Sudhir Mohapatra

Inspirational

2  

Sudhir Mohapatra

Inspirational

ତୁମ ଆଦର୍ଶକୁ ପାଥେୟ କରି.....

ତୁମ ଆଦର୍ଶକୁ ପାଥେୟ କରି.....

6 mins
410


ବୋଧେ ମୁଁ ସେତେବେଳେ ଷଷ୍ଠ କି ସପ୍ତମ ଶ୍ରେଣୀରେ ପଢୁଥିଲି , ସଠିକ୍ ମନେପଡୁନି । ବୁଲି ଯାଇଥିଲି ବୋଉ ସାଙ୍ଗରେ ବଡନାନି ଘରକୁ । ଭିଣେଇ ଚାକିରି କରିଥିଲେ ସୁଦୂର ଫୁଲବାଣୀ ଜିଲ୍ଲାରେ । ଘରଠାରୁ ପ୍ରାୟ ୧୩୦ କିଲୋମିଟର୍ ଦୂର ହେବ । ରାସ୍ତାଘାଟ ଯଦିବା ଅସୁବିଧା ନ ଥିଲା , ତଥାପି ସେତେ ଭଲ ନ ଥିଲା । ମାତ୍ର ଦୁଇଟି ବସ୍ ଥାଏ ଦିନବେଳା । ବଉଦ୍ ବଲାଙ୍ଗିର୍ ଓ ଜଟଣୀ-କଂଟାମାଳ । ସକାଳୁ ଯାଇ ବସ୍କୁ ଅପେକ୍ଷା କରିବାକୁ ହୁଏ । ବାଟ ପାସେଂଜର୍ଠୁ ଆରମ୍ଭ କରି ଲମ୍ବାରାସ୍ତାର ଯାତ୍ରୀ ; ପ୍ରବଳ ଭିଡ । ମନେଅଛି ସାଥୀରେ କେହିନା କେହି ଥିବେ ଖାଲି ବସ୍ରେ ସିଟ୍ ଜଗିବା ପାଇଁ । ଝରକାବାଟେ ହାତ ଗଳାଇ ରୁମାଲ୍ କିମ୍ବା କିଛି ବ୍ୟାଗ୍ ଇତ୍ୟାଦି ରଖିଦେଲେ ସିଟ୍ ଆମର ହେଇଗଲା । ଏମିତି କେତେ ଫନ୍ଦିଫିକର କରି ଯିବାକୁ ହଉଥିଲା । 

ଅଧା ଦି’ପହର ବେଳକୁ ପୁରୁଣାକଟକରେ ଗାଡି ଲାଗେ । ଭିଣୋଇଙ୍କ ପରିଚିତ ହୋଟେଲ୍ ମାଲିକ ଶତ୍ରୁଘ୍ନ ଭାଇନାଙ୍କ ହୋଟେଲ୍ରେ ଖିଆପିଆ ହୁଏ । ତାଙ୍କ ଘରେ ବିଶ୍ରାମ ନେବା ପରେ ଭିଣୋଇ କିଛି ଗୋଟାଏ ବ୍ୟବସ୍ଥା କରନ୍ତି ଯିବାପାଇଁ । ପ୍ରାୟ ସମୟ ଏକମାତ୍ର ଭରସା ଥାଏ ଧଳପୁର ନଦୀଘାଟକୁ ଯାଉଥିବା ବାଉଁଶ ବୋଝେଇ ଟ୍ରକ୍ ଉପରେ । ଖରାପ ରାସ୍ତା, ଓଭର୍ ଲୋଡ୍ ବାଉଁଶ ଟ୍ରକ୍ରେ କେମିତି ଯେ ଜାଣିଶୁଣି ଯିବାକୁ ପଡୁଥିଲା , ଆଜି ସେକଥା ଭାବିଦେଲେ ଦେହ ଶୀତେଇ ଯାଏ । ସେତେବେଳେ ଏମିତି ଆଜିକାଲି ପରି ଅଟୋରିକ୍ସା କି ଜିପ୍ , କାର୍ର ସୁବିଧା ନ ଥିଲା । ଯଦି କାଁ ଭାଁ ଥିଲା , ତେବେ ଖର୍ଚ୍ଚ କଥା ଶୁଣିଦେଲେ ଭାରି ଡରଲାଗେ । ଅନେକ ଥର ପୁରୁଣାକଟକରୁ ତିଳେଶ୍ୱରଦେଇ ରାମଗଡ ଆମେ ଚାଲି ଚାଲି ମଧ୍ୟ ଯାଇଚୁ ।  ଝିଅ ଘରକୁ ଯାଇଛନ୍ତି ବୋଲି ବୋଉ ଧରିଥିବା ବିଭିନ୍ନ ଜିନିଷର ଗଣ୍ଠିଲି ମୁଣ୍ଡରେ ଓ କାନ୍ଧରେ ବୋହି ପ୍ରାୟ ଏଗାର କିଲୋମିଟର୍ ଦୂରତା ଚାଲି ଚାଲି ଯିବା ବହୁତ କଷ୍ଟଦାୟକ ଥିଲା । 

ଧଳପୁର ଘାଟକୁ ଯାଉଥିଲା ଲୋଡ୍ ଲୋଡ୍ ବାଉଁଶ । ପଚାରିବୁଝିଥିଲି ଏତେ ସବୁ ବାଉଁଶ କାହିଁକି ଆଉ କୁଆଡେ ନଉଛନ୍ତି । ଭିଣେଇ ବୁଝେଇ ଦେଲେ , ଏସବୁ ଯାଉଚି ଚୌଦ୍ୱାର କାଗଜ କଳକୁ । ମୁଁ କହିଲି ଧଳପୁର କାହିଁକି ଯାଉଚି ? ମୋ’ ପ୍ରଶ୍ନର ଉତର ଦେଇ ଭିଣୋଇ ବୁଝେଇଦେଲେ ଧଳପୁର ହେଉଚି ମହାନଦୀ କୂଳର ଏକ ଗାଁ । ଏହି ଗାଁର ନଦୀଘାଟରୁ ବାଉଁଶ ସବୁ ଭେଳା ବାନ୍ଧି ମହାନଦୀରେ ସାତକୋଶିଆ ଗଣ୍ଡ, କଂଟିଲୋ ଆଦି ଦେଇ ଚୌଦ୍ୱାର ଯାଉଚି । 

ଏତେସବୁ କଥା ଶୁଣିବା ପରେ ମନେପଡିଗଲା ପିଲାବେଳେ ପଢିଥିଲି ଦଶପଲ୍ଲାର ଘୋର ବାଉଁଶ ବଣ ବିଷୟରେ । ସେଥର ତିଳେଶ୍ୱରରେ ଟ୍ରକ୍ରୁ ଓହ୍ଲାଇ ପୁଣି ଚାଲିଲୁ ରାମଗଡ । ପ୍ରାୟ ସନ୍ଧ୍ୟା ହେଇଯାଇଥିଲା ରାମଗଡରେ ପହଁଚିଲାବେଳକୁ । ଘରେ ପହଁଚିବା ପରେ ଖିଆପିଆ ସାରି ଶେଯ ଧରୁ ଧରୁ କେତେବେଳେ ନିଦ ଆସିଯାଏ ଜାଣି ହୁଏନି । ପ୍ରାୟ ସାତ ଆଠ ଘଂଟାର ବସ୍ ଯାତ୍ରା ସାଙ୍ଗକୁ ତିନି ଚାରି ଘଂଟାର ପାଦଚଲା ଖୁବ୍ ବାଧେ ଶରୀରକୁ । 

ପରଦିନ ଘରଠୁ ସକାଳୁ ସକାଳୁ ବୁଲି ବାହାରୁ ମହାନଦୀ ଦେଖିବାକୁ । ମହାନଦୀ ଶଯ୍ୟାରେ ସତେ ଯେପରି ବିଶାଳ ପଥର ଖଣ୍ଡର ହାଟ ବସିଥାଏ । କାଚକେନ୍ଦୁ ପରି ପାଣି । ପାଣି ତଳେ ଦେଖାଯାଏ ମହାନଦୀର ଘାଗେଡା ବାଲି । ମାଛମାନେ ଦଳ ଦଳ ହୋଇ ଆସି ପାଦକୁ ଖୁମ୍ପିଚାଲନ୍ତି । ଏସବୁ ଖୁବ୍ ମଜ୍ଜା ଲାଗେ । ଗାଧୋଇବାରେ ଖୁବ୍ ଆନନ୍ଦ ଲାଗେ ସତ କିନ୍ତୁ ମହାନଦୀର ବିଶାଳ ଶଯ୍ୟାରେ ଘୁ ଘୁ ଗର୍ଜନ କରି ବୋହିଯାଉଥିବା ପାଣିକୁ ଦେଖିଲେ ଡର ବି ଲାଗେ । ନଦୀ ଗର୍ଭରେ ମାଛଧରା ଡଙ୍ଗା ଭାସିଯାଉଥିବାର ଦେଖିଦେଲେ, ଖାଲି ଦେଖି ଦେଖି ରହିଯିବାର ହୁଏ । ଗାଧେଇ ସାରି ନଦୀଖଣ୍ଡିରେ ଥିବା ଶିବମନ୍ଦିର ଦର୍ଶନ ପରେ ରାମଗଡ ଗାଁ ଭିତରେ ବୁଢୀବାଉରୀ ଠାକୁରାଣୀ ମା’ଙ୍କ ଦର୍ଶନ । ଭାରି ପ୍ରସିଦ୍ଧ ଦେବୀ, ମା’ ବୁଢୀବାଉରୀ । ପାଗଳ ଲୋକମାନେ ଏ ଠାକୁରାଣୀଙ୍କ ନିକଟରେ ଭଲ ହୁଅନ୍ତି ବୋଲି ସବୁ ସମୟରେ ଏଠାରେ ଭିଡ ଜମେ ।

ବୁଲିବା ବୟସ ଅତିକ୍ରମ କଲା । ଅଷ୍ଟମ ଶ୍ରେଣୀରେ ମୋର ପଢା ଆରମ୍ଭ ହେଲା ରାମଗଡ ହାଇସ୍କୁଲ୍ରେ । ମେଟ୍ରିକ୍ ପରୀକ୍ଷା ଦେଲି ବଉଦରେ । ସେତେବେଳେ ଆମ ହାଇସ୍କୁଲ୍ ଶିକ୍ଷକ କଲୋନୀରେ , ଏମିତିକି ଆଖପାଖ ଗାଆଁକୁ ବିଜୁଳି ଆଲୁଅ ଆସି ନ ଥିଲା । ମନୋରଂଜନର ମାଧ୍ୟମ ଥିଲା ଆକାଶବାଣୀ କଟକ ଓ ସମ୍ବଲପୁ ଷ୍ଟେସନ୍ ଲାଗୁଥିବା ପ୍ରିୟ ରେଡିଓ । ଲଣ୍ଠନ ଆଲୁଅରେ ପାଠପଢା । ଅତି ଶାନ୍ତ ବାତାବରଣ । ଛାତ୍ରଟିଏ ପାଇଁ ରାମଗଡ ହାଇସ୍କୁଲ୍ ବାସ୍ତବରେ ଏକ ମଣିଷ ତିଆରି କାରଖାନା ଥିଲା । ମୁଁ ପ୍ରଥମେ ଏଇ ସ୍କୁଲ୍ରୁ ମେଟ୍ରିକ୍ ପାସ୍ ହେଇ ଗାଁକୁ ଫେରିବା ପରେ ଅନେକଙ୍କପାଇଁ ଉଦାହରଣ ହେଇଗଲି । କାରଣ ମୋ’ ଗାଆଁରେ ପାଠ ପଢାର ବାତାବରଣ ସେମିତି କିଛି ଠିକ୍ ନ ଥିଲା । ତେଣୁ ପରବର୍ତୀ ସମୟରେ ଆଉ କିଛି ପିଲାଙ୍କୁ ନେଇ ରାମଗଡରେ ନିଜ ପାଖରେ ରଖି ପଢେଇବାକୁ ନିବେଦନ କଲେ କିଛି ସମ୍ପର୍କୀୟ । 

ଅନ୍ୟମାନେ ବି ପରବର୍ତୀ ସମୟରେ ସେଠାରୁ କୃତକାର୍ଯ୍ୟ ହୋଇ ଫେରିଲେ । ଫଳରେ ଏବେ ମଧ୍ୟ ସେମାନେ ମୋ’ ଭିଣୋଇଙ୍କ ଉପକାର ମନେପକାନ୍ତି । ତାଙ୍କ ଯୋଗୁଁ ଆଜି ଆମେ କିଏ କୋଉଠି ଭଲରେ ଅଛୁ । ଏକଥା ହୃଦୟର ସହ ସ୍ୱୀକାର କରନ୍ତି ।

ରାମଗଡ ହାଇସ୍କୁଲ୍ର ଛାତ୍ର ଜୀବନରେ ମୋର ଆଦର୍ଶ ହେଉଛନ୍ତି ମୋ’ ଭିଣୋଇ ଦାଶରଥି ମହାପାତ୍ର । ଅନ୍ୟ ଶିକ୍ଷକମାନଙ୍କ ପରି ସେ ଅଯଥାରେ ସମୟ ନଷ୍ଟ କରନ୍ତି ନାହିଁ । ବିଶେଷ କରି କଲୋନୀରେ କାହା ବାଡିରେ କିଛି ବି ଗୋଟେ ଗଛ ନ ଥିବାବେଳେ ନିଜ କ୍ୱାଟର୍ ଆଗରେ ଓ ପଛରେ ଥିବା ଖାଲି ଜାଗାରେ ବିଭିନ୍ନ ପ୍ରକାର ଫୁଲ ଫଳର ଗଛ ଲଗାଇଥାନ୍ତି । ସେସବୁର ଯତ୍ନ ନଉ ନଉ ତାଙ୍କର ସମୟ ଅତିବାହିତ ହୋଇଯାଏ । ଅନେକେ ଭାବନ୍ତି ନିଜର ଖର୍ଚ୍ଚ କାଟ ପାଇଁ ସେ ଏପରି ପରିଶ୍ରମ କରନ୍ତି । କିନ୍ତୁ, ରବିବାର ଦିନ ତିଳେଶ୍ୱର ହାଟରୁ ଆମ ଘରକୁ ଅଧିକ ଜିନିଷ କିଣା ହୋଇ ଆସେ । ମୁଁ ଆଜି ସେ କଥା ଭାବେ , ସତରେ ବାଡିରୁ ଯେତିକି ଜିନିଷ ବାହାରୁଥିଲା ସେତିକିରେ ଆଡ୍ଜଷ୍ଟ୍ କରି ଚଳିପାରିଥିଲେ ଗୋଟେ ପରିବାର ପାଇଁ କିଛି ଅସୁବିଧା ନ ଥିଲା । 

ଘର ଆଗରେ ସ୍କୁଲ୍ର ନନ୍ଦକୂଅ । ସେହି କୂଅର ପାଣି ସମସ୍ତେ ଘରପାଇଁ ବ୍ୟବହାର କରନ୍ତି । ଏମିତିକି ହଷ୍ଟେଲ୍ ପିଲାମାନେ ଓ ସାର୍ମାନେ ଏହି କୂଅମୂଳେ ଗାଧୁଆପାଧୁଆ ଓ ଲୁଗାପଟା ସଫାସୁତୁରା କରନ୍ତି । କୂଅମୂଳର ପାଣି ସବୁ ଅଯଥାରେ ନଷ୍ଟ ହଉଥିବା ଦେଖି ସେଦିନ ଭିଣେଇ ଭାଇ ଗୋଟେ ନାଳ କରି ଘର ଆଗରେ ଥିବା ବଗିଚାକୁ ପାଣି କାଟିଦେଇଥିଲେ । ସେଇ ପାଣିରେ ବିଭିନ୍ନ ପ୍ରକାର ଫୁଲ ଫଳର ସୁନ୍ଦର ବଗିଚାଟିଏ ହସି ଉଠିଲା । ମୋର ମନେ ଅଛି ପ୍ରାୟ ୧୨୩ ପ୍ରକାର ଫୁଲ ଗଛ ଲଗାଯାଇଥିଲା ଆମ ବଗିଚାରେ । ବାଡି ପାଖର ବଗିଚାକୁ ନାଳର ପାଣି ପହଁଚି ପାରୁ ନ ଥିଲା । ତେଣୁ ନିଜେ ଭିଣେଇ ଭାଇ ବାଲ୍ଟିରେ ପାଣି ନେଇ ଗଛରେ ଦିଅନ୍ତି । ଏମିତି କେତେଦିନ ଦେଖିବା ପରେ ମୁଁ ବି ପାଣି ବୋହି ନେଇ ଗଛରେ ଦେଲି । ବାଡି ପାଖରେ ଅଳ୍ପ ଜାଗାରେ କଂଚା ମରିଚ, ମୂଳା, ଭେଣ୍ଡି, ଥୋଲିବାଇଗଣ , ଧନିଆପତ୍ର ଆଦି ବିଭିନ୍ନ ପ୍ରକାର ପନିପରିବା ଫଳିଲା । ପରେ ପରେ ଶଜନା ଶାଗ, କଦଳୀ, ଲେମ୍ବୁ,ବରକୋଳି , ବେଲ , ଆମ୍ବ ଇତ୍ୟାଦି କଂଚା, ପାଚିଲା ଫଳରେ ବଗିଚା ହସି ଉଠିଲା । ଟିଚର୍ କଲୋନୀରୁ ଅନ୍ୟ ସାର୍ମାନଙ୍କ ଘରକୁ କିଛି କିଛି ଦିଆନିଆ କରିବା ସହ ଆମ ଘରେ ବାଡିରେ ହେଉଥିବା ତଟକା ପରିବା ବ୍ୟବହାର କରାଯାଉଥିଲା । ଉପରବେଳା , ଦୋଓଡା ଖାଇବାକୁ ବସିବା ପୂର୍ବରୁ ବାଡିରୁ ଉପାଡି ଅଣାଯାଉଥିଲା କଅଁଳ ଛନଛନ ଶୋରିଷଫୁଲିଆ ମୂଳା, ଦିଚାରିଟା କଂଚା ମରିଚ, ମୁଠାଏ ଦନିଆ ପତ୍ର ଆଉ କଂଟିଆଳି କାକୁଡି ସାଙ୍ଗକୁ ତଟକା ଲେମ୍ବୁଟିଏ । ସେ ସବୁର ତଟକାପଣ ଓ ସତେଜ ବାସ୍ନାରେ କେତେବେଳେ ଯେ, କଂସାରୁ ପଖାଳ ସରି ଯାଉଥିଲା ଜାଣି ହଉ ନ ଥିଲା । 

ମେଟ୍ରିକ୍ ପରୀକ୍ଷା ସରିବା ପରେ ମୁଁ ଚାଲି ଆସିଲି ମୋ’ ଗାଆଁ ନୟାଗଡ ଶରଣକୁଳ ନିକଟସ୍ଥ ଗୁଂଜବାରଣକୁ । ବାଡି ପାଖରେ ଖାଲିପଡିଥିବା ଜାଗାରେ କିଛି ଫୁଲ,ପରିବା ଓ ଫଳଗଛ ଲଗାଇବା ଆରମ୍ଭ କଲି । ବାଡି ପଛ ପାଖରେ ବୋହି ଯାଉଥିବା କୁସୁମୀ ନଦୀରୁ ବାଲ୍ଟିରେ ପାଣି ଆଣି ଗଛ ସବୁକୁ ବଂଚେଇଲି । ଗାଆଁ ଚାରିପାଖରେ ଥିବା ଆମ୍ବ,ତେନ୍ତୁଳି ଗଛର ବଣ ଭିତରେ ବର୍ଷ ସାରା ରହନ୍ତି ପଲପଲ ମାଙ୍କଡ । ବହୁ ଚେଷ୍ଟା କରି ମଧ୍ୟ ସେମାନଙ୍କ କବଳରୁ ରକ୍ଷା କରିପାରିଲିନି ମୋ’ ବଗିଚାକୁ । ହେଲେ ଜୀବନ ବଗିଚାରେ ସଦାବେଳେ ଫୁଟେଇ ପାରିଲି ପରିଶ୍ରମର ସୁନ୍ଦର ଫୁଲ । ନିଜ କାମ ନିଜେ କରିବାକୁ ଖୁବ୍ ପସନ୍ଦ କଲି । ଏମତିକି ଅନ୍ୟର ନିହାତି ଆବଶ୍ୟକ ନ ପଡିବାଯାଏଁ କାହା ଉପରେ ନିର୍ଭର ନ କରି ନିଜ କାମ ନିଜେ କରି ଚାଲିଲି ଏଯାବତ୍ । 

ଆଜି ଦେଖେ, ମୋ’ ସାଥୀ ଶିକ୍ଷକମାନେ କିଛି ଗୋଟାଏ ଛୋଟମୋଟ କାମ କରିବା ପାଇଁ ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନିଅନ୍ତି । କିନ୍ତୁ , ମୁଁ ମୋ’ ନିଜ କାମ ନିଜେ କରିନିଏ । ଏପରିକି କ୍ୱାଟର୍ ବାହାରପାଖରେ ଥିବା ଗଛରୁ ଝଡୁଥିବା ପତ୍ରକୁ ମୁଁ ଝାଡୁକରେ ଅନ୍ତତଃ ଦିନରେ ଦୁଇଥର । ଏମିତିକି ସ୍କୁଲ୍ ଯିବାକୁ ୟୁନିଫର୍ମ ପିନ୍ଧି ବାହାରିଥିବା ସ୍ଥଳେ ଯଦି ଅନୁଭବ କଲି କିଛି ପତ୍ର ପଡି ଅଗଣା ଅଳିଆ ହେବାର ଦେଖାଯାଉଚି ତେବେ ଆଗ ଝାଡୁ କରିସାରିବା ପରେ ସ୍କୁଲ୍କୁ ଯାଏ । ମୋର ଏପରି ଅବସ୍ଥା ଦେଖି ଅନେକ ସମୟରେ ଛାତ୍ରଛାତ୍ରୀ ପାଖକୁ ଚାଲି ଆସନ୍ତି ; ହାତରୁ ଝାଡୁ ନେଇ ଝାଟେଇ ଦେବାକୁ । ମାତ୍ର ମୁଁ ମନାକରେ । କହେ, ଆରେ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ମୋଦିଜୀ ସ୍ୱଚ୍ଛ ଭାରତ ଅଭିଯାନରେ ନିଜ ହାତରେ ନିଜେ ଝାଡୁ କରନ୍ତି । ତୁମେମାନେ ପିଲାଥିବାବେଳେ ମାଆ ତୁମର ଗୁହ,ମୁତ ପରିଷ୍କାର କରିଛନ୍ତି । ସହରରେ ମେହେନ୍ତରମାନେ ରାସ୍ତା,ଘାଟ ପରିଷ୍କାର କରି ସହରବଜାରକୁ ସୁନ୍ଦର କରୁଛନ୍ତି । ଆମେ ଆମ ଦେହକୁ ପରିଷ୍କାର କରିବାକୁ ନିଜର ଯତ୍ନ ନେଇଥାଉ । ତେଣୁ ନିଜ କାମ ନିଜେ କରିବାରେ ଲାଜ କ’ଣ ?

ପିଲାମାନେ ମୋ’ କଥାକୁ ବୁଝିଯାନ୍ତି, ମୁଁ ନିଜେ କିଛି କିଛି କାମ କରିନିଏ । କେବେ କେମିତି ରାସ୍ତାଘାଟରେ କୌଣସି ଛାତ୍ରଛାତ୍ରୀ କିଛି ଓଜନିଆ ଜିନିଷ ଧରି ଯାଉଥିବାର ଦେଖିଲେ , ମୁଁ ଯଦି ଫାଙ୍କା ଥାଏ ତେବେ କହେ , ଆରେ ବାବା ବସ୍ , ଘରେ ନେଇ ଛାଡିଦେବି । ପିଲାମାନେ କହନ୍ତି, ନାଇଁ ସାର୍ ! ସେମିତି ଅଧିକ କିଛି ଓଜନ ନାହିଁ । ଯେତିକି ଅଛି ସେତିକି କଷ୍ଟ ହଉ ପଛକେ ନିଜେ ବୋହି ନେଇହେବ । କାରଣ, ଆମେ ଆପଣଙ୍କଠୁ ଶିଖିଚୁ - ନିଜ କାମ ନିଜେ କରିବାରେ ବହୁତ ଆନନ୍ଦ ମିଳେ । ବାସ୍ତବିକ୍ ମୋ’ ଭିଣୋଇଙ୍କ ଆଦର୍ଶରେ ଅନୁପ୍ରାଣିତ ମୁଁ , ଆଜି ମୋ’ ଆଦରର ଛାତ୍ରଛାତ୍ରୀଙ୍କୁ ନିଜକାମ ନିଜେ କରିବାକୁ ପ୍ରେରଣା ଯୋଗାଇ ପାରିଥିବାରୁ ଗର୍ବିତ । 

             


Rate this content
Log in

Similar oriya story from Inspirational