Bibhu Samanta

Romance Others

2.5  

Bibhu Samanta

Romance Others

କିଛି ଲୁହ ପି ଯାଏ ଓଠ

କିଛି ଲୁହ ପି ଯାଏ ଓଠ

7 mins
359



"ହେଇ, ରୁଚି ! ଯିବୁନି କି ଛୁଟି ବେଲ୍ ବାଜି ସାରିଲାଣି। ତୁ କଣ ବ୍ୟାଗ୍ ସଜାଡିନୁ? ଆଜି କଣ ଏଇ କ୍ଲାସରୁମ୍ ରେ ରହିବୁ ନା କଣ? ଭଲ, ରହ ଏଠି ଯୋଉ ଭୁତୁଣୀ ଅଛି ତାକୁ ସାଙ୍ଗ ମିଳିଯିବ।" ମୁଁ ତାକୁ ଚିଡ଼େଇବାକୁ କହିଲି। ଆଉ ତା ବହି ପତ୍ର ସଜାଡ଼ିବାକୁ ଲାଗିଲି। ସେ ମୋତେ ବଡ଼ ବଡ଼ ଆଖିରେ ଅନେଇ କହିଲା ଆଜି ଦେଖିଲୁ, "ସେ କେମିତି ସଙ୍ଗୀତା ସାଙ୍ଗେ ହସି ହସି କଥା ହେଉଥିଲା? ଆଉ ସେ ଟୋକି ସେ ବି ପୁରା ଦମ୍ ରେ ଲାଗି ଯାଇଛି। 

କାହା କଥା କହୁଛୁ? ପ୍ରତୀକ କଥା?

ହଁ, ତୁ ଜମା ଜାଣିଥିବୁ କି? ତୁ ତ ସବୁ ଜାଣୁ । ଏତେ ଶୀଘ୍ର ଭୁଲିଗଲୁ। ତୁ ବି ସେ ଚୋର ପରିକା।

- "ନାଇଁ ରେ, କିଛି ବି ଭୁଲିନି ମୁଁ। ସେଦିନକୁ କେମିତି ଭୁଲିବି ମୁଁ। ମୋର ଠିକ୍ ମନେ ଅଛି। ଖେଳ ପିରିୟଡ଼୍ ଛୁଟି ହେଲା ପରେ ମୁଁ ତୋ ଇତିହାସ ଖାତାରେ ଉତ୍ତର ଲେଖୁଥିଲି। ଆଉ ତୁ ଏଠି ବକର ବକର ହେଉଥିଲୁ ମୋ ସାଙ୍ଗେ। ପ୍ରତୀକ ଆସି ତୋତେ "ଆଇ ଲଭ ଇଉ" କହିଥିଲା । ଲାଜରେ ଝାଉଁଳି ଯାଇଥିଲୁ ତୁ। ତୋ ଗୋରା ଗାଲ ଲାଲ୍ ପଡିଯାଇଥିଲା। ଆଖି ତଳକୁ କରି ଠିଆ ହେଲୁ ତୁ। କିଛି ଉତ୍ତର ନ ପାଇ ସେ ଚାଲିଗଲା। ଆଉ ତୁ ସେଦିନ ଘରକୁ ଫେରିବା ରାସ୍ତା ସାରା ଖାଲି ତାରି କଥା ପଚାରି ଚାଲିଥିଲୁ। ଘରେ, ଟିଉସନ ରେ ତାରି କଥା। ଦିନେ ଦେଖିଲି ତୋ ଖାତାରେ ତା ନାଁ। ଜାଣିଗଲି ତୋ ମନ କଥା। ଠିକ୍ ସପ୍ତାହେ ପରେ ପୁଣି ଆସି ସେ ପଚାରିଲା ସେଇ କଥା। ଏଥର ତୁ ମୁଣ୍ଡ ହଲେଇ ହଁ କଲୁ।"

କହିଲା ବେଳେ ଅନେକ କଥା ରହିଯାଏ ମନ ତଳେ। ଧକ ଧକ ହେଉଥିବା ଛାତି ତଳୁ ଅଳ୍ପ କିଛି ବାହାରି ଆସେ ଆଉ ବାକି ଅଟକି ଯାଏ ତଣ୍ଟି ପାଖେ। ଖୁବ୍ କଷ୍ଟ ହୁଏ ସେତେବେଳେ। ମୋର ବି ସେଇ ଅବସ୍ଥା। 

ଯୋଉ କଥା ମୁଁ ତାକୁ କହିବାକୁ ଅନେକ ବର୍ଷ ଲାଗିଗଲା,ସେ କଥା ଆଉ ଜଣେ ଏତେ ସହଜରେ କେମିତି କହିପରିଲା। ମୋ ଭିତରେ କେହି ଜଣେ ଗାଉଥିଲା " ଆଲୋ, ମୋର କଣ୍ଢେଇ, ମତେ ଦେଲୁ ଭଣ୍ଡେଇ"

 ମୁଁ ନୀରବ ରହିବା ଦେଖି ରୁଚି କହିଲା,

-"ତା ପରେ ଜୀବନଟା କେମିତି ଗୋଲାପ ପରି ଲାଗିଲା। ପ୍ରତୀକ ର ପ୍ରତୀକ ମୋ ଛାତି ଭିତରେ ଛାପି ହୋଇ ରହିଗଲା। ମନ ହୁଏ ତା ସଙ୍ଗେ ଦିନରାତି ଗପିବି।ଆଉ କିଏ ତାକୁ ଦେଖିଲେ କି ସେ କାହାକୁ ଦେଖିଲେ ଦେହ ସହେନି ମୋର। ତୁ ଜାଣୁ ମୁଁ ସେମିତି ନୁହେଁ। ତଥାପି ମୋ ଭିତରେ ଏ ପରିବର୍ତ୍ତନକୁ ମୁଁ କାହିଁ ଗ୍ରହଣ କରିପାରୁନି?

ମୁଁ ଶୁଣି ପାରୁଥିଲି ତା ମନର ଧୂନ୍ କୁ, ସେଠି ଜଣେ ଗାଉଥିଲା, "ଏଇ ଝୁମା ଝୁମା ଗୋଲାପୀ ବେଳାରେ"

- "ତୁ ମିଛରେ ସେମିତି ହେଉଛୁ। ପ୍ରତୀକ ଖୁବ୍ ଭଲ ପିଲା। ତୋତେ ଖୁବ୍ ଭଲ ପାଏ। ନିଜ ଭଲପାଇବା ଉପରେ ଭରଷା ରଖ। ଦେଖିବୁ ସବୁ ଠିକ୍ ହେଇ ଯିବ। ତୁ ଆଉ ସେ ଗୋଟେ ସୁନ୍ଦର ସଂସାର କରିବ।"

-"ଆଛା, ମୁଁ ଯଦି ସଂସାର କରିବି। ଏଠି ଭୁତୁଣୀ ସାଙ୍ଗେ ସାଙ୍ଗ ହେବ କିଏ? ଆଉ ତୋ ପରି ଭୁତ ର ଭେଜା ଫ୍ରାଏ କରିବ କିଏ? "

ଏତିକି କହି ଗୋଟେ ଦେଲା ବିଧା ମୋ ପିଠିକୁ। ମୁଁ ଆଃ! କରି ବସି ପଡ଼ିଲି।

 ତା ମାନ ଅଭିମାନ, ହସ କାନ୍ଦ, ପ୍ରେମ ବିରହ ଭିତରେ ବୁଡ଼ିଗଲା ମୋ ନିରୀହ ଭଲ ପାଇବା ନାଆଟି କୋଉଠି। ଉତ୍ତର ଖୋଜିଛି , ପାଇନି। ସତ କଥା ହେଲା, ମୁଁ କେବେ ତାକୁ ମୋ ଭଲ ପାଇବା ରେ ବାନ୍ଧିବାକୁ ଚାହୁଁ ନଥିଲି। ମୁଁ ଚାହେଁ ସେ ଆଉ ମୁଁ ମୁକ୍ତ ଆକାଶରେ ଉଡ଼ିବୁଲୁ।ଏମିତି ଦିଗହରା ହୋଇ, ସର୍ତ୍ତହୀନ ଭାବେ। କିନ୍ତୁ ସେ ଚାହେଁ କାହା ଭଲ ପାଇବା ଭିତରେ ବାନ୍ଧି ହୋଇ ରହୁ। କେବଳ ତାରି ଭିତରେ ତା ଦୁନିଆ ସୀମିତ ହୋଇ ରହୁ। ବିନ୍ଦୁ ରେ ସିନ୍ଧୁ ର ଦର୍ଶନ ପରି। 

ଏମିତି କଲେଜ ସରିଗଲା, ମୁଁ ବ୍ୟସ୍ତ ରହିଲି ଜୀବିକା ସନ୍ଧାନରେ, ସେ ବୁଡି ରହିଲା ପ୍ରତୀକ ପ୍ରେମରେ। ୟା ଭିତରେ ଅନେକ ମତାନ୍ତର ମନୋମଳିନ୍ୟ ଆସିଛି, ମୁଁ ସେ ସବୁକୁ ସମାଧାନ କରେ। ପୁଣି ମିଶି ଯାଆନ୍ତି ସେମାନେ। ନିଜ ଦୁନିଆ ଭିତରେ। ଦିନେ ନିମନ୍ତ୍ରଣ ପତ୍ରଟେ ଧରି ଆସିଲା ସେ, ଅନେକ ଦିନ ଏମିତି ସମୟକୁ ଅପେକ୍ଷା କରିଥିଲି। ସେ ହସି ହସି କହିଲା "ଦେଖ୍, ତୋରି ପାଇଁ ମୁଁ ଆଜି ତା କଥାରେ ରାଜି ହୋଇ ଗଲି। ଆଉ ତୋରି ଭରଷାରେ ନୂଆ ଦୁନିଆଟେ ଆରମ୍ଭ କରିବାକୁ ଯାଉଛି। ସତ କହୁଛି, ତୋତେ ଛାଡ଼ି ଯିବାକୁ ମୋର ଟିକେ ବି ଇଛା ନାହିଁ। "

ମୁଁ ଚୁପ୍ ରହିଲି, ସେ କହିଲା, ତୁ କଣ କିଛି କହୁନୁ, ତୁ କଣ ଖୁସି ନୁହେଁ? ଗୋଟେ କ୍ରୁତିମ ହସ ଫୁଟେଇ ମୁଁ କହିଲି, "ତୋ ଖୁସିରେ ମୋ ଖୁସି। ପ୍ରତୀକ ଆଉ ତୋ ଯୋଡି ଖୁବ୍ ସୁନ୍ଦର। ପ୍ରତୀକ ତୋତେ ଖୁସିରେ ରଖିବ। ଦେଖିବୁ, ତୁ ଦିନ କେତେଟା ରେ ମୋତେ ବି ଭୁଲିଯିବୁ।" ସେ ମୋ ଆଖିକୁ ଦେଖୁଥିଲା, କିନ୍ତୁ ମୁଁ ଦେଖୁଥିଲି ତା ହାତରେ ଥିବା ସୁନା ମୁଦିକୁ। ସେ କହି ଚାଲିଲା ପ୍ରତୀକ କଥା, ତାଙ୍କର, ଏମିତି ଘର, ସେମିତି ଗାଡି, ଏଇ ସବୁ। ଯାହା ମୋ ମୁଣ୍ଡ ଉପର ଦେଇ ଚାଲି ଯାଉଥିଲା। ଇଛା ହେଉଥିଲା, ମୁଁ ସେଠାରୁ ପଳେଇ ଯାଇ କୁଆଡେ ଗୋଟେ ଭୋ ଭୋ ହୋଇ କାନ୍ଦିବି। ମନ ଭରି। କିନ୍ତୁ ପାରିଲିନି। ଅଗତ୍ୟା, ସେଇଠି ତାର ଅନାବଶ୍ୟକ ଭାଷଣ ଶୁଣିବାକୁ ପଡୁଥିଲା। ତା ହାତ ଧରି ପକେଇଲି, ସେ ଚୁପ୍ ହୋଇଗଲା। ମୁଁ ତା ଆଖିକୁ ଦେଖିଲି। ମୋ ମନ ଭିତରେ ପୁଣି ବେସୁରା ସ୍ବରରେ ଗାଉଥିଲା "ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଯିବ ନାହିଁ "। ଆଉ ତା ମନ ଭିତରେ ବୋଧେ ପ୍ରତୀକ ପାଇଁ, ଅନୁରାଧା ଗାଉଥିଲେ, "ତୁମେ ହିଁ ସ୍ୱର୍ଗ ମୋର ।"

 ସେ ଗଲା ପରେ,ସବୁ କଥା ପୁଣି ମନେ ପଡି ଯାଉଥିଲା। ସେଇ ଦୃଶ୍ୟ ସେଇ ସମୟ ସବୁ ଭିତରେ ମୁଁ ନିଜକୁ ରଖି ଭାବି ଚାଲିଲି। ମୋ ପରି ଦୁର୍ବଳ ପ୍ରେମିକ ଅଧିକା କଣ କରି ପାରେ ଯେ ? ବର୍ତ୍ତମାନ ଯନ୍ତ୍ରଣାର ଉପଶମ ଅତୀତରେ ଖୋଜେ। ମୁଁ ବା ବାଦ୍ ଯାଆନ୍ତି କେମିତି।

 କେଜାଣି କୋଉ ତିଥି ନକ୍ଷତ୍ରରେ ଦେଖା ହୋଇଥିଲା ରୁଚି ସହ ମୋର। ସେକଥା ମନେ ପଡେନି। କିଛି ଲୋକ ଜୀବନରେ ଏମିତି ଅପ୍ରତ୍ୟାଶିତ ଭାବେ ପଶି ଆସନ୍ତି, ଆଉ ଘର କରି ରହି ଯାଆନ୍ତି। ନୂଆ କରି ଆସିଥିଲେ ସେମାନେ ଆମ ସାମ୍ନା ଘରେ ରହିବାକୁ। ଆଉ ସେ ମୋରି ସ୍କୁଲରେ ନାଁ ଲେଖେଇ ଥିଲା। ମୋ ଶ୍ରେଣୀରେ। ସେ ଆଉ ମୁଁ ସାଙ୍ଗ ହୋଇ ସ୍କୁଲ ଯାଉ। ମାଉସୀ ଆମ ଦୁଇ ଜଣଙ୍କୁ ସମାନ ଟିଫିନ୍ କରିଦିଅନ୍ତି। କାଗଜଡଙ୍ଗା ଠୁ ନେଇ କଣ୍ଢେଇ ବାହାଘର ସବୁର ସାଥି ସେ। ସାଙ୍ଗ ହେଇ କାଟିଚୁ ଅନେକ ବର୍ଷ ଅନେକ ମୁହୂର୍ତ୍ତ। ସେ ମୁହୂର୍ତ୍ତକୁ ଚାପି ଧରି ଠିଆ ହେଇଛି ଭଗ୍ନ ସ୍ମୃତିସ୍ତୁପର ଗମ୍ବୁଜ ଉପରେ। ଦେଖୁଛି, ମୋ ସ୍ମୃତି ସବୁ ଭୂତକୋଠି ହୋଇ ଠିଆ ହୋଇଛନ୍ତି। ରାସ୍ତା ସବୁ ଝଡ଼ ପରର ନୀରବତାର ଚାଦର ତଳେ ସୋଇ ପଡିଛନ୍ତି। ପକ୍ଷୀ ସବୁ ଭଙ୍ଗା ଡାଳରେ ବସି,ତଳେ ପଡିଯାଇଥିବା ବସାକୁ ଦେଖୁଛନ୍ତି। ଏସବୁ କଣ ଏମିତି ଚାଲିବ? ଉତ୍ତର ଖୋଜୁଥିଲି ମୁଁ।

ଜଟିଳ ପ୍ରଶ୍ନର ଉତ୍ତର କଣ ସହଜରେ ମିଳିଯାଏ? ରୋମନ୍ଥନ କରିବାକୁ ହୁଏ। ସମୟ ଲାଗେ। ଆଉ ସମୟ ଏମିତି ଖସିଯାଏ ଚୋରାବାଲି ପରି। କେଜାଣି କେତେ ବର୍ଷ। ମୁଁ ଲାଗି ପଡିଥାଏ ମୋ ସାମ୍ରାଜ୍ୟକୁ ସଜାଡ଼ିବାରେ। ନୂଆ ନୁହେଁ, ପୁରୁଣା ମାନଙ୍କୁ ଘସି ମାଜି ସଜେଇବାରେ। ରୁଚି ଏବେ ସେ ସାମ୍ରାଜ୍ୟର ମୁଖଶାଳାରେ ଚିତ୍ରପଟ୍ଟ ଟିଏ, ଯାହାକୁ ଆଡେଇ ଯାଇ ହୁଏନି। ସତରେ କଳ୍ପନାର ସହର କେତେ ସରଳ ,ସୁନ୍ଦର ଆଉ ସହଜ ନୁହେଁ? 

ଦିନେ ପୁଣି ସେ ଆବିର୍ଭୂତା ହେଲା ମୋ ସାମ୍ନାରେ ପୁଣି ହାତରେ ଖଣ୍ଡେ କାଗଜ ଧରି। ଡିଭୋର୍ସ କାଗଜ। ମୋ ସମସ୍ତ ଆକଳନକୁ ଭୂଲ୍ ପ୍ରମାଣିତ କରି। ଏତେ ବର୍ଷ ଭିତରେ ମୁଁ ତା ସୁଖ ସୌଭାଗ୍ୟ ଛଡ଼ା ଅନ୍ୟ କିଛି କାମନା କରି ନାହିଁ। ଅବା ଅନ୍ୟ କିଛି କାମନା କରିବାକୁ ଭୁଲିଯାଇଛି ବୋଧେ। ଅନେକ ପରିବର୍ତ୍ତନ ତା ଠି। ମୁଁ ତାକୁ ସେମିତି ଅନେଇଥାଏ, ଖୋଜୁଥାଏ ତା ସିନ୍ଦୁର ଭିତରେ ମୋ ଭଲ ପାଇବାକୁ।ସେ ମୋ ସାମ୍ନାରେ ସାମାନ୍ୟ ଅନୁଚ୍ଚ ସ୍ୱରରେ କହିଲା, "ଅଭି, ଟିକେ ବସି ପାରିବି। ତୋ ସାଙ୍ଗେ କଥା ଥିଲା।" ତା ସ୍ୱରରେ ଆଗ ପରି ଚଞ୍ଚଳତା ନଥିଲା। ଥିଲା ଗାମ୍ଭିର୍ଯ୍ୟ।

 ମୁଁ କହିଲି, "ହଁ, ବସ, ତୁ କେବେ ଠୁ ଏମିତି ଅନୁମତି ନେବା ଆରମ୍ଭ କଲୁଣି। ମୋ କଥା ସତ ହେଲା, ଦେଖିଲୁ ତୁ ବଦଳି ଯାଇଛୁ।" ତା ଶୁଖିଲା ମୁହଁରେ ହସ ଫୁଟେଇବାକୁ କହିଲି। 

ସେ କହିଲା, "ସତ ଆଉ ତୁ? ତୁ ମିଛ ଛଡ଼ା କେବେ ସତ କହି ହିଁ ନାହୁଁ। ମୋତେ ଛାଡ, ତୁ ତ ଆଜି ଯାଏ ତୋ ନିଜକୁ ମିଛ କହି ଚାଲିଛୁ।"

- ମୁଁ କଣ ମିଛ କହିଛି ତୋତେ? 

- ପ୍ରତୀକ ଖୁବ୍ ଭଲ ପିଲା, ଖୁସିରେ ରଖିବ ମୋତେ। ବାହାଘର ପନ୍ଦର ଦିନ ପରେ ସବୁ ଭଲ ଗୁଡା ଜଣା ପଡିଗଲା ମୋତେ। ଏମିତି କୌଣସି ଖରାପ ନାହିଁ ଯାହା ସେ କରିନାହାନ୍ତି। ମୁଁ ପ୍ରତିବାଦ କଲି, ସୁଧାରିବାକୁ ଚେଷ୍ଟା କଲି। ପାରିଲିନି। ବୁଝିଗଲି, ସବୁ ଭଙ୍ଗା ଜିନିଷ ତିଆରି ହୁଏନି। କିଛି ଜିନିଷକୁ ଛାଡିବାକୁ ହୁଏ। ମୁଁ ବି ଛାଡି ଆସିଛି ସବୁ। ସେ ଚରିତ୍ର, ସେ ସମ୍ପର୍କ ଆଉ ସେ ଦୁନିଆ କୁ। ମୁଁ ଅଲଗା ହେଉଛି ତାଙ୍କ ଠୁ। ସାଙ୍ଗ ହୋଇ ଦୁଃଖରେ ଜୀଇଁବା ଅପେକ୍ଷା ଅଲଗା ହୋଇ ଖୁସିରେ ବଞ୍ଚିବା ଭଲ। 

- ତୁ କହିବୁ କଣ ହେଇଛି? 

- କଣ ଶୁଣିବୁ? ଏତିକି କହିବି, ସେ ମୋତେ ନେଇ ଖୁସି ନୁହେଁ। କଥା କଥାରେ ଗାଳି। ଅନେକ ଥର ମାଡ଼ ବି ଖାଇ ସାରିଲିଣି। ଯନ୍ତ୍ରଣା ବଢ଼ିବାରେ ଲାଗିଛି ଆଉ ଆଶା ମରି ବାରେ ଲାଗିଛି। ମୁଁ ସେ ସବୁରୁ ମୁକ୍ତି ଚାହେଁ।

- ଦେଖ୍, ରୁଚି! ବେଳେବେଳେ ଆମେ ଯାହା ଚାହୁଁ ତା ହୁଏନା। ସମୟର ଗତି ନିଆରା। ଆଜି ତୋ ବିପକ୍ଷରେ କାଲି ତୋ ସପକ୍ଷରେ, ଧୈର୍ଯ୍ୟ ଧରିବାକୁ ପଡେ। ଆମେ କାହାକୁ ପରିବର୍ତ୍ତନ କରିବା ଅପେକ୍ଷା ତାକୁ ସେମିତି ଆଦରି ନେଲେ ଭୂଲ୍ କଣ? କ୍ଷମା କରିଦେ ତାକୁ, ଅବା କ୍ଷମା ମାଗିନେ। ସବୁ ଠିକ୍ ହୋଇ ଯିବ। ଆଉ ଶୁଣ୍, ସୁତା କଟି ଯାଇଥିବା ଗୁଡି ମୁକ୍ତ ନୁହେଁ। କାରଣ ସେ ଖସି ପଡେ। ସୂତାରେ ବନ୍ଧା ଥିଲେ ସିନା ସେ ଆକାଶରେ ଉଡି ପାରେ। 

- ଗୋଟେ କଥା ପଚାରିବି? 

- ହଁ କହ, ମୋ ଖୋଲା ଆକାଶର ତୁ ପରା ଗୁଡି ଟିଏ। ଯାହାର ସୁତା ଆଉ କାହା ହାତରେ। ଏଠି ତୋତେ ପୂର୍ଣ୍ଣ ସ୍ୱାଧୀନତା, ଗୋଟେ ନୁହେଁ, ଶହେ କଥା ପଚାର୍, ଅନୁମତି ଦରକାର ନାହିଁ।

- ମୋ ଜାଗାରେ ଥିଲେ ତୁ କଣ କରିଥାନ୍ତୁ? କଣ ସାରା ଜୀବନ ସେଇ ନିନ୍ଦା ଅପବାଦ ସହି ରହି ଥାନ୍ତୁ?

ମୋତେ ଚମକାଇ ଦେଲା ପରି ତା ପ୍ରଶ୍ନ। ମୁଁ ଉତ୍ତର ଦେଲି, "ନା, କେବେ ନୁହେଁ। ମୁଁ କିଛି ବି କରି ନଥାନ୍ତି। ମୁଁ ପ୍ରତୀକ କୁ ଛାଡି ଦିଅନ୍ତି, କିନ୍ତୁ ଘରକୁ କୁ ଫେରି ନଥାନ୍ତି। ନିଜକୁ ସମୟ ଦିଅନ୍ତି। ନିଜ ଭିତରର ସବୁ ଗ୍ଲାନିକୁ ଆଧାର କରି ନୂଆ ସୃଜନୀଟେ ତିଆରି କରନ୍ତି।"

ଅନ୍ଧାର ଓହ୍ଲାଇ ଆସୁଥିଲା। ବାହାରେ ବୋଧେ ବର୍ଷା। ଓଢଣୀକୁ ଓଢଣା କରି , କ'ଣ ବୁଝିଲା କେଜାଣି, ଚୁପ୍ ଚାପ୍ ଚାଲି ଯାଉଥିଲା ରୁଚି ସେ ଘରୁ। ମୁଁ ପଚାରିଲି, "ତୁ କହିଲୁନି ତ, ମୁଁ ନିଜକୁ କଣ ମିଛ କହିଛି? "

ସେ ମୋତେ ସେମିତି ପଛ କରି ଉତ୍ତର ଦେଲା, "ଛାଡ଼୍, ତୁ ତ କହିଲୁ, ତୁ କିଛି କରି ନଥାନ୍ତୁ। ସତ କଥା ହେଲା,ତୁ କିଛି କରି ପାରିବୁନି,କିଛି କରିବା ପାଇଁ ହେଲେ ହଜାର କଥା ଭାବିବୁ।ଆଉ ସମୟ ପଳେଇ ଥିବ। ସେଦିନ ବି କିଛି କହି ପାରିଲୁନି। ଆଉ ଆଜି ବି। ଅନେକ କିଛି ହେଇ ପାରିଥାନ୍ତା ରେ! ହୁଏତ ଆଜି ମୁଁ ଏମିତି ନଥାନ୍ତି। ସେଇ କାନ୍ଥରେ ଆଉ ଗୋଟେ ଫୋଟୋ ହୋଇ ଝୁଲୁଥାନ୍ତେ ଆମେ। ଗୋଟେ ପ୍ରତିଶ୍ରୁତି ରେ ବାନ୍ଧି , ଗୋଟେ ଫ୍ରେମ ଭିତରେ ସାରା ଜୀବନ ପାଇଁ।

ସେ ଦେଖୁଥିଲା, ତାର ମୋର କାନ୍ଥରେ ଟଙ୍ଗା ହୋଇଥିବା ଫୋଟ ସବୁକୁ। ପିଲା ବେଳଠୁ କଲେଜ ବେଳ ଯାଏଁ। ଯାହାକୁ ମୁଁ ସଜେଇ ଥିଲି ମୋ ଘରେ। ଖାଲି ଫୋଟ ନୁହେଁ, ତା କାଳି ସାରିଯାଇଥିବା କଲମ, ତା ରଫ ଖାତା ବି ମୁଁ ସାଇତି ରଖିଛି ଆଜି ଯାଏ।

 ମୁଁ ଥିଲି ନିର୍ବାକ୍। ଏବେ ବି କେହି ଜଣେ ଗାଉଥିଲା, "ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ଯେବେ ଶୁଣେ...." ସେ ବୁଲି ଦେଖିଲା ମତେ, ଆଉ ମୁଁ ଦେଖୁଥିଲି ତା ଲୁହ ଟଳମଳ ଆଖି। ଜୀବନରେ ପ୍ରଥମ ଥର ତାକୁ କାନ୍ଦିବା ଦେଖି ମୋ ଆଖିରୁ ବି ଲୁହ ଝରିଗଲା ଅଜାଣତରେ । ତା ଲୁହ ସବୁ ଆଖିରୁ ଗାଲ ଦେଇ ବୋହି ଯାଉଥିଲେ ଅମାନିଆ ଭାବେ। ସେ ପଚାରୁଥିଲା, "କହ, ମୁଁ ଯଦି ତୋ ଆକାଶର ଗୁଡି, ଏ ଲୁହ ସବୁ କଣ? ମୋ ଭିତରେ କିଏ ଜଣେ କହୁଥିଲା,"ମୁଁ ଏମିତି ଲୁହ ଟୋପେ ତୋରି ଆଖିରୁ ....." ଦୂର ଦିଗବଳୟରେ ସୂର୍ଯ୍ୟ ଲୁଚିଯାଉଥିଲେ ଦରିଆ କୋଳରେ।


Rate this content
Log in

Similar oriya story from Romance