କାବ୍ୟ ନାୟିକା
କାବ୍ୟ ନାୟିକା
ସମୁଦ୍ର ତଟରେ ସନ୍ଧ୍ୟା ନଇଁ ଆସୁଥାଏ I ଋତୁପ୍ରଭା ନିଜର ପାଦକୁ ପୁଣି ଥରେ ଝାଡ଼ି ଦେଲେ, ନୂପୁରର ପଶି ଯାଇଥିବା ବାଲିକୁ ବାହାର କରିବାକୁ I କିଛି ସମୟ ପରେ ପୁଣି ନୂପୁରର ଝଙ୍କାର ଜୀବିତ ହୋଇ ଉଠିଲା ବେଳା ଭୁଇଁରେ I ଅପରୂପା ଥିଲେ ରୁତୁପ୍ରଭା ଯାହାଙ୍କର ବିଷୟରେ ରାଜ୍ୟ ଆଉ ଆଖ ପାଖ ଅଞ୍ଚଳରେ ଚାରି ଆଡ଼େ ଚର୍ଚ୍ଚା ଲାଗି ରହିଥାଏ I ବ୍ରାହ୍ମଣ କନ୍ୟା ହେତୁ ସମସ୍ତେ ଦେଖି ପାରନ୍ତି କିନ୍ତୁ କାହାର ସାହସ ନ ଥାଏ କେବେ ଦୁଇ ପଦ କହି ଦେବାକୁ ତାଙ୍କୁ ତାଙ୍କର ରୂପକୁ ନେଇ I ଏମିତି କି ରାଜ କୁମାର ମଧ୍ୟ କୁଣ୍ଠିତ ବୋଧ କରୁଥିଲେ ତାଙ୍କୁ ସର୍ବଜନରେ କେବେ ପ୍ରଶଂସା କରିବାରେ I ରାଜ ପୁରୋହିତଙ୍କ କନ୍ୟା ସିଏ I କିଛି ଦୂରରେ ହେଉଥିବା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତଦାରଖ କରୁ ଥାଆନ୍ତି ତାଙ୍କର ପିତା I ଜ୍ଞାନୀ ଗୁଣି ପଣ୍ଡିତ ସିଏ, ତେଣୁ ମନ୍ଦିରର ବାସ୍ତୁ ଭିତ୍ତିକ ତ୍ରୁଟି ସବୁକୁ ଦୂର କରିବାର ଦାୟିତ୍ଵ ଭାର ରାଜା ତାଙ୍କୁ ସମର୍ପି ଦେଇଥିଲେ I ପ୍ରତିଦିନ ତାଙ୍କର ଆହାର ନେଇ ଆସନ୍ତି ରୁତୁପ୍ରଭା ଆଉ ସନ୍ଧ୍ୟା ସମୟରେ ବାପାଙ୍କ ସହିତ ଫେରି ଯାଆନ୍ତି ପୁଣି ନିଜ ଘରକୁ I ତେଣୁ ସାଗର କୂଳରେ କଟି ଥାଏ ତାଙ୍କର ଅପରାହ୍ନ ଗୁଡିକ I ଅନେକ ସମୟରେ ସିଏ ମୂର୍ତ୍ତି ଗଢ଼ା ହେବା ସ୍ଥାନରେ ଥାଇ ଦେଖୁଥାନ୍ତି କେମିତି ପଥର ଭିତରୁ ଜୀବନ୍ତ ହୋଇ ବାହାରି ଆସନ୍ତି, ହାତୀ, ଘୋଡା , ଭିନ୍ନ ଭିନ୍ନ ପକ୍ଷୀ , ଫୁଲ ଆଉ ସୁନ୍ଦର ସୁନ୍ଦର ଦେବୀ, ଦେବତା ଆଉ ଅପ୍ସରା ମାନେ I ଅପ୍ସରା ଗଢିବାରେ ନିପୁଣ ଥିଲେ ଜଣେ ଯୁବ କାରିଗର ଯାହାଙ୍କର ନାମ ଥିଲା ବିଦ୍ୟାଧର I କିନ୍ତୁ ନାମର ବିପରୀତ ସିଏ ଥିଲେ ନିରକ୍ଷର ଏବଂ ମୂକ I ବହୁତ କମ ମିଳାମିଶା ହୁଅନ୍ତି ଏବଂ ଅଧିକାଂଶ ସମୟରେ ନିଜର କାମରେ ନିମଗ୍ନ ରହି ଥାଆନ୍ତି I ତାଙ୍କର ସେହି ପ୍ରକୃତି ଯୋଗୁଁ, ଋତୁପ୍ରଭା ଅନେକ ସମୟ ତାଙ୍କର କାର୍ଯ୍ୟ ସ୍ଥଳୀରେ ମଧ୍ୟ କଟେଇ ଥାଆନ୍ତି I ନୂପୁରର ଶବ୍ଦ ଶୁଣି ବିଦ୍ୟାଧର ଚାହିଁଲେ ସେ ଆଡକୁ ଆଉ ଦେଖିଲେ ଋତୁପ୍ରଭାଙ୍କୁ I ଋତୁପ୍ରଭା ମଧ୍ୟ କ୍ଷଣକ ପାଇଁ ଅଟକିଗଲେ ନହୁଣୀର ଶବ୍ଦ ଶାନ୍ତ ପଡି ଯାଇଥିବାରୁ I ଫେରି ଚାହିଁଲେ ବିଦ୍ୟାଧରଙ୍କ ଆଡକୁ ଆଉ ଅଗ୍ରସର କଲେ ତାଙ୍କର ଗଢ଼ା ଚାଲିଥିବା ପ୍ରତିମାଟିକୁ ଦେଖିବା ଲାଗି I ତାଙ୍କୁ ନିଜ ଆଡକୁ ଆସୁଥିବା ଦେଖି ଲାଜେଇ ଗଲେ ବିଦ୍ୟାଧର, ଟିକିଏ ହସି ଦେଇ ପୁଣି ନିଜ କାମରେ ଲାଗି ଗଲେ I ଦେହରେ ତାଙ୍କର ତରୁଣ କାନ୍ତିର ପୁଲକ ଆଉ ଆଖିରେ ଯୌବନର ଅସୀମ ତୃଷା I ତଥାପି ତାଙ୍କର ଓଠରେ ଥିଲା ଏକ ମୌନତା I "କଣ ତୁମେ ମଧ୍ୟ ମୋତେ ଭୟ କରୁଛ କି?" ଋତୁପରଭା ପ୍ରଶ୍ନ କଲେ Iମୁଣ୍ଡ ହଲେଇ ମନା କଲେ ବିଦ୍ୟାଧର I କିନ୍ତୁ ତାଙ୍କର ରୋମ ରୋମ ପୁଲକିତ ହୋଇ ଉଠିଥିଲା ଋତୁପ୍ରଭାଙ୍କର ପାଟିରୁ କିଛି ପଦ ଶୁଣି I ରାଜା ପୁରୋହିତଙ୍କ ଝିଅ ହେଇଥିବାରୁ କାହାର ସାହସ ନ ଥାଏ ତାଙ୍କୁ କିଛି କହିବାକୁ ଯଦିଓ ଅନେକ ତାଙ୍କର ରୂପରେ ଗୁଣରେ ଆଉ ଚାଲିଚଳନରେ ଆକୃଷ୍ଟ ହୋଇ ଥାଆନ୍ତି I କିଛି ଯୁବକ ଅବଶ୍ୟ ସେ ଦୁଃସାହସ କରିଥିଲେ କିନ୍ତୁ ତାଙ୍କର ସେ ପଦକ୍ଷେପ ସାଜିଥିଲା ସେମାନଙ୍କର ଶିର ଛେଦର କାରଣ I ତେଣୁ ଅନେକ ଯୁବକ ରୁତୁପ୍ରଭାଙ୍କର ରୂପ ଗୁଣରେ ବିମୁଗ୍ଧ ହୋଇଥିଲେ ମଧ୍ୟ କେବେ କିଛି କହି ପାରୁ ନଥିଲେ I କହି ପାରୁଥିଲେ କେବଳ ଜଣେ, କବି ଶ୍ରୀଧର I ରାଜା କଳା ଆଉ ସାହିତ୍ୟର ପୂଜାରୀ ଥିଲେ I ତେଣୁ ଅଧିକାଂଶ ସମୟରେ କବି ସମ୍ମେଳନ ସବୁ ଆୟୋଜନ ହେଉଥିଲା I ଯୁବ କବି ଏବଂ ପ୍ରେମ କବି ଭାବରେ ବିଖ୍ୟାତ କବି ଶ୍ରୀଧରଙ୍କ ଲେଖନୀରୁ ଝରି ଯାଇଥିଲା ରୁତୁପ୍ରଭାଙ୍କ ବର୍ଣ୍ଣନା, ଏକ ଅପ୍ସରାର ଚରିତ୍ରରେ I କବି ଶ୍ରୀଧର ମଧ୍ୟ ବ୍ରାହ୍ମଣ ପରିବାରର ଏବଂ ଶିକ୍ଷିତ ତେଣୁ ସେ ଦୃଷ୍ଟିରୁ ମଧ୍ୟ ସିଏ ନିର୍ଭୟ ପାଇଥିଲେ I ଅନେକ ଥର ପରୋକ୍ଷ ଭାବରେ ରୁତୁପ୍ରଭାଙ୍କୁ ଜଣେଇ ଦେଇଥିଲେ ମଧ୍ୟ, ରୁତୁପ୍ରଭା ହିଁ ତାଙ୍କର କାବ୍ୟର ନାୟିକା ! କିନ୍ତୁ ରୁତୁପ୍ରଭାଙ୍କୁ କବି ଶ୍ରୀଧରଙ୍କ କବିତା ଠାରୁ ମୁର୍ତ୍ତିକାର ବିଦ୍ୟାଧରଙ୍କ କଳା ଅଧିକ ଆକୃଷ୍ଠ କରିଥିଲା !"ଏ ସବୁ ମୂର୍ତ୍ତି ତ ଟିକିଏ ଟିକିଏ ମୋ ଭଳି ଦିଶୁଛି, କିନ୍ତୁ ଏଗୁଡିକର ମୁଖ କାହିଁକି ଅସମାପ୍ତ ରଖିଛ ?" ଋତୁପ୍ରଭା ପ୍ରଶ୍ନ କଲେ, " କ'ଣ ମୃତ୍ୟୁକୁ ଭୟ କରୁଛ କି?" I ବିଦ୍ୟାଧର ପୁଣି ମୁଣ୍ଡ ହଲେଇ ମନା କଲେ ଏବଂ ନିଜର କାମରେ ଲାଗିଗଲେ I କିଛି ସମୟ ସେଠାରେ ବସି ତାଙ୍କର କାର୍ଯ୍ୟକୁ ଦେଖିଲା ପରେ ସନ୍ଧ୍ୟା ହୋଇଯିବାରୁ ଋତୁପ୍ରଭା ସେଠାରୁ ଚାଲିଗଲେ I
ଅଳ୍ପ ସମୟ ପରେ ସେଠାକୁ ଆଗମନ କଲେ ଶ୍ରୀଧର I ଭିନ୍ନ ଜାତିର ହେଲେ ମଧ୍ୟ ବିଦ୍ୟାଧର ତାଙ୍କର ଘନିଷ୍ଠ ମିତ୍ର I ପ୍ରତିଦିନ ସନ୍ଧ୍ୟାରେ ଆସି ସିଏ କିଛି ସମୟ ବିଦ୍ୟାଧରଙ୍କ ସହ ବସନ୍ତି ଆଉ ଦିନକର ଘଟଣାବଳୀ ସହ ନିଜର କିଛି କବିତତା ମଧ୍ୟ ଶୁଣାନ୍ତି I ବିଦ୍ୟାଧରଙ୍କ ଇଙ୍ଗୀତରେ ଭାବ ପ୍ରକାଶନକୁ ବୁଝି ପାରୁଥିବା ଅଳ୍ପ କେତେ ଜଣ ଲୋକଙ୍କ ମଧ୍ୟରେ ଥିଲେ ଶ୍ରୀଧର I ସେଦିନ ସଭାରେ ତାଙ୍କର କବିତା ବହୁତ ଆଦୃତ ହୋଇଥିଲା ଏବଂ ହୀରା ହାରଟିଏ ଉପହାର ମିଳିଥିଲା I "ମୋ ଠାରୁ ତୋର ଗଳାରେ ଏହି ହାରଟିଏ ସୁନ୍ଦର ଦିଶିଥାଆନ୍ତା କିନ୍ତୁ ଯାହା ଭାଗ୍ୟରେ ଯାହା ଥାଏ ," କହି ଶ୍ରୀଧର ବସିଗଲେ ବିଦ୍ୟାଧରଙ୍କ ନିକଟରେ I ଅନେକ ସମୟ ଆଳାପ ପରେ କଥାରେ କଥାରେ ଶ୍ରୀଧର ଜଣେଇଦେଲେ ବିଦ୍ୟାଧରଙ୍କୁ କିପରି ରୁତୁପ୍ରଭା ତାଙ୍କର କାବ୍ୟର ନାୟିକା I ମୁଣ୍ଡ ହଲେଇ ସମତି ଜଣେଇଲେ ବିଦ୍ୟାଧର I ବନ୍ଧୁଙ୍କ କଥାରେ ହଁ ମିଶେଇକି ତାଙ୍କୁ ଖୁସି ଦେଖିକି ନିଜେ ବହୁତ ଖୁସି ହୁଅନ୍ତି ବିଦ୍ୟାଧର I ବିଦ୍ୟାଧର ଅନ୍ୟ ବନ୍ଧୁ ମାନଙ୍କ କଥାରୁ ଜାଣି ପାରନ୍ତି ହୃଦୟରେ କେଉଁଠାରେ ଶ୍ରୀଧର ଟିକିଏ ଇର୍ଷ୍ୟାଲୁ ତାଙ୍କ ପ୍ରତି I କାହିଁକି ସେ ଭାବନା ରହିଥାଏ ଶ୍ରୀଧରଙ୍କ ହୃଦୟରେ ବିଦ୍ୟାଧର ବୁଝି ପାରନ୍ତି ନାହିଁ, କିନ୍ତୁ ଅଧିକ ଗୁରୁତ୍ୱ ମଧ୍ୟ ଦିଅନ୍ତି ନାହିଁ I
ଶ୍ରୀଧର ପୁଣି ହସିଲେ, " ତୁ ଯେଉଁ ମୂର୍ତ୍ତି ସବୁ ଗଢିଛୁ ବହୁତ ସୁନ୍ଦର ହେଇଛି କିନ୍ତୁ ଏ ସବୁର ଏ ଯାଏଁ ମୁଖ କାହିଁକି କରିନୁ? ଆଭୂଷଣ ତ ଏତେ ସବୁ କରିଛୁ ? ମୋତେ ତ ଲାଗୁଛି ତୁ ଏସବୁ ମୋର କବିତା ଶୁଣି ଶୁଣି ଋତୁପ୍ରଭାକୁ ଆଖିରେ ରଖି ଗଢିଛୁ I କ'ଣ ଶିରଚ୍ଛେଦ ହେବ ବୋଲି ଡରୁଛୁ କି?" ଶ୍ରୀଧର ପଚାରିଲେ I "ଯେଉଁ ଦିନ ସିଏ ମୋତେ ନିଜର ଭାବିବ ସେହି ଦିନ ତାହାର ମୁଖ ତରସା ହେବ ଏଥିରେ, ଆଉ ତାହାର ରୂପ ସେ ଯାଏଁ ପୃଥିବୀରେ ରହିବ ଯେ ଯାଏଁ ଏହି ମନ୍ଦିର ରହିବ I ଏହି ପଥରରେ ହିଁ ଖୋଦିତ ହୋଇଛି ମୋର କବିତା ଏବଂ ଏହାହିଁ ମୋର କବିତାର ଶୃଙ୍ଗାର," ଇଙ୍ଗିତରେ କହିଲେ ବିଦ୍ୟାଧର I "ଆଉ ଯଦି ତାହାର ବିବାହ ଅନ୍ୟ କାହା ସହିତ ସମ୍ପନ୍ନ ହୁଏ ଏବଂ ସିଏ ଆଉ କାହାର ଭାର୍ଯ୍ୟା ରୂପରେ ତାହାର ଅସ୍ତିତ୍ଵକୁ ପରିଚିତ କରିବାକୁ ବାଧ୍ୟ ହୁଏ ତେବେ ? ମୋର ମାନସରେ ସଦା ବେଳେ ତାହାର ରୂପ ହିଁ ରହିଥିବ, ଚକ୍ଷୁରେ ଯେଉଁ ରୂପ ଥାଉ ନ କାହିଁକି ! ତାହାକୁ ତ କେହି ଅଟକେଇ ପାରିବେ ନାହିଁ," ବିଦ୍ୟାଧର କହିଲେ ଇଙ୍ଗିତରେ I
"ତୁମେ ମୂକ ହୋଇ ମଧ୍ୟ, ନିରକ୍ଷର ହୋଇ ମଧ୍ୟ ଏତେ ସବୁ କଥା କେମିତି ଚିନ୍ତା କରୁଛ? ମୋତେ ତ ଲାଗେ ଏହି ସବୁ ବିଚାର ଅନ୍ୟ କାହାର," ଶ୍ରୀଧର କହିଲେ I ବିଦ୍ୟାଧର କିଛି କହିଲେ ନାହିଁ ମୁରୁକି ହସିଦେଲେ I "ଭଲ ହେଇଛି କଥା କହି ପାରୁନି, ନଚେତ ମୋତେ ଆଉ ରଖେଇ ଦେଇନଥାନ୍ତା I ଜାଣିକି ଘୋଡାର ଶିଙ୍ଗ ନାହିଁ, ଶିଙ୍ଗ ଥିଲେ ସିଂହ ରଖନ୍ତା ନାହିଁ, " ମନେ ମନେ କହି ବାହାରିଗଲେ ଶ୍ରୀଧର I "କିନ୍ତୁ ମୁଖ ହେବ କି ନ ହେବ କିଏ ଜାଣେ, ମୋତେ କେବଳ ଅନୁରୋଧ ହୋଇଥିଲା ସୁନ୍ଦର କଳାକୃତି ଗଢିବାକୁ, ବିନା ମୁଖରେ ମଧ୍ୟ ତା ବହୁତ ସୁନ୍ଦର ଲାଗୁଛି," କହିଲେ ବିଦ୍ୟାଧର ଇଙ୍ଗିତରେ I ଶ୍ରୀଧର ଉଠିକି ଚାଲିଗଲେ କିଛି ସମୟ ପରେ
"ସତରେ କଣ ସେ ମୃତ୍ୟୁକୁ ଭୟ କରୁଛନ୍ତି?" ନିଜକୁ ନିଜେ ପ୍ରଶ୍ନ କରିଲେ ବିଦ୍ୟାଧର I ଅନେକ ଉତ୍ତର ର ଆସିଲା ତାଙ୍କ ମନକୁ ଆଉ ଅନେକ ଉତ୍ତର ପରେ ପୁଣି ଅନେକ ପ୍ରଶ୍ନ I ଶେଷରେ ନିର୍ଣ୍ଣୟ ନେଲେ, ରୁତୁପ୍ରଭାଙ୍କୁ ପଚାରିବେ ମୂର୍ତ୍ତୀ ଗୁଡିକ ଅସମ୍ପୂର୍ଣ୍ଣ ଲାଗୁଛି କି? ଯଦି ସିଏ ଅପମାନିତ ଅନୁଭବ ନ କରନ୍ତି ହୂଏତ.." ଅଧିକ କିଛି ଆଉ ଭାବିବାକୁ ଚାହିଁଲେ ନାହିଁ ବିଦ୍ୟାଧର I ନିଜର ନହୁଣୀକୁ ପୁଣି ଥରେ ଉଠେଇଲେ ବିଦ୍ୟାଧର ! ମନେ ପଡିଗଲା ପୁଣି ଥରେ ରୁତୁପ୍ରଭାଙ୍କର ସେହି ସ୍ମିତ ହସ ଆଉ ଅପ୍ସରାର ସୌନ୍ଦର୍ଯ୍ୟ ଏବଂ ମନରେ ପ୍ରତିଧ୍ଵନିତ ହେବାକୁ ଲାଗିଲା ତାଙ୍କର ନୂପୁରର ସ୍ୱର I ରାତ୍ରିର ନିଶବ୍ଦତାକୁ ପୁଣି ଭଙ୍ଗ କରିବାକୁ ଲାଗିଲା ପାଷାଣ ଉପରେ ଧାତୁର ପ୍ରହାର I ପୋଲାଙ୍ଗ ତେଲରେ ଜଳୁଥିବା ନିଆଁ ହୁଳାର ଆଲୋକରେ ଆବିର୍ଭାବ ହେବାକୁ ଲାଗିଲା ପାଷାଣ ଦେହରେ ଆକୃତିଟିଏ , ତାଙ୍କର କଳ୍ପନାରେ ଆଉ ତାଙ୍କର ଦ୍ରୁଷ୍ଟିକୋଣରେ ସୁସଜ୍ଜିତ, ତାଙ୍କର ପାଷାଣରେ ଲିପିବଦ୍ଧ କାବ୍ୟର ନାୟିକା !

