Sudhir Mohapatra

Abstract

2  

Sudhir Mohapatra

Abstract

ବର୍ଣ୍ଣବୋଧ

ବର୍ଣ୍ଣବୋଧ

4 mins
248



ସ୍ନାତକ ଶ୍ରେଣୀରେ ଇତିହାସ ରଖି ପାଠ ପଢିଚି ସୁଧିର । କିନ୍ତୁ, ତା ସିଲାବସ୍ରେ ବୋଧେ ୩୭୦ କି ୩୫ ଏ ଧାରା ବିଷୟରେ କିଛି ନ ଥିଲା । ତେଣୁ , ସ୍ୱାଧୀନତାର ୭୩ ବର୍ଷ ଚାଲିଥିବାବେଳେ ହଠାତ୍ କାଶ୍ମୀର୍ ଓ ଲଦାଖ୍କୁ କେନ୍ଦ୍ରଶାସିତ ଅଂଚଳ କରିଦେବା ପଛର ରହସ୍ୟ ସହଜରେ ସେ ଅନୁମାନ କରିପାରୁ ନ ଥିଲା । କିନ୍ତୁ, ପରେ ଯେତେବେଳେ ଜାଣିଲା ୩୭୦ଧାରାର ସ୍ୱତନ୍ତ୍ରତା , ମନେମନେ ଖୁବ୍ ହସିଥିଲା ସେ । ବ୍ରିଟିଶ୍ସରକାରର ଛୋଟ ଉପହାର କେମିତି ଭିତରେ ଭିତରେ ଜାଳୁଥିଲା ଭାରତର ଅନ୍ତରାତ୍ମାକୁ ; ସେ ଅନୁଭବ କରିପାରୁଥିଲା ।

ଗୋଟିଏ ଦେଶରେ ତ୍ରିରଙ୍ଗାକୁ ଜାତୀୟ ପତାକାର ମାନ୍ୟତା ମିଳୁଥିବାବେଳେ କାଶ୍ମୀର୍ରେ ଅନ୍ୟଏକ ସ୍ୱତନ୍ତ୍ର ପତାକା ଉଡିଚାଲିଥିଲା କାହିଁ କେତେକାଳରୁ ; ଏକଥା ଭାବି ସେ ବିସ୍ମିତ ହେଲା । ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଭିନ୍ନସ୍ୱର ଉଠୁଥିଲା । ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଇଲେକ୍ଟୋନିକ୍ସ ମିଡିଆ ସମସ୍ତେ ଖୁବ୍ ହଇଚଇ ସୃଷ୍ଟି କରିଥିଲେ । ପଡୋଶୀ ମଧ୍ୟ ଖୁବ୍ ଭୟଭୀତ ହେଇଯାଇଥିଲା । ଜର ବାଉଳାରେ ତାଟିଆ ମଙ୍ଗ କାମୁଡିଲା ଭଳି ବାରମ୍ବାର ବାଚାଳାମି କରି ଚାଲିଥିଲା । ଆସ୍ୱସ୍ତ ହେଇଥିଲେ ଲୋକେ । ସ୍ୱାଧୀନ ଭାରତ ବର୍ଷର ମସ୍ତକରେ ସତେଯେମିତି ବ୍ରିଟିଶ୍ ରାଜ୍ର ସଦ୍ୟପତନ ହୋଇଥିଲା , ଲାଗୁଥିଲା ସମସ୍ତଙ୍କୁ ।

କିଛି ଦିନ ଯାଇଚି କି ନାଇଁ ‘ଉକ୍ରଳସମ୍ମିଳନୀ’ର ସମାଧି ଫଟାଇ କୋଶଳୀ ପାଇଁ ମୁଣ୍ଡ ଟେକିଥିବା ଘୃଣ୍ୟ ରାଜନୀତି ନେଇ ବ୍ୟଥିତ ହେଉଥିଲା ସୁଧିର । ବର୍ଣ୍ଣବୋଧ ପୋଡିକୁ ସେ ସହଜରେ ଗ୍ରହଣ କରିପାରୁ ନ ଥିଲା । ମାତୃଭାଷା ମାତୃଭୂମିର ଅପମାନ ସେ ସହ୍ୟ କରିପାରୁ ନ ଥିଲା । ଏହା ଭିତରେ ସେ ବାରିପାରୁଥିଲା ବିଦେଶୀ ପ୍ରୋତ୍ସାହନରେ ପଥରବାଜି କରିବାକୁ ଆଗେଇ ଆସୁଥିବା କାଶ୍ମୀର୍ର ଯୁବଗୋଷ୍ଠୀଙ୍କ ଗନ୍ଧ । ବାରି ହେଇ ଯାଉଥିଲା ହୀନ ରାଜନୀତି । 

କାହା କାହା ପାଟିରୁ ବାହାରି ଆସୁଥିଲା , ଗୋଟିଏ ରାଜ୍ୟରେ ଶାସକର ଗଡ ଭାଙ୍ଗି ନିଜର ସ୍ୱପ୍ନ ସାକାର କରିବା ଆଉ ସହଜ ନୁହେଁ , ଏକଥା ଜାଣି ପାରିଥିଲା ବିରୋଧି । ତେଣୁ , ହୁଏତ ମନ ଭିତରେ ଥିବା ରାଜ୍ୟାଭିଷେକର ମୋହ ଏପରି କିଛି କରିବାକୁ ପ୍ରେରଣା ଯୋଗାଇଚି । ହେଇପାରେ, କିନ୍ତୁ , ଏମିତି ମଧୁବାବୁ ଆଉ ଗଙ୍ଗାଧରଙ୍କ ସ୍ୱପ୍ନର ମାଟିକୁ ଭାଂଗିଦେଇ କି ଆଶା ଚରିତାର୍ଥ କରାଯାଇପାରେ ! ନିଜକୁ ଧିକ୍କାର କରୁଥିଲା ସୁଧିର । ମନେମନେ ସ୍ମରଣ କରୁଥିଲା ସେ ବୀର ସୂରୀମାନଙ୍କୁ , ଯେଉଁମାନେ କିଏ ଅସୁରଗଡରେ ବନ୍ଦୀ ଅବସ୍ଥାରେ ନିଜର ଜୀବନ ହାରିଚି ତ କିଏ ମେଦିନୀପୁରର ବାଘତୋଟାରେ ବରଗଛ ଡାଳରେ ବନ୍ଧାହୋଇ ଦୁଇଫଡା ହୋଇଚି ; ଆଉ କିଏ ବ୍ରହ୍ମପୁର ଅନ୍ଧାରି ଜେଲ୍ ଭିତରେ ଫାଶୀଖୁଂଟରେ ଝୁଲିପଡିଚି ସବୁଦିନ ପାଇଁ - ଏଇ ମାଟିର ସ୍ୱାଧୀନତା ପାଇଁ । 

ଚିତ୍ରୋତ୍ପଳା ତ କାହିଁ ବାରଣ କରିନି ତଳକୁ ବୋହିଯିବାକୁ ; ଅନୁଭବ କରିପାରିନି ଉପକୂଳର ବନ୍ଧୁରତା । ବରଂ ଅନୁଭବ କରିଚି ମଧୁର ବନ୍ଧୁତା- ସାଗର ସହ ମିଶିଯିବାର ନିଆରା ଅନୁଭବରେ । ଦେଖିପାରିନି ତା’ ଜଳଧାରରେ ହୀନମନ୍ୟତାର ଛବି । ହେଲେ ଏବେ ସେ ସବୁଠି ଅନୁଭବ କରିଚି ବର୍ଣ୍ଣବୋଧର ଅରଣା ମହିଷିକୁ । ବାରଣ କରିବା ପରିବର୍ତେ ସେ ମହିଷି ପଛରେ ଦଳେ ଗୋଡୋଉଚନ୍ତି କାହିଁକି ? ତେବେ ସେ ବୀରପୁଙ୍ଗବ କିଏ ; ଯାହାର ଅଙ୍ଗୁଳି ନିର୍ଦ୍ଦେଶରେ ମଇଁଷିର ଶୃଙ୍ଗାଘାତ ହେଉ ବା କ୍ଷୁରାଘାତକୁ ସହିବାକୁ ପଥରବାଜିର ଶପଥ ନେଇଛନ୍ତି ସେମାନେ । 

ଖୁବ୍ ବ୍ୟଥିତ ହେଉଥିଲା ସୁଧିର । ସେ ଚାକିରୀରୁ ଅବସର ନେଇ ଚାଲି ଆସିଥିଲା ତା’ ଜନ୍ମମାଟିକୁ । ଯେଉଁ ମାଟିର ସ୍ପର୍ଶରେ ସେ ଜୀବନର ପ୍ରଥମ ଓଁକାର’ କୁଆଁ ଶବ୍ଦ କରିଥିଲା , ଯାହାର ଦାଣ୍ଡଧୂଳିରେ ଗଡି ତା’ ଜୀବନକୁ ପରିପୁଷ୍ଟ କରିଥିଲା - ସେ ମାଟିର ଆକର୍ଷଣ ତା’କୁ ପୁଣି ଥରେ ଟାଣି ଆଣିଚି ତା’ କୋଳକୁ । ଯୁବାବସ୍ଥାରେ ସେ ଜୀବିକାର ଦାୟରେ ଚାଲିଯାଇଥିଲା ସମ୍ବଲପୁର । ସେଠାରେ ସ୍ୱାସ୍ଥ୍ୟ ବିଭାଗରେ ଫାଷ୍ଟ୍ ପୋଷ୍ଟିଙ୍ଗ୍ ତା’ର । ହୀରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳରାଶିରେ ସେ ଅନୁଭବ କରୁଥିଲା ଚିଲିକାର ପ୍ରତିଛବି । ଗଙ୍ଗାଧର ମେହେରଙ୍କ ମାଟିର ସ୍ପର୍ଶରେ ଅନୁଭବ କରୁଥିଲା ରାଧାନାଥ ଚେତନା । ସେତେବେଳେ ସବୁକିଛି ଠିକ୍ଠାକ୍ ଅନୁଭବ କରିଥିଲା ସେ । କର୍ତବ୍ୟରେ ତା’ର ଏତେ ମୋହ ଲାଗିଯାଇଥିଲା ଯେ, ବାରମ୍ବାର ମନେପଡି ଯାଉଥିଲେ ଉତ୍କଳମଣି । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ସୁଧିର ସରଳ ଅଧିବାସୀଙ୍କ ସେବାରେ ନିଜର ସମସ୍ତ ସମୟ ବିତେଇଦେଉଥିଲା ; ଆଉ ସେଥିରେ ସେ ପାଉଥିଲା ସ୍ୱର୍ଗୀୟ ଆନନ୍ଦ ।

ଚାକିରୀ ଜୀବନରେ ସେ ଅନେକ ରଙ୍ଗାରଙ୍ଗ୍ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଚି । ଅବସର ସମୟରେ ସେ ନିଜର ମନୋରଂଜନ ପାଇଁ ବିଭିନ୍ନ ସାଂସ୍କୃତିକ ଦଳରେ ନିଜକୁ ସାମିଲ୍ କରିଚି । ରଙ୍ଗବତୀ, ଡାଲ୍ଖାଇ ଆଉ ରସର୍କେଲି ର ମତୁଆଲା ସୁରରେ ବିଭୋର ହୋଇଉଠିଚି ତା’ର ମନ । ପାଦ ତା’ର ଢୋଲିଆର ଢୋଲତାଳରେ ନାଚିବାର ଅଦମ୍ୟ ଇଚ୍ଛାକୁ ରୋକି ପାରିନି । ପାଦରେ ତା’ର ନାଚିଚି ରଙ୍ଗବତୀର ନାଚ, କିନ୍ତୁ କଣ୍ଠରୁ ତା’ର ଝରିଯାଇଚି ଓଡିଶୀ ସଙ୍ଗୀତ । ସମସ୍ତେ ଖୁବ୍ ପସନ୍ଦ କରୁଥିଲେ ତା’ ଗୀତକୁ । ସାବାସି ଦଉଥିଲେ ନାଚକୁ । 

ସୁଧିର ଭାବୁଥିଲା , ସତରେ କ’ଣ ସେମାନଙ୍କ ମନ ଭିତରେ ମୋର କିଛି ସ୍ଥାନ ଥିଲା ; ନା ସେମାନେ ମତେ ଛଳନା କରୁଥିଲେ ? ବୀରେନ୍ଦ୍ର ଥାଟି, ସାରଥୀ କର୍ଣ୍ଣ , ରଘୁନାଥ ବିଶି , ପଦ୍ମନ ଭୁକ୍ତା ଏମାନେ ତ ତା’ର ଖୁବ୍ ଆପଣାର ଥିଲେ । ନୂଆଖାଇ ଭେଟ୍ଘାଟ୍ରେ ସେମାନଙ୍କ ଘରକୁ ଯାଇଚି । ମା’ ମାନଙ୍କଠାରୁ ପାଇଚି ଅଜସ୍ର ସ୍ନେହ । ମାଆର ହୃଦୟରୁ ଉଛୁଳି ଆସିଥିବା ସ୍ନେହରେ ସେ ଅନୁଭବ କରିଚି ଚିତ୍ରୋତ୍ପଳା ଓ ସାଗରର ମହାମିଳନର ଉଲ୍ଲସିତ ଉର୍ମି । ମାଆର ପଣତ ତଳେ ସେ ଅନୁଭବ କରିଚି ମା’ ସମଲେଇ, ସାରଳା,ବିମଳା ଆଉ ରାମଚଣ୍ଡୀଙ୍କ ପୁଷ୍ୟାଭିଷେକ ମେଳଣ । ନାଚରେ , ଗୀତରେ , ଝୋଟିରେ ଦେଖିଚି ସେଇ ଉକ୍ରଳୀୟ ବର୍ଣ୍ଣବୋଧର ଅପରୂପ ବର୍ଣ୍ଣାଳୀ । 

ହାତ,ପାଦ ତା’ର ଅବଶ ହେଇଯାଉଚି । ଜନ୍ମମାଟିର ମୋହରେ ସିନା ଚାଲି ଆସିଲା ସେ । ହେଲେ, କର୍ମଭୂମିର ଆକର୍ଷଣ ସେ ଏବେ ବି ଭୁଲିପାରୁନି । ଆଲମାରିରୁ ବାହାର କଲା ବହୁଦିନ ତଳର ହଳଦୀରଙ୍ଗ ଧରିଦେଇଥିବା କେତେଟା କାଗଜ । ସବୁଥିରେ ଗଙ୍ଗାଧରଙ୍କ ସ୍ମୃତି ସ୍ୱାକ୍ଷର । ଖୋଲି କାଢିଦେଇଥିଲା କେତେଟା ସମ୍ବଲପୁରୀ ଗାମୁଛା ; ଯାହା ସବୁ ତା’ର ନାଚ, ଗୀତ ପାଇଁ ସ୍ନେହଉପହାର ଦେଇଥିଲେ ତା’ର ସଦିଚ୍ଛୁ, ପ୍ରେମୀ ଓ ସହଯୋଗୀ ଭାଇମାନେ । ଗାମୁଛାରୁ ଝରିଯାଉଥିଲା ଭାଇଚାରାର ସୁବାସିତ ମହକ । ଗୁଣୁଗୁଣୋଉ ଥିଲା “ ଭାବର ବନ୍ଧନ ବାସି ଚନ୍ଦନ , ଭାବର ବନ୍ଧନ ବାସି ଚନ୍ଦନ... ମହମହକିଆରେ , ଦିଆ ନିଆ , ହାଏଗା ଦିଆ ନିଆଠି କାଣା ଅଛେ ... ଭାବ ଥିଲେ ହେଲାରେ ଦିଆ ନିଆ ।”

ମାଆ, ମାଟି ଆଉ ଭାଷାଠୁ ଦୂରେଇ ଯାଇ କେହି କେବେ ଭଲରେ ରହିନି । ଏହି ଚିନ୍ତାରେ ସେ ବାରମ୍ବାର ନିଜକୁ ନିଜେ ଅପରାଧୀ ମନେକରୁଥିଲା । ବୟସର ସାୟାହ୍ନରେ ସେ ଯୋଡିବାକୁ ଚେଷ୍ଟା କରୁଥିଲା ପୋଡା ବର୍ଣ୍ଣବୋଧର କିଛି ଛିଣ୍ଡା ଫର୍ଦ୍ଦକୁ । ଯୋଉଥିରେ ଅସ୍ପଷ୍ଟ ଦେଖାଯାଉଥିଲା କଟକ ନଗର, ଧବଳ ଟଗର । ଭାରତବାସୀ, ଭାରି ସାହସୀ ।

ମହାନଦୀ କୂଳେ କୂଳେ ଗଡି ଚାଲିଥିଲା ସମ୍ବଲପୁର ଏକ୍ସପ୍ରେସ୍ । ହାତରେ ଧରିଥିବା ବର୍ଣ୍ଣବୋଧ କଭର୍ ପୃଷ୍ଠାର ବିଲେଇଟା ସମସ୍ତଙ୍କ ଦେହରେ ଖୁବ୍ ଘସି ହେଇଯାଉଥିଲା । ପୁରୀ ବେଳାଭୂମି ରାସ୍ତାରେ କୋଣାର୍କ ଯାତ୍ରାର ଅବିକଳ ରୂପ,ଅନୁଭବ କରୁଥିଲା ସୁଧିର ; ସମ୍ବଲପୁର ଏକ୍ସପ୍ରେସ୍ରେ - ମହାନଦୀର ସୁନୀଳ ଜଳରାଶିରେ , ରଙ୍ଗବତୀର ମନଜିଣା ସୁରରେ ।



Rate this content
Log in

Similar oriya story from Abstract