Sudhir Mohapatra

Drama Others

3  

Sudhir Mohapatra

Drama Others

ଖରାପ ସ୍ୱପ୍ନ

ଖରାପ ସ୍ୱପ୍ନ

8 mins
595



ଅଫିସ୍ ଟାଇମ୍ ହବା ଆଗରୁ ମଥୁରା କିନ୍ତୁ ସବୁଦିନ ବଡବାବୁଙ୍କ ଓଭର୍ କୋଟ୍ ଆଉ ପାନ ଡବାଟାକୁ ଟେବୁଲ୍ ଉପରେ ଆଣି ରଖିଦିଏ । ବେବିନା ଦିଦିଙ୍କ ଭ୍ୟାନିଟ୍ ବ୍ୟାଗଟାକୁ ମଧ୍ୟ ଆଣିବାକୁ ଭୁଲି ନ ଥାଏ । ବଡବାବୁଙ୍କ ନୁଙ୍ଗୁଡିଆ ବୁଦ୍ଧି ଆଉ ବେବିନା ଦିଦିଙ୍କ ଷ୍ଟାଇଲ୍ ଖୁବ୍ ଚର୍ଚ୍ଚାର ବିଷୟ ଏବେ ଏବେ ଅଫିସ୍ ରେ । ବଡବାବୁ କି ବେଳାରେ କେଜାଣି ବେବିନା ମଡାମଙ୍କ ପାଲରେ ପଡିଗଲେ ଯେ , ଏବେ ଘର ସଂସାର ପ୍ରାୟ ଭୁଲି ଗଲେଣି । ଘରୁ ମା’ ବାବୁଙ୍କ ପାଇଁ ଟିଫିନ୍ କ୍ୟାରେଜ୍ ରେଡି କରି ଦେଉଥିବା ହାତରନ୍ଧା ଖାଦ୍ୟ ଆଉ ତାଙ୍କୁ ଆଜିକାଲି ଭଲ ଲାଗୁନି । ପର ବାଡିରେ ମୁହଁ ମାରି ଖାଇବା ଶିଖିବା ପରେ ଘରୁଆ ଷଣ୍ଢ କି ଆଉ ଘରେ ସ୍ଥିର ହୋଇ ରହେ , କହିଲା ମଥୁରା । ନିଗମାନନ୍ଦ ସାରେ ଭାରି ପାରିବାର ଏ ଦିଗରେ । କାହା ଟେବୁଲ୍ ପାଖରେ କିଏ ଜାଣି ଶୁଣି କଲମ ପକେଇ ଦେଇ ଖୋଜିବା ନାଆଁରେ ସେ ଜାଗାକୁ ଆସି ଫିସଫିସ କଥା ହଉଚି ,କି ମୁଚୁକି ହସି ଚାଲି ଯାଉଚି ଏକଥା ଖୁବ୍ ଜଣା ତାଙ୍କୁ । ତାଙ୍କ ସୋଢାକାଚ ପରା ମୋଟା ଚଷମା ଗ୍ଲାସ୍ ସତେ ଯେମିତି ଚଷମା ନୁହେଁ ତ ସେଟା ଗୋଟେ ପାୱାର୍ଫୁଲ୍ ସିସି କ୍ୟାମେରା । ତେଣୁ ପୁରା ଡିଟେକ୍ଟିଭ୍ ଷ୍ଟାଇଲ୍ ରେ ମଥୁରା କାନ୍ଧରେ ହାତ ପକେଇ ବାପା ଧନ କରି ବଡବାବୁ ଆଉ ମିସ୍ ବେବିନାଙ୍କ ବିଷୟରେ କିଛି କଥା ସଂଗ୍ରହ କରିବାକୁ ଫାସ ପକେଇବା ବେଳକୁ ମ୍ୟାନେଜର୍ ସାର୍ ତାଙ୍କ ଚାମ୍ବରକୁ ଡାକୁଛନ୍ତି ବୋଲି କହିଗଲା; ଚପରାସୀ ଲଖଣ । ଅଳ୍ପକେ ବଂଚିଗଲା ମଥୁରା । ଦୀର୍ଘ ଶ୍ୱାସଟିଏ ଛାଡି କହିଲା, ଓହୋ ଭଗବାନ୍ ! ବୁଢା ଗଧିଆ ହାବୁଡରୁ ବଂଚିଗଲା ମଣିଷ । ନହେଲେ ତ ଏବେ ରାମ୍ପୁଡାବିଦରା କରିଥାନ୍ତା ।   

ଏବେ ନିଗମାନନ୍ଦ ବାବୁ ସମସ୍ତଙ୍କ ଟାର୍ଗେଟ୍ ରେ । ନୂଆ ନୂଆ ଚାକିରୀ ପାଇ ଆସିଥିବା ରୋମାଂଟିକ୍ ପର୍ସନାଲିଟି ହଉଛନ୍ତି ମ୍ୟାନେଜର୍ ଏକ୍ସ ମହାପାତ୍ର । ତାଙ୍କର ରୂପରେ ଅଫିସର ପୁରୁଣା ବୟସ୍କା କିରାଣୀ ମଧ୍ୟ ପଦେ ହସି କଥା ହେବାକୁ ଭାରି ଲୋଭ । ମ୍ୟାନେଜର୍ ମି. ଏକ୍ସଙ୍କ ନେମ୍ପ୍ଳେଟକୁ ଦେଖି କେହି ବି ତାଙ୍କ ପୁରା ନାଆଁଟା ପଚାରି ପାରୁ ନାହାନ୍ତି ସାରଙ୍କୁ । ତାଙ୍କ ନାଆଁଟା ଯେ କ’ଣ ହେଇଥିବ ;ଏବେ ତାକୁ ଜାଣିବାକୁ ଗୋଟେ ରକମ କସରତ ଚାଲିଚି ସମସ୍ତଙ୍କ ମଧ୍ୟରେ । ଫୁଲ୍ ସିଗ୍ନେଚର୍ ଗୋଟେ କୋଉଠି ବି ଦରକାର ହେଇନି ବୋଲି ଜାଣିପାରିନାହାନ୍ତି କେହି ହେଲେ । ସର୍ଟ ସାଇନଟା ମଧ୍ୟ ଖୁବ୍ କୁଂଚୁକୁଂଚିଆ । ତାର ଆଦି ଅନ୍ତ ବି ଧରାପଡୁନି । ନିଗମାନନ୍ଦ ବାବୁ ଗତକାଲି ସୁକୁଟି ମାଡାମ୍ ଆଉ କାଠିଆ ସାରଙ୍କ ସହ ମ୍ୟାନେଜରଙ୍କ ବିଷୟରେ କଥାବାର୍ତା ହେଇ ଖୁବ୍ ହସାହସି ହଉଥିବାବେଳେ ନିଜେ ଏକ୍ସ ସାରେ ଦେଖିଦେଇଥିଲେ । କିଛି କଥା ସେ ନିଜେ ଶୁଣିଦେଇଥିବା ପରି ଅନୁମାନ କରୁଥିଲେ ନିଗମାନନ୍ଦବାବୁ । ତେଣୁ ତାଙ୍କ ଛାତି ତଳେ ପଡିଥିବା ଦଦରା ପଟରିଟା ଥରୁଥିଲା । ଉପରେ କିନ୍ତୁ ସୁପରଫାଷ୍ଟ୍ ଦଉଡେଇଲାବେଳକୁ ସେ ନିଜକୁ ସୁପରଫାଷ୍ଟ୍ ପାଇଲଟ୍ ଭାବୁଥିଲେ । ଏବେ କିନ୍ତୁ ଖୁବ୍ ହଡବଡ ହେଇ ଧାଉଁଥିଲେ ମ୍ୟାନେଜରଙ୍କ ଚାମ୍ବରକୁ । 


କିଛି ସମୟ ପରେ ମ୍ୟାନେଜରଙ୍କ ପାଖରୁ ଫେରୁଥିଲେ ନିଗମାନନ୍ଦ ବାବୁ । ହାତରେ ଧରିଥିବା ରୁମାଲ୍ ରେ ମୁହଁକୁ ସେ ଯେତେ ପୋଛିଲେ ମଧ୍ୟ ଝାଳ ଅଧିକ ବାହାରୁ ଥିଲା ସିନା ଶୁଖୁ ନ ଥିଲା । ମଥୁରା କାହାକୁ କିଛି ନ କହି , ଲିଟିରିକିଆ ଗିଲାସରେ ଗିଲାସେ ପାଣି ଆଣି ଥୋଇଦେଇ କହିଲା, ସାରେ ! ଆଗ ପିଇ ଦିଅନ୍ତୁ , ନହେଲେ ଆପଣଙ୍କର ସବୁତକ ଏମିତି ବୋହିଯିବ । ଆପଣ ଯେତେ ପୋଛିଲେ ମଧ୍ୟ ଆଉ ଶୁଖିବନି । ଏଇଟା କଣ ସାମାନ୍ୟ ରସ କି ଆଜ୍ଞା ? ଏଇଟା ପରା ମ୍ୟାନେଜର୍ ବାବୁଙ୍କ କଡା ତାଗିଦ୍ ରେ ମୂଷଳ ମାଡରେ ବୁଢା କିରାଣୀଙ୍କ ଛାନିଆ ରସ ବାହାରୁଚି । ମଥୁରାର କଥା ଶୁଣି ସମସ୍ତେ ଖୁବ୍ ହସି ଥିଲେ । ସମସ୍ତଙ୍କ ଠୋ ଠୋ ହସ ଶୁଭୁଥିଲା ମ୍ୟାନେଜରଙ୍କ ଚାମ୍ବରକୁ । ଏମିତି ଗହଳି ଶୁଣି ମ୍ୟାନେଜର୍ ବାବୁ ପୁଣି ଥରେ ଲଖଣ ହାତରେ ଖବର ଦେଲେ- ନିଗମାନନ୍ଦ ବାବୁଙ୍କୁ ଡାକି ଆଣିବାକୁ । 

ନିଗମାନନ୍ଦ ବାବୁ , ମ୍ୟାନେଜରଙ୍କ ଚାମ୍ବରକୁ ଯିବାକୁ ଭଲ କରି ମୁହଁ ପୋଛି ପ୍ରସ୍ତୁତ ହେଲେ । ହେଲେ , କ’ଣ ହବ । ତାଙ୍କ ମୁହଁ ଦେହ ଆଉ ଶୁଖିଲାନି । ବରଂ ଚଉକି ଦେଇ ଆଉରି ଅଧିକ ବୋହିବାକୁ ଲାଗିଲା । ସୁକୁଟି ମାଡାମ୍ ତାଙ୍କ ଛାମୁଦାନ୍ତ ଦି’ଟାକୁ ବାହାରକୁ ଲମ୍ବେଇଦେଇ କହିଲେ, ହଇରେ ମଥୁରା ! ନିଗମାନନ୍ଦ ବାବୁଙ୍କ ପାଇଁ ସେ ବାଥ୍ ରୁମ୍ ରୁ ବଡ ବାଲ୍ଟିଟା ଆଣି ପାଖରେ ରଖିଦେଇଥା । ନହେଲେ ବାବୁଙ୍କର ଯେତେ ବୋହି ଯାଉଚି , ବାଲ୍ଟି ନ ହେଲେ ରହିବ କୋଉଠି .... କହି କହି ହସି ହସି ଚାଲିଗଲେ ତାଙ୍କ ଚେୟାରକୁ । ଅନ୍ୟମାନେ ମଧ୍ୟ ରୋକି ପାରିଲେନି ନିଜର ହସ । ପୁଣି ଥରେ ହୋ ହଲ୍ଲା ଶୁଣି ମ୍ୟାନେଜର୍ ବାବୁ ତାଙ୍କ ଚେୟାର୍ ଛାଡି ବାହାରକୁ ଚାଲି ଆସିଲେ । ଏଥର୍ ସମସ୍ତେ ଚୁପଚାପ୍ ନିଜ ନିଜର ଚଉକି ସମ୍ଭାଳି କାମରେ ଲାଗି ଗଲେ । 


ଭାରି ଫୁଲାଫୁଲା ମନରେ ଗୀତ ଗୁଣୁଗୁଣେଇ ବେବିନା ଦିଦି ଅଫିସ୍ ଭିତରକୁ ଚାଲି ଆସିଲେ । ତାଙ୍କ ଆଗମନରେ ଅଫିସ୍ ଭିତରଟା ଭାରି ଗମ୍ ଗମ୍ ବାସ୍ନାରେ ମହକି ଗଲା । ସମସ୍ତେ ଏକ ଲୟରେ ତାଙ୍କ ଆସିବା ବାଟଆଡେ ଚାହିଁ ରହିଲେ । ସତେଯେମିତି ସମସ୍ତଙ୍କ କମ୍ପ୍ୟୁଟରକୁ ଏକା ସମୟରେ କିଏ ହ୍ୟାକ୍ କରିଦେଲା , କିମ୍ବା ଗୋଟାଏ ପାୱାରଫୁଲ ଟ୍ରୋଜାନ୍ ଭାଇରସ୍ ପଶି ଅଚଳ କରିଦେଲା ସିଷ୍ଟମ ସବୁ । ବଡବାବୁ ବି ଭାରି ଫୁଲାଫୁଲା ଲାଗୁଥିଲେ । ଆଜିର ଗେଟପ୍ ପୁରା ମୁସ୍କିଲ୍ ଦେଖାଯାଉଥିଲା ତାଙ୍କର । ପ୍ରଜାପତିଆ ନିଶକୁ ପୁରା ଚୁଙ୍ଗିଦେଇ ମି. ଚିକ୍ଣା ପରି ମଇଦାନ୍ ସାଫ୍ କରିଦେଇଥିଲେ । ଆଖିରେ ସୁର୍ମା କଳା ଲେସି ହେଇଯାଇଥିଲା । ପାନଖିଲ ଖଣ୍ଡେ ଚୋବେଇ ଚୋବେଇ ପାତିମାଙ୍କଡ ପଛପାଖ ପରା ପାଟିକୁ ରଙ୍ଗକରି ଚିଲେଇଲେ ସେ । କ’ଣ ହେଲା , ସମସ୍ତେ ଏମିତି କାଠ କଣ୍ଢେଇ ପରି ସ୍ଥିର ହେଇଗଲ ଯେ ? କ’ଣ କାମ କିଛି କରିବାର ନାହିଁ କି ? ଜାଣଛନ୍ତି ଆପଣମାନେ ମି. ସେକ୍ସ କହୁଥିଲେ ... ଆଉ ଦୁଇଦିନ ପରେ ଅଡିଟ୍ ଅଛି । ଆପଣମାନେ ନିଜ ନିଜର କାମ ସବୁ ଅପ୍ଡେଟ୍ କରିରଖନ୍ତୁ । ଏଥିରେ ଆପଣମାନଙ୍କର ଭଲ ଆଉ ମୋର ବି । 

: ସୁକୁଟି ଦିଦି ଦାନ୍ତ ନେଫେଡି କହିଲେ, ବଡବାବୁ ! ଆପଣଙ୍କ ପ୍ରୋନାଉନ୍ସେସନ୍ ଭୁଲ୍ ହେଲା ନା , ସେୟା ? ଆପଣ.. ଏକ୍ସ ବଦଳରେ ସେକ୍ସ କହୁଛନ୍ତି ଯେ ।    

: ଚିତ୍କାର କରି ବଡବାବୁ କିଛି କହିବା ଆଗରୁ ଆଗ୍ନେୟଗିରି ଗହ୍ୱର ପରି ବିରାଟ ଆଁ ଟାଏ କରି ଅଉଡି ବୋଲି ରଡି ଛାଡିଲେ ବଡବାବୁ । ପାଖରେ ଥିବା ମଥୁରା ନାକକୁ ତାର ଧରି ବସି ପଡିଲା । ବଡବାବୁ କହିଲେ, ଆରେ ମଥୁରା କ’ଣ ହେଲା କିରେ , ଏମିତି ବସି ପଡିଲୁ ଯେ ? ମଥୁରା କହିଲା, ନାଇଁ ମ ସାରେ , ସେମିତି କିଛି ନାଇଁ । ଆପଣଙ୍କ ମୂଳାଖିଆ ଅଉଡି ହାୱାରେ ଝାଉଁଳିଗଲି ତ ; ସେଥିପାଇଁ ବସି ପଡିଲି । ମଥୁରାର କଥା ଶୁଣି ସମସ୍ତେ ପୁଣି ହସିବାକୁ ଲାଗିଲେ । ବଡବାବୁ ବଡବଡ ଆଖି କରି ଚୁପ୍ ରହିବାକୁ ଇଶାରା ଦେଲେ । 

ଚପରାସୀ ଲଖଣ ଆସି ବଡବାବୁଙ୍କ ଟେବୁଲ୍ ପାଖରେ ପେଣ୍ଡାଏ ହବ ଫାଇଲ୍ ରଖିଦେଇ ଚାଲି ଯାଉଥିଲା । ବଡବାବୁ କହିଲେ, କିରେ ଲଖଣିଆ ! କ’ଣ କିଛି ପଦେ ନ କହି ଚାଲିଯାଉଚୁ ? ଆଉ ବଡବାବୁ ଭଲ ଲାଗୁନି ପରା । ଏବେ ତ ତୁ ନୂଆ ମ୍ୟାନେଜର୍ ସେକ୍ସ ବାବୁଙ୍କ ପାଖ ଲୋକ । ହଉରେ ପୁଅ , ଦେଖିବା - ଶଳା କେତେଦିନ ତୋର ଏ ଭାବ ଚାଲିବ ... ମୁଁ ଦେଖିବିନି । ଏମିତି କେତେ ମ୍ୟାନେଜର୍ ଏଠୁ ଗଲେଣି । ହେଲେ, ଏ ବଡବାବୁ କୋଳିଖାଇ ମଂଜି ପୋତିଚିରେ ବା’ । ଏଠୁ ହଲିବନି କି ଝୁଲିବନି । 

ବଡବାବୁ ଟେବୁଲ୍ ଉପରୁ ପାଣି ଗ୍ଲାସ୍ ଟା ପାଟିକୁ ନେଇଛନ୍ତି କି ନାଇଁ , ମଥୁରା ଆସି ପହଁଚି କହିଲା, ସାରେ ! ମ୍ୟାନେଜର୍ ସାବ୍ ଆପଣଙ୍କୁ ଡାକୁସିନ୍ତି । ଝଅଟ ଆସନ୍ତୁ । 

ବଡବାବୁ ଆଉ କି ପାଣି ପିଅନ୍ତି । ମନେମନେ ଭାବିଲେ ଏ ଶଳା ଲଖଣିଆଟା ଯାଇକି ଚୁଗୁଲି କରିଦେଲା ଲାଗୁଚି ତ । ନ ହେଲେ, ଏମିତି ଚେୟାର୍ରେ ବସୁବସୁ ହାକିମ ଡାକରା । ହଉ , ଦେଖିବା । କ’ଣ ହଉଚି , କହି ମ୍ୟାନେଜରଙ୍କ ଚାମ୍ବରକୁ ଚାଲିଲେ । 


ବଡବାବୁଙ୍କ ଅନୁପସ୍ଥିତି ଦେଖି , ସୁକୁଟି ଦିଦି ଆସି ଗପ ଜମେଇଦେଲେ ବେବିନା ସାଙ୍ଗରେ । କହିଲେ, ବେବିନା ଦିଦି ! ତମେ ଏକା ଭାରି ପାରିବାର ଲୋକ । ଦେଖିଲି , କେତେ କେତେ ମହାରଥୀ ଏଠି ଢାଳ ଢାଳ ପାଣି ପିଉଚନ୍ତି । ହେଲେ, ତମେ ବୁଢାକୁ କି ମନ୍ତ୍ରରେ ବଶ କରିଚ କେଜାଣି , ବୁଢା ତମ ପଛରେ ବାୟା । ବେବିନା ଆଉ ସୁକୁଟି ଦିଦିଙ୍କ କଥାବାର୍ତା ଶୁଣିବାକୁ କାନଡେରିଥିଲେ ସମସ୍ତେ । ନିଗମାନନ୍ଦ ବାବୁ କୌଣସି ଗୋଟେ କାମ ବାହାନାରେ ସେଠାରେ ପହଁଚି ଗଲେ । କହିଲେ, ବେବିନା ମାଡାମ୍ ! କାଲି ସେ ମାଇଛେଳି ଓଭର୍ ବ୍ରିଜରେ ଫାଇନାଲ୍ ବିଲ୍ଟା ଆପଣଙ୍କ ଟେବୁଲ୍ ରେ ରହିଗଲା କି ? ମୁଁ ବହୁତ ଖୋଜିଲିଣି । ହେଲେ ପାଉନି । ପ୍ଳିଜ୍ ଟିକେ ଦେଖନ୍ତୁ ତ । କାଳେ କୋଉଠି ଏଇଠି ଥାଇପାରେ । 

ବେବିନା ଦିଦି ପାଖରେ ଥିବା ଚେୟାରକୁ ହାତ ଦେଖାଇ କହିଲେ ନିଗମାନନ୍ଦ ବାବୁ , ଦେଖିବା ଦେଖିବା । ହେଲେ , ଆଗେ ଆପଣ ଟିକେ ବସନ୍ତୁ ତ । ଦେଖୁଛନ୍ତି ତ କାମରୁ କେବେ ବି ଟିକେ ଫୁରୁସତ୍ ମିଳୁନି । ଆପଣଙ୍କ ସହ କେତେଦିନ ହେଲା ପଦେ କଥା ବି ହେଇ ପାରିନି । ଆପଣ ମତେ ଭୁଲ୍ ବୁଝୁଥିବେ- କହି କହି , ନିଗମାନନ୍ଦବାବୁଙ୍କ ହାତକୁ ଧରିଦେଲେ ମିସ୍ ବେବିନା । ସେତିକିରେ କଥା ସରିଗଲା । ନିଗମାନନ୍ଦ ବାବୁଙ୍କ ପାକେଳିଆ ଛାତି ତଳେ ଗୋଟାଏ ଭୂମିକମ୍ପ ହେଲା ଯେମିତି । ପାଟି ଅଠା ଅଠା ହେଇଗଲା । ଆଖିରୁ ଚଷମା ଖସି ନାକ ତଳକୁ ଚାଲି ଆସିଲା । ନିଗମାନନ୍ଦ ବାବୁ କହିଲେ ନାଇଁ ମିସ୍ ବେବିନା । ମୁଁ ସେମିତି କିଛି ଭୁଲ୍ ବୁଝିନି । ହେଲେ,ତମ ସାଥିରେ ପଦେ କଥା ନ ହେଲେ ମନଟା ଭାରି ଖୁଜୁରୁ ବୁଜୁରୁ ହୁଏ ଦିନ ସାରା ।


: ବେବିନା ମୁରୁକି ହସି କହିଲା, ଓଃ ରିଅଲି ! ଅହୋ ଭାଗ୍ୟ । ଆପଣଙ୍କୁ ଦେଖିଲେ ନା ମତେ ବି ଭାରି ଭଲଲାଗେ । ଏଇ ଦେଖୁ ନାହାନ୍ତି ମୁଁ ଏବେ ସୁକୁଟି ଦିଦିଙ୍କ ସାଥୀରେ ବସି ଖାଲି ଆପଣଙ୍କ କଥା ହିଁ ହଉଥିଲି । କଥା କ’ଣ କି - ମି. ସେକ୍ସ ସାର୍ ଆମର ମ୍ୟାନେଜର୍ ହେବା ପରେ ମୁଁ ଗୋଟେ ଖରାପ ସ୍ୱପ୍ନ ଦେଖିଲି । କାଲି ଠିକ୍ ରାତି ଅଧିଆ ସ୍ୱପ୍ନଟା ଦେଖିବା ପରେ ମତେ ଆଉ ନିଦ ହେଲାନି । ଭାବିଲି ସାଙ୍ଗେ ସାଙ୍ଗେ ବଡବାବୁଙ୍କ ଘରକୁ ଚାଲିଯିବି । ହେଲେ , ରାତି ଅଧରେ ମୋ ପରି ସୁନ୍ଦରୀ ଯୁବତୀକୁ ଦେଖି ଆପଣମାନେ ଯେତେବେଳେ ନିଜର ହାଣ୍ଡଲ୍ ଛାଡି ପେଡେଲ୍ ମାରୁଚନ୍ତି ; ଅନ୍ୟମାନେ କ’ଣ ନ ହେବେ କହିଲେ ? ଦିନକାଳ ବି ଭଲ ନାହିଁ । ଦେଖୁନାହାନ୍ତି ହାଇଦ୍ରାବାଦ୍ ରେ ଡାକ୍ତରାଣୀ ପ୍ରିୟାଙ୍କା ସହ କଣ ନ ଘଟିଲା । ନପୁଂସକମାନେ ମରଦପଣିଆ ଦେଖେଇ ହେଲେ । ସକଥା ଭାବି ଭାବି ରାତି ପାହିବା ଯାଏଁ ରହିଗଲି । ହେଲେ ବଡବାବୁଙ୍କ କଥା ଭାବି ଭାବି ସାରା ରାତି ଆଉ ମୋ’ ଆଖିକୁ ନିଦ ନାହିଁ । 


: ମୁହଁ ତଳକୁ କରି ପାଦ କୁଣ୍ଡେଇବା ନାଆଁରେ ନିଗମାନନ୍ଦ ବାବୁ ତୁନିତୁନି କହିଲେ, ମୋ’ ଭାଗ୍ୟରେ କେବେ ଜୁଟିବ ମିସ୍ ବେବିନା ? 

ବେବିନା କିଛି ନ ଶୁଣିବା ପରି କହିଲେ , ନିଗମାନନ୍ଦ ବାବୁ ! ଆପଣ ଠିକ୍ ସମୟରେ ଆସି ମୋ’ ପାଖରେ ପହଁଚି ଗଲେ । ନହେଲେ ମୁଁ ନିଜେ ଆପଣଙ୍କ ପାଖକୁ ଯାଇଥାନ୍ତି । ଅଭିମାନ ସ୍ୱରରେ ନିଗମାନନ୍ଦ ବାବୁ କହିଲେ, ହଁ ... ଆପଣଙ୍କର ଦୃଷ୍ଟି ଆମ ଆଡେ କାହିଁକି ପଡିବ ମିସ୍ ବେବିନା । ବଡବାବୁତ ଏବେ ପୁରା ଫୁଲଦମ୍ ରେ .... । ଆଉ କିଛି ନ କହି ବେବିନା , ସୁକୁଟି ଆଉ ନିଗମାନନ୍ଦ ବାବୁ ହସିବାକୁ ଲାଗିଲେ । ଅନ୍ୟମାନେ କ’ଣ ବୁଝିଲେ କି ନ ବୁଝିଲେ ହେଲେ- ଏ ତିନିଜଣଙ୍କର ହସରେ ତାଳଦେଇ ଆହୁରି ଜୋର୍ରେ ହସିଲେ ।

ମିସ୍ ବେବିନା କହିଲେ, ହଁ ମୁଁ କ’ଣ କହୁଥିଲି ଟି ସୁକୁଟି ମାମ୍ ? ଟିକେ ଚିନ୍ତା କରି କହିଲେ, ହଁ ହଁ - ମନେପଡିଲା ; କାଲି ରାତିର ଖରାପ ସ୍ୱପ୍ନ କଥା । କଥା କ’ଣ କି ବଡବାବୁ ତାଙ୍କ ସ୍ତ୍ରୀଙ୍କ ସହ କଥା କଟାକଟି , ଏମିତିକି ଚୂଟି ଧରାଧରି ପର୍ଯ୍ୟନ୍ତ କଥା ପଳେଇଚି । ଶେଷରେ ବଡବାବୁଙ୍କ ମଝି ତାଳୁରୁ ପୁଳେ ଚୂଟି ଝିଙ୍କି ଦେଇ ହାତରେ ଧରି ତାଙ୍କ ଧର୍ମପତ୍ନୀ ତାଙ୍କୁ ଅଭିଶାପ ଦେଇଛନ୍ତି ; ବଡବାବୁ କୁଆଡେ ଅଫିସ୍ ରେ ଲାଂଚ ନଉ ନଉ ଭିଜିଲାନ୍ସ୍ ହାତରେ ଧରାପଡି ଚାକିରି ହରେଇବେ । ଫିଁ କିନା ହସି ଦେଲେ ନିଗମାନନ୍ଦ ବାବୁ । କହିଲେ, ମିସ୍ ବେବିନା ! ଆଜି କାଲି ପୁଣି ମାଇକିନିଆଙ୍କ ଅଭିଶାପ ତାଙ୍କ ଅଣ୍ଡିରା ଉପରେ ପଡୁଚି ... କହି ତାତ୍ସଲ୍ୟ ହସଟିଏ ହସିଲେ । 


ବେବିନା କହିଲେ, ସେଇକଥା ପରା ଆଜ୍ଞା ! ସ୍ୱପ୍ନରେ ଆପଣ ଖସି ଯାଇଛନ୍ତି । ବଡବାବୁ ମଧ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । କାହିଁକି ଜାଣିଛନ୍ତି , ସେତେବେଳେ ତାଙ୍କ ପାଖରେ ମୁଁ ଥିଲି । ଆପଣମାନେ ଯେମିତି ଆମ ରୂପରେ ପାଗଳ , ସେମିତି ମେନକା ହେଇ ବିଶ୍ୱାମିତ୍ରଟାକୁ ବାୟା କରିଦେଲି ମୁଁ । ଭିଜିଲାନ୍ସ୍ ବାଲା ଚାଲିଗଲେ ମୋ’ ହାତରେ ହାତ ମେଳାଇ । ସେମାନେ ତ ମୋ’ ହାତ ସେମିତି ଧରି ଥାନ୍ତି । ଜମାରୁ ଛାଡୁ ନଥାନ୍ତି । ମୁଁ ଚାଲି ଥାଏ । ସେମାନେ ମୋ’ ହାତକୁ ହଲେଇ ହଲେଇ ଚାଲିଥାନ୍ତି । ବଡବାବୁ ଆଉ ଆପଣ ଦୁହେଁ ମିଶି ମତେ ଅଫିସ୍ ଆଡକୁ ଭିଡୁଥାନ୍ତି , ସେମାନେ ତାଙ୍କ ଆଡକୁ । ଏମିତି ଗୋଟେ ଖରାପ ସ୍ୱପ୍ନ ମୁଁ ଦେଖିବା ପରଠୁ ମୋ’ ଆଖିକୁ କେମିତି ନିଦ ଆସିବ କହିଲେ ?


ଅସଲ କଥା ହଉଚି , ଆପଣ ତା’ ପର ଦିନ ଭିଜିଲାନ୍ସ୍ ହାତରେ ଧରାପଡୁଛନ୍ତି । ହେଲେ, ସେତେବେଳେ ଆପଣଙ୍କୁ ରକ୍ଷା କରିବାକୁ ଦେବଦୂତ ପରି ମାଡି ଆସିଛନ୍ତି ମିସ୍ ସୁକୁଟି । ସୁକୁଟି ଦିଦିଙ୍କ ମନମୋହକ ହସ ଦେଖି ପାଗଳ ହେଇ ଯାଇଛନ୍ତି ସେମାନେ । ଆପଣ କୃତ୍ୟକୃତ୍ୟ ହେଇ ଯାଇଚନ୍ତି । ମିସ୍ ସୁକୁଟିଙ୍କ ହାତ ଧରି କୃତଜ୍ଞତା ଜଣାଉଛନ୍ତି । ଏମିତି କିଛି ଇମୋସ୍ନାଲ୍ କଥା କହି ନିଗମାନନ୍ଦ ବାବୁଙ୍କ ହାତରେ ମିସ୍ ସୁକୁଟିଙ୍କ ହାତ ଧରେଇ ଦେଇ ଅନ୍ୟତ୍ର ଚାଲିଗଲେ ମିସ୍ ବେବିନା । 

ସମସ୍ତେ ଦୁହିଁଙ୍କୁ ଏକ ଲୟରେ ଦେଖୁଥିଲେ । ପାଟିରେ ହାତ ଦେଇ ଖୁବ୍ ହସୁଥିଲେ ନିଃଶବ୍ଦ ହସ ।


ବେବିନା ମନେମନେ ଭାବୁଥିଲେ, ଖରାପ ସ୍ୱପ୍ନ ବଳରେ ଆଜି ସେଲୁନ୍ କୁ ନେଇ ବଡବାବୁଙ୍କ ମଝି ତାଳୁ ସଫା କରିଦେବା ସର୍ଜିକାଲଷ୍ଟ୍ରାଇକ୍ ଠାରୁ ବି କୌଣସି ଗୁଣରେ କମ୍ ନୁହଁ ।  



Rate this content
Log in

Similar oriya story from Drama