Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ଜୀବନଟା ଛକିଶୂନ ଖେଳ

ଜୀବନଟା ଛକିଶୂନ ଖେଳ

4 mins
181



   ମନ୍ଦମନ୍ଦ ମଳୟର ଶାନ୍ତ ବାତାବରଣ, ପାର୍କର ସିମେଣ୍ଟ ବେଞ୍ଚରେ ସରିତା ଓ ନକୁଳ। ମୁଣ୍ଡ ଉପରେ କୃଷ୍ଣଚୁଡା ଶିଖରରେ ହଳଦୀବସନ୍ତ ଦୁଇଟି ପ୍ରେମରେ ଉବୁଟୁବୁ ନିଜର ଭବିଷ୍ୟତ ଉତ୍ତରାଧିକାରୀଙ୍କ ଆଗମନର ପ୍ରଚେଷ୍ଟାରେ । ତଳେ ଘାସଗାଲିଚାରେ ସାଧବବୋହୁ ଦୁଇଟି ଟୁପୁରୁଟାପର ହେଉଛନ୍ତି, ଦେଖ ସୁନ୍ଦର ମୁହୂର୍ତ୍ତରେ, ସୁନ୍ଦର ପାର୍କରେ, ସୁନ୍ଦର ପ୍ରେମୀଯୁଗଳ । ଅନ୍ୟ ଏକ ବେଞ୍ଚରେ ପ୍ରେମରେ ଲିପ୍ତ ପ୍ରେମୀଯୁଗଳଙ୍କ ମୋବାଇଲରୁ ପ୍ରେମୀଯୁଗଳଙ୍କ ଅଜ୍ଞାତରେ ଇଏରଫୋନର ତାର ଖସିଯାଇ ସମ୍ପୂର୍ଣ୍ଣ ପାର୍କର ବାତାବରଣକୁ ଆହୁରି ରଙ୍ଗିନ କରିଦେଉଛି ପ୍ରେମସଙ୍ଗୀତ।


  ଅନ୍ୟ ଯୋଡିମାନଙ୍କୁ ଇସାରା କରି ଟିକେ ଅଶ୍ଳୀଳ ହେବାକୁ ଚେଷ୍ଟାକରେ ନକୁଳ ଓ ଚାଲାକ୍ ସରିତା ଦୂର ଦିଗବଳୟକୁ ଅଙ୍ଗୁଳି ନିର୍ଦ୍ଦେଶ କରି କୁହେ, ଏଇ ଦେଖ ନକୁଳ କେତେ ସୁନ୍ଦର ଏ ଦୂର ଦିଗବଳୟ, ସତେ ଯେମିତି ପ୍ରୁଥିବୀର ସମସ୍ତ ଶାନ୍ତି ସାଉଁଟି ନେଇ ପ୍ରବେଶ କରାଇବାର ଉଦ୍ୟମ କରୁଛି ଅମା ଅନ୍ଧକାର। ମାନେ କହିବାର ତାତ୍ପର୍ଯ୍ୟ ଅନ୍ଧକାର ମାଡିଆସିଲାଣି, ଏଥର ଗୃହ ପ୍ରତ୍ୟାବର୍ତ୍ତନ ସମୟ। ହସିଉଠି ନକୁଳ କହେ ତମେ ଭାରୀ ଚାଲାକ । ଠିକ୍ ଅଛି ଚାଲ । 


   ସରିତା ଜୀବନଠୁ ଅଧିକ ଭଲପାଉଥିଲା ନକୁଳକୁ । ସବୁ ପ୍ରେମୀପରି ନକୁଳ ଗୋଟିଏ ପାଦ ଆଗକୁ ଯାଇ ପ୍ରଣୟ ଆଶା କରୁଥିଲା ସରିତାଠାରୁ । ସରିତା ଆଧୁନିକା ହେଲେ ବି ନିଜର ପରମ୍ପରା, ଇଜ୍ଜତ ସବୁକିଛି ସାଇତି ରଖି ଅପେକ୍ଷା କରିବାର ଉପଦେଶ ଦେଉଥିଲା ନକୁଳକୁ ବାହାଘର ପର୍ଯ୍ୟନ୍ତ । ବେଳେବେଳେ ଅତିଷ୍ଟ ଓ ବିରକ୍ତ ହୋଇପଡୁଥିଲା ନକୁଳ । 


   ହଠାତ ଦିନେ ସମସ୍ତ ସମ୍ପର୍କ ଛିନ୍ନ କରି ଦୂରେଇଗଲା ନକୁଳ । କିଛି ବୁଝିପାରୁନଥିଲା ସରିତା । ହଠାତ ଏମିତି କଣ ହୋଇଗଲା ? ନକୁଳ ଏମିତି କେମିତି କଲେ ? ପଚାରିବସିଲା ସରିତା । ନକୁଳ କେବଳ ଏତିକି କହିଲା, ନା ସରିତା, ତମେ ପ୍ରଣୟକୁ ପ୍ରଶ୍ରୟ ଦେଲ ନାହିଁ । ମୁଁ ପୁରୁଷ । ତମେ ମୋତେ ଭରସା କରିପାରିଲ ନାହିଁ, ତମେ ପ୍ରେମ, ବିବାହ ଓ ସମ୍ପର୍କର ସଂଜ୍ଞା ଜାଣିପାରିଲ ନାହିଁ । ତେଣୁ ଅଧିକ ପ୍ରଶ୍ନବାଣରେ ଜର୍ଜରିତ ନକରି ମୋ ଠାରୁ ଦୂରେଇଯାଅ । ନିଜେ ଶାନ୍ତିରେ ରହିବା ସହ ମତେ ଶାନ୍ତିରେ ବଞ୍ଚିବାକୁ ଦିଅ । ତମ ରାସ୍ତା ତମେ ଦେଖ, ମୋ ରାସ୍ତା ମୁଁ କହିଦେଇ ସେ ସ୍ଥାନ ପରିତ୍ୟାଗ କଲା ନକୁଳ । 



   ଲୋତକପୂର୍ଣ୍ଣ ଚକ୍ଷୁରେ ନକୁଳର ଯିବା ରାସ୍ତାକୁ ଅନେଇ ରହିଥିଲା ସରିତା । ଆଜି ସେମିତି ସେହି କୃଷ୍ଣଚୁଡା ଗଛରେ ଦୁଇଟି ହଳଦୀବସନ୍ତ ବସିଥିଲେ, କିନ୍ତୁ ଲୋତକପୂର୍ଣ୍ଣ ଚକ୍ଷୁରେ ଯେତେଥର ଉପରକୁ ଅନୋଉଥିଲା ଗୋଟିଏ ହଳଦୀବସନ୍ତ ହିଁ ଦେଖାଯାଉଥିଲା ସରିତାକୁ । ସାମ୍ନା ଗାଲିଚାରେ ସାଧବବୋହୁ ତ ଆଜି ବି ଘୁରିବୁଲୁଥିଲେ କିନ୍ତୁ ଗୋଟିଏ ସାଧବବୋହୁ ହିଁ ଦେଖାଯାଉଥିଲା ସରିତାକୁ । ଅନ୍ୟଟି ବୋଧେ ନକୁଳର ଯୋତା ତଳେ ଫସି ତା ସହ ଚାଲିଯାଇଥିଲା । ଆଜି ବି ମୋବାଇଲର ସଙ୍ଗୀତର ମୂର୍ଚ୍ଛନା ଭାସିଆସୁଥିଲା ହେଲେ ପ୍ରେମଗୀତ ପରିବର୍ତ୍ତେ ପ୍ରତୀତ ହେଉଥିଲା, ବିରହ ରାଗିଣୀ । 



   ତିନିବର୍ଷର ନିବିଡ ଅନାବିଳ, ଅନାସକ୍ତ ପ୍ରେମର ପ୍ରତିଦାନ କଣ ଏଇଆ ? ପୁରୁଷସମାଜ ସାମ୍ନାରେ ପ୍ରେମର ସଂଜ୍ଞା କଣ ପ୍ରଣୟ ? ଯଦି ହଁ ତାହେଲେ ଆବଶ୍ୟକ ନାହିଁ ଏମିତି ପ୍ରେମ । ଏମିତି ପାଶ୍ଚାତ୍ୟ ସଂସ୍କୃତିର ପ୍ରେମିକ । ତାର ସୁନ୍ଦର,ମହତ୍ୱପୂର୍ଣ୍ଣ ତିନି ବର୍ଷ, ଛଳନାକାରୀ ପୁରୁଷ, ଇତ୍ୟାଦି ନାନାଦି ପ୍ରଶ୍ନବାଣରେ ନିଜକୁ ନିଜେ ଛନ୍ଦି କେତେବେଳେ କାଠଯୋଡି ପୋଲଉପରେ ପହଞ୍ଚିଯାଇଛି ସରିତା ନିଜେ ବି ଜାଣିପାରିନାହିଁ । 


   ହଠାତ କାହାର ଶକ୍ତ ଚାପୁଡାରେ ପ୍ରକୃତିସ୍ଥ ହେଲା ସେ । ସୁଦର୍ଶନ ଯୁବକ ଜଣେ, ତାକୁ କହୁଥିଲେ ଆତ୍ମହତ୍ୟା ଯଦି ସମାଧାନର ରାସ୍ତା ହୋଇଥାନ୍ତା, ତାହେଲେ ପ୍ରୁଥିବୀରେ ମାନବସମାଜର ସତ୍ତା ନଥାନ୍ତା । କାରଣ ବିନା ସମସ୍ୟାରେ କୌଣସି ମାନବ ନାହିଁ । ଯୁବକଙ୍କ ନାଆଁ ଥିଲା ସୁଶାନ୍ତ । ସୁଶାନ୍ତ ସରିତା ବସିଥିଲେ କାଠଯୋଡି ନଦୀପଠାରେ । ସବୁବିଷୟ ଅବଗତ ହେଲାପରେ ସୁଶାନ୍ତ ପ୍ରସ୍ତାବ ଦେଲା, ଆସନ୍ତାକାଲିର ସକାଳ ତମପାଇଁ ନୂତନ ସକାଳର ବାର୍ତ୍ତା ନେଇଆସିବ କାରଣ ଆସନ୍ତାକାଲି ଆମ ପରିବାରଲୋକ ତମ ଘରକୁ ବିବାହ ପ୍ରସ୍ତାବ ନେଇଯିବେ । ବର୍ତ୍ତମାନ ତମେ ଘରକୁ ଯାଅ । ସରିତା ଫେରିଗଲା ଘରକୁ । ଖୁସିଥିଲା କି ଦୁଃଖ ଜଣାପଡୁନଥିଲା । ବହୁତ ଚେଷ୍ଟା କରିଥିଲା ସରିତା କିନ୍ତୁ ନକୁଳର ଫୋନ୍ ଆଉ ଲାଗୁନଥିଲା । 



  ସମୟ ଭରିଦିଏ କ୍ଷତ । ଠିକ୍ ସେମିତି ଦୁଇ ପରିବାରର ଅନୁମତିରେ ସରିତା, ସୁଶାନ୍ତର ବାହାଘର ସମ୍ପନ୍ନ ହେଲା । ଆଜି ବି ସୁଶାନ୍ତ ସରିତା ବସନ୍ତି ସେହି ପାର୍କରେ । ସେହି କୃଷ୍ଣଚୁଡା ଗଛ ଡାଳରେ ଆଜି ବି ହଳଦୀବସନ୍ତ ବସିଛନ୍ତି ହେଲେ ସାଙ୍ଗରେ କୁନି ହଳଦୀବସନ୍ତ । ସେମିତି ମୋବାଇଲର ସଙ୍ଗୀତର ମୂର୍ଚ୍ଛନା, ହେଲେ ପ୍ରେମୀଯୁଗଳଙ୍କ ଇଏରଫୋନ ଠିକ୍ ହୋଇଯାଇଛି, ତେଣୁ ସଙ୍ଗୀତର ମୂର୍ଚ୍ଛନା ବାହାରକୁ ଶୁଣାଯାଉନାହିଁ । ଘାସ ଗାଲିଚାରେ ସାଧବବୋହୁ ଦେଖାଯାଉଛନ୍ତି, ହେଲେ ସଂଖ୍ୟାଧିକ । 


   ଆସନ୍ନପ୍ରସବା ସରିତାକୁ ନେଇ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ସହ ବାର୍ତ୍ତାଳାପ କରୁଥିଲେ ସୁଶାନ୍ତ । ଟିକେ ଦୂରରେ ଠିଆ ହୋଇଥିଲା ସରିତା । ହଠାତ ତା ସାମ୍ନାରେ ଉଭା ହେଲା ନକୁଳ । ଆଶ୍ଚର୍ଯ୍ୟଚକିତ ହୋଇ ଅନାଇଥିଲା ସରିତା, କିନ୍ତୁ ପ୍ରେମରେ ନୁହେଁ ଘୃଣାରେ । କେମିତି ଅଛ ସରିତା ପଚାରିଲା ନକୁଳ । ଧଡକିନି ଚଟକଣିଟିଏ ପକାଇଦେଇ ଘୃଣାରେ ନାକ ସିକୁଡି କହିଲା ସରିତା, କିଏ ବେ ତୁ? ଅଭଦ୍ର କେଉଁ ଅଧିକାରରେ ଅଜଣା, ଅଶୁଣା ମହିଳାଙ୍କୁ ସିଧାସଳଖ ପ୍ରଶ୍ନ କରୁଛୁ, କାମୁକ, ଲମ୍ପଟ । ଭୁଲ ହୋଇଗଲା ମ୍ୟାଡମ କହି ସେ ସ୍ଥାନ ଛାଡ଼ିଲା ନକୁଳ । 


  ସବୁକିଛି ଲକ୍ଷ୍ୟ କରୁଥିଲେ ସୁଶାନ୍ତ ସହ ବାର୍ତ୍ତାଳାପ କରୁଥିବା ଡାକ୍ତର । ସ୍ଵତନ୍ତ୍ର କେବିନରେ ରହିଲା ସରିତା । ସୁଶାନ୍ତକୁ ନକୁଳର ସାକ୍ଷାତ କଥା କହିଲା ଓ ସୁଶାନ୍ତକୁ ଅନୁରୋଧ କଲା, ସେ ଲମ୍ପଟ ଏଇ ଡାକ୍ତରଖାନାରେ । ତମେ ମୋ ପାଖ ଛାଡି ଜମା ଯିବ ନାହିଁ । ତାର କୂଟୀଳ ହସ ଏ ପର୍ଯ୍ୟନ୍ତ ମୁଁ ଭୁଲିପାରୁନାହିଁ । 


   ମୋର ମୁଣ୍ଡଠାରୁ ପାଦଯାଏଁ ଅନାଇ ହସୁଥିଲା ପୋଡାମୁହାଁ । ମରିବ ପୋକମାଛି ପରି । ସୁଶାନ୍ତ ବୁଝାଉଥିଲା, ଆରେ ତମେ ଅତି ଶୀଘ୍ର ନୂତନ କଳିକୁ ଦୁନିଆ ଦେଖାଇବାକୁ ଯାଉଛ, ଏସବୁ ବାଜେ କଥା ଏହି ସମୟରେ ମୁଣ୍ଡରେ ପୁରାଅନି । ମୁଁ ତମପାଖ ଛାଡି କେଉଁଆଡେ ଯିବି ନାହିଁ । 


   

    ପାଖରେ ଠିଆ ହୋଇଥିବା ଡକ୍ଟରଙ୍କୁ ଅନେଇ ଆଶ୍ଚର୍ଯ୍ୟ ହୋଇଗଲା ସୁଶାନ୍ତ । ଆରେ ଡାକ୍ତରବାବୁ ! ଆପଣଙ୍କ ଆଖିରେ ଲୋତକବନ୍ୟା । କଣ ଅସୁବିଧା ହେଲା । ଡାକ୍ତର କହିଲେ ନା ସେ କିଛି ନାହିଁ । ଆପଣଙ୍କ ସ୍ତ୍ରୀଙ୍କ ଅସୁବିଧା ଥିଲା । ତେଣୁ ବର୍ତ୍ତମାନ ମୁଁ ଆସିଥିଲି । ଆପଣଙ୍କ ଡକ୍ଟର ଆସିବେ । ମୁଁ ନ୍ୟୁରୋ ଡକ୍ଟର । ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା ସରିତାର । ଡକ୍ଟର ବି ପହଞ୍ଚିସାରିଥିଲେ । ନ୍ୟୁରୋ ଡକ୍ଟର କହିଲେ, ନକୁଳ ମୋତେ ସବୁ କହିଛି ଓ ସରିତାକୁ କ୍ଷମାପ୍ରାର୍ଥନା କରିବାକୁ କହିଛି । ନକୁଳ ଜାଣିସାରିଥିଲା ତାର ରୋଗ, ତେଣୁ ହୃଦୟରେ ପଥର ରଖି ପ୍ରେମକୁ ପ୍ରତ୍ୟାଖ୍ୟାନ କଲା କାରଣ ସେ ଏ ଦୁନିଆର କମ ଦିନର ଅତିଥି ଥିଲା । କିନ୍ତୁ ତାର ଦ୍ରୁଢ ପ୍ରତିଜ୍ଞା ଜନ୍ମାନ୍ତର ସେ ସରିତାର ପ୍ରେମିକ ହୋଇରହିଥିବ । ସରିତା କହିଲା ତାହା କେମିତି ସମ୍ଭବ? ଡକ୍ଟର କହିଲେ ମୁଁ ବି ଠିକ୍ ସେହି ପ୍ରଶ୍ନ କରିଥିଲି, ହସିହସି ନକୁଳ ଉତ୍ତର ଦେଇଥିଲା, ସାର୍ କଣ ସ୍ୱାମୀ, ସ୍ତ୍ରୀ ହେଲେ ହିଁ ପ୍ରେମ ହୁଏ ? କୌଣସି ନା କୌଣସି ରୂପରେ ମୁଁ ସରିତାର ପାଖେ ପାଖେ ରହିବି ଜନ୍ମାନ୍ତର । ନକୁଳର ବ୍ରେନଟ୍ୟୁମର ଶେଷ ପାହାଚରେ । ନିଃଶବ୍ଦ, ଅଶ୍ରୁମୟ ହୋଇଯାଇଥିଲା ସ୍ଵତନ୍ତ୍ର କୋଠରୀଟି । ପ୍ରସବଯନ୍ତ୍ରଣାରେ ଛଟପଟ ହେଉଥିଲା ସରିତା ଓ କହୁଥିଲା ଜୀବନ ଛକି ଶୂନ ଖେଳରେ ତମେ ଜିତିଗଲ ନକୁଳ ! ନର୍ସଜଣକ ଡାକଶୁଣି ଡାକ୍ତରବାବୁ ଚାଲିଗଲେ ନକୁଳ ପାଖକୁ । 



   ସ୍ଵତନ୍ତ୍ର କୋଠରୀରେ କୁଆଁ କୁଆଁ ରାବ ଶୁଣାଯାଉଥିଲା, ସେପଟେ ନକୁଳ ଇହଧାମ ତ୍ୟାଗ କରିଥିଲା । ଡକ୍ଟର କହୁଥିଲେ ମ୍ୟାଡମ, ତମ ନକୁଳ ତମ ପାଖକୁ ଫେରି ଆସିଲା ପୁଅ ରୂପରେ । ସରିତା ପ୍ରେମରେ ପୁଅକୁ କୋଳେଇନେଇ କହୁଥିଲା....

ନକୁଳ... ଏ..... ନକୁଳ !

ପ୍ରେମ କେବେ ମରେନା! ସ୍ମୃତି କେବେ ସରେନା !!



Rate this content
Log in

Similar oriya story from Romance