Lalita Mohan Mishra

Romance Tragedy

3.2  

Lalita Mohan Mishra

Romance Tragedy

କ୍ଲାନ୍ତ ଅପରାହ୍ନ

କ୍ଲାନ୍ତ ଅପରାହ୍ନ

7 mins
220


ଜୀବନର ଦୋଛକିରେ ମନୁଷ୍ୟ । ଏହି ମନୁଷ୍ୟ କେବେ ଜିତୁ ଜିତୁ ହାରିଯାଏ ତ କେବେ ହାରୁ ହାରୁ ଜିତିଯାଏ । ଜୀବନର କୌଣସି ଏକ ଫୁଲ ଫୁଟିବାର ମୁହୂର୍ତ୍ତ ଗୋଟିଏ ପୁରୁଷ ଓ ଜଣେ ନାରୀକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲା । ଉଭୟେ ନିୟତିର ଅଦୃଶ୍ୟ ଇଙ୍ଗିତରେ ପରସ୍ପର ନିକଟବର୍ତ୍ତୀ ହୋଇଥିଲେ । ପରେ କୌଣସି ନା କୌଣସି କାରଣରୁ ବାଟ ଭାଙ୍ଗି ଅଲଗା ରାସ୍ତାରେ ଚାଲିଗଲେ । ପୁଣି ସମୟ କ୍ରମରେ ଯୋଡି ହୋଇଗଲେ । ଜୀବନ ଚାଲୁଥାଏ ତା'ବାଟରେ, ମଣିଷ ତାକୁ ଅନୁସରଣ କରୁଥାଏ । କାରଣ ଜୀବନ ହେଉଛି ଏକ ସମଷ୍ଟିଗତ ପ୍ରକ୍ରିୟା । ଖୋଜିବା ପାଇବା, ଅଛି ନାହିଁର ସମିଶ୍ରଣରେ ଆମ ଜୀବନ । ବଞ୍ଚି ଶିଖିଲେ ଜୀବନ ହୁଏ ମଧୁମୟ l କୋରୋନାର କରାଳ ଗ୍ରାସରେ ସାରା ସଂସାର ତ୍ରସ୍ତ । ଏମିତି ଏକ ନିଃସହାୟ ସମୟ ଆସିବ କିଏ କେବେ ଭାବିନଥିଲା ମନରେ.... ସବୁଆଡେ ମୃତ୍ୟୁର ତାଣ୍ଡବ । କେବଳ ମଣିଷ କାହିଁକି, ଭଗବାନ ବି ନିରବରେ ବସିଛନ୍ତି ମନ୍ଦିରର ଗର୍ଭଗୃହରେ । ଘର କୋଣରେ ପଥର ମୂର୍ତ୍ତିଟିଏ ପରି ପଡିରହିଛି କାଞ୍ଚନ । କୋରୋନା ଜାଳି ଛାରଖାର କରିଦେଉଛି ସଂସାରକୁ । ତାର ସଂସାର ଏଥିରେ ଲୀନ ହୋଇ ଯିବ ନାହିଁ ତ......? ମନରେ ଅନେକ ପ୍ରଶ୍ନ ? ଶୂନ୍ୟତାର ଏକ ଖାଁ ଖାଁ ଭାବ ଆବୋରି ବସିଛି ତାର ମନ ଓ ହୃଦୟକୁ । ଯେମିତି ହେଉନା କାହିଁକି... ସୁଖେ ଦୁଃଖେ ତାର ଜୀବନ ସେ କଟାଉଥିଲା । ପରିବାର କହିଲେ ଝିଅଟି ଓ ପୁଅଟି । ଝଡ ଝଞ୍ଜା ମଧ୍ୟରେ ଗତି କରି ତାର ଜୀବନ ରଥ ଯେନ ତେନ ପ୍ରକାରେଣ ଆଗକୁ ଗଡି ଚାଲିଥିଲା । ଏବେ ତା'ର ହସ ଖୁସିର ସଂତୃପ୍ତ ପରିବାର ଏକବାରେ ନିଃସ୍ୱ ହେବାକୁ ଯାଉଛି । ରାତି ପାଇଲେ ସାବିତ୍ରୀ ବ୍ରତ । ସତ୍ୟବାନଙ୍କ ବିନା ସାବିତ୍ରୀ ବ୍ରତ ନିରର୍ଥକ । ବଜାରର ପରିବା ଦର ଫଳ ଦର ନ କହିବା ଭଲ । ନୂଆ ଲୁଗା ଖଣ୍ଡେ କିଣିବା ପାଇଁ ଦୋକାନ ବନ୍ଦ । ଉଦ୍ଧବ କେଉଁ ଦୋକାନୀକୁ କହି ଲୁଗା ଖଣ୍ଡେ କିଣି ଆଣି ଦେଇଛି । ଜୀବନ ମରଣ ଦୋ ଛକିରେ ଆଜକୁ ଦଶ ଦିନ ପରେ ହେବ ପଡି ରହିଛନ୍ତି କୈଳାସ ଆଇସିୟୁରେ । ପ୍ରତି ଦିନ ଚାରି ଜଣ ପାଞ୍ଚ ଜଣଙ୍କର ଶବ ଉଠୁଛି ସେଠାରୁ । ଦେଖି ଦେଖି ଜୀବନର ମୋହ ତୁଟିଗଲାଣି । ସ୍ୱାମୀଙ୍କ ମଙ୍ଗଳମନାସୀ ଶଙ୍ଖା ସିନ୍ଦୂର ସଦା ବିରାଜମାନ କରୁ ଏହି ଉଦେଶ୍ୟରେ ସବୁ ବର୍ଷ ପାଳନ କରି ଆସୁଛି ସାବିତ୍ରୀ ବ୍ରତ । ସ୍ୱାମୀ ପାଖରେ ଥାଆନ୍ତୁ ଅଥବା ଦୂରରେ । ନିଜର ହେଉଥାନ୍ତୁ ଅଥବା ପରର । ତାଙ୍କରି ଲାଗି ତ ଏ ଶଙ୍ଖା ସିନ୍ଦୂର... ପୁରାଣ କହେ ଦେବୀ ସାବିତ୍ରୀ ନିଜ ପ୍ରେମର ଶକ୍ତିରେ ଯମରାଜଙ୍କ ଠାରୁ ନିଜ ମୃତସ୍ଵାମୀଙ୍କୁ ଫେରାଇ ଆଣିଥିଲେ । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ବ୍ରତ ପାଳନ କରିଥାଆନ୍ତି । ଏ ତ ପୁରାଣ କଥା ଆଈ ସେତେବେଳେ କହିଥିଲା । ସେଥିପାଇଁ ଯୁଧିଷ୍ଠିର ଯେବେ ଋଷି ମାର୍କେଣ୍ଡେୟଙ୍କ ସମୀପରେ ଦ୍ରୌପଦୀଙ୍କ ମହାନତା ବଖାଣିଛନ୍ତି । ଦ୍ରୌପଦୀଙ୍କ ଠାରୁ ମହିୟସୀ ନାରୀ ଧରାରେ ଆଉ ଦ୍ଵିତୀୟ କେହି ନାହିଁ କହିଛନ୍ତି .. ସେ ସମୟରେ ଋଷି ମାର୍କେଣ୍ଡୟ କହିଛନ୍ତି - ଦ୍ରୌପଦୀ ମହିୟସୀ ନାରୀ ଏହା ନିଃସନ୍ଦେହ କିନ୍ତୁ ଏହାଙ୍କ ଠାରୁ ଆହୁରି ଅସୀମ ତେଜମୟୀ, ମଧୁମୟୀ, ପ୍ରେମମୟୀ ମହିୟସୀ ନାରୀ ସେ ହେଉଛନ୍ତି ସାବିତ୍ରୀ । ସେହି ସାବିତ୍ରୀଙ୍କ ପାଇଁ ପ୍ରେମର ପରିଭାଷା କଣ ହୋଇଥିବ ? ଶାଶ୍ଵତ ଜୀବନ ପ୍ରବାହରେ ମୃତ୍ୟୁ ଯେ କେତେ ମୂଲ୍ୟହୀନ ହୋଇଥିବ.. ଆମେ ଆମ ବୁଦ୍ଧି, ବୋଧିରେ ତାହା ଆକଳନ କରିପାରିବା ନାହିଁ । ଆଜକୁ ଦଶ ଦିନ ହେବ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି କୈଳାସ । କେତେବେଳେ ଭଲ ଶୁଣିବାକୁ ମିଳୁଛି ତ କେତେବେଳେ ଖରାପ । କୁହାଯାଏ ଭାଗ୍ୟ ଓ ଭବିଷ୍ୟ ସବୁ ଈଶ୍ୱରଙ୍କ ହାତରେ । ବିବାହକୁ ଆସି ବିତି ଗଲାଣି ଦଶ ବର୍ଷ । ଆଠ ଓ ନଅ ବର୍ଷର ଦୁଇଟି ପିଲାଙ୍କୁ ନେଇ ତାର ଏହି ଛୋଟିଆ ସଂସାର । ପିଲାଦିନୁ ମାଆ ଚାଲିଗଲା । ମାମୁଁ ଘରେ ରହି ବଡ ହେଲା ପାଠ ପଢିଲା କାଞ୍ଚନ । ମନ ମଧ୍ୟରେ କୁହୁଳୁଥିବା ପିଲାଳିଆମି ଓ ଚପଳତାର ଜିଦ୍ରେ ଧିରେ ଧିରେ ବଡ ହେବାକୁ ଲାଗିଥିଲା କାଞ୍ଚନ ।ଛୋଟ ବେଳେ ପିଲା ମାନଙ୍କ ଖେଳଣା ଦେଖି ମନ ଊଣା କରିବା ବଦଳରେ ଦୂରରୁ ଦେଖି ଖୁସି ହୋଇ ଯାଉଥିଲା । ମାମୁଁ ଆଣିଥିବା ତାଙ୍କ ଝିଅର ନୂଆ ଡ୍ରେସ୍ ଦେଖି କୋହରେ ଫାଟି ପଡୁଥିବା ଛାତିକୁ ସେ ଅନାୟସେ କରି ପାରୁଥିଲା ସଂଯତ । ଅନେକ ସମୟରେ ମନ୍ଦିରର ନିର୍ଜନ ସ୍ଥାନ କାଞ୍ଚନ ଆବୋରି ବସେ ଆତ୍ମୀୟତାର ଛଳରେ । ମନ ଭରି ବୁହାଇ ଦିଏ ହୃଦୟର ସମସ୍ତ ଆବେଗକୁ । ଜାଳିଦିଏ ନିଜ ବାଞ୍ଛିତ ଅଧିକାର। ଯେମିତି ସିଏ ଜଳୁଛି ଆଜି । ଭାଗ୍ୟକୁ ଆଦରି ନେଇ କପାଳ ଲିଖନ ଉପରେ ସବୁକିଛି ନ୍ୟସ୍ତ କରି ଦେଇଥିଲା କାଞ୍ଚନ । କୁମାରୀ ମନରେ ଆନ୍ଦୋଳିତ ଅନେକ ସ୍ୱପ୍ନକୁ ସାକାର କରିବାର ଆଶା ନେଇ ଭାବିଥିଲା ; ବିବାହ ପରେ ହୁଏତ ଜୀବନଟା ହୋଇଯିବ ସହଜ । ହୁଏତ ! ଦୁଃଖର କାଳରାତ୍ରୀ ଅବସର ନେଇ ଆରମ୍ଭ ହୋଇଯିବ ସୁଖର ପର୍ଯ୍ୟାୟ । ଧିରେ ଧିରେ ଦିନ ଓ ସମୟ ବିତି ଚାଲିଲା । ଆଉ ତାସହ ବିତି ଚାଲିଲା ତିଥି, ମାସ ଓ ସପ୍ତାହ । ସ୍ୱାମୀ କୈଳାସ ମଦ୍ୟପ । ରାତି ହେଲେ ପରିଶ୍ରମର ଆଳ ଦେଖାଇ ଆଡା ଜମାଇ ଦିଏ ଗାଆଁ ମୁଣ୍ଡ ଠାକୁରାଣୀ ପାଖ 

ମଦଭାଟିରେ । ପେଟରେ ପେଟେ ମଦ ପିଇ ଟଳି ଟଳି ଆସେ, ରାତିର ସେହି ବହଳିଆ ଅନ୍ଧାର ଭିତରେ । ସାଥିରେ ଥାଆନ୍ତି ଆହୁରି ଦଳେ ମଦ୍ୟପ । ଆଉ ହାତରେ ଧରିଥାନ୍ତି ଅଧା ପିଆ ବୋତଲରୁ ଗୋଟିଏ ଗୋଟିଏ । କେଉଁଠି ପଡନ୍ତି ତ କେଉଁଠି ଉଠନ୍ତି । ପୁଣି କେତେବେଳେ କାହାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ବହେ ମାଡ ଖାଇ ସବୁ ଘରକୁ ଫେରନ୍ତି । କାଞ୍ଚନ କିନ୍ତୁ ଭୟ ପାଇ ଯାଏ ସ୍ୱାମୀର ଚପଲ ଶବ୍ଦରେ । ଘରକୁ ଆସିଲା କ୍ଷଣି ପତି ତାର ସାଜି ଯାଏ ନର ରୁ ରାକ୍ଷସ । ରାମ୍ପି ଝାମ୍ପି ବିଦାରି ପକାଏ କାଞ୍ଚନର ଶରୀରକୁ । ପ୍ରତିବାଦ କଲେ ପୁଣିଥରେ ପରିବର୍ତ୍ତିତ ହୋଇଯାଏ ହିଂସ୍ର ପଶୁରେ । ମାରି ପିଟି ଲହୁ ଲୁହାଣ କରି ପକାଏ । ଦରମରା କରି ପକାଇବା ଯାହା ସାର ହୋଇଯାଏ ତା ପାଇଁ । ଯନ୍ତ୍ରବତ୍ କାର୍ଯ୍ୟ କରି କେବେବି ଥକି ପଡିନି କାଞ୍ଚନ । ବରଂ ନିଜର ଲୁଗା କାନିକୁ ପାଟିରେ ଚାପି ଧରି ନିରବରେ ଭେଁ ଭେଁ ହୋଇ କାନ୍ଦିବାକୁ ଅତି ନିଜର ମଣେ ସେ । ଖାଲି ଯାହା ପିଲା ଦୁଇଟିର ମୁହଁକୁ ଚାହିଁ ମୃତ୍ୟୁକୁ ପାଶୋରି ଦେଇଛି ମନରୁ । ସକାଳ ହେଲେ ନିଜର କ୍ଷତ ବିକ୍ଷତ ଚେହେରା ଓ ଫଟା ଓଠର ସୁଖିଲା ରକ୍ତ ଦାଗକୁ ନିରେଖି ଦେଖେ ଆଇନାରେ । କୋହଭରା ଛାତିର କଷ୍ଟ ସବୁକୁ ଚାପି ଧରି ଲୁଚାଇବାକୁ ଚେଷ୍ଟା କରେ, ନିଜର ଛଳନାମୟ ହସ ଭିତରେ । ଚୁଲିରେ ଭାତ ଫୁଟେ, କ୍ଷୀର ଉତୁରେ । ତା ସହ ଜଳି ପୋଡି ପାଉଁଶ ହୋଇଯାଏ କାଞ୍ଚନର ହୃଦୟ । ନିଜର ସ୍ୱପ୍ନ ଓ ଖୁସିକୁ ଦୁଃଖର ଚିତାରେ ମୁଖାଗ୍ନି ଦେଇ ; ଆଶା ଓ ଆକାଂକ୍ଷା ସବୁକୁ ପଠାଇ ଦିଏ ଦୁଃଖର ହାଣ୍ଡିରେ । ପରିବା କାଟିବା ବେଳେ ନିଜ ପ୍ରତିବାଦର ପ୍ରତିକ୍ରିୟା ସବୁକୁ ଖଣ୍ଡ ବିଖଣ୍ଡିତ କରି କାଟି ମିଶାଇ ଦିଏ ହଳଦୀ ପାଣିରେ । କାରଣ ! ସେ ଜାଣେ, ଏଠି ପ୍ରତିବାଦର ଅର୍ଥ ହେଉଛି ମାଡ ଆଉ ଗାଳି । କୈଳାସ ଯଦି ମଣିଷ ଭଳି ମଣିଷଟିଏ ହୋଇ ଥାଆନ୍ତା । ତେବେ କଣ ଏତେ ଦୁଃଖ ଦୁର୍ଦ୍ଦଶା ଲେଖା ହୋଇଥାନ୍ତା ତା କପାଳରେ । ମଣିଷ ନୁହେଁ ସେ ଅମଣିଷ । ଏବେ କେତେବର୍ଷ ହେବ ବାଙ୍ଗାଲୋରରେ କେଉଁ ଏକ କମ୍ପାନୀରେ କାମ କରିବାକୁ ଚାଲିଗଲା । ଫେରିବାର ନାଆଁ ନେଲାନି । ଗାଆଁରେ ଥିବାବେଳେ କୋଉ ଭଲ ଥିଲା ଯେ । ମଦୁଆ ଗଞ୍ଜଡିଆଙ୍କ ସହ ମିଶି ନିଶା ଖାଇ ସବୁବେଳେ ନିଶାରେ ଥିଲା ଚୂର୍ । ଘରକୁ ଆସିବା କ୍ଷଣି କାଠ, ବତା, ବାଉଁଶ ଯାହା ପାଉଥିଲା ସେଥିରେ କରୁଥିଲା ଆକ୍ରମଣ । ସବୁବେଳେ ସଇତାନ ସବାର ରହୁଥିଲା ତା ମୁଣ୍ଡରେ । ଛୁଆ ଗୁଡାଙ୍କ ସୁବିଧା ଅସୁବିଧା ବୁଝିବା ତ ଦୂରର କଥା । ସେମାନଙ୍କ ସହ ମଧ୍ୟ କୁକୁର ମାଙ୍କଡ଼ ପରି ବ୍ୟବହାର କରିବା ଥିଲା ତାର ନିତିଦିନିଆ କାର୍ଯ୍ୟ । ଖାଲି ସେତିକିରେ ତାର ମନ ବୁଝିଲାନି ଯେ ଶେଷରେ କୋଠିକୁ ଗଲା । ବାରନାରୀଙ୍କ ସହ ସମ୍ପର୍କ ରଖିଲା । କେମିତି ଜଣେ ପତ୍ନୀ ହୋଇ ସେ ସହି ପାରିଥାନ୍ତା ସ୍ୱାମୀର ଏସବୁ ନିତ୍ୟ ବ୍ୟବହାର । ପ୍ରତିବାଦ କରିବାରୁ ଘରେ ଆରମ୍ଭ ହୋଇଗଲା ତୁମୁଳ କାଣ୍ଡ । ଶେଷରେ କାଞ୍ଚନକୁ ଏକା କରି ଚାଲିଗଲା ବାଙ୍ଗାଲୋର । କାଞ୍ଚନ ପିଲାମାନଙ୍କୁ ନେଇ ଚଳିବା କଷ୍ଟ ହୋଇ ପଡିଲା । ପର ଦୁଆରେ ଖଟିଲା... ଆଉ ଖାଇଲା । କାହା ଉପରେ ବୋଝ ହୋଇନି କି ନିଜ ପିଲା ମାନଙ୍କ ବୋଝ କାହା ଉପରେ ଲଦି ଦେଇନି । ବାଙ୍ଗାଲୋରରୁ ଫେରିଥିବା କିଛି ଲୋକ ମାନଙ୍କ ପାଖରୁ ଖବର ପାଇଛି ସେ । ତା ସ୍ୱାମୀ କୁଆଡେ ଆଉ ଗୋଟେ ବିବାହ କରିଛି ସେଠି । ସେ ପୁଣି ସେଠିକାର ଅଣଓଡିଆ ଝିଅକୁ । ଏକଥା ଶୁଣି ଭାଙ୍ଗି ପଡିଥିଲେ ମଧ୍ୟ ପୁଣି ଅଣ୍ଟା ସଳଖି ଆଗକୁ ଚାଲିଲା । କୈଳାସ କେବେ ଫୋନ୍ କରି ନାହିଁ କି ଖବର ଅନ୍ତର ଦେଇ ନାହିଁ । ତଥାପି ସ୍ୱାମୀର ସୁଖ ମନାସି ସାବିତ୍ରୀ ବ୍ରତ ପାଳନ କରେ କାଞ୍ଚନ । ସେ ଯେଉଁଠି ଥାଆନ୍ତୁ ନା କାହିଁକି ଭଲରେ ଥାଆନ୍ତୁ ସୁଖରେ ଥାଆନ୍ତୁ । ପିଲାମାନେ ପଚାରନ୍ତି ବାପାଙ୍କ ପାଇଁ ତୁ କାହିଁକି ସାବିତ୍ରୀ ବ୍ରତ ପାଳନ କରୁଛୁ ? କାଞ୍ଚନ କଥାକୁ ଏଡେଇ ଦିଏ । ହୃଦୟର ଅକୁହା ବେଦନାକୁ ଚାପି ଆଗକୁ ଚାଲିଥାଏ । କାରଣ.. ହେ ସ୍ୱାମୀ,ତୁମେ ମୋର ଅଟ ପ୍ରାଣ ପ୍ରିୟ । ତୁମେ ମୋର ଜ୍ୟୋତ୍ସ୍ନା ଭରା ଜହ୍ନ ରାତି । ତୁମ ବିନା ଏଠି ପୁନେଇଁ ରାତି ହୁଏ ଅମାବାସ୍ୟା ସାଥୀ । ମୁଁ ତୁମର ସେହି ବିମୁଗ୍ଧା ପ୍ରେୟସୀ । ସାବିତ୍ରୀ ବ୍ରତରେ ମୁଁ ଆଜି ବନ୍ଦୁଛି ତୁମର ସେହି ପୟର । ଉତ୍ସର୍ଗ କରୁଛି ମୋ ପ୍ରାଣ ହୃଦୟ, ପ୍ରାଣ ସତ୍ୱ୍ ର । ଶଙ୍ଖା ସିନ୍ଦୂର ସଦା ମୋର ରହୁ ହେ ଅକ୍ଷୁର୍ଣ୍ଣ । ତୁମେ ଯେ ଦୀର୍ଘାୟୁ ହୁଅ । ତୁମ ମନେ ରହୁ ସଦା ସମ୍ମୋହନ । ତୁମେ ହୁଅ ସ୍ୱାସ୍ଥ୍ୟବାନ । ତୁମେ ଶିବ ହେଲେ ମୁଁ ତୁମ 

ପାର୍ବତୀ । ତୁମେ ସତ୍ୟବାନ ମୁଁ ତୁମ ସାବିତ୍ରୀ । ତୁମର ନାମରେ ମୁଁ ଏହି ଶଙ୍ଖା ସିନ୍ଦୂର ଧାରଣ କରୁଅଛି । ତୁମେ ସଦା ବିରାଜମାନ କରୁଥାଅ । ଏହିପରି ଭାବରେ ସବୁ ବର୍ଷ ପାଳନ କରି ଆସୁଛି ସାବିତ୍ରୀ ବ୍ରତ କାଞ୍ଚନ । କୈଳାସ ବାଙ୍ଗାଲୋରରେ କରୋନା ମହାମାରୀରେ ଆକ୍ରାନ୍ତ ହେଲା । ସେଠାକାର ଅଣ ଓଡିଆ ସ୍ତ୍ରୀ ମଧ୍ୟ ସେଥିରେ ଆକ୍ରାନ୍ତ ହେଲା । ସେ ସେହି ମହାମାରୀରେ ଚାଲିଗଲା । କୈଳାସ ନିଜକୁ ନିସଙ୍ଗତା ବୋଧ କଲା । ପରିବାରକୁ ଅସମୟରେ ହେତୁ କଲା । ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏଠାକୁ ଆସିଲା । ଜୀବନରେ ଯାହା ଅର୍ଥ ରୋଜଗାର କରିଥିଲା ସବୁ ସରିଲାଣି କହିଲେ ଚଳେ । ତଥାପି ବଞ୍ଚିବାର ମୋହ ତୁଟାଇ ପାରିନାହିଁ କୈଳାସ । ଏତେ ଦିନ ପରେ ରୋଗିଣା ସ୍ୱାମୀକୁ ପାଇ କାଞ୍ଚନ ତଥାପି ଖୁସି । ଜୀବନ ନୌକାରେ ବଢି ପାଣିରେ ପାରି ହେବାକୁ ଆଶା ବାନ୍ଧିଛି କାଞ୍ଚନ । ସମୟ ସାଥି ଦେବ କି ନାହିଁ କହିପାରୁନାହିଁ । ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ରହସ୍ୟ ନାରୀକୁ ହଁ ଜଣା ଥାଏ । ଏବଂ ତାହା ନାରୀ ଜୀବନର ମହତ୍ତ୍ୱ। ସେଥିପାଇଁ ତ ନାରୀ ମହାନ । ଯିଏ ନିଜ ସହନଶୀଳତାକୁ ପାଥେୟ କରି ଶକ୍ତି ଏବଂ ଧୈର୍ଯ୍ୟ ବଳରେ ଗୁନ୍ଥି ରଖିପାରେ ପରିବାରର ସମସ୍ତ ସଦସ୍ୟଙ୍କ ମନ । ଯଦି ସତ୍ୟ, ନିଷ୍ଠା, ତ୍ୟାଗ ଓ ଏକାଗ୍ରତା ବଳରେ ସାବିତ୍ରୀ ସତ୍ୟବାନଙ୍କୁ ଜୀବନ ଫେରାଇ ଆଣିବାକୁ ସମର୍ଥ ହୋଇଥିଲେ । କାଞ୍ଚନ କଣ ସେମିତି ସ୍ୱାମୀର ଜୀବନ ପାଇ ପାରିବାକୁ ସମର୍ଥ ହେବ ? ? ? ସାବିତ୍ରୀ ବ୍ରତରେ ସ୍ୱାମୀଙ୍କର ଶୁଭ ମନାସି ଠାକୁରଙ୍କ ମାଗିଲା । ହେ ପ୍ରଭୁ ! ଜୀବନର ସୁଖ ବୋଲି କିଛି ଜାଣିଲି ନାହିଁ । ପିଲାଦିନୁ ମାଆ ଛେଉଣ୍ଡର କଷ୍ଟ । ବିବାହ କଲି ପତି ବିଚ୍ଛେଦର କଷ୍ଟ । ଜୀବନ ସାରା କିଛି ମାଗି ନାହିଁ । ସମସ୍ତ କଷ୍ଟକୁ ସହ୍ଯ କରି ଚାଲିଛି । ଯେତେବେଳେ ସେ ମୋ ନିକଟକୁ ଫେରି ଆସିଛନ୍ତି। ସେ ସମୟରେ ମୋ ଠାରୁ ଛଡାଇ ନିଅ ନାହିଁ। ଶେଷରେ ଆଜିର ଦିନରେ ଏତିକି ପ୍ରାର୍ଥନା ତାଙ୍କୁ ଏ ରୋଗରୁ ଭଲ କରାଇ ଦିଅ । ମେଡିକାଲରୁ ଖବର ଆସିଲା କୈଳାସ ସୁସ୍ଥ ହେବାକୁ ଯାଉଛନ୍ତି । ତିତିକ୍ଷାରେ ହେଉ କି ପ୍ରତୀକ୍ଷାରେ ହେଉ କାହିଁକି କେଜାଣି କାଞ୍ଚନ ଆଖି ଓଦା ହୋଇ ଆସୁଥାଏ । ମୁଁ ମନେ ମନେ ଭାବୁଥାଏ ସ୍ରଷ୍ଟା କିଛି ଫୁଲ ସୃଷ୍ଟି କରିଛନ୍ତି ନିଜର ଗୁଣ ବିକଶିତ କରିବାକୁ । ତାର କୋମଳତାର ସ୍ନିଗ୍ଧତାରେ ସୃଷ୍ଟିର କାରୁଣ୍ୟତା ଧୋଇବାକୁ । ତା ରଙ୍ଗର ଔଜଲତାରେ ଶାନ୍ତି ପ୍ରୀତିର ବନ୍ୟା ଛୁଟାଇବାକୁ । ରାତିରେ ଫୁଟି ସକାଳେ ଦେବ ଅର୍ପିତ ହେବାରେ ସମସ୍ତ ସାର୍ଥକତା ନ ଥାଏ । ଥାଏ କିଛି ତା ସ୍ନିଗ୍ଧତାରେ । ଆଉ କିଛି ତା ଜାଜ୍ଜ୍ୱଲ୍ୟତାରେ । ସୁରଭିତ ବିଚ୍ଛୁରଣରେ ।



Rate this content
Log in

Similar oriya story from Romance