ଜୀବନ୍ୟାସ..
ଜୀବନ୍ୟାସ..
ତୁମେ ପାରିବନି ଶିଳ୍ପୀ
କିଏ ନିର୍ଜନ ବେଳାଭୂମିରେ ରୁଦ୍ଧ କଠୋରୀରେ ଏ କାହା କଣ୍ଠସ୍ୱର ଅବିଚଳିତ ଏବଂ ଦୃଢ଼ ..କିନ୍ତୁ ନିତାନ୍ତ କୋମଳ
"ତୁମେ ପାରିବନି ଶିଳ୍ପୀ"..ପୁନଃ ସ୍ଵରଟି କହି ଉଠିଲା। ସୁବଳ ବ୍ୟସ୍ତ ହୋଇ ପଡ଼ିଲା। କିଏ କହୁଛି କଣ ସେ ପାରିବନି ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସୁବଳ ମହାରଣା ଫେରେ ପାରିବନି ଏଥର ଅପେକ୍ଷାକୃତ କ୍ରୋଧ ମିଶା ଗମ୍ଭୀର ସ୍ଵରରେ ପ୍ରଶ୍ନ କଲା"କିଏ କଣ କହୁଚ୍ଛ କଣ ମୁଁ ପାରିବିନି କିଏ ତୁମେ
ହସିଲା ସ୍ଵରଟି..ଏକ ମହନୀୟ ତାଛଲ୍ୟ ଓ କାରୁଣ୍ୟଭରା କଣ୍ଠରେ.." ବୃଥା ଆସ୍ପର୍ଦ୍ଧା କରନି ଶିଳ୍ପୀ ଏହା ତୁମ ପରିସର ଭୂକ୍ତ ନୁହେଁ।ତେଣୁ କହୁଛି..ତୁମେ ପାରିବନି
"ଏମିତି କିଛି ଅଛି କି ଯାହା ଏ ସୁବଳ ମହାରଣା କ୍ଷେତ୍ରରେ ଅସମ୍ଭବ ଆଉ କିଏ ତୁମେ ଏଠି ତ ମୁଁ କାହାକୁ ଦେଖି ପାରୁନି।କିଏ କହୁଛ?"
" ମୁଁ..ଯେ ତୁମ ଅତି ନିକଟରେ ଅଛି।"
"ମୋ ଚତୁପାର୍ଶ୍ବରେ ମୋ ନିର୍ମିତ ସଂସାର ଅଛି। ପଥର ମୂର୍ତ୍ତି..ସବୁ..ହେଲେ ତୁମେ.
"ଶିଳ୍ପୀ..ତୁମ ଦକ୍ଷିଣ ପାର୍ଶ୍ଵକୁ ଦେଖ..ମୁଁ କହୁଛି.."
ଚମକି ପଡି ଚାହିଁଲା ସୁବଳ..ଅପରୂପ ରୂପ ଲାବଣ୍ୟ ଭରା ନୃତ୍ୟରତା ମୁଦ୍ରାରେ ଅଣ୍ଟାରେ ହାତ ଦେଇ ଆର ହାତଟିକୁ ଉପରକୁ ଉଠାଇ ଥିବା ଏକ ନାରୀମୂର୍ତ୍ତି..ତେବେ କଣ ଏହି ମୂର୍ତ୍ତି କଥା କହୁଛି
"ହଁ ମୁଁ ହିଁ କହୁଛି ଶିଳ୍ପୀ..ତୁମ ପରିକଳ୍ପନା ..ତୁମ ସଂରଚନା.."
ଆଶ୍ଚର୍ଯ୍ୟ ହେଲେ ମଧ୍ୟ ନିଜକୁ ସମ୍ଭାଳି ନେଇ ସୁବଳ କହିଲା.."ତେବେ କୁହ..କଣ ମୁଁ ପାରିବିନି"
"ସେଇୟା କରି ପାରିବନି। ଯାହା କରିବାକୁ ବୃଥା ଚେଷ୍ଟା କରୁଛ."
ସୁବଳ ବିରକ୍ତ ହେଲା। ଗତ କେତେ ବର୍ଷ ଧରି ସେ ଏ ସାଧନା କରି ଆସୁଛି। ଆଜିକାଲି ଦୁନିଆରେ ମେସିନ ଯୁଗରେ ପୁରୁଣା ନିହାଣ ମୂନର ଖୋଦେଇ ଲୁପ୍ତ ହୋଇସାରିଲାଣି। ତଥାପି ସେ ପ୍ରୟାସ କରିଛି। ଆଧୁନିକ ଯୁଗରେ ପୁରାତନ କଳାର ସୁପ୍ରସାର ପାଇଁ ବଚନ ବଦ୍ଧ ହୋଇ ନିଜ ସମସ୍ତ ସୃଜନୀ ଶକ୍ତି ଲଗେଇ ଦେଇଛି ଏହି ଶିଳା ଖଣ୍ଡ ମାନଙ୍କରେ। ଧନ ସଂପତ୍ତି ସବୁକୁ ଗୋଡ଼ରେ ଆଡେଇ ଦେଇ ସେ ଛୁଟି ଆସିଛି ଏ ନିର୍ଜନ ସ୍ଥାନକୁ। ପିତାମାତା ଙ୍କ ଆକଟ ନ ମାନି..ବନ୍ଧୁ ପରିଜନ ପରାମର୍ଶ ନ ଶୁଣି..ସେ ଏ ପଥର ଖୋଦେଇ ଦିଗରେ କାହିଁକି ପାଗଳ ହେଲା ତାହା କେହି ଜାଣନ୍ନ୍ତିନି..ପିଲାଟି ଦିନରୁ ବିଭିନ୍ନ କାରୁକାର୍ଯ୍ୟ ଦେଖି ହଜି ଯାଉଥିବା କୋମଳ ଶିଶୁ ଦିନେ ବଡ଼ ହୋଇ ସଂସ୍କୃତି ପୁନରୁଦ୍ଧାର ଦିଗରେ ଏପରି ସମର୍ପିତ ହେବ ସେକଥା କିଏ ଜାଣି ପାରିଥାନ୍ତା ପଢା ସରିବା ପରେ ନିଜ ସଉକକୁ ମହାର୍ଘ୍ୟ କରି ପାରିଛି ସୁବଳ ..ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏ ପଥର ଖୋଦେଇ କଳା ଆଗେଇ ନେବା ପାଇଁ କେତେ ପରିଶ୍ରମ କରୁଛି..। ପଥର ଗହଣରେ ରହି ସେ ମଧ୍ୟ ସବୁ ସମ୍ପର୍କ ପଛରେ ପକେଇ ନିଜେ ମଧ୍ୟ ପଥର ପରି ଏ ରୁଦ୍ଧ କଠୋରୀରେ ରହି ଆସିଛି। ପ୍ରସ୍ତର କଳା ପ୍ରଦର୍ଶନୀ ତାର ଏକମାତ୍ର ଲକ୍ଷ୍ୟ। ଆଉ ଏ ପାସାଣୀ ନାରୀ ମୂର୍ତ୍ତି ତାର କେଉଁ ଅପାରଗତା ବିଷୟ କହୁଛି
"ଦେଖୁଛ ତୁମ ଚାରିଆଡ଼େ.."କହିଲା ସୁବଳ..କେତେ ରକମର ପଥର ମୂର୍ତ୍ତି ଠିଆ ହୋଇଥିଲା ତାର ହିସାବ ନ ଥିଲା। ପଶୁ ପକ୍ଷୀ..ମନ୍ଦିର..ପ୍ରକୃତି କିଛି ବାଦ୍ ପଡି ନ ଥିଲା। କିଛି ଆଧୁନିକ ପୁରୁଷ ଓ ନାରୀ ମୂର୍ତ୍ତି ମଧ୍ୟ ଠିଆ ହୋଇଥିଲେ। "ଏଥର କୁହ କଣ ବା ମୁଁ ପାରିବିନି ଶିଳା.."
"ତୁମେ ଜାଣିଛ ଶିଳ୍ପୀ..। ଏ ସବୁ ମୂର୍ତ୍ତି ଜୀବନ୍ତ। କିନ୍ତୁ ତୁମେ ତୃପ୍ତ ନୁହଁ। ତୁମେ କାହାକୁ ଜୀବନ୍ୟାସ ଦେଇପାରି ନ ଥିବା ଗ୍ଲାନିରେ ଦଗ୍ଧ ହେଉଛ....."!!
"ହଁ..ହୁଏତ ସତ କଥା..!!"
ଏତେ ସବୁ କରିବା ପରେ ମଧ୍ୟ କାହିଁକି କେଜାଣି ସୁବଳ ଆତ୍ମସନ୍ତୋଷ ପାଉନି..କିଛି କମ୍ ରହିଗଲା ପରି ଲାଗୁଛି। ଖାସ୍ କରି ଏହି ନୃତ୍ୟ ମୁଦ୍ରା ଥିବା ମୂର୍ତ୍ତିଟି ପାଖରେ।
"ତୁମେ ହିଁ ମୋ ଅସନ୍ତୋଷର କାରଣ ଶିଳା। "କହିଲା ସୁବଳ...
"ଜାଣେ..ମୋ ନିର୍ଜୀବ ଅବୟବ ଭିତରେ ଜୀବନ ଖୋଜୁଛ ତୁମେ..ଆଉ ତାକୁ ନ ପାଇ.."
"ହଁ ଠିକ୍ କହିଛ..ପୁରାକାଳରେ ପଥର ଖୋଦେଇ ଯେପରି ଜୀବନ୍ତ ଲାଗୁଥିଲା ମୁଁ ତୁମକୁ ଠିକ୍ ସେପରି ଦେଖିବାକୁ ଚାହୁଁଛି..ମୋ ମାଷ୍ଟର ପିସ୍। କିନ୍ତୁ..କାହିଁକି କାହିଁକି ତୁମେ ସେପରି ଦେଖା ଯାଉନ? ଜୀବନ୍ତ ହୋଇ କଥା କହି ପାରୁଛ..ହେଲେ"
ହସିଲା ସେ..ଆଉ କହିଲା.."ଶିଳ୍ପୀ..ସେଥିପାଇଁ କହିଲି..ତୁମେ ପାରିବନି..ଜୀବନ୍ୟାସ ଦେବା ପାଇଁ ଯେଉଁ ଆତ୍ମା ସଂଚାରର ଆବଶ୍ୟକ ତାହା ତୁମେ କରି ପାରିବନି..."
"ପାରିବି..ନିଶ୍ଚୟ ପାରିବି..ଏହା ତୁମେ ମୋ ଜିଦ୍ କୁହ କିମ୍ବା ମୋ ପ୍ରଣ..ମୁଁ ତୁମ ଭିତରେ ଜୀବନ ନିଶ୍ଚୟ ଦେଖିବି। ଆହୁରି ନିଖୁଣ କାମ କରିବି। ତୁମ ଅଙ୍ଗ ପ୍ରତ୍ୟଙ୍ଗରେ ଆହୁରି କମନୀୟତା ଭରି ଦେବି..ତୁମ ମୁଦ୍ରା କୁ ଆହୁରି ଲାସ୍ୟମୟ କରିଦେବି..କିନ୍ତୁ ତୁମକୁ ଏପରି ନିଷ୍ପ୍ରାଣ ଦେଖି ପାରିବିନି.."
"ଶିଳ୍ପୀ. ତେବେ.ମୋ ହାତ ଧରି ତୁମକୁ ଆସିବାକୁ ହେବ ସେ ଦୁର୍ଗମ ପଥରେ..ଆଧୁନିକତା ଚାକଚକ୍ୟ ଠାରୁ ବହୁ ଦୂରରେ ଥିବା ସେ ଦୁନିଆକୁ..ଯେତେବେଳେ ମୋ ପରି ଶିଳା ଜୀବନ୍ୟାସ ପାଉଥିଲେ..ପାରିବ"
"ହଁ ଶିଳା..ମୁଁ ସବୁ କରିବି..ତୁମକୁ ଜୀବନ୍ତ କରିବା ପାଇଁ..ସବୁକିଛି.."
"ତେବେ...ବିଳମ୍ବ ନିଷ୍ପ୍ରୟୋଜନ.."..କହିଲା ଶିଳା..!!
"କୁହ କଣ ଦେଖୁଛ ତୁମେ ଏ ବାଲୁକା ଶଯ୍ୟାରେ?"
"ଶୁଷ୍କତା..."
"ନା ଶିଳ୍ପୀ.. ଦେଖ..ଏ ଶଯ୍ୟାରେ ଲୁକ୍କାୟିତ ଥିବା ଅଗଣିତ ପଦଚିହ୍ନ..ଯାହା କହୁଛି ସମୟ ସଦା ଚଳନଶୀଳ..ଆଉ ଦେଖ କେତେ ସ୍ୱପ୍ନର ବାଲୁକାଘର ନିର୍ମିତ ହୋଇଛି ଏବଂ ଧ୍ଵଂସ ପାଇଛି। ଏହା ଏକ ସ୍ମାରଜୀ..ସୃଜନଶୀଳତାର..ପ୍ରେମ ବନ୍ଧନୀର..!!"
ଚମକି ଗଲା ସୁବଳ..ତାକୁ ଦେଖାଗଲା ଅସଂଖ୍ୟ ପଦଚିହ୍ନ.. ନୂତନ ସର୍ଜନା ଓ ସେ ସ୍ଵତଃ ଆନନ୍ଦିତ ହେଲା।
"ଏବେ କୁହ ଶିଳ୍ପୀ..ସୁଦୂର ଗଗନରେ କଣ ଦେଖୁଛ?"
"ଅନ୍ଧାର ସହିତ କେତୋଟି ମିଞ୍ଜି ମିଞ୍ଜି ତାରା ଆଉ ତା ସହିତ ଏକ ନୀରାସକ୍ତ ଚନ୍ଦ୍ର..!!"
"ଦେଖ ଶିଳ୍ପୀ ଥରେ..ବିଶ୍ଵ ନୀୟନ୍ତାଙ୍କ ସ୍ନେହ ସ୍ୱାକ୍ଷର.. ଡେଖ ସେ ଅନ୍ଧକାର ଭିତରେ ଲୁଚି ରହିଥିବା ସକାଳ ସୂର୍ଯ୍ୟର ରକ୍ତିମ ଆଭା.. ଦେଖ ଜହ୍ନରେ ଥିବା ଶୀତଳ ଆବିଲତା..ଚକୋର ଆଖିରେ ଥିବା ଆର୍ଦ୍ରତା.. ଦେଖ ସେ କଇଁ ଫୁଲ ମଧ୍ୟରେ ଥିବା ନିବୀଡତା.. ଦେଖ ଶିଳ୍ପୀ..!! ଜୀବନ୍ତ ଆଉ ଜୀବନ୍ୟାସ ମଧ୍ୟରେ ଥିବା ସୂକ୍ଷ୍ମ ଅନ୍ତରକୁ.. ତୁମେ ମାନସ ଚକ୍ଷୁରେ ଦେଖ... ଅନୁଭବ କର...ଲହରୀ ଦେହରେ ଲୁଚି ରହିଥିବା ଉଷ୍ମତା..ତା ଶବ୍ଦରେ ରହିଥିବା ସେ ଆଦିମ ଉନ୍ମାଦନା..ଯାହା ଚିର କାଳ କହିଥାଏ ସେ ଅଶାନ୍ତ..କିନ୍ତୁ ସେ ଯେ କି ଶାନ୍ତିର ସହ ଲୋଟି ପଡ଼ିଛି ବାଲୁକା ରାଶିର ପ୍ରଶସ୍ତ ବକ୍ଷରେ.. ଆଉ ଶୁଷ୍କ ବାଲୁକା ମୁହାଣ କିପରି ସିକ୍ତ ହୋଇଯାଉଛି ସାଗରର ଆଲିଙ୍ଗନରେ..!!ଦେଖ ଶିଳ୍ପୀ.. ଦେଖ.."
ଏକ ଅଜଣା ପୁଲକରେ ପୁଲକିତ ହୋଇ ଉଠୁଥିଲା ସୁବଳ..ଏକ ଅଦ୍ଭୁତ ଶିହରଣ ସୃଷ୍ଟି ହେଉଥିଲା ତା ଅନ୍ତର୍ମନରେ..ଏକ ନୂତନ କମ୍ପନ ସେ ଅନୁଭବ କରୁଥିଲା ତା ହୃଦସ୍ପନ୍ଦନରେ..ଯାହା ସେ କେବେ ଜାଣି ନ ଥିଲା। ଏତେ ଦିନ ଧରି ପଥର ଦେହରେ କାରୁକାର୍ଯ୍ୟ କରିବା ଦୁର୍ବାର ମୋହରେ ତା ନିଜ ହାତ ଆଙ୍ଗୁଠି ସବୁ ପଥର ପରି ଶକ୍ତ ହୋଇ ଯାଇଥିଲେ। ଛାତି ଭିତରେ ଥିବା ସବୁ ଆବେଗ ନିଷ୍ପ୍ରଭ ହୋଇ ଯାଇଥିଲେ...ପଥରମାନଙ୍କ ଗହଣରେ ରହି ରହି ସେ ମଧ୍ୟ ପ୍ରାଣ ଶୂନ୍ୟ ହୋଇ ଯାଇଥିଲା ପରି ମନେ ହେଉଥିଲା।
" ଏ କଣ ହେଉଛି ଶିଳା ମୋ ଭିତରେ ଏ ପରିବର୍ତ୍ତନ କିପରି? ସବୁ ଜଣାଶୁଣା ଆବେଗ ଅଜଣା ଲାଗୁଛି। ଆଉ ଅଜଣା ଅନୁଭବ ଆପଣା ଲାଗି ଉଠୁଛି..କୁହ ଶିଳା କଣ ହେଉଛି ଏ ସବୁ "
"ଶିଳ୍ପୀ..ତୁମ ଚାରିପାଖେ ଥରେ ଦେଖିବାକୁ ଚେଷ୍ଟା କର..ପ୍ରତ୍ୟେକ ବସ୍ତୁ ଜୀବନ୍ତ। ତୁମ ଶକ୍ତ ବଳିଷ୍ଠ ହସ୍ତରେଖା ତଳେ ଥିବା ଧମନିର ଉଷ୍ମ ରକ୍ତ ଏବେ ବି ପ୍ରବାହିତ। ଠିକ୍ ସେମିତି ଜଗତର ପ୍ରତ୍ୟେକ ବସ୍ତୁ ମଧ୍ୟରେ ଦେଖ ପ୍ରାଣ ପ୍ରତିସ୍ଥାପିତ..ଆଉ ଏ ଯେଉଁ ପ୍ରସ୍ତର କାର୍ଯ୍ୟ କରୁଛ.. ଦେଖ ତା ମଧ୍ୟ କେତେ ଜୀବନ୍ତ..!!"
ହଠାତ୍ ସୁବଳକୁ ଲାଗିଲା ସେ ତିଆରି କରିଥିବା ପଶୁପକ୍ଷୀ ଚଳ ପ୍ରଚଳ କରୁଛନ୍ତି। ପଥର ଦେହରେ ଥିବା ପୁଷ୍ପ ମହକିତ ହେଉଛି। ଆଉ ନିର୍ଜୀବ ଝରଣା ନଦୀ ଚିତ୍ର ସବୁ କଳକଳ ନାଦରେ ବୋହି ଯାଉଛନ୍ତି। ରୋମାଞ୍ଚିତ ହେଲା ସୁବଳ।
"ଶିଳା.. ମୋତେ ଅନୁଭବ ହେଉଛି ମୁଁ ଜୀବନ୍ତ ଥିଲି। କିନ୍ତୁ ଆଜି ତୁମେ ମୋ ଭିତରେ ଜୀବନ୍ୟାସ କରି ଦେଇଛ। ଏଥର ମୁଁ ମଧ୍ୟ ତୁମକୁ ଜୀବନ୍ୟାସ ଦେବି।"
ଏକ ଚୁମ୍ବକୀୟ ଆକର୍ଷଣରେ ଆଗେଇଗଲା ସୁବଳ.. ପଥର ଶିଳା ଅଣ୍ଟାରେ ହାତ ରଖି ନିଜ ଅବୟବକୁ ତା ସହ ଏକାକାର କରି ସେ ବନ୍ଧୁର ଶକ୍ତ ଓଷ୍ଠକୁ ଚୁମ୍ବନ ଦେଲା...
ସୁବଳ ଓଠରୁ ବୋହି ଯାଇଥିବା ରକ୍ତଧାର ଲାଗି ଶିଳାର ଓଠ ରକ୍ତିମ ହେଇଯାଇଥିଲା.....ଆଉ ଶିଳାର ଚକ୍ଷୁ ମୁଦ୍ରିତ ହୋଇ ଆସିଥିଲା...ସୁବଳ ଚକ୍ଷୁ କିନ୍ତୁ ଲୋତକପୂର୍ଣ୍ଣ.
ନିଜ ପଥର କଳାକୁ ସୁପ୍ରସିଦ୍ଧ କରିବା ପାଇଁ ସେ ଏକ ଭବ୍ୟ ପ୍ରଦର୍ଶନୀର ଆୟୋଜନ ପୂର୍ବରୁ କରିଥିଲା। ସେଦିନ ସେ ଆୟୋଜକ ଆସିବା ସମୟ ହୋଇ ଆସୁଥିଲା।
"ମୁଁ ପ୍ରସ୍ତୁତ ଶିଳ୍ପୀ. "କହିଲା ଶିଳା.. "ଏଥର ମୋ ଭିତରେ ଜୀବନ୍ୟାସ ହୋଇ ସାରିଛି। ଟେକି ଦିଅ ମୋତେ ପ୍ରଦର୍ଶନୀରେ। ତୁମ ସୁନାମ ଜଗତ ପ୍ରସିଦ୍ଧ ହେଉ।"
"ନା ଶିଳା.. ଆଉ ନୁହେଁ.. ତୁମକୁ ଆଉ କେହି ଦେଖୁ କି ସ୍ପର୍ଶ କରୁ.. ମୁଁ ତାହା ସହ୍ୟ କରି ପାରିବିନି.. ତୁମକୁ ନେଇଯିବି ମୁଁ ମୋ ସହିତ.."
"କ୍ଷାନ୍ତ ହୁଅ ଶିଳ୍ପୀ.." ହସି କହିଲା ଶିଳା..!!" ପ୍ରତ୍ୟେକ ଶିଳ୍ପୀ ଜୀବନ୍ୟାସ ଦିଏ ଶିଳାକୁ। କିନ୍ତୁ ଶିଳା କେବେ ଜୀବନ୍ତ ନୁହେଁ ନା!! ତୁମ ମମତାର ସ୍ପର୍ଶ ପାଇ ମୋ ପରି ଅନେକ ଶିଳା କହି ଉଠିବେ ସ୍ରଷ୍ଟାର ଜୟଗାଥା। ଆଉ ନୂଆ ସୃଜନୀ ସର୍ଜନାରେ ମନୋନିବେଶ କରିବ ସ୍ରଷ୍ଟା.. ଏହା ହିଁ ପ୍ରକୃତିର ନିୟମ.. ଏଥିରେ ଦ୍ୱୀମତ ନାହିଁ। ପ୍ରସ୍ତୁତ ହୁଅ। ଏକ ନୂତନ କୀର୍ତ୍ତିରାଜି ପ୍ରତିଷ୍ଠା କରିବାକୁ..ସେଥିରେ ହିଁ ମୋ ତୃପ୍ତି। ତୁମ ହସ୍ତକଳା ସହ ହୃଦୟ ନିଃସୃତ ସ୍ନେହ ସ୍ପର୍ଶ ଚିରକାଳ ଜୀବନ୍ତ କରି ରଖିବ ତୁମ ଶିଳାକୁ..!!"
ଆଉ ତା ପରେ ଶିଳା ଚୁପ୍ ହୋଇଯାଇଥିଲା
ଆୟୋଜକ ମାନେ ଆସି ଯାଇଥିଲେ.. ଶ୍ରେଷ୍ଠ କାରୁକାର୍ଯ୍ୟ ନୃତ୍ୟାରତା ଲଳନାର ବିମ୍ବୋଷ୍ଠ.. ମୋହିତ କରୁଥିଲା.. ପ୍ରତ୍ୟେକ ପାଷାଣ ଜୀବନ୍ତ ଲାଗୁଥିଲେ। ଭୂରି ପ୍ରଶଂସାରେ ପୋତି ଦେଇଥିଲେ ସେମାନେ ସ୍ରଷ୍ଟାକୁ..
ଆଉ ସୁବଳ..
ଲହରୀ ଭିତରେ ଆବେଗ ଖୋଜୁଥିଲା.. ବାଲିରେ ପାଦ ଚିହ୍ନ!! ମନ୍ଦ ସମୀରଣରେ ମୃଦୁ ଝଙ୍କାର..!! ଆଉ ଗୋଟିଏ କୋଣରେ ଚୁପଚାପ୍ ବସି ସୃଷ୍ଟି କରି ଚାଲିଥିଲା ପୁନଃ ଏକ ନୂତନ କଳାକୃତି.. ଯାହାକୁ ସେ ଜୀବନ୍ତ କରିବ!! କାରଣ ତା ନିଜ ଭିତରେ ଜୀବନ୍ୟାସ ହୋଇ ସାରିଛି..ଏଣୁ ସେ ମଧ୍ୟ ଏଥର ଜୀବନ୍ତ.