Sudhir Mohapatra

Romance

2  

Sudhir Mohapatra

Romance

ଜେଜେଙ୍କଠାରୁ ଶୁଣିଥିବା ପ୍ରିୟ ଗଳ୍

ଜେଜେଙ୍କଠାରୁ ଶୁଣିଥିବା ପ୍ରିୟ ଗଳ୍

6 mins
561


ତା’ ବା’କୁ ଛାଡି ମା’ ତା’ର କେତେଦିନଠାରୁ ଚାଲି ଯାଇଥିଲା ସେକଥା ମନେ ନ ଥିଲା ଶୁକ୍ରୀର । ସେ ଯେତେବେଳେ ଏଡିକି ବକଟେ ପିଲା ଥିଲା , ସେତେବେଳେ ତା’ ମା’ ତାକୁ ଛାଡି ଚାଲିଯିବା କଥା ରଇବାରିର ମା’ ନିଶାମନୀ କହୁଥିଲା ତାକୁ । ବା’ କୁଆଡେ କିଛି କାମକୁ ପଳେଇଲେ ଶୁକ୍ରୀ କ’ଣ ଖାଇବ କି କୋଉଠି ରହିବ ସେକଥା କେବେ ବି ଚିନ୍ତା କରୁ ନ ଥିଲା । ହେଲେ, ଗାଆଁ ଲୋକେ ତାକୁ ମାଣ୍ଡିଆ ପେଜ ଦେଇ , ଶୁଖିଲା କେନ୍ଦୁ , ମହୁଲ ସିଝା ଏମିତିକି କେସୁର କନ୍ଦା, କାଠକନ୍ଦା ସିଝା ଖାଇବାକୁ ଦଉଥିଲେ । ଏଡିକି ଟିକେ ପିଲା କହି , ପାପ ବିଚାରୁ ଥିଲେ ସେମାନେ । ବା’ ସଂଜ ବେଳକୁ ଲନ୍ଦା କି ପେଣ୍ଡମ୍ ପେଟେ ପିଇ ହଲିଝୁଲି ଘରକୁ ଆସେ । ଘର ଭିରତରକୁ ଯାଇପାରେନି । ଦାଣ୍ଡଦୁଆରେ ଢୁଳିଦିଏ ନିରିମଳ ମାଟି ଉପରେ । ଅନ୍ଧାର ବଢିଯାଏ । ରାତିର କଳା ଆଖି ଭିତରେ ହଜିଯାଏ ବଣରାଇଜ । 

ଗାଆଁସାରା ଲୋକ ଶୋଇ ଯାଆନ୍ତି ଯିଏଯୁଆଡେ । ଶୁଆ, ଚେପକି, ଜାନକୀ ଆଉ ରୁକୁମନୀ ସବୁ ଶୁକ୍ରୀକୁ ଡାକନ୍ତି ସେମାନଙ୍କ ପାଖରେ ଶୋଇବାକୁ । ହେଲେ , ସେ ଯାଇ ପାରେନି । କାହିଁକି ନା, ତା’ ବା’ ଘର ଆଗରେ ମାଟି ଉପରେ ରାତିସାରା ଶୋଇ ରହିଲେ , କେତେବେଳେ ବାଘ କି ଭାଲୁ ଆସି ତାକୁ ଖାଇଦେବେ । ଏମିତି କେତେ ଭୟରେ ଏଡିକି ବକଟେ କୁନି ଝିଅ ଶୁକ୍ରୀ ତା’ ବାପାର ନିଶା ଛାଡିବା ଯାଏଁ ରାତି ରାତି ଜଗିରହେ । ତାକୁ ଯେତେବେଳେ ଅଧିକ ଡର ଲାଗେ ବାପାର ଟାଙ୍ଗିଆଟାକୁ ପାଖରେ ରଖେ ଆଉ ଡିବିରି ହୁଳାକୁ ଅଧିକ ଜାଳି ଦାଣ୍ଡ ଅଗଣାକୁ ଆଲୁଅ କରୁଥାଏ । ନିଶା ଛାଡିଗଲାପରେ ବାଉଳି ଖାଇ ଘର ଭିତରକୁ ଚାଲିଯାଏ ଶୁକ୍ରି ବା’ । ତଥାପି ପାଖରେ ଥିବା କୁନି ଝିଅ ଶୁକ୍ରୀ କଥା ଚିନ୍ତା କରେନି । ଶୁକ୍ରୀ ମନମାରି ବା’ ପଛେ ପଛେ ଘର ଭିତରକୁ ଚାଲିଯାଏ ଆଉ ଦାଣ୍ଡଦୁଆରେ ବାଉଁଶତାଟିଟାକୁ ବେଢେଇ ଦିଏ । 

କେତେବେଳେ ରାତି ପାହି ଯାଏ ଜାଣି ପାରେନି ଶୁକ୍ରୀ । ସବୁ ଦିନ ପରି ବା’ ଚାଲିଯାଏ ତା’ ବାଟରେ । ପୁଣି ସଂଜ ହେଲେ ଭଣ ଭଣ ଗନ୍ଧିଆ ପାଟିରେ ଘରକୁ ଆସେ , ହେଲେ ପିଣ୍ଡା ଉପରକୁ ଚଢିପାରେନି । ଢୁଳିଦିଏ ତଳେ ମାଟି ଉପରେ । 

ଶୁକ୍ରୀ ଧାଙ୍ଗିଡି ହେଲା । ତା’ ମନ ଭିତରେ କେତେକଥା ଜନମ ନେଲା । ମନ ଭିତରେ ଭିତରେ ସେ ପାଖ ଗାଆଁର ନାଇକ ଘରର ସାନଟା ବେଟା ସମ୍ବାରୁକୁ ମନକଲା । କେବେ କେବେ କନ୍ଦାଯୋଡି ନାଳରେ ପାଣିଗାଧେଇବାକୁ ଗଲେ ସମ୍ବାରୁ ସାଥିରେ ତା’ର ଭେଟ ହେଇଯାଉଥିଲା । ଭେଟ ଏମିତି ତ ହଉ ନ ଥିଲା , ଦୁହେଁ ଜାଣି ଜାଣି ଦେଖା ହଉଥିଲେ । ସମ୍ବାରୁ ବଣ ଭିତରୁ ପାଚିଲା କେନ୍ଦୁ ଆଉ ଚାର କୋଳି ଆଣି ଦଉଥିଲା ଶୁକ୍ରୀକୁ । ଶୁକ୍ରୀ, କେବେ କେବେ ଥୁରୁଥୁରି ଯାଉଥିବା ଶୀତରେ ସମ୍ବାରୁକୁ ଡାକି ଗିଲାସରେ ଗିଲାସେ ଧରେଇ ଦଉଥିଲା ନାଲି ଚା । ଖୁବ୍ ଶାନ୍ତିରେ ପିଇ ଯାଉଥିଲା ସମ୍ବାରୁ । 

ଏମିତି କେତେ ଦିନ ହେଲା ସମ୍ବାରୁ ଆସିଲାନି ଶୁକ୍ରୀର ଗାଆଁକୁ । କିଏ କହିଲା, ସମ୍ବାରୁ କୁଆଡେ ଶୁକ୍ରୀର ଗୋଡକୁ ପାଏଁରି , ରଙ୍ଗିମଖା ଲୁଗା ଆଉ ଗଡିଆ ମାଇଝିମାନେ ପିନ୍ଧୁଥିବା ସୁନ୍ଦୁରିଆ ସୁନ୍ଦୁରିଆ କାମିଜି ଆଣିବାକୁ ମନକରି ଡାବୁ କମେଇବାକୁ ଆନ୍ଧାରାବାଟେ ପଳେଇଚି । ଶୁକ୍ରୀ ଭାରି ମନବ୍ୟସ୍ତ କଲା । ସମ୍ବାରୁ ବିନା ସେ ଆଉ ଚଳି ପାରିଲାନି ଘଡିଏ । ବାପା ପେଣ୍ଡମ୍ ନିଶାରେ ଏବେ ଖୁବ୍ ଉତ୍ପାତ ହଉଚି ସଂଜହେଲେ । ମାରିବି ହାଣିବି ହଉଚି । ହେଲେ , ଆଗର ପରା ଆଉ ତାର ବପୁ ନାଇଁ । ସେମିତି ରାଗ ରିଶା ହେଇ ଢୁଳି ଦଉଚି ଅଗଣାରେ ମାଟି ଉପରେ । 

ବେଳେବେଳେ ଶୁକ୍ରୀ ଭାବୁଥିଲା , ଏ ବା’ କି ମଣିଷ କେଜାଣି । ମା’ କୁଆଡେ ଆକୁ ଛାଡି ଉଠିଗଲା ବୋଲି ମତେ ଦୋଷ ଦେଇ ଖୁବ୍ ସାଧିଲାଣି । ଆକୁ ଛାଡି ମୁଁ ମିଶା ମୋର ମାଆ ପରା କୁଆଡେ ଉଠିଯାଇପାରନ୍ତି । ହେଲେ, ମୋ’ ବା’ର କ’ଣ ହବ ! ଏମିତି ଅନେକ କଥା ଭାବୁଥିଲା ଶୁକ୍ରୀ । ଶୁଆ କହୁଥିଲା , ତୁ ଧାଙ୍ଗିଡି ହେଲୁ । ଆସୁନୁ ଧାଙ୍ଗିଡି ବସାରେ ଶୋଇବୁ । ଶୁକ୍ରୀ ସଫା ସଫା ମନା କରୁଥିଲା । କହୁଥିଲା, ତୋର ବା’ ପାଖରେ ସିନା ପଦୁଆଁ ଆତା ଅଛି ଯେ ତା’ର ଯତନ ନବ । ହେଲେ , ମୋର ମା’ ତ ଘରେ ନାଇଁ । ମୋର ବା’ ଏନ୍ତି ତଳେ ଢୁଳିଥିଲେ , ତାକୁ କିଏ ଉଠେଇବ କହିଲୁ , କହି କାନ୍ଦିଲା ଶୁକ୍ରୀ । ନହେଲେ କି ମୁଁ ତମର ପରା ଧାଙ୍ଗିଡି ବସାରେ ଶୋଇବାକୁ ଯାଆନ୍ତିନି ଶୁଆ ? ମୋର ମିଶା ମନ୍ ବୋଲି ଗୋଟେ ଅଛିରେ । ମୁଇଁ ମିଶା ମନ୍କୁ ଶରଧା କରିବାକୁ ଇଚ୍ଛା ହେଲାଣି । ହେଲେ, ତୁ କହ ଶୁଆ ! ଧାଙ୍ଗିଡି ଟୋକିର ମନ୍ କ’ଣ ଏନ୍ତି ? 

ସେଦିନ ଆଉ ନିଜକୁ ସମ୍ଭାଳି ପାରିଲାନି ଶୁକ୍ରୀ । ଶୁଆ ଆଉ ଚେମଟିକି ପାଖକୁ ଡାକି କହିଲା, ମୋର ବା’ ତ ମତେ ଦିନେହେଲେ ଟୋକି ବୋଲି ଶରଧା କଲାନି । ମାଆ ମିଶା ତା’ ଦିହରୁ ଟୋପେ ରସ ଦେଇନି ମତେ । ରାଇମନୀ, ଦଇମତି, ଶୁବୁତା, ଦୁରୁପୁତା କାକି ଥିଲେ ବୋଲି ମୋର ଏ ଜୀବନ୍ ରହିଲା । ନହେଲେ କି ମୁଁ ତମର ସାଙ୍ଗରେ ସାଙ୍ଗ ହେଇ ଏନ୍ତି ବୁଲୁଥାନ୍ତି ଶୁଆ ? ଶୁକ୍ରୀର ମନର ଦୁଃଖକୁ ବୁଝୁଥିଲା ଶୁଆ । ତା’କୁ ବୁଝେଇବାକୁ ଯାଇ କହିଲା, ତୁ ଆଉ ମନ ଦୁଃଖ କର୍ନା ଶୁକ୍ରୀ । ସେ ଦିନର୍ ଦିନ କାଲ ଆଉ ନାଇଁ । ତୋର ବା’ ମିଶା ଅଧିକ ଡକରା ହେଇଗଲାନି । କେତେବେଲେ କୋଉ କଥା ହବ ତୁ ମିଶା ଜାଣିପାରିବୁନି । ଟିକେ ଧରଯ୍ୟ ଧର । ବଳ ବପୁ ଥିବାବେଳେ ତ ତତେ ଝି ବୋଲି କହିଲାନି । ହେଲେ , ଏବେ ମରଣ କାଳକୁ ତୁ ଛାଡି ଉଠିଗଲେ କି ଲାଭ ହବ କହିଲୁ ? ତୁ ତ ଯେତେବେଳେ ଉଠିଯିବା କଥା ଗଲୁନି । ଏବେ ତୁ ଚାଲିଗଲେ ତୋର ବା’କୁ ପେଜ ଟିକେ କିଏ ଦବରେ ଶୁକ୍ରୀ ?

ଶୁଆ କଥା ଶୁଣି ଶୁକ୍ରୀ ଆଉ ଆଗକୁ ପଦେ ଚାଲି ପାରିଲାନି । ଭାବିଲା ସତ କଥା । ବା’ ଯେତେବେଳେ ମୁହଁକୁ ଚାହିଁଲାନି , ଆଦର କଲାନି - ସେତେବେଳେ ତ ଉଠିଯାଇ ପାରିଲିନି , ଏବେ କାହିଁକି ଯିବି ? ହେଲେ, ନାଇକ ଘରର ସମ୍ବାରୁ ପିଲାକେ ମନ୍ ଦେଲିରେ ଶୁଆ । ସିଏ ମିଶା ମତେ ଆଶା ଦେଇକରି କୁ ବାଟେ ଉଠିଗଲା , ଜାଣି ପାରିଲିନି । 

ବା’ର ମଲା ଦେହଟା ଉପରେ ମୁଣ୍ଡ ପିଟି କାନ୍ଦୁଥିଲା ଶୁକ୍ରୀ । ବଣଖମଣ ଭିତରକୁ ନେଇ ଶୁକ୍ରୀ ବା’କୁ ନିଆଁ ଜଳେଇବାପାଇଁ ଲନ୍ଦା, ପେଣ୍ଡମ୍ ଆଣି ପହଂଚିଗଲେ ନୀଲ, ଡମୁ ଆଉ ଜିତ୍ରୁ । ପଛେ ପଛେ ଧାଉଁଥିଲା ଶୁକ୍ରୀ । ଡକରାକୁ ନିଆଁ ଲଗାଇବା ଜାଗାରେ କୁକୁଡା ପୋଡେଇକି ଖାଇବାକୁ ଦି’ଟା କୁକୁଡା ହାତରେ ଧରି ଆଗରେ ଚାଲିଥିଲା ଶୁକ୍ମନ୍ । ପଛେପଛେ ଲୋକମାନେ ଚାଲିଥିଲେ । ଶୁଆ ଧାଇଁଯାଇ ଶୁକ୍ରୀକୁ ପଛରୁ ଭିଡି ଧରି ଧଇର୍ଯ୍ୟ ଦଉଥିଲା । 

ବା’କୁ ନେଇ ଚାଲିଗଲେ ଗାଆଁ ଲୋକେ ବଣଖମଣ ଭିତରକୁ । ଶୁଆ ଶୁକ୍ରୀ ପାଖରେ ବସି ତାକୁ ବୁଝାସୁଝା କରୁଥିଲା । ଏତିକିବେଳେ ଦୁରୁପୁତା ଧାଇଁ ଆସି କହିଲା, ଶୁକ୍ରୀ ! ମହୁଲଭଟ୍ଟା ପାଖରେ ବାଘଡୁମା ଝିକି ନେଲା ନାଇକ ଘରର ସାନ୍ଟା ବେଟା ସମ୍ବାରୁକୁ । ଲୋକମାନେ ଦେକି ଯେତେ ରାଟୁପାଟି କଲେ , ହେଲେ ସେ ଡୁମାବାଘ ତାକୁ ନେଇକି ବଣଖମଣ ଭିତରକୁ ପଶିଗଲା ଟୋକି । ଶୁକ୍ରୀ ବାୟାଣୀ ପରା ହେଇଗଲା । କହିଲା, ମୋର ଭାଗ୍ୟରେ ଜଲକାମିନୀ ଏତିକି ଲେଖିଥିଲା ପରା କାକୀ । କହି ଖୁବ୍ କାନ୍ଦିଲା । କିଛି ସମୟ ରହିବା ପରେ କାହାକୁ କିଛି ନ କହି ଖୁବ୍ ଜୋର୍ରେ ଧାଇଁ ଗଲା ବଣଖମଣ ଭିତରକୁ । ଅନ୍ଧାର ଖୁବ୍ ମାଡିବସିିଥିଲା ସାରା ମୁଲକକୁ । ପେଣ୍ଡମ୍ ନିଶାରେ କାହାର ଆଉ ଟେର୍ ନ ଥିଲା ଗାଆଁସାରା । 

ସକାଳ ହେଲା । ଗାଈ,ଗୋରୁ ଧରି ବଣକୁ ଯାଉଥିବା ବେଳେ ଗାଇଆଳ ପିଲାମାନେ ଦେଖିଲେ ବାଘଡଙ୍ଗର ପାଖରେ ହାତରେ ମୁଣା ଧରି ମରି ପଡିଥିଲା ସମ୍ବାରୁ । ମୁଣା ଭିତରେ ଥିବା ରଙ୍ଗଟହଟହ ସୁନ୍ଦରିଆ ଲୁଗା, କାମିଜି ଦିଶୁଥିଲା ବାହାରକୁ । ତା’ର କିଛି ଦୂରରେ ପଡିଥିଲା ଶୁକ୍ରୀ । ସମ୍ବାରୁ ହାତରେ ଧରିଥିବା ପାଟି ଚକ୍ ଚକ୍ କରୁଥିଲା ଖରାତେଜରେ । 


କେନ୍ଦୁଗୁଡା ସରପଂଚ ଲିଙ୍ଗା ଭତରାଠାରୁ ସବୁ କଥା ଶୁଣିବା ପରେ ତାଙ୍କ ସହ ପାହାଡ ପାଖ ଜଳପ୍ରପାତ ନିକଟକୁ ଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଦେଖୁଥିଲା ମାଧୁରୀ । ରଘୁନାଥ କହିଲା, ଲିଙ୍ଗା ବାବୁ ! ବହୁ ଦିନରୁ ଏ କେନ୍ଦୁଗୁଡା ଆଉ ବାଘଡଙ୍ଗରର ଶୁକ୍ରୀ ପ୍ରପାତ ଦେଖିବାକୁ ଇଚ୍ଛା ଥିଲା ଆମର । ମୋ’ ବାପା ଏଇଠି ପନ୍ଦର ବର୍ଷ ଫରେଷ୍ଟ୍ ଗାର୍ଡ ଚାକିରି କରିଥିଲେ । ଏମିତି ଘଂଚ ଜଙ୍ଗଲ ଆଉ ବାଘ,ଭାଲୁର ଭୟ ପାଇଁ ବାପା କେବେ ମାଆ ଆଉ ଆମକୁ ଏଠିକୁ ଆଣି ନ ଥିଲେ । ହେଲେ, ସଦାବେଳେ ବାପା ଜେଜେଙ୍କୁ କହନ୍ତି ତାଙ୍କ ଚାକିରୀ ଜୀବନରେ ଘଟୁଥିବା ଘଟଣା ସବୁ । ବାପା ଚାଲିଗଲା ପରେ ଜେଜେ ଆମକୁ କହିଥିବା ପ୍ରିୟ ଗପ ଭିତରୁ ଏ ଶୁକ୍ରୀ ପ୍ରପାତ ଆଉ ସମ୍ବାରୁ ପାହାଡର କଥା ଖୁବ୍ ଛୁଇଁଥିଲା ମନକୁ । ହେଲେ, ସେ ଗପ ଭିତରେ ଯେ ଏମିତି କିଛି ସତ ଘଟଣା ଲୁଚି ରହିଚି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ମୋ ମନରେ ଗୋଟେ ପ୍ରଶ୍ନ ରହିଚି ଲିଙ୍ଗା ବାବୁ , ସତରେ କ’ଣ ଏ କେନ୍ଦୁଗୁଡା ପାଖାପାଖି କୋଉ ଗାଆଁରେ ନାଇକ ଘରର ସାନ୍ଟା ପିଲା ସମ୍ବାରୁ ଥିଲା , ଆଉ ଶୁକ୍ରୀ ବି ଥିଲା ?


ଲିଙ୍ଗା ଉତର ଦେଲା , ନାଇଁ - ସେକଥା ମୁଁ ବି କହିପାରିବିନି ଆଜ୍ଞା ! ମାତ୍ର ଆମର ଲୋକେ ଏବେ ବି ସେ କଥାକୁ ବିଶ୍ୱାସ କରନ୍ତି । ଶୁକ୍ରୀ ଆଉ ସମ୍ବାରୁର କଥାକୁ ଧାଙ୍ଗଡା ଧାଙ୍ଗିଡି ଆଜି ବି ମନପକେଇ ଭଲ ପାଆନ୍ତି , ମନ ଦିଅନ୍ତି । 


Rate this content
Log in

Similar oriya story from Romance