କରୋନା ର କେତୋଟି ସ୍କେଚ...
କରୋନା ର କେତୋଟି ସ୍କେଚ...
୧.
ବଢି ଚାଲିଥିଲା ରାସ୍ତା, ବଢି ଚାଲିଥିଲା ପାଦ। ରାସ୍ତା ସରୁ ନଥିଲା, ବାଟ ଲମ୍ବା ହୋଇ ଚାଲିଥିଲା। ତଥାପି ଚାଲିଥିଲେ କିଛି ଛୋଟ ଛୁଆ, କାନ୍ଧେଇ ହୋଇଥିବା ଶିଶୁ, ଶିଶୁଙ୍କୁ କାନ୍ଧେଇ ଥିବା ବାପା ମା', କିଛି ବୟସ୍କ ଓ କିଛି ଆସବାବପତ୍ର ଆଉ ଶୁଖିଲା ପେଟ। କେଉଁଠି ଚୁଡା, ଚିନି ଟିକେ ମିଳୁଥିଲା ତ, କେଉଁଠି ପାଣି ମୁନ୍ଦେ। କେଉଁଠି ଅବା ନିଜ ପେଟରୁ କାଟି ସଞ୍ଚୟ କରିବାକୁ ପଡୁଥିଲା ବାପା ମା ଙ୍କୁ। ବଡ ଲୋକମାନେ ମୁନ୍ଦେ ପିଇ, ଦଣ୍ଡେ ଜିଇଁ ଭାବେ ଚାଲିଥିଲେ।
ଲକ୍ଷ୍ୟ ଗୋଟିଏ ହିଁ ଥିଲା, ଗାଁ ରେ ପହଞ୍ଚିବା। ମୋକ୍ଷ ମିଳିଯିବ। ଏ ହିନୀମାନିର ଜୀବନରୁ ରକ୍ଷା ମିଳିଯିବ। ନଥାଉ କିଛି, ନାହିଁ ନାହିଁ ର ଜୀବନ ରେ ସନ୍ତୁଷ୍ଟି ମିଳିବ ନିଜ ଲୋକଙ୍କୁ ଦେଖିଦେଲେ। କିଛି ନହେଲେ ମରିଗଲେ ବି, ଶବ ତ ପୋଡାହେବ ଗାଁ ମଶାଣି ରେ। ଚିରନିଦ୍ରା ରେ ଶୋଇବୁ ସେଇ ମା', ମାଟି କୋଳରେ। ଏଠି ଲାଭ କଣ?
ଲାଭ, କ୍ଷତି ର ହିସାବ ନଥିଲା...କେବଳ ଯାହା ରାସ୍ତା ଲମ୍ବି ଲମ୍ବି ଚାଲିଥିଲା....।
୨.
ଷ୍ଟେସନ ବାହାରେ ଅପେକ୍ଷା କରିଥିଲା ପରିଆ। ଦୁଇଟି ଛୋଟ ଛୁଆ, ସ୍ତ୍ରୀ ଓ ବୁଢା ବାପା କୁ ନେଇ। ସରକାର ପ୍ରବାସୀ ଙ୍କୁ ରାଜ୍ୟ କୁ ନେବେ ବୋଲି ଶୁଣିଲା ପରଠୁ, ଗୋଡ ତଳେ ଲାଗୁନଥିଲା ତା'ର। ଦୁଇମାସ ହେବ କାମ ବନ୍ଦ। ପେଟରୁ କାଟି ସଞ୍ଚୟ କରିଥିବା ପଇସା ତକ, ସରି ସରି ଆସୁଥିଲା। ଏ ସମୟ ରେ ଭଗବାନ ସମ ଉଭା ହୋଇଥିଲେ ସରକାର। ଘୋଷଣା କରିଥିଲେ, "ପଞ୍ଜିକରଣ କର, ସମସ୍ତେ ନିଜ ରାଜ୍ୟ କୁ ଫେରିବ"।
ଭଡା ଘର ଛାଡ଼ି ଦେଇ ସପରିବାର ଆସି ଯାଇଥିଲେ ଷ୍ଟେସନ। ହେଲେ ପଞ୍ଜିକରଣ କରିଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିଲା। ତାଲିକା ଲମ୍ବା ହୋଇ ହୋଇ ଚାଲିଥିଲା। ପାତର ଅନ୍ତର ନୀତି ଓ ଘୁସ ପାଇଁ ପରିଆ ର ନମ୍ବର ପଛକୁ ପଛକୁ ଠେଲି ହୋଇ ଯାଉଥିଲା, ଦିନ ଲମ୍ବା ହୋଇ ଚାଲିଥିଲା।
ଆଉ?
ସେ ପଡିଥିଲା ଷ୍ଟେସନ ବାହାରେ ସେଇ ଗଛ ମୂଳରେ, ଯେଉଁଠି ସବୁଦିନ ପୋଲିସ ଆସି ଲାଠି ଦେଖେଇ ତାକୁ ତାଗିଦ କରି ଯାଉଥିଲା ଏ ଜାଗା ଛାଡିବା ପାଇଁ, ନଚେତ ଲାଠି ପାହାର....
ପରିଆ ପାଖରେ ପଇସା ନଥିଲା ଘୁସ ଦେବାପାଇଁ କି ସାହସ ନଥିଲା ପୁଣି ଥରେ ଭଡା ଘରକୁ ଫେରିଯିବା ପାଇଁ।
ଏବେ ସେ ଭୋକିଲାପେଟ, ଖାଲି ପକେଟ ଆଉ ବୁଢା ବାପା ସହ ଛୋଟ ଛୁଆଙ୍କୁ ଧରି ଚାଲିବା ଆରମ୍ଭ କଲା।
ମନରେ ସାହସ ଥିଲା, ଜେଜେବାପା ତ ପୁଣି ତାଙ୍କ ସମୟ ରେ ଗାଁ ରୁ ପୁରୀ ଯାଇ ଜଗନ୍ନାଥ ଙ୍କ ଦର୍ଶନ ସାରି ଫେରିଥିଲେ...ତେବେ ସେ କଣ ପହଞ୍ଚି ପାରିବନି ଓଡିଶା ରେ??? କେତେ ବାଟ କି??...
୩.
ଭଗବାନ ଙ୍କ ଦୟାରୁ ଟ୍ରେନ ରେ ଘରକୁ ଫେରିବାକୁ ସିଟ ମିଳିଯାଇଥିଲା ନଟ କୁ। ସରକାର ଙ୍କ ତରଫରୁ ସବୁ ପ୍ରକାର ସୁବିଧା କରାଯାଇଥିଲା। ଘରୁ ଷ୍ଟେସନ ବସ ରେ, ସେଠି ପ୍ରାଥମିକ ଚେକିଂ ପରେ ଟ୍ରେନ ରେ ନିଜ ରାଜ୍ୟ କୁ ଫେରିବା ପାଇଁ ସବୁ ସୁବିଧା, ଟ୍ରେନ ଭିତର ସାନିଟାଇଜେସନ, ଖାଇବା, ପାଣି ଭଳି ସୁବିଧା। ପଇଁଚାଲିସ ଦିନ ପରେ ତିରିଶ ଘଣ୍ଟା ର ରାସ୍ତା କେମିତି କଟି ଯାଇଥିଲା ଜଣା ପଡି ନଥିଲା।
ଏବେ ପହଁଚିଲା ପରେ ପୁଣି ଥରେ ଚେକ ଆଉ ତା ପରେ ସରକାରୀ ବସ ରେ କ୍ୱାରେଣ୍ଟାଇନ ସେଣ୍ଟର। ସେଠି 14 ଦିନ ର ସଂଗରୋଧ ପରେ ଫେରିବ ଘରକୁ। ରହିବା, ଖାଇବା, ବ୍ରସ, ପେଷ୍ଟ, ଖାଉବା ଟ୍ରେ ରୁ ଆରମ୍ଭ କରି ସାବୁନ ଯାଏଁ ସବୁ ମାଗଣା।ଏପରିକି ଜଣ ପିଛା ଦୁଇ ହଜାର ଟଙ୍କା ଚଉଦ ଦିନ ପରେ। ସବୁ ସୁବିଧା ହୋଇ ସାରିଥିଲା।
ଗାଁ ପାଖ ଦେଇ ଟ୍ରେନ ଯାଉଥିଲା। ମନ ସମ୍ଭାଳି ପାରୁ ନଥିଲା ଆଉ। ଏଇଯେ ଆମ ଗାଁ, ଏଇ ପୋଖରୀ, ଏଇ ଠାକୁର ଗାଡ଼ିଆ, ଏଇ ବରଗଛ, କାମନା ଘର, ମଣ୍ଡପ...ଆଉ ସମ୍ଭାଳି ପାରୁ ନଥିଲା ସେ, ଗାଁ ଯେତେ ପାଖ ହେଇ ଆସୁଥିଲା, ସେତେ ଡାକୁଥିଲା ତାକୁ....
ହଠାତ ସେ ଉଠିଗଲା ଟ୍ରେନ ର ଚେନ ଟାଣି ଟ୍ରେନକୁ ଅଟକେଇ ଦେବାକୁ...।
୪.
ପୋଲିସ ତନାଘନା କରି ଖୋଜୁଥିଲା ପନ୍ଦର ଜଣ ଲୋକଙ୍କୁ ଯେଉଁମାନେ ସବୁ ଫେରାର ହୋଇ ଯାଇଥିଲେ କ୍ୱାରେଣ୍ଟାଇନ ସେଣ୍ଟର ରୁ। ତାଙ୍କ ବିରୁଦ୍ଧ ରେ ଚାର୍ଜ ସିଟ ଫାଇଲ ହୋଇ ସାରିଥିଲା। ବାରମ୍ଭାର ଗାଁ କୁ ଆସି, ସେମାନଙ୍କୁ ନ ପାଇ ପୋଲିସ ଗାଡି ଫେରି ଯାଉଥିଲା। ଗାଁ ବାହାର ଜଙ୍ଗଲ ଭିତରେ ଫସି ଯାଇଥିଲେ ପନ୍ଦର ଜଣ ଲୋକ।
ନା ଖାଇବାକୁ ଖାଦ୍ୟ ଥିଲା, ନା ଶୋଇବାକୁ ଜାଗା। ଏପଟେ ଜନ୍ତୁ ଭୟ ସାଙ୍ଗକୁ ସେପଟେ କାଳ ବୈଶାଖୀ। ଦୂରରୁ ମା କୁ ଦେଖି ପାରୁଥିଲେ ବି ଗାଁ କୁ ଆସି ପାରୁ ନଥିଲେ। ଗାଁ ଲୋକଙ୍କ ବିରୋଧ ସାଙ୍ଗକୁ ପୋଲିସ ର ଭୟ ତାଙ୍କୁ ଭାରି ପଡୁଥିଲା। ସଂଗରୋଧ ରେ ନ ରହି, ବନବାସ ରେ ରହିବା ଅଧିକ କଷ୍ଟ ଦେଉଥିଲା।
ଲଗାତାର ଦୁଇଦିନ ଭୋକ ଓପାସ ରେ ରହି, ପାଣି ଟିକେ ନ ପାଇ, ମଶା ଡାଁଶଙ୍କ ଭୋଜି ହେଲାପରେ ସମସ୍ତେ ମିଳିମିଶି ପୁଣି କ୍ୱାରେଣ୍ଟାଇନ ସେଣ୍ଟର କୁ ଫେରିଯିବାକୁ ନିଷ୍ପତ୍ତି ନେଉଥିଲେ...।
୫.
ସଂଗରୋଧ ରେ ରହିବା ପାଇଁ ସମସ୍ତଙ୍କୁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସରକାର ମାଗଣା ରେ ଦେଲାପରେ, ଖଟ, ଗଦି ସବୁ ବିଛା ଯାଇଥିଲା ପ୍ରାୟ ଦଶ ଫୁଟ ଅନ୍ତର ରେ। ହେଲେ ସଂଗରୋଧ କୁ ଫୁ କରି କିଛି ଜଣ ଟିକ ଟକ ଭିଡିଓ, ପାଲା, ଯାତ୍ରା ସବୁ ଆୟୋଜନ କରୁଥିଲେ ତା ଭିତରେ...
ଠିକ ସେତିକି ବେଳେ ତିନିଦିନ ଖାଲି ଖାଲି ରେ ବସି ବସି ବିରକ୍ତ ହୋଇଯାଇଥିବା କିଛି ପରିଶ୍ରମୀ ଲୋକ, ସ୍କୁଲ ର ଆସବାଵପତ୍ର ଠିକ କରିବା, ଗଛ ଲଗେଇବା, ସ୍କୁଲ ଘର ରଙ୍ଗ କରିବା, ଭାଙ୍ଗି ଯାଇଥିବା ଆଜବେଷ୍ଟସ ଠିକ କରିବା, ଖାଲ ଢ଼ିପ ଜମି କୁ ସମତୁଲ କରିବା କାମରେ ଲାଗିଥିଲେ... ଅବଶ୍ୟ ସେଥିପାଇଁ ସରପଞ୍ଚ ଙ୍କ ତରଫରୁ ତାଙ୍କୁ ସବୁ ଜିନିଷ ଯୋଗାଇ ଦିଆ ଯାଇଥିଲା।
ଟିକ ଟକ କରୁଥିବା ଲୋକଙ୍କୁ ପୁରା ଦେଶ ତରଫ ରୁ ଛି ଛାକର ଶୁଣିବାକୁ ମିଳୁଥିଲା ବେଳେ, ସ୍କୁଲ ର ପରିବେଶ କୁ ସୁନ୍ଦର କରିଥିବା ଲୋକଙ୍କୁ ପୁରା ରାଜ୍ୟ ତରଫ ରୁ ବାଃ ବାଃ ଶୁଣିବାକୁ ମିଳୁଥିଲା। ସେମାନଙ୍କ କହିବା କଥା ହେଲା, " ଏ ସ୍କୁଲ ଆମର, ଏଠି ଆମ ଛୁଆ ତ ପଢୁଛନ୍ତି। ତେଣୁ ଆମେ କରିବୁନି କିଏ କରିବ??"
୬.
ଚଉଦ ଦିନ କ୍ୱାରେଣ୍ଟାଇନ ରେ ରହି ନିଜ ଘରକୁ ଫେରିଥିଲେ ହଜାର ହଜାର ଲୋକ। ଦିନେ ଯେଉଁ ଗାଁ ଲୋକମାନେ ସେମାନଙ୍କୁ ଗାଁ ମୁଣ୍ଡରୁ ଘଉଡେଇ ଦେଇଥିଲେ, ସେମାନେ ଆଜି ଫୁଲ ପକେଇ ସ୍ୱାଗତ କରୁଥିଲେ। ସ୍ୱାଗତଂ ସ୍ୱାଗତଂ ଧ୍ୱନିରେ ଫାଟି ପଡୁଥିଲା ସେ ଅଞ୍ଚଳ। ଘର ଲୋକ, ଗାଁ ଲୋକ, ବନ୍ଧୁ ବାନ୍ଧବ ସବୁ ଏକାଠି ହୋଇଥିଲେ।
ସ୍ୱାଗତ ଓ ହସ ଖୁସିର ମାହୋଲ ଭିତରେ ସେମାନେ ଭୁଲି ଯାଉଥିଲେ ସବୁ କଷ୍ଟ। ତଥାପି ଆଖି କୋଣ ରୁ ଝରି ଯାଉଥିବା ଲୁହ ଭିତରେ ସେମାନେ ଦେଖି ପାରୁଥିଲେ...
-- ରାସ୍ତା ରେ ଚାଲି ଚାଲି ଆସିବା ବେଳେ ଖାଇବାକୁ ନ ପାଇ ଲୋକ ମରିଯିବାର ଦୃଶ୍ୟ।
-- ଘରମୁହାଁ ହୋଇ ଟ୍ରେନ ରେ କଟି ଯାଇଥିବା ଖଣ୍ଡ ବିଖଣ୍ଡିତ ଶବ।
-- ହଜାର ହଜାର କିମି ଚାଲିଲା ବେଳେ ଥକି ପଡୁଥିବା ଶରୀର, ଫୋଟକା ହେଇ ଯାଇଥିବା ପାଦ।
-- ଅନ୍ୟ ଉପାୟ ନ ପାଇ ସିମେଣ୍ଟ ମିକ୍ସଚର ମେସିନ ଭିତରେ ପଶି ଆସିଥିବା ଲୋକ।
-- ସଜାଡି ହେଇ ଯାଉଥିବା ଘର।
-- ମନୋମାଳିନ୍ୟ ଦୂର କରି ସ୍ୱାଗତ କରିବାକୁ ଠିଆ ହୋଇଥିବା ଭାଇ।
ଆଜି କିନ୍ତୁ ଥିଲା ଆନନ୍ଦ ର ଦିନ.... ୧୪ ଦିନ ପରେ ନିଜକୁ ସଂକ୍ରମିତ ନୁହେଁ ବୋଲି ପ୍ରମାଣ କରି ପାରିଥିବାର ଖୁସି... ।