Lalita Mohan Mishra

Children Stories Horror Romance

4.2  

Lalita Mohan Mishra

Children Stories Horror Romance

ଅସ୍ତ ସୂର୍ଯ୍ୟର ଶେଷ ରଶ୍ମୀ

ଅସ୍ତ ସୂର୍ଯ୍ୟର ଶେଷ ରଶ୍ମୀ

9 mins
260



ଭୁବନେଶ୍ବରୁ ସରକାରୀ କାର୍ଯ୍ୟରେ ଚନ୍ଦ୍ରଗିରି ଦଶ ଦିନ ପାଇଁ ଆସିଛି । ଏଠାକାର ଆଦିବାସୀ ମାନଙ୍କ ଜୀବନ ଶୈଳୀ, ଚାଷ ବାସ, ରୋଜଗାର ଅଭାବ ଅସୁବିଧା ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ସର୍ଭେ କରିବାକୁ ସରକାରଙ୍କ ନିର୍ଦ୍ଦେଶ । ପ୍ରେମ ପ୍ଲାନ୍ ରେ ରହିବାର ଆଗରୁ ବନ୍ଦୋବସ୍ତ ହୋଇଛି । ଡ୍ରାଇଭର ସନ୍ଧ୍ୟା ପୂର୍ବରୁ ମୋତେ ଛାଡ଼ି ପଳାଇ ଗଲାଣି । ପରିବେଶ ଅତ୍ୟନ୍ତ ମନୋରମ । ସବୁଜିମା ଭରା ପରିବେଶ । ରବର ଗଛ, କରମଙ୍ଗା, ଗୋଲମରିଚ, ଲବଙ୍ଗ ବୃକ୍ଷ ଗୁଡିକ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି । ରେଷ୍ଟୁରାଣ୍ଟ ଠାରୁ କିଛି ଦୂର ଉପର ମହଲାରେ ମୋତେ ରୁମ୍ ଟିଏ ଦେଇଛନ୍ତି । ଚଟାଣ ଉପରେ ଧୀରେ ଧୀରେ ପଦଚାରଣ କରୁଥିଲେ ଅମ୍ଲାନ । ଦିନର କ୍ଳାନ୍ତି ଓ ଅବସାଦକୁ ବିସ୍ମରଣ କରିବା ପାଇଁ । ଦିନ ଗୋଟିକର ଅଦ୍ଭାବ ଅସୁବିଧା ଲୋକ ମାନଙ୍କ ସମସ୍ୟା ଶୁଣି ଶୁଣି ମନଟି ତିକ୍ତତାରେ ଭରି ରହିଛି । ପ୍ରତ୍ୟେକଙ୍କର କିଛି ନା କିଛି ଅଭଯୋଗ ସେ ଶୁଣିଛନ୍ତି । ତାଙ୍କୁ ଶୁଣିବାକୁ ହେବ ନିଶ୍ଚୟ । ସରକାରଙ୍କ କାର୍ଯ୍ୟ । ଆଦିବାସୀଙ୍କ ବିକାଶ ଆହୁରି କିପରି ହେବ, ସେ ଉପରେ ତର୍ଜମା । 

ଚାରି ଛଅ ଗୋଟି ଦେବଦାରୁ ଗଛ । ତାର ପାଖକୁ ବଉଳଗଛର ପରିବେଷ୍ଟନୀ ମଧ୍ୟରେ ଦ୍ଵିତଳ ପ୍ରାସାଦଟି । ଆଗରେ ଚଉରାଟିଏ । ତୁଳସୀ ଗଛଟି ବୋଧହୁଏ ଅନେକ ଦିନରୁ ମରି ଯାଇଛି । ତା’ ଆଗକୁ କେତେ ଗୋଟି ସମାଧିପୀଠ । ଦୂରରେ କୁଳୁ କୁଳୁ ନାଦରେ ବହି ଯାଉଛି ଝରଣାଟିଏ । ତାର କୁଳ ବିସ୍ତୃତ ବାଲୁକା ପ୍ରାନ୍ତର ନିଜ ପ୍ରାଚୁର୍ଯ୍ୟର ପରିଚୟ ଦିଏ । ଜଳ ଓ ବାୟୁର ଘାତ ପ୍ରତିଘାତରେ ବିସ୍ତୃତ ଓ ସ୍ତୁପୀକୃତ । ସତେ ଲାଗେ ତାରି ଛାତି ଉପରେ ମୁଣ୍ଡଟେକି ଠିଆ ହୋଇଛି ଦ୍ବିତଳ ପ୍ରାସାଦଟି । ପ୍ରାଚୁର୍ଯ୍ୟ ମଧ୍ୟରେ ନିଜ ଦୈନ୍ୟର ପରିଚୟ ଦେଇ । ନିହାତି ଏକାକୀ—ନିହାତି ନିସଙ୍ଗ—ଜନବସତି ଠାରୁ କିଛି ଦୂରରେ । କାନ୍ଥର ଶ୍ବେତ ଆବରଣ, ଝରକା ଓ ପରାପେଟ୍ ପ୍ରଭୃତି ଝରି ପଡିଲାଣି ।

ସ୍ଥାନେ ସ୍ଥାନେ ବର୍ଷା ପାଣିର ଧାର ଛୁଟି ଶିଉଳୀର ଗୋଟିଏ ଗୋଟିଏ ନୀଳ ଆବରଣ ବସି ଯାଇଛି । ସଂଗ୍ରାମରେ କ୍ଷତ ବିକ୍ଷତ ପଙ୍ଗୁ ସୈନିକ ପରି ବିକୃତ । ପ୍ରକୃତିର ସଂଗ୍ରାମରେ ତାକୁ ହାରି ଯିବାକୁ ପଡିଛି । ଦୀର୍ଘ ଦିନ ଧରି ଗୃହଟି ନିର୍ଜନ ଓ ଅବ୍ୟବହୃତ । କିଏ ଏଠାରେ ବାସ କରୁଥୁଲେ ? ଏବଂ କେବେଠାରୁ ଏହା ନିର୍ଜନ ତାହା ଜାଣେନା । ଜାଣିବାର କୌଣସି ଅବକାଶ ପାଇ ପାରି ନାହିଁ ମଧ୍ୟ । ସେ ଏ ସ୍ଥାନରେ ଏକାନ୍ତ ନବାଗତ । ସମସ୍ତ ବିଷୟରେ ଅଜ୍ଞ । କେବଳ କାଗଜ ପତ୍ର ମଧ୍ୟରୁ ସେ ଏତିକି ମାତ୍ର ଅବିଷ୍କାର କରି ପାରିଛନ୍ତି ଯେ, ଏହାର ପ୍ରତିଷ୍ଠାତା ମୃତ ପରେଶ ସାମଲ । କିନ୍ତୁ ତାଙ୍କର କ'ଣ କେହି ନାହାଁନ୍ତି ଉତ୍ତରକାରୀ ? ଆଉ ଏପରି ଏକ ନିର୍ଜନ ସ୍ଥାନ । ବୋଧହୁଏ ସେ ନିର୍ଜନତା ପ୍ରିୟ ବ୍ୟକ୍ତିତ୍ବ ଥିଲେ ।


ଆଉ ବିଶେଷ କିଛି ଭାବିଲେନି ଅମ୍ଳାନ । ଭାବିବାର ଅବଶ୍ୟକତା ମଧ୍ୟ ସେତେ ଅନୁଭବ କରିପାରି ନାହାଁନ୍ତି । ସେ କେବେ ଭାବୁକ ନୁହଁନ୍ତି । କି କବି ବା ଲେଖକ ମଧ୍ୟ ନୁହଁନ୍ତି । ତାଙ୍କର ଜୀବନ ନିହାତି ନୀରସ, ଶୁଷ୍କ ଓ ଗଦ୍ୟ । ଜୀବନବ୍ୟାପୀ ସେ କେବଳ ସରକାରଙ୍କ ନୀତି ନିୟମରେ ଘାଣ୍ଟି ହୋଇ ଆସିଛନ୍ତି । ସେତକ ମାତ୍ର ହିଁ ତାଙ୍କର ଉପଭୋଗ୍ୟ ଉପଜୀବ୍ୟ । ଦିନଥିଲା, ସେତେବେଳର ଲୋକମାନେ ବିଳାସ ବ୍ୟସନ ମଧ୍ଯରେ ନିଜକୁ ହଜାଇ ଦେଉଥିଲେ । ନିର୍ଜନ ସ୍ଥାନରେ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରି ଅତ୍ଯାଚାରର ସଂଖ୍ୟା ବୃଦ୍ଧି କରୁଥିଲେ । ଏହା ହିଁ ସେତେବେଳର ଏକ ନିଦର୍ଶନ ମଧ୍ୟ ହୋଇ ପାରେ ? ମନୁଷ୍ୟ ଯେତେବେଳେ ପ୍ରାଚୁର୍ଯ୍ୟ ମଧ୍ୟରେ ଜୀବନ ଅତିବାହିତ କରେ, ସେତେବେଳେ ସେ ଏହି ସମସ୍ତ ପନ୍ଥାକୁ ଶ୍ରେଷ୍ଠ ମନେ କରେ । କିନ୍ତୁ ଆଜିକାଲି ସେସବୁ ପ୍ରଥା ଉଚ୍ଛେଦ ହେଲାଣି । ବିଳାସ ବ୍ୟସନ ଉଚ୍ଚ ସମ୍ପନ୍ନ ବ୍ୟକ୍ତିତ୍ବ ମାନେ ନିଜର କ୍ଷମତା ଓ ପ୍ରତିପତ୍ତ ହରେଇଲେଣି । ସରକାର ଆଜି ନିଜେ ସବୁକିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଜନ ସାଧାରଣଙ୍କ ସୁଖ ସୁବିଧା ବିକାଶ ନିମିତ୍ତ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ଆଉ ନିଜେ ହିଁ ସରକାରଙ୍କର ପ୍ରତିନିଧି ଭାବରେ ଆମେ ଏ ଅଞ୍ଚଳର ଅଧିକା‍ରୀ । ଆମେ ସରକାରଙ୍କ ପ୍ରତିନିଧି ଭାବରେ ଲୋକମାନଙ୍କ ଅଭାବ ଅଭିଯୋଗକୁ ଶୁଣିବାକୁ ପଡ଼ୁଛି । ସେ ସବୁ ଶୁଣି ଶୁଣି ବ୍ୟସ୍ତ ହେବାକୁ ପଡ଼ୁଛି । କିନ୍ତୁ ଲୋକଙ୍କ ସମସ୍ୟା ଓ ଅଭିଯୋଗର ଫର୍ଦ୍ଦ ଶେଷ ହେଉ ନାହଁ । ଏହି ପ୍ରାସାଦରେ ସେତେବେଳର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଆସିଲେ ମାସ ମାସ ଏଠାରେ ରୁହନ୍ତି । ଏବେ ଏସବୁ ଅଞ୍ଚଳର ଭାଗ୍ୟ ବଦଳିଛି । ନୂତନ ସଂସ୍କାର ଆସିଛି । ପରିବର୍ତ୍ତନର ସୁଅ ଛୁଟିଛି ।


ବାସ୍ତବିକ୍ ସେତେବେଳକୁ ଆଉ ଆଜିକୁ ଦେଖିଲେ ଲାଗୁଛି ବିରାଟ ପରିବର୍ତ୍ତନ ! ସେହି ଲୋକ: ·· ସେହି ଅବସ୍ଥା • • • • • • ସେହି ଦେଶ... ସବୁ ସେହିପର ଅଛି । କେବଳ ଗୋଟିଏ ରୁପ, ଅନ୍ୟ ରୂପରେ ରୂପାନ୍ତରିତ ହୋଇଯାଇଛି । ସେତେବେଳର ଲୋକମାନଙ୍କୁ ସବୁ ଅତି ସୁବିଧାରେ ଯୋଗାଇ ଦିଆଯାଉଥିଲା । ସେଥିରେ କିଏ ପାଇଲା, କିଏ ନ ପାଇଲା ଗୁରୁତ୍ବ ନ ଥିଲା । କିନ୍ତୁ ଆଜିକାଲି ସିସିଟିଭି ଇଣ୍ଟରନେଟ ଯୁଗ । ସବୁ ଫଟୋ ଭିଡିଓ ମାଧ୍ୟମରେ ଜଣା ପଡି ଯାଉଛି । କେତେ କାମ କରିଛ ଫଟୋ, ଲୋକଙ୍କ ଦସ୍ତଖତ ଭିଡିଓ ଫଟୋ ସହିତ ପଠାଇବାର ଅଛି । ରାତ୍ରୀ ହୋଇ ଆସୁଥିଲେ ମଧ୍ୟ କାନ୍ତି ନାହିଁ, ଅବସାଦ ନାହିଁ । 


ଦିଗ୍ ବଳୟ ତଳେ ଅସ୍ତ ସୂର୍ଯ୍ୟର ଶେଷ ରଶ୍ମୀ - ଦୂରରେ ଆବଦ୍ଧ ଜଳଭଣ୍ଡାର ଉପରେ ସ୍ବର୍ଣ୍ଣାଭ ପ୍ରତି ଫଳିତ ପ୍ରାସାଦ ଓ ଦେବଦାରୁ ବୃକ୍ଷମାଳାର ଅଗ୍ରଭାଗରେ ଖରା । 


ଅମ୍ଲାନ ପୂର୍ବ ପରି ପଦଚାରଣ କରୁଥିଲେ — ଡାକିଲେ ମାମାଲି ! 


ମାମାଲି ଏଠାକାର ପରିଚାରିକା । ମାମାଲି କାର୍ଯ୍ୟ କରିବାକୁ ଭିତରକୁ ଚାଲି ଯାଉଥିଲା ।


ଫେରିଆସି କହିଲା—“ବାବୁ ! “ ଜାଣୁ ମାମାଲି । ଏ ଘରଟାରେ କିଏ କେବେ ରହୁଥିଲେ କି ?”


ମାମାଲି ଟିକେ ନିରବ ରହିଲା । କିଛିକ୍ଷଣ ପରେ କହିବାକୁ ଆରମ୍ଭ କଲା—“ହଁ”—ବାବୁ । ଏ ଘରେ ଜଣେ ବଡ ବାବୁ ରହୁଥିଲେ -- ଖୁବ୍ ଭଲଲୋକ । ଏ ଅଞ୍ଚଳରେ ସମସ୍ତେ ତାଙ୍କୁ ଖୁବ୍ ସ୍ନେହ ଶ୍ରଦ୍ଧା ଓ ଭକ୍ତି କରୁଥିଲେ । ବୟସ ବିଶେଷ ନୁହେଁ । ତିରିଶି ପଞ୍ଚତିରିଶ ଭିତରେ । ଏଇଟା ତାଙ୍କର ବୈଠକ ଘର ଥିଲା । ଖୁବ୍ ବଡ ଖାନ୍ ଦାନି ବାବୁ ସେ । ଏ ଜାଗା କୁଅଡେ ତାଙ୍କୁ ଖୁବ୍ ଭଲ ଲଗୁଥୁଲା । ତେଣୁ ସେ ବରାବର ଏଠାରେ ଆସି ରହୁଥିଲେ । ସେତେବେଳେ ମୋ ମା’ ତାଙ୍କ ପାଖରେ କାମ କରୁଥିଲା । ଆଉ ମୋ ମା’ ର ମୃତ୍ଯୁ ପରେ ମୁଁ ତାର କାମକୁ ସମ୍ଭାଳିଲି । ଆଜି ପର୍ଯ୍ୟନ୍ତ କାମ କରି ଅସୁଥିଲି । ତା ପରେ... 


ଏତକ କହି ପୁଣି ନୀରବ ରହିଲା ସେ । ଯେପରି ସେ କିଛି କହିବାକୁ ଚେଷ୍ଟା କରି ମଧ୍ୟ କହି ପାରୁ ନ ଥିଲା । ଅମ୍ଳାନ ପଚାରିଲେ - ତା'’ପରେ କଣ ହେଲା· · ?


ସେ ପୁନଶ୍ଚ ଆରମ୍ଭ କଲା । ଖୁବ୍ ଆର୍ଦ୍ର କଣ୍ଠରେ କହିବାକୁ ଲାଗିଲା । ଦିନେ ହଠାତ୍ ପୋଲିସ୍ ଅସି ତାଙ୍କୁ ବାନ୍ଧି ନେଇଗଲେ । ସେ କୁଆଡ଼େ କୌଣସି ଦୂର୍ନୀତିରେ ଜଡିତ ଥିଲେ । ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ସେ ଗିରଫ ହେଲେ । ଅନେକ ଦିନ ତାଙ୍କୁ ଜେଲ୍ ରେ ରଖିଲେ । ତାଙ୍କ ଦେହ କ’ଣ ଖରାପ ହେଲା । ଆଉ ଦିନେ ଖବର ଅସିଲା ଯେ... 


ପୁଣି ସେ ନୀରବ ରହିଲା । ତାର କଣ୍ଠ ରୁଦ୍ଧ ହୋଇ ଆସୁଥିଲା। ତଥାପି ଅବଗୁଣ୍ଠନ ତଳେ ସେ ସମସ୍ତ କଥା ଗୋପନ ରଖିବାକୁ ଚେଷ୍ଟା କରୁଥିଲା । 


ଆଶ୍ଚର୍ଯ୍ୟ ହେଲେ ଅମ୍ଳାନ । ସରକାର ସେତେବେଳେ ଏହି ମାନଙ୍କୁ ହାତବାରିସୀ କରି ରଖିଥିଲେ । ତଥାପି ଜଣେ ସରକାରୀ କର୍ମଚାରୀ ନିଜର କର୍ତ୍ତବ୍ୟରେ ଅବହେଳା କଲେ । ଏଥିପାଇଁ ଏତେ ବଡ ଶାସ୍ତି ? ସରକାର ଏଥି ପ୍ରତି ଆଗରୁ ଦୃଷ୍ଟି ପାତ କଲେ ନାହିଁ କାହିଁକି ? ଯଦି ପୂର୍ବରୁ ତର୍ଜମା ହୋଇଥାନ୍ତା, ସେ କ'ଣ ଏତେ ଦୁର୍ନୀତି କରି ପାରି ଥାଆନ୍ତେ ? ସରକାରଙ୍କର ସ୍ଵେଚ୍ଛାଚାରିତା ବପକ୍ଷରେ ତାଙ୍କର ହୃଦୟ ବିଦ୍ରୋହୀ ହୋଇ ଉଠିଲା । 


‘‘ଆଛା’—ତାଙ୍କର କ’ଣ କିଛି ପିଲାଛୁଆ ନ ଥିଲେ•••?” “-ନା- ବାବୁ! ସେ ଅଦୌ ବିବାହ କରି ନ ଥିଲେ ….”


ଏତିକି କହି ମାମାଲି ଭିତରକୁ ଚାଲିଗଲା । ଓଃ, ତାହାହେଲେ ସେହି ଭଦ୍ରବ୍ୟକ୍ତି ହିଁ ପରେଶ ସାମଲ । ତାଙ୍କର ମୃତ୍ୟୁ ପରେ ଉତ୍ତରାଧିକାରୀ ଅଭାବରେ ଗୃହଟି ଅବ୍ୟବହୃତ ହୋଇ ପଡ଼ିଥିଲା । ଅଜି ପୁଣି କିଏ ଜଣେ ଦାୟିତ୍ବ ନେଇ ରକ୍ଷଣା ବେକ୍ଷଣ କରୁଛନ୍ତି । ପରେଶ ବାବୁଙ୍କ ପ୍ରତି ତାଙ୍କର ମସ୍ତକ ନଇଁ ଆସୁଥୁଲ । କିନ୍ତୁ ଏ ମାମାଲି କିଏ ? ଏ ଘରେ ପ୍ରଥମ କରି ହିଁ ମାମାଲିକୁ ଅଵିଷ୍କାର କରିଥିଲେ । ତା’ର ବ୍ୟବହାର ଓ କାର୍ଯ୍ୟ ଯୋଗୁଁ କିଏ ତାକୁ ଗୃହର ପରିଚାରିକା ରୂପେ ନିଯୁକ୍ତ କରିଥିଲେ ? ବାସ୍ତବିକ୍ ସେ ବି ଖୁବ୍ ବିଶ୍ବସ୍ତ ଓ କର୍ମନିଷ୍ଠ । କିନ୍ତୁ ସେ'ତ ଏ ଘରର ପ୍ରତ୍ୟେକ କୋଣ ସହିତ ପରିଚିତ । କାହିଁକି ସେ ଏ ଘରର ମୋହ ମମତା ତ୍ୟାଗ କରି ପାରିନାହିଁ ? ହଁ.... ବିଚାରି ଗୋଟିଏ ଅଶ୍ରା ଧରିଛି । ଯେତେ ହେଲେ ଦିନେ ସେ ଏ ଘରର ସେ ପରିଚାରିକା ଥିଲା । ପୂର୍ବର ଗୋଟାଏ ମୋହ ରହି ଯାଇଛି। ମାତ୍ର... ସମାଧିପୀଠ ଗୁଡ଼ିକ ନିକଟକୁ ଗଲେ ଅମ୍ଳାନ । ବଉଳ ଗଛ ମୂଳରେ ସମାଧି ଗୁଡ଼ିକ । କେତେ ଗୁଡିଏ ପ୍ରସ୍ତରର ସମଷ୍ଟି । କିନ୍ତୁ ତା ଭିତରେ ଭିତରେ ଲୁଚି ରହିଛି କେତେ ଅଭୁଲା ସ୍ମୃତି.... କେତେ କାରୁଣ୍ୟ ! 


ଝରା ବଉଳ ଫୁଲର ଗୋଟାଏ ଆସ୍ତରଣ ସମାଧି ଗୁଡ଼ିକ ଉପରେ ବଛାଡ଼ି ହୋଇ ପଡ଼ିଛି । ତା ସହିତ ବଉଳ ଫୁଲର ସୁଗନ୍ଧ । ସେମାନେ ମଧ୍ୟ ପ୍ରକୃତିର ଉପାୟନ ପାଇ ପାରୁଛନ୍ତି । ପାଖ ଦେବଦାରୁ ଗଛ ଉପରେ ବାଦୁଡ଼ି ଗୁଡ଼କ ଫଡ୍ ଫଡ଼ ହୋଇ, ଚକ୍ କର ମାରି ଘୁରି ବୁଲୁଛନ୍ତି । 


ହଠାତ୍ ନଇଁ ପଡ଼ିଲେ ଅମ୍ଳାନ । ଆଶ୍ଚର୍ଯ୍ୟରେ ତାଙ୍କର ଭ୍ରକୁଞ୍ଚିତ ହୋଇ ଉଠୁଥିଲା ଚକ୍ଷୁ । ଅର୍ଦ୍ଧ ଦଗ୍‌ଧ ସଂଜ ସଳିତା ! ଏ ପୁଣି ଏଠାକୁ ଅସିଲ କୁଆଡ଼ୁ ! କିଏ ବା ନିଜର ଏଠାରେ ନୈବେଦ୍ୟ ବାଢେ ! ପୁଣି ଗୋଟାଏ ସମାଧି ନିକଟରେ ? କାହିଁ ? ଅନ୍ୟ ସମାଧି ଗୁଡ଼ିକ ନିକଟରେ ତ କାହିଁ ନାହଁ ? ତେବେ ଏ ଗୋଟିକ ପାଖରେ କାହିଁକି ? ଗତ ରାତ୍ରିର ଘଟଣାଟି ମନେ ପଡ଼ି ଶିହରି ଉଠିଲେ ଅମ୍ଳାନ.... 


ରାତ୍ରିର ଉତ୍ତାପ ସାମାନ୍ଯ ବଢି ଯାଇଥିଲା । ଖୁବ ଗରମ ଲାଗୁଛି । କିପରି ଗୋଟାଏ ଅସ୍ବସ୍ତି ରେ ଶୋଇ ପାରୁ ନ ଥିଲେ ଅମ୍ଳାନ । ହଠାତ୍ ବାତାୟନ ଦେଇ କ'ଣ ଗୋଟାଏ ତା’ର ଦୃଷ୍ଟି ଆକର୍ଷଣ କଲା ? ଏକ ସ୍ତିମିତ ଅଲୋକ ଶିଖା । ଆଉ କିଏ ଯେପରି ଏହି ସମାଧି ନିକଟରେ ପ୍ରଣତି ବାଢି ଧୀରେ ଅପସରି ଗଲା । ଠିକ୍ ଏହି ବାଲୁକା ସ୍ତୁପ ମଧ୍ୟରେ..... କିନ୍ତୁ ସେ ବାତାୟନ ନିକଟରେ ପହଞ୍ଚିବା ପୂର୍ବରୁ ଅଶରିରୀ ଅନ୍ଧକାର ମଧ୍ୟରେ ମିଳାଇ ଯାଇଥିଲା - ଗୋଟିଏ କୃଷ୍ଣ ଛାୟାମୂର୍ତ୍ତି... ..


ମାମାଲି ନୈମିତ୍ତିକ କାର୍ଯ୍ୟ ଶେଷ କରି ଫେରି ଯାଇଥିଲା । ତା’ ଘର ନିକଟବର୍ତ୍ତୀ ଏହି ଗାଁ ରେ । ଅମ୍ଳାନ ଡାକିଲେ — ମାମାଲି ! “ବାବୁ !” ଅଛା — କହିପାରିବୁ ମାମାଲି । ଏଠାରେ ପ୍ରତିଦିନ ଅଧରାତିରେ ଆସି କିଏ ସନ୍ଧ୍ୟା ଦିଏ ? 


ମାମାଲିର ନେତ୍ର ଯୁଗଳ ଆଶ୍ଚର୍ଯ୍ଯର ଆଲେଖ୍ୟ ଫୁଟାଇ କହିଲା - ନା ବାବୁ... କେଉଁ କଥା କହୁଛନ୍ତି ? ‘ମୁଁ କିଛି ଜାଣେନା । ତେବେ ମୁଁ ଏତିକି ଜାଣେ ! କୁଆଡ଼େ ଏଠି ଯେଉଁ ବାବୁ ରହୁଥିଲେ, ସେ ଏହି ଗାଁର ଗୋଟିଏ ଝିଅକୁ ଖୁବ୍‌ ଭଲ ପାଉଥିଲେ । କିନ୍ତୁ ଗରିବ ବୋଲି ବିବାହ କରି ପାରି ନ ଥିଲେ । ବାବୁଟି ମରିଯିବା ପରେ ଝିଅଟି ପାଗଳୀ ହୋଇ କୁଆଡ଼େ ଚାଲିଗଲା । କିଏ କହେ ସେ ପାଣିକି ଡେଇଁ ପଡ଼ିଲା । କିଏ କିଏ କୁହନ୍ତି... ସେ ଏବେ ମଧ୍ୟ ବଞ୍ଚିଛି । ତେବେ ସେ ଆଉ ଏଠାକୁ କେବେ ଫେରିନି । କିନ୍ତୁ ଲୋକେ ଅନେକ ଥର ଦେଖିଛନ୍ତି ! ରାତ୍ରିରେ ଗୋଟାଏ କଳାଛାଇ ପରି ମୂର୍ତ୍ତିଟିଏ ସମାଧି ପାଖକୁ ଆସେ ! ସେଇଠି ଆଲୁଅ ଜାଳେ । ଅନେକ ଥର କାନ୍ଦୁ ଥିବାର ଲୋକେ ବି ଶୁଣିଛନ୍ତି । ଆଉ ତ କିଛି ମୁଁ ଜାଣିନାହିଁ ବାବୁ ” ! 


ଏତିକି କହି ସାରି ବିଦାୟ ନେଇଗଲା ମାମାଲି । ଓଟ ଭୂଜ ପରି ଠିଆ ହୋଇଥିବା ବାଲି ମଧ୍ୟରେ ଲୁଚି ରହିବା ପର୍ଯ୍ୟନ୍ତ ଚାହିଁ ରହିଲେ ଅମ୍ଳାନ ।


ବାସ୍ତବିକ୍ , ଏଇ ମାମାଲି ଖୁବ୍ ସୁନ୍ଦର ଝିଅଟିଏ । ଯୌବନ ଝଡ଼ି ଯାଇନି । ବର୍ତ୍ତମାନ ବିଦାୟ ନେବାକୁ ଆରମ୍ଭ କରି ଦେଇଛି ମାତ୍ର । ତଥାପି ଦୁଃଖାପ୍ଲୁତ ତାର ଜୀବନ ଓ ଯୌବନ । ବୈଧବ୍ୟ ମଧ୍ୟରେ ଜୀବନଟା ଉପଭୋଗ କରି ପାରି ନାହିଁ ଆଦୌ—ଅଭିଶପ୍ତ... 


ତା ସହିତ ଅମ୍ଳାନ ର ମନଟି ଦବି ଦବି ଯାଉଥିଲା । ଗତ ରାତ୍ରିର ଘଟଣା ତାକୁ ଆହୁରି ବିବ୍ରତ କରି ଦେଉଥିଲା । ଅସମ୍ଭବ ମଧ୍ୟ ନୁହେଁ । ଯେତେବେଳେ ଗୋଟିଏ ଆତ୍ମା ଅସନ୍ତୁଷ୍ଟ ଥାଏ— ସେତେବେଳେ ପୂର୍ଣ୍ଣତା ପ୍ରାପ୍ତି ପର୍ଯ୍ୟନ୍ତ ତାହା ଲକ୍ଷ୍ୟହୀନ ଭାବରେ ଘୁରି ବୁଲେ । ତା ସହିତ ଏ ନିର୍ଜ୍ଜନ ସ୍ଥାନ ! କିନ୍ତୁ କିନ୍ତୁ ପ୍ରେତ କ'ଣ ସନ୍ଧ୍ୟା ଦେଇପାରେ • • ? ? ?


“ବାବୁ ! ଚା' ଖାଇବେ ଅସନ୍ତୁ । ଅନେକ ବେଳୁ ତିଆରି ହେଲାଣି । ଥଣ୍ଡା ହୋଇଯିବ”’ । ପୁଜାରୀ ଆସି ଡାକିଲା... 


ସନ୍ଧ୍ୟା ; ହୋଇଗଲାଣି କେତେବେଳୁ । ପ୍ରେମ ପ୍ଲାନ୍ ର ବିଦ୍ୟୁତ୍ ଆଲୋକମାଳା ଓ ଉଚ୍ଚ ସ୍ତମ୍ଭ, ସମସ୍ତ ସନ୍ଧ୍ୟାର ଶ୍ୟାମଳିକା ମଧ୍ୟରେ ସିଲହୁଟ ଛବି ପରି ଦେଖା ଯାଉଛନ୍ତି । ନୀରବରେ ଫେରି ଆସିଲ ଅମ୍ଳାନ । ଘଟଣାଟା ତାଙ୍କୁ ବିବ୍ରତ କରି ଦେଉଥିଲା । ତଥାପି ସେ ନିଶ୍ଚୟ ଜାଣିବା ପାଇଁ ବ୍ୟତିବ୍ୟସ୍ତ ... 


ଅକାଶରେ ଚନ୍ଦ୍ର ଉଠିଛନ୍ତି । ନୀଳ ଚନ୍ଦ୍ର । ଇସ୍ କ ସୁନ୍ଦର ! ଗୁରିଆଡ଼େ ଖାଲି ମେଞ୍ଚା ମେଞ୍ଚା ନୀଳ ଜ୍ୟୋତ୍ସ୍ନା , ଝରି ଝରି ପଡ଼ୁଛି । ତା ତଳେ ସୁନ୍ଦର ନଦୀଟିଏ । ନୀଳ କାଚ ପର ପାଣି ଗୁଡ଼ାକ । ଗୋଟିଏ ଡଙ୍ଗା ଉପରେ ବସିଛନ୍ତ ସେ ଦୁହେଁ । ଯୁବକ ଓ ଯୁବତୀ । ଛୋଟ ଛୋଟ ଅସଂଖ୍ୟ ତରଙ୍ଗ ଛୋଟ ପାହାଡ଼ ପରି ସୃଷ୍ଟି ହୋଇ ପିଟି ଯାଉଛନ୍ତି । ହୃଲି ଡଙ୍ଗାଟି ଭାସିଚାଲିଛି ଧୀରେ ଧୀରେ.... 


ପବନ ବହୁଛି । ଖୁବ୍ ଧୀରେ ଧୀରେ । କିନ୍ତୁ ଯୁବତୀର ପରିଧାନକୁ ଅସଞ୍ଜତ କରି ଦେଉଛି । ଚାରିଆଡ଼େ ଅସଂଖ୍ୟ ଫୁଲର ଜୁଆର । କେତେ ରଙ୍ଗର ଫୁଲ । ଯୁବତୀଟି ଗୋଟିଏ ଫୁଲ ତୋଳି ଆଣିବାକୁ ହସ୍ତ ପ୍ରସାରଣ କରୁଛି । କିନ୍ତୁ ତୋଳି ଆଣି ପାରୁନି । ଯୁବକଟି ତୋଳି ଅଣୁଛି । ହସି ହସି ପ୍ରିୟାର ଗଭାରେ ଖୋସି ଦେଉଛି । ପୁଣି ଗୋଟିଏ ଅଣିବାକୁ ହାତ ବଢ଼ାଉଛି···


ଆଃ ! ଚିତ୍କାର କରି ଉଠିଲା ଯୁବତୀଟି ! ପ୍ରେମିକ ତାର କାହିଁ ? ଏଇତ ବର୍ତ୍ତମାନ, ଏଇଠି ଥିଲା ! ମଗରଟା ଭିଡି ଭିଡି ତାଙ୍କୁ ନେଇ ଯାଉଛି, ଅତଳ ପାଣି ମଧ୍ୟକୁ । ସେ ମୁକ୍ତି ପାଇଁ ଚେଷ୍ଟା କରୁଛି । ନା... ସେ ଆଉ ଅସି ପାରିବନି । ଅତଳତଳ ମଧ୍ୟକୁ ଡେଇଁ ପଡୁଛି, ଯୁବତୀଟି... ଯୁବତୀର ଗଭାର ଫୁଲ ଖସିଯାଇ ପୁଣି ନାଡ଼ ସହିତ ସଂଯୋଗ ଘଟିଛି । ଯୁବକ ଫେରି ଆସିଛି । ଗୋଟାଏ ସୁନ୍ଦର ଅଶ୍ବ ଉପରେ । ଯୁବତୀକୁ ବସାଇ ଅଶ୍ବ ଚାଲିଛି । ଉଡି ଯାଉଛି ଅଶ୍ବଟି ଶୂନ୍ୟରେ... ଇସ୍ ! ହଠାତ୍ ଯୁବତୀଟି ଖସି ପଡ଼ୁଛି ପୁଣି ଢଳ ମଧ୍ୟରେ.... 


ଚିତ୍କାର କରି ଉଠିଲେ ଅମ୍ଳାନ ? ଛାତିଟା ତାଙ୍କର ଖୁବ୍ ଜୋର୍ ରେ ଥରୁଛି । ଇସ୍..... କି ଖରପ ସ୍ବପ୍ନ । କାହିଁକି ସେ ଏପରି ଭୟଙ୍କର ସ୍ବପ୍ନ ଦେଖିଲେ ସତେ ? ନା... ସେ ଆଉ ଏଠାରେ ରହିବେ ନାହିଁ ? ଯେତେ ଶୀଘ୍ର ହୋଇ ପାରେ ? ଏଠାରୁ ଚାଲି ଯିବାକୁ ହେବ । ନିହାତି ଗୋଟିଏ ଭୟାନକ ସ୍ଥାନ ! ଶୋଷରେ କଣ୍ଠ ଶୁଖି ଶୁଖି ଅସୁଛି । ଭରି ଗରମ ଲାଗୁଛି । 


ଝରକାଟି ଖୋଲିଦେଲେ ଅମ୍ଳାନ । କାନ୍ଥ ଘଣ୍ଟାରେ ବାଜିଲା ଦୁଇ...... ହଠାତ୍ ଚମକ ପଡ଼ିଲେ.... ଏଁ..... ଏ କ'ଣ ? ଏ କିଏ ? ସମାଧି ନିକଟରେ ଏକ ସ୍ତମିତ ଅଲୋକ ଶିଖା ପବନର ଅଘାତରେ ଅଶାନ୍ତ ହୋଇ ଉଠୁଛୁ । ଆଉ ତା ନିକଟରେ ପ୍ରଣତ ଏକ କୃଷ୍ଣମୂର୍ତ୍ତି ! 


ତାଙ୍କର ହୃତ୍ ସ୍ପନ୍ଦନ ଯଥେଷ୍ଟ ବଢ଼ିଗଲା । ନା.... ତଥାପି ତାକୁ ଅନୁସନ୍ଧାନ କରିବାକୁ ହେବ । ସାହସ ସଞ୍ଚୟ କଲେ ଅମ୍ଳାନ । ହାତରେ ଲମ୍ବା ଟର୍ଚ୍ଚ ଲାଇଟ୍ ଓ ଛୋଟିଆ ପିସ୍ତଲ । ଶିଡିରେ କ୍ଷିପ୍ରଗତିରେ ତଳକୁ ଓହ୍ଲାଇଗଲେ ଅମ୍ଳାନ – ଛାୟାମୂର୍ତ୍ତିଟି ସେହିପରି ପ୍ରଣତ । ସ୍ତମିତ ଅଲୋକ ଶିଖା.... । ଟର୍ଚ୍ଚର ଶକ୍ତିଶାଳୀ ଶୁଭ୍ର , ଅଲୋକ ଧୂମକେତୁର ପୁଚ୍ଛ ପରି ଲମ୍ବି ଗଲା ଆଗକୁ... 


ଛାୟାମୂର୍ତ୍ତିଟି କ୍ଷିପ୍ରଗତିରେ ଅପସରି ଯିବାକୁ ଚେଷ୍ଟା କଲା । ଟ୍ରିଗାର ଉପରେ ଅମ୍ଳାନଙ୍କ ହସ୍ତ ସକ୍ରିୟ ହୋଇ ଉଠିଲା.... ବାଲୁକା ସ୍ତୂପ ମଧ୍ୟରୁ ଏକ କରୁଣ ଚିତ୍କାର ଭାସି ଆସିଲା ।


ଆଗେଇ ଗଲେ ଅମ୍ଳାନ ? ଟର୍ଚ୍ଚର ଶୁଭ୍ର ଆଲୋକରେ ଚିତ୍କାର କରି ଉଠିଲା—‘ମାମାଲି’ ? ମାମାଲିର ଅଙ୍ଗଲତା ବାଲୁକା ଶଯ୍ୟା ଉପରେ ଢଳି ପଡ଼ିଥିଲା—ମାମାଲି ଆଉ ନ ଥିଲା—ଅଳ୍ପ ଦୂରରେ ଛିଟିକି ପଡିଥିଲା ତା’ର ଉପାୟନର ଅଧାର—କ୍ଷୁଦ୍ର ଦୀପଟି •••


ଅମ୍ଳାନର ଚକ୍ଷୁରୁ ବୋହି ଆସୁଥିଲା ଧାର ଧାର ଅଶ୍ରୁ — ହାୟ ହତଭାଗିନୀ । ପ୍ରେମିକାକୁ ହରାଇ ମଧ୍ୟ ଶେଷ ନୈବେଦ୍ୟ ମନଭରି ଦେଇ ପାରିଲା ନାହିଁ ••’’


ସମାଧି ନିକଟରେ ସ୍ତମିତ ଅଲୋକ ଶିଖା ଲିଭି ଯାଇଥିଲା... ସେତେବେଳେକୁ... । ସୂର୍ଯ୍ୟ ଅସ୍ତ ହୋଇ ଯାଇଥିଲେ, ସେ ବି ଅସ୍ତ ହୋଇଗଲା ଶେଷ ରଶ୍ମି ହୋଇ.....



Rate this content
Log in