The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ashok Moharana

Romance Tragedy

3  

Ashok Moharana

Romance Tragedy

ଇତି ତୁମର

ଇତି ତୁମର

5 mins
24


ଇତି ତୁମର ମୁଁ......ଲେଖିଦେବା ବେଳକୁ ଛାତି ଭିତରଟା ରୁନ୍ଧି ହୋଇଯାଉଥିବ.....ଆଖିରେ ଆଖିଏ ଲୁହ ଲହଡ଼ି ଭାଙ୍ଗୁଥିବ...ପୁଣି ଥରେ ପଢ଼ିଦେବା ବେଳକୁ ଅମାନିଆ ମନ ଭାସିଯାଉଥିବ ବନ୍ଧ ବାଡ଼ ଡେଇଁ କେଉଁ ଅନ୍ଧାରୀ ମୁଲକର ଅପାସୋରା କଥାକୁ....ସେ ଚିଠିରେ ଥାଏ ମୋ ଜୀବନ ଆଉ ତୁମ ପ୍ରାଣ । ଇତି କରିବାର ଇଚ୍ଛା ନଥିଲେ ବି ଇତି କରିବାକୁ ପଡେ । 

ଚିଠିଟାକୁ ଚଉତେଇ ଲଫାପାରେ ଭର୍ତ୍ତି କରିବା ପୂର୍ବରୁ ପୁଣିଥରେ ଖୋଲି ଯେତେବେଳେ ଦେଖେ କାଗଜ ପୃଷ୍ଠାରେ ଦିଶିଯାଏ ସଜଳ ସଜଳ ଦୁଇ ଆଖି ଆଉ ସେଇ ହସ....

ଚିଠିରେ ଥାଏ ଅବ୍ୟକ୍ତ ଆବେଗ,ମନତଳର ଗହନ କଥାକୁ ବ୍ୟକ୍ତ କରିବାର ମାଧ୍ୟମ କେବଳ ଚିଠି....ତୁମ ମୋ ସମ୍ପର୍କର ମୁକ ସାକ୍ଷୀ । ସେଇ ଚିଠି ସ୍ନେହ ପ୍ରିତୀ ବନ୍ଧନରେ ବନ୍ଧା ଦୁଇଟି ମନର ଭାଷାକୁ ପରଶି ଦେଇ ଏକତ୍ର କରିବାର ଗୋଟିଏ ମାଧ୍ୟମ । 

ଚିଠିର ହୃଦୟରେ ଲେଖି ହୋଇଯାଏ ଅବ୍ୟକ୍ତ ବେଦନାର ମର୍ମସ୍ପର୍ଶୀ ଭାଷା....ଯାହା ସହଜରେ ବ୍ୟକ୍ତ କରିହୁଏନା,ସେ ସବୁ ଚିଠିରେ ହିଁ କହି ହୋଇଯାଏ । ସମ୍ପର୍କର ସେତୁକୁ ଦୃଢ଼ କରେ ଚିଠି ଖଣ୍ଡେ....

ଚିଠି ଆସୁନି...!

ଅପେକ୍ଷାର ଅନ୍ତ ଘଟୁଛି....ପୁଣି ଆସୁଛି ଚିଠି...ଚିଠିର ଲେଖାରେ ହୃଦୟ ଆନ୍ଦୋଳିତ ହେଉଛି...ସୁଖ ଦୁଃଖ,ଭଲମନ୍ଦ, ମାନ ଅଭିମାନ,ରାଗରୁଷାର ପ୍ରତିଟି ସ୍ପର୍ଶରେ ଚିଠି ହେଉଛି ପୁର୍ଣ୍ଣ । 

ଏବେ ଚିଠି ନାହିଁ....ତୁମେ କେମିତି ଦୂରେଇ ଦୁରେଇ ଗଲାଭଳି ଲାଗୁଛ । 

ଚିଠିର ଯୁଗ ଟେଲିଗ୍ରାମ ଭଳି ସରି ଆସୁଛି । ମୋବାଇଲ ଫୋନ, ଏସଏମଏସ,ହ୍ଵାଟ୍ସଆପ, ଇନ୍ଟଷ୍ଟାଗ୍ରାମରେ ସବୁ କିଛି ହୋଇଯାଇଛି ଆଉ ଚିଠି କଣ ଦରକାର.... ମୋର କିନ୍ତୁ ଚିଠି ଦରକାର ଚିଠି....ଚିଠି ନଥିଲେ ତୁମେ ନିଜର ନିଜର ଲାଗୁନ....ଅପେକ୍ଷାର ସ୍ଵାଦ ବି ମିଠା ଲାଗୁନି । 

ତୁମେ ବୁଝୁନ ସନ୍ଦୀପ... ମୋବାଇଲରେ କଣ ସବୁ କଥା କହିହୁଏ....କାଳେ କୋଉଠି ରେକର୍ଡ ହୋଇଯିବ ସେ ଭୟ....ଚିଠିର ଯେଉଁ ମାର୍ମିକ ପରିଭାଷା ଦେଇ ଲେଖିହୁଏ ତା କଣ ମୋବାଇଲରେ ହୁଏ....ଭାବିବାକୁ ସମୟ କାହିଁ ?

ତୁମେ ତ ଜାଣ ସନ୍ଦୀପ ଏଇ ଚିଠି ହିଁ ଥିଲା ଦିନେ ଯୋଗାଯୋଗର ମାଧ୍ୟମ....ନୈନିତାଲ ଜେଲରୁ ଚାଚା ନେହେରୁ ଇନ୍ଦିରାଙ୍କୁ ଲେଖୁଥିଲେ ଚିଠି.....ତୁମେ ମୋବାଇଲ ଛାଡି ଚିଠି ଦିଅ....ଦେଖ ତାର ଉନ୍ମାଦନା ମୋବାଇଲରେ ଅନୁଭବ କରିପାରିବ ନାହିଁ । 

ସବୁଦିନ ଆପେକ୍ଷା !

ଡ଼ାକ ଵାଲା ଆସିବ....ଚିଠି ଦେଵ...ଚିଠି ଆସିବାର ଦୀର୍ଘ ଦିନ ବିଳମ୍ବ ହେଲେ ବଢିଯାଏ ଉନ୍ମାଦନା,ପଢିବାକୁ ମନ ଅଥୟ ଲାଗେ । ସେ ଚିଠି ହିଁ ଜୀବନ ବଞ୍ଚିବାର ମାଧ୍ୟମ । 

ବୁଝିଲ ସନ୍ଦୀପ.... ଚିଠି ତ ଚିଠି...ଏଇ ପ୍ରେମ ଚିଠିନା ....ସମ୍ପୂର୍ଣ୍ଣ ନିଆରା । ନୂଆ ନୂଆ ଵିଵାହ ହୋଇଥିବ....ପତିପତ୍ନୀଙ୍କ ପ୍ରେମପୁର୍ଣ୍ଣ ଚିଠି ହିଁ ଆଶ୍ୱାସନା । ଦୂର ଦେଶରେ ଥିଲେ ସେଇ ହିଁ ଅନୁପସ୍ଥିତିର ସାହାରା । 

ଦିନଥିଲା... ଦୂର ବନ୍ଧୁ ଆଉ ଦୂର ଦେଶ ଭିତରେ ଚିଠି କେବଳ ସମ୍ପର୍କର ସୂତା ଖିଅ । 

ଚିଠିପାଇଁ ଅପେକ୍ଷା କରିବାକୁ ପଡେ ଦିନ,ମାସ,ବର୍ଷ....କେତେବେଳେ ଆସେ ତ କେତେବେଳେ ଆସେନା... ହତାଶାରେ ମନ ଭରିଯାଏ । ରାଗ,ରୁଷା,ମାନ, ଅଭିମାନ ସବୁ ଅଜାଡି ହୋଇପଡେ । 

ଏଇ ଚିଠି ଭିତରେ ଥାଏ...ସ୍ନେହ, ପ୍ରୀତିର ପରିଭାଷା... ଖଣ୍ଡେ ଛୋଟ କାଗଜରେ ଲେଖିହୋଇଯାଏ....ଅନେକ କଥା । 

ଯାହା ଲେଖି ହୁଏନା ତା ଉହ୍ୟ ହୋଇ ରହିଯାଏ.... କାଗଜ ଶେଷ ହୋଇଯାଏ କିନ୍ତୁ ଭାଷା ସରେନା.... ଇଚ୍ଛା ନଥିଲେ ବି ଇତି ଲେଖିବାକୁ ପଡେ....

ସତରେ ସନ୍ଦୀପ.... "ଇତି ତୁମର ମୁଁ"ଲେଖି ଦେବା ବେଳକୁ ମନର କୋହ,ସ୍ନେହ, ଶ୍ରଦ୍ଧାକୁ ସ୍ଵଳ୍ପରେ ହିଁ ଶେଷ କରିବାକୁ ପଡେ....

ବୁଝିଲ... ସନ୍ଦୀପ !ସତରେ ଚିଠି କେବଳ ଚିଠି,ତାର ବିକଳ୍ପ ନାହିଁ । 

ଚିଠିକୁ ଛାତି ଭିତରେ.... ପୁରେଇ ରଖିଲେ ଲାଗେ ଯେମିତି ତୁମେ ମୋ ହୃଦୟ ଭିତରେ ବସା କରିଦେଇଛ...ତକିଆ ତଳେ ରଖି ସମସ୍ତେ ସୋଇଗଲାପରେ ସ୍ଵଳ୍ପ ଆଲୋକରେ ଲୁଚେଇ ଲୁଚେଇ ପଢ଼ିବାର ମଜା ତୁମେ ବୁଝିପାରିବ ନାହିଁ । 

ପ୍ରେମ ଚିଠିଟାକୁ କୋଉଠି ରଖିବି...ଛାତି ଭିତରେ.... ଇସ୍ ! ଚିଠିରେ ତୁମେ ଥିବ ଜଦି.... ନା ତକିଆ ଭିତରେ... ନା ରାତିରେ ଦୁଷ୍ଟାମୀ କରିବ...ସୋଇଦେଵ ନାହିଁ... ଆଉ ଗୋପନୀୟ ଜାଗାରେ....ନା ବାବା ନା ଚିଠିଟା ଯଦି ଜୀବନ୍ତ ହୋଇ ଉଠିବ !!!

ଜାଣିଛ....ତୁମକୁ ବୁଝାଇବି କଣ.... ଚିଠିର ଇତିହାସ ବହୁ ପୁରାତନ.... ଭୁର୍ଜପତ୍ର, ଇନଲାଣ୍ଡଲେଟର,ଲଫାପା,ପୋଷ୍ଟକାର୍ଡରେ ଲେଖା ହେଉଥିଲା ଚିଠି....ବାବିଲୋନିଆବାସୀ ମାଟିରେ ପାତ୍ର କରି ତା ଉପରେ ଲେଖି ଶୁଖାଇ ଦେଉଥିଲେ... ସାଇତି ରଖୁଥିଲେ । ରାଜାରାଜୁଡା ସମୟରେ ସ୍ଵତନ୍ତ୍ର ଭାବରେ ଚିଠି ଲେଖା ହେଉଥିଲା.... ଏବେ ଆଉ ସେ ସମୟ ନାହିଁ.....ଚିଠି ତ ଚିଠି ପଠାଇବାର ମାଧ୍ୟମ ବି ନିଆରା...ପାରା, ଘୋଡ଼ା, ଅଶ୍ବାରୋହି, ପଥଚାରୀଙ୍କ ହାତରେ ବି ଚିଠି ଦିଆନିଆ ହେଉଥିଲା । 

ଚିଠି ଏବେ ନୁହେଁ... ପୌରାଣିକ ଯୁଗରେ ବି ଥିଲା....ମହର୍ଷି ନାରଦ ଖବର ଦେଉଥିଲେ... କାଳିଦାସଙ୍କ ମେଘଦୂତମର ପରିକଳ୍ପନା ହି ଚିଠି....ସେଇ କାବ୍ୟ କଶ୍ଚିତ କାନ୍ତା ବିରୋହୁରୁ ଗୁରୁଣା ଶ୍ଲୋକ ତ ସେହି ମେଘ ଦୂତମର...

ଚିଠି ଲେଖିବା ବେଳେ ଲାଗେ ଯେମିତି ଏଇ ପାଖରେ ଅଛ କି....ଚୁପି ଚୁପି ଦେଖୁଛି କି...ଏଇ ପାଖରେ ଛିଡା ହୋଇଛ କି !

ଆବେଗ ଅନୁଭବ ହି ଆହ୍ଲାଦ ଉଲ୍ଲାସ । ଇତି କରିବାର ଆଦୌ ଇଛା ନଥିବ...ଇତି କରିବାକୁ ହିଁ ପଡିବ । ଇତି କରିଦେଲେ ତ କଥା ସରିଲା । 

ଚିଠିକୁ ଥରେ ନୁହେଁ ବାରବାର ପଢିବାକୁ ହୁଏ...କିଛି ରହିଗଲା କି ଆଉ...ପୁଣି ପଢେ....ପୁଣି ଚିରେ...ଥରେ ଲେଖି ଅଠା ଲଗାଇଦେଲେ କାମ ଶେଷ । 

ତା ପରେ ଅପେକ୍ଷା...!ତୁମ ପ୍ରତ୍ୟୁତ୍ତର କୁ...ଦିନେ ନା ଦୁଇ ଦିନ...ସପ୍ତାହ କି ଦୁଇ ସପ୍ତାହ କେବେ ଆସିବ ଉତ୍ତର.... କଣ ଲେଖିଛ ତୁମେ....ଥରେ ଚିଠି ଲେଖା ଆରମ୍ଭ ହେଲେ ଅଡ଼ୁଆ ସୂତା ଛିଡୁ ନଥିବ....ପୁଣି ପ୍ରଶ୍ନ ପୁଣି ଉତ୍ତର.... ଉତ୍ତର ପୁଣି ପ୍ରଶ୍ନ....ଏମିତି ଚାଲେ....ସେ ଦିନ ପର୍ଯ୍ୟନ୍ତ.... ଯେତେ ଦିନ ତୁମେ....

ସ୍ମୃତିର ଗନ୍ତଘରେ ସାଇତା ହୋଇ ରହେ ତୁମ ଚିଠି....

ଚିଠି ତ ଚିଠି ଜୀବନର ପ୍ରଥମ ଚିଠି ପ୍ରେମର ନା ନିଯୁକ୍ତିର । ଉନ୍ମାଦନାରେ ପୁରିଯାଏ ମନ । 

ଚିଠିରେ ବର୍ଣ୍ଣନା ହୁଏ ସବୁକିଛି.... ଚିଠିଟା ଯେମିତି ଜୀବନର ଗୋଟେ ଜଳଛବି... ଗୋଟେ ପ୍ରତିଛବି । 

ଜଣିଛି ସନ୍ଦୀପ ଗୋଟେ କଥା.... ମୋତେ ବି ଚିଠି ଲେଖି ଆସେନା.... ଯେଉଁଦିନଠାରୁ ତୁମ ଚିଠି ପାଇଲି ସେଇ ଦିନଠାରୁ ଶିଖିଲି ଚିଠି ଲେଖିବାର କଳା । ଜଣିଛ ନା.... ଏଇ ଚିଠି ପୁଣି ପ୍ରେମ ଚିଠି ପଢ଼ିବାବେଳକୁ ସାଙ୍ଗ ସଥୀଙ୍କ ଟାହି ଟାପରା... ଭାରି ଖୁସି ଲାଗେ କିଏ ଜାଣିଦେବେ ଭାବି ପୁଣି ଲୁଚେଇବାକୁ ବି ପଡ଼େ...ମୋ ସାଙ୍ଗ ତନୁ କହିଥିଲା ଚିଠି ମଣିଷକୁ ଦାର୍ଶନିକ କରିଦିଏ.... ଭାବୁକ କରିଦିଏ.... । 

ସେ କହୁଥିଲା ଚିଠି ଲେଖିବା ଗୋଟେ କଳା.... ଜ୍ଞାନ ନଥିଲେ ବି ଚିଠିର ବର୍ଣ୍ଣନା ବେଶ ହୃଦୟସ୍ପର୍ଶୀ...

ଚୁପଚାପ ବସି ଏକୁଟିଆ ଚିଠି ଲେଖିବା ବେଳେ ମନର ଅନ୍ତଃକୋଣରେ ଜାଗରିତ ହୁଏ ଅନୁଭବ... ଅନୁରାଗ । 

ଧୀରେ ଧୀରେ ସମୟ ଚାଲିଯାଏ...ଜୀବନ ସ୍ମୃତିର ଗନ୍ତା ଘର ପଲଟିଯାଏ...ଚିଠି ନଆସିଲେ ପୁରୁଣା ଚିଠିକୁ ପଢି ତୁମର ସତ୍ତାକୁ ଅନୁଭବ କରିବାକୁ ପଡେ...ତୁମର ଭାବନାକୁ ଖୋଜିବାକୁ ପଡେ....ସେଇ ଚିଠି ହିଁ ନିଶ୍ୱାସ ପ୍ରଶ୍ୱାସ ରେ ଥାଏ....ତାକୁ ପଢି ମନକୁ ବୁଝେଇବାକୁ ପଡେ । 

କେତେବେଳେ କେଉଁ ସ୍ମୃତି ବହୁତ କଷ୍ଟ ଦିଏ ତ କେତେବେଳେ କେଉଁ ସ୍ମୃତିକୁ ନେଇ ସମୟ ବିତାଇବାକୁ ପଡେ....ଚିଠି ନଥିଲେ ତୁମକୁ ଅନୁଭବ କରି ହୁଅନ୍ତା ନାହିଁ । 

ଜୀବନରେ ପୁରୁଣା ବନ୍ଧୁ....ପୁରୁଣା ସ୍ମୃତି... ପ୍ରେମ ଫେରେନା....କିନ୍ତୁ ସନ୍ଦୀପ ସେଇ ଚିଠି ଜୀବନର ମୋଡ଼ ବଦଳେଇ ଦିଏ । 

ହଜି ଯାଉଥିବା ସ୍ମୃତି ଅନୁଭୂତି ଏଇ ଚିଠିରେ ସାଇତା ହୋଇ ରହେ....ମୋବାଇଲ ନା ରଖି ହୁଏ ନା ଅନୁଭବ କରିହୁଏ.... ଜଡ଼ ନିର୍ଜୀବ ଦ୍ରବ୍ୟକୁ ନେଇ କିଛି ବି ଅନୁଭବ କରି ହୁଏନା । 

ପୁରୁଣା ଚିଠି ଖୋଲି ପଢି ଦେବା ବେଳକୁ ଇଚ୍ଛା ହୁଏ...ତୁମେ ପୁଣି !!!

ଇଛା ହୁଏ ସେଇ ଅପାସୋରା ଅଭୂଲା ସ୍ମୃତି ଫେରି ଆସନ୍ତା କି ? ପୁଣି ସ୍କୁଲରେ ତୁମେ ବହି ଭିତରେ ଚିଠି ପୁରେଇ ବହି କି ଖାତା ଦେବା ବାହାନା ରେ ଆସନ୍ତ....ଏକୁଟିଆ ଟିକେ 

କହିବା ଆଉ ଲେଖିବା ଭିତରେ ଥାଏ ବହୁତ ଫରକ....କହି ହୁଏ ଲେଖି ହୁଏନା.... ଲେଖିହୁଏ କହି ହୁଏନା....

ସନ୍ଦୀପ ତୁମେ ଫେରିଆସ । !!!

ଫେରିଆସ ସନ୍ଦୀପ.... ଡାକ ଵାଲା ଚିଠି ଦିଅନ୍ତା....ସ୍ମୃତିର ଗନ୍ତାଘର ପୁଣି ଖୋଲି ଯାଆନ୍ତା । 

ଓଡ଼ିଆ ଭାଷା ବି ମାର୍ଜିତ ହୁଅନ୍ତା....ଓଡ଼ିଆ ଜ୍ଞାନ ବୃଦ୍ଧି ହୁଅନ୍ତା.... ଟିକେ ଭାବିବାକୁ ମିଳନ୍ତା ସମୟ...

କାଗଜରେ ଅଙ୍କା ବଙ୍କା ଅକ୍ଷର ହେଉ କି ମଲିଫୁଲିଆ ଅକ୍ଷର... ଦିନଦୀନ ପାଇଁ ସାଇତା ହୋଇ ରହନ୍ତା । 

ଏମିତି ସବୁଦିନ.... ସ୍ମୃତି ଲେଖୁଛି ଚିଠି....ସନ୍ଦୀପ ନିକଟକୁ.... ଏଇ ଚିଠିରୁ ଆରମ୍ଭ ହୋଇଥିଲା ପ୍ରେମ.... ସ୍କୁଲରୁ ଆରମ୍ଭ ଆଉ କଲେଜରେ ଶେଷ...

ଚିଠିରେ ଚିଠିରେ ସାତ ବର୍ଷ....ସନ୍ଦୀପ ପ୍ଲସ ଟୁ ପାସ ପରେ ଯୋଗଦେଲେ ଆର୍ମିରେ ଆଉ ସ୍ମୃତି ପଢିଲା ବିଏ....

ବିଏ ପାସ ପରେ ଉଭୟ ଘର ରାଜିରେ ହେଲା ବାହାଘର.... ଦୀର୍ଘ ସାତ ବର୍ଷର ସମ୍ପର୍କର ସେତୁ ଥିଲା ଏଇ ଚିଠି.....ଚିଠିରେ ଚିଠିରେ ପ୍ରେମ.... ପୁଣି ବାହାଘର । 

ଚିଠିର ସମ୍ପର୍କ....ସାତ ବର୍ଷ ପର୍ଯ୍ୟନ୍ତ କେହି ବି ସୁରାକ ପାଇ ନଥିଲେ.....

କାର୍ଗିଲ ଯୁଦ୍ଧ ବଦଳେଇ ଦେଲା ସ୍ମୃତିର ସବୁକିଛି.... ହଠାତ ସନ୍ଦୀପର ନିଖୋଜ ଖବର ଆସେ.....ଆଉ ସାତ ଦିନ ପରେ ଶହୀଦ ହେବାର ଖବର.....

ସହିଦ ହେବାର ଦୁଇ ଦିନ ପୂର୍ବର ଲେଖା ଚିଠିଟା ପହଞ୍ଚି ଥିଲା....ମୃତ୍ୟର ଦୁଇଦିନ ପରେ....

ସନ୍ଦୀପ ଲେଖିଥିଲେ । "ଏ ସ୍ମୃତି.... ଭାରତ ମାତା ଆଜି ବିପଦରେ.... ଶପଥ ନେଇଥିଲୁ...ଏ ଦେଶପାଇଁ ଯଦି ବଳିଦାନ ଦେବାକୁ ପଡେ ହସିହସି ଜୀବନ ଦେବୁ....ଶତ୍ରୁ ସମ୍ମୁଖରେ ନତ ମସ୍ତକ ହେବାତ ଦୁରର କଥା.... ଶତ୍ରୁକୁ ନିପାତ କରି ଭାରତ ମାତାକୁ ସୁରକ୍ଷିତ ରଖିବାକୁ ପଡିବ...ଏବେ ସଂକଟରେ ଦେଶ....ଯଦି କିଛି ହୋଇଯାଏ ବୀର ପୁରୁଷର ପତ୍ନୀ ଭାବରେ ଲୁହ ଝରାଇବ ନାହିଁ.... ଚିଠି ଲେଖୁଥିବ.....ସେଇ ଚିଠିରେ ଥିବ ମୋ ଜୀବନ.... ଯେତେଦିନ ପାଇଁ ଚିଠିଲେଖୁ ଥିବ ଜାଣିବ ତୁମ ହୃଦୟ ଭିତରେ ଆଉ ତୁମ ପାଖରେ ଛିଡା ହୋଇଛି । 

ସେଇ ଦିନଠାରୁ ପ୍ରତି ସପ୍ତାହରେ ଚିଠି ଲେଖିବା କେବେ ବନ୍ଦ କରିନି.....

ଚିଠି ଲେଖି ସେମିତି ଡ଼ାକ ବାକ୍ସରେ ପକେଇ ଚାଲିଛି....

ସେ ଅପେକ୍ଷା କରିଛି ସେ ଡ଼ାକ ବାଲାକୁ.... ଚିଠି ଆସିବ !

ସେମିତି ଚାଲିଛି ୧୯୯୯ କାର୍ଗିଲ ଯୁଦ୍ଧ ଠାରୁ ଆଜିଯାଏ.... ଦୀର୍ଘ କୋଡିଏ ବର୍ଷ । 

ଦିନ ନୁହେଁ କି ମାସ....ବେଳେବେଳେ ଡାକ ଵାଲା ଚିଠିଟିଏ ଦିଏ....

ଚିଠି ଉପରେ ଲେଖାଥାଏ...ଆଡ୍ରେସ ନଟ ଫାଉଣ୍ଡ....

 ଚିଠି ଲେଖିବା କିନ୍ତୁ ଛାଡେ ନାହିଁ ସ୍ମୃତି.... ସେଇ ଚିଠିରେ ତା ଜୀବନ । 



Rate this content
Log in

More oriya story from Ashok Moharana

Similar oriya story from Romance