ରାକ୍ଷୀ - ୬
ରାକ୍ଷୀ - ୬


ଡାକ୍ତର ଆସି ଆଶୁତୋଷ ବାବୁଙ୍କୁ ଅଭିନନ୍ଦନ ଜଣେଇବା ପରେ କହିଲେ , "ଆପଣଙ୍କର ପୁଅ ହୋଇଛି, ମୁହଁ ମିଠା ତ କରାନ୍ତୁ.." । ନିଶ୍ଚୟ କହି ଡାକ୍ତରଖାନା ରୁ ଆଶୁତୋଷ ବାହାରି ଗଲେ ମିଠା ଆଣିବା ପାଇଁ।
ଘରେ ସମସ୍ତେ ଖୁସି। ସ୍ତ୍ରୀ ସୌଦାମିନୀ ବି ବହୁତ ଖୁସି ଥାନ୍ତି। ପ୍ରସବ ଯନ୍ତ୍ରଣା ଉଭେଇ ଯାଇଥାଏ ଯେମିତି। ସୌଦାମିନିଙ୍କ ବାପା, ବୋଉ , ଭାଇ ବି ବହୁତ ଖୁସିଥାନ୍ତି। ନିଜ ନିଜ ଭିତରେ ହେଉଥିବା କୋଳାହଳ ଭିତରେ କିନ୍ତୁ ଆଶୁତୋଷ ଅନ୍ୟ କାହାକୁ ମନେ ପକାଉଥାନ୍ତି।
ଅଶୁତୋଷଙ୍କର ପ୍ରଥମ କରି ବାପା ହେବା ଖୁସି ସହ କିଛି କିଛି ଦୁଃଖ ମଧ୍ୟ ପଶୁଥାଏ ମନ ଭିତରେ। ସେ ହୃଦୟଙ୍ଗମ କରୁଥାନ୍ତି ବାପା ହେବାର ଖୁସି। ଆଉ ଭାବୁଥାନ୍ତି ସେ ଜନ୍ମ ହେଲା ବେଳେ ତାଙ୍କ ବାପା ବି ଏମିତି ଖୁସି ହୋଇଥିବେ। ମିଠା ବାଣ୍ଟିଥିବେ । କେତେ ଖୁସି ହୋଇଥିବେ। ସେ ତ ଶୁଣିଛନ୍ତି ଯେ ତାଙ୍କ ଜନ୍ମ ବେଳେ ତାଙ୍କ ବାପା କୁଆଡେ ପାଞ୍ଚ ଖଣ୍ଡ ଗାଁ ଲୋକଙ୍କ ଭୋଜି ଦେଇଥିଲେ। ମନ ମରି ମରି ଯାଉଥାଏ। ମନେ ପଡୁଥାନ୍ତି ବାପା ମା, ଯାହାକୁ ସ୍ତ୍ରୀ କଥାରେ ପଡି ସେ ଛାଡି ଦେଇ ଆସିଛନ୍ତି ବୃଦ୍ଧଆଶ୍ରମ ରେ।
ଭଉଣୀ ର ହଜାରେ ଅନୁରୋଧ କୁ ସେ ଏଡେଇ ଯାଇଛନ୍ତି ସ୍ତ୍ରୀ କଥାରେ ପଡି। ମନେ ପଡି ଯାଉଥିଲା ଗୋଟି ଗୋଟି କଥା। ଭଉଣୀ ର ରାକ୍ଷୀ ବନ୍ଧା, ବାପାଙ୍କ ପକେଟରୁ ପଇସା ଆଣି ତାକୁ ଦେବା। ମା ର ପିଠା ପଣା, ଆହୁରି କେତେ କଣ। ଭଉଣୀର କଥା ସେ ଆଜି ରଖି ପାରି ନାହାନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ସେଦିନ ପଇସା ବଦଳରେ ମାଗିଥିଲା ବାପା ମାଙ୍କୁ ବୃଦ୍ଧାଶ୍ରମ ନ ପଠେଇବାର କଥା ଦେବା ପାଇଁ।
ଆଶୁତୋଷ ପଚାରିଥିଲେ, "ରାକ୍ଷୀ ରେ ତୋର କଣ ଦରକାର କହ।
ଭଉଣୀ କହିଥିଲା , "ବାପା ମାଙ୍କୁ କେବେ ବି ବୃଦ୍ଧାଶ୍ରମକୁ ପଠେଇବୁନି।"
ପ୍ରତିବଦଳରେ ସେ ବି କହିଥିଲେ, "ତୁ ବି ତୋ ସ୍ବାମୀକୁ ତା ବାପା ମାଙ୍କୁ ତା ଠୁ କେବେ ବି ଅଲଗା କରିବୁନି"।
ହେଲେ ଆଜି, ବାପା ମା ତାଙ୍କ ନାତିର ମୁହଁ ବି ଦେଖିପାରିନାହାନ୍ତି। ସେ କଣ ଚାହିଁଥିଲେ ବାପା ମାଙ୍କ ଠୁ ଅଲଗା ହେବା ପାଇଁ? ଅଲଗା ହେବାର ଥିଲେ ତ ସେ ବାହାଘର ପୁର୍ବରୁ ହୋଇ ପରିଥାନ୍ତେ। ବାହାଘର ପରେ ଅଲଗା ହେବାର କାରଣ କଣ। ଶାଶୁ ଶ୍ବଶୁରଙ୍କ ହସ ହସ ମୁହଁ ଦେଖି କାନ୍ଦ ଲାଗୁଥିଲା ତାଙ୍କୁ। କିନ୍ତୁ ଭୁଲ ତ ସେ ବି କରିଛନ୍ତି। ସେ ତ ମନା କରି ପାରିଥାନ୍ତେ। ଜୋର ଦେଇ ସ୍ତ୍ରୀକୁ ଅଟକେଇ ପାରି ଥାନ୍ତେ। ତାଙ୍କର ଇଛା ବିରୁଦ୍ଧରେ ସ୍ତ୍ରୀ କଣ ବାହାର କରି ପାରିଥାନ୍ତା ଘରୁ ବାପା ଆଉ ମା ଙ୍କୁ। ନା। ତେବେ ଶହେରୁ ଶହେ ଭୁଲ ତ ତାଙ୍କର।
ଆସ୍ତେ ଆସ୍ତେ ସେ ସ୍ତ୍ରୀ ପାଖକୁ ଗଲେ। ବେଡ଼ ଉପରେ କୁନି ଛୁଆ ଆଉ ସ୍ତ୍ରୀ ଶୋଇଥାନ୍ତି। ସ୍ତ୍ରୀ ବଡ ଆଗ୍ରହରେ ଛୁଆର ମୁହଁ ଦେଖେଇବାକୁ ଗଲା ବେଳେ ଆଖିରେ ଆଖିଏ ଲୁହ ଧରି ଆଶୁତୋଷ କହିବାକୁ ଆରମ୍ଭ କଲେ, " କାହିଁକି ଦେଖିବି ତା ମୁହଁ । କାଲି ସକାଳୁ, ସେ ବି ତ ମୋତେ ଆଉ ତୁମକୁ ଘରୁ ବାହାରକରି ବୃଦ୍ଧାଶ୍ରମରେ ଛାଡିବ। ଥାଉ... ଦରକାର ନାହିଁ ତା ମୁହଁ ଦେଖିବା।"
ଚମକି ପଡିଲେ ଆଶୁତୋଷ ବାବୁଙ୍କ ସ୍ତ୍ରୀ, ଶାଶୁ, ଶ୍ବଶୁର ଓ ଶଳା। ବୁଝି ପାରୁଥିଲେ ଆଶୁତୋଷ ବାବୁଙ୍କ ମନର କୋହ। ବୁଝି ପାରୁଥିଲେ ତାଙ୍କ କଷ୍ଟ ଆଉ ଭାବୁଥିଲେ ନିଜ ବୃଦ୍ଧାବସ୍ଥାରେ କଣ ହେବାକୁ ଯାଉଛି।
କାହାର କିଛି କହିବାର ନଥିଲା। ପୁରା ଦୁନିଆଁ ଶାନ୍ତ ହୋଇଯାଇଥିଲା , ଯେମିତି ଝଡ ଆସିବାର ପୂର୍ବାବସ୍ଥା।
କହିବା ବାହୁଲ୍ୟ , ଠିକ ଅଧଘଣ୍ଟା ପରେ ଆଶୁତୋଷ ବାବୁଙ୍କ ବାପା ଓ ମା କଅଁଳା ଛୁଆଟିକୁ କାଖେଇ ନେଇ ଵୋକ ପରେ ଵୋକ ଦେଉଥିଲେ....
----xxxx----
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ