୟୁଷ୍ ଆସିଲେ ବେଳେବେଳେ ମା ମଧ୍ୟ କଫି ଓ ସ୍ନାକ୍ କିଛି ଆଣି ଦେଇ ଯାଆନ୍ତି।ଲନ୍ ରେ ବସି ଆମ ଦୁଇ ଜଣଙ୍କର ଢିଙ୍କିଶାଳ ଠୁ ଢେଙ୍କାନାଳ ଯାଏଁ ସବୁ ଚର୍ଚ୍ଚା ଚାଲେ।କେଉଁ କେଉଁ ଦିନ ମୋ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥାଆନ୍ତି ଲନ୍ ରେ ସେଦିନ କିନ୍ତୁ ଖଟିଟା ବହୁତ ଜମେ।ଯେହେତୁ ଆୟୁଷ୍ ତାଙ୍କ ପରିବାରକୁ ଛାଡି ଦୂରରେ ଅଛନ୍ତି ମୋ ପରିବାର ସଦସ୍ୟଙ୍କୁ ସେ ବହୁତ ଭଲ ପାଆନ୍ତି।ଏମିତିରେ ହିଁ ଆୟୁଷ୍ ମତେ ବହୁତ ଭଲ ପାଉଥିଲେ ଆଉ ମୁଁ ବି ଆୟୁଷ୍ ଙ୍କୁ ଭଲପାଇ ବସିଥିଲି।ପ୍ରାୟ ଦିନ ଅଫିସ୍ ଗଲା ବେଳେ ମୁଁ ନିଜେ ତିଆରି କରି ଆୟୁଷ ଙ୍କ ପାଇଁ କଫି ନେଇକି ଯାଏ।ଅଫିସ୍ ର ନିର୍ଦ୍ଧାରିତ ସମୟ ଆଗରୁ ପହଞ୍ଚି ବାହାରେ ଥିବା କେଣ୍ଟିନ୍ ରେ ବସି କଫି ପିଇ ଅଫିସ୍ କୁ ଯାଉ। ଆୟୁଷ ବି କାହିଁକି କେଜାଣି ସେଇ କଫି ପିଇବା ମାତ୍ରେ ମୋ ତାରିଫ୍ କରିବା ଆରମ୍ଭ କରି ଦିଅନ୍ତି।ସତରେ ସୁହାନୀ ମୁଁ ଏଠି ଚାକିରୀ କଲି ବୋଲି ତୁମ ହାତର ସ୍ବାଦିଷ୍ଟ କଫି ମତେ ପିଇବାକୁ ମିଳୁଛି ନହେଲେ କଣ ମିଳିଥାନ୍ତା ବାଏ ଦ ୱେ ମୁଁ କଫି ଆଣିବା ପାଇଁ କହୁଛି ବୋଲି ତୁମେ ରାଗ ହେଉନ ତ,ଆରେ ରାଗ ହେଲେ ହୁଅ ପଛେ କିନ୍ତୁ କଫି ଟା ତୁମକୁ ନିହାତି ଆଣି ଆସିବା ପାଇଁ ପଡିବ,ତୁମ ହାତ ତିଆରି କଫି ଟିକିଏ ପିଇଲେ ଦିନସାରା ବହୁତ ଭଲ ରେ କଟୁଛି।ବାସ୍ ବାସ୍ ଥାଉ ଆୟୁଷ୍ ଏତେ ତାରିଫ୍ ମୁଁ କେଉଁଠି ରଖିବି କୁହ ତାରିଫ୍ କରିବା ଜମାରୁ ଦରକାର ନାହିଁ ମୁଁ ସବୁବେଳେ କଫି ଆଣିକି ଆସିବି ହେଲା ତା ଛଡା କଫି କରିବା ପାଇଁ କ'ଣ ପରିଶ୍ରମ ପଡୁଛି ନା କ'ଣ। ଏମିତିରେ ସୁରୁଖୁରୁରେ ଦିନ ସରି ଯାଉଥାଏ। ଦିନେ ଅଫିସ୍ କୁ ଯିବା ପାଇଁ ସମୟ ହେଇ ଯାଇଥାଏ ମୁଁ ଆଉ କଫି ତିଆରି କରି ପାରିଲିନି ସେଦିନ କିନ୍ତୁ ମୁଁ କେଫ୍ ରୁ କଫି ନେଇକି ପଳେଇଲି ଯେଉଁ ଠାରେ ନିତିଦିନ କଫି ପିଇ ଆମେ ଅଫିସ କୁ ଯାଉ ସେଇଠି ଆୟୁଷ୍ ଅପେକ୍ଷା କରିଥାନ୍ତି ଆଉ ମୋର ଡେରି ହେବା ଦେଖି ବହୁତ ବ୍ୟସ୍ତ ହେଉଥାନ୍ତି।କିନ୍ତୁ ପହଞ୍ଚିଲା ପରେ ବି ବହୁତ ସମୟ ଥିଲା ଅଫିସ୍ ଯିବା ପାଇଁ। ମୁଁ ଆୟୁଷ୍ ଙ୍କୁ କଫି ଦେଲି ଆଉ ସେ ଟିକେ ପିଇଲା ପରେ ଜାଣି ଦେଲେଯେ ଆଜି କଫି ମୁଁ ତିଆରି କରିନି ମୁଁ ବି ନା ସତକଥା କହିଥିଲେ ଭଲ ହେଇଥାଆନ୍ତା କଫି ମୁଁ ସପ୍ ରୁ ଆଣିଛି। କିନ୍ତୁ କାଳେ ସିଏ ରାଗିବେ ବୋଲି ମୁଁ କିଛି କହିଲିନି କିନ୍ତୁ ନକହିବାର ପରିଣତି ଭୟଙ୍କର ହେବ ମୁଁ କଦାପି ଭାବି ନଥିଲି।ଆୟୁଷ ମତେ କିଛିବି ନକହି ଉଠିକି ପଳେଇଲେ,ମୁଁ କିନ୍ତୁ ଅନୁଭବ କରି ପାରିଥିଲି ତାଙ୍କ ଅଭିମାନ ମିଶା ରାଗକୁ।ଅଫିସ୍ ରୁ ଫେରି ତାଙ୍କୁ ଫୋନ୍ କଲି ମେସେଜ୍ କଲି କିନ୍ତୁ ପ୍ରତି ଉତ୍ତର ମିଳି ନଥିଲା।ଆପଣ ଜାଣିଛନ୍ତି ନା ସହରରେ ଟ୍ରାଫିକ ସମସ୍ୟା ବେଶି ସେଇ ଟ୍ରାଫିକ କୁ ଡରି ମୁଁ ସେଦିନ ତରବର ହେଇ ସପ୍ ରୁ କଫି ନେଇ ଯାଇଥିଲି।ନା ଆଉ ଏମିତି ଭୁଲ୍ ମୋର କେବେ ହେବନି।ତାପର ଦିନ କିନ୍ତୁ ମୁଁ ଠିକ୍ ସମୟରେ କଫି ନେଇ ପହଞ୍ଚି ଯାଇଥିଲି ସେଇ ସଠିକ୍ ସ୍ଥାନରେ ଯେଉଁଠି ଆମେ ବସି କଫି ପିଉ।ଆଜି କିନ୍ତୁ ମହାଶୟ ପହଞ୍ଚି ନାହାନ୍ତି।ଏଥର ପାଳି ମୋର।ତମ ରାଗ ତ ଦେଖେଇଲ ରୁହ ଏଥର ମୋ ରୂପ ଦେଖିବ ଏଇଆ ଭାବି ମୁଁ ବିରକ୍ତ ହେଉ ଥାଏ।ବୋଧେ ତା ପରଦିନ କୁ ତାଙ୍କ ରାଗ ଆଉ ନଥିଲା।ସେ ଯାହା ବି ହେଉ କିନ୍ତୁ ଏଥର ମୋ ପାଳି।ଅଧଘଣ୍ଟା ପରେ ଆୟୁଷ୍ ପହଞ୍ଚିଲେ ସୁହାନୀ ତମେ ଆଜି ଏତେ ଶିଘ୍ର ପଳେଇ ଆସିଲ।କଫି ଆଣିଛ ହଉ ଦିଅ।ମୁଁ ଟେବୁଲ୍ ଉପରେ କଫି ଥୋଇଦେଇ ସିଏ ମତେ ଯେମିତି କରିଥିଲେ ସେଇ ସମାନ ଷ୍ଟାଇଲ୍ ରେ ରାଗ ଫଣ ଫଣ ମୁହଁରେ ମୁଁ ଉଠି ଆସିଲି।ମୋ ଦ୍ବାରା କିନ୍ତୁ ଏସବୁ ହେଉ ନଥାଏ କାହିଁକନା କାହା ଉପରେ ରାଗିବା ମୋର ପସନ୍ଦ ନୁହେଁ ମୁଁ ସବୁବେଳେ ହସିବାକୁ ପସନ୍ଦ କରେ।ଅଫିସ୍ ପରେ ଆୟୁଷ୍ ଆସି ଆମ ଘରେ ପହଞ୍ଚି ଗଲେ। ସେଦିନ କିନ୍ତୁ ମୋ ଦେହ ଜମା ବି ଭଲ ନଥିଲା ଥଣ୍ଡା ଜ୍ୱର ହେଉଥାଏ ଖଟରୁ ଉଠିବା ପାଇଁ ଜମା ବି ଇଛା ନଥାଏ ତଥାପି ବି ମୁଁ ଖାସ୍ ସେଇ କଫି ପାଇଁ ହିଁ ଅଫିସ୍ କୁ ଯାଇ ଅଧାରୁ ପଳେଇ ଆସିଥିଲି। କିନ୍ତୁ ସେଦିନ ଆୟୁଷ ମୋ ପାଖକୁ କିଛି କହିବା ପାଇଁ ଆସିଥିଲେ ଯେହେତୁ ମୋ ଦେହ ଭଲ ନଥିଲା ସେଥିପାଇଁ ସେ କିଛି କହିନଥିଲେ। କାହିଁକି ଅଧାରୁ ପଳେଇ ଆସିଲ ସୁହାନୀ ମୋ ଉପରେ ରାଗିଥିଲ ନା।ଆରେ ମୋ ଦେହ ଭଲ ନାହିଁ ଦେଖିକି ବି ପଚାରୁଛ।ହଉ ସରି ସୁହାନୀ କଫି ତୁମେ ନିଜେ କରି ନଥିଲ ବୋଲି ମୁଁ ଜାଣିକି ରାଗି ଯାଇଥିଲି ସତ କିନ୍ତୁ କାହିଁକି ତୁମକୁ କିଛି କହି ନଥିଲି ଜାଣିଛ ତୁମ ମୁହଁରେ ଦୁଃଖ ଦେଖିଲେ ଭଲ ଲାଗେନି ସେଥିପାଇଁ ,ଶିଘ୍ର ଭଲ ହେଇଯାଅ,ଭଲ ଲାଗିଲେ ଫୋନ୍ କରି ଜଣେଇବ ବୋଲି କହି ସେ ମୋ ଠାରୁ ବିଦାୟ ନେଇଥିଲେ। ଟିକେ ଭଲ ଲାଗିଲା ପରେ ଆୟୁଷଙ୍କୁ ବାରମ୍ବାର ଫୋନ୍ କରି ବିଫଳ ହୋଇଥିଲି ,ଅଫିସ୍ ରୁ ଛୁଟି ନେଇ ସେ ତାଙ୍କ ଘରକୁ ଯାଇଥିଲେ କିନ୍ତୁ ଫୋନ୍ ନ ଲାଗିବା ଆଉ ସେ ଚାକିରୀ ରେ ଯୋଗ ନଦେବା ପଛରେ କ'ଣ ବା କାରଣ ରହି ଥାଇପାରେ ସେଇଟା ଆଜିବି ମତେ ଜଣା ନାହିଁ।
ସେଇ ଦେଖା ଆମର ଶେଷ ଦେଖା ହେବ ବୋଲି ମୁଁ କେବେ ଭାବି ନଥିଲି। ଆୟୁଷ ଙ୍କ ଅନୁପସ୍ଥିତି ମତେ ଏତେ କଷ୍ଟ ଦିଏ ତାହା ଅନୁଭବୀ ହିଁ ବୁଝି ପାରିବ।ଆଖି ର ଲୁହ ବି ଏତେ ଅମାନିଆ ଦେହ ଭିଜେଇ ସାରିଲେଣି।ମା ଙ୍କ ର କଫିର ବାସ୍ନାରେ ମୁଁ ସେଇ ଅତୀତର ସ୍ମୃତି ରୁ ବର୍ତ୍ତମାନ କୁ ଫେରିବା ପାଇଁ ବାଧ୍ୟ ହେଲି। କିନ୍ତୁ ଆୟୁଷ ଗଲା ଦିନ ଠୁ ମୁଁ ଆଉ କେବେ କଫି କରିବା ପାଇଁ ଚାହିଁନି କି ମୋ ହାତ ତିଆରି କଫି ନିଜେ ପିଇବା ପାଇଁ ଚେଷ୍ଟା ବି କରୁନି।କଫି ଆଉ ତୁମ ସ୍ମୃତି ସତରେ ବହୁତ କଷ୍ଟ ଦିଏ।କଫି ଆଉ ତୁମ ସ୍ମୃତି ସବୁବେଳେ ମନରେ ସତେଜ ହେଇ ରହିବ।

