Bibhu Samanta

Romance

2.5  

Bibhu Samanta

Romance

ଝରକା ସେପଟୁ ବିନ୍ଦୁଏ ପ୍ରେମ

ଝରକା ସେପଟୁ ବିନ୍ଦୁଏ ପ୍ରେମ

5 mins
457



ଜ୍ୟାମିତି ଖାତାରେ ଗାର ଟାଣୁଥିଲା ଲିପି। ଝରକା ପାଖେ ଗୋଟେ ଛାଇଟେ ଏପଟ ସେପଟ ଦିଶିବାରୁ ଉଠି ଝରକା ଖୋଲିଲା ସେ। ସେପଟେ ସରଜୁ ଠିଆ ଥିଲା। ଲିପିକୁ ଚାହିଁ ହସୁଥିଲା, ଯେମିତି ବାଟି ଖେଳରେ ଜିତି ଯାଇଛି ସେ, ଗାଁ ପିଲାଙ୍କ ଠାରୁ। ଆଉ ଲିପି ଚାହିଁଥିଲା, ଆଶ୍ଚର୍ଯ୍ୟ ହୋଇ, ଦିନ ବେଳେ ଜହ୍ନ ଦେଖିଲା ପରି। 

" ସରଜୁ ତୁ ଏତେ ବେଳେ? କେମିତି ଆସିଲୁ? କେହି ଦେଖି ନାହାନ୍ତି ତ ତୋତେ? ଲିପି ପଚାରିଲା ଡରି ଡରି। 

- ନା! ଦେଖିଲେ ଦେଖନ୍ତୁ, ମୁଁ କଣ କାହାକୁ ଡ଼ରିଛି?ମୋତେ କେହି ଦେଖିନାହାନ୍ତି । ତୁ ଏଇ କେତେ ଦିନ ହେଲା ସ୍କୁଲ ଆସୁନୁ ତ ଚାଲି ଆସିଲି ତୋତେ ଦେଖିବାକୁ। ଆସି ଦେଖେ, ତମ ଗେଟ ରେ ତାଲା ଝୁଲୁଛି। ଦେଖିଲି ତୋ ପଢା ଘର ଆଲୁଅ ଜଳୁଛି। ଏମିତି ସାହସ କରି ପାଚେରୀ ଡେଇଁ ଚାଲି ଆସିଲି। ତୋର କଣ ହେଇଛି? ସ୍କୁଲ କାହିଁ ଆସୁନୁ? ପଢା କେତେ ଆଗେଇ ଗଲାଣି। ଶ୍ରେଣୀରେ ରୋଲ ନମ୍ୱର ଡାକିଲା ବେଳେ, ଯେବେ ତୋ ନା ଡକା ଯାଏ, ସେତେବେଳେ ମୁଁ କ୍ଲାସ ସାରା ଆଖି ପହଁରେଇ ନିଏ, କାଳେ କୋଉଠି ବସିଥିବୁ, ଶୁଣି ପାରୁ ନଥିବୁ। ହେଲେ...

ଛାଡ଼,ସେ କଥା କହ କଣ ହେଇଛି ତୋର.. ତୁ ଏତେ ଡରୁଛୁ କଣ ପାଇଁ। ତୋତେ କିଏ କଣ କହିଛି?

ସରଜୁ ଆଖିରେ ଫୁଟି ଉଠୁଥିଲା କଇଁ ଫୁଲର ଆଭା। ଜହ୍ନକୁ ପାଖରେ ପାଇ। ଲିପି ନିଶ୍ୱାସ ନେଇ କହିଲା, " ନାଇଁ ରେ, କିଛି ହେଇନି। ଏମିତି କିଛି ଦିନ ହେବ ଦେହ ଟା ଭଲ ରହୁନି ତ, ସ୍କୁଲ ଯାଉନି। ପ୍ରଧାନ ସାର, ଖବର ପଠେଇ ଥିଲେ, ବାପା କହିଲେ, ଯିବି କିଛି ଦିନ ପରେ। ତୁ କେମିତି ଅଛୁ? ସୁମି, ସରିତା, ଲାଲୁ ଏମାନେ କେମିତି ଅଛନ୍ତି? 

- ହଁ, ଭଲ ଅଛନ୍ତି ସବୁ। ଖାଇବା ଛୁଟି ଆଉ ଖେଳ ପିରିୟଡ଼ରେ ତୋ କଥା ଖୁବ ମନେ ପକାଉଛନ୍ତି। କାଲି ଅଙ୍କ କରୁଥିଲି, ମୋତେ ଆସିଲାନି, ମାଧିଆକୁ କହିଲି ବୁଝେଇ ଦେ ଟିକେ, ସେ ବୁଝେଇଲା, ମୁଁ ବୁଝି ପାରିଲିନି। କଣ କହିଲା ଜାଣୁ, ଯା ତୋ ଲିପି ପାଖକୁ ସେ ବୁଝେଇ ଦେବ ତୋତେ। ତୁ କେତେ ହୁଣ୍ଡି ଟା କିଲୋ? ମୋତେ ଘରକୁ ଡାକିବୁନି? ଏଇ ଝରକା ପାଖେ କଥା ହେବା? 

ଲିପି ଶୁଣୁଥିଲା ସରଜୁର କଥା। ତନ୍ମୟ ହୋଇ। ସରଜୁର ଏମିତି ପ୍ରଶ୍ନରେ ସେ ନିଦରୁ ଉଠିଲା ପରି କହିଲା,ଆରେ, ହଁ ତ! ଅନେକବେଳୁ ଆସିଲୁଣି ତୁ, ରହ - "ମୁଁ କବାଟ ଖୋଲୁଛି। ତୋତେ ଦେଖି ମୁଁ ସବୁ କିଛି ଭୁଲିଯାଏ କାହିଁକି ଯେ?"

ସରଜୁ ବୁଲିଯାଇ ଦେଖିଲା, ଘରର ମୁଖ୍ୟ ଦରଜା ବି ତାଲା ପଡିଛି। ତାକୁ କିଛି ଅଲଗା ଲାଗିଲା, ଲିପି ଦେହ ଯଦି ଖରାପ ତେବେ ତାକୁ ତାଲା ପକେଇ କାହିଁ ରଖାଯାଇଛି? 

- ଆରେ ତୁମ ଦୁଆରେ ତ ତାଲା ପଡିଛି ବାହାରୁ। ତୁ କେମିତି ଖୋଲିବୁ। 

ଲିପି କଥା ଲୁଚେଇ କହିଲା, "- ଦେହ ଖରାପ ବୋଲି ଶୋଇ ପଡ଼ିଥିଲି ତ, ବାପା ବାହାରୁ ତାଲା ଦେଇ ଚାଲି ଯାଇଛନ୍ତି। ଆମେ ଏଇଠି କଥା ହେବା। ତୋତେ ଦେଖି ମୁଁ କେତେ ଖୁସି ମୁଁ କହି ପାରିବିନି। ତୋ କଥା ବି ମୋର ଖୁବ ମନେ ପଡେ। କ୍ଲାସରେ ଏତେ ଝଗଡା, ମୁହଁ ଫୁଲା ପରେ ବି, ଛୁଟି ହେଲେ ତୁ ମୋତେ ଯୋଉ ଆଇସକ୍ରିମ କିଣି ଦଉ, ମୋ ପଛେ ପଛେ ଆସୁ, କେତେ ମଜା ଗପ କରି, ସବୁ ମନେ ପଡେ ମୋର। "

କହୁ କହୁ ଲିପି ଆଖିରୁ ଲୁହ ଦି ଟୋପା ଝରିଗଲା ଅଜାଣତରେ। ସେ ଲୁହଟା ଶର ହୋଇ ଭେଦିଗଲା ସରଜୁ ଛାତିରେ। 

- ସତ କହ, କଣ ହୋଇଛି। ତୋତେ ଏମିତି କାହିଁ ରଖିଛନ୍ତି ମଉସା। ତୋ ମା ନାହିଁ ବୋଲି କଣ ଏମିତି କଷ୍ଟ ପାଇବୁ ତୁ? କାହିଁକି? 

ଲିପି ମୁହଁ ପୋତି ଉତ୍ତର ଦେଲା, ସିଲି ନାନୀ କଥା ଜାଣୁ? 

- ହଁ , ସେ ସହରରେ ରହି ପାଠ ପଢେ। ଆମ ଗାଆଁରେ ସେ ଏକ ବୃତି ପାଇ ସହରକୁ ଯାଇଛି। ତା ପାଇଁ ଆମ ଗାଁ କେତେ ଖୁସି। ତା ବାହାଘର ପରା, ନିର ମାମୁଁଙ୍କ ପୁଅ ସାଙ୍ଗେ ସ୍ଥିର ହୋଇଛି। ତୁ ତ କହିଥିଲୁ।

-ହଁ ରେ, ସବୁ ଠିକ ଥିଲା ହଠାତ, ଦିନେ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସିଲି ନାନୀ ବାହା ହେଇଗଲା, କାହାକୁ କିଛି ନ ଜଣେଇ ତାଙ୍କ କଲେଜର ଜଣେ ଲେକ୍ଚର ଙ୍କୁ। 

- ହଁ, ତ କଣ ହେଲା ସେଇଠୁ। ବାହା ହେଲା ଘରେ ଜଣେଇନି, ଆଜିକାଲି ଏମିତି ଅନେକ କରୁଛନ୍ତି। ତୁ କାହିଁ ଦଣ୍ଡ ପାଉଛୁ?


ବାପା ସେଇଥି ପାଇଁ ରାଗିଛନ୍ତି, ଆଉ ସେ ରାଗର ଶିକାର ହୋଇଛି ମୁଁ। ହେଲେ ତୁ ଚିନ୍ତା କର ନା। କିଛିଦିନ ପରେ ବାପା ବୁଝିଯିବେ ଆଉ ମୁଁ ସ୍କୁଲ ଯିବି। ଆଉ ଆଗ ପରି ପୁଣି ଝଗଡା କରିବା , ଆଇସକ୍ରିମ ଖାଇବା। ରାଗର ଆୟୁଷ କେତେ ଯେ? ମୋ ପାଇଁ ଜମା ମନ ଦୁଃଖ କରିବୁନି। "

ସରଜୁ କୁ ବୁଝେଇବାକୁ ଚେଷ୍ଟା କରୁଥିଲା ଲିପି। ଝରକା ରେଲିଂ କୁ ଧରି ଠିଆ ହେଇଥିଲା ସେ। ତା ଆଖି ଖାଲି ଦେଖୁଥିଲା,ଲିପି ର ଆଖି ଯୋଡ଼ାକୁ। ସେ ସତ କହୁଥିଲା କି ମିଛ ଜାଣିପାରୁନଥିଲା, ହେଲେ ଏତିକି ବୁଝୁଥିଲା ଲିପି କଷ୍ଟରେ ଅଛି। କଥା କହିସାରିଥିଲା ଲିପି, ସରଜୁ କୁ ନୀରବ ଦେଖି ଲିପି କହିଲା ," କିରେ ଚୁପ ହେଇଗଲୁ କଣ ପାଇଁ। ତୁ ଜାଣୁ? ତୋ ବକର ବକର ମତେ ଭାରି ଭଲ ଲାଗେ। ଇଛା ହୁଏ ତୁ ଏମିତି କହୁଥାନ୍ତୁ ଆଉ ମୁଁ ଶୁଣୁଥାଏ, ଆଉ ତା ଭିତରେ ସ୍କୁଲର ଛୁଟି ବେଲ ବାଜିଯାଇଥିବ। ହେଲେ ତୋ କହିବା ସରିବନି, କି ମୋ ଶୁଣିବା ସରିବନି। ଘରକୁ ଆସିଲେ, ବହି ଖୋଲେ ବସେ ସିନା ତୋ କଥା ଭାବୁଥାଏ , କେମିତି ସକାଳ ହେବ ସ୍କୁଲ ଯିବି, ତୋ ସାଙ୍ଗେ ଦେଖା ହେବ। ଜାଣିଛୁ, କଣ ପାଇଁ ଏମିତି ଗପ ଶୁଣିବାକୁ , ଝଗଡା କରିବାକୁ ଭଲପାଏ ମୁଁ? ତୁ କଣ ଭାବୁ, ମୁଁ ଚଣ୍ଡୀ ବୋଲି? ନା ରେ, ସେ କଥା ନୁହେଁ। ତୁ କଥା ହେଲେ ଲାଗେ ହଁ ଜୀବନ ଅଛି, ମୁଁ ବଞ୍ଚିଛି। ମୋ ପାଖେ ଜୀବନୀ ଶକ୍ତି ଟିଏ ଅଛି। ଆଉ ନୀରବ ହେଇଗଲେ ଲାଗେ, ସବୁ କିଛି ଯେମିତି ଅଟକି ଯାଇଛି। ମୁଁ ବୋଧେ ନାହିଁ। ଠିକ ମୋ ବୋଉ ପରି। ଦେଖୁନୁ, କେମିତି ନୀରବ ହେଇ ଯାଇଛି ସେ ସବୁଦିନ ପାଇଁ। ମୁଁ ବୋଉକୁ ବହୁତ ଭଲପାଏ, ଠିକ ସେମିତି ତୋତେ ବି। 

କହୁ କହୁ ଗୋଟେ ଭାବପ୍ରବଣତା ରେ କହିଦେଲା ଲିପି। ଏବେ ବି ଆଖି ପତା ରେ ବିନ୍ଦୁ ବିନ୍ଦୁ ଲୁହ। ସେ ଲୁହ ନୁହେଁ ତ ବିନ୍ଦୁ ବିନ୍ଦୁ ପ୍ରେମ। ଯାହା ସଂକ୍ରମିତ ହେଇ ସାରିଛି ସରଜୁ ଆଖିକୁ। ଲିପି କହିଲା," ତୁ କାନ୍ଦୁଛୁ?" ସରଜୁ ହସିକି କହିଲା, "ତୋ ଆଖି ଲୁହ ଯେବେ ମୋ ଆଖିରେ ଆସେ ମୋ ମନ କହେ, ତୋ ପାଇଁ ଏ ଦୁନିଆରେ ରେ କିଛି ବି ଅସମ୍ଭବ ନୁହେଁ। ଖାଲି ତୁ ଥା ମୋ ସାଥିରେ। ଲିପି କହିଲା, "କେବେ କଥାବାର୍ତା ବନ୍ଦ କରିବୁନି ପ୍ଲିଜ। ମୁଁ ବଂଚି ପାରିବିନି। ଲିପି ଅନୁନୟ କଲା ପରି କହିଲା। " 

ସରଜୁ ଦୁଷ୍ଟାମୀର ହସ ଟିଏ ହସି କହିଲା, କାହିଁ? ମୋ କଥା କଣ ଅମ୍ଳଜାନ, ତା ବିନା ତୁ ବଂଚି ପାରିବୁନି? ମତେ କଣ ଭାବିଛୁ ତୁ?? ମୁଁ କଣ fm ରେଡ଼ିଓ, ଦିନରାତି ଗପୁଥିବି ତୋ ସାଙ୍ଗେ। ଏତିକି କହି, ଲିପି ମଥାକୁ ସେଇ ରେଲିଂ ରେ ହାତ ପୁରେଇ ବାଡେଇ ଦେଲା ଟିକେ। ହସି ଉଠିଲେ ଦୁହେଁ।


ସରଜୁ କଥା ମଝିରେ ଗୋଡ଼ ଛାଟୁଥିଲା। ଲିପି ଅନେକବେଳୁ, ଠିଆ ହେଲୁଣୁ। ତୋ ଗୋଡ଼ କାଟୁଥିବ ନା? ସରଜୁ କହିଲା ନା, ମତେ କଷ୍ଟ ହୁଏନି। ତଳକୁ ଦେଖିଲା ଲିପି, ତା ସାଙ୍ଗେ କଥା ହେବି ବୋଲି ସେତେବେଳୁ ନାଲି ପିମ୍ପୁଡି ମନ୍ଦାରେ ଠିଆ ହେଇଛି ସରଜୁ। ପିମୁଡ଼ି କାମୁଡ଼ି ଚାଲିଛନ୍ତି ତାକୁ। ଲିପି କହିଲା,"ଆରେ ବୋକା ତଳକୁ ଦେଖ।" ସରଜୁ କହିଲା, "ମୁଁ ତୋତେ ଦେଖିବାକୁ ଆସିଛି ତଳକୁ ନୁହେଁ।" ଲିପି କହିଲା , "ଆରେ ବୁଦ୍ଦୁ ପିମ୍ପୁଡି ଗୁଡା ତୋତେ କାମୁଡୁଛନ୍ତି।" ସରଜୁ କହିଲା, ହଁ କାମୁଡନ୍ତୁ। ନିଜର ଅସହାୟତା ପାଇଁ କଷ୍ଟ ପାଉଥିବ ଲିପି କହିଲା, ତୁ ଯା, ବାପା ଆସିବା ସମୟ ହେଇ ଗଲାଣି। ପରେ ଆସିବୁ। ମନ ଦେଇ ପାଠ ପଢ଼ିବୁ। ସରଜୁ କହିଲା, "ପାଠ ନା ଲେମ୍ବୁ ଲୁଣ?ମୋ ଦେଇ ସେ ପାଠଶାଠ ହେବନି। କଣ କରିବି,ପାଠ ପଢିକି? ଚାକିରୀ? ଦରକାର ନାଇଁ ମୋର, କାହାର ଗୋଲମ ହେବା। ବାପା କହିଛି ଗୋଟେ ଟ୍ରାକ୍ଟର କିଣି ଦେବ। ଜମି ଦଶ ଏକର ଚାଷ କରିବି ଖାଇବି।" ଏତିକି କହି, ନିଜ ମୁଣ୍ଡକୁ ଚାପୁଡ଼ାଟେ ମାରିଲା ସରଜୁ। ଲିପି କହିଲା ଆରେ କଣ ହେଲା ? ସରଜୁ କହିଲା, "ଲେମ୍ବୁ କଥାରୁ ମନେ ପଡ଼ିଲା। ତୋ ପାଇଁ ବାଡିରୁ କମଳାଲେମ୍ବୁ ଆଣିଛି । ଆମ ବୁଢ଼ୀ ଗଣି ଗଣି ରଖିଛି, କାହାକୁ ଗୋଟେ ଛୁଆଇଁ ଦଉନି। ମୁଁ ଲୁଚେଇ ନେଇ ଆସିଲି ଦି ଟା ତୋ ପାଇଁ। ତୁ ଭଲ ପାଉ ବୋଲି। " ସରଜୁ ବଢ଼େଇ ଦେଲା କମଳାଲେମ୍ବୁ ଲିପି ହାତକୁ। ଆଉ କହିଲା, ମୁଁ ତୋତେ ଦେଖିବାକୁ ଆସିଥିଲି ଆଉ ତୁ ମତେ ଏମିତି ତଡି ଦେଉଛୁ? ହଉ ଲୋ ଝିଅ! ସ୍କୁଲ କୁ ଆସେ ତୋ କଥା ବୁଝୁଛି ମୁଁ। ଏତିକି କହି ପାଚେରୀ ଆଡକୁ ମୁହାଁଇଲା ସେ। ଆଉ ପାଚେରୀ ଉପରୁ ଆରପଟକୁ ଡେଇଁବା ଶବ୍ଦଟେ ଶୁଣିଲା ଲିପି। ଝରକା ବନ୍ଦ କରି କମଳାଲେମ୍ବୁ ଦି ଟାକୁ ଦେଖୁଥିଲା ଲିପି। ଏତିକି ବେଳେ, ଝରକାରେ ଠକଠକ ହେଲା।ଝରକା ଖୋଲି ଦେଖିଲା ସରଜୁ। ପୁଣି କଣ ହେଲା? ସରଜୁ କହିଲା, କହିବାକୁ ଆସିଥିଲି ଯେ, ମୁଁ ମୋ ବୁଢ଼ୀ ମା କୁ ବହୁତ ଭଲପାଏ। ତା ସାଙ୍ଗେ ଲାଗେ, ତାକୁ ଚିଡାଏ। କେତେ ଗାଳି କରେ ସେ, ହେଲେ ମୁଁ ତାକୁ ଦଣ୍ଡେ ନ ଦେଖିଲେ ପାଗଳ। ଠିକ ସେମିତି ତୋତେ ବି।" 

 ଏତିକି କହି ଚାଲିଗଲା ସରଜୁ। ଆଉ ଛିଞ୍ଚି ଦେଇ ଗଲା, ଲିପି ଆଖିରେ ବିନ୍ଦୁଏ ଲୁହ, ବିନ୍ଦୁଏ ପ୍ରେମ।



Rate this content
Log in

Similar oriya story from Romance