STORYMIRROR

Subal Mohapatra

Children Stories Drama Inspirational

3  

Subal Mohapatra

Children Stories Drama Inspirational

ରାକ୍ଷୀ -(୫)

ରାକ୍ଷୀ -(୫)

2 mins
39

ଝିଅକୁ ଘିଅ ଆଉ ପୁଅକୁ ସୁନାମୁଣ୍ଡା ବୋଲି ଭାବୁଥିବା ସରୋଜିନୀ ଆଜି ହରଡ ଘଣା ରେ ପଡି ଯାଇଥିଲେ I ପୁଅ ଯେ ଏମିତି କାଣ୍ଡ କରି ବସିବ ଏହା ତାଙ୍କ କଳ୍ପନା ବାହାରେ ଥିଲା I 

ଝିଅ ଘିଅ, ବେଶିଦିନ ରହିଲେ ଗନ୍ଧେଇବ I ପୁଅ ସବୁବେଳେ ସୁନା , ଘଷି ମାଜି ଦେଲେ ପୁଣି ଚକ ଚକ I ଏହିପରି ଧାରଣା ଥିଲା ତାଙ୍କର I ଝିଅ କୁ ଜଲ୍ଦି ଜଲ୍ଦି ବାହା କରେଇ ଦେଇଥିଲେ ସେ I ଝିଅ ହେଲା ପରା ପର ସମ୍ପତି I ତା ପଛରେ ପଇସା ଖର୍ଚ କରିବା କଣ ଦରକାର I ଯେତେ ଶୀଘ୍ର ବିଦା କରିବ ସେତେ ଭଲ I ଛୋଟ ବେଳୁ ଝିଅ ଭାଗେ ନେଲେ ପୁଅ ନେଉଥିଲା ତିନି ଭାଗ I ଏହିପରି ବଡ ଭାଗ ନେଇ ନେଇ ସେ କେତେ ବେଳେ ଯେ ନିଶା ରାକ୍ଷସ କବଳ ରେ ପଡି ଯାଇଥିଲା କେହି ବି ଜାଣି ପାରିଲେନି I ଆଉ ଆଜି ମଦ ଖାଇବାକୁ ପଇସା ନ ଦେବାରୁ ବାପା ମା ଦି ଟା ଯାକୁ ବାଡେଇ ଘରୁ ବାହାର କରି ଦେଇଛି I 

ଆଜି ରାକ୍ଷୀ ପୁର୍ଣିମା I ଏତେ ବଡ ଦିନରେ ପୁଅ ଯେ ଘରୁ ବାହାର କରି ଦେଇଛି ଭାବି କୋହ ଉଠୁଥିଲା ତାଙ୍କର I ରାସ୍ତା କଡ ବରଗଛ ମୂଳରେ ବସି କୁଆଡେ ଯିବେ ଚିନ୍ତା କରୁଥିଲେ ସେ I ସ୍ୱାମୀ ଯେ ଥୁରୁ ଥୁରୁ ବୁଢା I ସକାଳ ପହରୁ କିଛି ନ ଖାଇ ମୁଣ୍ଡ ବୁଲେଇବାରୁ ସେ ଶୋଇ ପଡ଼ିଥିଲେ ସେଇ ବରଗଛ ମୂଳେ I ପେଟରେ ଦିଟା ନ ପଡିଲେ କେତେବେଳେ ଯେ ପିତୃଦତ୍ତ ପ୍ରାଣ ଟି ବାହାରି ନ ଯିବ କିଏ କହିବ? 

ଝିଅ ପାଖକୁ ଯାଇ ସାହାଯ୍ୟ ମାଗିବାକୁ ମୁହଁ ନଥିଲା ତାଙ୍କର I ମଦ ଖାଇବାକୁ ନେଇ ପୁଅ ଝିଅଙ୍କ ଭିତରେ ପାଟିତୁଣ୍ଡ ହେଲା ପରେ ଝିଅ ଆଉ ଆସୁ ନଥିଲା ଘରକୁ ତିନିବର୍ଷ ହେଲା I ସେତେବେଳେ ମଧ୍ୟ ପୁଅ ପଟିଆ ହୋଇଥିଲେ ସେ ସ୍ୱାମୀଙ୍କ ଶତ ବିରୋଧ ସତ୍ୱେ I ଆଉ କିଛି ଉପାୟ ନ ପାଇ ମୁହଁ ଲାଜ କୁ ମୁହଁ ରେ ରଖି ପହଁଚିଲେ ଝିଅ ଘରେ I ଏତେ ଦିନ ପରେ ବାପା ମାଙ୍କୁ ଦେଖି ବହୁତ ଖୁସି ହୋଇଗଲା ଝିଅ I କବାଟ ପାଖରୁ ପାଛୋଟି ନେଇ, ପ୍ରଥମେ କିଛି ଜଳଖିଆ ଦେଇ ସାଷ୍ଟାମ କରେଇଲା I ନାତି ନାତୁଣୀଙ୍କ ରାକ୍ଷୀ ଭିଡା ପର୍ବ ଆରମ୍ଭ ହୋଇ ଯାଇଥିଲା ସେତେବେଳେ I

ନାତି - ରାକ୍ଷୀ ରେ ତୋର କଣ ଦରକାର କହ?

ନାତୁଣୀ- ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।

ନାତି - ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି"

ତାଙ୍କ କଥାବାର୍ତ୍ତା ଶୁଣି ଆଖି ଛଳ ଛଳ ହୋଇ ଆସୁଥିଲା ସରୋଜିନୀ ଦେବୀ ଙ୍କର …।


Rate this content
Log in