Sambit Srikumar

Romance Classics Inspirational

3.5  

Sambit Srikumar

Romance Classics Inspirational

କୌମାର୍ଯ୍ୟ

କୌମାର୍ଯ୍ୟ

2 mins
416



ସେଦିନ ଆକାଶରେ ମେଘ ଥିଲା। ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ବହୁଥିଲା। ଥିଲା ବି ଭସା ଭସା ବାଦଲ। ହଷ୍ଟେଲ ରୁମରେ ଥାଇ ଏକାନ୍ତରେ ଲାପଟପରୁ ମୁଁ ଶୁଣୁଥିଲି "ମାୟା ଦର୍ପଣ", ଓଃ କି ସୁନ୍ଦର ସୁମଧୁର ମନୋହର ସଙ୍ଗୀତ! ପ୍ରେମିକ କବି ମାୟାଧର ମାନସିଂହଙ୍କ ମୁଁ ଗୁଣମୁଗ୍ଧ ପ୍ରଶଂସକ। ନିଶଙ୍କ ନିଡର ଭାବର କାଳଜୟୀ କବିତାକୁ ସଂଗୀତରେ ରୂପାୟନ କରାଯାଇଛି ବେଶ୍ ଯତ୍ନର ସହିତ! ତାରୁଣ୍ୟର ଉଦ୍ଧାମତା ସହ ସମର୍ପଣ ଭାବ! ପ୍ରେମ କରିବା ପାଇଁ ଆଉ କଣ ଲୋଡ଼ା? ତଲ୍ଲୀନ ପ୍ରାୟ ହୋଇଯାଇଥିଲି ସଙ୍ଗୀତରେ। ମୋର ଧ୍ୟାନ ଭଗ୍ନ ହେଲା ମୋବାଇଲର ରିଙ୍ଗରେ।

ଫୋନ୍ ସ୍କ୍ରିନରେ ଚିତ୍ରାଙ୍ଗଦା ଚାଟ୍ଟାର୍ଜୀ! ମୋ ପ୍ରେୟସୀ! ବୟସର ଅଠରଟି ଫଗୁଣ ଅତିକ୍ରମ କରିସାରିଛି ସେ। ଗୌରାଙ୍ଗୀ, ତନ୍ବୀ, ମନଜିଣା ରୂପ ଲାବଣ୍ୟ! ଓଷ୍ଠଧାରରେ ସଦା ସ୍ମିତହାସ୍ୟ! ଈଶ୍ବରଙ୍କ ଫୁରୁସତ୍ ବେଳର ଅପରୂପା ସୃଷ୍ଟି! ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ଏମ୍.ବି.ଏ. ଆଡମିସନରୁ ଆମ୍ଭର ପହିଲି ଦେଖା ଆଉ ପହିଲି ଦେଖାରୁ ହିଁ ପ୍ରେମ! ପହିଲି ଦେଖାରେ ପ୍ରେମ ସମସ୍ତଙ୍କର ଭାଗ୍ୟରେ ଜୁଟେ ନାହିଁ।

ଫୋନରେ ଆମନ୍ତ୍ରଣ ନୈଶ୍ଯ ଭୋଜନର ପରିବାରବର୍ଗଙ୍କ ଅନୁପସ୍ଥିତିର ସୁବର୍ଣ୍ଣ ସୁଯୋଗର ସଦୁପଯୋଗ ନିମନ୍ତେ। ସେଇ ବହୁ ପ୍ରତିକ୍ଷିତ ମୁହୂର୍ତ୍ତକୁ ଚିର ସ୍ମରଣୀୟ କରି ଗଢିତୋଳିବାକୁ ବେନି ପ୍ରାଣୀଙ୍କ ଦୁର୍ବାର ପ୍ରୟାସ ଆଜି ବାସ୍ତବତାର ରୂପ ନେବାକୁ ଯାଉଛି। ସେହି ମୂହୁର୍ତ୍ତ ଯାହା ପ୍ରତିଟି ପ୍ରେମୀଯୁଗଳ ଚାତକ ପରି ଚାହିଁ ରହିଥାନ୍ତି! କିଏ ଜାହିର କରିଦିଏ ଏହି ଭାବନାକୁ ମୁକ୍ତ ଛନ୍ଦର କବିତା ପରି ଆଉ କିଏ ମନେ ମନେ ଇଚ୍ଛାକୁ ହତ୍ୟା କରୁଥାଏ ଅନବରତ ଭଦ୍ରତାର ମୁଖା ପିନ୍ଧି।

ମୁଁ ନିଜକୁ ଭାଗ୍ୟବାନ ମନେ କରି ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଥାଏ, ଏତେ ସହଜ ଓ ସହଳ ଏହି ସୁଯୋଗ ସୃଷ୍ଟି କରାଇଥିବାରୁ। କାଳ ବିଳମ୍ବ ନକରି ଦୃତପଦରେ ବାହାରି ଆସିଲି ମୁଁ ହଷ୍ଟେଲରୁ। ବାଣୀବିହାର ଛକ ପାରି ହେଲେ ଶହୀଦନଗର, ସେଇଠି ଚିତ୍ରାଙ୍ଗଦାର ଘର। ଘର ନୁହେଁ ତ ଏଇ ରାଜ ନଅର! ବିଶାଳକାୟ ପ୍ରାସାଦ, ସାମ୍ନାରେ ମୁଲାୟମ ଘାସର ସବୁଜ ଗାଲିଚା, ଚାରିକଡରେ ରଙ୍ଗ ବେରଙ୍ଗର ଫୁଲ ଗଛ ଘରର ଶୋଭା ବର୍ଦ୍ଧନ କରୁଥାନ୍ତି।

ମନରେ ମୋର ଯୁଗପତ୍ ଉତ୍କଣ୍ଠା ଓ ଭୟ ଜାତ ହେଉଥିଲା। ଝିପିଝିପି ବର୍ଷାରେ ମୁଁ ଭିଜି ଭିଜି ପାଦ ଚିପି ଚିତ୍ରାଙ୍ଗଦାର ଘର ଭିତରକୁ ଗଲି। ଏତେ ବଡ଼ ଘରଟିରେ ସେ ଏକଦମ୍ ଏକେଲା ଥିଲା। ମୋ ଆସିବାର ବହୁ ଆଗରୁ ସେ ସଜବାଜ ହୋଇ ଅପେକ୍ଷା କରି ରହିଥିଲା। ତାର କୋମଳ ବାହୁର ନିବିଡ ଆଲିଙ୍ଗନରେ ଯାବୋଡି ଧରିଲା ମୋତେ। ଆଙ୍କି ଦେଲା ଅଗଣିତ ଉଷ୍ମ ଚୁମ୍ବନ ଇତସ୍ତତଃ ଭାବେ ମୋର ଓଷ୍ଠ ଧାରରେ ଓ ଚିବୁକରେ! ଅଭୂତପୂର୍ବ ଅବର୍ଣ୍ଣନୀୟ ଆନନ୍ଦ ପ୍ରଦାୟକ ଅନୁଭୂତି!

ସହସା ଜାଗିଉଠିଲା ତନୁ ମନରେ ଆଦିମ ଅଭିପ୍ସା, ଯାହା ଆଦାମ ଇଭ୍ ଦିନେ ଅନୁଭବ କରିଥିଲେ ନିଷିଦ୍ଧ ଫଳ ଭକ୍ଷଣ କରି। ଧିରେ ଧିରେ ବାହାରେ ବଢୁଥିଲା ବର୍ଷାର ପ୍ରକୋପ ଆଉ ଆମ ଦୁହିଁଙ୍କ ଶରୀରର ଉତ୍ତାପ! ଖର ନିଃଶ୍ବାସ ପ୍ରଶ୍ବାସ ପ୍ରବାହିତ ହେଉଥିଲା। ଅଜଣା ଉତ୍ତେଜନାରେ ଶିହରି ଉଠୁଥିଲା ଦୁଇଟି ଦେହ!

ଆମେ ଦୁହେଁ ଏଇ ଖେଳରେ ଥିଲୁ ନବାଗତ। କେଜାଣି କାହିଁକି ଲାଗୁଥିଲା କରିଦେଇଛୁ କି କିଛି ପାପ। ମନଟା ଲାଗୁଥିଲା ଭାରାକ୍ରାନ୍ତ। ଅଚାନକ ଜାଗ୍ରତ ହେଲା ଦୁହିଁଙ୍କ ସୁପ୍ତ ପ୍ରାୟ ବିବେକ। ସତୀତ୍ବ କୌମାର୍ଯ୍ୟ ପାପ ପୁଣ୍ୟର ହିସାବ କିତାବରେ ବଳି ପଡ଼ିଗଲା ଆମର ଉଦ୍ଧାମ ତାରୁଣ୍ୟ। ବିବେକର ଦଂଶନରେ ଥଣ୍ଡା ପଡିଯାଇଥିଲା ସବୁ ଉତ୍ତାପ ଓ ଉତ୍କଣ୍ଠା।

ନୈଶ୍ଯ ଭୋଜନ କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରି ମୁଁ ଫେରିଆସିଲି ହଷ୍ଟେଲକୁ ବିଫଳ ମନୋରଥରେ। ଆଉ ବିରହିଣୀ ଚିତ୍ରାଙ୍ଗଦା ଅପଲକ ନୟନରେ ଚାହିଁ ରହିଥିଲା ଅତୃପ୍ତ କାମନା ନେଇ ମୋର ଫେରିବା ବାଟକୁ ସୁରକ୍ଷିତ କୌମାର୍ଯ୍ୟର ଅମୂଲ୍ୟ ସମ୍ପଦ ସହ। ସେଇ ଦିନଠୁ ଆମେ କେବେ ବି ଆଉ ଚେଷ୍ଟା କରିନାହୁଁ ଲଂଘିବାକୁ ସମ୍ପର୍କର ଲକ୍ଷ୍ମଣରେଖାକୁ ପୁଣି ଥରେ, ଯିଏ ଯାହା ବାଟରେ ଚାଲିଯାଇଛୁ ସମୟ ନଈର ସୁଅରେ ପାପ ପୂଣ୍ୟର ଦ୍ବାହି ଦେଇ। ଆଜିର ପରିଣତ ବୟସରେ ବେଳ ଅବେଳରେ ଗୁଞ୍ଜରିତ ହୁଏ ପଦଟିଏ,

"ଦେଲେ ଧରା କଥା ସରେ, ଥାଏ ମଜ୍ଜା ଦୂରେ ଦୂରେ!!"



Rate this content
Log in

Similar oriya story from Romance