Sudhir Mohapatra

Inspirational

2  

Sudhir Mohapatra

Inspirational

ଜୀବନ୍ତ ପ୍ରେମ

ଜୀବନ୍ତ ପ୍ରେମ

6 mins
500


ଚାକିରୀରୁ ଅବସର ନେଲାପରେ ଏକାକି ଜୀବନ ଜିଇବା ଖୁବ୍ କଷ୍ଟଦାୟକ ହୋଇଯିବ ,ଆଦୋ ଚିନ୍ତା କରିନଥିଲେ ବିନୋଦ ବାବୁ । ଭାବିଥିଲେ ହୁଏତ ଅବସର ପରେ ତାଙ୍କର ସମୟ କଟିବାରେ କୌଣସି ଅସୁବିଧା ହବନି ।

କିନ୍ତୁ, ଭାବନା ଓଲଟି ଗଲା । ସ୍ତ୍ରୀ ରୂପା ଚାଲିଯିବା ଖୁବ୍ ବ୍ୟଥିତ କରୁଥିଲା ତାଙ୍କୁ । ଆସନ୍ନ ବିପଦର କିଂଚିତ୍ ସୂଚନା ସେ ଜାଣି ପାରି ନ ଥିଲେ । ସୁସ୍ଥସବଳ ଶରୀର ଭିତରେ ଯେ ପେନ୍ଥି ହେଇଥିଲା ଏତେ ଅସାଧ୍ୟ ରୋଗ , ସେ କେବେ ବି ଅନୁଭବ କରି ନ ଥିଲେ । 

ରୂପା ଡେପୁଟି କମିଶନର୍ ବିନୋଦ ପଟେଲଙ୍କ ସ୍ତ୍ରୀ । ଚଳଣି ଖୁବ୍ ସାଦାସିଧା । ଚଳଣୀରେ କେବେ ବଡଲୋକି ନ ଥିଲା । ଘରର କାମଦାମ କରିବା ପାଇଁ ସେ କେବେ ହେଲେ ଅନ୍ୟ ଉପରେ ନିର୍ଭର କରନ୍ତିନି । ଘର ଆଗରେ ବାଲ୍କୋନୀରେ ଥିବା ଫୁଲକୁଣ୍ଡରେ ନିଜେ ପାଣି ଦିଅନ୍ତି । ଗାର୍ଡେନ୍ରେ ଘାସର ଲନ୍ ଉପରେ ପାଣି ସ୍ପ୍ରେ କରନ୍ତି । ଏମିତିକି ପୋର୍ଟିକୋକୁ କେବେ କେବେ ଫିନାଇଲ୍ , ବ୍ଳିଚିଙ୍ଗ୍ ପକାଇ ନିଜେ ସଫା୍ କରିବାକୁ ଭଲପାଆନ୍ତି । ଏମିତି କିଛି ନିଜକାମ ନିଜେ କରିବାରେ ତାଙ୍କର ଥିଲା ଅପୂର୍ବ ଆନନ୍ଦ ।  

ସୁଲା , କେବଳ ନାମକୁ ମାତ୍ର ଘରେ ଚାକରାଣୀ ହୋଇ ରହିଥାଏ ସିନା , କିନ୍ତୁ କାମ କଲାବେଳେ ରୂପାଦେବୀ ସବୁ ଘର କାମ କରି ଆନନ୍ଦ ପାଆନ୍ତି । ଏମିତିକି ୱାସିଙ୍ଗ୍ ମେସିନ୍ରେ ଲୁଗାପଟା ସଫା କଲା ପରେ ନିଜେ ଧୁଆଧୋଇ କରନ୍ତି ରୂପା । ଖାଲି ସୁଲା ସେସବୁ ଲୁଗାପଟା ଇସ୍ତ୍ରି କରିଦିଏ , ଛାତ ଉପରେ ବେଳେବେଳେ ଶୁଖାଶୁଖି କରିଦିଏ । ଥାଳିଗିନା ଦି’ଚାରିଟା ସଫା କରିଦେଇ ଘରଟାକୁ ଟିକେ ଝାଡୁ ମାରିଦେଲେ ତା କାମ ସରିଗଲା । ତଥାପି ରୂପାଙ୍କୁ ଭଲ ଲାଗେନି , ସେ ନିଜେ ଟିକେ ଝାଡୁ ନ ଧରିଲେ । 

ଏମିତି ଅନେକ କଥା ମନେ ପକେଇ ଆଖିକୁ ଲୁହ ଛଳଛଳ କରିଦେଉଥିଲେ ବିନୋଦ ବାବୁ । ଅନେକ ଥର ସେ କହିଛନ୍ତି , ଭ୍ୟାକୁମ୍କ୍ଳିନର୍ ଗୋଟେ ଆଣିଦେବାକୁ । ରୂପାଦେବୀଙ୍କର କିନ୍ତୁ ସେଇ ଗୋଟିଏ କଥା , ଯନ୍ତ୍ରର ବ୍ୟବହାର ସବୁକ୍ଷେତ୍ରରେ ଭଲ ନୁହଁ । ମତେ ତ କିଛି କରିବାକୁ ଦିଅ । ନହେଲେ ଦେଖିବ ମତେ ସୁଖ ଦବାକୁ ଯାଇ କୋଉ ଦିନ ମୋ ବସା-ଉଠାଠୁ ଆରମ୍ଭ କରି ଖିଆପିଆ ସବୁଥିପାଇଁ ତମକୁ ଯନ୍ତ୍ରର ସାହାଯ୍ୟ ନବାକୁ ହବ । 

: ଦୀର୍ଘଶ୍ୱାସ ଛାଡିଲେ ବିନୋଦ ବାବୁ ! କହିଲେ, ବିଚାରି ! ସେତକ ହେଲେ କରିବାକୁ ଦେଇଥାନ୍ତା କି ! ତାର ଗୁହ,ମୁତ କରିବାର ସୁଯୋଗ ଦେଲାନି । କେତେବେଳେ କୋଉ କାମରେ ଟିକେ ହାତ ମିଶେଇ ଦେଲେ- କହି ହଉଥିଲା , ଛିଃ .. ମତେ ନର୍କରେ ପକେଇବନା କଣ ? ମୁଁ ତମ ସ୍ତ୍ରୀ । ମୋ ଲୁଗାପଟା ତମେ ଶୁଖେଇବନି କି ତୋଳି ଆଣିବନି । ଏମିତି ଯିଏ କହୁଥିଲା , ସେ କଣ ସତରେ ତା ଗୁହମୁତ କରିବାକୁ ଦେଇଥାନ୍ତା ! ହଁ, ତାର ଗୋଡହାତ ନ ଚଳିଥିଲେ ସେ ମତେ ବାରଣ କରିଥାନ୍ତା କି ନାଇଁ ଜାଣିନି । ତଥାପି ମୁଁ ଚିନ୍ତା କରୁଚି ସ୍ୱାମୀ , ସ୍ତ୍ରୀର କିଛି ସେବା କରିବାରେ ଅସୁବିଧା କୋଉଠି ରହିଲା ? ଜୀବନ ସାରା ସେ ଖାଲି ସ୍ୱାମୀର ସେବା କରିବ ... ଅଥଚ ସେ ଅସୁସ୍ଥ ହେଲେ , କଣ ସ୍ୱାମୀ ତାର ସେବା କରିବା ପାପ ! ଗ୍ରହଣ କରିପାରୁ ନ ଥିଲା ବିନୋଦ ଏ ଫିଲୋସଫିକୁ । 

: ନିଜକୁ ନିଜେ ପୁଣି ପ୍ରଶ୍ନ କରୁଥିଲା , ହଁ କାହାପାଇଁ ମୋର ଏ ଯୁକ୍ତି ? ସେ ତ ଚାଲିଗଲା । ପୁଣି ଚିନ୍ତାକଲା, ମୋ ରୂପା ସିନା ଚାଲିଗଲା । ହେଲେ, ଏ ସମାଜରେ ଅନେକ ରୂପା ଅଛନ୍ତି । ତାଙ୍କୁ ତ ଏ ନ୍ୟାୟ ମିଳିବା ଉଚିତ୍ । 

ବିନୋଦ ବାବୁ ଭାବୁଥିଲେ , ରୂପା ଚାଲିଯିବା ତାଙ୍କ ପାଇଁ ଏକ ଆକସ୍ମିକ ଧକ୍କା । ରୂପା ଚାଲିଯିବା ଆଗରୁ ଝିଅ ଜସ୍ମିନ୍ର ବିବାହ ସରିଯାଇଥିଲା । ସେ ବି ତା ଘର ସଂସାରରେ ବ୍ୟସ୍ତ । ଶଶାଙ୍କ ଏବେ ଲଣ୍ଡନ୍ରେ । ଗୋଟିଏ ବୋଲି ପୁଅ ଆଉ ଗୋଟିଏ ବୋଲି ଝିଅ । ଖୁବ୍ ହସ ଖୁସିରେ ଦିନ ବିତୁଥିଲା ରୂପାକୁ ନେଇ । ନୟାଗଡରେ ତିନିମହଲା ଘର । ବ୍ୟାଙ୍କ୍ ବାଲାନ୍ସ୍ର ଅଭାବ ନାହିଁ । ଖାଲି ଯାହା ଅଭାବ....ଆପଆପଣର , ଆପଣା ଲୋକର । 

: ମୋବାଇଲ୍ ରିଂ ହେଲା । ଇତସ୍ତତଃ ମନଟା ଏକବାର୍ ସ୍ଥିର ହୋଇଗଲା ବିନୋଦର । ଫୋନ୍ ଉଠାଇ କଥା ହେଲା । ଭଲରେ କଥା ହେଇ ପାରିଲାନି । ଶଶାଙ୍କ, ବାବାଙ୍କୁ ବୁଝେଇବାକୁ ଚେଷ୍ଟାକଲା । କହିଲା, ବାବା ! ଜାଣିପାରୁଚି ତମେ ଏବେ ଖୁବ୍ ଏକାକୀ ଅନୁଭବ କରୁଥିବ । ମୁଁ ତେବେ ଏ ଭିତରେ ତମ ପାଖକୁ ଚାଲି ଆସୁଚି । ତମେ ପ୍ରସ୍ତୁତ ହୁଅ , ମୋ ସହ ଲଣ୍ଡନ୍ ଚାଲି ଆସିବ । ଆମେ ଦୁହେଁ ଏକାଠି ରହିଲେ , ହୁଏତ ତମ ମନ ଭଲ ରହିବ । ନଚେତ୍ ଜସ୍ମିନ୍ ଘରକୁ କିଛି ଦିନ ଚାଲିଯିବ ବାବା । ମୁଁ ଜସ୍ମିନ୍ ସହ କଥା ହଉଚି । 

ନିଜକୁ ନିଜେ ସମ୍ଭାଳି ନେଇ ବିନୋଦ ବାବୁ କହିଲେ, ଆରେ ପାଗଳା ! ତୁ ମତେ ଯେତେସବୁ ଅପ୍ସନ୍ ଦେଲୁ - ସେସବୁ କଣ ସମ୍ଭବ , କହିଲୁ ? ପ୍ରଥମ କଥା ଝିଅ ଘରେ ମୁଁ କେତେଦିନ ରହିପାରିବି କହ ? ଆଉ ଅନ୍ୟ କଥାଟି ହଉଚି ତୋ ପାଖରେ ରହିବା କଥା । ତୁ କଣ ସବୁ ସମୟରେ ମୋ ପାଖରେ ଥିବୁ କହିଲୁ । ତୁ ତ ତୋର ଡ୍ୟୁଟିରେ ଚାଲିଯିବୁ । ତାପରେ ମୁଁ ତ ଯୋଉ ଏକାକିକୁ ସେଇ ଏକାକି । ଆଉ ଜାଣିଚୁ , ଯଦି ତୋ ପାଖରେ ରହେ ତେବେ ଖାଲି ଏକାକି ନୁହଁ ଶଶାଙ୍କ ଆହୁରି ବଢିଯିବ ମୋ ଦୁଃଖ । ବିଦେଶରେ ମୁଁ ତୋର ଆଉ ତୁ ମୋର । ବାକି ସବୁ ଅଚିହ୍ନା ଅପରିଚିତ । କିନ୍ତୁ, ଏଇ ମୋ ଘର ପାଖର ଲୋକମାନେ ମୋ ସୁଖଦୁଃଖର ସାଥୀ ହେବେ । ତୋ ମାମି ଆଉ ତମମାନଙ୍କର ଅଭାବ ଅନୁପସ୍ଥିତି ମତେ କଷ୍ଟ ଦଉଚି ସିନା । ନହେଲେ, ବାକି ସବୁ ଚଳିଯିବ .... । ତୋ ସହ କଥା ହବା ଆଗରୁ ମୁଁ ତୋ ମାମି କଥା ଭାବୁଥିଲି । ତେଣୁ ସେ ଦେଇଯିବା ଦୁଃଖକୁ ଆଉ ରୋକି ପାରିଲିନି , ତୋ ସହ କଥା ହଉ ହଉ ଅନେକ ଚେଷ୍ଟା କରି ମଧ୍ୟ ମୋବାଇଲ୍ରେ ବି ଦୁଃଖ ଲୁଚେଇବାର ଅଭିନୟ କରିପାରିଲିନି । 

ଛାଡ୍ ବାବା ! ଆମ୍ ଓକେ । ମୁଁ ନିଜକୁ ଆଡ୍ଜଷ୍ଟ୍ କରିନେବି । ତୁ ଆଦୌ ବ୍ୟସ୍ତ ହବୁନି । ଆଉ କହ , ତୋ ଜବ୍ କେମିତି ଚାଲିଚି । ତୁ ତୋ କାମରେ ଖୁସି ତ ? ନାଇଁ ଯଦି କିଛି ଅସୁବିଧା ଲକ୍ଷ୍ୟ କରୁଚୁ ତେବେ ଚାଲିଆ । ତୁ ବଂଚିବା ପାଇଁ ମୁଁ ତ କିଛି ଅସୁବିଧା ରଖିନି । ପାଠ ପଢିଚୁ , ଯାହା ଚାହିଁବୁ ଏଇ ଓଡିଶାରେ ଥାଇ ବି କରିପାରିବୁ । ଆଉ କିଛି କହିବା ଆଗରୁ ଶଶାଙ୍କ ଫୋନ୍ ରଖିସାରିଥିଲା । ବୋଧହୁଏ ସେ ଓଡିଶାରେ ତାର କ୍ୟାରିୟର୍ ଗଢିବାକୁ ପସନ୍ଦ କରୁ ନ ଥିଲା । 

ୟା ଭିତରେ କେତେ ମାସ ବିତାଗଲାଣି । ଜସ୍ମିନ୍ କି ଶଶାଙ୍କ ସହ ଆଉ ସେତେଟା ମନଖୋଲା କଥା ହବାକୁ ସମୟ ନାହିଁ ବିନୋଦ ବାବୁଙ୍କର । ଖୁବ୍ ବ୍ୟସ୍ତବହୁଳ ଜୀବନ ଜିଉଛନ୍ତି ସେ । ରୂପାର କଥା ଆଉ ସେ ମନେପକେଇବାକୁ ବି ଫୁରୁସତ୍ ପାଉ ନାହାନ୍ତି । ଘରେ ସୁଲା ଏବେ ପ୍ରାୟ ଏକା ଏକା ରହେ । କହିବାକୁ ଗଲେ ସୁଲା ହଉଚି ଏବେ ଘରର ମାଲିକାଣି ।

 

ଶଶାଙ୍କ ଖୁବ୍ ବ୍ୟସ୍ତ ହଉଥିଲା । ସୁଲାକୁ ବାରମ୍ବାର ପଚାରୁଥିଲା , ତୁ କଣ ବାବାଙ୍କ ଟାଇମ୍ଟେବୁଲ୍ କିଛି ଜାଣିନୁ ? ମୁଁ ଲଣ୍ଡନ୍ରୁ ଆସି ଭୁବନେଶ୍ୱରରେ ପହଁଚିଗଲି , ହେଲେ ବାହାରିବାବେଳଠାରୁ ଫୋନ୍ରେ ଯୋଗାଯୋଗ କରି ବାହାରିଲି । ଆସିକି ପହଁଚିଲି , ଅଥଚ ବାବାଙ୍କ ଦେଖାନାହିଁ । ଏ ଘରଟାକୁ ତୁ କଣ କରି ରଖିଚୁ , ଏତେ ପିଲା କଣ ଏଠି ?

ଘର ଆଗରେ ଗାଡିର ହର୍ଣ୍ଣ ଶୁଭିଲା । ବାହାରକୁ ଯାଇ ଶଶାଙ୍କ ଦେଖିଲା ଦୁଇଜଣ ଲୋକ ଗୋଟାଏ ସାଇନ୍ବୋର୍ଡ ଟେକି ଆଣି ଗେଟ୍ ଉପରେ ଲଗୋଉଚନ୍ତି । ଶଶାଙ୍କ ଆଗକୁ ଯାଇ ଦେଖିବାକୁ ଚେଷ୍ଟା କଲା । ବାବାଙ୍କୁ ଦେଖି ପାଦତଳେ ମୁଣ୍ଡିଆ ମାରି କହିଲା, ବାବା ! ଏ କଣ ? 

: ବିନୋଦ ବାବୁ ଉତର ଦେଲେ, ଶଶାଙ୍କ ! ଏ ଘର ସାମ୍ନାରେ ଥିବା ହଳଦିଆ କୋଠାଘରଟି ମୁଁ ତୋପାଇଁ କିଣି ଦେଇଚି । କିନ୍ତୁ , ଏ ଘରକୁ ଗୋଟିଏ ଅନାଥଆଶ୍ରମ କରିବାକୁ ସ୍ଥିର କରି ମୁଁ କାର୍ଯ୍ୟକାରି କରିବାକୁ ଯାଉଚି । କିଛି କହିବାକୁ ଇଚ୍ଛା କରୁଥିଲା ଶଶାଙ୍କ । ବିନୋଦ ବାବୁ କହିଲେ, ଦେଖ୍ ବାବା ! ମୋର ବିଶ୍ୱାସ ମୋ ପିଲାମାନେ ମୋ କରିବା କାମକୁ କେବେ ମଧ୍ୟ ବିରୋଧ କରିବେନି । ତେଣୁ ତୁ ମଧ୍ୟ

ବାବାଙ୍କ କଥା ଶୁଣି ନୀରବ ରହିଲା ଶଶାଙ୍କ । କିନ୍ତୁ , ବେଶି ସମୟ ନୀରବ ରହିପାରିଲାନି ସେ । ପଚାରିଲା, ବାବା ! ହଠାତ୍ ଏ ନିଷ୍ପତି ?

: ବିନୋଦ ବାବୁ କହିଲେ, ବାବାରେ ମୁଁ ଯେତେବେଳେ ଅନୁଭବ କଲି କି ମୁଁ ସୁଲାର ପ୍ରେମରେ ପଡିଯାଇଚି ଆଗକୁ ଆଉ ଅଧିକ ପଦେ ବି କହିବାକୁ ସୁଯୋଗ ଦେଲାନି ଶଶାଙ୍କ । ଖୁବ୍ ଧିକ୍କାର କଲା ସେ । କହିଲା, ତେବେ ମାମିକି ହରେଇବା ପରେ ତମେ ତାର ଅଭାବର ଫାଇଦା ଉଠାଇବା ନାଆଁରେ ଅଭିନୟ କରୁଥିଲ ନା ବାବା ! କହି , କାନ୍ଦିବାକୁ ଲାଗିଲା । 

ବିନୋଦ ବାବୁ ଶଶାଙ୍କ କାନ୍ଧରେ ହାତ ଥାପି କହିଲେ, ତୁ ମତେ ଭୁଲ୍ ବୁଝୁଚୁ ଶଶାଙ୍କ । ସୁଲାର ଜୀବନ କାହାଣୀ ମତେ ତା ଦୁଃଖଭରା ଦୁନିଆର ପ୍ରେମରେ ବାନ୍ଧିଦେଲା ; ଯୋଉଦିନ ଏ ସୁଲା ତା ହଜିଲା ଦିନର କଥା ସବୁ କହି କହି ପିଇଯାଉଥିଲା ଆଂଜୁଳା ଆଂଜୁଳା ଲୁହ । ସେଦିନ ମୁଁ ନିଷ୍ପତି ନେଲି ସୁଲା ପରି ନିଃସହାୟଙ୍କ ପାଇଁ ଗୋଟେ ଅନାଥ ଆଶ୍ରମ କରିବି । ତମେମାନେ ଯିଏଯୁଆଡେ ରହିଲେ ମଧ୍ୟ ମୁଁ ସେଇ ପିଲାମାନଙ୍କ ଗହଣରେ ବାକି ଜୀବନ କଟେଇ ଦେବି । ଏ ପ୍ରେରଣା ମୁଁ ତୋ ମାମିଠୁ ପାଇଥିଲି । କାରଣ , ମୁଁ ବି ସେଦିନ ତୋ ମାମିକୁ ଖୁବ୍ ନିଃସହାୟ ଅବସ୍ଥାରେ ଉଦ୍ଧାର କରିଥିଲି । ରୂପା ଯେ ସଂସାରରେ ଏକାକୀ, ତାର ନିଜର ବୋଲି କେହି ନାହିଁ - ଜାଣିବା ପରେ ,ଜୀବନସାଥୀ ରୂପେ ଆଦରି ନେଇଥିଲି ସବୁଦିନ ପାଇଁ । 

ଶଶାଙ୍କ ବିନୋଦ ବାବୁଙ୍କ ପାଦଧରି କଇଁ କଇଁ ହୋଇ କାନ୍ଦୁଥିଲା କଅଁଳ ଶିଶୁଟିଏ ପରି । ବିନୋଦ ବାବୁ ତାକୁ କୋଳକୁ ଟାଣି ଆଣି ଆଦର କରୁଥିଲେ । ଦୁହେଁ ଦେଖୁଥିଲେ କାନ୍ଥରେ ଝୁଲୁଥିବା ରୂପାର ସତେଜ, ସରଳ ଓ ହସହସ ଜୀବନ୍ତ ତୈଳଚିତ୍ରକୁ । 


                                        

  


Rate this content
Log in

Similar oriya story from Inspirational