Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Sudhir Mohapatra

Inspirational


3  

Sudhir Mohapatra

Inspirational


ଜୀବନର ମୋଡ

ଜୀବନର ମୋଡ

5 mins 453 5 mins 453


ଟିଭି ଆଗରେ ବସିଥିଲେ ଦୟାନିଧି ଦାସ । ପାଖରେ ତାଙ୍କର ବସି ଏକ ଲୟରେ ଟିଭିକୁ ଚାହିଁଥିଲେ ପିଲାମାନେ । ଏବେ ସମସ୍ତେ ରିମୋଟ୍ ଧରିବାକୁ କଳିଗୋଳ ହେଇଥାନ୍ତେ । କିଏ କାର୍ଟୁନ୍ ଦେଖିଥାନ୍ତା , କିଏ ଆଉ କ’ଣ । ହେଲେ , ବାବା ତାଗିଦ୍ କରିବା ପରଠୁ ସମସ୍ତେ ଏବେ ନୀରବରେ ବସିଛନ୍ତି କେତେବେଳୁ । 


କରେଂଟ୍ ମଧ୍ୟ ଆଜି ଠିକଭାବେ ରହୁନି । ବାରମ୍ବାର ପାୱାର୍ କଟ୍ ହେଉଚି । ଆଜି ଜେଜେଙ୍କର ଇଂଟର୍ଭ୍ୟୁ ଦବ ଟିଭିରେ । ସେଥିପାଇଁ ମାମୁନି, ଗୁଡୁଲି ଅପେକ୍ଷାରେ ରହିଛନ୍ତି । ଏଇ ଘରସଂସାର କାର୍ଯ୍ୟକ୍ରମ ପରେ ପରେ ଜେଜେଙ୍କ ଇଂଟର୍ଭ୍ୟୁ । ମାମୁନି, ମିତାଲି - ମାଉସୀ ଆଉ ବଡ ପିଉସୀଙ୍କୁ ଆଗରୁ ଫୋନ୍ କରି ଜଣେଇ ଦେଇଚି ଟିଭି ଦେଖିବାକୁ । କାଳେ ଭୁଲିଯାଇଥିବେ , ସେଥିପାଇଁ ଆଉଥରେ ମନପକେଇ ଦବାକୁ ବୋଉ ବାରମ୍ବାର କହୁଛନ୍ତି ମାମୁନିକୁ । ଠିକ୍ ଟାଇମକୁ ନେଟୱାର୍କ ବିଜି-ବିଜି ଦେଖୋଉଚି । ଭାରି ବିରକ୍ତ ହେଇଗଲା ମାମୁନି । ଗୁଡୁଲି ଡାକିଲା, ମାମୁନି ଦିଦି ! ଆ’ ଜେଜେଙ୍କ ଇଂଟର୍ଭ୍ୟୁ ଦେଲାଣି । 


ଜେଜେ ଆଉ ଜେଜେମା’ଙ୍କୁ ଟିଭି ପରଦାରେ ଦେଖି ପିଲାମାନେ ଖୁବ୍ ଖୁସି ହେଲେ । ମାମୁନି ସେମାନଙ୍କୁ ନୀରବରେ ବସିବାକୁ ଇଶାରା ଦେଲା । 

ଜେଜେ କହୁଥିଲେ : ମୁଁ ଭଲ ଛାତ୍ର ଥିଲି , ଏକଥା ମୁଁ କହୁନି । ମୋ’ ସାରମାନେ କହୁଥିଲେ । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିଲା । ଚାକିରି ସମସ୍ୟା ପ୍ରାୟ ଦେଖା ଯାଉଥିଲା ସେତେବେଳେ । ବିଏ.ବି.ଏଡ୍ କରି ମୁଁ ଚାକିରି ଅପେକ୍ଷାରେ ଥିଲି । ହୁଏତ ଅନ୍ୟ କିଛି ଚାକିରି ପାଇପାରିଥାନ୍ତି ଚେଷ୍ଟା କରିଥିଲେ । ମାତ୍ର ଶିକ୍ଷକତା ପ୍ରତି ମୋର ଥିଲା ଯଥେଷ୍ଟ ଦୁର୍ବଳତା । ତେଣୁ ଶିକ୍ଷକଟିଏ ହେବାକୁ ଦୁଇ ଚାରିଥର ଇଂଟର୍ଭ୍ୟୁ ଦେଇ ବିଫଳ ହେଇଥିଲି । ଆଉ ବିଫଳ ହେବାର କାରଣ ଖୋଜୁ ଖୋଜୁ ଜାଣିବାକୁ ପାଇଲି ଦାନଧର୍ମ ସାଙ୍ଗକୁ ବଡବଡିଆଙ୍କ ସୁପାରିଶ୍ ଦରକାର । କିନ୍ତୁ, ମୋ’ ପାଖରେ ମୋ’ ଶିକ୍ଷାଗତ ଜ୍ଞାନ, ସାର୍ଟିଫିକେଟ୍ ସାଙ୍ଗକୁ କୁହାଯାଇପାରେ କି ଅର୍ଥ ମଧ୍ୟ ଥିଲା । କିନ୍ତୁ, ବାବା ଭାରି ସରଳ , ଅମାୟିକ । ସେ ଲାଂଚ,ମିଛକୁ ଆଦୌ ପସନ୍ଦ କରନ୍ତିନି । ଆଉ ମଧ୍ୟ ଖୋସାମଦ୍ କରିବା ତାଙ୍କ ଜାତକରେ ନ ଥିଲା । ତେଣୁ ସେ ଏ ଦିଗରେ ମତେ ଯିବାକୁ ବାରଣ କଲେ । ମୁଁ ବି ଶେଷରେ ନିରାଶ ହୋଇ ଆଉ ସେ ଦିଗରେ ଯିବାକୁ ପାଦ କାଢିଲିନି । 

ଶୁଣିଲି , ପ୍ରାଇଭେଟ୍ ସ୍କୁଲରେ ମୋ’ ଯୋଗ୍ୟତାଭିତିକ ଚାକିରୀ ମିଳିପାରିବ । କେତେବର୍ଷ ବିନା ପାରିଶ୍ରମିକ କିମ୍ବା ପରିଚାଳନା କମିଟିଦତ ଅଳ୍ପ କିଛି ପକେଟ୍ ଖର୍ଚ୍ଚରେ ରହିବା ପରେ ସରାକାରୀ ନିୟମ ଅନୁସାରେ ବିଦ୍ୟାଳୟଗୁଡିକ ସରକାରୀ ଅନୁଦାନପ୍ରାପ୍ତ ହୋଇ ପୂର୍ଣ୍ଣ ସରକାରୀ ବିଦ୍ୟାଳୟର ମାନ୍ୟତା ପାଇଥାଏ । ଏତେ ସବୁ କଥା ଜାଣିବା ପରେ ମୁଁ ଚାଲି ଯାଇଥିଲି ଫୁଲବାଣୀ । ଜଙ୍ଗଲଘେରା ଆଦିବାସୀ ଅଂଚଳରେ ଏକ ବିଦ୍ୟାଳୟରେ ଶିକ୍ଷକତା କଲି । 


ସମୟ ସାଥୀରେ ବୟସ ଗଡିବାକୁ ଲାଗିଲା । ସରକାରୀ ନୀୟମ ହଠାତ୍ ମୋ’ ପରି କେତେଟା ହତଭାଗ୍ୟଙ୍କ ଭାଗ୍ୟକୁ ବଦଳିଗଲା , ସରକାରୀକଳର ଏକପ୍ରକାର ମାନବିକତା ଅଭାବରୁ । ସରକାର ହେଲା ଏକଛତ୍ରବାଦୀ । ଜାଣିଲାନି ଗୋଟେ ଚିରାଚରିତ ଧାରାରେ ସାମାଜିକସ୍ଥରରେ ମାନ୍ୟତା ପାଉଥିବା ଶିକ୍ଷକ ଗୋଷ୍ଠୀଙ୍କୁ ତାଙ୍କର ନ୍ୟାଯ୍ୟ ଦେବାକୁ । ପଦ୍ମ ଘୂଂଚିଘୂଂଚି ଗଲା ଗଭୀର ଜଳକୁ । ପଦ୍ମ ଲୋଭରେ ଆଣ୍ଠୁଏରୁ ମୁଣ୍ଡେ ପାଣିକୁ ଚାଲିଗଲି ପଛେ , ଫେରି ପାରିଲିନି ପଛକୁ । 


ଏମତି ଅବସ୍ଥା ଆସିଲା , ପରିସ୍ଥିତି ଚାପରେ ପଡି ବିବାହ କଲି । ନବବିବାହିତା ସ୍ତ୍ରୀ ପାଇଁ ତାର ମନଲାଖି ନ ହେଲା ନାଇଁ ; ମୋର ସମ୍ମାନ ଦୃଷ୍ଟିରୁ କିଣିଆଣି ଦେଇ ପାରିଲିନି ପାଉଡର କି ସାବୁନ୍ ଟିକେ । ଦୁଃଖେ କଷ୍ଟେ ଚଳିଗଲା ଏମିତି କିଛି ଦିନ । ଦୁଇଟି ସନ୍ତାନର ବୋଝ ଦିନକୁ ଦିନ ଲଦି ହେଇଗଲା ମୁଣ୍ଡ ଉପରେ । ତଥାପି ଭାଗ୍ୟ ଆକାଶରେ ପୂର୍ଣ୍ଣମୀର ଚନ୍ଦ୍ର ତ ଦୂରର କଥା ତାରାଟିଏ ମଧ୍ୟ ଦେଖା ଗଲାନି । ଅନେକ ବାଧାବିଘ୍ନ ଘେରି ରହିଲା ଜୀବନରେ । ବାପା,ମାଆଙ୍କର ଭଲ ପୁଅ ହେଇ ପାରିଲିନି । ହେଇ ପାରିଲିନି ଶାଶୁଘରେ ଭଲ ଜ୍ୱାଇଁ । ସାମାଜିକ ସ୍ତରରେ ଭଉଣୀ,ଭିଣୋଇ କି ଭଣଜା,ଭାଣିଜି ଜାଣିପାରିଲେନି ଭାଇ , ଶଳା କି ମାମୁଁର ଅବସ୍ଥା । ବୁଝିପାରିଲେନି ତାର ନିଃସହାୟତାକୁ । ସମସ୍ତେ ଦିଆନିଆର ପ୍ୟାରା । 

ଏମିତି ଅବସ୍ଥାରେ ଜଣେ ମାତ୍ର ସହଯୋଗର ହାତ ବଢେଇ ମୋ’ ହାତ ମୁଠାକୁ ଦୃଢ କରିଥିଲା - ସେ ହଉଚି ମୋର ସ୍ତ୍ରୀ, ସୁଖଦୁଃଖର ସାଥୀ । ପିଲାଦିନେ ମାଆଙ୍କ ପାଖରେ ମାଣବସା ଗୁରୁବାର ଦିନ ଗଢିବସୁଥିବା ଚିନିଆରିସା ପିଠା ; ଶେଷରେ ପେଟ ପୋଷିବାର ମାଧ୍ୟମ ହେଲା । ପ୍ରଥମେ ପ୍ରଥମେ ଘରେ କେଜିଏ ଦୁଇକେଜି ଚାଉଳରୁ ଆରମ୍ଭ କରି ପଚାଶ ଷାଠିଏ ଏମିତି କି ଶହେ ଦଶ କେଜି ପର୍ଯ୍ୟନ୍ତ କାମ କରିବାକୁ ହେଲା ପ୍ରତିଦିନ । ବେଶ୍ ଦୁଇ ପଇସା ରୋଜଗାର ହେଲା । ଆଖ ପାଖର ଦଶ,କୋଡିଏ ପରିବାରର ସ୍ତ୍ରୀଲୋକଙ୍କୁ କାମ ମିଳିଗଲା । ସେମାନେ ସେମାନଙ୍କ ଘରେ ବସି ବେଶ୍ ଦିପଇସା ପାଇଲେ । ସେମାନଙ୍କ ପରିବାର ଚଳିଗଲା , ଆଉ ମୋ’ ପରିବାର ବି । ଘରେ ଗଢିଉଠିଥିବା ଗୋଟେ ଛୋଟିଆ କାମ କ୍ରମେ “ଭାଗ୍ୟଲକ୍ଷ୍ମୀ ଗୃହ ଉଦ୍ୟୋଗ” ନାମରେ ଏବେ ସାରା ଓଡିଶାରେ ନାଆଁ କରିଚି । ଆରିଷା ପିଠାରୁ ଆରମ୍ଭ କରି ହଳଦୀଗୁଣ୍ଡ, ମସଲା ଗୁଣ୍ଡ, ଝୁଣା, ଧୂପକାଠି ଏମିତି କିଛି କିଛି ନୂଆ ଉତ୍ପାଦକୁ ନେଇ ଏବେ ଖୁବ୍ ଖୁସିରେ ଚାଲିଚି ଏ ଉଦ୍ୟୋଗ ।  


ଦିନେ କେହି ବି ବୁଝିଲେନି ମୋର ଆର୍ଥିକ ଅନଟନ ଓ ଦୈନ୍ୟକୁ । ଏମିତି ସମୟ ଆସିଲା ବେକାର ପୁଅ ବାପା,ମାଆଙ୍କୁ ଧିକ୍କାର କରି ଘର ଛାଡି ଚାଲିଯାଇଥିଲା । ଝିଅ ଅଭିମାନରେ ଚାଲିଗଲା ମନଇଚ୍ଛାରେ କାହା ସାଥିରେ । ଅଭିଶପ୍ତ ଜୀବନ ଜିଇବା ଭାଗ୍ୟରେ ଲେଖାଥିଲା ଭାବି ଶେଷ ସମୟର ଅପେକ୍ଷାରେ ଥିଲି । 

ଏବେ ମୁଁ ମୋ’ ପୁଅ ପାଖରେ । ଝିଅ ଜ୍ୱାଇଁ ମଧ୍ୟ ଏ ଗୃହଉଦ୍ୟୋଗର ଦେଖାରଖା କରୁଛନ୍ତି । ହେଲେ, ବାଲେଶ୍ୱର ଛାଡି ମୁଁ ସେଦିନ ଆସିଥିଲି ଫୁଲବାଣୀ - ଶିକ୍ଷକତା କରିବାକୁ । ମାତ୍ର ପାଇଲି କ’ଣ ? ଭୋକ ପେଟରେ ଆଉ କେତେ ଦିନ ରହିଥାନ୍ତି । ଏବେ ସରକାର ବ୍ଳକ୍ ଗ୍ରାଂଟ୍ ବୋଲି କିଛି ପକେଟ ଖର୍ଚ୍ଚ ଦେଲାବେଳକୁ ବୟସ ଗଡିଗଲା । ଅବସର ବୟସ ଆସିଗଲା । ଖାଲି ହାତରେ ଫେରିଲି ବିଦ୍ୟାଳୟରୁ ଗୋଟେ ବେରୋଜଗାର ସ୍ୱାମୀ,ପୁଅ ଓ ବାପା ହେଇ । ସୌଭାଗ୍ୟକୁ ମୋ’ ସ୍ତ୍ରୀର ଏ ପ୍ରଚେଷ୍ଟା ଆଜି ମୁଠେ ଖାଇବାକୁ ଦେଇ ପାରୁଚି । 

ସେଦିନ ମୋର ସାମାଜିକ ସମ୍ମାନ ବିଷୟରେ ମତେ ଚିନ୍ତା କରି ମୋ’ ସ୍ତ୍ରୀ ଦେଇଥିବା ପ୍ରସ୍ତାବରେ ମୋହର ମାରିବାକୁ ମତେ ବହୁତ ଚିନ୍ତା କରିବାକୁ ପଡିଥିଲା । ମୁଁ ସେଇ ଗୋଟିଏ କଥା ବାରମ୍ବାର ଚିନ୍ତା କରୁଥିଲି - ମରେ ରାଜହଂସ , ନ ଖାଏ ଗୋମାଂସ । ମୁଁ ଭୋକ ଉପାସରେ ମରିଯିବି ପଛକେ ଏମିତି କିଛି କାମ କରି ସମାଜରେ ଶିକ୍ଷକ ବ୍ୟତୀତ ଅନ୍ୟ ପରିଚୟରେ ବଂଚି ପାରିବି ନାହିଁ । ଧରମାରେ ଦାୟ ନା ବାରଶହ ବଢେଇରେ ଦାୟ - ସର୍ତକୁ ସେଦିନ ବିଶୁମହାରଣା କେମିତି ନିଷ୍ପତି ନେଇଥିଲେ ଜାଣିନି । ତଥାପି ମୋ’ ଅବଶିଷ୍ଟ ଜୀବନର ସୁପରିଚାଳନା ପାଇଁ ଅଗତ୍ୟା ସ୍ତ୍ରୀ କଥାରେ ରାଜି ହେଲି । ଆଉ ଯାହାର ଫଳ ସ୍ୱରୂପ ଆପଣମାନେ ମୋ’ ଘରକୁ ଆସି ଜଣେ ସଫଳଉଦ୍ୟୋଗିର ମାନ୍ୟତା ଦେଇ ଇଂଟର୍ଭ୍ୟୁ ନଉଛନ୍ତି ; ଅନ୍ୟମାନଙ୍କୁ ପ୍ରେରଣା ଦେବାକୁ ।  


ହଁ ଆପଣଙ୍କ କଥା ଠିକ୍ । ମୁଁ ସେଦିନ ଚିନ୍ତା କଲି ପେଟପୋଷିବାକୁ ଅନେକ ରାସ୍ତା ପଡିଚି । ଖାଲି ଯାହା ଶ୍ରଦ୍ଧାର ସହ ଆପଣେଇ ପାରିଲେ ହେଲା । ମୋର ଶେଷ ଇଚ୍ଛା ଅଛି ଆଉ କିଛି ବେକାର ଯୁବକଯୁବତୀଙ୍କୁ ନେଇ ଏମିତି କିଛି ଗୃହଉଦ୍ୟୋଗ କରିବି ; ଯଦ୍ୱାରା କିଛି ପରିବାରର ରୋଜିରୋଟିର ବ୍ୟବସ୍ଥା ହେଇପାରିବ । 

: ଆପଣଙ୍କ ଶେଷ ପ୍ରଶ୍ନ - ‘ଆପଣଙ୍କଦ୍ୱାରା ନିଆ ଯାଇଥିବା ଜୀବନର ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ’ କ’ଣ ? 

-ହଁ, ସେଦିନ ମୋ’ ସ୍ତ୍ରୀର ପ୍ରସ୍ତାବରେ ଏକମତ ହେବା ହେଉଚି ମୋ’ ଜୀବନର ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ । ଯୋଉଥିରେ ବିଳମ୍ବରେ ହେଉ ପଛକେ ମୁଁ ପାଇଚି ଗୋଟେ ହସଖୁସିର ସଂସାର , ଏକ ସଫଳ ମଣିଷ ହେବାର ଗୌରବ । ଆଶା ଦର୍ଶକମାନଙ୍କୁ ଜଣେ ମଣିଷର ସଂଘର୍ଷମୟ ଜୀବନ- ବଂଚିବାର ପ୍ରେରଣା ଦେବ ।


Rate this content
Log in

More oriya story from Sudhir Mohapatra

Similar oriya story from Inspirational