Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Subal Mohapatra

Romance


5.0  

Subal Mohapatra

Romance


ଜୀବନର ମୋଡ

ଜୀବନର ମୋଡ

10 mins 409 10 mins 409


ଆଗରେ ବିଶାଳକାୟ ନଈ, ପାଣି ଗୁଡିକ କୁଳୁକୁଳୁ ନାଦ କରି ବହି ଯାଉଥାନ୍ତି I ସାମ୍ନା ରେ ପାହାଡ, କେତେ ବୃକ୍ଷ ଲତା, ଜଣେ ଅନ୍ୟ ଜଣଙ୍କୁ ଅନେଇ ଠିଆ ହୋଇଥାନ୍ତି I ମଝିରେ ମଝିରେ ବାଦୁଡ଼ି ସବୁ ଉଡି ବୁଲୁଥାନ୍ତି, କିନ୍ତୁ ପ୍ରଶାନ୍ତ କୁ ଲାଗୁଥାଏ ଯେମିତି ସମସ୍ତେ ତାକୁ ଖତେଇ ହେଉଛନ୍ତି I ସେ ବେକାର ବୋଲି.. ନା ନା .... ଶିକ୍ଷିତ ବେକାର ବୋଲି ସମସ୍ତେ ତାକୁ ହୀନ ଦୃଷ୍ଟି ରେ ଦେଖୁଛନ୍ତି, କାହାର ବି ସ୍ନେହ ନାହିଁ ତା ପ୍ରତି, କାହାର ବି ଆଦର ନାହିଁ ତା ପ୍ରତି, ଅନ୍ୟ ମାନଙ୍କ କଥା ଛାଡ.. ଘରେ ବାପା ବୋଉ ଆଉ ଭଉଣୀ ବି କଡା କଥା କହିବା ପୂର୍ବରୁ ତିଳେ ଭାବୁ ନାହାନ୍ତି ଯେ.. ମୋ ମନ ର ଅବସ୍ଥା କଣ ? ମୁଁ କେମିତି ବଞ୍ଚିଛି? ମୋତେ କଣ ଭଲ ଲାଗୁଛି ସବୁବେଳେ ପଇସା ପାଇଁ ବୋଉ ଆଗରେ ହାତ ପତେଇବାକୁ ? ଯେଉଁ ବୟସ ରେ ସାଙ୍ଗ ସାଥି ସବୁ ଚାକିରୀ କରି, ବାହାହୋଇ , କାର କିଣି ସ୍ତ୍ରୀ ପିଲା ଛୁଆଙ୍କୁ ଧରି ଲଙ୍ଗ ଡ୍ରାଇଭ ରେ ଯାଉଛନ୍ତି ସେଠି ସବୁଦିନ ସାଇକେଲ ଖଣ୍ଡେ ଧରି ଗାଁ ଛକ ବାବୁଲା ଦୋକାନ ଆଗରେ ଠିଆ ହେବା ଟା କ'ଣ ମୋତେ ଭଲ ଲାଗୁଛି? ଆଉ କିଛି ରାସ୍ତା ନାହିଁ, ମରି ଯିବାଟା ସବୁଠୁ ଭଲ I କେହି କହିବାକୁ ନଥିବେ କି କେହି ଶୁଣିବାକୁ ନଥିବେ I ଏ ଜୀବନରେ ଦହଗଞ୍ଜ ହୋଇ ବଞ୍ଚିବା ଅପେକ୍ଷା ମରିଯିବା ଶତ ଗୁଣ ରେ ଶ୍ରେୟସ୍କର I କାହିଁକି ଏ ହୀନ ଜୀବନ ଧରି ପଡି ରହିବ ମଣିଷ ? ଇଞ୍ଜିନିଅରିଂ ପାସ କରିବାର ୫ ବର୍ଷ ହୋଇଗଲା କିନ୍ତୁ ଏବେ ଯାଏ ଚାକିରୀ ଖଣ୍ଡେ ମିଳିଲାନି, ମୁଁ ତ ଭଲ ପଢ଼ୁଥିଲି, କିନ୍ତୁ କାହିଁକି ମିଳୁନି ଚାକିରୀ? ହଁ, ଲାଞ୍ଚ ଦେବାର କ୍ଷମତା ବାପାଙ୍କର ନାହିଁ, ନେତା ମନ୍ତ୍ରୀ କେହି ଚିହ୍ନI ନାହାନ୍ତି, ଫେକ ସିଭି ତିଆରି କରି ଅନ୍ୟକୁ ଠକି ଚାକିରୀ କରି ପାରିବନି... ତେବେ ଚାକିରୀ ମିଳିବ କେଉଁଠି ? ହୁଁ... ଦୀର୍ଘ ନିଶ୍ୱାସ ଟିଏ ଛାଡି ସେ କହି ଉଠିଲା ... "ଛାଡ...."


ମରିବା ପୂର୍ବରୁ ସବୁ ଆଡକୁ ଆଉ ଥରେ ଚାହିଁଲା ସେ.... ଗଛ, ପତ୍ର, ଜଙ୍ଗଲୀ ରାସ୍ତା, ମାଟି ଗୋଡି , ସବୁ କୁ ଥରେ ଥରେ ଛୁଇଁଗଲା ସେ... ଏବେ ହେବ କଣ? ତା ପୁରୁଣା ପ୍ରେମିକା ଲତା, ଆଉ ସାଙ୍ଗ ସୁଶ୍ରୀ ଓ ରମଣ ତାକୁ ଖୋଜି ଖୋଜି ଆସିବେ ଆଉ ପାଇବେନି I ଘରକୁ ଫେରି ଘର ଲୋକଙ୍କୁ ତା' ହଜିବା ଖବର ଜଣେଇ ଦେବେ I ପୋଲିସ ରେ ଦିଆଯିବ ତା ନିଖୋଜ ଖବର.. ଆଉ ? ଯଦି ତା ଲାସ ନ ମିଳିଲା ତ ସେ ହେଇଯିବ ସବୁଦିନ ପାଇଁ ନିଖୋଜ..ହା.. ହା... ନିଖୋଜ ପ୍ରଶାନ୍ତ ....

ଆଉ ଯଦି ଲାସ ମିଳିଯାଏ ତେବେ ? ପୋଲିସ ତା ଲାସ କୁ ଚିହ୍ନଟ କରିବାକୁ ତା ବାପା ବୋଉ ଙ୍କୁ ଡ଼ାକିବ I ସେମାନେ କ'ଣ କରିବେ ଲାସ କୁ ଦେଖି ? କାନ୍ଦିବେ? କେଜାଣି ? ଖୁସିହେବେ ? ଯାହା ହଉ ଗୋଟେ କୁଳାଙ୍ଗାର ଏ ପୃଥିବୀ ରୁ କମ ହୋଇ ଗଲା ... 


ବୋଉ ତ ନିଶ୍ଚିତ ଭାବରେ ମନଦୁଃଖ କରିବେ ଆଉ ବାପା ?... ବାପାଙ୍କ କଥା ଭାବୁ ଭାବୁ ଅଜାଣତରେ ତା' ହାତ ବାମ ଗାଲ ଉପରକୁ ଚାଲିଗଲା...  


ବାପାଙ୍କୁ ପ୍ରବଳ ଡର ତା' ର... ବାପାଙ୍କ ଚଟକଣୀ ଆଜିବି ମନେ ଅଛି ତା' ର...ଏ ୨୭ ବର୍ଷ ବୟସ ରେ ମାତ୍ର ଦୁଇଥର ଚଟକଣୀ ଖାଇଥିଲା ବାପାଙ୍କ ପାଖରୁ ...


ଥରେ ତୃତୀୟ ଚତୁର୍ଥ ରେ ପଢିଲା ବେଳେ ସନ୍ଧ୍ୟା ରେ ସାହିତ୍ୟ ବହିଟି ଧରି ଢୁଳାଉ ଢୁଳାଉ ବାପା ପଚାରିଦେଲେ ଏକ ପ୍ରଶ୍ନ ସାହିତ୍ୟ ବହି ରୁ..ଆଛା କହିଲୁ, " ଶୀତରେ ପୌଷ ମାଘ ମାସ, ଦେହରେ ରଖ ଶୀତବାସ... ଏହାର ଅର୍ଥ କଣ ?" ହଡ଼ବଡେ଼ଇ ଯାଇ ସେ ଉତ୍ତର ଦେଇଥିଲା, "ପୌଷ ଓ ମାଘ ଦୁଇମାସ ଶୀତ ହୁଏ, ଏହି ଦୁଇ ମାସକୁ ଶୀତ ଋତୁ ବୋଲି କୁହନ୍ତି I ଦେହରେ ରଖ ଶୀତବାସ...ମାନେ ଦେହରେ ଶୀତକୁ ବାସ କରିବାକୁ ଦିଅ I".... ଠୋ... ସଟାକ କରି ଚଟକଣୀ ଟିଏ ବସିଲା ତା ବାଁ ଗାଲ ରେ ଆଉ ପାଞ୍ଚ ଆଙ୍ଗୁଳି ବସିଗଲା ଗାଲ ରେ...

ଆଉ ଥରେ ନବମ ଶ୍ରେଣୀ ପଢିଲା ବେଳେ ତାକୁ ସଂସ୍କୃତ ରୁ ଧାଡ଼ିଏ ପଚାରି ଥିଲେ I ସଂସ୍କୃତ ପାଠ କୁ ତା'ର ପ୍ରାଣେ ଭୟ, ସଂସ୍କୃତ ର ଶବ୍ଦରୁପ, ଧାତୁରୁପ ଜମା ହୁଏନି ତା'ର, ସେଥିପାଇଁ ସେ ସଂସ୍କୃତ ନେବାପାଇଁ ଚାହୁଁ ନଥିଲା I କିନ୍ତୁ ସଂସ୍କୃତ ରେ ବେଶୀ ମାର୍କ ଆସେ ବୋଲି ସାର ଙ୍କ ସହ ସବୁ ସାଙ୍ଗ ମାନେ ବି କହିଥିଲେ I ବାପା ପଚାରିଥିଲେ "ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ ଦୁଃଖ ଭାଗ ଭଵେତ" ର ଅର୍ଥ I ସେ ବି ବଡ ଦୃଢ଼ତା ର ସହ ଉତ୍ତର ଦେଇଥିଲା, " ସମସ୍ତେ ସୁଖ ରେ ରୁହନ୍ତୁ, ସମସ୍ତେ ମାୟା ମୋହ ଠାରୁ ଦୁରେଇ ରୁହନ୍ତୁ ବା ସମସ୍ତେ ନିରାଡ଼ମ୍ବର ଜୀବନ ଯାପନ କରନ୍ତୁ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାନେ ସମସ୍ତେ ଭଦ୍ର ଲୋକଙ୍କ ଘରେ ପଶି ଯାଆନ୍ତୁ, ମା କଶ୍ଚିତ... କହୁ କହୁ ଆଉ ଥରେ ଠୋ... କରି ଚଟକଣୀ ଟିଏ ବାଜିଥିଲା ଗାଲରେ ଆଉ ତାର ମନେ ପଡିଯାଇଥିଲା, " ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାନେ ସମସ୍ତେ ଭଦ୍ର ଲୋକଙ୍କ ଘରେ ପଶି ଯାଆନ୍ତୁ" ଏହି ବାକ୍ୟ ଟି ସେ ସାଙ୍ଗ ମାନଙ୍କ ଠାରୁ ଟାହି ଟାପରା ବେଳେ ଶୁଣିଥିଲା .... ସେଦିନୁ.. "ବାପା" କହିଲେ (ବାପା ଙ୍କ ନାଁ ଶୁଣିଲେ) ତା'ର ପେଣ୍ଟ ଓଦା ହେବା ଅବସ୍ଥା...  


ଆଉ ଆଜି ? ତିନିଜଣ ସାଙ୍ଗ ଠିକ କରିଥିଲେ ସିନେମା ଦେଖିଯିବା ଲାଗି I ହେଲେ ତା ପାଖରେ ପଇସା କାହିଁ ? ବୋଉଙ୍କୁ କହିଥିଲା ଆଗରୁ ପଇସା ପାଇଁ I ବୋଉ କିନ୍ତୁ ଅଳ୍ପ କିଛି ପଇସା ଦେଲେ I "ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କା ରେ କଣ ହେବ?" ପ୍ରଶାନ୍ତ ଅଭିଯୋଗ କରି କହିଲା I " ଟିକେଟ ଦାମ କେତେ ଜାଣିଛୁ ନା ? ଆଉ ସାଙ୍ଗମାନେ ଥିବେ, ମୁଁ ଏତେ କମ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ? ଖାଇବା ଟେବୁଲ ଉପରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା , "ବୋଉ, ମୋର ଟାଇମ ହେଇ ଗଲାଣି ଟଙ୍କା ଦେ I" 

ରୋଷେଇ ଘରୁ ବୋଉ କହିଲେ , " ମୋ ପାଖରେ କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇଯା I"


ପ୍ରଶାନ୍ତ ବିରକ୍ତ ହୋଇ ଗରଗର ହେଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପାଦ ଧ୍ୱନି ଶୁଣି ନିରବ ହୋଇଗଲା I ବାପାଙ୍କ ଆଗରେ ତ ଚଞ୍ଚୁ ଖୋଲିବନି ଅଗତ୍ୟା ସେତକ ପକେଟ ରେ ଭର୍ତି କରି ସାଇକେଲ ଟି ଧରି ସେ ବାହାରି ଗଲା ଛକ କୁ I ଏତିକି ପଇସା ରେ କଣ ହେବ? ସେ ଆଜି ତିନିଜଣଙ୍କ ପାଇଁ ଟିକେଟ କରିବାକୁ କହିଥିଲା I ସୁଶ୍ରୀ ଓ ରମଣ, ସେମାନେ ଆସିଲେ ପଇସା ଦେବେ କିନ୍ତୁ ଏବେ ତ ଟିକେଟ କରିବାକୁ ପଡିବ I ରମଣ ଚଳିବ, କିନ୍ତୁ ସୁଶ୍ରୀ ଆଗରେ ହିନସ୍ଥା ହେବାକୁ ସେ ଚାହୁଁ ନଥିଲା I ଦିନ ୨ ଟା ହେଲାଣି.. ୩ ଟା ରୁ ସୋ ଆରମ୍ଭ I ଛକରେ ଦୋକାନ ଗୁଡିକ ବି ବନ୍ଦ I ନହେଲେ ଅବା କାହାଠୁ ଧାର ଆଣି ଚଳେଇ ଦେଇଥାନ୍ତା I କଣ କରିବ ବୁଦ୍ଧି ଦିଶୁ ନଥିଲା I ବାଧ୍ୟ ହୋଇ ରମଣ କୁ ଫୋନ କରି ଡାକିଲା ସେ, ଆଉ ତା'ଠୁ ତିରସ୍କାର ଭରା ଭାଷଣ ଗୁଡିଏ ଶୁଣି ତା ଠୁ ପଇସା ନେଇ, ମନ ଦୁଃଖରେ ତିନୋଟି ଟିକେଟ ଆଣିଲା ବେଳେ ରମଣ କହିଲା ଆଉ ଗୋଟେ ଆଣେ, ମୋର ଜଣେ ସାଙ୍ଗ ଆସିବାର ଅଛି I 


କିଛି ସମୟ ପରେ ହଠାତ ସୁଶ୍ରୀ ସହ ଲତା କୁ ଦେଖି ସେ ଚମକି ପଡିଥିଲା I ଲତା ତା'ର ପୁରୁଣା ପ୍ରେମିକା I ଇଞ୍ଜିନିଅରିଂ ସମୟ ରେ ଦୁଇଜଣ ଦୁଇଜଣଙ୍କ ସହ ଏତେ ମିଶି ଯାଇଥିଲେ ଯେ ଜଣେ ଅନ୍ୟ ଜଣଙ୍କ ବିନା ରହିବା ମୁସ୍କିଲ ଥିଲା କିନ୍ତୁ ଇଞ୍ଜିନିଅରିଂ ପରେ ଲତା ତା ବାପାଙ୍କ ସାଙ୍ଗ ର କମ୍ପାନୀ ରେ ଚାକିରୀ ପାଇଗଲା ବାଙ୍ଗାଲୋର ରେ ଆଉ ସେ ରହିଗଲା ଗୋଟେ ଶିକ୍ଷିତ ବେକାର ହୋଇ I ଏବେ ଲତା ତାର ଏକ୍ସ....ନିଜେ ହିଁ ସମ୍ପର୍କ ରଖିନି ଲତା ସହ I କେଉଁ ମୁହଁ ରେ ରଖିଥାନ୍ତା ? ନା ଚାକିରୀ ଅଛି ନା ପଇସା ? କାଲି ସକାଳୁ ଲତା ର ବାପା ତା ପାଇଁ ପ୍ରସ୍ତାବ ଖୋଜିବେ, ସେତେବେଳେ ଲତା କୁ ସେ ନା ବାହା ହେଇ ପାରିବ ନା ଆଉ କାହାକୁ ବାହା ହେବାକୁ କହି ପାରିବ I ସେଥିପାଇଁ ଦୁରେଇ ଯାଇଛି ନିଜେ ନିଜେ....


  ଟିକେଟ ଆଣିଲା ବେଳକୁ ରମଣ ଠାରୁ ତିରସ୍କାର ଶୁଣି ସହି ଯାଇଥିଲା କିନ୍ତୁ ଲତା ଆସିଲା ପରେ ତା ଶାଣଦିଆ କଥାଗୁଡ଼ିକ ଶୁଣି ଆଉ ଧୈର୍ଯ୍ୟ ଧରି ରହି ପାରି ନଥିଲା I ଏମାନେ କାହିଁକି ଆସନ୍ତି କେଜାଣି I ବାହାରେ ଚାକିରୀ କରି ପାଞ୍ଚ ଅଙ୍କରେ ଦରମା ପାଇ ଏମାନେ ଦେଖେଇହୁଅନ୍ତି ଜଣେ ଜଣେ ଦୟାଵାନ ବ୍ୟକ୍ତି ଆମ ପରି ଟଙ୍କାଟେ ରୋଜଗାର ନ ଥିବା ଜଣେ ଶିକ୍ଷିତ ବେକାର ପାଖରେ I ଏଇ ପାଞ୍ଚ ବର୍ଷ ଭିତରେ ସେ ଚାହିଁଛି କିଛି ବ୍ୟବସାୟ କରିବାକୁ ହେଲେ ନାଁ ଅଛି ପଇସା, ନା ସାହାର୍ଯ୍ୟ କରିବାକୁ କେହି I ଚାକିରୀ ପଛରେ ଧାଇଁ ଧାଇଁ ସେ ହାଲିଆ ଏବେ I ସାଙ୍ଗ, ସାଥି, ବନ୍ଧୁ, ବାନ୍ଧବ, ସାହି, ପଡିଶା, ଶେଷରେ ନିଜ ବାପା ବୋଉ ଓ ଭଉଣୀ ଠୁ ଶୁଣି ଶୁଣି ସେ ଏବେ ଜଣେ ନିର୍ଜୀବ I ନା ଅଛି ଜୀବନ, ନା ଅଛି ଆଉ କିଛି ସହିବାର ଶକ୍ତି I ମନ ଭିତରୁ ଭାବ ସବୁ ମରି ହଜି ଗଲେଣି I ବଞ୍ଚିବାର ସ୍ପୃହା ବି ଆଉ ନାହିଁ I ହୃଦୟ କଥା ପଚାରେ କିଏ.... 


ସିନେମା ଟି ଦେଖିଲା ପରେ ସେମାନେ ତିନିଜଣ ମିଶି ଆଗରୁ ପ୍ଲାନ କରିଥିବା ଅନୁସାରେ ଆଜି ସନ୍ଧ୍ୟା ରେ one night in jungle ପ୍ୟାକେଜ ଟୁର ରେ ଯିବାର ଥିଲା I କିନ୍ତୁ ଏସବୁ ସେମାନେ ଜଣେଇ ନଥିଲେ ପ୍ରଶାନ୍ତ କୁ I ଆଉ ସିନେମା ଦେଖା ସରୁ ସରୁ ରମଣ ଫୋନ କରି କହିଦେଲା ପ୍ରଶାନ୍ତ ର ଘରେ, " ମାଉସୀ, ଆଜି ଆମେ ଭୋଜି କରୁଛୁ I ପ୍ରଶାନ୍ତ ଆଜି ମୋ ପାଖରେ ରହିବ, କାଲି ଫେରିବ ଘରକୁ " I ସେପଟରୁ କଣ ଉତ୍ତର ଆସିଲା ଜଣାନାହିଁ କିନ୍ତୁ ପ୍ରଶାନ୍ତ ର ଅନିଚ୍ଛା ସତ୍ୱେ ବହୁ ବାଧ୍ୟ ବାଧକତା ପରେ ଚାରିଜଣ ଯାକ ବାହାରି ଆସିଲେ I ଆସିଲା ପରେ ଜାଣିବାକୁ ଚାହିଁଲା ଯେ ସବୁ ପଇସା ଲତା ତା ଦରମା ରୁ ଖର୍ଚ କରୁଛି I ଜଣକା ୫୫୦୦ ଟଙ୍କା, ରାତି ରହିବେ କ୍ୟାମ୍ପ ରେ ଟେଣ୍ଟ ତଳେ, କ୍ୟାମ୍ପ ଫାୟାର, ଖାଇବା, ପିଇବା, ରହିବା, ସକାଳ ଜଳଖିଆ ଓ ଯିବା ଆସିବା ସବୁ ଅନ୍ତର୍ଭୁକ୍ତ I ଯେତେ ଯାହା ହେଲେ ବି ପ୍ରଶାନ୍ତ ଜମାରୁ ବି enjoy କରିପାରୁ ନଥିଲା I ଆଉ କ୍ୟାମ୍ପ ଫାୟାର ରେ, ପେଟରେ ଦୁଇ ପେଗ (ମଦ) ପଡିଗଲା ପରେ ହସ, କାନ୍ଦ, ଚିନ୍ତା ଓ ଖୁନ୍ଦି ହୋଇଥିବା ଭାବନା ଗୁଡିକ ଧକେଇ ହୋଇ ବାହାରି ଆସୁଥିଲେ I ମୁଣ୍ଡ ତା'ର ଜାମ ହୋଇଯାଉଥିଲା I ଦୁନିଆଁ ଯାକର ନେଗେଟିଭ ଚିନ୍ତା ସବୁ ମୁଣ୍ଡ ଭିତରେ ଗୋଳେଇ ଘାଣ୍ଟି ହେବାପରେ ସେ ନିଶ୍ଚିତ କରିଥିଲା ଆଜି ହିଁ ଆତ୍ମହତ୍ୟା କରିବ.... ଏଇଠି... ଆଉ କିଛି ଦେଖା ଯାଉନଥିଲା ତାକୁ I ପରିସ୍ରା ଯିବା ବାହାନା ରେ ସେ ଚାଲି ଆସିଲା ରିସୋଟ ପାଖରେ ଥିବା ନଦୀକୁ ଡେଇଁବା ପାଇଁ I 


ହେଃ... ମରିବ ତ ମରିବ... କିଏ କଣ ଭାବିବ କାହିଁକି ଚିନ୍ତା କରିବ ? ସେମାନେ ମୋ ବିଷୟ ରେ କଣ ଚିନ୍ତା କରୁଛନ୍ତି କି? ଶଳା ଜୀବନ .. ଫୁହଃ.... ଗୋଟେ ମିନିଟ ରେ ଶେଷ I ପ୍ରଳାପ କରି ଜୋର ଜୋର ରେ ସେ ହସିବାକୁ ଲାଗିଲା .... ହାଃ...ହାଃ... ହାଃ...ହାଃ...


ଓ....ବାବୁ... ସିଆଡେ ସମସ୍ତେ ଖାଇବାକୁ ଡାକୁଛନ୍ତି ଯା ଖାଇବ.. ୧୧.୩୦ ରେ କିଚେନ ବନ୍ଦ, ତା ପରେ ଆଉ ଖାଇବାକୁ ମିଳିବନି I ଚମକି ପଡି ସେ କଥା ଆସୁଥିବା ଆଡକୁ ଚାହିଁଲା I ପିଲାଟିଏ, ବୟସ ୨୦ ଭିତରେ ହେବ I ରିସୋଟ ରେ କାମ କରୁଛି ବୋଧେ, ଗୋଟେ ଗୋଡ ଛୋଟା, ଛୋଟେଇ ଛୋଟେଇ ନଦୀ ଆଡକୁ ଯାଉ ଯାଉ ପିଲାଟି କହି କହି ଯାଉଥିଲା I ହଠାତ ଆତ୍ମହତ୍ୟା କଥାଟା ତା ମୁଣ୍ଡରୁ ଓହରି ଯାଇ ଅନ୍ୟ ଆଡେ ପଳେଇଲା.... ଛୋଟା ହେଇ ଚାକିରୀ କରିଛି ଆଉ ମୁଁ ? ଶିକ୍ଷିତ ବେକାର... ନା, ଯାଉଛି କୁଆଡେ ପଳେଇବି କିଛି ନହେଲେ କେଉଁଠି ମାଳି ହୋଇ କି ହୋଟେଲ ରେ ରହିବି I ଏମାନେ ଶଳା କିଛି ନ ଦେଇ ଜଣଙ୍କ ପାଇଁ ୫୫୦୦ ଟଙ୍କା ନେଉଛନ୍ତି, କେତେ ଖର୍ଚ ହେଉଥିବ ଏମିତି? ଯିବା ଆସିବା ଖର୍ଚ ଜଣଙ୍କ ପିଛା ପଚାଶ ଟଙ୍କା କି ଶହେ ଟଙ୍କା, ଜଙ୍ଗଲ ରୁ କାଠ ମାଗଣା, ଖାଇବା ଜଣଙ୍କ ପିଛା ଶହେ କି ଦୁଇଶହ ଅତି ବେଶୀ ହେଲେ ତିନିଶହ I ପିଇବା ଖର୍ଚ ଚାରିଶହ କି ପାଞ୍ଚଶହ ଅତି ବେଶୀ ରେ, ଶୋଇବା ତ ଟେଣ୍ଟ ରେ ଥରେ କିଣିଲେ ଜୀବନ ଯାକ ଚାଲିବ I ୟେ ତ ଫୋଲଡିଂ ଟେଣ୍ଟ I ହଜାରେ ଟଙ୍କା ଭିତରେ ଆସିଯିବ, ଯୁଆଡେ ଚାହିଁବ ନେଇ ପାରିବ I ସେଥିଲାଗି ଜଣକା ୫୫୦୦? ଖର୍ଚ ଅତି ବେଶୀ ହେଲେ ଟଙ୍କା ହଜାରେ ଭିତରେ I ବାକି ପଇସା ?? ତା ମୁଣ୍ଡରେ କିଛି ଢୁକିଲା ପରିକା ଆଖି ଦୁଇଟି ବଡ ହୋଇ ଆସିଲେ I 


ଏତିକି ଭିତରେ ରିସୋଟ ର ପିଲାଟି ଫେରିଯାଇଥାଏ ଓ ପିଲା ଠାରୁ ଖବର ପାଇ ପ୍ରଶାନ୍ତ କୁ ଖୋଜି ଖୋଜି ଲତା, ସୁଶ୍ରୀ ଓ ରମଣ ଆସିଯାଇଥିଲେ ତା ପାଖକୁ I ଲତା ର ଇସାରା ରେ ସୁଶ୍ରୀ ଓ ରମଣ ପୁଣି ଫେରିଗଲେ I ପ୍ରଶାନ୍ତ, କାନ୍ଧରେ କାହା ହାତର ସ୍ପର୍ଶ ପାଇ ଫେରିଲା ଭାବନା ରୁ ନିଜସ୍ୱ ଜୀବନ କୁ ....

-- କଣ କରୁଛ ଏଠି?

-- କିଛି ନାହିଁ I 

-- ଏକୁଟିଆ ଅନ୍ଧାର ରେ ବସିବାକୁ କଣ ଆମ ସାଙ୍ଗରେ ଆସିଥିଲ?

-- ନା, ମରିବାକୁ ଆସିଥିଲି I 

-- (ରାଗରେ) ତେବେ ? 

-- ଏ ହାତର ସ୍ପର୍ଶ ପୁଣି ଥରେ ଜୀବନ ଫେରେଇ ଦେଲା I (ପୁଅ ମାନେ ସବୁ ବେଳେ ସେମିତି :-P)

-- କିଛି କହିବି? (ନିଆଁ ରେ ପାଣି ପଡିବା ପରି ଲତା ଥଣ୍ଡା ହୋଇ ଯାଇଥିଲା)

-- କୁହ!! 

-- ମୋ ପାଖରେ କିଛି ପଇସା ଅଛି I ତାକୁ ନେଇ ଯଦି କିଛି ବ୍ୟବସାୟ ଆରମ୍ଭ କରିପାରିବ...

-- ଥାଉ, କାହାର ଦୟା ମୋତେ ଦରକାର ନାହିଁ I 

-- ଦୟା କରୁନି.. ସବୁ ସୁଧ ମୂଳ ସହ ଆଦାୟ କରିବି ତୁମକୁ ବାହାହୋଇ I (ଅନ୍ଧାର ରେ ଲତା ର ମୁହଁଟା ଆହୁରି ଉଜ୍ଜ୍ୱଳ ଦେଖାଗଲା ପ୍ରଶାନ୍ତ କୁ )


ଲତା କହିଚାଲିଥାଏ, " ବାପାଙ୍କ ପଇସା ଦେଇଥିଲେ ସେଟା ଯୌତୁକ କିମ୍ବା ଦୟା ହୋଇଥାନ୍ତା I ବାଙ୍ଗାଲୋର ରେ ରହି ମଧ୍ୟ ମୁଁ ଗୋଟିଏ ଗୋଟିଏ ଟଙ୍କା ସଂଚୟ କରେ, ଆମ ପାଇଁ I ତମେ ତ, ମୋ ଫୋନ ରିସିଭ କରିବା ବନ୍ଦ କରିଦେଲ ହେଲେ ମୁଁ ରଖୁଛି ତମ ଖବର, ସବୁବେଳେ I ଆଜି ବି ମୁଁ ତୁମକୁ ଭଲପାଏ ଜଣେ ଅଂଧୁଣି ଭାବେ I ହେଲେ ... "   

  ଲତା କୁ ଆଉ କିଛି କହିବାକୁ ନ ଦେଇ କୁଣ୍ଢେଇ ପକେଇଲା ପ୍ରଶାନ୍ତ I 


ଏବେ ସେମାନେ ଫେରୁଥିଲେ ରିସୋଟ କୁ I       


କିଛି ବର୍ଷ ପରେ....


ଆଜି ପ୍ରଶାନ୍ତ ଓ ଲତା ର ଦଶମ ବିବାହ ବାର୍ଷିକୀ I ସେଥିପାଇଁ ସେମାନେ ବାଛିଥିଲେ ଏଇ ରିସୋଟ କୁ I ବାପା ବୋଉ, ତାଙ୍କ ରୁମ ରେ ଶୋଇ ସାରିଲେଣି I ପୁଅ ଝିଅ ଦି ଜଣଙ୍କୁ ରିସୋଟ ରେ ଶୁଆଇ ଦେଇ ପ୍ରଶାନ୍ତ ଓ ଲତା ବସିଥିଲେ ଠିକ ସେଇ ଜାଗାରେ ଓ ମନେ ପକାଉଥିଲେ ସେଦିନ ର ଘଟଣା କୁ .... ରିସୋଟ ରୁ ଘରକୁ ଫେରିଲା ପରେ ପ୍ରଶାନ୍ତ ଆରମ୍ଭ କରିଥିଲା ଖୋଜିବା, ତା ପରି ଶିକ୍ଷିତ ବେକାର ଥିବା ପିଲା ମାନଙ୍କୁ I କିଛି ପିଲାଙ୍କୁ ଏକାଠି କରି ଆରମ୍ଭ କରିଥିଲା adventurous camp I ଲତା ର କିଛି ପଇସା କୁ ପୁଞ୍ଜି କରି ସେ ଆଗେଇ ଯାଇଥିଲା I ସହର ର ବିରକ୍ତି ଭରା ଜୀବନ ରୁ ଲୋକ ମାନଙ୍କୁ ସେ ନେଇଯାଏ ଜଙ୍ଗଲ ର ଏକ କୋଣ କୁ ଯେଉଁଠି ପୂର୍ବରୁ ପ୍ରସ୍ତୁତ ଥାଏ ଗୋଟେ ଛୋଟ ଘର ଆଉ କିଛି ଲୋକ I ରହିବା, ଖାଇବା ପରି ନିମ୍ନତମ ଆବଶ୍ୟକତା ର ସୁବିଧା ସୁଯୋଗ ଦେଇ, ମୋବାଇଲ ରୁ ଦୂର, ବିରକ୍ତି ଭରା ଜୀବନ ରୁ ଦୂର ଓ ପ୍ରକୃତି ର କୋଳ ରେ ଲୋକ ମାନେ କେମିତି ଶାନ୍ତି ରେ ରହିବେ ସେସବୁ ସୁବିଧା ଦେଇ ଏକ ଆଶ୍ଚର୍ଯ୍ୟଜନକ ଅନୁଭବ ଟିଏ ଦିଏ ସେମାନଙ୍କୁ I ପ୍ରକୃତି କୋଳ ରେ, ଖୋଲା ଆକାଶ ତଳେ, ତାରା ମେଳରେ, ଫୋଲଡିଂ ଟେଣ୍ଟ ରେ ଶୋଇ ଲୋକମାନେ ପାଆନ୍ତି ଏକ ଅଦ୍ଭୁତ ଅନୁଭବ I ଏହାକୁ ପସନ୍ଦ କରିଛନ୍ତି ହଜାର ହଜାର ଲୋକ I ଅଳ୍ପ ପଇସା ରେ ଏପରି ସେବା ଓ ଅନୁଭବ ପ୍ରାୟ କେହି ଦିଅନ୍ତି ନାହିଁ, ସେଥିପାଇଁ ପ୍ରାୟ ସବୁ ବର୍ଗ ର ଲୋକ, ଛାତ୍ର, କଲେଜ ପିଲା ଓ ବୁଢା ବୁଢ଼ୀ ବି ପସନ୍ଦ କରନ୍ତି I ସବୁ ବୟସ ର ଲୋକଙ୍କ ପାଇଁ ସେମାନଙ୍କୁ ସୁହାଇଲା ପରି ବ୍ୟବସ୍ଥା I ଲୋକଙ୍କ ପାଖରେ ପଇସା ଅଛି, କିନ୍ତୁ ଜଣେ ଆଉ ଜଣଙ୍କୁ ଦେବା ପାଇଁ ସମୟ ଟିକେ ନାହିଁ I ଘରେ ବାପା, ମା, ପୁଅ, ଝିଅ ଚାରିଜଣ କିନ୍ତୁ ଚାଟ କରନ୍ତି whatsapp ରେ ଲାଇକ କରନ୍ତି facebook ରେ ଓ କଥା ହୁଅନ୍ତି jio ଫୋନ ରେ I ଏଠି ନା ମିଳେ ମୋବାଇଲ ର ଟାୱାର ନା ମିଳେ ଇଣ୍ଟରନେଟ I ସେଥିଲାଗି ଏ ବ୍ୟବସାୟ ଆରମ୍ଭ କରିବାର କିଛି ବର୍ଷ ଭିତରେ ସେ ହୋଇ ପାରିଛି ଏକ ଧନୀ ବ୍ୟକ୍ତି I ତା ପରି ଶିକ୍ଷିତ ବେକାର ମାନକୁ ଭଲ ଦରମା ରେ କାମ ଦେଇ ଅଧସ୍ତନ କର୍ମଚାରୀ ମାନଙ୍କର ମଧ୍ୟ ପ୍ରିୟ ଭାଜନ ହୋଇ ପାରିଛି I ସେଦିନ ତା' ଜୀବନ ରେ ମୋଡ ଆଣିଥିବା ଛୋଟା ଏବେ ତା କ୍ୟାମ୍ପ ର ମ୍ୟାନେଜର I 


ବହୁତ ସମୟ ବସିବା ପରେ ପ୍ରଶାନ୍ତ କହିଲା, "ଆଛା !! ସେଦିନ ତୁମେ ଆସିବା ପୂର୍ବରୁ ଯଦି ମୁଁ ସତରେ ଆତ୍ମହତ୍ୟା କରି ଦେଇଥାନ୍ତି?" ଲତା ପ୍ରଶାନ୍ତ ର ମୁହଁରେ ହାତ ଦେଇ ତାକୁ କୋଳକୁ ଟାଣିନେଲା ବେଳକୁ ପଛରୁ ଶୁଭିଲା , "ଓ....ବାବୁ... ଯା ଖାଇବ.. ୧୧.୩୦ ରେ କିଚେନ ବନ୍ଦ, ତା ପରେ ଆଉ ଖାଇବାକୁ ମିଳିବନି I "  


ପ୍ରଶାନ୍ତ ଓ ଲତା, ତା' ଆଡେ ଚାହିଁ ଦେଇ, ହସିଦେଲେ

ଲତା, ପ୍ରଶାନ୍ତ କୁ ଆଉ ଟିକେ ଭିଡି ଧରି କୋଳକୁ ଆଉଜେଇ ନେଉଥିଲା...ଏମାନଙ୍କୁ ଦେଖି, ଚନ୍ଦ୍ର ବି ଲାଜ କରି ମେଘ ଆଢୁଆଳରେ ଲୁଚି ଯାଉଥିଲେ



ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

9376012500







Rate this content
Log in

More oriya story from Subal Mohapatra

Similar oriya story from Romance