Sudhir Mohapatra

Inspirational

2.5  

Sudhir Mohapatra

Inspirational

ପ୍ରେରଣା

ପ୍ରେରଣା

3 mins
165


ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବୋର୍ଡ ପରୀକ୍ଷା ସେଇଦିନ ହିଁ ସରିଥାଏ । ପରୀକ୍ଷାରୁ ଫେରିବା ପରେ କିଛି ସମୟ ଏପଟ ସେପଟ ହୋଇ କଟିଗଲା ମୁଁ ଜାଣିନି । ପରେ କେମିତି, କାହିଁକି ଓ କାହା ପ୍ରେରଣାରେ ହଠାତ୍ ମନକୁ ଛୁଇଁଲା କିଛି ଲେଖିବାର ନିଶା । ବାସ ସେତିକି ହିଁ ମୋର ମନେଅଛି । ଲେଖି ବସିଲି । କ’ଣ ଲେଖିଲି , କେଉଁ ବିଷୟକୁ ଭିତି କରି ଲେଖିଲି କେହି ଯଦି ମତେ ପଚାରନ୍ତି ; ତେବେ ତା’ର ଉତର କିଛି ନାହିଁ । 

ଶୁଣିଥିଲି, କୈାଣସି ସ୍ଥାନରେ ଗୋଟିଏ ମାଙ୍କଡ ଟାଇପ୍ ମେସିନ୍ରେ କିଛି ଟାଇପ୍ କରିଚାଲିଥାଏ । ଭାଷା, ଲିପି ଇତ୍ୟାଦିର ଧାରଣା ତା’ର ନ ଥିଲେ ବି , କୁଆଡେ ସେ ଟାଇପ୍ ପେଜ୍ଗୁଡିକର ସମ୍ମିଶ୍ରଣ ଶେଷରେ ଏକ ସୁନ୍ଦର ଉପନ୍ୟାସ ହୋଇ ଥିଲା । ସେମିତି , ବୋଧେ ସେଇ ମର୍ମରେ ମୋର ଲେଖା ଆରମ୍ଭ ହୋଇଥିଲା । 

ଲେଖି ଚାଲିଥିଲି .... ଲେଖି ଚାଲିଥିଲି । ଖାଇବା ସମୟ ହେଇଗଲା । ବୋଉ ବାରମ୍ବାର ଡାକିଲା , ଆସ୍ ଖାଇବୁ । ମୋର କିନ୍ତୁ ସେଇ ଗୋଟିଏ କଥା - ଏବେ ନାଇଁ , ଟିକେ ପରେ ଖାଇବି । ନନା ବି ସେମିତି ବାରମ୍ବାର ଡାକି ଚାଲିଥାନ୍ତି । ଗାଁ ଗହଳିର କଥା । ରାତି ପ୍ରାୟ ୮ଟା ରୁ ୯ଟା ଭିତରେ ସାରା ଗାଆଁ ଶୋଇଯାଏ । ଆଉ ସମ୍ଭାଳି ପାରିଲେନି ନନା , ବହୁତ ବିରକ୍ତ ହେଲେ ମୋ’ ଉପରେ । ବିରକ୍ତ ହେଲେ ବୋଉ ଉପରେ , କାହିଁକି ଡାକୁଚ ବାରମ୍ବାର । ସେମିତି ବାଢିକି ଥୋଇଦେଇଥାଅ । ତାକୁ ଭୋକ ହେଲେ ସେ ଆପେ ଆସି ଖାଇବ । କହିଦେଲେ ସିନା, ତଥାପି ମୋ’ ପଛରେ ଲାଗିଥାନ୍ତି । 

ଠିକ୍ ଏମିତି ସମୟକୁ କରେଂଟ୍ କଟିଗଲା । ଧାଇଁ ଗଲି କାନ୍ଥଖୋରା ପାଖକୁ । ଥୁଆହେଇଥିବା ଡିବିରି ହୁଳା ଜଳାଇ ଖୁବ୍ ଶୀଘ୍ର ଆସି ପହଁଚି ଗଲି ମୋ’ ଲେଖା ପାଖରେ । ସେମିତି ଲେଖିଚାଲିଲି , ଆଗପରି । ଏମିତି କିଛି ସମୟ ବିତିଗଲା । ବୋଉ, ଆଉ ମୋ’ ପଛରେ ଲାଗି ଲାଗି ପାରିଲାନି । ନନା ବି ହାରିଗଲେ । ଦୁହେଁ ଚାଲିଗଲେ ବିଶ୍ରାମ ନେବାକୁ । ମୋର କିନ୍ତୁ ଲେଖାରେ ବିଶ୍ରାମ ନଥିଲା । 

ରାତି ବୋଧହୁଏ ବହୁତ ବଢିଯାଇଥିଲା । ବଢା ଯାଇଥିବା ଖାଦ୍ୟ ଏକ ରକମର ଅଖାଦ୍ୟ ହେଇ ଯାଇଥିଲା । ପାଖରୁ ମୂଷାମାନେ ଆସି ଖୁବ୍ ଖୁସିରେ ଖାଇଚାଲିଥିଲେ ଖାଦ୍ୟ ସବୁ । ନନା ଉଠିଲେ ପରିଶ୍ରାକରିବା ପାଇଁ । ଦେଖିଲେ ନିଶ୍ଚଳ ଭାବରେ ଏକାଗ୍ରତାର ସହ ମୁଁ ବସି ଲେଖି ଚାଲିଥାଏ । ନଜର ପଡିଲା , ବୋଉ ମୋ’ ପାଇଁ ବାଢି ରଖିଥିବା ଖାଦ୍ୟ ଉପରେ । ମୂଷାମାନେ ଖୁବ୍ ଆନନ୍ଦରେ ଖାଇ ଚାଲିଛନ୍ତି । ନନାଙ୍କ ବିରକ୍ତିଭାବ ବଢିଗଲା । କିଛି ଆଉ ନ କହି ମୁହଁ ଫଣଫଣ କରି କହିଲେ, “ ହଇରେ ପୁଅ ! ଆଉ ଗୋଟେ କ’ଣ ପରୀକ୍ଷା ଦବୁ କି , ଆଜି ପରା ତୋର ପରୀକ୍ଷା ସରିଲା ?” ନନାଙ୍କ ଏ ତାତ୍ସଲ୍ୟ ପୂର୍ଣ୍ଣ କଥା ମତେ ବହୁତ ବାଧିଲା । ମୁଁ ଆଉ ସମ୍ଭାଳି ନ ପାରି କହିଲି, ନନା ! ତମେ ତ ବାହାରକୁ ଉଠିଲ । ଯ ତମ କାମ ତମେ କରି ଶୋଇପଡ । ମୁଁ କ’ଣ କରୁଚି ନ କରୁଚି କିଛି ଚିନ୍ତା କରନି । ଦେଖି ପାରୁନ ମୁଁ କିଛି ଲେଖୁଚି ବୋଲି । ବାରମ୍ବାର ଡିଷ୍ଟର୍ବ କରନି । 

ଘର ସାରା ଡିବିରିର କଳା ଧୂଆଁ ଘେରି ଯାଇଥିଲା । ଲେଖା ସରିଲା , ତା’ ସାଙ୍ଗକୁ ରାତି ସରିଲା । ସକାଳ ହେବା ପରେ ବୋଉ ଦେଖିଲା ମୁଁ ମୋ’ ଲେଖା ପାଖରେ ଶୋଇପଡିଚି । ଷାଠିଏ ସତୁରୀ ପୃଷ୍ଠାର ଗୋଟିଏ ଛୋଟ ବାଇଣ୍ଡିଙ୍ଗ୍ ଖାତାର ଉଭୟ ପୃଷ୍ଠାରେ ଛୋଟ ଛୋଟ ଅକ୍ଷରରେ ଲେଖିଥିଲି ଯାହା, ଏବେ ମଧ୍ୟ ତାହା ଅକ୍ଷୁର୍ଣ୍ଣ ଅବସ୍ଥାରେ ଅଛି ଅପ୍ରକାଶିତ ପାଣ୍ଡୁଲିପି ରୂପରେ । 

ଉପନ୍ୟାସ କ’ଣ , ତା’ର ସଂଜ୍ଞା କ’ଣ - ଏସବୁ ମତେ ଜଣା ନଥିଲା । ଏମିତି ଲେଖନ୍ତି ବୋଲି ଲେଖିଥିଲି । କାହାର ପ୍ରେରଣା ଅନୁଭବ କରିନି । ବରଂ ସ୍ନେହ ବଶତଃ ପରୋକ୍ଷ ଭାବରେ ଲେଖା ବନ୍ଦ୍ କରି ଖାଇପିଇ ଶୋଇବାକୁ ନିର୍ଦ୍ଦେଶ ମିଳିଥିଲା ନନା,ବୋଉଙ୍କଠାରୁ । ସେଇ ଲେଖାଟିକୁ ପରବର୍ତୀ ସମୟରେ ଥରୁଟିଏ ପଢିଥିଲି , ତା’ର କେତେଟି ପୃଷ୍ଠା । ଆଜି ମୁଁ ଯାହା ବି ଲେଖେ, ଏବର ଲେଖା ସାଙ୍ଗରେ ସେତେବେଳର ଲେଖାକୁ ତୁଳନା କଲେ ଭାରି ହସ ଲାଗେ । ନିଜ ମନକୁ ନିଜେ ପ୍ରଶ୍ନ କରେ ସତରେ ଏ ଲେଖା ମୁଁ ନିଜେ ଲେଖିଚି ତ ? 

କିନ୍ତୁ , ଭୁଲିନି ସେ ରାତ୍ରୀକୁ । ସାରା ରାତି ଲେଖିବାର ନିଶା କେଉଁଠୁ ମିଳିଲା ଜାଣିନି । ମାତ୍ର ଲେଖି ଚାଲିଲି ଅବିରାମ ଗତିରେ । ଶୀର୍ଷକ ରହିଲା- “ପ୍ରେତାତ୍ମାର ମୃତ୍ୟୁ” । ପରେ ଜାଣିଲି ମୁଁ ଯାହା ଲେଖିଚି - ତାହା ଅନ୍ୟମାନଙ୍କ ଭାଷାରେ ଏକ ଉପନ୍ୟାସ । କେହି କେହି ସଦିଚ୍ଛୁ ଓ ସମଧର୍ମୀ ବଡଭାଇ ଏଦିଗରେ ପ୍ରେରଣା ଯୋଗାଇଛନ୍ତି ,ଏହାକୁ ସଂଶୋଧନ କରି ଛାପିଦେବା ପାଇଁ । କିନ୍ତୁ, ସେ ସୁଦିନ ଏଯାବତ୍ ଆସିନି । ଦେଖାଯାଉ କେବେ ସେ ଉପନ୍ୟାସଟିର ଆତ୍ମପ୍ରକାଶ ହେବ । 

ପ୍ରେରଣା କାହାର ବୋଲି ବିଚାର କଲେ, ନିଶ୍ଚିତ ଭାବରେ ଈଶ୍ୱରଙ୍କ ପ୍ରେରଣା ନିଶ୍ଚୟ । ନନା ବେଳେବେଳେ ଗୀତ ଗାଇବାର ମୁଁ ଶୁଣିଚି । ହାର୍ମୋନିୟମ୍ , ତବଲା, ମୃଦଙ୍ଗ ବି ବଜାନ୍ତି । ସବୁଠୁ ବଡକଥା ହଉଚି ନନା ଭଲ ଘଂଟ ବଜାନ୍ତି । ନାଟକରେ ଅଭିନୟ କରନ୍ତି । ନାଟକ ଦେଖିବା ତ ତାଙ୍କର ଗୋଟେ ନିଶା । ତେବେ ଲେଖା ଲେଖି ଦିଗରେ କିଛି ଆଗ୍ରହ ଥିବାର ମୁଁ କେବେ ଲକ୍ଷ୍ୟ କରିନି । ତେଣୁ ମୋର ପ୍ରଥମ ଲେଖାର ପ୍ରେରଣା ନିଶ୍ଚିତ ରୂପେ ଈଶ୍ୱରଙ୍କର, ମା’ ବାଗ୍ଦେବୀଙ୍କର - ଏହା ନିଶ୍ଚିତ କଥା ।



Rate this content
Log in

Similar oriya story from Inspirational