Bibhu Samanta

Romance

3.9  

Bibhu Samanta

Romance

ଝରକା ସେପଟୁ ବିନ୍ଦୁଏ ପ୍ରେମ(୨)

ଝରକା ସେପଟୁ ବିନ୍ଦୁଏ ପ୍ରେମ(୨)

7 mins
669



(ବହୁ ପାଠକ ପାଠିକା ଙ୍କ ଆଗ୍ରହ ହେତୁ ଗଳ୍ପଟିର ଆଉ ଏକ ଭାଗ ଉପସ୍ଥାନ କଲି।)


କଲେଜ କ୍ଲାସ ସାରି ହଷ୍ଟେଲକୁ ଫେରୁଥିଲା ସରଜୁ। ଆଜି ବହୁତ ଖରା। ଅଧାରୁ ଛୁଟି ହୋଇଗଲା । ପଛରୁ କେହି ଜଣେ ଡାକିଲା ପରି ଲାଗିଲା, ବୁଲି ଦେଖିଲା ଲିପି ଆସୁଛି ,ତା ଆଡ଼କୁ। ଆସି କହିଲା, " ଏକା ଯାଉଛୁ? ରହ ସାଙ୍ଗ ହୋଇ ଯିବା। "

- "ହଉ, ଚାଲ ତେବେ"

ସଂକ୍ଷିପ୍ତ ଉତ୍ତର ଟିଏ ଦେଲା ସରଜୁ।

- "ହଷ୍ଟେଲ ଯିବୁ?" ଲିପି ପଚାରିଲା

- "ନା, ସିନେମା ଯିବି, ଯିବୁ କି ତୁ?" ସରଜୁ ଚିଡ଼େଇବାକୁ କହିଲା।

- "ତୁ ଯୁଆଡେ ନେଇକି ଯିବୁ, ଯିବି ତୋ ସାଙ୍ଗେ। ପଚାରିବିନି କେବେ , କୁଆଡେ? କାହିଁକି?" ଲିପି ସହଜ ଉତ୍ତରରେ କହିଲା। 

-"ଆଛା ! ଏତେ ବିଶ୍ୱାସ ତୋର ମୋ ଉପରେ?" 

- "ହଁ, ନିଜଠୁ ବି ବେଶୀ"। ଲିପି କଥାରେ ବିଶ୍ୱାସ ଟା ବାରି ହେଇ ପଡ଼ୁଥିଲା।

- "ତେବେ, ଏତେ ଦିନ ଯାଏ କୋଉଠି ଥିଲା ଏ ବିଶ୍ୱାସ। ଗାଁ ଛାଡି ସହରକୁ ଆସିଲୁ, ଜଣେଇଲୁନି ଥରେ। ମୋ କଥା ଟିକେ ବି ଭାବିଲୁନି। ତୁ ଆସିଲା ପରେ, ଅନେକ କିଛି ବଦଳିଗଲା ଜୀବନରେ। ବାପା ବୋଉ ଚାଲିଗଲେ, ଅଳ୍ପ ଦିନ ଭିତରେ। ଆଉ ବୁଢ଼ୀ ମା ଟାକୁ ଅଟକେଇ ପାରିଲିନି ଯମ ପାଖରୁ। ସବୁ କିଛି ଚାଲିଗଲା ମୋର। ସମସ୍ତେ । ସମ୍ପର୍କକୁ ଡର ଲାଗେ ଏବେ। ଯାହାକୁ ମୁଁ ଆଶ୍ରା କରେ, ଭଲପାଏ, ନିଷ୍ଠୁର ସମୟ ମୋ ଠୁ ଛଡେଇ ନେଲା। ପତ୍ରଝଡାର ଶୁଖିଲା ପତ୍ର ପରି ହୋଇ ଯାଇଥିଲା ଜୀବନ। ସରକାରୀ ଅନୁଦାନ ପାଇ ଆଜି ମୁଁ ହଷ୍ଟେଲରେ। ଏଇ ସବୁ ଘଟଣାରେ ଖୋଜିଛି ଆଶ୍ୱାସନାର କାନ୍ଧଟିଏ। ମନ ଭରି କାନ୍ଦିବାକୁ।" ସରଜୁ କହିଲା।

- "ହଁ, ସବୁ ଜାଣେ ମୁଁ। କଣ କରିବି? ପରିସ୍ଥିତି ସେମିତି ଥିଲା, ମୁଁ ଜଣେଇ ପାରିଲିନି କିଛି। ବାପାଙ୍କ ବଦଳି ହେଇଗଲା, ଏଠିକୁ। ଗାଁରୁ ଦିନୁ କକେଇ ଆସନ୍ତି ତାଙ୍କ କାମରେ। ତାଙ୍କ ଠୁ ବୁଝେ ତୋ କଥା।

ତୋ ପ୍ରତିଟି ପରିସ୍ଥିତିକୁ ଅନୁଭବ କରିଛି। ପାଖରେ ଥାଇ ତୋର ସହାରା ହେବା କଥା କଳ୍ପନା କରିଛି। ହେଲେ ମୁଁ ବି ଅସହାୟ , ତୋ ପରି।"ଲିପି ମନରେ ଅସହାୟତା।

- "ଆଚ୍ଛା, ଛାଡ଼ ସେ କଥା। ପିଲାଦିନଟା ଗାଁରେ ରହିଯାଇଛି। ସହରରେ ନୂଆ ସାଙ୍ଗ କେତେ। ସମୀର ସୁନୀଲ, ସଞ୍ଜୟ ... ଗାଁର ସରଜୁ କଥା କିଏ ପଚାରେ। ତଥାପି, କହୁଛୁ ମୋ ଉପରେ ତୋର ବିଶ୍ୱାସ, ନିଜଠୁ ବେଶୀ?"ସରଜୁ ପଚାରିଲା।

- "ହଁ, ମୋର ବିଶ୍ୱାସ ଟା ତୋ ଉପରେ ବେଶୀ। ତୁ ଦେଖିଛୁ ଆମ ଗାଁ ମୁଣ୍ଡ ଅଶ୍ୱତ୍ଥ ଗଛମୂଳରେ ସେ ଦରିଆସୁଣି ମା', ମନେ ଅଛି? ଯୋଉଠି ଆମେ ସବୁଦିନ ମୁଣ୍ଡିଆ ମାରୁ ସ୍କୁଲ ଗଲା ବେଳେ , ଆଜି ଯାଏ ସେମିତି ଅଛି ନା?? ଏତେ ବଡ଼ ବାତ୍ୟା ପରେ ବି ସେମିତି ଅଛି, କାହିଁକି ଜାଣୁ? ଯେତେ ପୁରୁଣା ହୁଏ ଜିନିଷ, ସେତେ ମଜବୁତ ହୁଏ ବିଶ୍ୱାସ। ସେମିତି ଆମ ସମ୍ପର୍କ। ଯେତେ ପୁରୁଣା ସେତେ ଦୃଢ଼। ମୁଁ କେଜାଣି କାହିଁକି ତୋ ଭିତରେ ନିଜକୁ ଦେଖେ।"

ସବୁ ବୁଝି ନ ବୁଝିଲା ପରି କହିଲା ସରଜୁ, "ତୋର କଣ ହେଇଛି କହିଲୁ?" ଲିପି ମୁହଁ ତଳକୁ କରି କହିଲା, "ନା କିଛି ନୁହେଁ। ବାସ୍, ଏମିତି, କହୁ କହୁ କହିଦେଲି। ସେଦିନ ତୁ କହୁଥିଲୁ ମୋ ପାଖେ ଶବ୍ଦ ନଥିଲା। ଆଉ ତୋତେ ପାଖରେ ପାଇ ମୁଁ ଏମିତି।" 


ଅନେକ ବାଟ ଚାଲି ଆସିଲେଣି ସେମାନେ। ସେ ଖରାବେଳ ଟାରେ ବରଗଛ ଛାଇରେ ଠିଆ ହେଲେ ଦି ଜଣ। ସରଜୁ ଦେଖୁଥିଲା ଲିପିକୁ। ଅନେକ ବଦଳି ଯାଇଛି ସେ। ଆଗ ଅପେକ୍ଷା ଏବେ ବେଶୀ ସୁନ୍ଦର ଦିଶୁଛି।

ନାଲି ଫୁଲ ପକା ହଳଦିଆ ଚୁଡିଦାର ସାଙ୍ଗେ ହଳଦୀ ରଙ୍ଗ ଓଢଣୀଟେ। ଯେମିତି ଫଗୁଣର ରଙ୍ଗକୁ ବାନ୍ଧି ଆଣିଛି ସେଥିରେ। ଡାହାଣ ହାତରେ ଜାକି ଧରିଛି ବହି କୁ ଛାତିରେ, ଆଉ ବାଁ ହାତରେ କଲମକୁ। ଦି ପଟକୁ ସିଂଥି କରି ବେଣୀ କରିଛି। ତା ଗୋଲ ମୁହଁରେ ଢଳଢଳ ଦି ଟା ଆଖି, କପାଳରେ ଛୋଟ ଟିକିଲି , ଶୁଆ ଥଂଟ ପରି ନାକ ଆଉ ଦି ଟା ସରୁ ସରୁ ଶୁଖିଲା ଓଠ। ବୋଧେ ଖରାରେ ସୁଖୀ ଯାଇଛି ତା ଓଠ। ଲିପି କହିଲା, "କଣ ଏମିତି ଚାହିଁଛୁ, ଆଜି ନୂଆ ଦେଖୁଚୁ ନା କଣ?, ମୋତେ ଭାରି ଶୋଷ, ଚାଲ୍ ଥଣ୍ଡା ପିଇବା। " ପାଖ ପାନ ଦୋକାନକୁ ଗଲେ ସେମାନେ, ଲିପି ଥଣ୍ଡା ପିଉଥିବା ସରଜୁକୁ ଦେଖୁଥିଲା। ଏକା ଥରେ ପୁରା ବୋତଲ ସାରିଦେଲା ସେ। ଲିପି ଠୁ ବେସି ଶୋଷ ତ ତାକୁ। ଲିପି ପଚାରିଲା, 'ଆଉ ପି ବୁ?" ମୁଣ୍ଡ ହଲେଇ ମନା କଲା ସରଜୁ। ଲିପି ପଚାରିଲା, "କଣ ଖାଇକି ଆସିଥିଲୁ ?" "ହଷ୍ଟେଲରେ ଯାହା ମିଳେ! ଚୁଡା ଚିନି ! ତୁ?" ଲିପି ଜାଣେ ଏମିତି ଖାଇବାକୁ ମିଳେ ସରକାରୀ ହଷ୍ଟେଲରେ।

"ପଖାଳ, ବଡ଼ିଚୁରା, ଶାଗ ଭଜା ଆଉ ମାଛ ବେସର।"

"ସକାଳୁ ଖାଇକି ଆସିଥିବୁ ତୋତେ ଭୋକ ଲାଗୁଥିବ। ଚାଲ ଘରକୁ ,ଖାଇକି ହଷ୍ଟେଲ ଚାଲିଯିବୁ। ବାପା ନାହାନ୍ତି।" ଲିପି କହିଲା। 

- "ନା ଥାଉ। ହଷ୍ଟେଲର ଖାଇବା ନଷ୍ଟ ହେବ। ସାର, ଗାଳି କରିବେ।" ସରଜୁ ଉତ୍ତର ଦେଲା।

- "ମୁଁ ଜାଣେ, ସେଦିନ ଘର ଭିତରକୁ ନେଇ ପାରିଲିନି ବୋଲି ଆଜି ଯାଏ ରାଗିଛୁ?" ଅଭିମାନ ଭରା କଣ୍ଠରେ କହିଲା ଲିପି।

- "ନାଇଁ ଲୋ। ସେମିତି ନୁହେଁ। ହଷ୍ଟେଲର ନିୟମରେ ମୁଁ ବନ୍ଧା। ଆଜି ସିନା ତୁ ଖୋଇବୁ, କାଲି? ଯୋଉ ବଗଡ଼ା ଭାତ, ପାଣିଆ ଡାଲି ଆଉ ଗୋଟେ ପରିବା ର ତରକାରୀ!

- "ଚାଲ ନା, କେତେ ଭାଉ ଖାଉଛୁ? ଯାହା ଥିବ ମିଶି ଖାଇନେବା , ଏମିତିରେ ଯାହା ମୋ ପାଖେ ଅଛି ସବୁ ତ ତୋର !!" ଲିପି ବାଧ୍ୟ କଲା।

- ଆଲୋ ପାଗଳୀ, କେମିତି ବୁଝେଇବି ତୋତେ ତୋ ଦୁନିଆ ମୋ ଦୁନିଆ ପୁରା ଅଲଗା।ତୁ ଶହେ ମାନସିକ ର ପ୍ରାପ୍ତି। ମୁଁ ଗୋଟେ ଅଶୁଣା ଅଭିଯୋଗ। ସେଇଠି ମୋ ପାଇଁ ଜାଗା ନାହିଁ।କଣ ପାଇଁ ଏତେସ୍ଵପ୍ନ ଦେଖୁଛୁ?

- ଭଲ ହେଲା, ଦେଖୁଛି ଦେଖିବି ତୋର କଣ ଗଲା?,ଏତିକି କହି, ଲିପି ଦୋକାନୀ କୁ ପଇସା ଦେଇ ଯିବାକୁ ବାହାରିଲା। ପଛେ ପଛେ ଗଲା ସରଜୁ।

- "ଏଇ ଫୁଲେଇ, ରାଗିଗଲୁ? ତୁ ରାଗିଲେ ନା ମୋ ମନ ଆକାଶରେ ମେଘ ଘୋଟି ଆସେ। କଥା ଦେଲି, ଦିନେ ଯିବି ତୋ ଘରକୁ"। ସରଜୁ ମନେଇବାକୁ କହିଲା।

ଲିପି କହିଲା , "ତୁ ଜାଣୁ ମୁଁ କଣ ଦେଖେ, କଣ୍ଢେଇ ଘର ପରିକା ନଈ କୂଳରେ ଏକ ଛୋଟ ଘରେ ତୁ ଆଉ ମୁଁ। ତୁ ସଉଦା ଆଣିଦେବୁ, ମୁଁ ତୋ ପାଇଁ ରାନ୍ଧିବି ବଢିବି। ତୁ ବଗିଚାରେ କାମ କରିବୁ, ମୁଁ ତୋତେ ଦେଖୁଥିବି ସବୁବେଳେ। ବାସ, ଆଉ କିଛି ମୁଁ ଚାହେଁନା। "

- "ଏଇ ଧୁ ଧୁ ଖରାବେଳଟାରେ ଏତେ ସପନ ଦେଖେନି ଲୋ। ଡର ଲାଗେ ମତେ, କାଳେ ଜଳିଯିବ। "ସରଜୁ ସୀମାନ୍ୟ କଠୋର ହୋଇ କହିଲା।

ପୁଣି ଚାଲିଲେ ସେମାନେ, ଏମିତି ଚାଲିବାକୁ ଭଲ ଲାଗୁଥିଲା। ଏତେ ଖରାରେ କେହି କଣ ଏମିତି ଚାଲିପାରେ ଏକ ଏକା? ଇଏ ପ୍ରେମ ନୁହେଁ ତ ଆଉ କଣ? 

ତାକୁ ଅନେଇ ସରଜୁ ମନ ହେଉଥିଲା କହିଦେବ,"ତୋ ଠୁ ବେଶି ସ୍ୱପ୍ନ ମୁଁ ଦେଖେ। ଯେବେ କ୍ଲାସରେ ତୁ ନୋଟ ଲେଖୁଥାଉ, ମୁଁ ଲେଖା ବନ୍ଦ କରି ତୋତେ ଦେଖୁଥାଏ। ତୋ ମୁହଁ ଉପରେ , ଲୋଟି ପଡୁଥିବା କେଶକୁ ଯେବେ କଣ ପାଖେ ଖୋସି ଦେଉ, ବହୁତ ସୁନ୍ଦର ଦିଶୁ। ହଷ୍ଟେଲର କ୍ଷୀଣ ଆଲୁଅରେ ପଢି ବସିଲେ, ବହିରେ ମୁଁ ତୋ ମୁହଁ ଦିଶେ। ଲେଖା ସବୁ ଗପ ହେଇଯାଏ, ଆଉ ଗପ ସବୁ ଚିତ୍ର ଜୀବନ୍ତ ହେଇ ନାଚି ଉଠେ। ତୋ ସେ ଆଖି ଦି ଟା କେମିତି କେଜାଣି? ତାକୁ ଦେଖିଲେ ନିଦ ଆସିଯାଏ। ତୁ ମତେ ଚାହିଁ ଦେଲେ, ଧରା ପଡି ଗଲା ପରି ଲାଗେ। ତୁ କଣ ଭାବୁଛୁ, ତୋ କଥା ମୋତେ ଭଲ ଲାଗେନି। ଆଲୋ ଚଣ୍ଡୀ, ଏତିକି ଶୁଣିବା ପାଇଁ ମୁଁ ଜୀବନର ସବୁ ସଞ୍ଚୟ ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ହେଲେ, ମୋ ପାଖେ ଅଛି ବା କଣ ଯେ?" ହେଲେ କହି ପାରିଲାନି।


ଏମିତି ଚାଲୁ ଚାଲୁ ଦୋଛକି ଟେ ଆସେ। ସେଇଠୁ ଲିପି ଆଉ ସରଜୁ କୁ ଅଲଗା ହେବାକୁ ପଡେ। ଲିପି ପୁଣି କହିଲା, "ଚାଲୁନୁ!!"

- "ନା ରେ, ମୋର ଅନେକ କାମ। ପିଲାମାନେ ଅନେଇ ବସିଥିବେ। ମୁଁ ଗଲେ ତାଙ୍କୁ ପଢେଇବି। ତୁ ଯା, ପୁଣି କେବେ ଯିବି।" 

ଲିପି ମୁହଁ ଶୁଖେଇ ଚାଲିଗଲା। ତା ଯିବା ରାସ୍ତାକୁ 

ଚାହିଁ ରହିଲା ସରଜୁ। ଆଖିରୁ ଅନ୍ତର ହେବା ଯାଏ। 


ତା ପରେ, ଯେବେ ଦେଖା ହୁଏ ଲିପି ଆଉ ହସେନି, କଥା ବି ହୁଏନି। ନଜର ଆଡେଇ ପଳାଏ।ସାମ୍ନା ସାମ୍ନି ହୋଇଗଲେ, ମୁହଁ ବୁଲେଇ ନିଏ। ସରଜୁ ବୁଝି ପାରେନି। କଷ୍ଟ ହୁଏ ତାକୁ। ସେ ବୁଝେଇ ନିଏ ନିଜକୁ, ଏଇ ମୋହ ଯେତେ ଜଳଦି ତୁଟିଯିବ ସେତେ ଭଲ। ବେଶୀ କଷ୍ଟ ହେବନି। ଲିପି ମହମ କଣ୍ଢେଇ, ବାସ୍ତବ ଦୁନିଆର ଖରା ବାଜିଲେ ଏମିତି ତରଳି ଯିବା, ସ୍ୱାଭାବିକ। 

ଖରା ଛୁଟିରେ କଲେଜ ଛୁଟି ହୋଇଗଲା। ପଢ଼ାପଢିରେ ମନ ଦେଲା ସରଜୁ। ସେ ଜାଣେ ଏ ପାଠ ପଢ଼ା ତା ଦେଇ ହେବନି, ତଥାପି ସେ ଲାଗି ପଡି ଥାଏ। ଯେ ଯାହା ପିଲା ତାଙ୍କ ଘରକୁ ଯାଇଛନ୍ତି। ସେ ରହିଯାଇଛି। କୁଆଡେ ବା ଯିବ। କିଏ ବା ଅଛି ତାର ଏତେ ବଡ଼ ଦୁନିଆରେ। ଦିନେ ହଠାତ, ଚମକେଇ ଦେଇ ପଶି ଆସିଲା ଲିପି। ଖାଇ ବସିଥିଲା ସରଜୁ। ସିଧା ଆସି ବସି ପଡ଼ିଲା ତା ପାଖେ। ସରଜୁ କାବା ହେଇ ଦେଖୁଛି। ପଖାଳ କଂସାରେ ହାତ ବୁଡ଼େଇ କହିଲା, "ତୁ ତ ଆସିଲୁନି ମୋ ଘରକୁ। ମୁଁ ଚାଲି ଆସିଲି ତୋ ପାଖକୁ। ଆଜି ମୋତେ ବହୁତ ଭୋକ। ମୁଁ ଖାଇବି।" ସରଜୁ କହିଲା, "ତୁ ଏଗୁଡା ଖାଇବୁ? ତୋ ଘରେ ମାଛ ବେସର ଛାଡ଼ି ଏ ପଖାଳ ଆଳୁ ଭଜା ଖାଇବୁ?" ଆଖିରେ ଆଖି ମିଶେଇ କହିଲା, "ହଁ ଖାଇବି।ଯୋଉ ଶାନ୍ତି ଏଇ ପଖାଳ ଆଳୁ ଭଜାରେ ଅଛି, ସେତ ସେ ମାଛ ବେସରରେ ନାହିଁ। କଣ ଖୋଇବୁନି ସାଙ୍ଗରେ?" ସରଜୁ ପାଖେ ଉତ୍ତର ନଥିଲା। ଖାଇବା ଶେଷ କଲେ ସେମାନେ। ସୁସ୍ପଷ୍ଟ ତୃପ୍ତିରେଖାଟିଏ ଲିପି ମୁହଁରେ।ବାସନ ଉଠେଇ ସରଜୁ ନେଇ ଚାଲିଗଲା। ଲିପି ହାତ ଧୋଇ ଆସିଲା। ବସିଲେ ସେମାନେ, ସରଜୁ ପଚାରିଲା, "ତୁ କେମିତି ଆସିଲୁ ଏଠିକୁ? ତୋତେ କେହି ଅଟକେଇଲେନି?" "ହଁ, ପଚାରିଲେ "।ଲିପି ସହଜ ଉତ୍ତର ଟେ ଦେଲା। "କଣ କହିଲୁ?"ସରଜୁ ପଚାରିଲା, "କହିବାକୁ ପଡ଼ିଲାନି, ମୋ ସାଙ୍ଗ ରିମା ର ଭାଇ ତମ ହଷ୍ଟେଲ ୱାର୍ଡେନ,ସେ ଜାଣନ୍ତି ମୋତେ, କହିଲି ନୋଟ ନେବାକୁ ଆସିଛି।" "ତୁ କଣ ସତରେ ନୋଟ ନେବାକୁ ଆସିଥିଲୁ? ମୁଁ ତ ଯାହା ପାଠ ପଢେ, ସେଥିରେ ପୁଣି ମୋ ନୋଟ"। ସରଜୁ କହିଲା, 'ଆରେ ନାଇଁ, ତୋତେ ଦେଖିନଥିଲି ଅନେକ ଦିନ ହେଲା," ଚାଲି ଆସିଲି। ହସି କହିଲା ଲିପି।

ତୁ ପା ରାଗିଥିଲୁ ମୋ ଉପରେ? ସରଜୁ ଚିଡେଇବାକୁ ପଚାରିଲା।

"ହଁ ,ରାଗିଥିଲି, ହେଲେ କୋଉ ବେଶୀ ସମୟ ରାଗି ରହିପାରିଲି ଯେ।"ଲିପି ଉତ୍ତର ଦେଲା।

-"ଓଃ! ଏମିତି କଥା ତେବେ! ଆଉ କଣ କହ।" 

-"ନାଇଁ ଆଉ କିଛି ନାହଁ। ଘରେ ମିଛ କହି ଆସିଛି,ବଜାର ଯାଉଛି ବୋଲି। ଗଲା ବେଳେ କଣ ଗୋଟେ ନେଇକି ଯିବାକୁ ହେବ। ନୋଟ ଟେ ଦେ, ମୁଁ ଯାଏ।" ନୋଟ ନେଇ ଯିବାକୁ ବାହାରିଲା ଲିପି। ସରଜୁ ଅଟକେଇ ପାରିଲାନି। ତା ସାଙ୍ଗେ ଛାଡିବାକୁ ଗେଟ୍ ଯାଏ ଗଲା। ସେ ଗଲା। କେଡେ ଅଜବ ଝିଅଟା ସତେ! ହଷ୍ଟେଲକୁ ଚାଲି ଆସୁଛି। ଡର ନାହିଁ ତା ର। 

ସରଜୁ ବିଛଣାରେ ଶୋଇ ତା କଥା ଭାବୁଛି। କେହି ଜଣେ ଝରକା ପାଖେ ଠିଆ ହେବା ପରି ଲାଗିଲା। ସେ ଦେଖିଲା, ଲିପି । ସରଜୁ କହିଲା ,"କଣ ହେଲା? କିଛି ଭୁଲି ଗଲୁ କି?" ଲିପି କହିଲା, "ହଁ, ଭୁଲି ଯାଇଛି, କିଛି ଜିନିଷ। ଯାହା ତୋ ପାଖେ ରହିଲେ ବେଶୀ ସୁରକ୍ଷିତ।" ସରଜୁ କହିଲା, "କଣ ଇଆଡୁ ସିଆଡୁ କହୁଛୁ?" ଲିପି ସେ ଝରକା ଆର ପଟୁ ବଢ଼େଇ ଦେଲା, ଛୋଟ ଜରି ପକେଟ ଟେ। ସରଜୁ କହିଲା, "ଏଇଟା କଣ?" ଲିପି କହିଲା, "ଖୋଲି ଦେଖ"। ସରଜୁ ଖୋଲିଲା, ଗୋଟେ ସାର୍ଟ। ଲିପି କହିଲା, "ପ୍ଲିଜ ମୋ ରାଣ ତୋତେ, ଫେରେଇବୁନି। ମତେ କଷ୍ଟ ହେବ। ନୂଆ କରି ସିଲେଇ ଶିଖୁଛି। ତୋ ପାଇଁ ସାର୍ଟ ଟେ ତିଆରି କରିଛି ମୁଁ, ମୋ ନିଜ ହାତରେ। ପିନ୍ଧିବୁ। ସେଦିନ ଆମ ଘରକୁ ପାଚେରୀ ଡେଇଁ ଆସିଲା ବେଳେ ତୋ ସାର୍ଟ ଚିରି ଯାଇଥିଲା। ଆଜି ସମୟ ମୋତେ ସୁଯୋଗ ଦେଇଛି, ତୋ ପାଇଁ କିଛି କରିବାକୁ, କଣ ଏତିକି ଗ୍ରହଣ କରିବୁନି। ମୁଁ କଣ ତୋର କେହି ନୁହଁ? ଏଇଟା ପିନ୍ଧିଲେ ଲାଗିବ ଯେମିତି ମୁଁ ପାଖେ ଅଛି। "

ସରଜୁ ଝରକାର ମୋଟା ରେଲିଂ କୁ ଶକ୍ତ ଭାବେ ଚାପି ଧରିଲା। ଲିପି ଠିଆ ହୋଇଛି, ସେଇ କୃଷ୍ନଚୂଡ଼ା ଗଛ ମୂଳେ। ତାକୁ ଚାହିଁ,ହସୁଛି ଖିଲଖିଲ ହୋଇ ମୁକ୍ତ ଝରଣାଟେ ପରି,ସେ ହସରୁ ମୁକ୍ତା ସବୁ ଝରି ପଡୁଛନ୍ତି ,ବିନ୍ଦୁ ବିନ୍ଦୁ ପ୍ରେମ ହୋଇ , ଆଉ ସେ ପ୍ରେମରେ ଜୁଡୁବୁଡୁ ସରଜୁର ଆତ୍ମା।



Rate this content
Log in

Similar oriya story from Romance